Unknown

 

 

 

 

 

 

 

 

 

 

 

ମୋ ସମୟର ଓଡ଼ିଶା

ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

 

 

 

 

 

 

 

 

ଉତ୍ସର୍ଗ ପତ୍ର

 

ମୋର ସ୍ଵର୍ଗତ ପିତା ସାଗର ପାଣିଗ୍ରାହୀ ଏବଂ

ମୋର ସ୍ୱର୍ଗତା ମାତା ସରସ୍ଵତୀ ଦେବୀଙ୍କ

ପବିତ୍ର ସ୍ମୃତି ପ୍ରତି ଉତ୍ସର୍ଗୀକୃତ ।

Image

 

ମୁଖବନ୍ଧ

(ଦ୍ୱିତୀୟ ସଂସ୍କରଣ)

 

‘ମୋ ସମୟର ଓଡ଼ିଶା’ ପୁସ୍ତକ ପ୍ରକାଶର ପ୍ରାୟ ଦଶବର୍ଷ ପରେ ୨୫-୨-୮୭ରେ ହୃଦ୍‍ରୋଗରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ମୃତ୍ୟୁ ହେଲା । ପାଖରେ ରହୁଥିବା ଜ୍ୟେଷ୍ଠପୁତ୍ର ବରେଣ୍ୟଙ୍କର ଅକାଳ ବିୟୋଗ ତାଙ୍କ ଶେଷଜୀବନକୁ ଶୋକୋଚ୍ଛ୍ୱାସମୟ କରିଥିଲା । ତାଙ୍କ ଚକ୍ଷୁରୁ ଅବିରତ ଅଶ୍ରୁଧାରା ଛୁଟିଥିଲା । କୁଟୁମ୍ଭପୋଷଣ ଲାଗି ତାଙ୍କ ପୁତ୍ରବଧୂଙ୍କୁ ବାଧ୍ୟ ହୋଇ ଚାକିରି କରିବାକୁ ପଡ଼ିଥଲା । ଏ ସବୁ ଘଟଣା ତାଙ୍କୁ ଏତେ ମର୍ମାହତ କରିଥିଲା ଯେ ସେ ସଂସାର ପ୍ରତି ପୂରାପୂରି ଉଦାସୀନ ହୋଇ ପଡ଼ିଥିଲେ । ସେ କ୍ୱଚିତ୍ କିଛି କହୁଥିଲେ ଓ ଦକ୍ଷିଣହସ୍ତ ବିକମ୍ପିତ ହେଉଥିବାରୁ ନିଜର ମନୋଭାବ ପ୍ରକାଶ କରିବାକୁ ଅସମର୍ଥ ହୋଇଥିଲେ ! ପୁତ୍ରବିୟୋଗ ପୁର୍ବରୁ ‘ମୋ ସମୟର ଓଡ଼ିଶା’କୁ ବଢ଼ାଇ ଲେଖିବାକୁ ମୁଁ କେତେଥର କହିଛି ! କିନ୍ତୁ ପ୍ରଥମ ସଂସ୍କରଣର ପ୍ରସାର ବନ୍ଦ କରିଦେବାକୁ ଯେଉଁ ଅପଚେଷ୍ଟା ହେଲା, ତାହା ତାଙ୍କ ମନକୁ ବିଷାକ୍ତ କରିଦେଇଥିଲା । ତେଣୁ ବଢ଼ାଇବା ଆଉ ସମ୍ଭବପର ହେଲା ନାହିଁ; କିନ୍ତୁ ପ୍ରକାଶକ ‘କିତାବ ମହଲ’ର ଏକନିଷ୍ଠ ପ୍ରୟାସ ଯୋଗୁ ‘‘History of Orissa’’–(ପ୍ରକାଶ କାଳ-୧୯୮୧) ପୁସ୍ତକଟି ସେ ଲେଖିପାରିଥିଲେ ।

 

କଠୋର ଭାବେ ସତ୍ୟାଶୟ ତାଙ୍କର ପାରମ୍ପରିକ ଧର୍ମ । ଅପ୍ରିୟ ସତ୍ୟ ପ୍ରକାଶ ଫଳରେ ତାଙ୍କୁ ବହୁ ବିରୋଧ, ବିଦ୍ୱେଷ ଓ ଅସହିଷ୍ଣୁତାର ସମ୍ମୁଖୀନ ହେବାକୁ ହୋଇଥିଲା । ତାଙ୍କ ଯୋଗ୍ୟ ଆସନ ତାଙ୍କ ଜୁନିୟରଙ୍କୁ ଦିଆଯାଇଥିଲା । ଗବେଷଣାର କୌଣସି ସୁଯୋଗ ମଧ୍ୟ ତାଙ୍କୁ ଦିଆହୋଇ ନ ଥଲା, ବରଂ ଏଥିରେ ଅନ୍ତରାୟ ସୃଷ୍ଟି କରାଯାଇଥିଲା । ବହୁ ବିଭ୍ରାଟ ଫଳରେ ତାଙ୍କର ମାନସିକ ଭାରସାମ୍ୟ ନଷ୍ଟ ହୋଇ ଯାଇଥିଲା । ଜୀବନକାଳ ମଧ୍ୟରେ ଯାହା କରିବାର କଥା, ତାର କାଣିଚାଏ ମଧ୍ୟ ସେ କରିପାରି ନ ଥିଲେ । ଏପରି କି ଯାହାକୁ ଅବଲମ୍ବନ କରି ସେ ‘‘ସାରଳା ସାହିତ୍ୟର ଐତହାସିକ ଚିତ୍ର’’ ଲେଖିଥଲେ, ତାହାକୁ ତଥାକଥିତ ଶୁଦ୍ଧ ସଂସ୍କରଣରୁ ବାଦ୍‍ ଦିଆଯାଇଥିଲା ।

 

“ଈର୍ଷାଦ୍ୱେଷପରବଶ ହୋଇ କୌଣସି ପ୍ରାଚୀନ ଗ୍ରନ୍ଥର ଅଙ୍ଗଚ୍ଛେଦ କରିବାର ଏପରି ଉଦାହରଣ ପୃଥିବୀରେ ବିରଳ । ହାୟରେ ମୋର ଜନ୍ମଭୂମି ! ଏ ଭୁମିରେ କୌଣସି ସତ୍‍ ଆଲୋଚନା କଲାବେଳ ଅଭିମନ୍ୟୁକୁ ସପ୍ତରଥୀ ବେଢ଼ିଗଲା ପରି ଆଲୋଚକ ତଥା ଆଲୋଚ୍ୟ ବିଷୟକୁ ସମସ୍ତେ ବେଢ଼ି ହତ୍ୟା କରନ୍ତି ।’’ (ମୋ ସମୟର ଓଡ଼ିଶା, ପୃ-୧୫୩) ।

 

ଅବଲୁପ୍ତ ଅଂଶଟିର ପୁନଃସଂସ୍ଥାପନ ଲାଗି ଡକ୍ଟର ପାଣିଗ୍ରାହୀ ସରକାରୀ ସାହାଯ୍ୟ ଚାହିଁଥିଲେ, କିନ୍ତୁ ତାହା ତାଙ୍କୁ ଦିଆଗଲା ନାହିଁ । ପରେ ଅର୍ଥର ଅଭାବ ହେବ ନାହିଁ; ମର୍ମଜ୍ଞ ସଂସ୍ଥାପକ ଜଣେ ମିଳିବା ଦୁଷ୍କର ହୋଇପଡ଼ିବ ।

 

ଲେଖନୀ ଆଘାତରେ ଆହତ କେତେକ ବିଦ୍ୱାନ, “ମୋ ସମୟର ଓଡ଼ିଶା’ର ପ୍ରସାର ବନ୍ଦ କରିଦେବା ଲାଗି ନିଜ ନିଜ ଆସନ ବା କ୍ଷମତାର ଅପପ୍ରୟୋଗ କଲେ, କିନ୍ତୁ ପାରିଲେ ନାହଁ । ସେମାନଙ୍କ ଅପଚେଷ୍ଟା ବରଂ ଏହି ପୁସ୍ତକର ପ୍ରସାରକୁ ଦ୍ରୁତତର କଲା ଓ ତା ଫଳରେ ଦ୍ୱିତୀୟ ସଂସ୍କରଣ ପ୍ରକାଶ ଆବଶ୍ୟକ ହେଲା ।

 

କାହାକୁ ବିକ୍ଷତ କରିବା ପ୍ରକୃତପକ୍ଷେ ଲେଖକଙ୍କର ପ୍ରବୃତ୍ତି ନ ଥିଲା । ସେ ଲେଖିଛନ୍ତି-“ଏହା ପ୍ରଜ୍ଞାବାଦ ନୁହେଁ, ଜାତିର ଅଧଃପତନରେ ମୋର ଆର୍ତ୍ତନାଦ ମାତ୍ର । କାରଣ କିଶୋର ବୟସରେ ମୋର ପିତାମାତାଙ୍କୁ ହରାଇବା ପରେ ଓଡ଼ିଶାକୁ ହିଁ ମୋର ପିତାମାତା ଭାବି ଆଜୀବନ ପ୍ରାଣପଣେ ତାର ସେବା କରି ଆସୁଥିଲି ।”

 

‘‘ମୋ ସମୟର ଓଡ଼ିଶା’’ ଅଧୋଗତ ଓଡ଼ିଆଙ୍କ ଜାତ୍ୟଭିମାନ ଜାଗ୍ରତ କରିବା ଲଗି ଉଦ୍ଦିଷ୍ଟ । ବର୍ତ୍ତମାନ ଓଡ଼ିଆ ଗୌରବମୟ ଅତୀତର ସ୍ମରଣରେ ଦୃଢ଼ଭାବେ କର୍ତ୍ତବ୍ୟ ସଚେତନ ହେଲେ ଲେଖକଙ୍କର ଶ୍ରମ ସାର୍ଥକ ହେବ ।

 

୧୯/୦୫/୮୭

କୁଞ୍ଜବିହାରୀ ଦାଶ

କଟକ

 

Image

 

ନିବେଦନ

 

‘‘ମୋ ସମୟର ଓଡ଼ିଶା’’ରେ ମୋ ଜୀବନୀ ସମ୍ବନ୍ଧରେ କେତେକ କଥା ଥିଲେ ହେଁ ଏଥରେ ମୋ ସମୟର ଓଡ଼ିଶାର ସାଂସ୍କୃତିକ ଘଟନାବଳୀ ବହୁଳ ଭାବରେ ରହିଛି । ଏ ପୁସ୍ତକରେ ମୋ ସମୟର ରାଜନୀତିକ ପ୍ରବାହ ସମ୍ବନ୍ଧରେ ଗୋଟିଏ ପରିଚ୍ଛେଦ ସନ୍ନିବେଶ କରିବାର ପରିକଳ୍ପନା କରିଥଲି; କିନ୍ତୁ ନାନା କାରଣରୁ ଏହି ପରିକଳ୍ପନାକୁ ପରିତ୍ୟାଗ କଲି । ଏ ଗ୍ରନ୍ଥରେ ଯାହା ଲେଖିଛି ତାହା ମୋର ପ୍ରଜ୍ଞାବାଦ ନୁହେଁ, ତାହା ମୋ ହୃଦୟର ଆର୍ତ୍ତନାଦ ମାତ୍ର । ମୁଁ ବାଳ୍ୟକାଳରୁ ପିତାମାତାଙ୍କୁ ହରାଇ ଓଡ଼ିଶାକୁ ହିଁ ମୋର ମାତା ବୋଲି ଭାବିନେଇଛି, ମୁଁ ତାକୁ ନିବିଡ଼ ଭାବରେ ଭଲପାଇଛି, ତାହାର ଇତିହାସ ଓ ପ୍ରତ୍ନତତ୍ତ୍ୱକୁ ଗଭୀର ଭାବରେ ଅନୁଧ୍ୟାନ କରିଛି ଏବଂ ଏକଦା ଆଲୋକମୟୀ ଏହି ସନାତନୀ ଭୁମିର ଅଧୁନାତନ ଅଧଃପତନରେ ବ୍ୟଥିତ ହୋଇଛି-। ଏହି ବ୍ୟଥାରୁ ହିଁ ଏ ପୁସ୍ତକରେ ସନ୍ନିବେଶିତ ମୋର ସମସ୍ତ ପ୍ରତିକ୍ରିୟା ପ୍ରକାଶ ପାଇଛୁ । ଧର୍ମ ନାମରେ, ସଂସ୍କୃତି ନାମରେ ଓଡ଼ିଶାରେ ଯେଉଁ ସହଜପନ୍ଥା ଅନୁସୃତ ହେଉଛି, ତାହା ମୋତେ ବ୍ୟଥିତ କରିଛି । ମୁଁ ଦୃଢ଼ଭାବରେ ବିଶ୍ୱାସ କରେ ଯେ ଓଡ଼ିଆମାନଙ୍କ ନୈତିକ ଓ ଧାର୍ମିକ ଅଧଃପତନ ହିଁ ଓଡ଼ିଶାର ଅଧଃପତନ ପାଇଁ ଦାୟୀ । ଏହି ଦୃଷ୍ଟିଭଙ୍ଗୀ ମଧ୍ୟ ପୁସ୍ତକଟିରେ ସର୍ବତ୍ର ରହିଛି ।

 

ଏ ପୁସ୍ତକରେ ସନ୍ନିବେଶିତ ଚତୁର୍ଥ ପରିଚ୍ଛେଦ ଓ ନବମ ପରିଚ୍ଛେଦ ଝଙ୍କାରରେ ଯଥାକ୍ରମେ ୨୭ଶ ବର୍ଷ ବିଷୁବସଂଖ୍ୟାରେ ଓ ୨୮ଶ ବର୍ଷ ୫ମ ସଂଖ୍ୟାରେ, ସପ୍ତମ ପରିଚ୍ଛେଦ ପ୍ରଜାତନ୍ତ୍ରର ରଜତ-ଜୟନ୍ତୀ ସଂଖ୍ୟାରେ ଏବଂ ଅଷ୍ଟମ ପରିଚ୍ଛେଦ ଉତ୍କଳ ସାହିତ୍ୟ ସମାଜ ତରଫରୁ ପ୍ରକାଶିତ ସାହିତ୍ୟିକ ଅଭିଭାଷଣ ନାମକ ପୁସ୍ତକରେ ପ୍ରକାଶ ପାଇଥିଲା ଏବଂ ଏଗୁଡ଼ିକ ପାଇଁ ମୁଁ ବହୁ ପାଠକଙ୍କ ଦ୍ୱାରା ଅଭିନନ୍ଦିତ ହୋଇଥଲି । କୌଣସି କୌଣସି ସ୍ଥାନରେ ଏଗୁଡ଼ିକର ଶିରୋନାମା ବଦଳାଇ ଏ ପୁସ୍ତକରେ ସନ୍ନିବେଶ କରାଯାଇଛି । ଯେଉଁମାନେ ଏଗୁଡ଼ିକର ପ୍ରଥମ ପ୍ରକାଶ ପାଇଁ ମୋତେ ସୁଯୋଗ ଦେଇଥିଲେ, ମୁଁ ସେମାନଙ୍କଠାରେ କୃତଜ୍ଞ । ଏହି ଚାରୋଟି ପରିଚ୍ଛେଦ ପ୍ରବନ୍ଧାକାରରେ ପ୍ରକାଶିତ ହେବାବେଳେ ସୁଧୀପାଠକବୃନ୍ଦ ସେଗୁଡ଼ିକୁ ଯେଉଁପରି ଆଦର କରିଥିଲେ, ଏ ପୁସ୍ତକଟିକୁ ମଧ୍ୟ ସେହିପରି ଆଦର କରିବେ ବୋଲି ଆଶା । ଏ ପୁସ୍ତକଟି ଲେଖିବାର ମୋର ଆଦୌ ପରିକଳ୍ପନା ନ ଥିଲା; କିନ୍ତୁ ଓଡ଼ିଶାର ସୁବିଖ୍ୟାତ କବି, କଥାକାର, ପ୍ରାବନ୍ଧିକ, ଭ୍ରମଣକାହାଣୀ ଲେଖକ, ଲୋକ-ଗୀତି-ସଂଗ୍ରାହକ, ସ୍ୱଜୀବନୀଲେଖକ ରେଭେନ୍ସା କଲେଜର ସ୍ନାତକୋତ୍ତର ଓଡ଼ିଆ ବିଭାଗର ପୂର୍ବତନ ପ୍ରଫେସର ଡକ୍ଟର କୁଞ୍ଜବିହାରୀ ଦାଶ ଏ ପୁସ୍ତକଟି ଲେଖିବା ପାଇଁ ମୋତେ ବାରମ୍ବାର ପ୍ରବର୍ତ୍ତାଇଥିଲେ । ଏହା ଲେଖିବାରେ ମୁଁ କେତେଦୂର ଅଗ୍ରସର ହେଲି, ତାହା ମଧ୍ୟ ସେ ମଧ୍ୟେ ମଧ୍ୟେ ଜାଣିବାକୁ ଚାହିଁଥିଲେ-। ମୁଁ ଆଜି ନିଃସଙ୍କୋଚରେ କହୁଛି ଯେ ତାଙ୍କ ପ୍ରେରଣା ବିନା ଏ ପୁସ୍ତକଟି ଲେଖିବା ମୋ ପକ୍ଷରେ କଦାପି ସମ୍ଭବପର ହୋଇ ନ ଥାନ୍ତା । ତାଙ୍କୁ ମୁଁ ମୋର ଗଭୀର କୃତଜ୍ଞତା ଜଣାଉଛି ।

 

ଏ ପୁସ୍ତକଟିର ପ୍ରକାଶଭାର ଗ୍ରହଣ କରିଥିବାରୁ ମୁଁ କଟକ କଲେଜଛକସ୍ଥିତ ‘‘କିତାବ ମହଲ’’ର ସ୍ୱତ୍ୱାଧିକାରୀ ଶ୍ରୀ ଜଗଦୀଶ ଚନ୍ଦ୍ର ଖଣ୍ଡାୟୀଙ୍କଠାରେ କୃତଜ୍ଞ ।

 

ଗ୍ରନ୍ଥକାର

୦୧/୦୧/୧୯୭୮

Image

 

ମୁଖବନ୍ଧ

(ପ୍ରଥମ ସଂସ୍କରଣ)

 

ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ମୃତ୍‍ପାତ୍ରବିଶେଷଜ୍ଞ, ପୁରାତତ୍ତ୍ୱବିତ୍ ଓ ଐତିହାସିକଭାବେ ସର୍ବଭାରତୀୟ ପ୍ରତିଷ୍ଠାଲାଭ କରିଛନ୍ତି । ପୃଥବୀରେ ବିଭନ୍ନ ଦେଶର ଭାରତ-ତତ୍ତ୍ୱବିତ୍‍ମାନଙ୍କ ନିକଟରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏକ ସୁପରିଚିତ ନାମ । ବୈଜ୍ଞାନିକ ରୀତିର ଗବେଷଣା ଓ ସତ୍ୟାଶ୍ରୟ ଯୋଗୁଁ ସେ ବିଦ୍ୱଜ୍ଜନସମାଜରେ ଉଚ୍ଚାସନ ଲାଭ କରିଛନ୍ତି । ତୁଚ୍ଛ ଭାବପ୍ରବଣତା, ଆଞ୍ଚିଳିକତା ବା ଜାତୀୟତା ପ୍ରତି ପକ୍ଷପାତ ପରିହାର କରି ସେ ସତ୍ୟାନୁସନ୍ଧାନରେ ତୀକ୍ଷ୍‍ଣ ଅସିଧାରବ୍ରତ ଗ୍ରହଣ କରିଛନ୍ତି । କିନ୍ତୁ ସତ୍ୟବ୍ରତର ଏଇ କଠୋରତା ତାଙ୍କ ଅନ୍ତରର ରସଧାରାକୁ ନିଃଶେଷ କରିଦେଇ ପାରିନାହିଁ । ସେ ଏକା ଧାରରେ ଗବେଷକ ଓ ସାହିତ୍ୟିକ ହେବାକୁ ସମର୍ଥ ହୋଇଅଛନ୍ତି ।

 

ସାହିତ୍ୟ ତାଙ୍କର ସାମୟିକ ବିନୋଦନ; କିନ୍ତୁ ଏ ଦିଗରେ ତାଙ୍କର ଦାନ ଗୌଣ ବା ନଗଣ୍ୟ ନୁହେଁ । ସାହିତ୍ୟଗବେଷକ, ଭାବୁକ ଓ ରସିକ ସାହିତ୍ୟଭାବେ ତାଙ୍କର ସ୍ୱାକ୍ଷର ସ୍ୱାତନ୍ତ୍ର୍ୟ-ଚିହ୍ନିତ । ସେ ସାହିତ୍ୟରେ ପ୍ରବେଶ ମାତ୍ରେ ଗଡ଼ବିଜେତାର ଗୌରବ ଲାଭ କରିଛନ୍ତି । ତାଙ୍କ ‘ପ୍ରବନ୍ଧ ମାନସ’ ରମ୍ୟତା ଓ ଉଚ୍ଚ ଭାବୁକତାର ଏକ ସମନ୍ୱୟ । ପୁରାଣ ପର୍ଯ୍ୟାୟ ମଧ୍ୟରେ ସାରଳା ଦାସ ନିଭିଯାଉଥିବାବେଳେ ସେ ତାଙ୍କୁ ନୂତନଭାବେ ଆବିଷ୍କାର କରିଛନ୍ତି । ତାଙ୍କ ଦୃଷ୍ଟିରେ ଏହି ଚାରଣକବି ଦିଗ୍‍ବିଜୟୀ ସମ୍ରାଟ କପିଳେନ୍ଦ୍ରଦେବଙ୍କର ସମସାମୟିକ ଐତିହାସିକ ଓ ଏ ଦିଗରୁ ସମଗ୍ର ଭାରତରେ ଅତୁଳନୀୟ ।

 

‘ମୋ ସମୟର ଓଡ଼ିଶା’ର ପ୍ରଥମାଂଶ ଆତ୍ମଜୀବନ ଚରିତ । ଘୋର ଦାରିଦ୍ର୍ୟ, କଠୋର ଜୀବନସଂଗ୍ରାମ ଓ ସାମାଜିକ ନିପୀଡ଼ନ ଭିତରୁ ପାଣିଗ୍ରାହୀଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିଛି, ଦୃଢ଼ସଂକଳ୍ପ ଓ ନିର୍ଭୀକତା ଜନ୍ମଲାଭ କରିଛି । ଉତ୍ତରାଧିକାର ସୂତ୍ରେ ସେ ପିତାଙ୍କଠାରୁ ଲାଭ କରିଛନ୍ତି–ଅନବଦମିତ ଚରିତ୍ର ଓ ସ୍ପଷ୍ଟବାଦିତା । ଭୂୟାଁ, ବାଥୁଡ଼ି ଓ ସାଉଁତି ପ୍ରଭୃତି ଆଦିବାସୀଙ୍କ ସଙ୍ଗମେଳରୁ ସେ ଲାଭ କରିଛନ୍ତି ସରଳତା । ତାଙ୍କ ଅଙ୍କିତ ଆଦିବାସୀ ଜୀବନଚିତ୍ର ସଂକ୍ଷିପ୍ତ; କିନ୍ତୁ ଏକାନ୍ତ ସ୍ଵାଦ୍ୟ ହୋଇଅଛି ।

 

ପୁସ୍ତକର ପ୍ରଥମାଂଶ ଏକ ଚିତ୍ତାକର୍ଷକ କାହାଣୀ, ଦ୍ୱିତୀୟାଂଶ ଏକ ସମାଲୋଚନା ମୁଳକ ସନ୍ଦର୍ଭ । ଉଭୟ ମଧ୍ୟରେ ଯୋଗସୂତ୍ର କ୍ଷୀଣ ।

 

ଭିନ୍ନ ଭିନ୍ନ ସମୟରେ ରଚିତ ପ୍ରବନ୍ଧ ବିନା ସଂଶୋଧନରେ ସଂକଳିତ ହୋଇଥବାରୁ ଭଞ୍ଜଜୟନ୍ତୀ, ଜାଲ୍‍ ଗବେଷଣା ପ୍ରଭୃତି ପୁନରୁକ୍ତି ଦୃଷ୍ଟିକଟୁ ହେଉଅଛି । ସାମାନ୍ୟ କେତୋଟି ବିଚ୍ୟୁତି ବାଦ୍‍ ଦେଲେ ପୁସ୍ତକଟି ଆମୂଳଚୂଳ ସୁଖପାଠ୍ୟ ଓ ଏକାନ୍ତ ଶିକ୍ଷଣୀୟ ହୋଇଅଛି । ଭାରତୀୟ ପରିପ୍ରେକ୍ଷୀରେ ଶିକ୍ଷିତ ଓଡ଼ିଆଙ୍କ ବର୍ତ୍ତମାନ ଜୀବନଧାରା, ଗତିପ୍ରଗତି, ଧର୍ମନୀତି, ଅତୀତ ପ୍ରେମ, ସଂସ୍କୃତପ୍ରୀତି ଓ ଜ୍ଞାନଗବେଷଣା ଉପରେ ସେ ଆଲୋକପାତ କରିଛନ୍ତି । କଥା ଅଛି–ହିତକର ଅଥଚ ମନୋହର ବଚନ ସଂସାରରେ ଦୁର୍ଲଭ । ରୂଢ଼, ରୁକ୍ଷ ବୋଧହେଲେ ବି ପରିଣାମରେ ହିତକର ହେବ, ଏଇ ବିଶ୍ୱାସରେ ଡକ୍ଟର ପାଣିଗ୍ରାହୀ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି । ଆଖିରୁ ପରଳ ଖସାଇ ଦୃଷ୍ଟି ଫିଟାଇବା ତାଙ୍କର ଲକ୍ଷ୍ୟ । ଜାତି ଓ ସଂସ୍କୃତିର ସର୍ବାଙ୍ଗୀନ ଉନ୍ନତି ତାଙ୍କର କାମନା । ଶିକ୍ଷିତଗୋଷ୍ଠୀଙ୍କ ଚିନ୍ତାଶୂନ୍ୟତା, ଅଥର୍ବତା ଦୂରକରିବା ଲାଗି ସେ ଆଘାତ କରିଛନ୍ତି । କୌଣସି ବ୍ୟକ୍ତି ପ୍ରତି ତିଳାର୍ଦ୍ଧ ଈର୍ଷା ବା ଅସୂୟା ଏଥିରେ ପ୍ରକାଶିତ ହୋଇ ନାହିଁ । ଅନ୍ଧାନୁସରଣ, ଜାଲ୍‍ ଗବେଷଣା, ଭଣ୍ଡ ଧର୍ମ, ଭାକ୍ତିକ ମିଥ୍ୟାପ୍ରଚାର, ନିର୍ବିଚାରରେ ପରଧର୍ମ ଗ୍ରହଣ ଓ ଉଜ୍ଜଳ ପରମ୍ପରା ତ୍ୟାଗ କିପରି ଓଡ଼ିଶାର ଘୋର କ୍ଷତି ଘଟାଇଛି, ଲେଖକ ଦୁଃଖରେ ମ୍ରିୟମାଣ ହୋଇ ପ୍ରକାଶ କରିଛନ୍ତି । ଏ ପ୍ରଦେଶରେ ସ୍ୱାଧୀନଚିନ୍ତାର ବିକାଶ, ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନବୋଧ ଅଭାବରୁ ଏଭଳି ଦୁର୍ଗତି ଘଟିଛି ବୋଲି ତାଙ୍କର ଦୃଢ଼ ମତ । “ମୋ ସମୟର ଓଡ଼ିଶା’’ ଓଡ଼ିଆଜାତି ପ୍ରତି ଏକ ଚେତାବନୀ, ପ୍ରଗତିପୋତର ଏକ ଦିଗନିର୍ଣ୍ଣାୟକ ଖୁଣ୍ଟ ।

 

ଶାନ୍ତନିକେତନ

କୁଞ୍ଜବିହାରୀ ଦାଶ

୨୧।୧୧।୭୭

ପରିଦର୍ଶକ ଅଧ୍ୟାପକ, ବିଶ୍ୱଭାରତୀ

 

ସଭାପତି, ଉତ୍କଳ ସାହିତ୍ୟ ସମାଜ

Image

 

ସୁଚୀପତ୍ର

 

୧.

ମୁଖବନ୍ଧ (ଦ୍ୱିତୀୟ ସଂସ୍କରଣ)

୨.

ନିବେଦନ

୩.

ମୁଖବନ୍ଧ (ପ୍ରଥମ ସଂସ୍କରଣ)

୪.

ପ୍ରଥମ ପରିଚ୍ଛେଦ :

 

 

ଜୀବନ ପ୍ରଭାତ

୫.

ଦ୍ୱିତୀୟ ପରିଛେଦ :

 

 

ଅବାଞ୍ଛିତର ଆତ୍ମସମ୍ମାନ

୬.

ତୃତୀୟ ପରିଛେଦ :

 

 

ଅଦୃଶ୍ୟ କର୍ଣ୍ଣଧାର

୭.

ଚତୁର୍ଥ ପରିଚ୍ଛେଦ :

 

 

ମୋର ପ୍ରତିବେଶୀବୃନ୍ଦ

୮.

ପଞ୍ଚମ ପରିଛେଦ :

 

 

ମୋ ସମୟର ମୟୁରଭଞ୍ଜ

୯.

ଷଷ୍ଠ ପରିଚ୍ଛେଦ :

 

 

ମୋ ସମୟର ଭାରତ ଓ ଓଡ଼ିଶା

୧୦.

ସପ୍ତମ ପରିଛେଦ :

 

 

ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ପ୍ରଗତି

୧୧.

ଅଷ୍ଟମ ପରିଚ୍ଛେଦ :

 

 

ମୋ ସମୟରେ ଓଡ଼ିଶାର ସାଂସ୍କତିକ ଗତିଧାରା

୧୨.

ନବମ ପରିଚ୍ଛେଦ :

 

 

ମୋ ସମୟର ଓଡ଼ିଆମାନଙ୍କ ଅତୀତ ପ୍ରୀତି

୧୩.

ଦଶମ ପରିଚ୍ଛେଦ :

 

 

ମୋ ସମୟର ଓଡ଼ିଶାର ଶୂର, ସୁରି ଓ ସନ୍ଥପୂଜା

୧୪.

ଏକାଦଶ ପରିଛେଦ :

 

 

ମୋ ସମୟରେ ଓଡ଼ିଶାର ଇତିହାସର ଧାରା

୧୫.

ଦ୍ୱାଦଶ ପରିଛେଦ :

 

 

ଶେଷତ୍ରୋଶ

୧୬.

ପରିଶିଷ୍ଟ

Image

 

ପ୍ରଥମ ପରିଚ୍ଛେଦ

ଜୀବନ-ପ୍ରଭାତ

 

ସମୟ-ସ୍ରୋତ ବହିଚାଲିଛି । ଦିନେ କ୍ଷୁଦ୍ରଶିଶୁରୂପେ ମାତୃଗର୍ଭରୁ ପଡ଼ିଥିଲି; କିନ୍ତୁ ଆଜି ମୃତ୍ୟୁ ପାଖରେ ପହଞ୍ଚିଲିଣି ! ମୋର ଆଉ କେତେଦିନ ବାକି ଅଛି, ତାହା ନିଶ୍ଚିତ ଭାବରେ କହିବା ସମ୍ଭବପର ନ ହେଲେ ମଧ୍ୟ, ଆଉ ଯେ ବେଶି ଦିନ ବାକି ନାହିଁ, ଏହା ନିଶ୍ଚିତ ଭାବରେ କହିବା ସମ୍ଭବପର । ଓଡ଼ିଶାର ଜଣେ ‘‘କଳିଶଠା’’ ବହୁଦିନ ହେଲା ଷାଠିଏ ପାହାରି ଆସିବା ପରେ ଆଉ କେତେ ବର୍ଷ ବି ରହିବାର ଆଶା କରିପାରେ ? ଜୀବନର ବୃହତ୍ତର ଅଂଶ ଇତିହାସ ଓ ପ୍ରତ୍ନତତ୍ତ୍ୱ ଅଧ୍ୟୟନ ଓ ଅନୁଶୀଳନରେ କଟାଇଛୁଁ । ସେହି ଦୃଷ୍ଟିରୁ ଭାଷା ମାଧ୍ୟମରେ ମୋ ସମୟ-ଓଡ଼ିଶାର ଚିତ୍ରଟିଏ ଆଙ୍କିବାକୁ ପ୍ରୟାସୀ ହେଉଛି । ଏହା ମୋର ଖାଲି ଜୀବନ-କାହାଣୀ ନୁହେଁ । ମୋ ଅସ୍ତିତ୍ୱ କେତେଜଣ ଜାଣନ୍ତି ଯେ ମୋ ଜୀବନ ଚରିତ ପଢ଼ିବା ପାଇଁ ଆଗ୍ରହୀ ହେବେ ? କିନ୍ତୁ ମୋ ଜୀବନ-କାଳ ମଧ୍ୟରେ ଯାହା ଘଟିଛି, ମୁଁ ଯାହା ଅନୁଭବ କରିଛି, ଯାହା ଦେଖିଛି, ଯାହା ଶୁଣିଛି, ଯାହା ପଢ଼ିଛି, ଯାହା ଲେଖିଛି ବା ଯାହା ଚିନ୍ତା କରିଛି, ଏ ସମସ୍ତ ଲିପିବଦ୍ଧ ହେଲେ ଓଡ଼ିଶାର ଇତିହାସକୁ ଉପାଦାନ ଯୋଗାଇବ ଓ କେତେକଙ୍କ ମନରେ ନୂତନ ଚିନ୍ତାଧାରା ଆଣିପାରିବ–ଏହି ଆଶାରେ ହିଁ ଏ ଗ୍ରନ୍ଥଟି ଆରମ୍ଭ କଲି ।

 

ମୋର ତିନିବର୍ଷ ବୟସର କେତେକ ଘଟଣା ମୋ ସ୍ମୃତିପଟରେ ଅସ୍ପଷ୍ଟ ଭାବରେ ଭାସିଉଠୁଥିଲେ ମଧ୍ୟ, ତାହା ଅତ୍ୟନ୍ତ ଅସଂଲଗ୍ନ, କିନ୍ତୁ ମୋର ପାଞ୍ଚବର୍ଷ ବୟସଠାରୁ ଗତ ଷାଠିଏ ବର୍ଷରୁ ଅଧିକ ସମୟର ବହ୍ନ ଘଟନା ସ୍ପଷ୍ଟଭାବରେ ମୋର ମନେପଡ଼ୁଛି । ମୋ ସମୟର ମୋ ଗ୍ରାମଟିର ଗୋଟିଏ ସମ୍ପୁର୍ଣ୍ଣ ଚିତ୍ର ମୋର ସ୍ମୃତିପଟରେ ଭାସିଉଠୁଛି । ମୋ ଗ୍ରାମର ନାମ ଖିଚିଙ୍ଗ । ଏହା ପୂର୍ବତନ ମୟୁରଭଞ୍ଜ ଷ୍ଟେଟ୍‍ର ପାଞ୍ଚପିଢ଼ (କରଞ୍ଜିଆ) ସବ୍‍ଡିଭଜନରେ ସିଂହଭୂମ ଓ କେଉଁଝର ସୀମାଠାରୁ ମାତ୍ର ତିନିମାଇଲ ଦୂରରେ ଅବସ୍ଥିତ । ଏହା ଭଞ୍ଜଜବଂଶର ପ୍ରାଚୀନ ରାଜଧାନୀ ଥିବାରୁ ଅଦ୍ୟାପି ବହୁ ପ୍ରାଚୀନ- କୀର୍ତ୍ତିବିଶୋଭିତ ହୋଇ ଏ ଅଞ୍ଚଳରେ ସୁବିଦିତ ହୋଇଛି । ଏ ଖିଚିଙ୍ଗ ଗ୍ରାମ ପାର୍ବତୀପୁର ଓ ପଣିସୀ ନାମକ ଆଉ ଦୁଇଟି ଗ୍ରାମ ସହତ ସଂଲଗ୍ନ ହୋଇ ଗୋଟିଏ ଗ୍ରାମ ପରି ଦେଖାଯାଏ । ବସ୍ତୁତଃ ଖିଚିଙ୍ଗ କହିଲେ ଏହି ତିନୋଟିଯାକ ଗ୍ରାମକୁ ସୂଚାଇଥାଏ । ଖିଚିଙ୍ଗରେ ଭୂୟାଁମାନେ, ପାର୍ବତୀପୁରରେ ଗଣ୍ଡମାନେ ଓ ପଣିସୀରେ ପୁରାଣମାନେ ବାସକରନ୍ତି । ଏମାନଙ୍କ ମଧ୍ୟରେ ଘରେ ବ୍ରାହ୍ମଣ, କେତତେଘର ପାଣ, ଘରେ ଧୋବା, ଘରେ ମେହେନ୍ତର, ଘରେ ବିନ୍ଧାଣୀ, ଘରେ କମାର, ଦୁଇଘର ବଗାଲ (ଗଉଡ଼), କେତେଘର ବୈଷ୍ଣବ ଓ କେତେଘର ଭୂମିଜ ମଧ୍ୟ ଏମାନଙ୍କ ମଧ୍ୟରେ ଇତସ୍ତତଃ ରହିଥାନ୍ତି ।

 

ଗ୍ରାମଟିର ପୂର୍ବ, ପଶ୍ଚିମ ଓ ଉତ୍ତର ଉପକଣ୍ଠରେ ଆମ କୁଞ୍ଜମାନ ଗ୍ରାମର ଅନତିଦୂର ପର୍ଯ୍ୟନ୍ତ ଲମ୍ବି ଆସିଥିଲା । ଏକଦା ଏହି ଗ୍ରାମ ନିଘଞ୍ଚ ଅରଣ୍ୟାନୀରେ ଆବୃତ ଥିଲା, ମାତ୍ର ଯେଉଁ ସମୟର କଥା କହୁଛି, ସେ ସମୟରେ ଦକ୍ଷିଣ ଓ ପଶ୍ଚିମପଟରେ ଗୁଳ୍ମ,-ଲତା-ପରିବ୍ୟାପ୍ତ କେବଳ ଖଣ୍ଡ-କ୍ଷେତ୍ରମାନ ବିରଳ-ବିଶାଳ-ଶାଳ-ତରୁମାନ ସହ ବିଶାଳ ଅରଣ୍ୟାନୀର ଅବଶେଷରୁପେ ବିଦ୍ୟମାନ ଥିଲା । ଗ୍ରାମ ସୀମାରେ ଓ ଉପକଣ୍ଠରେ ଛବିଶଟି ଛୋଟବଡ଼ ପୋଖରୀ ଅର୍ଦ୍ଧ-ପ୍ରୋତ୍‍ଥିତ ଅବସ୍ଥାରେ ଥିଲା । ଗୋଟିଏ ଗ୍ରାମ ମଧ୍ୟରେ ଏତେଗୁଡ଼ିଏ ଜଳାଶୟର ଅବସ୍ଥାନ ଭାରତ ତଥା ଉତ୍କଳରେ ବିରଳ । ପୂର୍ବ-କୀର୍ତ୍ତି-କିରୀଟିନୀ ଭଞ୍ଜଭୂମିର ଧନ୍ୟ। ରାଜଧାନୀର ଅତୀତ ଗୌରବରୂପେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଦ୍ୟାପି ଅବସ୍ଥିତ । ଗ୍ରାମର ପ୍ରାୟ ଅଧମାଇଲ ଦୂରରେ ପୂର୍ବ ଓ ପଶ୍ଚିମପଟରେ ଭଣ୍ଡିଣୀ ଓ ଖଇରୀ ନାମକ ଦୁଇଟି ସଦାନୀରା ନିର୍ଝରିଣୀ ପ୍ରବହିତା-। ଗ୍ରାମର ପ୍ରାୟ ତିନି ମାଇଲେ ଦୂରରେ ବୈତରଣୀ ବହି ଚାଲିଛି ଓ ଏହି ନିର୍ଝରିଣୀଦ୍ୱୟକୁ ନିଜ କୋଳରେ ଆଶ୍ରୟ ଦେଇଛି ।

 

ପୂର୍ବପଟରେ ଥିବା ‘‘ଠାକୁରାଣୀଶାଳା’’ ବା ଠାକୁରଣୀ ମନ୍ଦିରବେଢ଼ା ଗ୍ରାମର ସର୍ବଶ୍ରେଷ୍ଠ ଆକର୍ଷଣୀୟ ସ୍ଥାନ । ଏକ ହଜାରରୁ ଅଧିକ ବର୍ଷ ହେଲା ଏହି ଦେବସ୍ଥାନ ପ୍ରବାହମାନ କାଳବକ୍ଷରେ ଅମ୍ଲାନ କୀର୍ତ୍ତିରାଜି ବହିଆସିଛି । ଯେଉଁ ସମୟର କଥା ଲେଖୁଛି, ସେ ସମୟରେ ବିରଳ ମହାମହୀରୁହମାନଙ୍କ ସହିତ ନବିଡ଼ଗୁଳ୍ମ-ଲତାରେ ସମଗ୍ର ସ୍ଥାନଟି ଆଚ୍ଛନ୍ନ ହୋଇଥଲା ଏବଂ କାଳଜୟୀ ଅପରୂପ କଳାରେ ମଣ୍ଡିତ ଦୁଇଟି ପାଷାଣ-ମନ୍ଦିର ଓ ଭଗ୍ନ-ଜୀର୍ଣ୍ଣ ବହୁ ପାଷାଣ-ମୂର୍ତ୍ତି ଏଠାରେ ବିଦ୍ୟମାନ ଥିଲା । ସ୍ମୃତି-ଶ୍ମଶାନ ଏ ସ୍ଥଳିଟି ଚିରି ଶ୍ୟାମଳ ଓ ଚିରଶୀତଳ ହୋଇ ପୁରାଣବର୍ଣ୍ଣିତ ତପୋବନର ଶୋଭା ଧାରଣ କରିଥଲା । ଏଠାକୁ ଗଲେ ସବୁ ଦୁଃଖ ପାସୋର ଯାଏ-। ଅନମ-ପୁଷ୍ପ ସମ୍ଭାରର ସୁଗନ୍ଧ, ଅଜ୍ଞାତନାମା ବହୁ ବହିଙ୍ଗର କାକଳି, ତରୁଗୁଳ୍ମ ଲତାର ନୈସର୍ଗିକ ପ୍ରେମବନ୍ଧନରେ ବିନିର୍ମିତ କୁଞ୍ଜପୁଞ୍ଜ, ପୁର୍ବବିଭବର ବାର୍ତ୍ତାବହ ବହୁ ପ୍ରାଚୀନକୀର୍ତ୍ତି, ସମସ୍ତେ ମିଳି ଦର୍ଶକକୁ ତଣ୍ଡୁଳ-ତୈଳ-ଶାକ-ଲବଣର ସଂସାରରୁ ଘେନିଯାଇ ଶାନ୍ତିମୟଧାମରେ ପହଞ୍ଚାଇଥାନ୍ତି । ଷଡ଼ଋତୁର ପ୍ରଭାବ ଅନ୍ୟତ୍ର ଅନୁଭୂତ ହେଉ ବା ନ ହେଉ, ଏଠାରେ ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ ହେଉଥିଲା । ବସନ୍ତର ବାର୍ତ୍ତାବହ କୋକିଳର କୁଜନରେ ଖାଲି ଏହି ଦେବସ୍ଥଳିଟି ନୁହେଁ, ସମଗ୍ର ଗ୍ରାମଟି ମୂର୍ଚ୍ଛିତ ହୋଇ ଉଠୁଥିଲା । ଏ ଗ୍ରାମର ନବାଗତ ଅତିଥି ମୁଁ ମନେ ମନେ ଭାବୁଥିଲି–ଏ ସ୍ଵର୍ଗୀୟ-ସ୍ୱର-ଲହରୀ କଅଣ କୌଣସି ପକ୍ଷୀକଣ୍ଠରୁ ସମ୍ଭୁତ ନା ଦେବଲୋକରୁ ଆଗତ ? ବର୍ଷର ବହୁ ମାସରେ କାମିନୀର କମନୀୟ ପୁଷ୍ପ-ସମ୍ଭାର ସମଗ୍ର ସ୍ଥାନଟିରେ ସୁବାସ ବିତରଣ କରୁଥିଲା । ବସ୍ତୁତଃ ଦେବସ୍ଥଳିରେ ଗୁଳ୍ମଳତା ମଧ୍ୟରେ କାମିନୀର ସଂଖ୍ୟା ସର୍ବାଧିକ ଥିଲା-। କୃଷ୍ଣଚୂଡ଼ା ଓ କିଂଶୁକ କାଳୋପଯୋଗୀ ଅଜସ୍ର ପୁଷ୍ପବକରେ ମଣ୍ଡିତ ହୋଇ ଏହାର ଶୋଭାବର୍ଦ୍ଧନ କରୁଥଲେ ।

 

ଖିଚିଙ୍ଗକୋଟ ବା ଆଧୁନକ ଖିଚିଙ୍ଗ ଭଞ୍ଜବଂଶର ରାଜଧାନୀ ହୋଇଥିବାରୁ ଏଠାରେ ଦୁଇଟି ରାଜନବରର ଭଗ୍ନାବିଶେଷ ଅଦ୍ୟାପି ଦେଖାଯାଏ । ଏଥିମଧ୍ୟରୁ ଗୋଟିକର ନାମ ବିରାଟଗଡ଼ ଓ ଅନ୍ୟଟିର ନାମ କୀଚକଗଡ଼ । ଯେତେବେଳେ ଇତିହାସ ଲୁପ୍ତ ହେଲା, ସେତେବେଳେ ଅନଭିଜ୍ଞ ଲୋକମାନେ ଗଡ଼ ଦୁଇଟିର ଏପରି ପୌରାଣିକ ନାମ ଦେଇଥିଲେ ହେଁ, ଏଗୁଡିକ ଯେ ପ୍ରାଚୀନ ଭଞ୍ଜରାଜାମାନଙ୍କ ରାଜଭବନ ଥିଲା, ତାହା ଏ ସ୍ଥଳିମାନଙ୍କରେ ଭୂଖନନ ତଥା ତାମ୍ର ଶିଳାରେଖ ଏବଂ ବହୁବିଧ ପ୍ରାଚୀନ ପଦାର୍ଥରୁ ପ୍ରମାଣିତ ହୁଏ । ଗ୍ରାମର ଦକ୍ଷିଣ-ପୂର୍ବ କୋଣରେ ଭଣ୍ଡିଣୀର ତଟଦେଶରେ ଅବସ୍ଥିତ ବିରାଟଗଡ଼ ବିଶାଳ ଶାଳତରୁ ଓ ଘନଗୁଳ୍ମ ଲତାକୀର୍ଣ୍ଣ ହୋଇ ରହିଥିଲା ଏବଂ ଏହାର ପାର୍ଶ୍ୱରେ ନଦୀ ସ୍ରୋତ-ଖୋଦିତ ବହୁ ଖଣା “ସାତପୁରୀ” ନାମରେ ଅଭିହିତ ହେଉଥିଲା । ଏହି ଘନଜଙ୍ଗଲ ଓ ଖଣା ଭିତରେ ପ୍ରବେଶ କରିବାକୁ ଲୋକେ ଭୟ କରୁଥିଲେ । ଗ୍ରାମର ପଶ୍ଚିମ ସୀମାକୁ ଲାଗି ଖଇରୀନଦୀର ଅଦୂରରେ ଅବସ୍ଥିତ କୀଚକଗଡ଼ରେ ଦୁର୍ଗର ସମସ୍ତ ଚିହ୍ନ ବିଦ୍ୟମାନ ଥିଲା ଓ ବର୍ତ୍ତମାନ ମଧ୍ୟ ଅଛି । ପ୍ରାଚୀରର ଧ୍ୱଂସାବିଶେଷ, ପ୍ରାଚୀର ସନ୍ନିକଟ ଅର୍ଦ୍ଧ-ପ୍ରୋତ୍‍ଥିତ ଗଡ଼ଖାଇ, ‘‘ରାଜଗୁରୁ’’ ଓ “ରାଣୀଗାଧୋଆ” ନାମଧେୟ ପୁଷ୍କରିଣୀଦ୍ୱୟ ଏବଂ ‘‘ହାତୀଖଣା” ଇତ୍ୟାଦି ଅଦ୍ୟାପି ବିଦ୍ୟମାନ ରହି ରାଜଦୁର୍ଗର ନିଶ୍ଚିତ ସଙ୍କେତ ଦେଉଛନ୍ତି । କୀଚକଗଡ଼ ବିରାଟଗଡ଼ ପରି ଘନ-ବନ-ପୂର୍ଣ୍ଣ ନ ଥିଲା । ବିଶାଳ ଆମ୍ୱ ଓ ଶାଳମାନେ ପ୍ରହରୀ ପରି ଗଡ଼ଟିରେ ଇତସ୍ତତଃ ଦଣ୍ଡାୟମାନ ଥିଲେ ଏବଂ ସେମାନଙ୍କ ପଦଦେଶରେ ନାନାଜାତିର ଗୁଳ୍ମଲତା ସମଗ୍ର ଦୁର୍ଗଟିକୁ ଆଚ୍ଛନ୍ନ କରି ରହିଥିଲେ । ଏଠାରେ ବର୍ଷସାରା ନାନାଜାତିର ପକ୍ଷୀ, ପୁଷ୍ପ ଓ ଫଳ ଦେଖିବାକୁ ମିଳୁଥିଲେ ହେଁ, ବସନ୍ତର ପ୍ରାରମ୍ଭରେ ଏ ସମସ୍ତ ଐନ୍ଦ୍ରଜାଲିକ ଶୋଭା ସୃଷ୍ଟି କରୁଥିଲେ । ବନ-ଯୂଥୀ ଲତାୟିତତନୁରେ ଅଗଣିତ ଶୁଭ-ସୁମନ ବହନ କରି ସର୍ବତ୍ର ସୌରଭସୁରା ବିତରଣ କରୁଥିଲା; ଇନ୍ଦ୍ର-ଯବ (କୁରୁଚିଫୁଲ) ଅଜସ୍ର -ଶୁଭ୍ର-ପୁଷ୍ପସ୍ତବକରେ ଆନତ ହୋଇ ସମସ୍ତଙ୍କୁ ଆହ୍ୱାନ କରୁଥିଲା, ସୁନାରୀ ସ୍ୱର୍ଣ୍ଣବର୍ଣ୍ଣପୁଷ୍ପମାଳରେ ମଣ୍ଡିତା ହୋଇ ଐଶ୍ୱର୍ଯ୍ୟଶାଳିନୀ ରମଣୀ ପରି ଦେଖା ଯାଉଥିଲା ଏବଂ କିଂଶୁକର ଅଜସ୍ର ଲୋହିତସ୍ତବକ ଦାବାଗ୍ନିର ଭ୍ରମ ଆଣି ଦେଉଥଲା ।

 

ଆମ୍ର କୁଞ୍ଜମାନ ଗ୍ରାମସୀମାକୁ ଲମ୍ବି ଆସିଥିଲା । ଏମାନଙ୍କ ମଧ୍ୟରୁ କେତେକ ନବୀନ ଓ କେତେକ ପ୍ରାଚୀନ । ସମସ୍ତେ ବସନ୍ତରେ, ତାମ୍ରାଭପଲ୍ଲବରେ ଓ ଅଜସ୍ର ପୁଷ୍ପରେ ମଣ୍ଡିତ ହୁଅନ୍ତୁ ଏବଂ ଗ୍ରୀଷ୍ମରେ ଫଲଭାରରେ ଆନତ ହୁଅନ୍ତି । ଏମାନଙ୍କ ମଧ୍ୟରୁ କୋକିଳର କୁହୁ, ଝିଙ୍କାରୀର ଝିଁ ଝିଁ ସ୍ଵନ ଓ ‘‘ଆମ୍ବଡ଼ାଆଣୀ’’ମାନଙ୍କ ଅତ୍ୟାଚାର ମୋ ସ୍ମୃତିପଟରୁ ଲିଭିନାହଁ । ବର୍ଷାର ମେଘାଚ୍ଛନ୍ନ ଦିବସ, ମେଘମେଦୁର ଦୂରଗିରିରାଜି, ତଡିତ୍‍ର ଚମକ, ବଜ୍ରର କମ୍ପନ, ଅବିରତ ବାରିପାତଧାରାଧ୍ୱନିତା, ଅନ୍ଧକାରମୟୀ ରଜନୀ, ବନଲତାର ଘନ ଶ୍ୟାମଳତା, ଶସ୍ୟକ୍ଷେତ୍ରର ନବନୀଳିମା, ଶିଶିରର ଘନକୁହେଳି, ଶୈତ୍ୟର ଶିହରଣ, ଧୂମାୟିତ ଦିଗନ୍ତ, ସ୍ୱର୍ଣ୍ଣଶୀର୍ଷ ଶସ୍ୟସମ୍ଭାର ଇତ୍ୟାଦି ସବୁ ଆଜି ଗୋଟି ଗୋଟି ହୋଇ ମୋର ମନରେ ପଡ଼ିଯାଉଛି । ମୋର ମନେହେଉଛି ଯେ, ମୋର ଗ୍ରାମଠାରୁ ଆଉ କୌଣସି ସୁନ୍ଦର ଗ୍ରାମ ନାହିଁ ।

 

ଏହି ଗ୍ରାମରେ ୧୯୦୯ ମସିହାରେ ମାତୃଗର୍ଭରୁ ଭୂମିଷ୍ଠ ହୋଇଥିଲି । ମୋର ଜାତକ ଭୁବନେଶ୍ୱରରେ ଚୋରିଗଲା । ଘରେ ଯେଉଁ ଟିପ୍‍ପଣୀଟିଏ ଥିଲା, ସେହି ଅନୁସାରେ ସନ ୧୩୧୬ ସାଲ (ଶକାବ୍ଦ ୧୮୩୧) ମାର୍ଗଶୀର ୨୭ ଦିନ କୃଷ୍ଣଚତୁର୍ଥୀ ଭୃଗୁବାସରେ ଦିବା ଦ୨୩/୧୯ ସମୟରେ ମେଷଲଗ୍ନରେ ମୁଁ ଜହ୍ମଗ୍ରହଣ କରିଥିଲେ । ଏଣୁ ୧୯୦୯ ଖ୍ରୀଷ୍ଟାବ୍ଦରେ ହଁ ମୋର ଜନ୍ମ ଘଟିଥିଲା । ଶୈଶବ ଓ ଯୌବନରେ ମୁଁ ଏକାଧିକ ଥର ଜ୍ୟେତିଷମାନଙ୍କ ମୁହଁରୁ ଶୁଣିଛୁ ଯେ ମୋର କୋଷ୍ଠିରେ ଧନ, ବିଦ୍ୟା ବା ସନ୍ତାନ ନାହିଁ । ଏହି ଗଣନାର ବାସ୍ତବତା ସହିତ କୌଣସି ସମ୍ପର୍କ ନ ଥିବାରୁ କୋଷ୍ଠିର ଫଲାଫଳରେ ମୋର ବିଶ୍ୱାସ ନାହଁ । କୋଷ୍ଠିରେ ମୋର ଆୟୁଃକାଳ ଥିଲା ୬୨ ବର୍ଷ, କିନ୍ତୁ ୬୨ ବର୍ଷ ପରେ ଅନେକ ଦିନ ବଞ୍ଚିଲିଣି । ଏହିସବୁ କାରଣରୁ କୋଷ୍ଠିର ଫଳାଫଳରେ ମୋର ବିଶ୍ୱାସ ନାହିଁ ।

 

ମୋର ସ୍ୱର୍ଗତ ପିତା ସାଗର ପାଣିଗ୍ରାହୀ ଓ ମାତା ସରସ୍ୱତୀ ଦେବୀଙ୍କ କେଉଁଝର ଜିଲ୍ଲା ଆନନ୍ଦପୁର ସବ୍ ଡିଭିଜନର ସେମାନଙ୍କ ବାସସ୍ଥାନ ମୁଗଗୁରରୁ ପ୍ରାୟ ୮୦ ବର୍ଷ ପୂର୍ବେ ଚାଲିଆସି ଖିଚିଙ୍ଗରେ ନବସଂସାର ସ୍ଥାପନ କରିଥିଲେ । ମୁଁ ମୋ ପିତାମାତାଙ୍କ ନବମ ସନ୍ତାନ । ମୋର ଏଗାରଟି ଭାଇଭଉଣୀ ମଧ୍ୟରୁ ତିନୋଟି ବାଳ୍ୟକାଳରୁ ଇହସଂସାର ଗ୍ୟାଗ କରିଥିଲେ । ବଂଶବୃକ୍ଷରେ ମୋର ସ୍ଥାନ ନିମ୍ନରେ ସୂଚିତ ହେଲା–

Image

 

ମୋର ପିତା ଅତ୍ୟନ୍ତ ଉଦାସୀ ଥିଲେ । ଏ ସଂସାରଟା ଯେ ଜୀବନ-ସଂଗ୍ରାମର ସ୍ଥଳ, ଏକଥା ବୋଧହୁଏ ତାଙ୍କ ମନକୁ ସ୍ପର୍ଶ କରି ନ ଥିଲା । ଅତି ସାମାନ୍ୟ ଧନର ଅଧିକାରୀ ମାନବ ଅତି ସାମାନ୍ୟ ଜଳର ଅଧିକାରୀ ମୀନ ପରି ଯେଉଁ ଦୁର୍ଦ୍ଦଶା ଭୋଗ କରେ, ମୋର ପିତାକୁ ସେହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥଲା । ଖିଚିଙ୍ଗ୍‍ ଅଞ୍ଚଳରେ ବ୍ରାହ୍ମଣବୃତ୍ତି ପାଇଁ ପ୍ରଶସ୍ତ କ୍ଷେତ୍ର ଥିବାରୁ ପୈତୃକ ସ୍ଥାବର ସମ୍ପତ୍ତିକୁ ବିକି ଦେଇ ବାପା ମୟୁରଭଞ୍ଜକୁ ପଳାଇ ଆସିଲେ । ସେ ତାଙ୍କର ଜମିବାଡ଼ିକୁ ଯେପରି ଭାବରେ ବିକିଥିଲେ, ତାହାର ଗୋଟିଏ କରୁଣ କାହାଣୀ ଆମ୍ଭମାନଙ୍କ ମା’ ଆମ୍ଭମାନଙ୍କୁ ବହୁଦିନ ପର୍ଯ୍ୟନ୍ତ କହୁଥିଲେ । ବାପା ତାଙ୍କ ଜମିବାଡ଼ିକୁ ତିନିଶ ଟଙ୍କାରେ ଜଣେ ଗ୍ରାହକକୁ ବିକିଦେଇ ତାକୁ ଗୋଜା (ତମସୁକ) ଲେଖିଦେଲେ; ମାତ୍ର ଗ୍ରାହକ ତାଙ୍କୁ ପ୍ରଥମେ ଏକଶତ ଟଙ୍କା ଦେଇ ବାକି ଟଙ୍କା ପରେ ଦେବାକୁ ପ୍ରତିଶ୍ରୁତି ଦେଲା ଏବଂ ସେ ସବୁ ଟଙ୍କା ପାଇଛନ୍ତି ବୋଲି କଚେରିରେ ପ୍ରକାଶ କରିବାକୁ ବାପାଙ୍କୁ ଅନୁରୋଧ କଲା । ବାପା ତଦନୁସାରେ ସବୁଟଙ୍କା ପାଇଛନ୍ତି ବୋଲି ହାକିମଙ୍କ ଆଗରେ ପ୍ରକାଶ କଲେ, ମାତ୍ର ବିକ୍ରୀକବଲା ଏହିପରି ଭାବରେ ବଲବତ୍ତର ହେବାପରେ ଗ୍ରାହକ ଆଉ ଦୁଇଶତ ଟଙ୍କା ଦେବାର ନାମ ଧରିଲା ନାହିଁ । ବାପା ଦିନ ପରେ ଦିନ ଚେଷ୍ଟାକରି ସୁଦ୍ଧା ତା ଠାରୁ ଆଉ ଗୋଟିଏ ସୁଦ୍ଧା ଟଙ୍କା ପାଇଲେ ନାହିଁ । ଅବଶେଷରେ ଦିନେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ସେ ତା ଘରକୁ ଗଲେ ଏବଂ ଏକଶତ ଟଙ୍କାରୁ । ତାଙ୍କଠାରେ ଯାହା ବାକି ଥିଲା, ତାହା ତା ଉପରକୁ ଫିଙ୍ଗି ଦେଇ କହିଲେ, ‘‘ନେ, ଏହାକୁ ମଧ୍ୟ ଖାଆ, ବ୍ରହ୍ମସ୍ୱ ଖାଇଲୁ, ନିବଂଶ ହୋଇଯିବୁ ।’’ ସେ ନିର୍ବଂଶ ହେଲା କି ନା, ତାହା ଜଣାଗଲା ନାହଁ; କିନ୍ତୁ ବାପା ନିଃସ୍ୱ ହେଲେ ଏବଂ ସେହି ନିଃସ୍ୱ ଅବସ୍ଥାରେ ଖିଚିଙ୍ଗକୁ ଚାଲିଆସିଲେ ।

 

ଖିଚିଙ୍ଗକୁ ଆସିବାବେଳେ ବାପା ତାଙ୍କ ଅସ୍ଥାବର ସମ୍ପତ୍ତିର ଯେଉଁ ଦୁଇଟି ଭାର ସଙ୍ଗରେ ଆଣିଥିଲେ, ତାହାର ଅଧିକାଂଶ ଥିଲା ତାଳପତ୍ର ପୋଥି । ଦୁଇଟି ବଡ଼ ବଡ଼ କମ୍ଫରେ (ଲମ୍ବାଳିଆ ବାଉଁଶପେଡ଼ିରେ) ଭର୍ତ୍ତି ହୋଇ ସେଗୁଡ଼ିକ ଆମ ଘରେ ବହୁଦିନ ପର୍ଯ୍ୟନ୍ତ ଥିଲା । ପୋଥିଗୁଡ଼ିକ ମଧ୍ୟରେ ଥିଲା ହରିବଂଶ, ଜଗନ୍ନାଥ ଦାସଙ୍କ ଭାଗବତ, ସାରଳା ମହାଭାରତର କେତୋଟି ପର୍ବ, ପ୍ରସ୍ତାବସିନ୍ଧୁ, ଚାଣକ୍ୟ-ଶ୍ଲୋକ, ବହୁପ୍ରକାର ଓଷାବ୍ରତର ପୁସ୍ତକ, କେତେକ ପ୍ରକାର ସ୍ମୃତିଶାସ୍ତ୍ର, ପୂଜା-ବ୍ରତ-ବିବାହ-ଶ୍ରାଦ୍ଧ-ଶୁଦ୍ଧ ଇତ୍ୟାଦି ବହୁବିଧ କର୍ମକର୍ମାଣି ଗ୍ରନ୍ଥମାନ । ଏହି ତାଳପତ୍ରପୋଥିଗୁଡ଼ିକ ଥିଲା ଆମ ଘରର ପ୍ରଧାନ ସମ୍ପତ୍ତି । ସେତେବେଳେ ଖିଚିଙ୍ଗ ଅଞ୍ଚଳରେ ମୁଷ୍ଟିମେୟ ବ୍ରାହ୍ମଣ ପରିବାର ବାସ କରୁଥିଲେ । ଏଣୁ ଜଣେ ବେଦ-ବିଧଜ୍ଞ ବ୍ରାହ୍ମଣ ହିସାବରେ ବାପା ଅତିଶୀଘ୍ର ପ୍ରତିଷ୍ଠାଲାଭ କରିଥିଲେ । ମୟୁରଭଞ୍ଜ ମହାରାଜା ତାଙ୍କୁ ମନ୍ଦିରରେ ପୁଜକ କାର୍ଯ୍ୟରେ ନିଯୁକ୍ତ କଲେ-। ଏହି ମନ୍ଦିରରୁ ସାମାନ୍ୟ ଆୟ, ପାଞ୍ଚମାଣ ଦେବୋତ୍ତର ଜାଏଗିରି ଓ ଯଜମାନମାନଙ୍କଠାରୁ ମିଳୁଥିବା ଆୟରେ ଆମ ପରିବାରଟି ସ୍ଵଚ୍ଛନ୍ଦରେ ଚଳିଯାଉଥିଲା । ଏ ସମସ୍ତ କାର୍ଯ୍ୟରେ ତାଙ୍କ ବଡ଼ପୁଅ ଦୁଇଜଣ ମଧ୍ୟ କ୍ରମଶଃ ତାଙ୍କୁ ସାହାଯ୍ୟ କରିବାକୁ ଲାଗିଲେ । ବାପା ଇଚ୍ଛା କରିଥିଲେ ବହୁ ସମ୍ପତ୍ତିର ଅଧିକାରୀ ହୋଇପାରିଥାନ୍ତେ । ସେ ସମୟରେ ସର୍ବତ୍ର ଅନଧିକୃତ ଜମି ବିସ୍ତୃତ ଭାବରେ ପଡ଼ିରହିଥଲା ଏବଂ ସେସବୁ ଜମିକୁ ଚାଷ କରିବାରେ ବେଶି ବାଧାବିଘ୍ନ ନ ଥିଲା । ତା’ ଛଡ଼ା ଏହି ଆଦିବାସୀବହୁଳ ଅଞ୍ଚଳରେ ଅତି ସହଜ ଓ ଶସ୍ତାରେ ଭୁସମତ୍ତି ବୃଦ୍ଧି କରିବାର ନାନା ପନ୍ଥା ମଧ୍ୟ ପଡ଼ିଥିଲା । ବାପା ସେସବୁ ପନ୍ଥା ଧରି ନ ଥିଲେ ! ପୂଜା ପ୍ରକରଣ ଓ ଯଜନଯାଜନରୁ ଯାହା ମିଳୁଥିଲା, ସେଇଥିରେ ହିଁ ସେ ସନ୍ତୁଷ୍ଟ ରହୁଥିଲେ । ଅନ୍ୟ ଜମିର ଅପହରଣ ଓ ଅନ୍ୟ ବିରୁଦ୍ଧରେ ସାକ୍ଷ୍ୟପ୍ରଦ।ନ–ଏ ଦୁଇଟି କର୍ମ ସେ ଜୀବନରେ କରି ନ ଥିଲେ । ଆମ ବଂଶରେ ଅଦ୍ୟାପି ଏହି ପରମ୍ପରା ରହିଆସିଛି । ଆଦିବାସୀବହୁଳ ଅଞ୍ଚଳରେ ଅବସ୍ଥିତ ଖିଚିଙ୍ଗର ଏକମାତ୍ର ବ୍ରାହ୍ମଣ ପରିବାରର ଭୂସମ୍ପତ୍ତି ଅଦ୍ୟାପି ୫/୭ ମାଣରୁ ଅଧିକ ହୋଇନାହଁ ।

 

ଖିଚିଙ୍ଗର ନବସଂସାରରେ ବାପା ତାଙ୍କ ପରିବାରରେ ଜୀବନତରୀକୁ ଦୁଃଖ-ସୁଖରେ ଏହିପରି ବାହି ନେଉଥିବାବେଳେ ମୋର ୫/୬ ବର୍ଷ ବୟସରେ ହଠାତ୍‍ ଗୋଟିଏ ଘଟନା ଘଟିଲା, ଯାହା କି ଏହି ତରୀକୁ ସମ୍ପୂର୍ଣ୍ଣ ଟଳମଳ କରିଦେଇଥିଲା । ଖିଚିଙ୍ଗ ଓ ତାହାର ସନ୍ନିକଟ ଅଞ୍ଚଳରେ ରହୁଥିଲେ ଭୂୟା, ଗଣ୍ଡ, ପୁରାଣ, କନ୍ଦ, କୋହ୍ଲ, ଭୂମିଜ, ସାଉଁତି, ବାଥୁଡ଼ି, ଗଉଡ଼ ଓ ତେଲିଜାତୀୟ ଲୋକ । ଏମାନଙ୍କ ମଧ୍ୟରେ ତେଲିମାନେ ସ୍ୱଚ୍ଛଳ ଓ ସଦାଚାରସମ୍ପନ୍ନ ଥିଲେ; ମାତ୍ର ସେମାନଙ୍କ ଘରେ ବ୍ରାହ୍ମଣମାନେ ପୌରୋହିତ୍ୟ କରୁଥିଲେ ହେଁ ସେମାନଙ୍କଠାରୁ ଜଳପାନ କରୁ ନଥିଲେ । ଭୂୟାଁ, ବାଥୁଡ଼ି ଓ ସାଉଁତିମାନେ ଆଦିବାସୀଶ୍ରେଣୀୟ ଥିଲେ ହେଁ ବ୍ରାହ୍ମଣମାନେ ସେମାନଙ୍କ ଘରେ ପୌରୋହିତ୍ୟ କରି ସେମାନଙ୍କଠାରୁ ଜଳପାନ ମଧ୍ୟ କରୁଥିଲେ । ବ୍ରାହ୍ମଣମାନେ ଏହି ଅଞ୍ଚଳକୁ ଆସିବା ପୂର୍ବରୁ ଏହି ଉପଜାତିମାନେ ଏ ଅଞ୍ଚଳର ଭୂସ୍ୱାମୀ (ଜମିଦାର) ଥିବା ସେମାନେ ବ୍ରାହ୍ମଣଙ୍କ ଠାରୁ ଏ ସୁବିଧା ବଳପୂର୍ବକ ଆଦାୟ କରୁଥିଲେ । ସେମାନେ ଯେଉଁ ଉପାୟରେ ଏ ସୁବିଧା ହାସଲ କରିଥିଲେ, ସେ ସମ୍ୱନ୍ଧରେ ମୋର ବାଲ୍ୟକାଳ ପର୍ଯ୍ୟନ୍ତ କିମ୍ବଦନ୍ତୀ ପ୍ରଚଳିତ ଥିଲା । ଏ ଅଞ୍ଚଳକୁ ଆସିଥିବା ବ୍ରାହ୍ମଣମାନଙ୍କ ମଧ୍ୟରୁ ଯେଉଁମାନେ ଏମାନଙ୍କ ଘରେ ପୌରୋହିତ୍ୟ ଓ ଜଳପାନ କରିବାକୁ ଅସମ୍ମତ ହେଉଥିଲେ, ଏହି ଉପଜାତିମାନେ ସେମାନଙ୍କୁ ଗଛରେ ବାନ୍ଧିଦେଇ ଓ ସେମାନଙ୍କର ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ବର (ପାଳଦଉଡ଼ି) ଗୁଡ଼ାଇଦେଇ ସେଥିରେ ଟିକିଏ ନିଆଁ ଲଗାଇ ଦେଉଥିଲେ । ଏହି ଉପାୟରେ ଦୁଇ ଚାରିଜଣ ବ୍ରାହ୍ମଣଙ୍କୁ ବଧକରିବା ପରେ ବ୍ରାହ୍ମଣମାନେ ଏମାନଙ୍କ ଘରେ ପୌରୋହିତ୍ୟ ଓ ଜଳପାନ କରିବାକୁ ସ୍ୱୀକୃତ ହୋଇଥିଲେ ।

 

ତେଲିଭାଇମାନଙ୍କ ହାତରେ ଏପରି ରାଜଶକ୍ତି ନ ଥିଲା । ଏମାନେ ଯେତେ ସଦାଚାର ସମ୍ପନ୍ନ ହେଲେ ହେଁ ବ୍ରାହ୍ମଣମାନେ ଏମାନଙ୍କ ହାତରୁ ଜଳପାନ କରୁ ନ ଥିଲେ । ଏଣୁ ଏମାନେ ୧୯୧୪ କିମ୍ୱା ୧୯୧୫ ମସିହାରେ ଜଲଚଲନ ହେବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ । ଏହି ସମୟରେ ମୟୁରଭଞ୍ଜର ଧର୍ମ-ବିଭାଗ ମହାରାଜାଙ୍କ ଖୁଡୁତା ରାଉତରାୟ ସାହେବଙ୍କ ହାତରେ ଥିଲା । ତେଲିଭାଇମାନେ ତାଙ୍କ ପାଖକୁ ଯାଇ ଜଲଚଲନ ହେବା ପାଇଁ ତାଙ୍କ ପାଖରୁ ଅନୁମତି ଆଣିଲେ, ମାତ୍ର ବ୍ରାହ୍ମଣମାନଙ୍କ ସମ୍ମତି ବିନା ଏ ଅନୁମତିର ମୂଲ୍ୟ ନ ଥିଲା । ଏଣୁ ଗୋଟିଏ ବ୍ରାହ୍ମଣସଭା ବସିଲା ଓ ସେଥିରେ ଆଖପାଖ ଅଞ୍ଚଳର ସମସ୍ତ ବ୍ରାହ୍ମଣ ଯୋଗଦେଲେ । ବ୍ରାହ୍ମଣମାନେ ତେଲିମାନଙ୍କ ହାତରୁ ଜଳପାନ ସିନା କରୁ ନ ଥିଲେ, କିନ୍ତୁ ସେମାନଙ୍କ ପ୍ରଦତ୍ତ ସମସ୍ତ ଖାଦ୍ୟଦ୍ରବ୍ୟର ସତ୍‍ବ୍ୟବହାର କରୁଥଲେ । ଭୋଜି ହେଲା, ସଭା ବସିଲା, ବ୍ରାହ୍ମଣମାନେ ବଡ଼ପାଟିରେ ତର୍କବିତର୍କ କରୁଥିଲେ, ଶ୍ଳୋକ ପଢ଼ିଲେ, ମାତ୍ର ଶେଷରେ ନିଷ୍ପତ୍ତି ହେଲା ଯେ ତେଲିମାନଙ୍କ ହାତରୁ ଜଳପାନ କରିବା ଶାସ୍ତ୍ର-ବିରୁଦ୍ଧ; ଏଣୁ ବ୍ରାହ୍ମଣମାନେ ସେମାନଙ୍କଠାରୁ ଜଳପାନ କରିବେ ନାହଁ । ଏହି ନିଷ୍ପତ୍ତିର ବିରୁଦ୍ଧାଚରଣ କରିଥଲେ କେବଳ ଆମର ବାପା । ତାଙ୍କର ଯୁକ୍ତି କଅଣ ଥିଲା, ତାହା କହିବା ମୋ ପକ୍ଷରେ ସମ୍ଭବପର ନୁହେଁ; କିନ୍ତୁ ମସ୍ତକରେ ଗୋଷ୍ପଦ ପରି କେଶଗୁଚ୍ଛ, ଲଲାଟରେ ଭକ୍ତିଚନ୍ଦନ ଚିତା, କାନ୍ଧରେ ଗାମୁଁଛା, ହାତରେ ଖଣ୍ଡେ ବାଉଁଶବାଡ଼ି ବହନ କରି ସଭା ମଧ୍ୟରେ ସେ ବହୁ ରାତ୍ରି ପର୍ଯ୍ୟନ୍ତ ବସିରହି ତାଙ୍କର ଯୁକ୍ତିରେ ଅଟଳ ରହିଥିବାର ଅସ୍ପଷ୍ଟ ଦୃଶ୍ୟ ଅଦ୍ୟାପି ମୋର ମନେପଡ଼ୁଛି । ପରେ ଜାଣିଲି ଯେ ତାଙ୍କ ଯୁକ୍ତି ଥିଲା, “କଲୌ ପାରଶରସ୍ମୃତି”, ଅର୍ଥାତ୍ କଳିଯୁଗରେ ପରାଶର ସଂହିତା ଅନୁସାରେ ହଁ ସମସ୍ତ ବିଧି -ବିଧାନ ସ୍ଥିରୀକୃତ ହେବା ଉଚିତ । ତେଲିମାନଙ୍କ ବିରୁଦ୍ଧରେ ଏ ସଂହିତାରେ କିଛି ନାହଁ; ଏଣୁ ଏମାନଙ୍କ ହାତରୁ ଜଳପାନ କରିବା ଅଶାସ୍ତ୍ରୀୟ ନୁହେଁ । ବାପାଙ୍କ ଏ ଯୁକ୍ତିକୁ ବ୍ରାହ୍ମଣମାନେ ଗ୍ରହଣ କଲେ ନାହିଁ, ବରଞ୍ଚ ସଭା ପରେ ବହୁଦିନ ପର୍ଯ୍ୟନ୍ତ ସେମାନେ କହି ବୁଲିଲେ–

 

‘‘ଖଇ ଗୋଟି ଗୋଟି ଧନ ଗୋଟି ଗୋଟି ବାଛୁ ବାଛୁ ଦିନ ସରଲା,

ତେଲି ଯଜମାନମାନଙ୍କୁ କହିବ ଯାଇ ତାଙ୍କ ପାଣିଚଳ କଥା ନୋହିଲା ।”

 

ବାପା କିନ୍ତୁ ତାଙ୍କ ନିଷ୍ପତ୍ତିରେ ଅଟଳ ରହି ଜଳପାନ କରିବା ପାଇଁ ତେଲିମାନଙ୍କୁ ପ୍ରତିଶ୍ରୂତି ଦେଲେ । ସେହି ଅନୁସାରେ ଖିଚିଙ୍ଗର ଠାକୁରାଣୀ ମନ୍ଦିରରେ ଗୋଟିଏ ଉତ୍ସବର ଆୟୋଜନ କରାଗଲା ଏବଂ ସେଥିରେ ବହୁସଂଖ୍ୟକ ତେଲିଭାଇ ଯୋଗଦେଲେ । ସେମାନଙ୍କ ହର୍ଷଧ୍ୱନି ଏବଂ ବାଦ୍ୟ-ଘଣ୍ଟା-ଶଙ୍ଖଧ୍ୱନି ମଧ୍ୟରେ ବାପା ସର୍ବଜାତିସମକ୍ଷରେ ସେମାନଙ୍କ ହାତରୁ ଜଲପାନ କଲେ ।

 

ଏହି ଘଟନା ଆମ ପରିବାରର ପରିସ୍ଥତିକୁ ଦୋହଲାଇ ଦେଇଥିଲା । ମା କାନ୍ଦି କାନ୍ଦି କହିଲେ ଯେ ବାପା ଅଜାତିଆ ହୋଇଗଲେ, ଏଣୁ ପିଲାମାନେ ଭାସିଯିବେ । ତାଙ୍କର ଏହି ଆଶଙ୍କା ଯେ ଅମୂଳକ ନ ଥିଲା, ତାହା ପରେ ପ୍ରମାଣିତ ହେଲା । ଏହି ଘଟଣା ପରେ ପରେ ବ୍ରାହ୍ମଣମାନେ ଆମ ପରିବାର ସହିତ ସର୍ବବିଧ ସମ୍ପର୍କ ଛିନ୍ନ କଲେ ଓ ତେଲିମାନଙ୍କ ଛଡ଼ା ଅନ୍ୟଜାତିମାନେ ପୁରୋହିତ ପଦରେ ବରଣ କଲେ ନାହିଁ । ଆମ ନିଜ ଘରେ ତାଙ୍କ ଉପସ୍ଥିତ ଜଟିଳତା ସୃଷ୍ଟି କରୁଥିବାର ଜାଣି; ବାପା ଆମ ଗାଁଠାରୁ, ଦୁଇମାଇଲ ଦୂରରେ ଥିବା କଖାରୁପନା ନାମକ ଗ୍ରାମରେ ଗୋଟିଏ ଛୁଟିର ନର୍ମାଣ କରି ଏକୁଟିଆ ସେଠାରେ ରହିଲେ । ମୋର ମନେପଡ଼ୁଛି ଯେ ଏହି କୁଟୀରର କାନ୍ଥରେ ସେ ଖଡ଼ିରେ ବହୁ ଶ୍ଳୋକ ଲେଖୁଥିଲେ ଓ ସେଗୁଡ଼ିକୁ ମୁଖସ୍ଥ କରୁଥିଲେ । ମରିବା ପର୍ଯ୍ୟନ୍ତ ଶ୍ଲୋକ ମୁଖସ୍ଥ କରିବା ତାଙ୍କର ଗୋଟିଏ କାମ ଥିଲା । ଶ୍ଳୋକଗୁଡ଼ିକର ମର୍ମ ମୁଁ ବୁଝି ନ ଥିଲି, କିନ୍ତୁ କୁଟୀରର ଭିତର ଓ ବାହାର କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା ‘‘କଲୌପାରଶରସ୍ମୃତିଃ’’ ମୋର ମନେପଡ଼ୁଛି । ସେ ଯେ କୌଣସି ଅଶାସ୍ତ୍ରୀୟ କାର୍ଯ୍ୟ କରି ନ ଥିଲେ, ଏହି କଥାଟାକୁ ଦୃଢ଼ଭାବରେ ଘୋଷଣା କରିବାକୁ ବୋଧହୁଏ ସେ ଏପରି ଲେଖିଥିଲେ ।

 

କିନ୍ତୁ ବାପାଙ୍କୁ ଏ ସମ୍ବନ୍ଧୀୟ ଧର୍ମମତ ଏ ଅଞ୍ଚଳର କୌଣସି ଜାତି ମାନି ନ ଥିଲେ । ଫଲତଃ ଆମ ବଂଶ ସମାଜରେ ନିନ୍ଦିତ ଓ ଘୃଣିତ ହେବାକୁ ଲଗିଲା । ଆମ୍ଭେମାନେ ଯେଉଁ ଆଡ଼େ ଗଲେ ଶୁଣିଲୁଁ ଯେ ଆମ୍ଭେମାନେ ‘‘ତେଲିବିଟାଳିଆ” । ବ୍ରାହ୍ମଣମାନେ ତୀବ୍ର, ପ୍ରତିକ୍ରିୟା ପ୍ରକାଶ କରି ଆମ ଘରେ ପୌରୋହିତ୍ୟ, ଜଳପାନ, ଭୋଜନ ଇତ୍ୟାଦି ସମସ୍ତ ପ୍ରକାର ସମ୍ପର୍କ କାଟିଦେଲେ । ବନ୍ଧୁ ବାନ୍ଧବମାନେ ନିମିତ୍ତକାର୍ଯ୍ୟରେ ଆଉ ଆମ୍ଭମାନଙ୍କୁ ନିମନ୍ତ୍ରଣ କଲେ ନାହିଁ । ଆମ ଘରକୁ କନ୍ୟାଦାନ କରିବା ପାଇଁ କୌଣସି ବ୍ରାହ୍ମଣ ପ୍ରସ୍ତୁତ ହେଲେ ନାହିଁ । ଏ ଘଟଣା ପୂର୍ବରୁ ପିତାଙ୍କ ପ୍ରଥମ ପୁତ୍ର ଓ କନ୍ୟା ଦୁଇଟିର ବିବାହ ହୋଇ ଯାଇଥିଲା, ମାତ୍ର ବାସନ୍ଦ ହେତୁ ଅନ୍ୟ ପୁତ୍ରମାନଙ୍କ ବିବାହ ବହୁ ବର୍ଷ ପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ରହି ଶେଷରେ ନାନା ଦୁଃଖକଷ୍ଟ ଓ ଅନ୍ତରାୟ ମଧ୍ୟରେ ସମାହିତ ହୋଇଥିଲା । ଏ ସମୟର ଆମ୍ଭମାନଙ୍କୁ ଲଞ୍ଛନା ମନେପଡ଼ିଲେ ଆଜି ସୁଦ୍ଧା ମୋର ଚକ୍ଷୂ, ଲୋତକପୂର୍ଣ୍ଣ ହୋଇଉଠେ । ବ୍ରାହ୍ମଣମାନଙ୍କୁ ଘରେ ଓ ଯଜମାନମାନଙ୍କ ଘରେ ଯେଉଁ ଭୋଜି ହେଉଥିଲା, ସେହି ଭୋଜିମାନଙ୍କରେ ଧାଡ଼ିମୁଣ୍ଡର ଦଶହାତ ଦୂରରେ ଆମ୍ଭମାନଙ୍କ ପାଇଁ ସ୍ଥାନ କରାଯାଉଥିଲା । ଏ ଲାଞ୍ଛନାରେ ମୋର କୋମଳ ଓ ବିଦ୍ରୋହୀ ମନ କାନ୍ଦିଉଠିଥିଲା ।

 

ନିଜର ଓ ପୁତ୍ରକନ୍ୟାମାନଙ୍କ ଏହି ଲାଞ୍ଚିନା ମଧ୍ୟରେ ହିଁ ପିତା ମୋର ଦଶବର୍ଷ ବୟସରେ ୧୯୧୯ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ । ତାଙ୍କ ମୃତ୍ୟୁର କେତେ ମାସ ପୂର୍ବରୁ ତାଙ୍କ ଜ୍ୟେଷ୍ଠପୁତ୍ର ଗୋବିନ୍ଦ ୧୯୧୯ର ମହାମାରୀ ‘‘ହେମିଜର” (War Influenza)ରେ ପ୍ରାଣତ୍ୟାଗ କରିଥିଲେ । ପିତାଙ୍କ ମୃତ୍ୟୁ ପୂର୍ବରୁ ମାନବିକତା ଦୃଷ୍ଟିରୁ ତାଙ୍କୁ ତାଙ୍କ ନିଜ ଘର ଖିଚିଙ୍ଗକୁ ଅଣାଯାଇଥିଲା ଓ ସେହିଠାରେ ହିଁ ସେ ଶେଷନିଃଶ୍ୱାସ ତ୍ୟାଗକଲେ । ଆମ ଭାଇମାନଙ୍କ ଛଡ଼ା ଅନ୍ୟ କେହି ବ୍ରାହ୍ମଣ ତାଙ୍କ ଶବାଧାରରେ କାନ୍ଧ ଦେଇ ନ ଥିଲେ । ପତିତର ଶବକୁ ଛୁଇଁବ କିଏ ? ତାଙ୍କର ମୃତ୍ୟୁପରେ ସୁଦ୍ଧା ନିର୍ଦ୍ଦୟ ବ୍ରାହ୍ମଣସମାଜ ଆମ୍ଭମାନଙ୍କ ଉପରେ ନିଷ୍ଠୁର ପ୍ରତିଶୋଧ ନେଇଥିଲା । ବ୍ରାହ୍ମଣ ଅଭାବରୁ ଠିକ ସମୟରେ ବାପାଙ୍କର ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇପାରିଲା ନାହଁ । ମୋର ଯେତେଦୂର ମନେପଡ଼ୁଛି, ତାଙ୍କ ମୃତ୍ୟୁର ଦୁଇମାସ ପରେ ହିଁ ତାଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇଥିଲା । ଆମ୍ଭେମାନେ ପ୍ରାୟଶ୍ଚିତ କରି ‘‘ଶୁଦ୍ଧ’’ ହେବା ପାଇଁ ଚେଷ୍ଟାକଲେ ମଧ୍ୟ ଆମ୍ଭମାନଙ୍କୁ ବ୍ରହ୍ମାମାନେ ବିଧିପତ୍ର ଦେଲେ ନାହିଁ । ସେତେବେଳେ ସେ ଅଞ୍ଚଳର ବ୍ରହ୍ମା ଥିଲେ ରରୁଆଁ ନିବାସୀ ନୀଲାମ୍ବର ପାଣିଗ୍ରାହୀ ଏବଂ କେଉଁଝରର ବ୍ରହ୍ମା ଥିଲେ କାଳିନ୍ଦୀ ଚରଣ ଦାଶ । ମୋର ଜ୍ୟେଷ୍ଠଭ୍ରାତା ଗୋପୀନାଥନନା ଉଭୟଙ୍କ ପାଖକୁ ଯାଇ ବହୁ କାକୁତିମିନତି କଲେ ମଧ୍ୟ ବିଧିପତ୍ର ପାଇଲେ ନାହିଁ-। ବିଧିପତ୍ର ନ ଦେବାର କାରଣ ଦର୍ଶାଇ ସେମାନେ କହିଲେ ଯେ ତେଲିଯଜମାନମାନେ ମୟୁରଭଞ୍ଜ ମହାରାଜାଙ୍କ ଖୁଡୁତାଙ୍କଠାରୁ ଜଲଚଲନ ହେବା ପାଇଁ ଅନୁମତି ଆଣିଥିବାରୁ ସେମାନଙ୍କୁ ହାତରୁ ଜଳପାନ କରିଥିବା ବ୍ୟକ୍ତିର ପ୍ରାୟଶ୍ଚିତ ବିଧାନ କଲେ, ତାହା ସରକାରବିରୋଧୀ କାର୍ଯ୍ୟ ହେବ । ପ୍ରାୟଶ୍ଚିତ୍ତ କରିବାର ବିଧାନ ନ ମିଳିବାରୁ ସମଗ୍ର ପରିବାରଟି ଅଶୌଚର ସମସ୍ତ ଦୁଃଖ ଓ ଚିହ୍ନ ବହନ କରି ଦୁଇମାସ ପର୍ଯ୍ୟନ୍ତ ଦଗ୍‍ଧ ହେଲା । ଅବଶେଷରେ ଢେଙ୍କାନାଳର ଜଣେ ଭିକ୍ଷୁକ ବ୍ରାହ୍ମଣ ଦେବଦୂତ ପରି ଆମ ଘରେ ଆସି ପହଞ୍ଚିଲେ । ତାଙ୍କରି ସାହାଯ୍ୟରେ ଶୁଦ୍ଧ ହୋଇ ଆମ୍ଭେମାନେ ପିତାଙ୍କର ପ୍ରେତକୃତ୍ୟ ସମାପନ କଲୁଁ ।

 

ଏହି ଘଟନା ମୋର ବାଲ୍ୟହୃଦୟକୁ ଗଭୀର ଭାବରେ ଆଘାତ କରିଥିଲା । ମୁଁ ସେତେବେଳେ ଭାବୁଥିଲି ଯେ ବାପା ହୁଏ ତ କୌଣସି ଅକ୍ଷମଣୀୟ ଦୋଷ କରିଥିଲେ, ଏବଂ ସେଥିପାଇଁ ବ୍ରାହ୍ମଣସମାଜ ଆମ ଉପରେ ଏପରି ନିଷ୍ଠୁର ପ୍ରତିଶୋଧ ନେଲା । କିନ୍ତୁ ମୁଁ ଆଜି ଭାବୁଛି ଯେ ଏ ଅଞ୍ଚଳର ତତ୍‍କାଳୀନ ପଙ୍ଗୁସମାଜର ଜନଗଣ ମଧ୍ୟରେ ସେ ଜଣେ ଅଗ୍ରଗାମୀ ବ୍ୟକ୍ତି ଥିଲେ-। ହିନ୍ଦୁଧର୍ମର ରକ୍ଷଣଶୀଲତା ଓ ଶାସ୍ତ୍ରବିଧିର ଗଣ୍ଡି ଭିତରେ ରହି ମଧ୍ୟ ବ୍ରାହ୍ମଣମାନେ ଅନ୍ୟ ଜାତିମାନଙ୍କୁ ଯେତିକି ସାହାଯ୍ୟ କରିବାର କଥା, ମୋର ପିତା ତାହା କରିଥିଲେ । ନିଜ ମତ ଓ ବିଶ୍ୱାସରେ ଅଟଳ ରହି ସେ ଅସୀମ ଦୁଃଖ ଓ ଲାଞ୍ଚନା ଭୋଗିଥିଲେ ଓ ନିଜ ପରିବାରକୁ ମଧ୍ୟ ଭୋଗାଇଥିଲେ । ମୋର ପିତା ଯଦି ଆଜିଯାଏ ବଞ୍ଚିଥାନ୍ତେ, ତେବେ ସେ ଦେଖି ସନ୍ତୋଷଲାଭ କରିଥାନ୍ତେ ଯେ ଆଜି ଏ ଅଞ୍ଚଳର ଅଧିକାଂଶ ହୋଟେଲ ଓ ଗୁଡ଼ିଆଦୋକାନ ତେଲିଭାଇମାନଙ୍କ ଦ୍ୱାରା ହିଁ ପରିଚାଳିତ ହେଉଛି ଏବଂ ବ୍ରାହ୍ମଣମାନେ ଏମାନଙ୍କ ହାତରୁ ଜଳ, ମିଷ୍ଟାନ୍ନ, ଏପରି କି ଅନ୍ନ ପର୍ଯ୍ୟନ୍ତ ଖାଉଛନ୍ତି । ମୋର ପିତା ଅତ୍ୟନ୍ତ ସତ୍ୟବାଦୀ ଥିଲେ ଓ ମିଥ୍ୟାକୁ ଅତ୍ୟନ୍ତ ଘୃଣା କରୁଥିଲେ-। ଆମ୍ଭମାନଙ୍କ ସମସ୍ତ ଦୋଷକୁ ସେ ମାର୍ଜନା କରୁଥିଲେ ହେଁ ମିଥ୍ୟା କହିବା ଦୋଷକୁ ସେ କଦାପି ମାର୍ଜନା କରୁ ନ ଥିଲେ । ସେ ନିଜ ନିଷ୍ପତ୍ତିରେ ଅଟଳ ରହୁଥିଲେ । ଏହି ହେତୁ ଶେଷଜୀବନରେ ସେ ଅସୀମ ଦୁଃଖ ଭୋଗକରି ପ୍ରାଣତ୍ୟାଗ କଲେ ।

 

ମୋର ବାଳ୍ୟସମୟର ଅନ୍ୟ ଏକ ଘଟନା ମଧ୍ୟ ମୋ ହୃଦୟରେ ଗଭୀର ରେଖାପାତ କରିଥିଲେ । ତାହା ହେଉଛି ୧୯୯୯ର ‘‘ହେମିଜର’’ ବା War Influenza ପ୍ରଥମ ବିଶ୍ୱଯୁଦ୍ଧର ନରମେଧ ଯଜ୍ଞରେ ପୂର୍ଣ୍ଣାହୁତି ପଡ଼ିବା ପରେ ପରେ ଏହି ମହାମାରୀ ପୃଥିବୀରେ ବ୍ୟାପି ଯାଇଥିଲା-। ଆମ ଅଞ୍ଚଳର ଲୋକେ କୌଣସି ପ୍ରକାର ମହାମାରୀର ଭୟାବହ ଚିତ୍ର ଦେଖି ନ ଥିଲେ । ସଭ୍ୟଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଏ ଅଞ୍ଚଳରେ ହଇଜା, ବସନ୍ତ, ମେଲେରିଆ ଇତ୍ୟାଦି ମହାମାରୀ ମଧ୍ୟ ଅଜ୍ଞାତ ଥିଲା । ଏଣୁ ହେମିଜର ଯେତେବେଳେ ମାର୍ଗଶୀର-ପୌଷମାସରେ ମହାମାରୀଙ୍କ ଆକାରରେ ଏ ଅଞ୍ଚଳରେ ପ୍ରବେଶ କଲା, ସେତେବେଳେ ଲୋକେ ନିତାନ୍ତ ନିରାଶ୍ରୟ ହୋଇପଡ଼ିଲେ । ଏ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୁଏ ଏବଂ ଏଠାରେ ଚିକିତ୍ସାର କୌଣସି ବ୍ୟବସ୍ଥା ନ ଥିଲା । ଏଣୁ ମହାମାରୀରେ ଯେଉଁମାନେ ଆକ୍ରାନ୍ତ ହେଲେ, ସେମାନଙ୍କ ମୃତ୍ୟୁ ଅନିବାର୍ଯ୍ୟ ହୋଇଉଠିଲା । ଏ ରୋଗରେ କେତେ ଜଣ ମଲେ, ତାହାର ହିସାବ ମୋତେ ଜଣାନାହଁ ତେବେ ପରେ ସମସ୍ତେ କହୁଥିଲେ ଯେ ଗ୍ରାମମାନଙ୍କରୁ ଏକ-ତୃତୀୟାଂଶ ଲୋକ ଏଥିରେ ପ୍ରାଣ ହରାଇଥଲେ । ବୃଦ୍ଧ, ଯୁବା, ଶିଶୁ, ବାଳକ, ବନିତା ସମସ୍ତେ ମହାନିଦ୍ରାରେ ଆଖି ବୁଜିଲେ । ସର୍ବ ସମୟରେ କ୍ରନ୍ଦନରୋଳରେ ଗ୍ରାମଟି ଉଛୁଳି ଉଠୁଥିଲା । ଏତେବେଶି ମୃତଦେହକୁ ନଦୀ ପର୍ଯ୍ୟନ୍ତ ନେଇ ସତ୍କାର କରିବାର ନୈତିକ ଓ ଭୌତିକ ଶକ୍ତି ଗ୍ରାମବାସୀମାନଙ୍କର ନ ଥିଲା । ଗ୍ରାମର ଅତ୍ୟଳ୍ପ ଦୂରରେ ଥିବା ଆମ୍ରକୁଞ୍ଜ ଓ ବିରାଟଗଡ଼ରେ ଶବମାନ କୁଢ଼ କୁଢ଼ ହୋଇ ପଡ଼ିବାକୁ ଲାଗିଲେ-। ଶ୍ୱାନ-ଶୃଗାଳର ବିକଟ ସ୍ଵନ ଓ ଫେରବର ଭୈରବ ଡାକରେ ରଜନୀ ବିଭୀଷିକାମୟୀ ହେଲା । ମୁଁ ଭୂଭାରତର ବହୁସ୍ଥାନ ଭ୍ରମି ଭ୍ରମି ଆସିଛି, କିନ୍ତୁ କୌଣସିଠାରେ ମୋତେ ଭୂତର ଭୟ ସ୍ପର୍ଶ କରିନାହିଁ । ମାତ୍ର ଶୈଶବର ଏ ସମୟର ଭୂତଭୟ ମୋର ହୃଦୟରେ ଅଦ୍ୟାପି ଲାଗି ରହିଥିବାରୁ ଖିଚିଙ୍ଗ ଗଲେ ଅନ୍ଧାର ରାତିରେ ମୋ ହୃଦୟରେ ଭୂତଭୟ ଜାଗ୍ରତ ହୋଇଉଠେ ।

 

ବହୁଲୋକକୁ ମାରି ମହାମାରୀ ଚାଲିଗଲା । ବିଧବା ପତ୍ନୀ ଓ ଚାରୋଟି ଶିଶୁସମ୍ମାନକୁ ଛାଡ଼ି ମୋର ସବା ବଡ଼ଭାଇ ଗୋବିନ୍ଦନନା ମଧ୍ୟ ବତିଶ ବର୍ଷ ବୟସରେ ଏମାନଙ୍କ ସଙ୍ଗରେ ଚାଲିଗଲେ । ବଡ଼ନନାଙ୍କ ମୃତ୍ୟୁର ଦୁଇମାସ ପରେ ଚାପା ଶେଷନିଃଶ୍ୱାସ ତ୍ୟାଗକଲେ । ଆମ ପରିବାରଟି ତରାଇ-ବିହୀନ ତରୀ ପରି ଟଲମଲ ହେଲା ଓ ଅବର୍ଣ୍ଣନୀୟ ଦୈନ୍ୟରେ ଅଭିଭୂତ ହୋଇପଡ଼ିଲା । ମୋର ଦଶବର୍ଷ ବୟସ ବେଳକୁ ମୁଁ ବହୁ ଦୁର୍ଘଟନାର ସମ୍ମୁଖୀନ ହୋଇ ସୁଦ୍ଧା ବଞ୍ଚିରହିଥିଲି । ଗ୍ରାମର ଅଶ୍ୱତ୍‍ଥ ଗଛର ଚେରରେ ଗୋଡ଼ ଛନ୍ଦି ହୋଇ ପଡ଼ିଯିବାରୁ ମୋର ଦୁଧଦାନ୍ତ ମଧ୍ୟରୁ ଛାମୁଦାନ୍ତ ଦୁଇଟି ଭାଙ୍ଗି ଯାଇଥିଲା । ଜଣେ ଭୂମିଜ ପିଲା ମୋ ପେଟରେ ଗୋଟିଏ ଲୁହାର ‘‘ସୂତୀକାଣ୍ଡ’’ ବିନ୍ଧି ଦେଇଥଲା । * ଆମ ଘରର ଘୋଡ଼ୀଟିର ଛୁଆକୁ ମୁଁ ଘେନିଆସିବାର ଚେଷ୍ଟା କଲାବେଳେ ଘୋଡ଼ୀଟି ଦାନ୍ତଦ୍ୱାରା ମୋର ଉପର ଓଠକୁ ଆଘାତ କରିଥିଲା । ପଣିସାସାଇର ଗୋଟିଏ ପୋଷାମୟୁର ଗଛ ଉପରୁ ଉଡ଼ି ଆସି ମୋ ଛାତି ଉପରେ ବସି ଚଞ୍ଚୁରେ ମୋର ଡାହାଣ ନାକପୁଡ଼ାକୁ କଣା କରିଦେଲା । ଘୋଡ଼ାକାମୁଡ଼ା ଓ ମୟୁର କାମୁଡ଼ାର ଚିହ୍ନ ମୁଁ ଅଦ୍ୟାପି ମୁହଁରେ ବହିଛି । ପୁଷ୍ଟିସାର ଖାଦ୍ୟ ଅଭାବରୁ ଶୈଶବରେ ଥରେ ‘‘ଅନ୍ଧାରକଣା” ହୋଇଯିବାରୁ ଜଳ ଓ ଖଣାରେ ଏକାଧିକ ଥର ପଡ଼ି ମୃତ୍ୟୁମୁଖରୁ ରକ୍ଷାପାଇଥିଲି । ଏସବୁ ଘଟନାରୁ ଅନୁମିତ ହେବ ଯେ ମୋର ଜୀବନ-ପ୍ରଭାତ ବାଳ-କିରଣରେ ସମୁଜ୍ୱଳ ନ ହୋଇ ମେଘାଚ୍ଛନ୍ନ ପ୍ରଭାତ ପରି ତମସାଚ୍ଛନ୍ନ ଥିଲା ।

 

* ମୋର ବାଳ୍ୟକାଳରେ ଆମ ଅଞ୍ଚଳର ଆଦିବାସୀମାନେ ଚାରି ପ୍ରକାର କାଣ୍ଡ ବ୍ୟବହାର କରୁଥିଲେ । (୧) ସୁତୀକାଣ୍ଡ–ଏହା ମୁଣ୍ଡରେ ମୋଟା ଛୁଞ୍ଚି ପରି ଗୋଟିଏ ମୁନିଆଁ ଲୁହାକଣ୍ଟା ଲଗୁଥିଲା । (୨) ଖୋପିକାଣ୍ଡ–ଏହା ମୁଣ୍ଡରେ ଖୋପ ପରି ଚାରୋଟି ଲୁହାକଣ୍ଟା ଲାଗୁଥିଲା । (୩) ଚିଆଲକାଣ୍ଡ–ଏହା ମୁଣ୍ଡରେ ବର୍ଚ୍ଛା ମୁଣ୍ଡର ଲୁହା ପରି ଖଣ୍ଡିଏ ପତ୍ରାକାର ଲୁହା ଲାଗୁଥିଲା । (୪) ବିଟାକାଣ୍ଡ–ଏହା ମୁଣ୍ଡରେ ଖଣ୍ଡିଏ ବାଉଁଶ ଲାଗୁଥିଲା ।

Image

 

Unknown

ଦ୍ୱିତୀୟ ପରିଚ୍ଛେଦ

ଅବାଞ୍ଚିତର ଆତ୍ମସମ୍ମାନ

 

ଏହି ଭ୍ରାମ୍ୟମାଣ ଉଦାସୀନ ଧରଣୀର ଦଶଟି ବାର୍ଷିକ ଗତି ମଧ୍ୟରେ କଥଞ୍ଚିତ୍ ବଞ୍ଚି ରହିବା ପରେ ଦେହ ଓ ମନରେ ଜୀବନଯୁଦ୍ଧର ବହୁ ଦାଗ ବହନ କରି ଯେତେବେଳେ ମୁଁ ଏକାଦଶ ବର୍ଷର ଶେଷରେ ପହଞ୍ଚିଲି, ସେତେବେଳେ ମୋର ବାଲ୍ୟଶିକ୍ଷାର ପରିସମାପ୍ତି ଘଟିଯାଇଥିଲା । ପାଞ୍ଚବର୍ଷରୁ ଏଗାର ବର୍ଷ ପର୍ଯ୍ୟନ୍ତ ଦୀର୍ଘ ଛଅବର୍ଷକାଳ ପାଠଶାଳାମାନଙ୍କରେ ପଢ଼ିଥିଲେ ମଧ୍ୟ ମୁଁ ନିମ୍ନ ପ୍ରାଇମେରୀ ପାଶ୍ କରିପାରି ନ ଥିଲି । ଏହାର କାରଣ ଏହି ଯେ, ପାଠଶାଳାଗୁଡ଼ିକ ଯେପରି ଅଳ୍ପକ୍ଷଣସ୍ଥାୟୀ ଥିଲା, ମୋର ପାଠପଢ଼ା ମଧ୍ୟ ସେହିପରି ଅଳ୍ପ କ୍ଷଣସ୍ଥାୟୀ ଥିଲା, ଆମ ଗାଁରେ ଓ ଆଖପାଖ ଅଞ୍ଚଳରେ ସେତେବେଲେ ନିମ୍ନ ପ୍ରାଇମେରୀ ଠାରୁ ଅଧିକ ପାଠ ପଢ଼ିଥିବା ବ୍ୟକ୍ତି ଅତ୍ୟନ୍ତ ବିରଳ ଥିଲେ । ମୋ ସମୟ ଆଗରୁ ଏ ଅଞ୍ଚଳରେ ପାଶ୍‍ କରିଥିବା ବ୍ୟକ୍ତି କେହି ନ ଥଲେ-। ପାଠଶାଳା ମଧ୍ୟ ନ ଥିଲା । ଆମ ଗାଁଠାରୁ ଦୁଇ ମାଇଲ ଶୁକ୍ରୁଳିରେ ଗୋଟିଏ ମାତ୍ର ପାଠଶାଳା ଥିଲା ଏବଂ ସେଠାରେ ଉପକୁଳ ଅଞ୍ଚଳରୁ ଆସିଥିବା ଶୁକ ଅବଧାନ ନାମକ ଜଣେ ମାଟିବଂଶ ଅବଧାନ କେତେକ ପିଲାଙ୍କୁ ଅକ୍ଷର ପରିଚୟ ଦେବା ସଙ୍ଗେ ସଙ୍ଗେ ‘‘ହରଗୁଡ଼ଫେଣମିଶା’’ ଶିଖାଇଥିଲେ । ଏ ପିଲାମାନଙ୍କ ମଧ୍ୟରେ ଥିଲେ ଆମ ଗାଁର ଭୂୟାଁସାଇର ଲମ୍ବୋଦର ଦେହୁରୀ । ସେ ହିଁ ଥିଲେ ଆମ ଗାଁର ପ୍ରଥମ ଓ ଏକମାତ୍ର ଶିକ୍ଷିତ ଏବଂ ସେ ହିଁ ପରେ ଲେମ୍ବୁ ଅବଧାନ ନାମରେ ବିଖ୍ୟାତ ହୋଇ ପଣିସୀରେ ଗୋଟିଏ ପାଠଶାଳା କରିଥିଲେ । ମୁଁ ତାଙ୍କ ପାଖରେ ପଢ଼ି ନ ଥିଲି; ମୋର ବଡ଼ଭାଇମାନେ ପଢ଼ିଥିଲେ । ଲେମ୍ବୁ ଅବଧାନଙ୍କ ସମୟରେ ରରୁଆଁ, ଶୁକ୍ରୁଳି ଓ କୁମ୍ଭୀଦ୍ଦାରେ ଗୋଟିଏ ଗୋଟିଏ ସରକାରୀ ପ୍ରାଇମେରୀ ସ୍କୁଲ ବସିଲା । ଏହି ଗ୍ରାମଗୁଡ଼ିକ ଖିଚିଙ୍ଗଠାରୁ ୨/୩ ମାଇଲ ଦୂରରେ ଥିବାରୁ ଲେମ୍ବୁ ଅବଧାନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେଜଣ ନିମ୍ନ ପ୍ରାଇମେରୀ ପର୍ଯ୍ୟନ୍ତ ପଢ଼ିଥିଲେ କିମ୍ୱା ନିମ୍ନ ପ୍ରାଇମେରୀ ପାଶ୍‍ କରିଥିଲେ । ଏହିମାନେ ହିଁ ଏ ଅଞ୍ଚଳରେ ପ୍ରଥମେ ଶିକ୍ଷାଲୋକ ସଞ୍ଚାର କଲେ ।

ମୁଁ ଆମ ଗାଁର ଚାରୋଟି ଅବଧାନ ପାଖରେ ପଢ଼ିଥିଲି, ମାତ୍ର କେତେବେଳେ ଅସୁସ୍ଥ ଓ କେତେବେଳେ ଅବଧାନଙ୍କ ଦେୟ ଦେବାରେ ଅସମର୍ଥ ହେଉଥିବା ହେତୁ ଏବଂ କେତେବେଳେ ତା ପାଠଶାଳାର ଅସ୍ଥାୟୀତ୍ୱ ହେତୁ ମୋର ବାଳ୍ୟଶିକ୍ଷା ଅତ୍ୟକ୍ତ ଅସଂଲଗ୍ନ ହୋଇପଡ଼ିଥିଲା । ଯାହା ପଢ଼ୁଥିଲି, ଦୀର୍ଘ ବ୍ୟବଧାନ ହେତୁ ତାହା ପାସୋରି ପକାଉଥିବାରୁ ମୋତେ ପୁଣି ମୂଳରୁ ଆରମ୍ଭ କରିବାକୁ ପଡ଼ିଥିଲା । ଖିଚିଙ୍ଗ ଗ୍ରାମରେ କୌଣସି ପାଠଶାଳା ନ ଥିଲା, ମାତ୍ର ଗୋଟିଏ ବଉଳଗଛ ତଳରେ ପାଣୁ ଅବଧାନ ଓ ଲାଲମୋହନ ଅବଧାନ ପିଲାମାନଙ୍କୁ ଅକ୍ଷର ଶିକ୍ଷା ଦେଉଥିଲେ । ମୁଁ ଉଭୟଙ୍କ ପାଖରୁ ଅକ୍ଷରଶିକ୍ଷା ଆରମ୍ଭ କରିଥିଲି । ଏହାପରେ ପାର୍ବତୀପୁର ଗ୍ରାମରେ ଥିବା ଚାଟଶାଳୀରେ ବିନୋଦ ଅବଧାନଙ୍କ ପାଖରେ ଅକ୍ଷରଶିକ୍ଷା ଓ ପଣିକିଆ ଶିକ୍ଷା ଶେଷ କରିଥିଲି । ପ୍ରଥମୋକ୍ତ ଶିକ୍ଷକ ଦୁଇଜଣ ଥିଲେ ଖିଚିଙ୍ଗର ଭୂୟାଁସାଇର ବ୍ୟକ୍ତି ଓ ଶେଷୋକ୍ତ ବିନୋଦ ଅବଧାନ ଥିଲେ ପାର୍ବତୀପୁର ଗଣ୍ଡସାଇର ବ୍ୟକ୍ତି । ଏଣୁ ଆଦିବାସୀ ଭାଇମାନେ ହଁ ମୋତେ ଅଜ୍ଞାନ ଅନ୍ଧକାରରୁ ଟାଣି ଆଣି ପ୍ରଥମେ ବାଟ ଦେଖାଇଥିଲେ । ଏମାନଙ୍କ ପରେ ଉଲେଇକୁଣ୍ଡିର ପୁରାଣସାଇର ପୀତାମ୍ବର ଦେଓ ନାମକ ଜଣେ ଅବଧାନ ପାଖରେ ପାର୍ବତୀପୁର ପାଠଶାଳାରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଓ ଶିଶୁବୋଧ ଶେଷ କରିଥିଲି ।

ପାର୍ବତୀପୁର ପାଠଶାଳାଟିର ଅବସ୍ଥା ଅଧିକାଂଶ ସମୟରେ ଖରାପ ରହୁଥିଲା । ସେ ସମୟର ଅବଧାନଙ୍କୁ ଏହାର ଅବସ୍ଥା ସମ୍ବନ୍ଧରେ ପଚାରିଥିଲେ, ସେ ହୁଏ ତ ବୈଷ୍ଣବ ପାଣିଙ୍କ ଭାଷାରେ କହିଥାନ୍ତେ–‘‘ଅଛିଆ ପଡ଼ିଛି ଘର, ବରଷାରେ ହରବର, ବର ବୋଲେ ପଡ଼େ ଚନ୍ଦ୍ର ସୂର୍ଯ୍ୟତେଜ ।’’ ଆଉ ତାଙ୍କ ଆର୍ଥିକ ଅବସ୍ଥା ସମ୍ବନ୍ଧରେ ପଚାରିଥିଲେ ହୁଏ ତ କହିଥାନ୍ତେ–‘‘ଦରମା ପଡ଼ିଛି ବାକି, ମାଗି ମାଗି ଗଲି ଥକି, ମିଛ କହୁନାହିଁ ଛାମୁ ଖାତା ବୁଝ ।’’ ଚାଟଶାଳୀ ଗୃହର ତଥା ଅବଧାନଙ୍କ ଏହି ଦୟନୀୟ ଅବସ୍ଥା ସତ୍ତ୍ୱେ ଏଠାରେ ପ୍ରତିଦିନ କେତେଗୁଡ଼ିଏ ବାଳକଙ୍କ କଳ-ରୋଳ ଶୁଣା ଯାଉଥିଲା । ଗୃହର ଚଟାଣଟି ଚାଟମାନଙ୍କ ମଧ୍ୟରେ ଭାଗ କରାଯାଇଥିଲା । ସେମାନେ ସ୍ୱ ସ୍ୱ ଭାଗକୁ ଲିପି ଘଷି ଭଲଭାବରେ ରଖୁଥିଲେ ଏବଂ ତାହାରି ଉପରେ ଇଟାଗୁଣ୍ଡ ମଡ଼ାଇ ଖଡ଼ୀ ଦ୍ୱାରା ଫର-ପଣିକିଆ ଇତ୍ୟାଦି ଲେଖୁଥିଲେ । କ୍ରମଶଃ ସିଲଟ ଓ ସିଲଟଖଡ଼ୀର ପ୍ରଚଳନ ମଧ ଆରମ୍ଭ ହୋଇଯାଇଥିଲା, ଉଚ୍ଚଶ୍ରେଣୀମାନଙ୍କରେ ହରିଡ଼ାକାଳି ଓ ପର କିମ୍ୱା ଶର କଲମ ଦ୍ୱାରା ବାଲିକାଗଜରେ ହସ୍ତାକ୍ଷର ଲେଖାଯାଉଥିଲା । ହରିଡ଼ାକୁ କିଛିଦିନ ପାଣିରେ ପଚାଇ ଦେଇ ତାହା ସହିତ ମିସିକସ ମିଶାଇଦେଲେ, ସେଥିରୁ ଯେଉଁ ସୁନ୍ଦର କାଳି ମିଳୁଥିଲା, ତାହା ବର୍ଷେ ପର୍ଯ୍ୟନ୍ତ ଲେଖା କାମରେ ଲାଗୁଥିଲା । ଏ ସମୟର ଚାଟଶାଳୀମାନଙ୍କରେ ବହୁଳ ବେତ୍ରାଘାତର ବ୍ୟବସ୍ଥା ଥିଲା; ମାତ୍ର ଆମ ପାଠଶାଳାରେ ଏ ବ୍ୟବସ୍ଥା କୋହଳ ଥିଲା । ଅବଧାନମାନେ ପାଖରେ ବେତବାଡ଼ି ବା ଛାଟ ରଖୁଥିଲେ ମଧ୍ୟ କୌଣସି ଛାତ୍ରକୁ ନିର୍ଦ୍ଦୟ ଭାବରେ ପ୍ରହାର କରିଥିବା କଥା ମୋର ମନେପଡ଼ୁ ନାହିଁ । ଅତ୍ୟନ୍ତ ଅସ୍ଥିରମନା ଥିବାରୁ ଓ ଅନେକ ସମୟରେ ‘‘ଏକ” କିମ୍ବା ‘‘ଦୁଇ’’ କରିବା ପାଇଁ ବାହାରକୁ ଯିବାରେ ଅବଧାନଙ୍କ ଅନୁମତି ଲୋଡ଼ୁଥିବାରୁ ମୁଁ ଥରେ ଦୁଇଥର ବେତ୍ରାଘାତ ପାଇଥିବା କଥା ଆଜି ମୋର ମନେପଡ଼ୁଛି ।

ଆମ ପାଠଶାଳାକୁ ବାହାରର ଲୋକେ ଖୁବ୍ କମ୍ ଆସୁଥିଲେ । ଯେଉଁମାନେ ଆସୁଥିଲେ, ସେମାନଙ୍କ ଭିତରେ ଥିଲେ ଜଣେ ଇନିସ୍‍ପେକ୍‍ଟିଂ ପଣ୍ଡିତ । ସେ ସମଗ୍ର କରଞ୍ଜିଆ ସବ୍‍ଡିଭିଜନ ପାଇଁ ଏକମାତ୍ର ସରକାରୀ ସ୍କୁଲ ପରିଦର୍ଶକ ଥିବାରୁ ଆମ ପାଠଶାଳାକୁ ବର୍ଷରେ ଥରେ କିମ୍ୱା ଦୁଇଥର ଆସୁଥିଲେ । ସେ ଆସିବା ଦିନ ଆମ୍ଭମାନଙ୍କ ମଧ୍ୟରେ ତତ୍ପରତା ଓ ଚାଞ୍ଚଲ୍ୟ ଖେଳିଯାଉଥିଲା । ସେ “କାଲାପଣ୍ଡିତ” ନାମରେ ସୁପରିଚିତ ଥିଲେ । ଏଣୁ ତାଙ୍କ ପ୍ରକୃତ ନାମ ଆମ୍ଭମାନଙ୍କୁ ଜଣା ନ ଥିଲା । ପ୍ରାୟ ପଚାଶ ବର୍ଷର ଏହି କାଲାପଣ୍ଡିତ ଯେତେବେଳେ ଜାମା ଖଣ୍ଡିଏ ପିନ୍ଧି ଆମ ଚାଟଶାଳୀରେ ପ୍ରବେଶ କରୁଥିଲେ, ସେତେବେଳେ ଆମ୍ଭେମାନେ ସମସ୍ତେ ଭୂମିଷ୍ଠ ଦଣ୍ଡବତ କରୁଥିଲୁଁ । ଆମ୍ଭେମାନେ ତାଙ୍କ ପ୍ରଶ୍ନର ଯେଉଁ ଉତ୍ତର ଦେଉଥଲୁଁ ତାହା ତାଙ୍କ କର୍ଣ୍ଣକୁହରରେ ପ୍ରବେଶ କରୁଥିଲା କି ନା, ସେଥିରେ ସନ୍ଦେହ ରହୁଥିଲା; କିନ୍ତୁ ଅବଧାନ ତଥା ଛାତ୍ରମାନଙ୍କର ବିପୁଳ ଅଭ୍ୟର୍ଥନାରେ ସନ୍ତୁଷ୍ଟ ହୋଇ ସେ ପରିଦର୍ଶନ ପୁସ୍ତକରେ ପାଠଶାଲର ଭୂୟସୀ ପ୍ରଶଂସା ଲେଖିଯାଉଥଲେ । ସେ ଗସ୍ତରେ ଆସିଲାବେଳେ ସବୁ ସମୟରେ ସଙ୍ଗରେ ଗୋଟିଏ ଜାଲ ଘେନି ଆସୁଥିଲେ । ସେହି ଜାଲ ସାହାଯ୍ୟରେ ଆମ୍ଭେମାନେ ଅଳ୍ପ ସମୟ ମଧ୍ୟରେ ତାଙ୍କ ପାଇଁ ପ୍ରଚୁର ମାଛ ଘେନି ଆସୁଥଲୁ । ଆମର ସେବାର ଅକାର୍ପଣ୍ୟ ଓ ବାହୁବଳରେ ସନ୍ତୁଷ୍ଟ ହୋଇ ସେ ସବୁଥର ଶିକ୍ଷକଙ୍କ ପାଇଁ ମାସିକ ଦେଢ଼ଟଙ୍କା ବା ଦୁଇଟଙ୍କା ସରକାରୀ ରିୱାଡ୍‍ ସୁପାରିଶ୍ କରିଯାଉଥିଲେ । ଏହା ହଁ ଥିଲା ଅବଧାନଙ୍କ ନିର୍ଦ୍ଦିଷ୍ଟ ଆୟ । ପିଲାମାନଙ୍କ ପାଖରୁ ମାସିକ ଏକଅଣା ବା ଦୁଇଅଣା ଯାହା ତାଙ୍କର ପାଇବାର କଥା, ତାହା ଅତ୍ୟନ୍ତ ଅନିୟମିତ ଓ ଅନଶ୍ଚିତ ଥିଲା । ଅବଧାନମାନଙ୍କର ଘର ଗାଁ ରେ କିମ୍ୱା ଗାଁ ପାଖରେ ଥିବାରୁ ସେମାନେ ନିଜ ନିଜ ଭୋଜନର ବ୍ୟବସ୍ଥା କରୁଥିଲେ ।

ଆମ ଚାଟଶାଳୀକୁ ଆଉ ଯେଉଁମାନେ ଆସୁଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଜଣେ ଡାକପିଅନ । ସେ ବିମ୍ୱା ପିଅନ ନାମରେ ସୁବିଖ୍ୟାତ ହୋଇଥିଲେ । ସମଗ୍ର କରଞ୍ଜଆ ସବ୍‍ଡିଭିଜନର ଏକମାତ୍ର ଡାକଘର କରଞ୍ଜିଆରୁ ସେ ଯେତେବେଳେ ବହି ପାର୍ଶଲ ଧରି ଆମ ଚାଟଶାଳୀରେ ପହଞ୍ଚୁଥିଲେ, ସେତେବେଳେ ଆମ୍ଭମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଉଥିଲା । ଏହି ପାର୍ଶଲମାନଙ୍କ ମଧ୍ୟରେ ଆସୁଥଲା ଆମ୍ଭମାନଙ୍କ ପାଠ୍ୟପୁସ୍ତକ । ‘‘କୁଦାଶାଇଆ ଅବଧାନ’’ ନାମରେ ଖ୍ୟାତ ଆଉ ଜଣେ ବ୍ୟକ୍ତି ମଧ୍ୟ ବୋକଚାରେ ବହି ଧରି ଆମ ପାଠଶାଳାକୁ ଆସୁଥିଲେ । ଉଭୟ ବାହକ ଯେଉଁ ବହି ଆଣୁଥିଲେ, ସେମାନଙ୍କ ଭିତରେ ଆସୁଥିଲା ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ, ବାଳବୋଧ, ଶିଶୁବୋଧ ଏବଂ ଅନ୍ୟାନ୍ୟ ରଚୟିତାଙ୍କ ଚାଟଶାଳୀପାଠ, ପାଟିଗଣିତ, ପସନ୍ଦ ଚୂଡ଼ାମଣି, କେଶବ-କୋଇଲୀ, ବସନ୍ତ-କୋଇଲୀ, ବାରମାସୀ କୋଇଲୀ, ଭେଟ ଚଉତିଶା, ଜେମାଦେଈ କାନ୍ଦ, ବଉଲାଗାଈ, ଇନ୍ଦ୍ରଜାଲ କୌତୁକ ଇତ୍ୟାଦି । ବହିମାନଙ୍କ ସଙ୍ଗରେ କେବେ କେବେ ଜଳଛବି, ରବର, ପେନ୍‍ସିଲ ଇତ୍ୟାଦି ମଧ୍ୟ ଆସୁଥିଲା ।

ପ୍ରତ୍ୟେକ ରବିବାର ସନ୍ଧ୍ୟାରେ ଆମ ପାଠଶାଲାରେ ସରସ୍ୱତୀ ପୂଜା ହେଉଥିଲା । ସାମାନ୍ୟ ଭୋଗ ଓ ଧୂପଦୀପରେ ଅବଧାନଙ୍କ ଦ୍ଵାରା ପୂଜା ସମାହିତ ହେବା ପରେ ପିଲାମାନେ ନିଜ ନିଜ ଘରକୁ ଫେରୁଥିଲେ । ଏହାଛଡ଼ା ଯେଉଁ ଛାତ୍ର ଉଚ୍ଚଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଥିଲା, ସେ ଗୋଟିଏ ସ୍ୱତନ୍ତ୍ର ସରସ୍ୱତୀ ପୂଜାର ଆୟୋଜନ କରୁଥିଲା ଏବଂ ଅବଧାନଙ୍କୁ କିଛି ଅଧିକ ଦେୟ ଦେଉଥଲା । ଗଣେଶ ଚତୁର୍ଥୀ ଶ୍ରୀପଞ୍ଚମୀ ଥିଲା ଆମ୍ଭମାନଙ୍କର ସବୁଠାରୁ ବଡ଼ ଆନନ୍ଦର ଦିନ । ଭୋର ସକାଳୁ ବହୁବିଧ ଫୁଲତୋଳି ଓ ସ୍ନାନସାରି ପୂଜାସାମଗ୍ରୀ ସହିତ ଆମ୍ଭେମାନେ ପାଠଶାଳାରେ ପହୁଞ୍ଚି ଯାଉଥିଲୁଁ । ପୂଜାସାମଗ୍ରୀ ମଧ୍ୟରେ ରହୁଥିଲା ଫୁଲ, ଦୀପ, ଖଇ କିମ୍ୱା ଉଖୁଡ଼ା, କିଛି ଗୁଡ଼ ଓ ଖସାଲଡ଼ୁ । ଏତିକି ସାମଗ୍ରୀ ମଧ୍ୟ ଯେଉଁ ହତଭାଗ୍ୟମାନେ ଆଣିପାରୁ ନ ଥିଲେ, ସେମାନଙ୍କ ମଧ୍ୟରେ ମୁଁ ଜଣେ ଥିଲି ।

ପୂଜାପରେ ଏହି ଦିନମାନଙ୍କରେ ଓ ପରବର୍ତ୍ତୀ ଦିନମାନଙ୍କରେ ଅବଧାନଙ୍କ ପାଇଁ ଭିକ୍ଷାକରିବା ସକାଶେ ଆମ୍ଭେମାନେ ଆମ ନିଜ ଗାଁ ଓ ଆଖପାଖ ଗାଁମାନଙ୍କୁ ଚାଲିଯାଉଥିଲୁଁ । ଭଲ ଭଲ ଘର ଦେଖି ସେମାନଙ୍କ ପିଣ୍ଡାରେ ବସିପଡ଼ି ଉଚ୍ଚକଣ୍ଠରେ ଆରମ୍ଭ କରି ଦେଉଥିଲୁ–

ରାଧା ଧରି ସଖୀକର,

ବୋଲନ୍ତି ଆକଟ ଆଉ ନକର ଗୋ

ଲାଜ ଭୟ ତେଜିଲି ନିକର, ସଜନି ଗୋ ।

 

କିମ୍ୱା

 

କଳା କଳେବର କହ୍ନାଇ ସଙ୍ଗେ ରୋହିଣୀସୁତ,

କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ ।

 

ବାଳକଣ୍ଠର ଐକ୍ୟତାନିକ ସ୍ୱରରେ ଘର ଉଛୁଳି ଉଠୁଥିଲା ଏବଂ ଗୃହସ୍ୱାମୀମାନେ ସ୍ୱ-ସ୍ୱ ଶକ୍ତି ଅନୁଯାୟୀ ଆମ୍ଭମାନଙ୍କୁ ଭିକ୍ଷା ଦେଉଥିଲେ । ଭିକ୍ଷାରୁ ପ୍ରାପ୍ତ ସମସ୍ତ ଧନ ଅବଧାନଙ୍କୁ ଅର୍ପଣ କରାଯାଉଥିଲା । ମୋର ମନେଅଛି, ଯେ ଆମ ଗାଁର ପଧାନଘର ଆମ୍ଭମାନଙ୍କୁ ଥରେ ଗୋଟିଏ ଟଙ୍କା ଦେଇଥିଲେ । ଏହା ହିଁ ଥିଲା ଭିକ୍ଷାର ସର୍ବୋଚ୍ଚ ପରିମାଣ ।

 

ବାଲବୋଧରେ ଥିବା ଷଡ଼ଋତୁର ବର୍ଣ୍ଣନା ମୋ ମନକୁ ସବୁଠାରୁ ବେଶି ଆକର୍ଷଣ କରିଥିଲା–

 

ବାଡ଼ମାନଙ୍କରେ ଫୁଟିଛି ସୋମଫୁଲ ଧବଳ

ଦିଶଇ ସୁନ୍ଦର ଯେସନ ନଭେ ତାରକାଦଳ ।

ଫୁଟିଅଛି ନୀଳକୁମୁଦ ନୀଳ ନିର୍ମଳ ଜଳେ,

ସରୋବର ଦିଶେ ଶୋଭନ ଶୋଭା ବଚନ ବଳେ ।

ସ୍ୱର୍ଣ୍ଣକାନ୍ତି ଜିଣା ସୋରିଷ ଶତବର୍ଗ କୁସୁମେ,

ଚଉଦିଗ ଦିଶେ ଶୋଭନ ଶୋଭା ନୟନ ରମେ ।

କିବା ମନୋହର ସେ ଶୋଭା କାହିଁ ତା ପଟାନ୍ତର,

ଧରଣୀରାଣୀ କି ପିନ୍ଧିଛି ଚାରୁ ପୀତ ଅମ୍ୱର ।

 

ପଦ୍ୟବର୍ଣ୍ଣିତ ପୁଲଗୁଡ଼ିକୁ ଦେଖିବା ମାତ୍ରେ ଏ ଧାଡ଼ିଗୁଡ଼ିକ ମନେପଡ଼ୁଥିଲା ଓ ସେଗୁଡ଼କୁ ମୁଁ ବାରମ୍ବାର ଆବୃତ୍ତି କରୁଥିଲି । ନାନା ଜାତିର ଫୁଲ, ପକ୍ଷୀ, ପ୍ରଜାପତି, କଙ୍କି ଓ କୋଳି ମୋର ବାଳ୍ୟଜୀବନକୁ ବେଶି ଆକୃଷ୍ଟ କରିଥିଲେ; ମାତ୍ର ଏମାନଙ୍କ ମଧ୍ୟରୁ ଅଧକାଂଶ ଦୁର୍ଲଭ ଥିଲେ । ଯେଉଁଦିନ ପୋଖରୀରୁ ପଦ୍ମ ବା କଇଁ ସଂଗ୍ରହ କରିପାରୁଥିଲି । ସେଦିନ ମୋ ମନରେ ମହାଆନନ୍ଦ ଜାତ ହେଉଥିଲା ।

 

ଗ୍ରାମ ପାଠଶାଳାରେ ପଢ଼ିବା ସଙ୍ଗେ ସଙ୍ଗେ ଘରେ ମଧ୍ୟ ମୋତେ କିଛି କିଛି ସଂସ୍କୃତ ଶିକ୍ଷା କରିବାକୁ ପଡ଼ୁଥିଲା । ମୋର ବଡ଼ଭାଇମାନେ ମୋତେ, ମୋ ଉପର ଭାଇ ହରିନନା ଓ ସାନଭାଇ ଗିରୀଶକୁ ଏକସଙ୍ଗରେ ବସାଇଦେଇ ଶିବ ଷଡ଼ାକ୍ଷରମନ୍ତ୍ର, ଶିବଷଣମୁଖ ସ୍ତୋତ୍ର, ରୁଦ୍ରାଭିଷେକ, ନବଗ୍ରହସ୍ତୋତ୍ର, ଅମରକୋଷ, ଚାଣିକ୍ୟ ଶ୍ଲୋକ, ଭାରତସ ବିକ୍ରୀ, ଠାକୁରପୁଜାପଦ୍ଧତି, ଶ୍ରାଦ୍ଧପଦ୍ଧତି, ବିବାହପଦ୍ଧତି ଇତ୍ୟାଦରୁ କିଛି କିଛି ଅଂଶ ମୁଖସ୍ଥ କରିବା ପାଇଁ ପ୍ରତିଦିନ ପଢ଼ା ଦେଉଥିଲେ । ଆମ୍ଭମାନଙ୍କ ମଧ୍ୟରୁ ଯେ ମୁଖସ୍ଥ କରିପାରୁ ନ ଥିଲା ସେ ବଡ଼ଭାଇମାନଙ୍କଠାରୁ ମାଡ଼ ଖାଉଥିଲା । ମାଡ଼ଭୟ ଥିବାରୁ ଏ ଗ୍ରନ୍ଥମାନଙ୍କ ବହୁ ଅଂଶ ମୁଁ ବାଲ୍ୟକାଳରେ ମୁଖସ୍ଥ କରିଥିଲି; ମାତ୍ର ବହୁକ୍ଷେତ୍ରରେ ଏମାନଙ୍କ ଅର୍ଥ ମୋତେ ଅଜ୍ଞାତ ଥିଲା । ଏହାଛଡ଼ା ମା’ ଆମ୍ଭମାନଙ୍କଠାରୁ ବହୁସମୟରେ ଭାଗବତ, ରାମାୟଣ, ମହାଭାରତ ଓ ପୁରାଣପାଠ ଶୁଣୁଥିଲେ । ଏହିସବୁ କାରଣରୁ ସହପାଠୀମାନଙ୍କଠାରୁ ଆମ୍ଭମାନଙ୍କ ସାହିତ୍ୟଜ୍ଞାନ ନିଶ୍ଚିତ ଭାବରେ ବେଶି ଥିଲା ।

 

କୌଣସି କାରଣରୁ ପାର୍ବତୀପୁର ପାଠଶାଳାଟି ଭାଙ୍ଗିଯିବାରୁ ଆମ ଗାଁଟି ଚାଟଶାଳୀ ଶୁନ୍ୟ ହୋଇଯାଇଥିଲା । ଏଣୁ ମା’ ଓ ବଡ଼ଭାଇମାନଙ୍କ ନିର୍ଦ୍ଦେଶକ୍ରମେ ମୁଁ ଓ ମୋର ସାନଭାଇ ଗିରୀଶ କୁମ୍ଭୀର୍ଦା ନିମ୍ୱ ପ୍ରାଇମେରୀ ସ୍କୁଲରେ ନାମ ଲେଖାଇଥିଲୁଁ । କୁମ୍ଭୀର୍ଦା ଆମ ଗାଁଠାରୁ ପ୍ରାୟ ଦୁଇ ମାଇଲ । ରାତିରୁ ଥିବା ଶୁଖିଲା ଭାତ ସକାଳୁ ଖାଇଦେଇ ଆମ୍ଭେମାନେ ପ୍ରତିଦିନ ଏହି ସ୍କୁଲକୁ ଯାଉଥିଲୁ ଓ ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲୁଁ । ବାଟରେ ଖଣ୍ଡେ ଜଙ୍ଗଲ, ଖଇରୀ ନଦୀ ଓ ଧାନକ୍ଷେତ ପଡ଼ୁଥିଲା । ଯିବାଆସିବାବେଳେ ଭୟର ସଞ୍ଚାର ହେଲେ ଦୁଇଜଣଯାକ ଖୁବ୍‍ ବଡ଼ପାଟିରେ ଗୀତ ବୋଲୁଥଲୁଁ । ମାତ୍ର ଏ ସ୍କଲରୁ ଆମ ପରିଶ୍ରମର କୌଣସି ଫଳ ମିଳି ନ ଥିଲା । ଦିନଯାକ ସ୍କୁଲରେ ବସୁଥିଲେ ସୁଦ୍ଧା ସେଠାରୁ କୌଣସି ଶିକ୍ଷା ପାଇଥିବା କଥା ମୋର ମନେପଡ଼ୁନାହିଁ । ବସ୍ତୁତଃ କିଛି ମାସ ପରେ ଏହି ସ୍କୁଲ ଛାଡ଼ିବାବେଳେ ପାର୍ବତୀପୁର ପାଠଶାଳାର ପଢ଼ା ହିଁ କେବଳ ମୋର ମୂଳଧନ ହୋଇ ରହିଥିଲା ।

 

ଏହି ସମୟରେ ପ୍ରଥମ ମହାସମରର ଅବସାନ ଘଟିଥଲା, ଏବଂ ଏହି ସମୟରେ ହିଁ ମୋର ବଡ଼ଭାଇ ଓ ବାପା ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲେ । ଏହା ପରେ ଆମ ବଂଶଟି ଅବର୍ଣ୍ଣନୀୟ ଦୈନ୍ୟରେ ମୁହ୍ୟମାଣ ହୋଇ କିଛିଦିନ କିଂକର୍ତ୍ତବ୍ୟବିମୁଢ଼ ହୋଇଯାଇଥିଲା । ବଡ଼ଭାଇମାନେ ପାଠଶାଳାରୁ ଯାହା ପଢ଼ିଥିଲେ, ତାହାରି ସାହାଯ୍ୟରେ ନିଜ ନିଜ ଚେଷ୍ଟାରେ ପୁଜାପାଠ ଓ କର୍ମକର୍ମାଣି କରିବାର ଯୋଗ୍ୟତା ହାସଲ କରିଥିଲେ ।

 

ପ୍ରାଇମେରୀ ସ୍କୁଲରେ ପଢ଼ିବାର ସେମାନଙ୍କ ବୟସ ନ ଥିଲା, କିନ୍ତୁ ମୋର ଓ ମୋର ସାନଭାଇର ପ୍ରାଇମେରୀ ଶିକ୍ଷା ପାଇବାର ବୟସ ଯାଇ ନ ଥିଲା । ହୁଏ ତ ମା’ ଓ ଭାଇମାନେ ଆଶା କରୁଥିଲେ ଯେ ଆମେ ଦୁଇଜଣ ନିମ୍ନ ପ୍ରାଇମେରୀ ପାଶ କଲେ କୌଣସି ପ୍ରାଇମେରୀ ସ୍କୁଲରେ ଶିକ୍ଷକ ହୋଇପାରିବା କିମ୍ବା କୌଣସିଠାରେ ପାଠଶାଳା ଶିକ୍ଷକ ହୋଇପାରିବା । ଏଣୁ ଆମ ଦୁଇଜଣକୁ ପୁଣି ଥରେ ସ୍କୁଲରେ ପଢ଼ିବାର ସୁଯୋଗ ମିଳିଥିଲା । ଆମ୍ଭେମାନେ ଶୁକ୍ରୁଳି ନିମ୍ନ ପ୍ରାଇମେରୀ ସ୍କୁଲରେ ଭର୍ତ୍ତି ହେଲୁ । ଶୁକ୍ରୁଳି ମଧ୍ୟ ଆମ ଗାଁଠାରୁ ଦୁଇମାଇଲ୍‍ ଦୂର । ଯିବାଆସିବା କରି ପଡ଼ିଲେ ପଢ଼ାର ଉନ୍ନତି ଘଟିବ ନାହଁ ବୋଲି ଭାବି ବଡ଼ଭାଇମାନେ ସେହି ସ୍କୁଲରେ ହିଁ ଆମ୍ଭମାନଙ୍କର ରହିବାର ବ୍ୟବସ୍ଥା କରିଦେଇଥିଲେ । ଏହି ବ୍ୟବସ୍ଥାର ଗୋଟିଏ ସର୍ତ୍ତ ଥିଲା ଯେ ଆମ୍ଭେମାନେ ମାଷ୍ଟରଙ୍କ ରୋଷାଇ କରିଦେବୁଁ ଓ ସେ ଆମ୍ଭମାନଙ୍କ ଖାଦ୍ୟପେୟର ଭାର ନେବେ । ମାତ୍ର ଏ ବ୍ୟବସ୍ଥା ସ୍ଥାୟୀ ହୋଇ ନ ଥିଲା । ମୁଁ ଥିଲି ନିତାନ୍ତ ଅନ୍ୟମନସ୍କ ବାଳକ ଓ ଗିରୀଶ ଥିଲା ନିତାନ୍ତ ଭୟାତୁର ଓ କାନ୍ଦରା । ଏଣୁ ଆମ ଶିକ୍ଷକଙ୍କ ରନ୍ଧାବଢ଼ା କାର୍ଯ୍ୟ କରିପାରିଲୁଁ ନାହିଁ । ଫଳରେ ଗିରୀଶ୍‍ ଘରକୁ ଫେରିଆସିଲା ଏବଂ ମୁଁ ନାଉପନାର ମୋହନ ସାହୁ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଘରେ ରହି ଓ ନିଜର ରନ୍ଧାବଢ଼ା କରି ସ୍କୁଲରେ ପାଠପଢ଼ା ଚଳାଇଲି । ମୋହନ ସାହୁ ଓ ତାଙ୍କର ପରିବାରବର୍ଗ ମୋତେ ଯେଉଁ ସାହାଯ୍ୟ, ସ୍ନେହ ଓ ସହାନୁଭୂତି ଦେଇଥିଲେ, ତାହା ମୁଁ ଜୀବନରେ ଭୁଲପାରିବି ନାହିଁ ।

 

ଶୁକ୍ରୁଳି ସ୍କୁଲରେ ପ୍ରାୟ ଏକବର୍ଷ ପଢ଼ିବା ସମୟରେ ମୁଁ ନିମ୍ନ ପ୍ରାଇମେରୀର ସମସ୍ତ ପାଠ୍ୟପୁସ୍ତକ ଶେଷ କରିଥିଲି । ଏଣୁ ନିମ୍ନ ପ୍ରାଥମିକ ସାର୍ଟିଫିକେଟ୍‍ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେଲି । ତଦନୁସାରେ ଶିକ୍ଷକ ମୋର ଷ୍ଟେଣ୍ଟମେଣ୍ଟ ପଠାଇଲେ; ମାତ୍ର ତତ୍‍କାଳୀନ ସ୍କୁଲ ସବ୍‍ଇନସ୍‍ପେକ୍‍ଟର ତାହା ଗ୍ରହଣ କଲେ ନାହିଁ । ନିୟମାନୁସାରେ କୌଣସି ଛାତ୍ର କୌଣସି ସ୍କୁଲରେ ଅନ୍ତତଃ ଏକବର୍ଷ ନ ପଢ଼ିଲେ ପରୀକ୍ଷା ଦେଇପାରିବନାହିଁ । ମୋର ଶୁକ୍ରୁଳି ସ୍କୁଲରେ ପଢ଼ିବାର ପୂର୍ଣ୍ଣ ଏକବର୍ଷ ହୋଇ ନ ଥିଲା, ଏଣୁ ପରୀକ୍ଷା ଦେବାକୁ ମୋତେ ଅନୁମତି ମିଳିଲା ନାହିଁ-। ମୋର ପାଶ୍ କରିବାର ସୁନ୍ଦର ସ୍ୱପ୍ନ ଭାଙ୍ଗିଗଲା । ଏଣୁ ଏ ସମ୍ୱାଦ ପାଇ ମୁଁ କ୍ରନ୍ଦନରତ ହେଇପଡ଼ିଲି । ଘରୁ ଆସିଲାବେଳେ ଠାକୁରାଣୀଙ୍କ ଠାରେ ମାନସିକ କରି ଜଣାଇଥିଲି ଯେ ନିମ୍ନ ପ୍ରାଇମେରୀ ପାଶ୍‍ କଲେ ମୁଁ ତାଙ୍କୁ ଭୋଗ ଦେବି, କିନ୍ତୁ ଠାକୁରାଣୀ ମଧ୍ୟ ମୋତେ ସାହାଯ୍ୟ କଲେ ନାହଁ ! ମୋର ପାଶ କରିବାର ଆଶା ସବୁଦିନ ପାଇଁ ଚାଲିଗଲା ।

 

ମୋର ଏ ଅବସ୍ଥା ଦେଖି ମୋର ଶିକ୍ଷକ ଶ୍ରୀ ବିଶ୍ୱନାଥ ନାୟକଙ୍କ ମନରେ ଦୟାର ସଞ୍ଚାର ହେଲା । ସେ କହିଲେ ଯେ କରଞ୍ଜିଆ ମଧ୍ୟଇଂରାଜୀ ସ୍କୁଲର ପଞ୍ଚମ ଶ୍ରେଣୀରେ ମୋର ନାମ ଲେଖାଇଦେବେ ଏବଂ ମୁଁ ସେଠାରେ ନ ପଢ଼ିଲେ ସୁଦ୍ଧା ମୋର ଶିକ୍ଷାଯୋଗ୍ୟତା ନିମ୍ନ ପ୍ରାଇମେରୀ ପାଶ୍‍ ସଙ୍ଗେ ସମାନ ହେବ । ଖିଚିଙ୍ଗଠାରୁ କରଞ୍ଜିଆ ଓଡ଼ିଶା ହେଉଛି ୧୭ ମାଇଲ । ପାଦରେ ଚାଲିଯିବା ଛଡ଼ା ଅନ୍ୟ କୌଣସି ଉପାୟ ନ ଥିଲା । ତଥାପି ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଶିକ୍ଷକ ଓ ମୁଁ କରଞ୍ଜିଆ ଅଭିମୁଖରେ ଯାତ୍ରା କଲୁଁ । ଶୁକ୍ରୁଳିଠାରୁ ପ୍ରାୟ ଏକମାଇଲ ଯିବା ପରେ ଶିକ୍ଷକ ହଠାତ୍‍ ଫେରିପଡ଼ି କହିଲେ-‘‘ନା, ଆଉ ଯିବା ନାହିଁ” ମୁଁ ତାଙ୍କୁ କାରଣ ପଚାରିବାର ସାହସ ନ କରି କେବଳ ତାଙ୍କର ଅନୁଗମନ କଲି ଏବଂ ପୁଣି ଆସି ଶୁକ୍ରୁଳି ସ୍କୁଲରେ ପହଞ୍ଚିଲି ।

 

୧୯୨୦ ମସିହାର ଶେଷ ବେଳକୁ ମୋର ଏ ଭାଗ୍ୟବିପର୍ଯ୍ୟୟ ଘଟିବା ପରେ ମୁଁ ସ୍କୁଲରେ ପଢ଼ିବା ଆଶା ଓ ପାଠ ସାହାଯ୍ୟରେ ଚାକିରି କରିବାର ଆଶାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରିଥିଲି । ସ୍କୁଲ-କଲେଜରେ କେବଳ ଧନବାନ୍‍ମାନେ ପଢ଼ନ୍ତି; ମୋ ପରି ଦରିଦ୍ର ବାଳକ ପକ୍ଷରେ ଉଚ୍ଚଶିକ୍ଷା ଆକାଶ କୁସୁମ ଥିଲା । ଏହି ସମୟବେଳକୁ ଆମ ପରିବାରଟି ମଧ୍ୟ ଦାରିଦ୍ର୍ୟର ଅତଳ ଗହ୍ୱରକୁ ଖସି ପଡ଼ିଥିଲା । ଜୀବିତ ଭାଇମାନଙ୍କ ମଧ୍ୟରେ ସବୁ ବଡ଼ଭାଇ ଗୋପୀନାଥନନା ଠାକୁରାଣୀ ମନ୍ଦିରର ପୂଜାହାରୀ ପଦରେ ନିଯୁକ୍ତି ପାଇ ଠାକୁରାଣୀ ମନ୍ଦିରର ଆୟ ସହିତ ପାଞ୍ଚମାଣ ଜାଏଗିରି ଜମିକୁ ମଧ୍ୟ ପୃଥକାନ୍ନବର୍ତ୍ତୀ ହୋଇ ଭୋଗକଲେ । ଆମ୍ଭମାନଙ୍କ ପାଇଁ ଖାଲି କେତେ ଘର ଯଜମାନ ଓ ପ୍ରାୟ ଦୁଇମାଣ ଜମି ଛଡ଼ା ଆଉ କିଛି ନ ଥିଲା । ଦୁଃଖିନୀମାତା ଆମ୍ଭମାନଙ୍କ ପାଖରେ ହିଁ ରହିଲେ ଓ ଅଗାଧ ପରିଶ୍ରମ କରି ଆମ୍ଭମାନଙ୍କୁ ବଞ୍ଚାଇ ରଖିଲେ । ସଞ୍ଜାରେ ଦୁଇ ଚାରିମାଣ ଜମି ଧରି ଓ ତାହା ସହିତ ଆମ ନିଜ ଜମିକୁ ମିଶାଇ ସେ ହଳେ ବଲଦର ଚାଷକାମ ଆରମ୍ଭ କରି ଦେଇଥିଲେ ।

 

ମୋର ମନେପଡ଼ୁଛି ଯେ ମୋର ମା’ ସକାଳୁ ଉଠି ମୂଲିଆ ସଙ୍ଗରେ ବିଲକୁ ଯାଉଥିଲେ ଏବଂ ଦ୍ୱିପ୍ରହରବେଳକୁ ଘରକୁ ଫେରି ଦାନ୍ତ ଘଷୁଥିଲେ । ମୋର ମାତା ଥିଲେ ଦଧିବାମନ ନନ୍ଦଙ୍କ କନ୍ୟା, ସୌମ୍ୟା, ଗୌରଦେହା ଓ ମୂର୍ତ୍ତିମତୀ ତିତିକ୍ଷା । ଅକଥନୀୟ ଦୈନ୍ୟ, ସନ୍ତାନମାନଙ୍କ ପାଇଁ ଅମାନୁଷିକ ପରିଶ୍ରମ, ଅନାହାର ଏବଂ ବିବିଧ ଓଷାବ୍ରତ ମଧ୍ୟରେ ସେ ନିଜ ଜୀବନ-ଦୀପକୁ ତିଳେ ତିଳେ ଜାଳିଦେଇ ବାପାଙ୍କ ମୃତ୍ୟୁର ପ୍ରାୟ ଦୁଇବର୍ଷ ପରେ ଇହଜଗତ ତ୍ୟାଗ କରିଥିଲେ । ଆଜି ତାଙ୍କ କଥା ମୋର ବେଶି ମନେପଡ଼ୁନାହିଁ; କିନ୍ତୁ ତାଙ୍କର ମଙ୍ଗଳମୟୀ ମୂର୍ତ୍ତି ଆଜି ସୁଦ୍ଧା ମୋର ଜୀବନାକାଶରେ ଅରୁନ୍ଧତୀ ତାରା ପରି କ୍ଷଣଦୃଶ୍ୟା, କ୍ଷଣଲୁପ୍ତା ହୋଇ ରହିଛି ।

 

ଇହଜଗତରୁ ଚାଲିଯିବା ପୂର୍ବରୁ ମା’ ମୋତେ କୌଣସି ପାଠଶାଳାରେ ଶିକ୍ଷକ ଭାବରେ ରଖାଇବା ପାଇଁ ବହୁ ଚେଷ୍ଟା କରିଥିଲେ; କିନ୍ତୁ ମୋର ବୟସ କମ୍‌ଥିବାରୁ ତାହା ସମ୍ଭବପର ହୋଇ ନ ଥିଲା । ଆମ ଗାଁର ପ୍ରାୟ ଦଶମାଇଲ ଦୂରରେ ଥିବା କେଉଁଝରର ସରାଇ ଗ୍ରାମରେ ଥରେ ଗୋଟିଏ ଶିକ୍ଷକ କାମ ଖାଲିଥିଲା । ଏ ଗ୍ରାମର ଧନୀ ମହାଜନ ବୃଷଭ ନନ୍ଦ ତାଙ୍କ ପୁତ୍ରଦ୍ୱୟର ପ୍ରାଥମିକ ଶିକ୍ଷା ପାଇଁ ଜଣେ ଶିକ୍ଷକ ଆବଶ୍ୟକ କରୁଥିଲେ ଏବଂ ଶିକ୍ଷକଙ୍କ ଖାଇବାର ବ୍ୟୟ ଛଡ଼ା ମାସିକ ଦୁଇ ଟଙ୍କା ବେତନ ଦେବା ପାଇଁ ରାଜିଥିଲେ । ମାତାଙ୍କ ନିର୍ଦ୍ଦେଶ ଅନୁସାରେ ଆମ ଗାଁର ଅବଧାନ କାଳିଚରଣ ନାୟକଙ୍କ ସଙ୍ଗେ ମୁଁ ସେ ଗ୍ରାମକୁ ଗଲି, ମାତ୍ର ଆମେ ସେଠାରେ ପହଞ୍ଚିବା ଆଗରୁ ଆଉ ଜଣେ ପ୍ରାର୍ଥୀ ସେଠାରେ ପହଞ୍ଚି ଯାଇଥିଲେ । ଏହି ପ୍ରାର୍ଥୀଙ୍କ ବୟସ ମୋ ବୟସଠାରୁ ଅନେକ ବେଶି ଥିଲା; ତା ଛଡ଼ା କେତେକ ଶ୍ଳୋକ ଓ ଅମରକୋଷର କେତେକ ଅଂଶ ସେ ମୁହେଁ ମୁହେଁ କହିପାରୁଥିଲେ । ମହାଜନ ଉଭୟଙ୍କୁ ପରୀକ୍ଷା କଲା ପରେ ତାଙ୍କୁ ହିଁ ଗୃହଶିକ୍ଷକ ପଦରେ ନିଯୁକ୍ତ କଲେ । ମୁଁ ନିରାଶ ହୋଇ ଅବଧାନଙ୍କ ସଙ୍ଗରେ ପୁଣି ଆସି ଆମ ଗାଁରେ ପହଞ୍ଚିଲି ।

 

କେବଳ ଅବଧାନ କାମ କିମ୍ବା ପୁଜାହାରୀ କାମ କରିବା ପାଇଁ ମୁଁ ଏତେବେଳକୁ ଉପଯୁକ୍ତ ହୋଇଥଲି, ମାତ୍ର ପୂଜାହାରୀ କାମ କରିବା ପାଇଁ ମୁଁ ସର୍ବଥା ଅନିଚ୍ଛୁକ ଥିଲି । ମୁଁ ଅତ୍ୟନ୍ତ ଅଭିମାନୀ ଥିଲି ଓ ମୋର ଆତ୍ମମର୍ଯ୍ୟାଦା କ୍ଷୁର୍ଣ୍ଣ କରି କେହି କିଛି କହିଲେ ମୁଁ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇପଡ଼ୁଥିଲି । ଆମ ପରିବାରର ଗୋଟିଏ ପରମ୍ପରା ଥିଲା ଯେ, ଯେହେତୁ ଆମେ ଖିଚିଙ୍ଗ ଠାକୁରାଣୀଙ୍କ ପୂଜାହାରୀ, ସେହେତୁ ଆମେ ଅନ୍ୟ କାହାରି ପୁଜାହାରୀ କାମ କରିବା ନାହିଁ । ଏଣୁ ମୋର ମା’ ଓ ଭାଇମାନେ ମଧ୍ୟ ମୋତେ କୌଣସିଠାରେ ପୂଜାହାରୀ କାମରେ ଲଗାଇ ଦେବା ପାଇଁ ରାଜି ନ ଥିଲେ; କିନ୍ତୁ କୌଣସି ଶିକ୍ଷକଙ୍କ ଭାତ ରାନ୍ଧି ତାଙ୍କ ପାଖରେ ପଢ଼ିଲେ ମୋ ମତରେ ଓ ସେମାନଙ୍କ ମତରେ ତାହା ନିନ୍ଦନୀୟ କଥା ନ ଥିଲା । ଅବଧାନ ଚାକିରି ନ ପାଇ ସରାଇରୁ ନିରାଶହୋଇ ଫେରିବା ପରେ ଆଉ ଜଣେ ଶିକ୍ଷକଙ୍କ ଭାତ ରାନ୍ଧି ତାଙ୍କ ପାଖରେ ପାଠ ପଢ଼ିବାର ସୁଯୋଗ ମୋତେ ମିଲିଥିଲା । ରରୁଆଁ ଉଚ୍ଚ ପ୍ରାଥମିକ ସ୍କୁଲର ହେଡ଼ପଣ୍ଡିତ ବୈଦ୍ୟପୁରନିବାସୀ ଶ୍ରୀ ବୈଦ୍ୟନାଥ ତ୍ରିପାଠୀ ଏଥିପାଇଁ ମୋତେ ତାଙ୍କ ସ୍କୁଲକୁ ଡାକି ନେଇଥଲେ; କିନ୍ତୁ ମୋର ବୟସ, ମୌନଭାବ, ଅଚଞ୍ଚଳ ସ୍ୱଭାବ ଇତ୍ୟାଦି ଲକ୍ଷ୍ୟକରି ମୋତେ ତାଙ୍କ କାର୍ଯ୍ୟର ଉପଯୁକ୍ତ ବୋଲି ମନେକରି ନ ଥିଲେ । ଏଣୁ ତାଙ୍କ ପାଖରେ ଦିନଟିଏ ମାତ୍ର ରହି ସଙ୍ଗରେ ନେଇଥିବା ଖଣ୍ଡିଏ ଲୁଗା, ଖଣ୍ଡି ଏ ଗାମୁଛା, ଗୋଟିଏ ସିଲଟ୍ ଓ କେତେ ଖଣ୍ଡ ଛିଣ୍ଡା ବହି ଧରି ପୁଣି ଆସି ଘରେ ପହଞ୍ଚି ଯାଇଥିଲି ।

 

ଏହିପରି ଭାଗ୍ୟର ବହୁଦ୍ୱାର ମଧ୍ୟରୁ ଯେଉଁ ଦ୍ୱାରରେ ମୁଁ କରାଘାତ କଲି, ଦେଖିଲି ଯେ ତାହା ମୋ ପାଇଁ ଅବରୁଦ୍ଧ ହୋଇଛି । ଏଣୁ ଆମର ଦରିଦ୍ର କୁଟୀରରେ ରହି ଅବଶିଷ୍ଟ ଜୀବନଯାପନ କରିବା ହଁ ମୋ ସମ୍ମୁଖରେ ଏକମାତ୍ର ପନ୍ଥା ରହିଲା । ଏ ସମୟର ସମସ୍ତ ଘଟନା ମୋର ସମ୍ପର୍ଣ୍ଣରୂପେ ମନେପଡ଼ୁନାହିଁ; ମାତ୍ର ମା’ଙ୍କ ମୃତ୍ୟୁ ପୂର୍ବରୁ ଓ ପରେ ପ୍ରାୟ ତିନିବର୍ଷ କାଳ ଘରେ ରହି ଯାହା କରିଥିଲି, ତାହାର ସ୍ଥୁଳବିବରଣୀ ମୋର ମନେପଡ଼ୁଛି । ମାଙ୍କ ମୃତ୍ୟୁ ପୂର୍ବରୁ ମୋର ଉପନୟନ ଶେଷ ହୋଇଯାଇଥିଲା । ନିୟମାନୁସାରେ ମୁଁ ଜଣେ ବ୍ରାହ୍ମଣ ହୋଇଯାଇଥିବାରୁ ଯଜମାନଙ୍କ ମହାଦେବ ପୂଜା, ତ୍ରିନାଥମେଳା ପୂଜା, ଶ୍ରାଦ୍ଧ-ବିବାହାଦି କାର୍ଯ୍ୟ ପାଇଁ ମୁଁ ଯୋଗ୍ୟ ବିବେଚିତ ହେଉଥଲି । ଏଥିପାଇଁ ଯେଉଁ ମନ୍ତ୍ରପାଠ ଆବଶ୍ୟକ, ତାହା ମୁଁ ଅନେକାଂଶରେ ଶିଖିଯାଇଥିଲି । ମୋର ବଡ଼ଭାଇମାନେ ଏସବୁ କାମ କରୁଥିଲେ, ତଥାପି ମୋତେ ମଧ୍ୟ ଅନେକ ସମୟରେ ଏସବୁ କାମ କରିବାକୁ ପଡ଼ୁଥିଲା । ଯଜମାନ କାମଛଡ଼ା ଆମ ଘରର ଗୋରୁଗାଈଙ୍କ ରକ୍ଷଣାବେକ୍ଷଣର ଭାର ମୋ ଉପରେ ନ୍ୟସ୍ତ ହୋଇଥିଲା । ମୁଁ ଆଜି ଗର୍ବର ସହିତ ସ୍ମରଣ କରୁଛି ଯେ ମୋର ତତ୍ତ୍ୱାବିଧାନରେ ଆମ ଘରର ଗୋରୁଗାଈମାନଙ୍କ ସ୍ୱାସ୍ଥ୍ୟ ଗାଁ ଭିତରେ ସବୁଠାରୁ ଭଲ ଥିଲା । ଜଙ୍ଗଲରେ, ନଦୀକୁଳରେ, ହୁଡ଼ା ଉପରେ, ବିଲମାନଙ୍କରେ, ଗୁଡ଼ାମାନଙ୍କରେ କିମ୍ବା ଘରଡ଼ିହମାନଙ୍କରେ ଯେଉଁ ସମୟରେ ଯେଉଁ ଘାସ ମିଳୁଥିଲା, ତାକୁ କାଟି କିମ୍ୱା ଚାଞ୍ଛି ଓ ମୁଣ୍ଡରେ ବୋହିଥାଣି ମୁଁ ଗୋରୁମାନଙ୍କୁ ଦେଉଥିଲି । ଆମରି ଚାରି ପାଞ୍ଚୋଟି ଗାଈ ଥିଲେ ଓ ବର୍ଷସାରା ଦୁଧ ଦେଉଥିଲେ । ଗାଈମାନେ ଗୋଠକୁ ଯାଉଥିଲେ କିନ୍ତୁ ବାଛୁରୀମାନଙ୍କୁ ମୁଁ ନିଜେ ଚରାଉଥିଲି । ମୁଁ ମୋର ବାଛୁରୀମାନଙ୍କୁ ଏପରି ଶିକ୍ଷା ଦେଇଥିଲି ଯେ ସେମାନେ ବିଲମାନଙ୍କରେ କେବଳ ହିଡ଼ ଉପରର ଘାସ ଖାଉଥିଲେ; କିନ୍ତୁ ହିଡ଼ ତଳକୁ ଓହ୍ଲାଇ କଦାପି ଧାନଗଛ ଖାଉ ନ ଥିଲେ । ଏ କଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା । ଗୋରୁମାନଙ୍କ ତତ୍ତ୍ୱ ନେବା ଛଡ଼ା ଆମର ସାମାନ୍ୟ ଜମିର ଚାଷକାମରେ ମଧ୍ୟ ମୋତେ ମଧ୍ୟେ ମଧ୍ୟେ ଯୋଗଦେବାକୁ ପଡ଼ୁଥିଲା । ମୂଳିଆ ମୂଲିଆଣୀମାନଙ୍କ ସଙ୍ଗରେ କାମ କରି ମୁଁ ଚାଷକାମର ଅନେକ କଥା ଶିଖିଯାଇଥିଲି । କଢ଼ାଣ, ଦୋହଡ଼, ବୁଣା, ବିହୁଡ଼ା, ବଛା, ରୁଆ ଇତ୍ୟାଦି ସମ୍ବନ୍ଧରେ ମୋର ଜ୍ଞାନ ଅଦ୍ୟାପି ଲୋପପାଇ ନାହିଁ । ଏହାଛଡ଼ା ଆମର ଯେଉଁ ଗୁଡ଼ାମାନଙ୍କରେ ବିରି, କୋଳଥ, ମୁଗ ଇତ୍ୟାଦି ବୁଣାହେଉଥିଲା, ସେଗୁଡ଼ିକ ମୁଁ ଗୋରୁ, ଛେଳି ଓ ମନୁଷ୍ୟ ଉପଦ୍ରବରୁ ରକ୍ଷା କରୁଥିଲି ।

 

ମୁଁ ଶାନ୍ତ, ଅତ୍ୟନ୍ତ ଅଳ୍ପ-ଭାଷୀ ଓ ମନେ ଯୋଗୀ ବାଳକ ଥିଲି । ମୁଁ କାହାରି ସଙ୍ଗରେ ମିଶୁ ନ ଥିଲି । ମା’ ମରିଯିବା ପରେ ନୈରାଶ୍ୟରେ ଏକପ୍ରକାର ନିଃସଙ୍ଗ ଜୀବନ ଯାପନ କରୁଥିଲି-। ଗ୍ରାମରେ ମୋର ସମବୟସୀ ବହୁ ବାଳକ ଥିଲେ, ମାତ୍ର କାହାରି ସଙ୍ଗରେ ମୋର ଘନିଷ୍ଠତା ନ ଥିଲା । ମୁଁ ମୋର ଆତ୍ମମର୍ଯ୍ୟାଦା ପ୍ରତି ଏତେ ସଚେତନ ଥିଲି ଯେ, ଯଦି କେହି ମୋର ଆତ୍ମମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା ଭଳି କୌଣସି କଥା କହୁଥଲା, ତେବେ ମୁଁ ସଙ୍ଗେ ସଙ୍ଗେ ତା ସଙ୍ଗରେ ବାଗ୍‍ଯୁଦ୍ଧ ବା ମୁଷ୍ଟିଯୁଦ୍ଧରେ ପ୍ରବୃତ୍ତ ହୋଇ ପଡ଼ୁଥିଲି । ଏହି ହେତୁରୁ ସମବୟସୀ ପିଲାମାନେ ମୋ ପାଖକୁ ଆସୁ ନ ଥିଲେ । ଚାଷକାମକୁ ଗଳାବେଳେ, ଗୋରୁ ଜଗିବାବେଳେ କିମ୍ୱା ଘାସ କାଟିବାକୁ ଗଲାବେଳେ, ସବୁ ସମୟରେ ମୁଁ ସଙ୍ଗରେ ଖଣ୍ଡେ ବହି ନେଇଯାଉଥିଲି । ବସନ୍ତକୋଇଲି, କେଶବକୋଇଲି, ଭେଟଚଉତିଶା, ମଥୁରାମଙ୍ଗଳ, ବତ୍ରିଶ ସିଂହାସନ, ଶୁକବିଳାସ, ଶିଶୁବୋଧ, କଥାବଳୀ, ବୈଷ୍ଣବ ପାଣିଙ୍କ ନବାଗତ ରଙ୍ଗସଭା, ଧ୍ରୁବଚରିତ ଇତ୍ୟାଦିରୁ କୌଣସି ନା କୌଣସି ଖଣ୍ଡିଏ ମଇଳା ଛିଣ୍ଡା ବହି ମୋ ହାତରେ ରହୁଥିଲା । କାମ କରି କରି ବିରକ୍ତ ଲାଗିଲେ ଖୁବ୍ ବଡ଼ ପାଟିରେ ଗାଇ ଉଠୁଥିଲି–

 

ଲଢ଼ାଇବା ମାନସରେ ମୃଢ଼ କଂସରାଟ,

ଦୃଢ଼ଚିତ୍ତ ଭିଡ଼ି ମନ୍ତ୍ରୀ ମୁଣ୍ଡେ ବାନ୍ଧେ ପାଟ ।

ବୁଢ଼ା ନନ୍ଦମନ୍ଦିରେ ବଢ଼ୁଛି ହଡ଼ାରଖା,

ଅଡ଼ାଇ ଆଣରେ ମନ୍ତ୍ରୀ ଛଡ଼ାଇବି ପଖା ।

ଭେଡ଼ା ପରି ବୁଲାଇ ଉଡ଼ାଇ ଦେବି ମୁଣ୍ଡ,

ଚୂଡ଼ାମନ୍ଥା ପରି ମନ୍ଥି ଦେବି ତାର ପିଣ୍ଡ ।

ମାଡ଼ ମାରୁଛନ୍ତି ଗଉଡ଼ୁଣୀ ମୋଡ଼ି କାନ,

ଗାଢ଼େ ପକାଇ ମାରିବି ଛାଡ଼ିବି ଜୀବନ ।

 

କିମ୍ୱା

 

କୃଷ୍ଣ ଆଜ୍ଞାରେ ରଥ ଚଳାଏ ବୀର, ଗୋପୀ ଡାକନ୍ତି ପଛେ ରହୁ ଅକ୍ରୁର ରେ,

ନ ନିଅ ହରି, ଅନ୍ଧାର କରି ଏହି ଗୋପନଗରୀ ଯେ ।

 

ମୋର ପିଲାକାଳରେ ପାଟି ଲଗୁଥିଲା, ବର୍ତ୍ତମାନ ମଧ୍ୟ ଲାଗୁଛି । ମୋର ଗୀତ ଶୁଣିଲେ ଅନେକେ ହସୁଥଲେ, କନ୍ତୁ ସ୍ଵୀକାର କରୁଥିଲେ ଯେ ସେଥିରେ ମଧୁରତା ରହୁଛି ।

 

ପନ୍ଦରବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ମୁଁ କେବଳ ନିଜ କର୍ମରତ ରହୁଥିଲି । କାହାରି ସଙ୍ଗରେ ପ୍ରାୟ ମିଶୁ ନ ଥିଲି କିମ୍ବା ଖେଳୁ ନ ଥିଲି । ମୋର ଜୀବନ-ଯମୁନାର ପୁଳିନ ଶୁନ୍ୟ ଥିଲା, ଏବଂ ଅନାଗତ ଭବିଷ୍ୟଭର ଦୂରବଂଶୀସ୍ୱନ ମଧ୍ୟ ଶୁଣି ନଥିଲି । ଏହପରି ଭାବରେ ଜୀବନଯାପନ କରୁଥିବାବେଲେ ଦିନେ ବାଲିଜା (ଏକପ୍ରକାର ମୁଗ) ଗୁଡ଼ାରେ ଗାଈମାନଙ୍କ ପାଇଁ ଘାସ କାଟୁଥିବାବେଳେ ରଚୁଆଁ ଉଚ୍ଚ ପ୍ରାଥମିକ ସ୍କୁଲର କୈବଲ୍ୟ ଚରଣ ବେହେରା ଓ ନିଶାକର ଗିରି ନାମକ ଦୁଇଜଣ ଛାତ୍ର ମୋ ପାଖରେ ପହଞ୍ଚି ପଚାରିଲେ–ତୁମ ନାମ କୃଷ୍ଣ ପାଣିଗ୍ରାହୀ ? ମୁଁ କହିଲି-ହଁ । ତା ପରେ ସେମାନଙ୍କ ପ୍ରଶ୍ନ ହେଲା–ତୁମେ ଆମ ହେଡ଼ପଣ୍ଡିତଙ୍କ ପୁଜାହାରୀ କାମ କରିବ ? ମୁଁ କହିଲି–ନା । ଏହାପରେ ସେମାନେ ମୋତେ ବୁଝାଇଥିଲେ ଯେ ହେଡ଼୍‍ପଣ୍ଡିତ ମୋତେ ଖିଆପିଆ ବାଦ୍ ମାସିକ ଦୁଇଟଙ୍କା ଦେବେ, ଏଣୁ ମୋର ଅମଙ୍ଗ ହେବାର କାରଣ ନାହିଁ । ମୁଁ ମୋର ନିଷ୍ପତ୍ତିରେ ଦୃଢ଼ ରହି କହିଲି ଯେ ଆମେ ଠାକୁରାଣୀଙ୍କ ପୂଜାହାରୀ ହୋଇଥିବାରୁ କାହାରି ଘରେ ପୁଜାହାରୀ କାମ କରୁନାହିଁ । କିନ୍ତୁ ହେଡ଼ପଣ୍ଡିତ ଯଦି ମୋତେ ପଢ଼ାଇବେ, ତେବେ ବିନା ବେତନରେ ମୁଁ ତାଙ୍କର ପୂଜାହାରୀ କାମ କରିବି, ମାତ୍ର ବେତନ ନେଇ ପୂଜାହାରୀ କାମ କରିବ ନାହିଁ । ଏହାପରେ ସେମାନେ ଆମ ଘରକୁ ଯାଇ ଏକାନ୍ନବତ୍ତୀ ମୋର ଉପର ଦୁଇଭାଗ ନାରାୟଣନନା ଓ ହରିହରନନାଙ୍କଠାରୁ ମଧ୍ୟ ଠିକ୍ ଏହି ନିଷ୍ପତ୍ତି ଶୁଣିଥିଲେ । ଏଣୁ ହେଡ଼୍‍ପଣ୍ଡିତ ଶ୍ରୀ ଶ୍ୟାମସୁନ୍ଦର ଦାସ ସ୍ଥିର କଲେ ଯେ ମୁଁ ତାଙ୍କ ସ୍କୁଲରେ ପଢ଼ିବି, ସେ ମୋର ଖିଆପିଆର ଭାର ନେବେ ଓ ବିନା ବେତନରେ ମୁଁ ତାଙ୍କର ଭାତ ରାନ୍ଧିବି । ଏହି ଅନୁସାରେ ତହିଁଆର ଦିନ ତାଙ୍କ ସ୍କୁଲର ଆଉ ଜଣେ ପିଲା ମୋ ପାଖକୁ ଆସିଲା, ଏବଂ ହେଡ଼ପଣ୍ଡିତଙ୍କ ପରିବର୍ତ୍ତିତ ସିଦ୍ଧାନ୍ତ ଓ ସର୍ତ୍ତ ମୋ ଭାଇମାନଙ୍କୁ କହି ମୋତେ ରରୁଆଁ ଉଚ୍ଚ ପ୍ରାଥମିକ ସ୍କୁଲକୁ ଘେନିଗଲା । ଦୁଇବର୍ଷ ପୂର୍ବେ ଯେଉଁ ସ୍କୁଲକୁ ପଢ଼ିବା ଆଶାରେ ପୂଜାହାରୀ କାମ କରିବା ପାଇଁ ଯାଇ ନିରାଶରେ ଫେରିଥିଲି, ଭାଗ୍ୟଚକ୍ରର ଆବର୍ତ୍ତନରେ ସେହି ସ୍କୁଲରେ ସେହି ଆଶାରେ ଓ ସେହି ସର୍ତ୍ତରେ ପୁଣି ଛାଇ ରହିଲି । ପୂର୍ବପରି ମୋ ସଙ୍ଗରେ ଥିଲା ଦୁଇଖଣ୍ଡ ଲୁଗା, ଖଣ୍ଡିଏ ଗାମୁଛା, ଗୋଟିଏ ସ୍ଲେଟ୍‍, ଦୂଆତ, କଲମ ଓ କେତେଖଣ୍ଡ ଛିଣ୍ଡା ମଇଳା ବହି ।

Image

 

ତୃତୀୟ ପରିଚ୍ଛେଦ

ଅଦୃଶ୍ୟ କର୍ଣ୍ଣଧାର

 

ମୋର ଜୀବନ-ତରୀ ଅନିର୍ଦ୍ଦିଷ୍ଟ ଗତିରେ ଇତସ୍ତତଃ ହେଉଥିବାବେଳେ କୌଣସି ଅଜ୍ଞାତ ଓ ଅଦୃଶ୍ୟ କର୍ଣ୍ଣଧାରର କରସ୍ପର୍ଶ ତାକୁ ଏହିପରି ଭାବରେ ଗୋଟାଏ କୂଳରେ ଲଗାଇ ଦେଇଥିଲା । ପନ୍ଦରବର୍ଷ ବୟସରେ ମୋର ଯେଉଁ ନୂତନ ଛାତ୍ରଜୀବନ ଆରମ୍ଭ ହେଲା, ତାହା ବହୁବର୍ଷ ଧରି ଚାଲିଲା । ରରୁଆଁ ଊଚ୍ଚ ପ୍ରାଥମିକ ସ୍କୁଲଟି ହୋଇଥିଲା ଗୋଟିଏ ପରତ୍ୟକ୍ତ କଚା ଥାନା ଗୃହରେ । ଥାନା ଅଫିସ୍‍ଘରଟି ହୋଇଥଲା ସ୍କୁଲ ଏବଂ କନେଷ୍ଟବଲମାନଙ୍କ ବେରେକ୍‍ଟି ହୋଇଥିଲା ହେଡ଼ପଣ୍ଡିତଙ୍କ ବାସଗୃହ ଓ ପିଲାମାନଙ୍କ ହଷ୍ଟେଲ । ବଣଜଙ୍ଗଲ, ବିଲବାଡ଼ିରେ ବୁଲି ଓ କାମ କରି ମୁଁ ଏତେବେଳକୁ ଗୋଟିଏ ନିତାନ୍ତ ଗାଉଁଳି ପିଲା ହୋଇ ଯାଇଥିଲି । ଏଣୁ ରୁରୁଆଁର ନୂତନ ପରିବେଶ ମୋତେ ଆଦୌ ଭଲ ଲାଗୁ ନ ଥିଲା; କିନ୍ତୁ ଭବିଷ୍ୟତର ଆଶା ଓ ଆହ୍ୱାନ ମୋତେ ସେଠାରେ କୌଣସିମତେ ବାନ୍ଧି ରଖିଲା ।

 

ମୟୁରଭଞ୍ଜର ଅମର୍ଦାନିବାସୀ ହେଡ଼ପଣ୍ଡିତ ଶ୍ରୀ ଶ୍ୟାମସୁନ୍ଦର ଦାସ ସର୍ବଦା ଖକଡ଼ି ପରହିତ ଦେଶୀଭାବାପନ୍ନ ଜଣେ ଉଦାରଚେତା ବ୍ୟକ୍ତି ଅଟନ୍ତି । ସେ ବର୍ତ୍ତମାନ ସୁଦ୍ଧା ଜୀବିତ ଏବଂ ତାଙ୍କର ଓ ମୋର ପୂର୍ବ ସମ୍ୱନ୍ଧ ଅଦ୍ୟାପି ଅବ୍ୟାହିତ ଅଛି । ମୁଁ ଯେତେବେଳେ ଯାଇ ତାଙ୍କ ପାଖରେ ପହଞ୍ଚିଲି, ସେତେବେଳେ ତାଙ୍କ ବୟସ ପଚିଶରୁ କମ୍ ଥିଲା । ତଥାପି ସେ ଉଦାରଚିତ୍ତରେ ମୋର ଶିକ୍ଷକ, ଅଭିଭାବକ ଓ ଅନ୍ନଦାତାର ଆସନ ଏକାଧାରରେ ଗ୍ରହଣ କରି ମୋର ଶିକ୍ଷକ, ଅଭିଭାବକ ଓ ଅନ୍ନଦାତାର ଆସନ ଏକାଧାରରେ ଗ୍ରହଣ କରି ମୋର ଜୀବନର ଗତିକୁ ବଦଳାଇ ଦେଇଥିଲେ-। ସେ ସ୍କୁଲରେ ମୋର ନାମ ଲେଖିଦେଲେ ଓ ମୁଁ ତାଙ୍କର ଭାତ ରାନ୍ଧୁଥିଲେ ହେଁ, ମୋତେ ସେ ପୂଜାହାରୀ ରୁପେ ଗ୍ରହଣ ନ କରି ଛାତ୍ରରୂପେ ହିଁ ଗ୍ରହଣ କଲେ । ମୁଁ ଜଣେ ଅପଟୁ ଓ ଅନ୍ୟମନସ୍କ ପିଲା ଥିଲି । ଏଣୁ ମୁଁ ତାଙ୍କର ଭାତଡାଲି ମଧ୍ୟ ଭଲଭାବରେ ରାନ୍ଧିପାରୁ ନ ଥିଲି । ତଥାପି ସେ ମୋତେ ତ୍ୟାଗକରି ନ ଥିଲେ, କିମ୍ୱା କେବେ ତ୍ୟାଗ କରିବାର ଧମକ ମଧ୍ୟ ଦେଇ ନ ଥିଲେ ।

 

ଉଚ୍ଚ ପ୍ରାଥମିକ ସ୍କୁଲରେ ପଢ଼ିବାବେଳକୁ ମୋର ପନ୍ଦର ବର୍ଷ ବୟସ ହୋଇ ଯାଇଥିବାରୁ ମୋ ମନରେ ପ୍ରଥମେ ହୀନମନ୍ୟତା ଆସିଯାଉଥିଲା; କିନ୍ତୁ ପରେ ଦେଖିଲି ଯେ, ମୋ ବୟସର ଆଉ କେତେ ଜଣ ପିଲା ମଧ୍ୟ ଆମ କ୍ଲାସରେ ପଢ଼ୁଛନ୍ତି । ଆମ ଆଦିବାସୀ ଅଞ୍ଚଳର ଅତିଭାବକମାନେ ପିଲା ଟିକିଏ ବଡ଼ ନ ହେଲେ ତାକୁ ସ୍କୁଲରେ ରଖୁ ନଥିଲେ; କାରଣ ସ୍କୁଲରେ ପଢ଼ିବା ସମୟରେ ପିଲାକୁ ନିଜ ହାତରେ ରୋଷାଇକରି ଖାଇବାକୁ ପଡ଼ୁଥିଲା । ରରୁଆଁ ଉଚ୍ଚ ପ୍ରାଥମିକ ସ୍କୁଲରେ ମେସ୍‍ ନଥିଲା କିମ୍ୱା ପୂଜାହାରୀ ନଥିଲେ । ପ୍ରତ୍ୟେକ ପିଲା କିମ୍ୱା ଦୁଇ ତିନି ଜଣ ପିଲା ଏକତ୍ର ମିଶି, ନିଜ ହାତରେ ରୋଷାଇ କରି ଖାଉଥିଲେ । ଏଣୁ ମୋର ବୟସ ଓ ରୋଷାଇକାର୍ଯ୍ୟ ସ୍କୁଲରେ ଅଭିନବ ବ୍ୟାପାର ନ ଥିଲା; ମାତ୍ର ମୁଁ ହେଡ଼ପଣ୍ଡିତଙ୍କ ରୋଷେଇ କରୁଥିବାରୁ ମୋର ଶ୍ରମ ଓ ଦାୟିତ୍ୱ ବଢ଼ିଯାଇଥିଲା । ପ୍ରତିଦିନ ଦୋକାନରୁ ସଉଦା ଆଣବା, ପିଲାମାନଙ୍କ ଘରୁ ହେଡ଼ପଣ୍ଡିତଙ୍କ ପାଇଁ ସଞ୍ଚା ସଂଗ୍ରହ କରିବା, କାମତୁଣୀ ନ ଆସିଲେ ନିଜେ କୂଅରୁ ପାଣିଟାଣିବା, ଅଭାବବେଳେ ନିଜେ କାଠଚିରିବା ଇତ୍ୟାଦି କାର୍ଯ୍ୟ ଛଡ଼ା ମୋତେ ଦୁଇଓଳି ରୋଷାଇ କରିବାକୁ ପଡ଼ୁଥିଲା, ଏବଂ ଏଥି ସଙ୍ଗେ ସଙ୍ଗେ ସ୍କୁଲରେ ଓ ସ୍କୁଲସମୟ ପରେ ପିଲାମାନଙ୍କ ସାଙ୍ଗରେ ବସି ପାଠପଢ଼ିବାକୁ ପଡ଼ୁଥିଲା । ସ୍କୁଲ ସମୟ ପରେ ଯେଉଁ ପିଲାମାନେ ହେଡ଼ପଣ୍ଡତଙ୍କ ପାଖରେ ପଢ଼ୁଥିଲେ, ସେମାନେ ତାଙ୍କୁ ମାସିକ ୧ ଟଙ୍କା ଟିଉସନ ଫି ଦେଉଥିଲେ । ମୁଁ ତାଙ୍କୁ କିଛି ଦେଉ ନଥିଲେ ମଧ୍ୟ ସେ ମୋତେ ଟିଉସନ ପିଲାମାନଙ୍କ ସଙ୍ଗରେ ପଢ଼ାଉଥିଲେ । ସ୍କୁଲରେ ଯେଉଁ ସାମୟିକ ପରୀକ୍ଷା ହେଉଥିଲା, ସେଥିରେ ମୁଁ ଖୁବ୍‍ ଭଲ ଫଳ ଦେଖାଇଥିବାରୁ ହେଡ଼ପଣ୍ଡିତ ମହାଶୟ ମୋର ରନ୍ଧାବଢ଼ା କାର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଇ ମୋର ପଢ଼ା ପ୍ରତି ବେଶି ଦୃଷ୍ଟି ଦେଉଥିଲେ ।

 

ଶିକ୍ଷକଙ୍କ ସଦିଚ୍ଛା ସତ୍ତ୍ୱେ ଅତିରିକ୍ତ ପରଶ୍ରମ ହେତୁ ଛ’ମାସ ମଧ୍ୟରେ ମୋର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ପଣ୍ଡିତ ମହାଶୟ ଏହା ଲକ୍ଷ୍ୟ କଲେ ଏବଂ ଗ୍ରାମର ସ୍ତ୍ରୀ-ପୁରୁଷମାନେ ମଧ୍ୟେ ଗୌରକିଶୋରଟି କ୍ରମଶଃ କଳା ପଡ଼ିଯାଉଥିବାର ଦେଖି ତାକୁ ରୋଷାଇକାର୍ଯ୍ୟରୁ ଅବ୍ୟାହତି ଦେବା ପାଇଁ ପଣ୍ଡିତ ମହାଶୟଙ୍କୁ ଅନୁରୋଧ କଲେ । ଫଳରେ ଅଙ୍ଗାରୁଆଶାସନର ଚକ୍ରଧର ମିଶ୍ର ନାମକ ଜଣେ ବ୍ରାହ୍ମଣ ପାଚକ କାର୍ଯ୍ୟରେ ନିଯୁକ୍ତି ପାଇ ହେଡ଼ପଣ୍ଡିତ ତଥା ବୋଡ଼ିଂର ସମସ୍ତ ପିଲାଙ୍କ ରୋଷାଇ କଲେ । ମୁଁ ରୋଷାଇକାର୍ଯ୍ୟରୁ ସମ୍ପୂର୍ଣ୍ଣରୂପେ ଅବ୍ୟାହିତ ପାଇ ମେସ୍‍ରେ ଖାଇ ପଢ଼ିଲି । ମୋର ଖାଇବା ଖର୍ଚ୍ଚ ପିଲାମାନେ ବହନ କରିଥିଲେ କିମ୍ୱା ହେଡ଼ପଣ୍ଡିତ ବହନ କରୁଥିଲେ, ଏ କଥା ମୁଁ ଏ ପର୍ଯ୍ୟନ୍ତ ଜାଣେ ନାହିଁ; କିନ୍ତୁ ବର୍ତ୍ତମାନ ମୋର ମନେହେଉଛି ଯେ ତାହା ହେଡ଼ପଣ୍ଡିତ ବହନ କରୁଥିଲେ ।

 

ମୁଁ ଋରୁଆଁ ସ୍କୁଲରେ ପଢ଼ା ଆରମ୍ଭ କଲାବେଳକୁ ପଞ୍ଚମ ଶ୍ରେଣୀର ପଢ଼ା ଅଧାଅଧି ହେଇଯାଇଥିଲା । ଅତଏବ ସ୍କୁଲରେ ପ୍ରାୟ ପନ୍ଦର ମାସ ପଢ଼ିବା ପରେ ମୋତେ ଉଚ୍ଚ ପ୍ରାଥମିକ ସାର୍ଟିଫିକେଟ୍‍ ପରୀକ୍ଷା ଦେବାକୁ ପଡ଼ିଥିଲା । ପରୀକ୍ଷା ପୂର୍ବରୁ ମୋତେ ଜ୍ଵର ହୋଇଥିବାରୁ ମାସେ କାଳ ଘରେ ପଡ଼ିରହିଥିଲି । ପରୀକ୍ଷା ଦେବାର ପନ୍ଦର ଦିନ ପୂର୍ବରୁ ଦେହ ଭଲ ହୋଇଯିବାରୁ ପରୀକ୍ଷା ଦେବାକୁ ସକ୍ଷମ ହେଲି । ସେତେବେଳେ ରରୁଆଁ ଉଚ୍ଚପ୍ରାଥମିକ ସ୍କୁଲ ଥିଲା ସମଗ୍ର କରଞ୍ଜିଆ ସବ୍‍ଡିଜିଜନର ଏକମାତ୍ର ଉଚ୍ଚ ପ୍ରାଥମିକ ସ୍କୁଲ, ଏବଂ ଏହି ସ୍କୁଲର ପରୀକ୍ଷାର୍ଥୀମାନଙ୍କୁ ବାରିପଦା କେନ୍ଦ୍ରରେ ପରୀକ୍ଷା ଦେବାକୁ ପଡ଼ୁଥିଲା । ଆମ ଗାଁରୁ କରଞ୍ଜିଆ ଦେଇ ସଡ଼କ ରାସ୍ତାରେ ଗଲେ ବାରିପଦାରେ ପହଞ୍ଚିବାକୁ ୯୨ ମାଇଲ୍ ଅତିକ୍ରମ କରିବାକୁ ପଡ଼ୁଥିଲା; ମାତ୍ର ଆମ ଗାଁରୁ ଯଶିପୁର ଦେଇ ବାରିପଦା ଗଲେ ଏହି ଦୂରତ୍ୱରୁ ପ୍ରାୟ ୧୫ ମାଇଲ କମିଯାଉଥିଲା । ଏହି ଦୀର୍ଘ ଦୂରତ୍ୱର ଶେଷ ୨୨ ମାଇଲ ପାଇଁ ବାଙ୍ଗିରିପୋଷିରୁ ବାରିପଦା ପର୍ଯ୍ୟନ୍ତ ଛୋଟ ରେଳଗାଡ଼ି ଥିଲା, ମାତ୍ର ଅବଶିଷ୍ଟ ରାସ୍ତାକୁ ପାଦରେ ଚାଲିବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଯେଉଁମାନେ ଧନୀପିଲା, ସେମାନେ ବାଦାମପାହାଡ଼ରୁ ରେଳଗାଡ଼ି ଧରି ଟାଟାନଗର, ଖଡ଼ଗପୁର ଓ ରୁପ୍‍ସା ଦେଇ ବାରିପଦାରେ ପହଞ୍ଚୁ ଥିଲେ ।

 

ମୋର ଦେହ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲା, ତଥାପି ମୋତେ ପାଦରେ ଚାଲି ବାରିପଦା ଯିବାକୁ ପଡ଼ିଲା । ଭାଇମାନେ ଗୋଟିଏ ବାଛୁରୀ ବିକି ମୋତେ ପାଞ୍ଚୋଟି ଟଙ୍କା ଦେଲେ । ଏହି ଟଙ୍କାରୁ ଚାଉଳ, ଡାଲି, ଚୁଡ଼ା ଇତ୍ୟାଦି କିଣାହେଲା ଏବଂ ଚାଉଳ; ଡାଲି ସହିତ ଭାତରାନ୍ଧିବା ପାଇଁ ପିତ୍ତଳ, ଖାଇବା ପିଇବା ପାଇଁ ଥାଳି-ଲୋଟା, ପିନ୍ଧାଲୁଗା, ବହି ଇତ୍ୟାଦିକୁ ମିଶାଇ ଗୋଟିଏ ବଡ଼ ବୋକଚା କରିଦିଆଗଲା । ମୋର ଜାମା ନ ଥିଲା । କେଉଁକାଳରୁ ଭାଇମାନଙ୍କ ଖଣ୍ଡେ ପୁରୁଣା ପଞ୍ଜାବୀ ପଡ଼ିଥିଲା । ତାକୁ ସଫା କରି ବୋକଚା ଭିତରେ ରଖାଗଲା । ତା ପରେ ଏହି ବୋକଚାକୁ ବୋହି ରରୁଆଁରୁ ଅନ୍ୟ ପିଲା ଓ ସେମାନଙ୍କ ଅଭିଭାବକମାନଙ୍କ ସହିତ ମିଶି ପରୀକ୍ଷା ଦେବା ଆଶାରେ ବାରିପଦା ଆଡ଼କୁ ଯାତ୍ରାକଲି । ସେତେବେଳେ ମାର୍ଗଶିର ମାସ, ଖରା ନ ଥିଲା, କିନ୍ତୁ ଶୀତ ଆରମ୍ଭ ହୋଇଯାଇଥିଲା । ଏଥି ସଙ୍ଗକୁ ଅଦିନିଆ ଅସ୍ରାଏ ବର୍ଷା ବର୍ଷିଯାଇ ଶୀତ ବୃଦ୍ଧିକରିଥିଲା । ନଦୀନାଳ ଦେଖି ସେଠାରେ ଭାତରାନ୍ଧି ଖାଇବା ଏବଂ ଗାଁ ପାଖରେ କିମ୍ୱା ଡାକବଙ୍ଗଳା ପିଣ୍ଡାରେ ରାତିରେ ଶୋଇବା ଛଡ଼ା ବାକି ସମୟ ଚାଲିବାରେ ଯାଉଥିଲା । ଯେଉଁ ଦୀର୍ଘ ରାଜରାସ୍ତା ନିଘଞ୍ଚ ଅରଣ୍ୟାନୀ ମଧ୍ୟରେ ସର୍ପିଳ ଗତିରେ କରଞ୍ଜିଆରୁ ବାରିପଦାକୁ ଯାଇଛି, ସେହି ଋସ୍ତାରେ ଆମ ଯାତ୍ରୀଦଳଟି ଅବିରତ ଗତିରେ ଚାଲିଥିଲା । ସବୁ ପରୀକ୍ଷାର୍ଥୀ ପିଲାଙ୍କ ସଙ୍ଗରେ ଅଭିଭାବକ ଓ ଭାରିଆମାନେ ଥିଲେ; ମାତ୍ର ମୋ ସାଙ୍ଗରେ କେହି ନ ଥିବାରୁ ମୋ ବୋକଚାଟି ମୋତେ ହିଁ ବୋହିବାକୁ ପଡ଼ିଥିଲା । ପ୍ରାୟ କୋଡ଼ିଏ ମାଇଲ୍‍, ଯିବା ପରେ ବୋକଚାର ଭାରରେ ଓ ପଥଶ୍ରମରେ ମୋର ସର୍ବାଙ୍ଗରେ ବ୍ୟଥା ହେଲା । ମୋର ଏ ଦୁଃଖ ଦେଖି ମୋର ଜଣେ ସହପାଠୀର ବଡ଼ଭାଇ ପଦ୍ମନାଭ ସି ମୋ ବୋକଚାରୁ ସମସ୍ତ ଭାରି ଜିନିଷ କାଢ଼ିନେଇ ବୋକଚାଟିକୁ ହାଲୁକା କରିଦେଲେ । ତା ପରେ ମୁଁ ସମସ୍ତଙ୍କ ସଙ୍ଗରେ ଗତିକରି ଚାଲିଲି ।

 

ରାଜରାସ୍ତାର ଉଭୟ ପାର୍ଶ୍ୱରେ ନିଘଞ୍ଚ ଅରଣ୍ୟାନୀର ଅପରୂପ ରୂପ, ବାଙ୍ଗିରିପୋଷି ଗିରିପଥର ଭୀମକାନ୍ତ ବେଶ, ରୁପ୍‌ସା-ତାଡ଼ବନ୍ଧ ଲାଇଟ୍‍ ରେଳଲାଇନ୍‍ର ଧୁମୋଦ୍‍ଗାରୀ ଇଞ୍ଜିନ୍‍, ବାରିପଦାର ସୌଧାବଳି, ଗୁଜୂରୀ ବଜାର ଇତ୍ୟାଦି ସ୍ୱପ୍ନରାଜ୍ୟ ସୃଷ୍ଟିକରି ମୋର ମନରେ ନୂତନ ଦିଗନ୍ତ ସୃଷ୍ଟି କରିଥଲା । ବାରିପଦାରେ ପ୍ରାୟ ଆଠଦିନ ରହି ପରୀକ୍ଷା ଦେଇ, ଶେଷଦିନରେ ବକ୍ତୃତା ଓ ଗ୍ରାମ୍ ଫୋନ୍‍ ସଙ୍ଗୀତ ଶୁଣି, ସମସ୍ତେ ବାହୁଡ଼ା ଯାତ୍ରା ଆରମ୍ଭ କଲୁଁ । ବାରିପଦାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ତୃତୀୟ ଶ୍ରେଣୀ ରେଳଭଡ଼ା ସାଢ଼େ ସାତଅଣା ଥିଲା, ମାତ୍ର ସେତିକି ଦେବା ପାଇଁ ଆମ ଦଳର କେହି ରାଜି ହେଲେ ନାହିଁ । ଫଳରେ ସମସ୍ତେ ବାରିପଦାଠାରୁ ପଦଯାତ୍ରା ଆରମ୍ଭ କରି ଚାରିଦିନରେ ଦୀର୍ଘପଥ ଅତିକ୍ରମ କରିବା ପରେ ସ୍ୱ-ସ୍ୱ ଗ୍ରାମରେ ପହଞ୍ଚିଥିଲୁଁ । ଆଜିକାଲି ଯଦି କାହାରିକୁ ଏହିପରି ଭାବରେ ଉଚ୍ଚ ପ୍ରାଥମିକ ପରୀକ୍ଷା ଦେବାକୁ ପଡ଼େ, ତେବେ ସେ ହୁଏ ତ ଭାବିବେ ଯେ ଏହା ଏକ କାଞ୍ଚିବିଜୟ !

 

ପରୀକ୍ଷାର ଫଳ ବାହାରିଲା ପରେ ଖବର ପାଇଲି ଯେ ମୁଁ ମାସିକ ପାଞ୍ଚଟଙ୍କା ହାରରେ ଦୁଇବର୍ଷ ପାଇଁ ବୃତ୍ତିପାଇଛି । ମୋର ଆନନ୍ଦର ସୀମା ରହିଲା ନାହିଁ । ସଜବାଜ ହୋଇ କରଞ୍ଜିଆ ମଧ୍ୟଇଂରାଜୀ ସ୍କୁଲକୁ ଯାଇ ବୋଡ଼ିଂରେ ରହିଲି, ମାତ୍ର ହେଡ଼ମାଷ୍ଟର ଶ୍ରୀ ଈଶ୍ୱର ଚନ୍ଦ୍ର ମହାନ୍ତି ମୋତେ ମଧ୍ୟଇଂରାଜୀ କ୍ଲାସରେ ଗ୍ରହଣ କରିବାକୁ ରାଜି ହେଲେ ନାହିଁ । ରରୁଆଁ ଉଚ୍ଚ ପ୍ରାଥମିକ ସ୍କୁଲରେ ଇଂରାଜୀ ଶିକ୍ଷାଦେବାର ବ୍ୟବସ୍ଥା ନ ଥିଲା, ତଥାପି ଆମ ହେଡ଼ପଣ୍ଡିତ ଆମ୍ଭମାନଙ୍କୁ କିଛି କିଛି ଇଂରାଜୀ ପଢ଼ାଇଥିଲେ । ହେଡ଼ମାଣ୍ଡର ମହୋଦୟ ଏହାକୁ ବିଧିବଦ୍ଧ ଇଂରାଜୀ ଜ୍ଞାନ ବୋଲି ସ୍ଵାକାର ନ କରି ମୋତେ ପଚାରିଲେ–ମୋର ଦୁଇଟି ହାତ ଅଛି, ଏହା ଇଂରାଜୀ କଅଣ ହେବ, କୁହ । ମୁଁ ତତକ୍ଷଣାତ୍‍ କହିଲି –My has two hand, ଏଥିରେ ସେ ରାଗିଯାଇ ମୋତେ ବର୍ଷେ ଉଚ୍ଚପ୍ରାଥମିକ କ୍ଲାସରେ କେବଳ ଇଂରାଜୀ ପଢ଼ିବା ପାଇଁ ଆଦେଶ ଦେଲେ । ମୁଁ ବୁତ୍ତିଟି କେବଳ ଦୁଇବର୍ଷ ପାଇଁ ପାଇଥିଲି । ଏଣୁ ଏ ଆଦେଶ ପାଇ ମୋର ମାଇନର୍‍ ପାଶ୍ କରବାର ପାଣି ଫାଟିଗଲା । ମୁଁ କରଞ୍ଜିଆ ସ୍କୁଲକୁ ଆସିବା ପୁର୍ବରୁ ମୋ ସଙ୍ଗରେ ଉଚ୍ଚପ୍ରାଥମିକ ପାଶ୍‍ କରିଥିବା ଆଉ ଜଣେ ପିଲାକୁ ମାଇନର କ୍ଲାସରେ ଗ୍ରହଣ କରାଯାଇଥିଲା । ସେକେଣ୍ଡ ମାଷ୍ଟ୍ରର ଶ୍ରୀ ପଦ୍ମଲୋଚନ ମହାପାତ୍ର ଏହି ନଜିର ଦେଖାଇ ମୋତେ ମଧ୍ୟ ମଧ୍ୟଇଂରାଜୀ କ୍ଲାସରେ ଗ୍ରହଣ କରିବାକୁ ହେଡ଼ମାଷ୍ଟରକୁ ଅନୁରୋଧ କଲେ । ହେଡ଼ମାଣ୍ଡର ତାଙ୍କ ଯୁକ୍ତିକୁ ଖଣ୍ଡନ କରି ନ ପାରି, ମୋତେ ମଧ୍ୟ ମାଇନର କ୍ଲାସରେ ଭର୍ତ୍ତି କଲେ । ଫଳରେ ମୁଁ ଏହିଠାରୁ ନିରବଚ୍ଛିନ୍ନ ଉଚ୍ଚଶିକ୍ଷା ପାଇବାର ସୁବିଧା ପାଇଲି । ହେଡ଼ମାଷ୍ଟର ମହୋଦୟ ମୋ ପ୍ରତି ପକ୍ଷପାତିତା କରି ନ ଥିଲେ । ମୋର ଇଂରାଜୀଜ୍ଞାନ ପ୍ରକୃତରେ ଅତ୍ୟନ୍ତ ଅଳ୍ପ ଥିବାରୁ ସେ ମୋତେ ଉଚ୍ଚଶ୍ରେଣୀରେ ଗ୍ରହଣ କରିବାକୁ ଅନିଚ୍ଛୁକ ହୋଇଥିଲେ । ମୁଁ ତାଙ୍କ ସ୍କୁଲରେ ପ୍ରଥମ ପରୀକ୍ଷାରେ ଇଂରାଜୀରେ ଭଲ ନମ୍ବର ରଖିବାରୁ ସେ ଅତ୍ୟନ୍ତ ଆନନ୍ଦିତ ହୋଇ ହେଡ଼ପଣ୍ଡିତ ଶ୍ରୀ ଉଦୟନାଥ ନନ୍ଦଙ୍କୁ ଡାକି କହିଲେ–‘‘ପଣ୍ଡିତ ମହାଶୟ, ଦେଖିଲେଣି ? ଏ କୃଷ୍ଣ ପାଣିଗ୍ରାହୀଟା ଖୁବ୍ ଭଲ ପଢ଼ିବ ହୋ ।’’

 

ମାଇନର୍‍ କ୍ଲାସରେ ପଢ଼ିବା ପରଠାରୁ ମୋତେ ଆଉ ଦାରିଦ୍ର୍ୟ ସହିତ ବେଶି ସଂଗ୍ରାମ କରିବାକୁ ପଡ଼ି ନ ଥିଲା । ମୁଁ ଯେଉଁ ପାଞ୍ଚଟଙ୍କା ବୃତ୍ତି ପାଉଥିଲି, ସେଥିରେ ମୋର ସମସ୍ତ ପଢ଼ାଖର୍ଚ୍ଚ ଚଳିଯାଇ କିଛି ବଳି ପଡ଼ୁଥିଲା । ମେସ୍‍ର ଦେୟ ଥିଲା ଅଠରସେର ଚାଉଳ ଓ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ବାବଦ ଦୁଇ ଟଙ୍କା । ଟଙ୍କାଟିଏ ଦେଲେ ଅଠର ସେର ଚାଉଳ ମିଳିଯାଉଥିଲା । ଏଣୁ ମୁଁ ଅଭାବଗ୍ରସ୍ତ ଛାତ୍ର ନଥିଲି । ମାଇନର୍‍ ପରୀକ୍ଷାରେ ସାତଟଙ୍କା ମୋ ମେଟ୍ରିକ୍ୟୁଲେସନରେ କୋଡ଼ିଏ ଟଙ୍କା ଏବଂ ଆଇ.ଏ.ରେ ପଚିଶ ଟଙ୍କା ବୃତ୍ତି ପାଇଲି । ଏଣୁ ବୃତ୍ତିମାନଙ୍କ ସାହାଯ୍ୟରେ ହିଁ ପଢ଼ିବା ପାଇଁ ମୋତେ ସମ୍ପୂର୍ଣ୍ଣ ସୁବିଧା ମିଳିଗଲା । ମେଟ୍ରିକ୍ୟୁଲେସନ୍‍, ଆଇ.ଏ.ଓ.ବି.ଏ. ପରୀକ୍ଷା ପାଇଁ ମୋତେ ଯେଉଁ ଫିସ୍‍ ଦେବାକୁ ପଡ଼ିଥିଲା, ସେ ସବୁ ମୋତେ ମୟୁରଭଞ୍ଜର ତତ୍‍କାଳୀନ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଦେଇଥିଲେ । ଏଣୁ ମୁଁ ବି.ଏ.ପାଶ୍‍ କରିବା ପର୍ଯ୍ୟନ୍ତ ନିର୍ବିଘ୍ନରେ ପଢ଼ିବାର ସୁବିଧା ପାଇଥିଲି ।

 

ଏ ସମୟର ଛାତ୍ରମାନଙ୍କ ଜୀବନ ଅଭ୍ୟନ୍ତ ସରଳ ଓ ନିରାଡ଼ମ୍ବର ଥିଲା । ଏଣୁ ଛାତ୍ର ଜୀବନରେ ଅଧିକ ଖର୍ଚ୍ଚ କରିବାର କୌଣସି ସମ୍ଭାବନା ଓ ସୁବିଧା ନ ଥିଲା । ମାଇନର ପାଶ୍‍ କରିବା ପର୍ଯ୍ୟନ୍ତ ମୋର କୌଣସି ସମସାମୟିକ ଛାତ୍ର ଜୋତା ବ୍ୟବହାର କରିବାର ମୁଁ ଦେଖିନାହଁ । ଛାତ୍ରମାନଙ୍କ ମଧ୍ୟରୁ କେହି କେହି ଖଣ୍ଡିଏ ଖଣ୍ଡିଏ ଚାଦର ଓ କେହି କେହି ଖଣ୍ଡିଏ ଖଣ୍ଡିଏ ଜାମା ପିନ୍ଧି କ୍ଲାସରେ ବସୁଥିଲେ, କିନ୍ତୁ କ୍ଲାସ ପରେ ସମସ୍ତେ ଖାଲି ଦେହରେ ରହୁଥଲେ । କେହି ମୁଣ୍ଡରେ ବେଶି ବାଳ ରଖୁ ନ ଥିଲେ, କିମ୍ୱା ଟେରୀ କାଟୁ ନ ଥିଲେ । ଯେ ଏହି ସାଧାରଣ ନିୟମର ବ୍ୟତିକ୍ରମ କରୁଥିଲା, ସେ ବ୍ୟଙ୍ଗବିଦ୍ରୂପର ପାସ ହେଉଥିଲା ଓ ଶିକ୍ଷକଙ୍କ ଦ୍ୱାରା ଭର୍ତ୍ସିତ ହେଉଥିଲା । ସ୍କୁଲ ବୋର୍ଡ଼ିଂରେ ଜାତିଭେଦକୁ ବହୁ ପରିମାଣରେ କୋହଳ କରାଯାଇଥିଲା । ଏଠାରେ ଆଦିବାସୀ ଓ ହରିଜନ ସମେତ ସମସ୍ତ ଜାତିର ପିଲାମାନେ ଏକତ୍ର ବାସ କରୁଥିଲେ ଏବଂ ଏକ ଧାଡ଼ିରେ ବସି ଭୋଜନ କରୁଥିଲେ । କେବଳ ବ୍ରାହ୍ମଣ ପିଲାମାନେ ଖାଇବାବେଳେ ସ୍ୱତନ୍ତ୍ର ଧାଡ଼ିରେ ବସୁଥିଲେ ।

 

ବାରିପଦା ହାଇସ୍କୁଲର ‘‘ଫ୍ରେଜର୍‍ ହଷ୍ଟେଲ’’ରେ ରହିବାବେଳେ ଜାତିଭେଦ ଆହୁରି ବେଶି କୋହଳ ହୋଇଯାଇଥିଲା । ଏଠାରେ ବ୍ରାହ୍ମଣ ସମେତ ସମସ୍ତ ଜାତିର ପିଲାମାନେ ଏକତ୍ର ବସି ଭୋଜନ କରୁଥିଲେ । ପାଚକମାନଙ୍କ ଅନୁପସ୍ଥିତିରେ ଯେ କୌଣସି ଜାତିର ପିଲା, ଏପରି କି ଆଦିବାସୀ କିମ୍ୱା ହରିଜନ ପିଲା ମଧ୍ୟ, ଭାତ ତରକାରୀ ରାନ୍ଧିଲେ ସମସ୍ତ ଜାତିର ପିଲାମାନେ ବିନା ଆପତ୍ତିରେ ଭୋଜନ କରୁଥିଲେ । ବାରିପଦା ହାଇସ୍କୁଲକୁ ଆସିବା ପରେ ମୋର ଜାତିଭେଦର ଧାରଣା ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ଜାତିଭେଦରୁ ମୁକ୍ତି ପାଇ ମୁଁ ଅତ୍ୟନ୍ତ ମୁକ୍ତ ଓ ଆନନ୍ଦିତ ହେଉଥିଲି । ଛାତ୍ରାବାସରେ ଆମ୍ଭମାନଙ୍କ ଜୀବନ ଅତ୍ୟନ୍ତ ଶୃଙ୍ଖଳିତ ଥିଲା । ପରମ୍ପରା ଅନୁସାରେ ଉଚ୍ଚଶ୍ରେଣୀର ଛାତ୍ରମାନଙ୍କୁ ନିମ୍ପଶ୍ରେଣୀର ଛାତ୍ରମାନେ ‘‘ଆପଣ’’ ସମ୍ୱୋଧନ କରୁଥିଲେ ଓ ସେମାନଙ୍କଠାରୁ ‘‘ତୁମେ’’ ସମ୍ୱୋଧନ ପାଉଥିଲେ । ଛାତ୍ରାବାସର ଶୃଙ୍ଖଳା ଏତେ ସୁଦୃଢ଼ ଥିଲା ଯେ ଉଚ୍ଚଶ୍ରେଣୀର ପିଲାମାନଙ୍କ ସମ୍ମୁଖରେ କେହି ହସିବା କିମ୍ୱା ଉଚ୍ଚକଣ୍ଠରେ କଥା କହିବାକୁ ସାହସ କରୁ ନଥିଲେ । ବସ୍ତୁତଃ ନିମ୍ନଶ୍ରେଣୀର ପିଲାମାନେ ଶିକ୍ଷକମାନଙ୍କୁ ଯେପରି ସମ୍ମାନ ଦେଖାଉଥିଲେ ଓ ଯେପରି ଭୟ କରୁଥିଲେ, ଉଚ୍ଚଶ୍ରେଣୀ ପିଲାମାନଙ୍କୁ ମଧ୍ୟ ଠିକ୍‍ ସେହିପରି ସମ୍ମାନ ଦେଖାଉଥିଲେ ଓ ସେହିପରି ଭୟ କରୁଥିଲେ । ନିଜ ସମ୍ମାନ ବଜାୟ ରଖିବା ପାଇଁ ଉଚ୍ଚଶ୍ରେଣୀର ପିଲାମାନେ ନିମ୍ନଶ୍ରେଣୀର ପିଲାମାନଙ୍କ ସମ୍ମୁଖରେ କୌଣସି ଅସଙ୍ଗତ କଥା କହୁ ନଥିଲେ କିମ୍ୱା କୌଣସି ଅସଙ୍ଗତ କାର୍ଯ୍ୟ କରୁ ନଥିଲେ । ଫଳରେ ଛାତ୍ରାବାସର ବାତାବରଣ ଅଧ୍ୟୟନ ପାଇଁ ଅତ୍ୟନ୍ତ ଅନୁକୂଳ ଥିଲା । ଗୋଟିଏ ଗୋଟିଏ ଛୋଟ କୋଠରୀରେ ଆଠଜଣ ଲେଖାଏଁ ଛାତ୍ର ବାସକରୁଥିଲେ ହେଁ ପଢ଼ା ସମୟରେ ଏଠାରେ କୌଣସି ପ୍ରକାର ଗୋଳମାଳ ହେଉ ନଥଲା ।

 

୧୯୩୧ ମସିହାରୁ କଟକ ରେଭେନ୍‍ସା କଲେଜରେ ଅଧ୍ୟୟନ କରିବାବେଳେ ମୁଁ ଦେଖିଲି ଯେ ଛାତ୍ରମାନଙ୍କ ମଧ୍ୟରେ ଜାତିଧର୍ମର ବିଭେଦ କିଛି ନାହିଁ । ସମସ୍ତ ଜାତିର ପିଲା ଏକତ୍ର ବାସ କରି ଏକତ୍ର ଭୋଜନ କରୁଥିଲେ । ତା ଛଡ଼ା ହିନ୍ଦୁ ଛାତ୍ରମାନେ ଖ୍ରୀଷ୍ଟିୟାନ ଓ ମୁସଲମାନମାନଙ୍କଠାରୁ ମଧ୍ୟ ନିର୍ବିକାରରେ ସମସ୍ତ ପ୍ରକାର ଖାଦ୍ୟ ଖାଉଥିଲେ । ମୋ ମନରେ ଜାତିଧର୍ମର ଯେଉଁ ବାଛବିଚାର ଥିଲା, ତାହା ଏହିଠାରେ ସମାଧିଲାଭ କରିଥିଲା । ରେଭେନ୍‍ସା କଲେଜର ସୁବୃହତ୍‍ ଉତ୍ତୁଙ୍ଗ ଅଟ୍ଟାଳିକା ଏବଂ ଅଧ୍ୟାପକମାନଙ୍କ ଓ ସ୍ୱଚ୍ଛଳ ଛାତ୍ରମାନଙ୍କ ଅଭିରୁଚିପୂର୍ଣ୍ଣ ବେଶଭୂଷା ଏଠାରେ ଆଭିଜାତ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲା । ମାତ୍ର ମୁଁ ସ୍ୱଚ୍ଛଳଶ୍ରେଣୀର ଛାତ୍ର ନଥିଲି । ଯେଉଁ କୋଡ଼ିଏ ଟଙ୍କା ବୃତ୍ତି ପାଉଥିଲି, ତାହାକୁ ହିଁ ସମ୍ବଳ କରି ମୋତେ ଚଳିବାକୁ ପଡ଼ୁଥିଲା । ଏଣୁ ବାରିପଦାରୁ ଆସି କଟକ ପହଞ୍ଚିବା ପରେ ଛାତ୍ରଜୀବନର ଯେଉଁ ମହାପରିବର୍ତ୍ତନ ଘଟିଲା, ସେଥିରେ ମୁଁ ବେଶୀ ପ୍ରଭାବିତ ହୋଇ ନଥିଲି । ଅର୍ଥର ସ୍ୱଳ୍ପତା ହେତୁ ହଷ୍ଟେଲରେ ନ ରହି କୌଣସି ମେସରେ ରହିବା ପାଇଁ ମୁଁ ସ୍ଥିର କରିଥିଲି; ମାତ୍ର ପୂର୍ବଛାତ୍ରାବାସର ତତ୍‍କାଳୀନ ସୁପରିଣ୍ଟେଣ୍ଡେଣ୍ଟ ଅଧ୍ୟାପକ ଗୁରୁଚରଣ ମହାନ୍ତି ଓ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଧ୍ୟାପକ ହରିବନ୍ଧୁ ମହାନ୍ତି ମୋତେ ନାନାଭାବରେ ପ୍ରବର୍ତ୍ତାଇ ପୂର୍ବଛାତ୍ରାବାସରେ ରଖାଇଲେ । ସେତେବେଳେ ଛାତ୍ର ଅଭାବରୁ ଛାତ୍ରାବାସର ଅନେକ ସ୍ଥାନ ଖାଲି ପଡ଼ୁଥିଲା । ଏଣୁ ଭଲ ଛାତ୍ରମାନଙ୍କୁ ପ୍ରବର୍ତ୍ତାଇ ଛାତ୍ରାବାସରେ ସ୍ଥାନଦେବା କର୍ମକର୍ତ୍ତାମାନଙ୍କ କର୍ତ୍ତବ୍ୟ ଥିଲା । ମୁଁ ଏହି ଅଧ୍ୟାପକ ଦ୍ୱୟଙ୍କଠାରେ ଋଣୀ ରହିଛି, କାରଣ ସେମାନଙ୍କ ପ୍ରବର୍ତ୍ତନା ଦ୍ୱାରା ହିଁ ମୁଁ ଛାତ୍ରାବାସରେ ରହି ଶୃଙ୍ଖଳିତ ଜୀବନଯାପନ କରିବାର ସୁବିଧା ପାଇଥିଲି ।

 

ଛାତ୍ରଜୀବନର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ମୁଁ ଓଡ଼ିଆ ସାହିତ୍ୟ, ସଂସ୍କୃତ ଓ ଇତିହାସକୁ ଅନ୍ତରର ସହିତ ଆଦର କରି ଆସିଛି । ଅନ୍ୟ ବିଷୟମାନଙ୍କ ପ୍ରତି ମୋର ଅବଜ୍ଞା ବା ଅନାଦର ନାହିଁ, କିନ୍ତୁ ଏହି କେତୋଟି ବିଷୟ ମୋର ଅତ୍ୟନ୍ତ ପ୍ରିୟ । ଏଣୁ ମେଟ୍ରିକ୍ୟୁଲେସନ ଠାରୁ ଏମ୍‍.ଏ. ପର୍ଯ୍ୟନ୍ତ ଏହି ତିନୋଟି ବିଷୟରେ ବିଶେଷ ଜ୍ଞାନ ଲାଭ କରିବା ପାଇଁ ଏଗୁଡ଼ିକକୁ ହିଁ ବାଛିନେଇଥିଲି-। ମେଟ୍ରିକ୍ୟୁଲେସନ୍‍ରେ ମୋର ଏଡ଼ିସନାଲ ବା ଅପ୍‍ସନାଲ୍‍ ବିଷୟ ଥିଲା ସଂସ୍କୃତ, ଆଇ.ଏ.ରେ ସଂସ୍କୃତ, ଇତିହାସ ଓ ଲଜିକ୍‍କୁ ବାଛି ନେଇଥିଲି, ଏବଂ ବି.ଏ.ରେ ମୋର ନିର୍ବାଚିତ ବିଷୟ ଥିଲା ସଂସ୍କୃତ ଓ ଇତିହାସ । ଏଥିପାଇଁ ମୋର ସହପାଠୀମାନେ ମୋତେ ଓ ମୋର ନିର୍ବାଚିତ ବିଷୟମାନଙ୍କୁ ତାଚ୍ଛଲ୍ୟ କରୁଥିଲେ, କିନ୍ତୁ ମୁଁ ଏ ବିଷୟଗୁଡ଼ିକ ପ୍ରତି ସର୍ବସମୟରେ ଓ ସର୍ବାନ୍ତଃକରଣରେ ନିଷ୍ଠା ପ୍ରଦର୍ଶନ କରି ନିଜେ ସୁଖୀ ଥିଲି । ସେତ୍ତେବେଳେ Ravenshawvian ଛଡ଼ା କଲେଜ ଛାତ୍ରାବାସମାନଙ୍କରୁ ଅନ୍ୟ କୌଣସି ପତ୍ରିକା ପ୍ରକାଶିତ ହେଉ ନଥିଲା; ମାତ୍ର ପୂର୍ବ ଛାତ୍ରାବାସରେ ‘ପ୍ରାଚୀତାରା ସମିତି’ ନାମକ ଗୋଟିଏ ସାହିତ୍ୟ ସମିତି ଥିଲା ଏବଂ ‘ଜାଗରଣ’ ନାମକ ଗୋଟିଏ ହାତଲେଖା ପତ୍ରିକା ବାହାରୁଥିଲା । ମୁଁ ଉଭୟ ସହିତ ସହଯୋଗ କରୁଥିଲି । ସମସ୍ତ ତରୁଣ ଯେପରି କବିତା ପ୍ରତି ଆକୃଷ୍ଟ ହୋଇ ପ୍ରଥମେ କବିତା ଲେଖିଥାନ୍ତି, ମୁଁ ମଧ୍ୟ ସେହିପରି ପ୍ରଥମେ କବିତା ଲେଖୁଥିଲି ମାତ୍ର ପରେ ପ୍ରବନ୍ଧ ଓ ଗବେଷଣା ପ୍ରତି ମନୋନିବେଶ ବଲି । କଲେଜର ଖେଳକସରତ୍‍ ପ୍ରତି ମୋର ଆଦର ଥିଲା, ମାତ୍ର ମୁଁ ସେଥିରେ ପୂର୍ଣ୍ଣପ୍ରାଣରେ ଯୋଗଦେଉ ନ ଥିଲି ।

 

ଛାତ୍ରାବାସରେ ଖାଦ୍ୟପେୟର ବ୍ୟବସ୍ଥା ଅତ୍ୟନ୍ତ ଉତ୍ତମ ଥିଲା । ମେସ୍‍ ଖର୍ଚ୍ଚ ମାସିକ ଦଶଟଙ୍କା ବା ବାରଟଙ୍କା ଦେବାପରେ ଆମ୍ଭମାନଙ୍କୁ ପ୍ରତିଦିନ ଭାତ, ଡାଲି, ତରକାରି, ସନ୍ତୁଳା, ଭଜା, ଖଟା ଓ ମାଛ ଖାଇବାକୁ ମିଳୁଥିଲା । ତା’ଛଡ଼ା ପ୍ରତି ଶନିବାରେ ଥରେ ମାଂସ ସହିତ ଭୋଜି ଓ ପ୍ରତିମାସରେ ଥରେ ମାଂସ, ପଲାଉ ଇତ୍ୟାଦି ସହିତ ଗୋଟିଏ ବଡ଼ଧରଣର ଭୋଜି ଖାଇବାକୁ ମିଳୁଥିଲା । ଉଭୟ ଛାତ୍ରାବାସରେ ଗୋଟିଏ ଗୋଟିଏ ମିଷ୍ଟାନ୍ନ ଭଣ୍ଡାର ଥିଲା ଓ ଛାତ୍ରାବାସର ଚାକରମାନେ ସେଗୁଡ଼ିକରୁ ପୁରି, ରସଗୋଲା ଇତ୍ୟାଦି ବରାଦ ଅନୁସାରେ ଘେନିଆସି ପିଲାମାନଙ୍କ ଟେବୁଲରେ ଥୋଇ ଦେଉଥିଲେ । ଗୋଟିଏ ବଡ଼ ପୁରିର ଦାମ ଏକ ପଇସା ଓ ଗୋଟିଏ ବଡ଼ ରସଗୋଳାର ଦାମ୍‍ ଥିଲା ତିନି ପଇସା ବା ଚାରି ପଇସା । ଟଙ୍କାରେ କଟକୀ ସେରରେ ଦଶ ବା ବାର ସେର ସରୁଚାଉଳ ମିଳୁଥିଲା । ମାଛ ଦର ଥିଲା ସେର ପ୍ରତି ଚାରିଅଣାରୁ ଆଠଅଣା ଓ ପରିବା ଦର ଥିଲା ଦୁଇଅଣାରୁ ଆଠଅଣା । ଆମ୍ଭେମାନେ ମାତ୍ର ୧୦/୧୨ ଟଙ୍କାଦେଇ ଯେଉଁ ଖାଦ୍ୟ ଖାଉଥିଲୁଁ, ତାହା ଆଜି ରାଜକୀୟ ଖାଦ୍ୟ ବୋଲି ବିବେଚିତ ହେବ ।

 

ରେଭେନ୍‍ସା କଲେଜରେ ମୋର ଛାତ୍ରଜୀବନ ଚାରିବର୍ଷ ମଧ୍ୟରେ ଶେଷ ହେଲା । ୧୯୩୫ ମସିହାରେ ଇତିହାସରେ ଅନର୍ସ ସହିତ ବି.ଏ.ପାଶ୍‍ କରିବା ପର ଜୀବନ ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ଏ ସମୟରେ ଓଡ଼ିଶାରେ ଉଚ୍ଚଶିକ୍ଷାସମ୍ପନ୍ନ ବ୍ୟକ୍ତିମାନଙ୍କ ସଂଖ୍ୟା ଅଳ୍ପ ଥିଲେ ହେଁ ଏମାନେ ସହଜରେ ଚାକିରି ପାଉ ନଥିଲେ । ଚାକିରି ସଂଖ୍ୟା ଅତ୍ୟନ୍ତ ଅଳ୍ପ ଥିଲା ଏବଂ ଚାକିରି ପାଇବା ବହୁ ଭାଗ୍ୟର କଥା ଥିଲା । ଯେଉଁ ଛାତ୍ରମାନେ କୃତିତ୍ୱ ସହିତ ଏମ୍‍.ଏ. ବା ଏମ୍‍.ଏସ୍‍ସି. ପାଶ କରୁଥିଲେ, ସେମାନେ କଲେଜ ଲେକ୍‍ଚରର ଚାକିରି କିମ୍ୱା ସବ୍‍ଡେପୁଟି ବା ଡେପୁଟି ମାଜିଷ୍ଟ୍ରେଟ୍‍ ଚାକିରି ପାଇବାର ଆଶା କରୁଥିଲେ; ମାତ୍ର ଏପରି ଚାକିରି ସଂଖ୍ୟା ସ୍ୱଳ୍ପ ଥିଲା । ରେଭେନ୍‍ସା କଲେଜ ଓଡ଼ିଶାର ଏକମାତ୍ର କଲେଜ ଥିଲା ଏବଂ ସେଥିରେ ଡେପୁଟି ବା ସବ୍‍ଡେପୁଟି ଚାକିରି ଦେବାବେଳେ ବହୁପ୍ରକାର କଟକଣା କରୁଥିଲା । ଏହି ସମୟରେ ମହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସ୍ୱଦେଶୀ ଆନ୍ଦୋଳନ ଚାଲିଥିଲା, ସେଥରେ ଯେଉଁମାନେ କୌଣସି ପ୍ରକାରରେ ସମ୍ପୃକ୍ତ ହେଉଥିଲେ, ସେମାନେ ସରକାରୀ ଚାକିରିରୁ ବଞ୍ଚିତ ହେଉଥିଲେ । ଗଡ଼ଜାତ ଅଞ୍ଚଳର ପିଲାମାନଙ୍କୁ ବ୍ରିଟିଶ୍‍ ସରକାରଙ୍କ ଚାକିରି ସହଜରେ ମିଳୁ ନଥିଲା । ଏହିସବୁ କଟକଣା ମଧ୍ୟରେ ସରକାରୀ ଚାକିରି ପାଇବା ଏକ ବହୁ ଭାଗ୍ୟ ବିଷୟ ଥିବାରୁ ମୋ ସମୟର ପିଲାମାନଙ୍କ ଏପରି କି ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ କୃତୀ ଛାତ୍ରମାନଙ୍କ, ସ୍କୁଲ ଶିକ୍ଷକତା କରିବା ହିଁ ଏକମାତ୍ର ପନ୍ଥା ଥିଲା ।

 

ବି.ଏ.ପାଶ କରିବା ପରେ ମୁଁ ମଧ୍ୟ ଏହି ପନ୍ଥା ଅନୁସରଣ କରି ମୟୁରଭଞ୍ଜ ମହାରାଜାଙ୍କ ନୟାବସାଣ ଜମିଦାରିର ଗୋଟିଏ ହାଇସ୍କୁଲରେ ଖାଲିଥିବା ଗୋଟିଏ ଚାକିରି ପାଇଁ ଚେଷ୍ଟା କରୁଥିଲି, ମାତ୍ର ଅଦୃଶ୍ୟ କର୍ଣ୍ଣଧାରଙ୍କ କରସ୍ପର୍ଶ ମୋ ଜୀବନତରୀକୁ ଅନ୍ୟଦିଗକୁ ଚଳାଇ ଦେଇଥିଲା । ମୟୁରଭଞ୍ଜର ସ୍ୱର୍ଗୀୟ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଜଣେ ବିଦ୍ୟୋତ୍ସାୟୀ ବ୍ୟକ୍ତି ଥିଲେ ଏବଂ ଭାରତର ପ୍ରାଚୀନ କଳା ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ମୟୁରଭଞ୍ଜର ପ୍ରାଚୀନ ରାଜଧାନୀ ଖିଚିଙ୍ଗ ପ୍ରାଚୀନ କଳା ଓ ସ୍ଥାପତ୍ୟର ଗୋଟିଏ କେନ୍ଦ୍ରସ୍ଥଳି ଥିବାରୁ ସ୍ୱର୍ଗତ ମହାରାଜା ଏଠାକୁ ବହୁ ସମୟରେ ଆସୁଥିବାବେଳେ ତାଙ୍କ ସହିତ ମୋର ପରିଚୟ ଘଟିଥିଲା । ମୁଁ ଖିଚିଙ୍ଗ ଅଧିବାସୀ ହୋଇଥିବାରୁ ସ୍କୁଲ ଶିକ୍ଷକତା ପାଇଁ ପ୍ରାର୍ଥୀ ହେବାବେଳେ ମହାରାଜା ମୋତେ ଖିଚିଙ୍ଗ ସମ୍ୱନ୍ଧରେ ଇଂରୀଜୀରେ ଗୋଟିଏ ପ୍ରବନ୍ଧ ଲେଖିବାକୁ କହିଲେ । ଏହି ଆଦେଶ ଅନୁସାରେ ମୁଁ ଖିଚିଙ୍ଗ ସମ୍ୱନ୍ଧରେ ଗୋଟିଏ ପ୍ରବନ୍ଧ ଦାଖଲ କଲି । ତା ପଢ଼ିବାପରେ ତତ୍‍କାଳୀନ ଦେଓ୍ୱାନ ଶ୍ରୀ କ୍ଷିତୀଶଚନ୍ଦ୍ର ନିୟୋଗୀଙ୍କ ସଙ୍ଗେ ପରାମର୍ଶ କରି ମହାରାଜା ମୋ ପାଇଁ ଗୋଟିଏ ସ୍ୱତନ୍ତ୍ର ବୃତ୍ତିର ବ୍ୟବସ୍ଥା କଲେ । ଏହି ବ୍ୟବସ୍ଥା ଅନୁସାରେ ମାସିକ ପଚାଶ ଟଙ୍କା ବୃତ୍ତି ପାଇଁ ମୁଁ କଲିକତା ବିଶ୍ୱବିଦ୍ୟାଳୟରେ M.A. in Ancient Indian History and Culture ବିଭାଗରେ ପଢ଼ିଲି ଏବଂ ୧୯୩୭ ମସିହାରେ କୃତିତ୍ୱ ସହ ଏମ୍‍.ଏ. ପାଶକଲି । ଏମ୍‍.ଏ.ରେ ମୁଁ ବିଶିଷ୍ଟ ଅଧ୍ୟପକମାନଙ୍କଠାରୁ ଯଥେଷ୍ଟ ପ୍ରେରଣା ପାଇଥିଲି ଏବଂ ଭାରତର ପ୍ରାଚୀନ ଇତିହାସ ଓ ଭୂଗୋଳ ବ୍ୟତିତ ଲିପିତତ୍ତ୍ୱ ଓ ମୁଦ୍ରାତତ୍ତ୍ୱରେ ବିଶେଷ ଜ୍ଞାନଲାଭ କରିଥିଲି ।

 

ଏମ୍‍.ଏ ପଢ଼ୁଥିବାବେଳେ ମୁଁ ହ୍ୟାରିସନ୍‍ ରୋଡ଼ (ବର୍ତ୍ତମାନ ମହାତ୍ମା ଗାନ୍ଧୀ ରୋଡ଼) ଓ ଆମହର୍ଷ୍ଟ ଷ୍ଟ୍ରିଟ୍‍ ଛକରେ ଅବସ୍ଥିତ ବେଙ୍ଗଲ୍‍ ବୋର୍ଡ଼ିଂ ନାମକ ବୋର୍ଡିଂରେ ସ୍ୱର୍ଗତ ପଣ୍ଡିତ ବିନାୟକ ମିଶ୍ରଙ୍କ ସହ ବାସକରୁଥିଲି ଏବଂ ତାଙ୍କଠାରୁ ଯଥେଷ୍ଟ ପ୍ରେରଣା ପାଇଥିଲି । ପଣ୍ଡିତ ମିଶ୍ରଙ୍କ ଭଳି ବିଦ୍ୟୋତ୍ସାହୀ ବ୍ୟକ୍ତି ମୁଁ ଜୀବନରେ ଦେଖି ନ ଥିଲି । ସେ କଲିକତା ବିଶ୍ୱବିଦ୍ୟାଳୟରେ ପାର୍ଟ ଟାଇମ୍‍ ଲେକ୍‍ଚରର୍‍ କାର୍ଯ୍ୟ କରୁଥିଲେ ଏବଂ ଏଥିପାଇଁ ତାଙ୍କୁ ସପ୍ତାହରେ ଦୁଇ ତିନୋଟି ଲେକ୍‍ଚର୍‍ ଦେବାକୁ ପଡ଼ୁଥିଲା । ସେ ବାକି ସମୟକୁ ଅଧ୍ୟୟନ କିମ୍ୱା ଗ୍ରନ୍ଥ ବା ପ୍ରବନ୍ଧ ଲିଖନରେ କଟାଉଥିଲେ-। କଲିକତା ବିଶ୍ୱବିଦ୍ୟାଳୟକୁ ଆସିବା ପୂର୍ବରୁ ସେ ଭର୍ଣ୍ଣାକୁଲାର୍‍ ପାଶ କରି ନୀଳଗିରି ମି.ଇ. ସ୍କୁଲରେ ହେଡ଼ପଣ୍ଡିତ କାର୍ଯ୍ୟ କରୁଥିଲେ; ମାତ୍ର ତାଙ୍କର ଅସାଧାରଣ ପ୍ରତିଭା ଓ ଅଧ୍ୟବସାୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରିଥିଲା । ସେ ପ୍ରଥମେ ସ୍ୱର୍ଗତ ଅଧ୍ୟାପକ ବିଜୟ ଚନ୍ଦ୍ର ମଜୁମଦାରଙ୍କ ସହାୟକ ପଣ୍ଡିତରୂପେ କାର୍ଯ୍ୟ କରି କଲିକତା ବିଶ୍ୱବିଦ୍ୟାଳୟର ଓଡ଼ିଆ ଏମ୍‍.ଏ. ପାଇଁ ଓଡ଼ିଆ ପାଠ୍ୟପୁସ୍ତକ ସଂକଳନ କରିବାରେ ତାଙ୍କୁ ଆଶାତୀତ ଭାବରେ ସାହାଯ୍ୟ କରିଥିଲେ । ଏହି କାର୍ଯ୍ୟ କରୁଥିବାବେଳେ ତାଙ୍କ ପ୍ରତିଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା । ଏଣୁ ତାଙ୍କ ଶିକ୍ଷାଯୋଗ୍ୟତା ଅତ୍ୟନ୍ତ ଅଳ୍ପ ଥିଲେ ହେଁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ତାଙ୍କୁ ପାର୍ଟଟାଇମ୍‍ ଲେକଚରର୍‍ ରୂପେ ନିଯୁକ୍ତ କରିଥିଲେ । ସେ ସ୍କୁଲରେ ଇଂରାଜୀ ପଢ଼ି ନଥିଲେ ହେଁ ପରବର୍ତ୍ତୀ ଜୀବନରେ ଅତି ଉଚ୍ଚକୋଟୀର ଇଂରାଜୀ ଗ୍ରନ୍ଥ ଓ ପ୍ରବନ୍ଧମାନ ଲେଖିଥିଲେ । ମୁଁ ତାଙ୍କ ସହିତ ଏକ ବୋର୍ଡିଂରେ ବାସ କରୁଥିବାବେଳେ ତାଙ୍କର ପ୍ରତିଭା, ପ୍ରଗାଢ଼ ପରିଶ୍ରମ ଓ ବିଦ୍ୟୋତ୍ସାହୀତାରୁ ବହୁଭାବରେ ପ୍ରେରଣା ପାଇଥିଲି ।

 

ଏମ୍‍.ଏ. ପାଶ କରିବା ପରେ ମୁଁ ପୁଣି ଅନିଶ୍ଚିତତାର ସମ୍ମୁଖୀନ ହୋଇଥିଲି; ମାତ୍ର ମୟୁରଭଞ୍ଜର ସ୍ୱର୍ଗୀୟ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ଅନିଶ୍ଚତତାକୁ ଶୀଘ୍ର ଦୂର କରିଦେଇଥିଲେ । ସେତେବଳେ ପ୍ରତ୍ନତତ୍ତ୍ୱବିତ୍‍ ରମାପ୍ରସାଦ ଚନ୍ଦ୍ର ମୟୁରଭଞ୍ଜର ବ୍ରିଟିଶ୍‍ ରାଜତ୍ୱକାଳୀନ ଐତିହାସିକ ରେକର୍ଡ ସମୂହର ସମ୍ପାଦନା କରୁଥିଲେ । ମହାରାଜା ମୋତେ ମାସିକ ସତୁରୀଟଙ୍କା ଭତ୍ତାଦେଇ ତାଙ୍କର ସହକାରୀରୂପେ ନିଯୁକ୍ତ କଲେ । ମାସିକ ସତୁରୀ ଟଙ୍କା ପାଇ ମୁଁ ଆନନ୍ଦିତ ହୋଇଥିଲି; କାରଣ ଏ ସମୟରେ ସତୁରୀ ଟଙ୍କାର ମୂଲ୍ୟ ଯଥେଷ୍ଟ ବେଶି ଥିଲା । ମୁଁ ଏହି ସମୟରେ ବୈବାହିକ ଜୀବନ ଆରମ୍ଭ କରୁଥିଲି । ଏମ୍‍.ଏ.ପାଶ କରିବାର ବହୁପୂର୍ବରୁ ମୟୁରଭଞ୍ଜର ବଡ଼ସାହି ନିକଟସ୍ଥ ଛେଳିଆ ଗ୍ରାମର ସ୍ୱର୍ଗତ ଭରତଚନ୍ଦ୍ର ପଣ୍ଡାଙ୍କ କନ୍ୟା ଶ୍ରୀମତୀ ତାରାମଣି ଦେବୀଙ୍କ ସହ ମୋର ବିବାହ ହୋଇ ସାରିଥିଲା । ମୋର ଭାଇମାନଙ୍କ ଅବସ୍ଥା ସ୍ୱଚ୍ଛଳ ନଥିବାରୁ, ମୁଁ ଅନେକ ସମୟରେ ମୋର ପତ୍ନୀଙ୍କୁ ସଙ୍ଗରେ ଆଣିବାକୁ ବାଧ୍ୟ ହେଉଥିଲି । ଏଣୁ ବାଲିଗଞ୍ଜସ୍ଥ କାଙ୍କୁଳିଆ ରୋଡ଼ରେ ଏଗାରଟଙ୍କା ଭଡ଼ାରେ ଘର ନେଇ ସେଠାରେ ସସ୍ତ୍ରୀକି ରହିଲି । ମୋର ମନେ ଅଛି ଯେ ଏଠାରେ ମୁଁ ଦଶ ଟଙ୍କା ଦେଇ ଚାଉଳ, ଡାଲି, ତେଲ, ଘିଅ, ମସଲା ଇତ୍ୟାଦି ଏକ ସମୟରେ କିଣି ପକାଇଥିଲି । ଏଠାରେ ଆମ୍ଭମାନଙ୍କ ତନିମାସ ରହଣିକାଳରେ ଏ ସମସ୍ତ ଜିନିଷ ଶେଷ ହେଲା ନାହିଁ । କଲିକତା ଛାଡ଼ିବାବେଳେ ଅବଶିଷ୍ଟ ଜିନିଷରୁ କେତେକ ଅଂଶ ବିତରଣ କରିଦେଲୁଁ ଓ କେତେକ ଅଂଶ ସଙ୍ଗରେ ଘରକୁ ଘେନିଆସିଲୁ । ଏହି ସମୟର ଆଉ ଗୋଟିଏ କୌତୁକାବହ ଘଟନା ମୋର ମନେପଡ଼ୁଛି । ଏହି ସମୟରେ ଭେଜିଟେବୁଲ ଘିଅର ପ୍ରଥମ ପ୍ରଚଳନ ହେଉଥାଏ । କେତେକ ଏଙ୍ଗ୍ଲୋଇଣ୍ଡିଆନ୍‍ ମହିଳା ବ୍ୟାଗରେ ଏହି ଘିଅର ଛୋଟ ଛୋଟ ଡବା ପୂରାଇ କଲିକତାର ସର୍ବାଞ୍ଚଳରେ ଏଗୁଡ଼ିକୁ ବିନାମୂଲ୍ୟରେ ବିତରଣ କରୁଥାଆନ୍ତି ଓ ଗୃହିଣୀମାନଙ୍କ ପାଖରେ ଏହି ଅଭିନବ ଘିଅର ଉଚ୍ଚପ୍ରଶଂସା କରୁଥାନ୍ତି । ମୋର ସ୍ତ୍ରୀ ଏଥିରୁ ଗୋଟିଏ ଡବା ପାଇଥିଲେ ଏବଂ ମୁଁ କାମରୁ ଫେରିବା ପୂର୍ବରୁ ଏଥିରେ ମୋ ପାଇଁ ପୁରି କରି ରଖିଥିଲେ । ସେଥିରୁ ଖଣ୍ଡେ ଖାଇ ମୁଁ ରାଗିଗଲି ଓ ପୁରି ସହିତ ଅବଶିଷ୍ଟ ଘିଅକୁ ଫିଙ୍ଗି ଦେଲି ।

 

ଚନ୍ଦ୍ର ମହାଶୟଙ୍କ ପାଖରେ ତିନିମାସ କାର୍ଯ୍ୟ କରିବା ପରେ ସ୍ୱର୍ଗୀୟ ମହାରାଜା ଓ ତାଙ୍କର ତତ୍‍କାଳୀନ ଦେଓ୍ୱାନ୍‍ ଶ୍ରୀଯୁକ୍ତ କେ.ସି. ନିଯୋଗୀ ସ୍ଥିରକଲେ ଯେ ମୁଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱବିଭାଗରେ ବିଭିନ୍ନ ବିଷୟରେ ଟ୍ରେନିଂ ନେବି ଓ ଗବେଷଣା ମଧ୍ୟ କରିବି । ଏଥିପାଇଁ ମୋ ସକାଶେ ଗସ୍ତଖର୍ଚ୍ଚ ବ୍ୟତିତ ପ୍ରଥମ ବର୍ଷ ପାଇଁ ମାସିକ ୭୫ଟଙ୍କା ଓ ଦ୍ୱିତୀୟ ବର୍ଷ ପାଇଁ ମାସିକ ୧୦୦ ଟଙ୍କା ଧାର୍ଯ୍ୟ କରାଗଲା । ୧୯୩୭ ମସିହାରେ ମୋର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଏହିପରି ଭାବରେ ଯେଉଁ ସମ୍ୱନ୍ଧ ଆରମ୍ଭ ହୋଇଥିଲା, ତାହା ଦୀର୍ଘ ସାତବର୍ଷ ପରେ ୧୯୪୪ରେ ଶେଷ ହୋଇଥିଲା । ଅବଶ୍ୟ ଏ ସମସ୍ତ ସମୟ ପାଇଁ ମୋତେ କେବଳ ମୟୁରଭଞ୍ଜରୁ ଭତ୍ତା ମଳି ନଥିଲା । ମୟୁରଭଞ୍ଜରୁ ସାହାଯ୍ୟ ବନ୍ଦ ହୋଇଯିବା ପରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ମୋତେ ଅନୁରୂପ ଭତ୍ତା ଦେଇ ୧୯୪୪ ପର୍ଯ୍ୟନ୍ତ ଏ ବିଭାଗରେ ରଖିଥିଲେ । ପରେ ୧୯୫୪ରୁ ୧୯୬୧ ମଧ୍ୟରେ ମୁଁ ଏହି ବିଭାଗରେ ଆସିଷ୍ଟାଣ୍ଟ ସୁପରଣ୍ଟେଣ୍ଡେଣ୍ଟ ଓ ସୁପରଣ୍ଟେଣ୍ଡେଣ୍ଟ ଅଫ୍ ଆର୍କୋଲଜିକାଲ ସର୍ଭେ ଅଫ୍‍ ଇଣ୍ଡିଆ ରୂପେ କାର୍ଯ୍ୟ କଲି । ଭାରତର ପ୍ରତ୍ନତତ୍ତ୍ୱ ବିଭାଗରେ ଦୀର୍ଘ ଚଉଦବର୍ଷ କାମ କରି ଏବଂ ଅବିଭକ୍ତ ଓ ବିଭକ୍ତ ଭାରତର ବହୁସ୍ଥାନରେ ପରିଭ୍ରମଣ କରି ଓ ଅବସ୍ଥାନ କରି ମୁଁ ଯେଉଁ ଅଭିଜ୍ଞତା ଲାଭ କରିଥିଲି, ତାହା ପରବର୍ତ୍ତୀ ପରିଚ୍ଛେଦରେ ଯଥାସମ୍ଭବ ଆଲୋଚନା କରାଯିବ ।

 

୧୯୪୪ ପର୍ଯ୍ୟନ୍ତ ଭାରତସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଥିବାବେଳେ ମୁଁ ଏକପ୍ରକାର ଛାତ୍ରଜୀବନଯାପନ କରୁଥିଲି । ମୋର ଛାତ୍ରଜୀବନଟା ଅସ୍ୱାଭାବିକ ଭାବରେ ଅତି ଦୀର୍ଘ ହୋଇଯାଇଥିଲା । ୧୯୪୪ ମସିହାରେ ଯେତେବେଳେ ମୁଁ ଓଡ଼ିଶା ସରକାରଙ୍କ ଦ୍ୱାରା ଇତିହାସରେ ଲେକଚର୍‍ର ରୂପେ ନିଯୁକ୍ତ ହେଲି, ସେତେବେଳକୁ ମୋତେ ୩୫ ବର୍ଷ ହୋଇଥିଲା । ସରକାରୀ ଚାକିରି ପରିସର ମଧ୍ୟରେ ଓଡ଼ିଶା ସରକାରଙ୍କ ଅଧୀନରେ ଲେକ୍‍ଚରର୍‍, ମିଉଜିୟମ କ୍ୟୁରେଟର, ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଆସିଷ୍ଟାଣ୍ଟ ସୁପରଣ୍ଟେଣ୍ଡେଣ୍ଟ ଓ ସୁପରଣ୍ଟେଣ୍ଡେଣ୍ଟ, ପୁଣି ଓଡ଼ିଶା ସରକାରଙ୍କ ଅଧୀନରେ ରିଡ଼ର ଓ କିଛି ସମୟ ପାଇଁ ପ୍ରଫେସରରୂପେ କ୍ରମାନ୍ୱୟରେ କାର୍ଯ୍ୟକରିବା ପରେ ମୁଁ ୧୯୬୮ରେ ସରକାରୀ ଚାକିରିରୁ ଅବସର ନେଲି । ସରକାରି ଚାକିରିରୁ ଅବସର ନେବାର ଦେଢ଼ମାସ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗରେ ପ୍ରଫେସରରୂପେ ନିଯୁକ୍ତି ପାଇ ସେଠାରେ ୧୯୭୨ ପର୍ଯ୍ୟନ୍ତ ଅଧ୍ୟାପନା କଲି । ୧୯୭୨ ଜୁଲାଇ ମାସରେ ଏହି ବିଶ୍ୱବିଦ୍ୟାଳୟରୁ ଅବ୍ୟାହିତି ପାଇବା ପରେ ଭାରତ ସରକାରଙ୍କ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ୍‍ଙ୍କ (University Grants Commission)ଠାରୁ ମାସିକ ୭୫୦ ଟଙ୍କା ଓ ବାର୍ଷିକ ୨୦୦୦ ଟଙ୍କା କଣ୍ଟିଜେନ୍‍ସି ୧୯୭୨ ସେପ୍‍ଟେମ୍ୱରଠାରୁ ଆଜିପର୍ଯ୍ୟନ୍ତ ପାଇ ଗବେଷଣାରତ ରହିଛି ଓ ରେଭେନ୍‍ସା କଲେଜର ଇତିହାସ ଅନର୍ସ ଅଧ୍ୟାପନା ସହିତ ସମ୍ପୃକ୍ତ ହୋଇ ରହିଛି ।

 

ଏହା ହିଁ ହେଲା ମୋ ଚାକିରିଜୀବନର ସଂକ୍ଷିପ୍ତ ବିବରଣୀ । ଅଦୃଶ୍ୟ କର୍ଣ୍ଣଧାର ଏହାକୁ ଯେଉଁଆଡ଼େ ଚଳାଇଥିଲେ, ତାହା ସେହିଆଡ଼େ ଚାଲିଥିଲା । ମୁଁ ଏହାକୁ ବିସ୍ତୃତଭାବରେ ଲେଖିବାକୁ ଚାହୁଁନାହିଁ, କାରଣ ସମସ୍ତଙ୍କ ଚାକିରି ଜୀବନ ପରି ମୋ ଚାକିରି ଜୀବନର କୌଣସି ବିଶେଷତ୍ୱ ନାହିଁ । ମୁଁ ଆଗରୁ କହିଛି ଯେ ଐତିହାସିକ ଦୃଷ୍ଟିରୁ ମୋ ସମୟର ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଚିତ୍ର ଏ ଗ୍ରନ୍ଥରେ ପ୍ରକାଶ କରିବା ହିଁ ମୋର ପ୍ରଧାନ ଲକ୍ଷ୍ୟ । ଏହି ଚିତ୍ରମାନଙ୍କ ସହିତ ମୋ ଜୀବନର ସମ୍ୱନ୍ଧ ଯେତେବେଳେ ଆସିଯିବ, ସେତେବେଳେ ମୁଁ ତାହା ସଂକ୍ଷିପ୍ତରେ ପ୍ରକାଶ କରିବି । କେବଳ ମୋ ଜୀବନର ଘଟଣାମାନ ସନ୍ନିବେଶ କରି ଗ୍ରନ୍ଥଟିର କଳେବର ବୃଦ୍ଧି କରିବାକୁ ମୁଁ ଚାହୁଁ ନାହିଁ ।

Image

 

ଚତୁର୍ଥ ପରିଚ୍ଛେଦ

ମୋର ପ୍ରତିବେଶୀବୃନ୍ଦ

 

ଯେଉଁଠାରେ ପ୍ରଥମେ ମାତୃଗର୍ଭରୁ ପଡ଼ିଥିଲି ଏବଂ ପରେ ଯେଉଁଠାରେ ବହୁ ବର୍ଷ ଧରି ବଢ଼ିଥିଲି, ସେହି ସ୍ଥାନର ଓ ସେହି ଅଞ୍ଚଳର ପ୍ରତିବେଶୀମାନଙ୍କ କଥା ଆଜି ଗୋଟି ଗୋଟି ହୋଇ ମନେପଡ଼ିଛି । ମୟୁରଭଞ୍ଜର ପ୍ରସିଦ୍ଧ ଐତିହାସିକ ସ୍ଥଳି ମୋର ଜନ୍ମସ୍ଥାନ ଖିଚିଙ୍ଗ ଆଦିବାସୀବହୁଳ ଅଞ୍ଚଳରେ ଅବସ୍ଥିତ । ଭୂୟାଁ ଓ ଗଣ୍ଡ ସାହି ଲଗାଲଗି ହୋଇ ରହିଛି ଏବଂ ଏମାନଙ୍କ ମଧ୍ୟସ୍ଥଳରେ କେତେକ ଭୁମିଜ ବାସ କରୁଛନ୍ତି । ଏହି ଭୂମିଜମାନଙ୍କ ପାଖରେ ଗ୍ରାମର ଏକମାତ୍ର ବ୍ରାହ୍ମଣ ପରବାର ଆମ ଘରଟି ଅବସ୍ଥିତ ଥିଲା । ଏଣୁ ବାଳ୍ୟକାଳରୁ ମୋର ସାଙ୍ଗସାଥୀ ଥିଲେ ଭୁମିଜ, ଭୁୟାଁ ଓ ଗଣ୍ଡମାନେ । ଏମାନେ ସମସ୍ତେ ଆଦିବାସୀ ଏବଂ ମୋ ଉପରେ ଏମାନଙ୍କ ପୂର୍ଣ୍ଣ ପ୍ରଭାବ ପଡ଼ିଥଲା । ଭାଗ୍ୟବଶରେ ଭୂଭାରତର ବହୁ ସ୍ଥାନ ଭ୍ରମିଲି ଓ ବହୁ ସ୍ଥାନରେ ରହିଲି, କିନ୍ତୁ ଏମାନଙ୍କ ପ୍ରଭାବରୁ ମୁକ୍ତି ହୋଇପାରଲି ନାହିଁ । ଯଦି ଆଜି ମଧ୍ୟ କେହି ମୋର ଚରିତ୍ରକୁ ବିଶ୍ଳେଷଣ କରନ୍ତି, ତାହାହେଲେ ଦେଖିବେ ଯେ ସେଥିରେ ଆଦିବାସୀ ଚରିତ୍ରର ପୂର୍ଣ୍ଣ ପ୍ରଭାବ ରହଛି ।

 

ଆମ ଗ୍ରାମର ଆଖପାଖ ଅଞ୍ଚଳରେ ଯେଉଁ ସବୁ ଗ୍ରାମ ଅଛି, ସେଗୁଡ଼ିକ ମୁଖ୍ୟତଃ ଆଦିବାସୀବହୁଳ ଗ୍ରାମ । ତା ଛଡ଼ା ଖିଚିଙ୍ଗର ପାଞ୍ଚମାଇଲ ଦୂରରେ ସିଂହଭୂମିର କୋହ୍ଲାନ । କୋହ୍ଲାନ ସର୍ବତୋଭାବରେ କୋହ୍ଲମାନଙ୍କର ଅଞ୍ଚଳ । କରଞ୍ଜିଆ ସବ୍‍ଡିଭିଜନକୁ ଲାଗି ଯେଉଁ ବାମନଘାଟି ସବ୍‍ଡିଭିଜନ ଅଛି, ସେଠାରେ ସାନ୍ତାଳମାନେ ବହୁଳ ଭାବରେ ବାସକରନ୍ତି । ଖିଚିଙ୍ଗ ଠାକୁରାଣୀ ମନ୍ଦିରକୁ ଆସୁଥିବା ଯାତ୍ରୀମାନଙ୍କ ସଂଖ୍ୟା ନିର୍ଣ୍ଣୟ କଲେ ଦେଖାଯିବ ଯେ କୋହ୍ଲ-ସାନ୍ତାଳମାନଙ୍କ ସଂଖ୍ୟା ସର୍ବାଧକ । ଖିଚିଙ୍ଗର ଯାତ୍ରାପର୍ବରେ ଯେଉଁ ସମାଗମ ହୁଏ, ସେମାନଙ୍କ ମଧ୍ୟରେ ସୁଦ୍ଧା ଏମାନଙ୍କ ସଂଖ୍ୟା ସର୍ବାଧିକ । ଏହି ପରିବେଶରେ ବଢ଼ିଥିବାରୁ ମୁଁ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ ହେଁ ସ୍ୱଭାବତଃ ଆଜୀବନ ଆଦିବାସୀ ହୋଇ ରହିଛି । ମୋ ଆଦିବାସୀ ଭାଇମାନଙ୍କ ଦୋଷଦୁର୍ବଲତା ସହିତ ସେମାନଙ୍କ ସୁଗୁଣ ମଧ ମୋ ଦେହରେ ଆଜୀବନ ରହଛି ।

 

ମୋ ଜୀବନର ସର୍ବସମୟରେ ତୁଳନାତ୍ମକ ଦୃଷ୍ଟିରେ ଦେଖି ଜାଣିଛି ସେ ଆଦିବାସୀମାନଙ୍କଠାରେ ଯେଉଁ ସରଲତା, ସତ୍ୟବାଦିତା ଓ ମାନବିକତା ରହିଛି ତାହା ସଭ୍ୟ ସମାଜରେ ନାହିଁ । ଏମାନଙ୍କ ଦାରିଦ୍ର ହିଁ ଏମାନଙ୍କ ସର୍ବପ୍ରଧାନ ଦୁର୍ବଳତା ଏବଂ ଏହି ଦାରିଦ୍ର୍ୟ ଅନେକ ସମୟରେ ଏମାନଙ୍କ ଗୁଣରାଶିକୁ ନାଶ କରିଥାଏ । ଏମାନେ ଦରିଦ୍ର ହେବାର ବହୁ କାରଣ ରହିଛି । ପ୍ରଥମତଃ, ଏମାନେ ଯେଉଁ ଅଞ୍ଚଳରେ ବାସକରନ୍ତି ତାହା ଟଙ୍କିଳ, ଅନୁର୍ବର ଓ ସଂମ୍ପୂର୍ଣ୍ଣରୂପେ ବର୍ଷା ଉପରେ ନିର୍ଭରଶୀଳ । ଏମାନେ ଉନ୍ନତ ଧରଣର କୃଷି ପଦ୍ଧତି ଜାଣନ୍ତି ନାହିଁ । ଅଞ୍ଚଳଟି ବିସ୍ତୀର୍ଣ୍ଣ ହୋଇଥିଲେ ହେଁ ଚାଷଉପଯୋଗୀ ଜମିର ପରିମାଣ ଅତ୍ୟଳ୍ପ । ଏଣୁ ଏ ଅଞ୍ଚଳ ଜନବହୁଳ ନ ହେଲେ ହେ କୃଷିଜାତ ଦ୍ରବ୍ୟ, ଜନସଂଖ୍ୟା ତୁଳନାରେ ପର୍ଯ୍ୟାପ୍ତ ନୁହେଁ । ଅଧିବାସୀମାନେ ଉଦ୍ୟମଶୀଳ ନୁହଁନ୍ତି । ଆବହମାନକାଳରୁ ଏମାନେ ସ୍ୱଳ୍ପ କୃଷି ଜାତ ଦ୍ରବ୍ୟ ଉପରେ ନର୍ଭର କରି ଉଦରପୋଷଣ କରିଆସିଛନ୍ତି । ଏମାନେ ବଣଜଙ୍ଗଲର ଜୀବମାନଙ୍କଠାରୁ ଆତ୍ମରକ୍ଷା କରିପାରନ୍ତି; କିନ୍ତୁ ଇନ୍ଦ୍ର ରାଜା ଓ ସଭ୍ୟସମାଜଠାରୁ ଆତ୍ମରକ୍ଷା କରିବାର ଉପାୟ ଜାଣନ୍ତି ନାହିଁ । ଏଣୁ ପରାଭୁତ ସେନା ପରି ଏମାନେ ଭଗ୍ନଜାନୁ ହୋଇ ବଣଜଙ୍ଗଲରେ ବାସକରନ୍ତି । ବର୍ଷ ମଧ୍ୟରୁ ବହୁ ସମୟ ଅନାହାରରେ ରହୁଥିବାରୁ, ଖାଦ୍ୟ ମଧ୍ୟରେ ପୁଷ୍ଟିସାରର ନିତାନ୍ତ ଅଭାବ ଥିବାରୁ, ଏମାନଙ୍କ କର୍ମଶକ୍ତି ପଙ୍ଗୁ ହୋଇପଡ଼ିଛି । ଆଦିବାସୀ କହିଲେ ଯେଉଁ ବହୁ ଉପଜାତିକୁ ବୁଝାଏ, ସେମାନଙ୍କ ମଧରୁ ଭୁୟାଁ, ଗଣ୍ଡ, ଭୁମିଜ, କୋହ୍ଲ, ସାଉଁତି, ବାଥୁଡ଼ି ଇତ୍ୟାଦି ଏ ଅଞ୍ଚଳରେ ବାସକରନ୍ତି; ମାତ୍ର ଏମାନଙ୍କ ମଧ୍ୟରେ ଭାଷାଗତ, ସଂସ୍କୃତିଗତ ବା ଭାବଗତ ଐକ୍ୟ ନାହିଁ । ଏଣୁ ପ୍ରତ୍ୟେକକୁ ପୃଥକ୍ ଭାବରେ ପରାଜୟ କରିବା ଯେ କୌଣସି ଚାଲାକ ଲୋକ ପକ୍ଷରେ ସହଜ ହୋଇଥାଏ । ମୋର ବାଲ୍ୟକାଳରେ ଏମାନଙ୍କର ଯେଉଁ ଅବସ୍ଥା ଥିଲା, ସେଥରେ ବର୍ତ୍ତମାନ କେତେକାଂଶରେ ଉନ୍ନତି ଘଟିଛି, କିନ୍ତୁ ମୁଁ ମୋର ବାଳ୍ୟକାଳର ଏମାନଙ୍କ ଅବସ୍ଥାର ଚିତ୍ର ହିଁ ଏଠାରେ କେତେକାଂଶରେ ଦେଉଛି ।

 

ଏମାନଙ୍କ ବାସଗୃହ ନିତାନ୍ତ କ୍ଷୁଦ୍ର । ପରସ୍ପରଠାରୁ ବିଚ୍ଛିନ୍ନ କେତୋଟି କୁଟୀର ହିଁ ଗୋଟିଏ ପରିବାରର ବାସଗୃହ ହୋଇଥାଏ । ଏମାନେ ପୁରବନ୍ଦୀ ଘର ତିଆରି କରିବାର କୌଶଳ ଜାଣନ୍ତି ନାହିଁ । ମୋ ବାଳ୍ୟକାଳରେ ଏଠାରେ କାଠର ଅଭାବ ନ ଥିଲେ ମଧ୍ୟ କୌଣସି ବ୍ୟକ୍ତି କାଠ ସାହାଯ୍ୟରେ ବଡ଼ ମଜବୁତ୍ ଘର ତିଆରି କରୁ ନ ଥିଲେ । ବର୍ତ୍ତମାନ ଅନେକେ କୁଟାରେ ଘର ଛାଉଣି କରୁଥିଲେ ହେଁ ମୋ ପିଲାକାଳରେ ସମସ୍ତେ ଛାତ ପାଇଁ ଛଣ (ଜୁଣଘାସ) ବ୍ୟବହାର କରୁଥିଲେ । ଆସବାବ ମଧରେ କାହାରି କାହାର ଘରେ ଗୋଟିଏ ଯୋଡ଼ିଏ ଦଉଡ଼ିଆ ଖଟ ରହୁଥଲା । ବିଛଣା ପାଇଁ କେହି ବନ୍ୟବାମନ ଖଜୁରୀପତ୍ରରେ ନିର୍ମିତ ‘‘ପାଲ’’ ବ୍ୟବହାର କରୁଥିଲେ-। ଅନ୍ୟଥା ଅଧିକାଂଶଙ୍କର ଭୁମିଶୟନ ହିଁ ଅନିବାର୍ଯ୍ୟ ଥିଲା ।

 

ଆଗରୁ କୁହାଯାଇଛି ଯେ ଏଠାରେ ଚାଷଜମି ପର୍ଯ୍ୟାପ୍ତ ନୁହେଁ । ଫସଲ ମଧ୍ୟରେ ଧାନ ହିଁ ପ୍ରଧାନ । ବିରି, କୋଳଥ, ମକ୍‍କା, ଗୁଣ୍ଡୁଲୁ, ବାଜରା ଓ ତୈଳବୀଜ ସାମାନ୍ୟ ପରିମାଣରେ ଉତ୍ପନ୍ନ ହୁଏ । ମାର୍ଗଶୀର ବେଳକୁ ଏଠାରେ ଧାନ ଅମଳ ଶେଷ ହୋଇଥାଏ । ଚାଷୀମାନେ ଧାନକୁ ପୁଡ଼ୁକ ବାନ୍ଧି ସାଇତି ରଖନ୍ତି, କୁଟା ଗୋରୁମାନଙ୍କ ପାଇଁ ରହେ । ଯେଉଁ ବର୍ଷ ବର୍ଷାର ଅଭାବ ଘଟେ, ସେ ବର୍ଷ ଲୋକମାନଙ୍କର ଦୁଃଖ-ଦୁର୍ଦ୍ଦଶାର ସୀମା ରହେ ନାହଁ । ଘରେ ଯେଉଁ ଧାନ ଥାଏ, ସେଥିରେ ସମସ୍ତଙ୍କ ବର୍ଷଯାକ ଚଳେ ନାହିଁ ।

 

ଅଧିକାଂଶ ପରିବାରଙ୍କ ଘରେ ଆଷାଢ଼-ଶ୍ରାବଣ ବେଲକୁ ଧାନ ଶେଷ ହୋଇ ଯାଇଥାଏ-। ଏମାନେ ନୂଆଧାନକୁ ଚାହିଁରହିଥାନ୍ତି, କିନ୍ତୁ ବର୍ଷା ଅଭାବରୁ ଧାନ-ଫସଲ ଯଦି ନଷ୍ଟ ହୋଇଯାଏ, ତେବେ ଅଧିବାସୀମାନେ ନିଶ୍ଚିତଭାବରେ ଅନାହାରର ସମ୍ମୁଖୀନ ହୁଅନ୍ତି । ମୋ ସମୟରେ ମୁଁ ଏ ଅଞ୍ଚଳରେ ଏକାଧିକ ଥର ଖଣ୍ଡ-ଦୁର୍ଭିକ୍ଷ ବା ପୂର୍ଣ୍ଣ-ଦୁର୍ଭିକ୍ଷ ସ୍ଵ-ଚକ୍ଷୁରେ ଦେଖିଛି । ଲୋକମାନେ ଭାତ ଅଭାବରେ ଗୁଣ୍ଡଲୁ ଓ ସୂଆଁ ଚାଉଳ, ଧାନକୁଣ୍ଡା ଓ ଖୁଦ, ମହୁଲ, ମହୁଲଫଳର ଚୋପା, ଶାଳଫଳ, ତେନ୍ତୁଳିମଞ୍ଜି, ନାନାପ୍ରକାର ବନ୍ୟଫଳ, ଯଥା-ଆମ୍ୱ, ଆମ୍ଭଡ଼ା, ଜେଉଠ, କେନ୍ଦୁ, ଚାର, ଘୁରୁଡ଼ୁ, ଭାଲିଆମୁଣ୍ଡି, ବଟଫଳ, ଅଶ୍ୱତ୍‍ଥଫଳ, ଅଅଁଳା, ଡିମିରି, ଯାଉଁରୀ, ପୋଇଜାମଳା, ଡୋରକୋଳି, ଲକ୍ଷଣକୋଳି, କଣ୍ଟାକୋଳି, ଆଙ୍କଲକୋଳି ଇତ୍ୟାଦି ଏବଂ ନାନାପ୍ରକାର ବନ୍ୟଶାଗ ଓ ଗଛର ପତ୍ର, ଯଥା–କାଇଁସିଲା, ମଦରଙ୍ଗା, ପୁରୁଣି, କଣ୍ଟାମାରିଷ, ବଣସାରୁ, ସଜନାପତ୍ର, କାଞ୍ଚନପତ୍ର, ଅଶ୍ୱତ୍‍ଥପତ୍ର, ତେନ୍ତୁଳିପତ୍ର ଇତ୍ୟାଦି ଖାଇ କୌଣସିମତେ ବଞ୍ଚିରହନ୍ତି । ଏ ଅଞ୍ଚଳର ଆଦିବାସୀମାନେ ସର୍ବସମୟରେ ଗେଣ୍ଡା କୋଚିଆ, ଝଡ଼ିପୋକ, କାଇଡ଼ିମ୍ୱ ଇତ୍ୟାଦି ଖାଇଥାନ୍ତି । ଦୁର୍ଭିକ୍ଷ ସମୟରେ ଏମାନେ ଏ ସମସ୍ତ ଖାଦ୍ୟର ପୁର୍ଣ୍ଣ ସଦ୍‍ବ୍ୟବହାର କରିଥାନ୍ତି । ଏ ସମସ୍ତ ଖାଦ୍ୟ ଉଚ୍ଚଜାତି ହିନ୍ଦୁମାନଙ୍କ ଅଭକ୍ଷ ହେଲେ ହେଁ, ଚୀନ୍‍, ବର୍ମା ଇତ୍ୟାଦି ସଭ୍ୟଦେଶରେ ଓ ଆଫ୍ରିକାର ବହୁ ଅଞ୍ଚଳରେ ଏଗୁଡ଼ିକ ଖାଦ୍ୟରୂପେ ବ୍ୟବହୃତ ହୁଏ । ଏଣୁ ଏ ଗୁଡ଼ିକୁ ଅଖାଦ୍ୟ ବୋଲି ଘୃଣା କରିବାର କାରଣ ନାହଁ ।

 

ଦୁର୍ଭିକ୍ଷ ବା ଖଣ୍ଡଦୁର୍ଭିକ୍ଷ ଚାଲିଯାଏ ଏବଂ ସେଥିରେ କେତେକ ବ୍ୟକ୍ତି ଅଳ୍ପାହାର ବା ଅନାହାରରେ ପ୍ରାଣହରାନ୍ତି । ଯେଉଁମାନେ ବଞ୍ଚିରହନ୍ତି, ସେମାନଙ୍କର ରୋଗ ସହିତ ଯୁଦ୍ଧ କରିବାର ଶକ୍ତି ରହେ ନାହିଁ । ତଥାପି ଏମାନଙ୍କୁ ଆନନ୍ଦ ଓ ଉତ୍ସାହର ଉତ୍ସ ଶୁଖିଯାଏ ନାହିଁ । ଏମାନେ ଅତୀତକୁ ଶୀଘ୍ର ଭୁଲିଯାଆନ୍ତି ଓ ଭବିଷ୍ୟତ କଥା ଆଦୌ ଭାବନ୍ତି ନାହିଁ । ଏଣୁ ଏମାନଙ୍କ ଜୀବନ-ଦର୍ଶନ ଏମାନଙ୍କୁ ବର୍ତ୍ତମାନ ମଧ୍ୟରେ ହିଁ ଆବଦ୍ଧ ରଖି ଆନନ୍ଦର ଉତ୍ସକୁ ଅକ୍ଷୁର୍ଣ୍ଣ କରି ରଖେ ।

 

ଗ୍ରାମ ମଧ୍ୟରେ ବହୁ ବାଦ-ବିସମ୍ମାଦ ଥାଏ, ମାତ୍ର ନିମିତ୍ତ କର୍ମରେ ଏମାନେ ଏପରି ଏକଯୁଟ ହୁଅନ୍ତି ଯେ, ମନେହୁଏ ଯେପରି କି ସେମାନେ ସମସ୍ତେ ଏକ ପରିବାରର ବ୍ୟକ୍ତି । ବିବାହ ଏମାନଙ୍କର ସବୁଠାରୁ ବଡ଼ ଉତ୍ସବ । ବରକନ୍ୟା କୌଣସି ପରବାର ବିଶେଷର ପୁତ୍ରକନ୍ୟା ହୋଇଥିଲେ ହେଁ, ବିବାହ ସମୟରେ ଏମାନେ ସମର ଗ୍ରାମର ପୁତ୍ରକନ୍ୟା ରୂପେ ବିବେଚିତ ହୋଇଥାଆନ୍ତି । ବର ବିବାହବେଶରେ କନ୍ୟା ଘରକୁ ଯାଏ, ଏହା ହିଁ ସାଧାରଣ ନିୟମ । ମାତ୍ର ଗଣ୍ଡମାନଙ୍କ ମଧ୍ୟରେ କୌଣସି କୌଣସି ସମୟରେ କନ୍ୟା ମଧ୍ୟ ବିବାହ ପାଇଁ ବରଘରକୁ ଆସେ । ବର ସଙ୍ଗରେ ସ୍ତ୍ରୀ ପୁରୁଷ ଉଭୟେ ବହୁସଂଖ୍ୟାରେ ଆସନ୍ତି । ସାଧାରଣତଃ ସ୍ତ୍ରୀମାନଙ୍କର ସଂଖ୍ୟା ବେଶି ଥାଏ । ଗ୍ରାମର କୁମାରୀମାନେ ବହୁସଂଖ୍ୟାରେ ବର ବା କନ୍ୟାର ଅନୁଗମନ କରନ୍ତି । ବର ଓ କନ୍ୟା ଉଭୟେ ପଦବ୍ରଜରେ ଆସନ୍ତି । ଭୂୟାଁ, ଗଣ୍ଡ, ସାଉଁନ୍ତି ଓ ବାଥୁଡ଼ିଘରେ ବ୍ରାହ୍ମଣମାନେ ପୌରୋହିତ୍ୟ କରନ୍ତି । ଏଣୁ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୁଏ, ମାତ୍ର ବିବାହ ସମୟର ଏମାନଙ୍କ ଆନୁଷଙ୍ଗିକ କୁଳାଚାର ପୂର୍ବପ୍ରଥା ଅନୁସାରେ ଅଦ୍ୟାପି ଚାଲିଆସିଛି । ମୁଁ ଅନେକଥର ଏମାନଙ୍କ ବିବାହରେ ପୌରହିତ୍ୟ କର ଯେଉଁ ଅଭିଜ୍ଞତା ଲାଭକରିଥଲି, ତାହା ସ୍ମୃତିପଟରୁ ଲିଭିନାହିଁ । ବହୁ ଅଭିଜ୍ଞତା ମଧ୍ୟରୁ ଏଠାରେ ଗୋଟିକର ଉଲ୍ଲେଖ କରୁଛି ।

 

ବରଯାତ୍ରୀ ଦଳ କନ୍ୟାଗୃହରେ ପହଞ୍ଚିବା ଆଗରୁ ଅଧବାଟରେ କନ୍ୟା ତରଫରୁ ସ୍ତ୍ରୀ ପୁରୁଷ ସମ୍ମିଳିତ ଦଳଟିଏ ସେମାନଙ୍କୁ ପାଛୋଟି ନିଅନ୍ତି । ଯେଉଁ ସମୟର କଥା ଲେଖୁଛି ସେତେବେଳେ କନ୍ୟାପଣ ଥିଲା ୩ ଟଙ୍କାରୁ ୧୨ଟଙ୍କା ମଧ୍ୟରେ । ଏହି ପଣ ଦେଇଥିଲେ ସୁଦ୍ଧା ବିବାହ ଶେଷ ନ ହେବା ପର୍ଯ୍ୟନ୍ତ କନ୍ୟା ବରର କରଗତ ହୋଇ ନ ଥାଏ । ଏଣୁ ପାଛୋଟି ନେବା ସମୟରେ ବରଯାତ୍ରୀଦଳ କନ୍ୟାପକ୍ଷର ତୀବ୍ର ବାକ୍ୟବାଣ ଓ ବ୍ୟଙ୍ଗ-ତାଚ୍ଛଲ୍ୟ ନୀରବରେ ସହ୍ୟ କରିଥାନ୍ତି । ଯେଉଁ ବିବାହର କଥା ବର୍ଣ୍ଣନା କରୁଛି, ସେ ବିବାହର ବର ଥିଲା ଜଣେ ଗୋରୁ ଜଗୁଆଳ । ନିତାନ୍ତ ଦରିଦ୍ର ଥିବାରୁ ସଙ୍ଗରେ ଖଣ୍ଡିଏ ମାତ୍ର ଢୋଳବାଜା ଆଣିଥଲା । ତାହାର ଏହି ଦୟନୀୟ ଅବସ୍ଥା ପାଛୋଟି ନେବା ପାଇଁ ଆସିଥିବା କନ୍ୟାପକ୍ଷର ନରନାରୀମାନଙ୍କ ତୀବ୍ର ସମାଲୋଚନାର ବିଷୟ ହେଲା; ଏଣୁ ତୀବ୍ର ତାଚ୍ଛଲ୍ୟରେ କଳକଣ୍ଠୀ କୁମାରୀମାନେ ଏକସ୍ୱରରେ ଗାଇଉଠିଲେ–

 

ଖଜା ତ ଖଜା ଗୋ ବାରିପାଦିଆ ଖଜା,

ମେଘ ଦୁଳୁମା ଦୁଲୁକି ଆସୁଛି,

ମେଘ ଦୁଲୁମା ଦୁଲୁକି ଆସୁଛି ଗୋ,

ବରଘର ବାଜା ।

 

ଅର୍ଥାତ୍ ବରଘର ଏତେ ବାଜା ଆଣିଛି ଯେ ତାହା ମେଘ ଘଡ଼ଘଡ଼ିର ଗୁରୁଗମ୍ଭୀର ଶବ୍ଦ ପରି ଶୁଣାଯାଉଛି ।

 

ବର ତ ନିଶ୍ଚୟ ଯୁବକ ଥିଲା, ମାତ୍ର ଦୁଃଖକଷ୍ଟରେ ଜୀବନଯାପନ କରୁଥିବାରୁ ଟିକିଏ ବେଶି ବୟସ ପରି ଦେଖାଯାଉଥିଲା । ତାହାର ଏ ଅବସ୍ଥାକୁ ଲକ୍ଷ୍ୟକରି କନ୍ୟାପକ୍ଷର କେତେକ ଉଦ୍ଧତା କୁମାରୀ ତାହାର ହାତ ଧରି ପକାଇ ଗାଇ ଉଠିଲେ –

 

ଶର ତ ଶର ଗୋ ନଈପାରିଆ ଶର,

ଦେଖୁଁ ରେ ବର ଜୋର ମୁଁ ହଟା

ଦେଖୁଁ ରେ ବର ତୋର ମୁହଁଟା ଗୋ,

କେତେ ବୟସର ।

 

ବରକୁ ପାଛୋଟି ନେବାବେଳେ ଓ ବିବାହବେଳେ ସମୟ ସମୟରେ ଯେଉଁ ଅଶ୍ଳୀଳ ସଙ୍ଗୀତ ଗୀତ ହୋଇଥାଏ, ତାହା ପ୍ରକାଶଯୋଗ୍ୟ ନୁହେଁ । ଶ୍ଳୀଳ ଓ ଅଶ୍ଳୀଳ ସଙ୍ଗୀତ ଦ୍ଵାରା ଅଭ୍ୟର୍ଥିତ ହେବା ପରେ ବର ଯାଇ ବେଦୀରେ ବସିଲା । ସବୁ କର୍ମ ତ ବୈଦିକ ରୀତିରେ ସମ୍ପନ୍ନ ହେଲା, ମାତ୍ର “ଶଳାବିଧା’ ନାମକ କୁଳାଚାର ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ନିୟମାନୁସାରେ ବିବାହ ଶେଷରେ କନ୍ୟାର ଭାଇ ବରକୁ ତିନୋଟି ବିଧା ମାରିବାର କଥା । ଏ ବିବାହରେ କନ୍ୟାର ଭାଇ ନ ଥିବାରୁ ଗ୍ରାମର ଜଣେ ବଳବାନ୍‍ ଯୁବକ ଭାଇର ସ୍ଥାନ ଅଧିକାର କରି ବରକୁ ଦୁଇଟି ବିଧାମାରିବା ପରେ ବର ପ୍ରାୟ ମୂର୍ଚ୍ଛିତ ହୋଇପଡ଼ିଲା । ଏଥିରେ ବରର ‘‘ଭଉଣୀମାନେ’’ ଉତ୍ତ୍ୟକ୍ତା ହୋଇ କନ୍ୟାର ‘‘ଭାଇ’’ ଉପରେ ବିଧାବର୍ଷଣ କଲେ । ଘଟଣାଟି ଗୋଳଯୁଦ୍ଧ ଆଡ଼କୁ ଗତି କରୁଥିଲା, ମାତ୍ର ବୃଦ୍ଧବୃଦ୍ଧାମାନେ ଅବସ୍ଥାକୁ ସମ୍ଭାଳି ନେଲେ ।

 

ବିବାହ ପରେ ଯେଉଁ ଭୋଜି ହେଲା, ସେଥିରେ ଭାତ ଓ ବିରିଡାଲି ଛଡ଼ା ଅନ୍ୟ କୌଣସି ଜିନିଷ ନ ଥିଲା । ବିବାହ ପରେ କନ୍ୟା ବରର ସମ୍ପୂର୍ଣ୍ଣ କରଗତ ହୋଇଯିବାରୁ ବରଯାତ୍ରୀଦଳ କନ୍ୟା ପକ୍ଷକୁ ସଙ୍ଗୀତ ମାଧ୍ୟମରେ ବ୍ୟଙ୍ଗବିଦ୍ରୂପ କରି ପୂର୍ବର ଅପମାନର ପ୍ରତିଶୋଧ ନେଲେ । ବିଦାୟବେଳେ କନ୍ୟା ମା’କୁ କାନ୍ଦୁଥିବାର ଲକ୍ଷ୍ୟକରି ବରପକ୍ଷର ‘‘ମା ଭଉଣୀମାନେ’’ ଏକସ୍ୱରରେ ଗାଇ ଉଠିଲେ–

 

ଟଙ୍କାରୁ ମୁଠି କଲା, ପେଟକୁ ଗଣ୍ଠି କଲା,

ମା’ କାନ୍ଦେ ଝିଅ କାହିଁ ଗଲା ।

ଛି ରେ ତୁମର ଜୀବନ, ଛି ରେ ତୁମର ଜୀବନ ଗୋ,

ଝିଅ ପାଇଁ ଝୁରୁଛି ପରାଣ ।

 

ଅସୀମ ଦାରିଦ୍ର୍ୟ ମଧ୍ୟରେ ସୁଦ୍ଧା ଏହି ଆଦିବାସୀ ଭାଇମାନଙ୍କ ବିବାହରେ ଯେଉଁ ସଂଘବଦ୍ଧତା; ଆନ୍ତରିକତା ଓ ଅହୋରାତ୍ର ଆନନ୍ଦ ଉତ୍ସବ ଦେଖାଯାଏ, ତାହା ଧନାଢ଼୍ୟ ପରିବାରର ବିବାହରେ ସୁଦ୍ଧା ଦେଖାଯାଏ ନାହିଁ ।

 

ଏମାନେ ଦାରିଦ୍ର୍ୟର ଅତଳ ଗହ୍ୱରରେ ପଡ଼ିଥିଲେ ସୁଦ୍ଧା ସର୍ବଗ୍ରାସୀ-ସ୍ୱାର୍ଥପରତା ସଭ୍ୟ ସମାଜକୁ ଯେପରି ଗ୍ରାସ କରିଥାଏ, ଏମାନଙ୍କୁ ସେପରି ଗ୍ରାସ କରିପାରେ ନାହିଁ । ଯେଉଁମାନେ ନିଜ ନିଜ ବାଡ଼ିରେ ପରିବା ବା ଫଳ ଉପୁଜାଇଥାନ୍ତି, ସେମାନେ ନିଶ୍ଚୟ ସେଗୁଡ଼ିକୁ ଭୋଗ କରିଥାନ୍ତି, କିନ୍ତୁ ସେଥିରୁ ଅନ୍ୟ କେହି କିଛି ନେଇଗଲେ, ତାହାକୁ ବଡ଼ ଦୋଷ ବୋଲି କେହି ଭାବନ୍ତି ନାହିଁ । ବର୍ଷାର ଶେଷ ଆଡ଼କୁ ବାଡ଼ିରେ ମକ୍‍କା ବାଡ଼ିରେ ମକ୍‍କା ପାକଳ ହୁଏ ଏବଂ ସେଥି ସଙ୍ଗକୁ ମକ୍‍କା ସହିତ ବୁଣା ହୋଇଥିବା କାକୁଡ଼ି ଲଟାମାନଙ୍କରେ ମଧ୍ୟ ପ୍ରଚୁର ପରିମାଣରେ ଫଳ ଧରେ । ଏହି କାକୁଡ଼ିଗୁଡ଼ିକ ପରିବାର ବିଶେଷର ଫଳ ନ ହୋଇ ସର୍ବସାଧାରଣଙ୍କ ଫଳ ରୂପେ ବ୍ୟବହୃତ ହୋଇଥାଏ । ଗ୍ରାମର ପିଲାଦଳ ପ୍ରତ୍ୟେକ ବାଡ଼ିରେ ପଶି କାକୁଡ଼ି ଖାଆନ୍ତି, ମାତ୍ର ସେମାନଙ୍କୁ କେହି ବାଧା ଦିଅନ୍ତି ନାହିଁ । ଗ୍ରାମର ସମସ୍ତ ଆମ୍ୱ ତୋଟା, ବିଲର ସମସ୍ତ ମାଛ ଓ ଗ୍ରାମର ସମସ୍ତ ବରକୋଳି ଗଛଗୁଡ଼ିକ ସର୍ବସାଧାରଣଙ୍କ ସମ୍ପତ୍ତି ହୋଇଥାଏ ।

 

ଆମ ଗ୍ରାମରେ ଆମ୍ୱ, ଜାମୁ ଓ ବରକୋଳି ଗଛ ଛଡ଼ା ଅନ୍ୟ କୌଣସି ଫଳଗଛ ପ୍ରାୟ ନ ଥିଲା । ବରକୋଳି ଗଛଗୁଡ଼ିକ ଫଳଭାରରେ ଆନତ ହୋଇ ଅତ୍ୟନ୍ତ ଆକର୍ଷକ ଓ ପିଲାମାନଙ୍କ ପ୍ରିୟ ହେଉଥିଲା । ପାଠଶାଲାରେ ପଢ଼ୁଥିବା ସମୟର ଗଣ୍ଡ ସାହିରେ ଥିବା କେତେଗୁଡିଏ କୋଳିଗଛଟି ଥିଲା, ତାହା ସବୁଠାରୁ ବେଶି ଆକର୍ଷକ ହେଉଥିଲା । ଫଳ ସମୟରେ ଏହାର ହରିତ୍‍, ପୀତ, ଆରକ୍ତ ଓ ଲୋହିତ ଫଳରା ଆମ୍ଭମାନଙ୍କୁ ତା’ଆଡ଼କୁ ଚୁମ୍ୱକ ପରି ଟାଣିନେଉଥିଲା । ପିଲାମାନେ କୋଳି ଖାଇଗଲେ ଭଗବାନ ଭାଇ କିଛି କହୁ ନ ଥିଲା; କିନ୍ତୁ ବଡ଼ ଗାଳି ଦେଉଥିଲା । ଏଣୁ ଆମ୍ଭେମାନେ ସୁସଜ୍ଜିତ ସୈନ୍ୟ ପରି ପ୍ରତ୍ୟେକେ ଗୋଟିଏ ଗୋଟିଏ ଫୋପଡ଼ ବା ଟେକାଧରି ଏକାବେଳକେ କୋଳିଗଛକୁ ଆକ୍ରମଣ କରୁଥିଲୁ । ଏଣୁ ଏଥରୁ ଅଜସ୍ର ଫଳ ଝଡ଼ି ପଡ଼ୁଥିଲା । ନିଜ ଫଲବୃକ୍ଷର ଏପରି ଦୟନୀୟ ଅବସ୍ଥା ଦେଖି, ବହୂ, ମୋତେ ହିଁ ନେତା ବୋଲି ଭାବି ଓ ମୋହରି ଆଡ଼କୁ ଆଙ୍ଗୁଳି ଦେଖାଇ ଆରମ୍ଭ କରୁଥିଲା–‘‘ଏବଦା (ବୋଦା, ଖାସର ପୂର୍ବାବସ୍ଥା)’’ ଏବଂ ତା’ପରେ ଅଜସ୍ର ଗାଳିବର୍ଷଣ କରୁଥଲା; ମାତ୍ର ଆମ୍ଭେମାନେ କୋଳି ଗୋଟାଇବାରେ ଏପରି ବ୍ୟସ୍ତ ହୋଇପଡ଼ୁଥିଲୁଁ ଯେ ତାହାର ଗାଳିର କୌଣସି ଅଂଶ ଆମ୍ଭମାନଙ୍କ କାନରେ ପଶୁ ନ ଥିଲା ।

 

କୋଳି ଖାଇଗଲେ କାହାରିକୁ ଗାଳିଦେବାଟା ଆଦିବାସୀମାନଙ୍କ ମଧ୍ୟରେ ଗୋଟାଏ ଅସାମାଜିକ କଥା । ବହୂ ହୁଏ ତ ଏ କଥା ପରେ ହୃଦୟଙ୍ଗମ କରିଥଲା । ବହୁବର୍ଷ ପରେ ମୁଁ ଯେତେବେଳେ ଥରେ ତା’ପାଖରେ ଯାଇ ପହଞ୍ଚିଲି, ସେ ତାହାର ପୂର୍ବ ସମ୍ବୋଧନ ଆରମ୍ଭ କରି କହିଲା–‘‘ଏଃ ବଦା (ବୋଦା), ଏତେଦିନେ ମନରେ ପଡ଼ିଲା ।” ମୁଁ କହିଲି-କିସ କରିବି, ବହୂ, କେତେବେଳେ ବାରିପଦା, କେତେବେଳେ କଟକ, କେତେବେଳେ କଲିକତା ଆଡ଼େ ଘୂରିବୁଲୁଛି, ସେଥିପାଇଁ ଆସିପାରେ ନାହିଁ ।” ବହି କହିଲା-‘‘କୁଳି ଦୁଇଟା ନାଇ ଖାଇବ ?’’ ମୁଁ କହିଲି- ‘‘ଆଉ ସେଦିନ ନାହିଁ, ବହୂ !’’

 

ଆଦିବାସୀମାନେ ଦରିଦ୍ର ହେଲେ ହେଁ ପଇସା ବଦଳରେ କୌଣସି ପଦାର୍ଥ ଦେବାକୁ ସହଜରେ ରାଜି ହୁଅନ୍ତି ନାହିଁ । ଥରେ ପୂଜାଛୁଟିରେ ଆମ ଅଞ୍ଚଳରେ ଜାପା କରୁଥିବା କଟକ ଅଞ୍ଚଳର ଜଣେ ପ୍ରାଇମେରୀ ଶିକ୍ଷକଙ୍କ ସଙ୍ଗରେ ବାରିପଦା ହାଇସ୍କୁଲକୁ ଫେରିଯାଉଥିଲି । ପଥଶ୍ରମ ହେତୁ ଉଭୟକୁ କ୍ଷୁଧା ଓ ତୃଷା ଯୁଗପତ୍ ଆକ୍ରମଣ କଲା । ରାସ୍ତାରୁ ଚାହିଁ ଦେଖିଲୁ ଯେ ଜଣେ କୋହ୍ଲଘର ବାଡ଼ିର ମଞ୍ଚା ଉପରୁ କାକୁଡ଼ି ଝୁଲୁଛି । ଶିକ୍ଷକ ଖୁସି ହୋଇ କାକୁଡ଼ି କିଣିବାକୁ ଚାଲିଗଲେ, ମାତ୍ର ଅଳ୍ପକ୍ଷଣ ମଧ୍ୟରେ ରାସ୍ତାକୁ ଫେରି ଆସି କହିଲେ, “ରାମ, ରାମ, ଘରବାଲିଟା ମୋ ଆଡ଼କୁ ବାଘୁଣୀ ପରି ଦୌଡ଼ି ଆସିଲା ହୋ !” ମୁଁ ପଚାରିଲି, “ଆପଣ ତାକୁ କଅଣ କହିଲେ କି ?’’ ସେ ଉତ୍ତର ଦେଲେ, “ମୁଁ କହିଲି, ପଇସାଟିଏ ନେ ଲେ, କାକୁଡ଼ି ଦିଓଟି ଦେ ଲୋ ।” ତା’ ପରେ ଏ ଅଞ୍ଚଳରେ ଏପରି କଥା କହିଲେ ଲୋକେ ରାଗିଯାଆନ୍ତି ବୋଲି ତାଙ୍କୁ ବୁଝାଇ ମୁଁ ନିଜେ କାକୁଡ଼ି ଆଣିବାକୁ ବାହାରିଗଲି । ବଡ଼ ପାଟିରେ ‘ବହୂ’ ‘ବହୂ’ ବୋଲି ଡାକି ଘର ଅଗଣାକୁ ପଶିଗଲି-। ବହୂ, ଘର ଭିତରୁ ବାହାରି ଆସିଲା ଏବଂ ମୋତେ ଦେଖି ପଚାରିଲା, "ତୁଇ ଏଇ ଖିଚିଙ୍ଗିଆ ବାମୁଣଘର ପିଲା ?’’ ମୁଁ ମୁଣ୍ଡ ଟୁଙ୍ଗାରି କହିଲି, ‘ହଇ’ । ସେ ସଙ୍ଗେ ସଙ୍ଗେ ଖଟଟିଏ ବାହାର କରି ଅଗଣାରେ ପକାଇଦେଲା । ମୁଁ ସେଥିରେ ବସିବା ପରେ ନାନାବିଧ ପ୍ରଶ୍ନ ପଚାରି ବୁଝିଲି ଯେ ଭାଇ ବିଲରେ କାମ କରୁଛି, ଧାନଚାଷ ଭଲ ହୋଇଛି, ତାହାର ହଳେ ବଳଦ, କେତୋଟି ଗାଈ ଓ ଛେଳି ମଧ୍ୟ ଅଛନ୍ତି । ପିଲାମାନଙ୍କ କଥା ପଚାରିବାରୁ ବାଡ଼ିରେ କାମ କରୁଥିବା ଦଶ ବାର ବର୍ଷର ପୁଅପିଲା ଦୁଇଟିଙ୍କୁ ଦେଖାଇଦେଲା । କଥା କହୁଁ କହୁଁ ପଚାରିଲି, ‘‘ବହୂ, ଭାଇ ତୋତେ ଖୁବ୍ ଗେହ୍ଲା କରେ ନା ?’’ ସେ କହିଲା, “ଦୂର୍‍’’; କିନ୍ତୁ ଖୁବ୍ ବଡ଼ପାଟିରେ ହସିଲା । ଅବଶେଷରେ ମୁଁ କାକୁଡ଼ି କଥା କହିଲି । ସେ ବିନା ବାକ୍ୟବ୍ୟୟରେ ମୋ ପାଖରେ ଦୁଇଟି କାକୁଡ଼ି ଥୋଇଦେଲା, କିନ୍ତୁ ପଇସା ଯାଚିବାରୁ ତାହା ନେଲା ନାହିଁ ।

 

ମୋର ପ୍ରତିବେଶୀ ଆଦିବାସୀ ଭାଇମାନେ କୌଣସି ପ୍ରକାର ମକଦ୍ଦମା କରିବାକୁ କଦାପି ଅଗ୍ରସର ହୁଅନ୍ତି ନାହିଁ । କଲହ, ମାରପିଟ, ଜମିଜମା ଗଣ୍ଡଗୋଳ ଇତ୍ୟାଦି ଯେ ନ ହୁଏ, ତାହା ନୁହେଁ; କିନ୍ତୁ ସେସବୁର ସମାଧାନ ଗ୍ରାମ ଭିତରେ ହିଁ ଘଟିଥାଏ । ସମସ୍ତ ବଡ଼ ଧରଣର ବିବାଦ ଗ୍ରାମପଞ୍ଚାୟତ ଦ୍ୱାରା ହିଁ ମିମାଂସିତ ହୋଇଥାଏ । ପଞ୍ଚାୟତ ନିର୍ଦ୍ଦିଷ୍ଟ ବା ନିର୍ବାଚିତ ସଭ୍ୟମାନଙ୍କ ଦ୍ୱାରା ଗଠିତ ହେଉ ନ ଥିଲା । ସେ ପଞ୍ଚାୟତର ସାହାଯ୍ୟ ଲୋଡ଼ୁଥିଲା ସେ ଗ୍ରାମର ଯେ କୌଣସି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡାକି ସେମାନଙ୍କଠାରୁ ନିଷ୍ପତ୍ତି ଚାହୁଁଥିଲା । ସେମାନେ ଯେଉଁ ନିଷ୍ପତ୍ତି କରୁଥଲେ, ତାହା ଉଭୟ ପକ୍ଷ ମାନି ନେଉଥଲେ । ଯଦି କୌଣସି ପକ୍ଷ ସେମାନଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଉଥିଲା, ତେବେ ସେହି ପକ୍ଷ ପୁଣି ଥରେ ତାହାର ଇଚ୍ଛା ଅନୁସାରେ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଡାକି ପଞ୍ଚାୟତ ବସାଉଥିଲା । ମୋଟ ଉପରେ କୌଣସି ବିବାଦ ଥାନା ବା କଚେରୀ ପର୍ଯ୍ୟନ୍ତ ନ ଯାଇ ପଞ୍ଚାୟତ ଦ୍ୱାରା ହିଁ ମିମାଂସିତ ହେଉଥିଲା । ମୋର ବାଲ୍ୟ ଓ ଯୌବନରେ ମୁଁ ଆମ ଗାଁରେ କୌଣସି ବଡ଼ ଧରଣର ମକଦ୍ଦମା ଦେଖି ନ ଥଲି ବା ଶୁଣି ନ ଥିଲି । ଥରେ ପୋଖରୀରୁ ମାଛଧରିବା ସମ୍ବନ୍ଧରେ ଯେଉଁ ମକଦ୍ଦମା ହୋଇଥିଲା, ତାହା ଅତି କୌତୁହଳଜନକ, ଏଣୁ ଏଠାରେ ତାହା ଉଲ୍ଲେଖ କରୁଛି ।

 

ଗଣ୍ଡସାହିରେ ଥିବା ସିନ୍ଦୂରଗୌରୀ ପୋଖରୀରେ ଭୂୟାଁ ସାହିର କେତେଜଣଙ୍କର ମଧ୍ୟ ଅଂଶ ଥିଲା, ମାତ୍ର ଗଣ୍ଡସାହିର ଲେକେ ରାତିରେ ସେ ପୋଖରୀରୁ ମାଛ ମାରି ନେବାପରେ ମାଛମାରିବା ପାଇଁ ଭୁୟାଁ ଅଂଶୀଦାରମାନଙ୍କୁ ଦିନବେଳେ ଡାକି ଦେଉଥିଲେ । ପ୍ରାୟ ପ୍ରତିବର୍ଷ ଏହିପରି ଘଟୁଥିବାରୁ ଖିଚିଙ୍ଗର ଭୁୟାଁମାନେ ଥରେ ପୋଖରୀ ପାଖରେ ଛକି ରହିଲେ ଏବଂ ଗଣ୍ଡମାନେ ମାଛ ମାରିବାକୁ ଆରମ୍ଭ କଲାବେଳେ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କଲେ । ମାତ୍ର ଘୋର ଅନ୍ଧକାରରେ ଗଣ୍ଡସାହିର ଲୋକମାନେ ମାଛ ଓ ଜାଲ ସାଙ୍ଗରେ ନେଇ ନିଜ ନିଜ ଘରେ ଲୁଚିଗଲେ । ବିବାଦଟି ଏହିଠାରେ ଶେଷ ହେବାର ଥିଲା କିନ୍ତୁ ଭୂୟାଁସାହିର ପ୍ରଧାନ ରରୁଆଁ ଥାନାରେ ଉପସ୍ଥିତ ହୋଇ ଏତଲା ଦେଲା । ମାଛ ଜାଲ ଜବତ୍ ହୋଇ ନ ଥିଲା କିମ୍ୱା ମାଛ ମାରିଥିବା କୌଣସି ବ୍ୟକ୍ତିକୁ ଧରାଯାଇ ନ ଥିଲା । ଏହା ସତ୍ତ୍ୱେ ଥାନାବାବୁ ସଙ୍ଗେ ସଙ୍ଗେ ଘୋଡ଼ାଚଢ଼ି ଗଣ୍ଡସାହିରେ ଉପସ୍ଥିତ ହେଲେ ଓ ଘୋଡ଼ାଟିକୁ ଗଛରେ ବାନ୍ଧିଦେଇ ଗୋଟିଏ ଦଉଡ଼ିଆ ଖଟରେ ବସିଲେ । ଆଗରୁ ଜଣେ କନେଷ୍ଟବଳ ଆସି ମକଦ୍ଦମାର ହାଲସବୁ ବୁଝିଥିଲା । ଏଣୁ ତାଙ୍କୁ ଆଉ କିଛି କରିବାକୁ ପଡ଼ିଲା ନାହିଁ । ଗଣ୍ଡସାହିର ପଧାନବୁଢ଼ା ଘର ଭିତରୁ ବାହାରି ଆସିଲା ଏବଂ ଥାନାବାବୁଙ୍କୁ ନମସ୍କାର କରିବା ପରେ ତାଙ୍କୁ କୌଣସି କଥା ନ କହି ସିଧା ଭୂୟାଁସାହି ପଧାନବୁଢ଼ା ପାଖରେ ପହଞ୍ଚିଲା ଏବଂ କ୍ରୋଧରେ ଜର୍ଜ୍ଜରିତ ହୋଇ ଉଚ୍ଚକଣ୍ଠରେ କହିଲା, ‘‘ତୁଇ କୋଡ଼ିଏ ଟଙ୍କା ଦେବୁ ତ, ମୁଇଁ କୋଡ଼ିଏ ଟଙ୍କା ଦେବି ।’’ ଭୂୟାଁ ପ୍ରଧାନ ଯୁକ୍ତି କଲା ଯେ, ଯେହେତୁ ସେମାନେ ମାଛ ମାରିଛନ୍ତି, ସେହେତୁ ସେମାନେ ହିଁ ସମସ୍ତ ଟଙ୍କା ପୁଲିସକୁ ଦେବେ, ମାତ୍ର ଗଣ୍ଡସାହି ପଧାନ ସେଥିରେ ଆଦୌ ରାଜି ନ ହୋଇ ଏପରି ପାଟିକଲା ଯେ ଉଭୟ ସାହିର ବହୁଲୋକ ରୁଣ୍ଡ ହୋଇଗଲେ । ସମସ୍ତେ ଗଣ୍ଡପଧାନବୁଢ଼ାର ପକ୍ଷ ନେଇ କହିଲେ ଯେ ଗା ମାମଲ ଗାଁରେ ହିଁ ଶେଷ ହୋଇଥାନ୍ତା, ମାତ୍ର ଯେହେତୁ ଭୂୟାଁ ପଧାନବୁଢ଼ା ପୁଲିସ୍‍କୁ ଡାକିଛି, ସେହେତୁ ସେ ମଧ୍ୟ ଅଧା ଟଙ୍କା ଦେବାକୁ ବାଧ୍ୟ । ଭୁୟାଁ ପଧାନବୁଢ଼ା କୌଣସି ଉପାୟ ନ ଦେଖି କୋଡ଼ିଏଟି ଟଙ୍କା ଦେଲା । ଥାନାବାବୁ ସର୍ବମୋଟ ଚାଳିଶଟଙ୍କା ପାଇବା ପରେ ଘୋଡ଼ାଚଢ଼ି ରୱାନା ହେଲେ । ମାଛ ମକଦ୍ଦମା ଶେଷ ହେଲା ।
 

ମୋ ଅଞ୍ଚଳରେ କୌଣସି ବଡ଼ଧରଣର ଚୋରୀ ଘଟନା ମୁଁ ଜାଣେ ନାହିଁ । ଥରେ ତିରୋଟ ସମୟରେ ଆମ ଗାଁର କେତେଜଣ ଭୂମିଜ ଗଣ୍ଡସାହିରୁ ମକ୍‍କା ଚୋରି କରିଥିବା ଅପରାଧରେ ମାସେ ଲେଖାଏଁ ଜେଲଦଣ୍ଡ ପାଇଥିବା ଏକମାତ୍ର ଚୋରି ଘଟନା ମୋର ମନେପଡ଼ୁଛି-। ଆଦିବାସୀମାନେ ଭିକ୍ଷାବୃତ୍ତି ଜାଣନ୍ତି ନାହିଁ କିମ୍ୱା କରନ୍ତି ନାହିଁ । ମୋର ବାଳ୍ୟକାଳର ଏକମାତ୍ର ଆଦିବାସୀ ଭିକ୍ଷୁକ ମରାକୋହ୍ଲର କଥା ମନେପଡ଼ିଛି । କୋହ୍ଲମାନଙ୍କ ମଧ୍ୟରେ ଭିକ୍ଷାପ୍ରଥା ଆଦୌ ପ୍ରଚଳିତ ନାହିଁ । ମରା ଯେ କାହିଁକି ଭିକ୍ଷାବୃତ୍ତି କଲା, ତାହାର ଇତିହାସ ଆମ୍ଭମାନଙ୍କୁ ଜଣା ନଥିଲା, ମାତ୍ର ତାହାର ଗତିବିଧି ଏପରି ବିଚିତ୍ର ଥିଲା ଯେ ଆମ୍ଭେମାନେ ତାକୁ ‘‘ମରାବାୟା’’ ବୋଲି ଡାକୁଥିଲୁଁ । ମରାବାୟାର ସମ୍ୱଳ ଥିଲା ଖଣ୍ଡିଏ କୌପୀନ ଓ ଏକମାତ୍ର ମାଟିର ରନ୍ଧନପାତ୍ର । ମାଟିହାଣ୍ଡିଟି ତାହାର ଭିକ୍ଷାପାତ୍ରର ମଧ୍ୟ କାର୍ଯ୍ୟ କରୁଥିଲା । ସେ ସମସ୍ତଙ୍କ ପିଣ୍ଡାରେ ବସୁଥିଲା, କିନ୍ତୁ ‘‘ଭିକ୍ଷା ଦିଅ’’ ବୋଲି ଡାକୁ ନଥିଲା । ପେଟପୂରିବା ଭଳି ଚାଉଳ ମିଳିଯିବା ପରେ ସେ ଆମ ଗାଁର ‘‘ନୂଆ ପୋଖରୀ’’ ପାଖକୁ ଚାଲିଯାଉଥିଲା । ଏ ପୋଖରୀର ପାଣି ସବୁଠାରୁ ବେଶି ଗୋଳିଆ, ତଥାପି ସେଠାରୁ ପାଣି ଆଣି ତା ପାଖରେ ଥିବା ଆମ୍ୱତୋଟାରେ ଭାତ ରାନ୍ଧୁଥିଲା । ଭାତ ରାନ୍ଧିସାରିବା ପରେ ଆଗେ ସେ ସେଥିରୁ ମୁଠାଏ କୁକୁରମାନଙ୍କୁ ଓ ମୁଠିଏ ଚଢ଼େଇମାନଙ୍କୁ ଦେଉଥିଲା । ତା’ପରେ ଯେଉଁ ଗଛମୂଳରେ ଭାତ ରାନ୍ଧୁଥିଲା, ତାହାରି ପାଖକୁ ଯାଇ ଓ ଭାତହାଣ୍ଡିଟିକୁ ଦେଖାଇ କହୁଥିଲା, ‘‘ନେ ଖା, ଖାଇବୁ ନାହିଁ ? ତେବେ ମୁଁ ଖାଇ ଦେଉଛି ।’’ ଏହା କହି ବିନା ଲୁଣ ଓ ତରକାରୀରେ ଭାତତକ ଖାଇଦେଉଥିଲା ଏବଂ ପୋଖରୀରୁ ପାଣି ପିଇ ପୁଣି ହାଣ୍ଡିଟିକୁ ମାଜି ରଖୁଥିଲା । ଏହା ହିଁ ଥିଲା ତାହାର ଦୈନନ୍ଦିନ କାର୍ଯ୍ୟ । ମୁଁ ଭୂଭାରତର ବହୁସ୍ଥାନ ଭ୍ରମିଛି, କିନ୍ତୁ ମରା ପରି ଅନାସକ୍ତ ଅବଧୂତକୁ ଆଉ ଦେଖି ନାହିଁ ।

 

‘‘କର୍ମକଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ ।’’

 

ମୋର ପ୍ରତିବେଶୀମାନେ ବଡ଼ ବଡ଼ ହିନ୍ଦୂ, ପର୍ବପର୍ବାଣି ମାନୁଥିଲେ ହେଁ, ଏମାନଙ୍କ କେତୋଟି ସ୍ଵକୀୟ ବଡ଼ପର୍ବ ମଧ୍ୟ ଅଛି । ସେଥିମଧ୍ୟରୁ ମକର ସଂକ୍ରାନ୍ତି, ଚୈତ୍ରପର୍ବ ଓ ରଜସଂକ୍ରାନ୍ତି ସର୍ବପ୍ରଧାନ । ସବୁ ପର୍ବ ପାଇଁ ପୂର୍ବ-ପ୍ରସ୍ତୁତି ଚାଲୁଥିଲା, କିନ୍ତୁ ଚୈତ୍ରପର୍ବ ବେଳେ ଆମ ଗାଁର ଯେଉଁ ଛଉନାଚ ହେଉଥିଲା, ସେଥିପାଇଁ ପ୍ରାୟ ଦୁଇମାସ ଆଗରୁ ଆୟୋଜନ ଚାଲୁଥିଲା । ଆମ ଗାଁରେ ଛଉନାଚର ଗୋଟିଏ ଆଖଡ଼ା ଥିଲା ଏବଂ ଏହି ଆଖଡ଼ାର ଓସ୍ତାଦ୍ ଥିଲେ ବନମାଳୀ ନାୟକ । ଦୀର୍ଘ, ସ୍ଥୂଳ ଓ ବଳିଷ୍ଠ ବପୁ ଧରି ଓସ୍ତାଦ ମୁହେଁ ମୁହେଁ ରୋକଡ଼ (ବାଦ୍ୟନାଦ) ଡାକୁଥଲେ ଓ ସେହି ଅନୁସାରେ ପାଦ ପକାଇ ପିଲାମାନେ ଛଉନାଚ ଅଭ୍ୟାସ କରୁଥିଲେ । ମଧ୍ୟେ ମଧ୍ୟେ ବାଜାଦାରମାନେ ଆସି ବାଜା ବଜାଉଥିଲେ ଓ ବାଜାର ତାଳ ଅନୁସାରେ ଏବଂ ଓସ୍ତାଦ୍‍ର ରୋକଡ଼ ଅନୁସାରେ ପିଲାମାନଙ୍କୁ ନୃତ୍ୟଭଙ୍ଗୀ ଓ ପଦଚାଳନା କରିବାକୁ ପଡ଼ୁଥିଲା । କେହି ଭୁଲ କଲେ ଓସ୍ତାଦ୍‍ ହାତରେ ଧରିଥିବା ଛାଟଟିରେ ତାକୁ ପାହାରଟିଏ ଦେଉଥିଲେ । ମୁଁ ଏହି ଆଖଡ଼ାରେ ଯୋଗ ଦେଇଥିଲି, ମାତ୍ର ନୃତ୍ୟଶିକ୍ଷାରେ ବେଶିଦୂର ଅଗ୍ରସର ହୋଇପାରି ନ ଥିଲି ।

 

ଚୈତ୍ର ପର୍ବରେ ତିନିଦିନ ଧରି ରାତିରେ ଆମ ଗାଁର ଠାକୁରାଣୀଙ୍କ ନିକଟରେ ଛଉନାଚ ହେଉଥିଲା । ଏଥିରେ ଆମ ଗାଁର ଭୂୟାଁମାନେ ଓ ପାର୍ଶ୍ୱବର୍ତ୍ତୀ ଜାମଦାପାଳ ଗାଁର କୋହ୍ଳମାନେ ଯୋଗଦେଉଥିଲେ ଏବଂ ଆମ ଗାଁର ପାଣମାନେ ଢୋଲମହୁରୀ ବଜାଉଥିଲେ । ପୂର୍ବକାଳରୁ ଯେଉଁସବୁ ଛଉ ବା ମୁଖା ଆମ ଗାଁରେ ଥିଲା, ସେଗୁଡ଼ିକ ଜାମଦାପାଳର ମାଣିକକୋହ୍ଲ ଘରେ ବାଉଁଶପେଡ଼ିରେ ସଯତ୍ନରେ ସଜାଡ଼ି କରାଯାଉଥିଲା ଏବଂ ସେଥି ସଙ୍ଗକୁ ପ୍ରତିବର୍ଷ କେତେକ ନୂଆ ଛଉକୁ ମଧ୍ୟ ଯୋଗ କରାଯାଉଥିଲା । ଛଉ ବା ମୁଖା ପିନ୍ଧି ନୃତ୍ୟକରିବା ହଁ ଛଉନାଚର ପାରମ୍ପରିକ ବିଧି । ବିନା ଛଉରେ ଆଜିକାଲି ଯେଇଁ ଛଉନୃତ୍ୟ ହେଉଛି, ତାହା ଏହି ନୃତ୍ୟର ଆଧୁନିକୀକରଣ ମାତ୍ର । ଆମ ଗାଁରେ ପାରମ୍ପରିକ ରୀତିରେ ହିଁ ଛଉନାଚ ହେଉଥିଲା । ଏଥରେ ଶିବ, ଦୁର୍ଗା, ଅର୍ଦ୍ଧନାରୀଶ୍ୱର, ହରପାର୍ବତୀ, କାଳୀ, କାର୍ତ୍ତିକେୟ, ବାଈ (ସୁନ୍ଦରୀ ସ୍ତ୍ରୀ), ବାଘ, ଭାଲୁ ଇତ୍ୟାଦିର ମୁଖା ପିନ୍ଧି ନୃତ୍ୟକାରୀମାନେ ନୃତ୍ୟ କରୁଥିଲେ । ପ୍ରତ୍ୟେକ ଛଉ ବା ମୁଖାର ଦୁଇ ଆଖିରେ ଦୁଇଟି ରନ୍ଧ୍ର, ରହୁଥିଲା । ଅତଏବ ଯେଉଁମାନେ ମୁଖାପିନ୍ଧି ନାଚୁଥିଲେ, ସେମାନେ ସମ୍ପୂର୍ଣ୍ଣ ଅନ୍ଧ ହୋଇ ନାଚୁ ନ ଥିଲେ ।

 

ଏହାଛଡ଼ା ଛଉନାଚର କେତେକ ଭୁମିକାରେ ବିନା ଛଉରେ ନୃତ୍ୟ କରିବାର ପ୍ରଥା ଥିଲା-। ଏ ଭୁମିକାଗୁଡ଼ିକ ହେଉଛି–କାମୁଡ଼ାଲିଆ ଓ ବାଟୁଆ-ବାଟୁଆଣୀ । ଜାମୁଡ଼ାଲିଆର କାମକରଣରୁ ଜଣାଯାଏ ଯେ ପୂର୍ବେ ନୃତ୍ୟକାରୀମାନେ ହାତରେ ଜାମୁଡ଼ାଳ ଧରି ଏ ନୃତ୍ୟ ପ୍ରଦର୍ଶନ କରୁଥିଲେ, ମାତ୍ର ମୁଁ ଯେଉଁ ସମୟର କଥା ଲେଖୁଛି, ସେ ସମୟରେ ଏହାର ବ୍ୟତିକ୍ରମ ଘଟିଯାଇଥିଲା । ଆମ ଗାର ଜାମୁଡ଼ାଲିଆମାନେ ଚକଚକିଆ, ଲାଲ ଓ ନୀଳରଙ୍ଗର ପୋଷାକ ପିନ୍ଧି ଏବଂ ନୀଳ କାଗଜର ଝାଳର ଲଖା ଧନୁରାକୃତି ବଂଶଦଣ୍ଡମାନ ଧରି ଏ ନୃତ୍ୟ ପ୍ରଦର୍ଶନ କରୁଥିଲେ । ବାଦ୍ୟର ତାଳ ଅନୁସାରେ ରଙ୍ଗଦଣ୍ଡମାନଙ୍କ ସହିତ ରଙ୍ଗପୋଷାକ ପରହିତ ଯୁବକମାନଙ୍କର ଏକକାଳୀନ ପଦଚାଳନ ଓ ଲମ୍ଫପ୍ରଦାନ ଅତ୍ୟନ୍ତ ଚିତ୍ତାକର୍ଷକ ହେଉଥିଲା । ବାଟୁଆ-ବାଟୁଆଣୀ (ପଥିକ ଓ ତାହାର ସହଧର୍ମିଣୀ) ନୃତ୍ୟରେ ବାଟୁଆ ଛଉ ପିନ୍ଧି ବାହାରୁଥିଲା, ମାତ୍ର ବାଟୁଆଣୀ ଅଣ୍ଟାରେ ପତ୍ର ପିନ୍ଧି ବିନା ଛଉରେ ତାହା ସହିତ ନାଚୁଥିଲା । ଏହା ଏକ ହାସ୍ୟୋଦ୍ଦୀପକ ଦ୍ୱୈତ୍ୟନୃତ୍ୟ । ସ୍ଵୟଂ ସ୍ଥଳକାୟ ଓସ୍ତାଦ ବନମାଳୀ ବାଟୁଆ ଭୂମିକାରେ ଅଙ୍ଗଭଙ୍ଗୀ କରି ଯେତେବେଳେ ଏହି ନୃତ୍ୟ ଦେଖାଉଥିଲେ, ସେତେବେଳେ ଦର୍ଶକମାନଙ୍କ ମଧ୍ୟରେ ହାସ୍ୟର କଲ୍ଲୋଳ ଖେଳିଯାଉଥିଲା । ନୃତ୍ୟସ୍ଥଳରେ ଯେଉଁ ଆଲୋକ ବ୍ୟବହୃତ ହେଉଥିଲା, ତାହା ଆଦିମ କାଳର । ଖଣ୍ଡିଏ ବାଉଁଶର ଗୋଟିଏ ପାଖ ଚିରି ସେଥିରେ ନିଆଁ ଲଗାଇଦେବା ପରେ ସେଥିରୁ ଯେଉଁ ଆଲୋକ ବାହାରୁଥିଲା, ସେହି ହୁଳା ଆଲୋକ ହିଁ ନୃତ୍ୟସ୍ଥଳକୁ ଆଲୋକିତ କରୁଥିଲା; କିନ୍ତୁ ଅଳ୍ପଦିନ ତଳେ ଗାଁକୁ ଯାଇ ଦେଖିଲି ଯେ ଭୂୟାଁସାହିର ପିଲାମାନେ ଖିଚିଙ୍ଗରେ ସମସ୍ତ ଆଧୁନିକ ବାଦ୍ୟଯନ୍ତ୍ର, ପୋଷାକ ଓ ପମ୍ପଲାଇଟ୍‍ ସହିତ ଅପେରା କରୁଛନ୍ତି । ମୁଁ ଭାବିଲି, ପଚାଶବର୍ଷ ମଧ୍ୟରେ ବାଉଁଶହୁଳାର ସ୍ଥାନ ପମ୍ପଲାଇଟ୍‍ ମାଡ଼ିବସିଲାଣି; ଏଣୁ ଆଉ କିଛିଦିନ ପରେ ଇଲେକ୍‍ଟ୍ରିକ୍‍ ଲାଇଟ୍‍ ନିଶ୍ଚୟ ପମ୍ପଲାଇଟ୍‍ର ସ୍ଥାନ ଅଧିକାର କରିବ । ପ୍ରକୃତରେ ଖିଚିଙ୍ଗକୁ ଅଳ୍ପଦିନ ହେଲା ଇଲେକ୍‍ଟ୍ରିକ୍‍ ଲାଇନ ଆସିଗଲାଣି ।

 

ଚୈତ୍ରପର୍ବରେ ଭୂୟାଁମାନଙ୍କ ମଧ୍ୟରୁ ଅନେକେ ମାସକ ଆଗରୁ ଅଧବେଳା ଓପାସ କରୁଥଲେ ଏବଂ ବୈଶାଖ ସଂକ୍ରାନ୍ତି ଦିନ କେବଳ ପାଳୁଅରୁ ତିଆରି ଝିଲି ସହିତ ପଣା ପିଇ ପୂର୍ଣ୍ଣ ଉପବାସ କରୁଥିଲେ । ଏମାନଙ୍କୁ “ଭଗତା” କୁହାଯାଉଥିଲା । ଭଗଭା ଶବ୍ଦ ନିଶ୍ଚୟ ଭକ୍ତ ଶବ୍ଦରୁ ଉତ୍ପନ୍ନ ହୋଇଥିଲା । ଭଗତା ହେବା ଗୋଟିଏ କଷ୍ଟସାଧ୍ୟ ବ୍ୟାପାର; ଏଣୁ କେହି କେହି ଥଟ୍ଟା କରି କହୁଥିଲେ–

 

ଭଗତା ମାତିଲାରେ ଝିଲିପଣା ଖାଇଣ ।

ଆଜି ଖାଇ ଥା ଝିଲିପଣା,

କାଲି ହୋଇବ ପିଠିରେ କଣା,

ଗୋଡ଼େଇ ଥିବେ ଢଣ-ଢଣା ।

 

ଆମ ଗାଁର ଭଗତାମାନେ ବୈଶାଖ ସଂକ୍ରାନ୍ତି ଦିନ ବେକରେ ପାଟଳିଫୁଲର ମାଳ ପିନ୍ଧି, ହାତରେ ଖଣ୍ଡିଏ ଖଣ୍ଡିଏ ବାଡ଼ି ଧରି, ବଡ଼ପାଟିରେ “ଶିବ ଶଙ୍କର ମହାଦେବ’’ ଉଚ୍ଚାରଣ କରୁ କରୁ ଆମ ଗାଁର ଦୁଇମାଇଲ ଦୂରରେ ଥିବା ରରୁଆଁରେ ନାଚି ନାଚି ଯାଇ ପହଞ୍ଚୁଥିଲେ । ଏହିଦିନ ଏଠାରେ ଗୋଟିଏ ବଡ଼ ମେଳା ହେଉଥିଲା । ବିଭିନ୍ନ ସ୍ଥାନର ଭଗତାମାନେ ଏଠାରେ ଉପସ୍ଥିତ ହୋଇ ଓ ବାସୁଲେଈ ଠାକୁରାଣୀ ସମ୍ମୁଖରେ ନିଜ ନିଜ ଦେହରେ ନାନା ପ୍ରକାର ଆଘାତ କରି ବ୍ରତ ଉଦ୍‍ଯାପନ କରୁଥିଲେ । ଭଗତାମାନଙ୍କ ମଧ୍ୟରୁ କେତେଜଣ ଯେତେବେଳେ କାlଠଦଣ୍ଡାରେ ବନ୍ଧା ହୋଇ ଉଡ଼ୁଥିଲେ, ସେତେବେଳେ ଦର୍ଶକମାନେ ଚମକୃତ ହୋଇଯାଉଥଲେ । ଗୋଟିଏ ବଡ଼ ଶାଳସ୍ତମ୍ଭ ଉପରେ ଘୂରିବା ଭଳି ଆଉ ଖଣ୍ଡେ କାଠକୁ ଲଗାଇ ଦିଆଯାଉଥିଲା ଏବଂ ସେହି କାଠ ସହିତ ଆଉ ଖଣ୍ଡେ ଦଣ୍ଡାକୁ ବାନ୍ଧି ଦିଆଯାଉଥିଲା । ଭଗତାକୁ ଏହି ଦଣ୍ଡାରେ ଲୁଗା ଦ୍ୱାରା ବାନ୍ଧିଦେବା ପରେ ସେ ସ୍ତମ୍ଭର ଚତୁର୍ଦ୍ଦିଗରେ ଚକ୍ରାକାରରେ ଘୂରି ଆସୁଥିଲା । ସେ ଘୂରିବାବେଳେ ଆକାଶରେ ଉଡ଼ିବା ପରି ଦେଖାଯାଉଥିଲା । ଏଣୁ ଏ ପର୍ବକୁ ଆମ ଅଞ୍ଚଳରେ ଉଡ଼ାପର୍ବ କହୁଥିଲେ-

 

ଏ ଉଡ଼ାପର୍ବ ରରୁଆଁର ଭଞ୍ଜବଂଶୀୟ ବାବୁମାନଙ୍କ ପୃଷ୍ଠପୋଷକତାରେ ସେମାନଙ୍କ ଆରାଧ୍ୟାଦେବୀ ବାସୁଲେଈ ଠାକୁରାଣୀଙ୍କ ସମ୍ମୁଖରେ ଅନୁଷ୍ଠିତ ହେଉଥିଲା । ଉଡ଼ାପର୍ବ ଓ ଛଉନାଚ ପରସ୍ପର ସହିତ ସଂଶ୍ଳିଷ୍ଟ । ଉଭୟ ଶିବ ଓ ଦୁର୍ଗାଙ୍କ ଆରାଧନା ପାଇଁ ହିଁ ଅନୁଷ୍ଠିତ ହେଉଥିଲା । ଶୈବଧର୍ମ ଓ ଶାକ୍ତଧର୍ମ ପରସ୍ପର ସହିତ ଏପରି ଭାବରେ ଜଡ଼ିତ ଯେ ଗୋଟିକୁ ବାଦ ଦେଇ ଅନ୍ୟଟିକୁ କଳ୍ପନା କରଯାଇପାରେ ନାହିଁ । ମନେହୁଏ ଯେ ଆଦିବାସୀମାନେ, ବିଶେଷତଃ ଭୂୟାଁମାନେ, ବହୁ ଶତବର୍ଷ ପୂର୍ବେ ଏହି ହିନ୍ଦୁ ଦେବତା ଦୁଇଟିକୁ ନିଜର ଆରାଧ୍ୟଦେବତା ବୋଲି ମାନି ନେଇଥିଲେ ।

 

ଚୈତ୍ରପର୍ବରେ ଯେଉଁ ରଜସଂକ୍ରାନ୍ତି ହୁଏ, ସେଥିପାଇଁ ମଧ୍ୟ ବହୁ ଆଗରୁ ଆୟୋଜନ ଚାଲେ । ରଜସଂକ୍ରାନ୍ତିର ଦଶପନ୍ଦର ଦିନ ପୂର୍ବରୁ ଆମ ଗାଁର ବହୁ ସ୍ଥାନରେ ଦୋଳି ବସୁଥିଲା । ଗାଁର ଆମ୍ବତୋଟାମାନଙ୍କରେ, ଛକଜାଗାରେ ଏବଂ ଅଧିକାଂଶ ଘରର ଅଗଣା ବା ବାଡ଼ମାନଙ୍କରେ ଛୋଟବଡ଼ ଖାଇଦୋଳି ଓ ପଟାଦୋଳିମାନ ଦେଖାଯାଉଥିଲା । ଖାଲାଦୋଳିରେ ଚାରୋଟି ପଟା ଲାଗିଥାଏ ଏବଂ ଏହା ତଳ ଉପର ହୋଇ ଘୂରେ, ମାତ୍ର ପଟାଦୋଳି କେବଳ ଦୁଇଟି ଦିଗକୁ ଗତିକରି ଚାଲେ । ପ୍ରତ୍ୟେକ ଦୋଳିରେ ସ୍ତ୍ରୀ-ପୁରୁଷ ଓ ବାଳକବାଳିକାମାକଙ୍କ ଭିଡ଼ ଲାଗିଥାଏ । ଏ ପର୍ବରେ ବୃଦ୍ଧବୃଦ୍ଧାମାନେ ମଧ୍ୟ ଦୋଳିଖେଳର ପ୍ରଲୋଭନ ଛାଡ଼ିପାରନ୍ତି ନାହିଁ । ସମସ୍ତ ଦୋଳିଗୀତ ଆଦିରସାତ୍ମକ, ବେଳେ ବେଳେ ଅଶ୍ଳୀଳ ମଧ୍ୟ ହୋଇଥାଏ । ସ୍ତ୍ରୀ-ପୁରୁଷ ପାଖ ପାଖ ଦୋଳିରେ ଭିନ୍ନଭାବରେ ବସି ଅଧରାତି ପର୍ଯ୍ୟନ୍ତ ଦୋଳିଗୀତରେ ପ୍ରତିଯୋଗିତା ମଧ୍ୟ ଚଲାନ୍ତି । ପୂର୍ବ ରଚିତ ଦୋଳି ଗୀତଗୁଡ଼ିକ ଗାଁରେ ପ୍ରଚଳିତ ଥାଏ । ତା’ ଛଡ଼ା ଅନେକେ ଦୋଳିରେ ବସି ସଙ୍ଗେ ସଙ୍ଗେ ଗୀତ ରଚନା କରିପକାନ୍ତି, ଯଥା, ଜଣେ ଛତାଧରି ଚାଲୁଥିବାର ଦେଖିଲେ ସଙ୍ଗେ ସଙ୍ଗେ ଗାଇଉଠନ୍ତି–

 

ଛତାକୁ ଛତା ପଇତା, ଛତାଧରା ଭାଇରେ ଦଣ୍ଡେ ରହି ଥା

ଦଣ୍ଡେ ରହି ଥା ରେ, ଛତାରେ ଦେବି ବାରତା ।

 

ରଜ ଉପଲକ୍ଷେ ପ୍ରାୟ ପନ୍ଦର ଦିନ ଧରି ଗାଁଟି ଆନନ୍ଦମୁଖର ଓ ସଙ୍ଗୀତମୁଖର ହୋଇଥାଏ । ରଜ ତିନିଦିନ ସମସ୍ତେ ପିଠାପଣା ଓ ମାଂସଭୋଜନର ଯଥାସାଧ୍ୟ ବ୍ୟବସ୍ଥା କରଥାନ୍ତି-। ଗାଁରେ ପ୍ରାୟ ଆଠଦିନ ଧରି ବାଗୁଡ଼ିଖେଳ ଚାଲେ । ଖିଚିଙ୍ଗର ଠାକୁରାଣୀ ମନ୍ଦିରଟି କେନ୍ଦ୍ରସ୍ଥଳି ହୋଇଥିବାରୁ ଆଖପାଖ ଆଠ ଦଶଟି ଗାଁରୁ ଏଠାରେ ଖେଳାଳିମାନେ ରୁଣ୍ଡ ହୁଅନ୍ତି । ଖେଳରେ ବଳ କସାକସି ଚାଲେ, ମାଡ଼ଫୌଜଦାରୀ ମଧ୍ୟ ହୁଏ । ଆମ ଗାଁର ସ୍ତ୍ରୀଲୋକମାନେ ଭିନ୍ନ ସମାବେଶରେ ଛିଡ଼ା ହୋଇ ବାଗୁଡ଼ିଖେଳ ଦେଖନ୍ତି । ଏବେ ଗାଁକୁ ଯାଇ ବୁଝିଲି ଯେ ଖିଚିଙ୍ଗରେ ଆଉ ବାଗୁଡ଼ିଖେଳ ହେଉନାହିଁ । ଆମ ଗାଁର ସ୍ତ୍ରୀମାନେ ହିଁ ଏହି ଖେଳ ଭାଙ୍ଗି ଯିବାର କାରଣ ହେଲେ । ଥରେ ଏମାନେ ପ୍ରତିବର୍ଷ ପରି ବାଗୁଡ଼ିଖେଳ ଦେଖୁଥିଲେ, ମାତ୍ର ଆମ ଗାଁର ପିଲାମାନେ ଯେତେବେଳେ ହାରିଯିବା ଅବସ୍ଥାକୁ ଆସିଲେ, ସେତେବେଳେ ଏମାନେ ଆଉ ନୀରବଦ୍ରଷ୍ଟା ହୋଇ ରହିପାରିଲେ ନାହିଁ । ସମସ୍ତେ ଅପର ପକ୍ଷର ଖେଳାଳୀମାନଙ୍କୁ ହଠାତ୍ ଆକ୍ରମଣ କରି ସେମାନଙ୍କ ଉପରେ ବିଧାବର୍ଷଣ କଲେ । ସ୍ତ୍ରୀମାନଙ୍କ ହାତରୁ ମାଡ଼ଖାଇବା କିମ୍ବା ସେମାନଙ୍କ ସହିତ ମୁଷ୍ଟିଯୁଦ୍ଧରେ ପ୍ରବୃତ୍ତ ହେବା ଗୋଟିଏ ଲଜ୍ଜାଜନକ ବ୍ୟାପାର । ଏଣୁ ସେମାନଙ୍କ ସହିତ ମୁଷ୍ଟିଯୁଦ୍ଧରେ ପ୍ରବୃତ୍ତ ନ ହୋଇ ଅପର ପକ୍ଷର ଖେଳାଳୀମାନେ ପରାଜୟରେ ନୁହେଁ, ଲଜ୍ଜାରେ ହିଁ ମୁହଁପୋତି ପୃଷ୍ଟଭଙ୍ଗ ଦେଲେ । ସେହିଦିନୁ ଚାରିପାଞ୍ଚ ବର୍ଷ ହେଲା ଖିଚିଙ୍ଗରେ ଆଉ ବାଗୁଡ଼ି ଖେଳ ହେଉନାହିଁ-

 

ମକରପର୍ବ ମଧ୍ୟ ଏ ଅଞ୍ଚଳର ଗୋଟିଏ ପ୍ରଧାନ ପର୍ବ । ଏହି ପର୍ବରେ ସମସ୍ତେ ପିଠାପଣା ଓ ମାଂସଭୋଜନ କରିଥାନ୍ତି । ସଂକ୍ରାନ୍ତି ଦିନ କେହି କେହି ପାର୍ଶ୍ୱବର୍ତ୍ତୀ ବୈତରଣୀରେ ସ୍ନାନ କରନ୍ତୁ । ଆମ ଗାଁଠାରୁ ପ୍ରାୟ ଦଶମାଇଲ ଦୂରରେ ଥିବା ବୈତରଣୀର କେଶରୀକୁଣ୍ଡଠାରେ ଏହିଦିନ ଗୋଟିଏ ବଡ଼ ମେଳାହୁଏ ଏବଂ ଏଠାକୁ ଆସିଥିବା ସିଂହଭୂମ, କେଉଁଝର ଓ ମୟୁରଭଞ୍ଜର ଯାତ୍ରୀମାନଙ୍କ ମଧ୍ୟରୁ କେତେକ ଖିଚିଙ୍ଗ ଠାକୁରାଣୀଙ୍କ ପାଖକୁ ଆସନ୍ତି । ଏଣୁ ଖିଚିଙ୍ଗରେ ମଧ୍ୟ ଗୋଟିଏ ସାନମେଳା ହୋଇଥାଏ । ଆମ ଗାଁରେ ବହୁକାଳରୁ ମହାସମାରୋହରେ ଶିବଚତୁର୍ଦ୍ଦଶୀ ଉପଲକ୍ଷେ ଗୋଟିଏ ବଡ଼ ଧରଣର ମେଲା ହୋଇଆସୁଛି । ଏହି ମେଳା ଦଶବାରଦିନ ଧରି ବସେ, ବହୁମୁଦ୍ରା ବ୍ୟୟରେ ଦୂରଦୂରାନ୍ତରୁ ଭଲ ଭଲ ଯାତ୍ରାଦଳ ଅଣାଯାଉଥବାରୁ ଏ ସମୟରେ ଏଠାରେ ବହୁଲୋକର ସମାଗମ ହୁଏ । ମୋର ବାଲ୍ୟକାଳରେ ମୁଁ ଏହି ମେଳାରେ ହିଁ ପ୍ରଥମେ ଜଗନ୍ନାଥ ପାଣିଙ୍କ ରଚିତ ଲୀଳା-ଯାତ୍ରା ଓ ପରେ ବୈଷ୍ଣବ ପାଣିଙ୍କ ରଚିତ ରଙ୍ଗସଭା ଦଣ୍ଡୀପର୍ବ ଇତ୍ୟାଦି ଦେଖିବାର ସୁଯୋଗ ପାଇଥିଲି । ଭୂୟାଁ, ଗଣ୍ଡ ଓ ପୁରାଣ ପିଲାମାନଙ୍କ ସହଯୋଗିତାରେ ଓ ମୋର ଭାଇମାନଙ୍କ ନେତୃତ୍ୱରେ ଖିଚିଙ୍ଗରେ ଗୋଟିଏ ଭଲ ଯାତ୍ରାଦଳ ମଧ ଗଢ଼ି ଉଠିଥିଲା । ଦଶହରା ସମୟରେ ଖିଚିଙ୍ଗ ଠାକୁରାଣୀଙ୍କ ମନ୍ଦିରରେ ବିଶେଷ ପୂଜାପ୍ରକରଣ ଓ ଚଣ୍ଡୀପାଠ ହେଉଥିବାରୁ ଏ ସମୟଟି ମଧ୍ୟ ଉତ୍ସବମୟ ଜଣାଯାଏ । ମୋଟ ଉପରେ, ଖିଚିଙ୍ଗ ଗୋଟିଏ ଦରିଦ୍ର ପଲ୍ଲୀ ହେଲେ ହେଁ ବର୍ଷର ବହୁ ସମୟରେ ଏଠାରେ ମେଳା-ମହୋତ୍ସବ ଲଗିରହିଥାଏ । ତା’ଛଡ଼ା ଏ ସ୍ଥାନର ଠାକୁରାଣୀ ମନ୍ଦିରକୁ ପ୍ରତିଦିନ ଯାତ୍ରୀଦଳ ଆସନ୍ତି ।

 

ଷାଠିଏ ବର୍ଷ ମଧ୍ୟରେ ଏ ଅଞ୍ଚଳରେ ବିପୁଳ ପରିବର୍ତ୍ତନ ଘଟିଯାଇଛି । ଏ ଅଞ୍ଚଳ ବୃକ୍ଷଲତାଶୂନ୍ୟ ହେବାକୁ ଯାଉଛି । ଏକଦା ଅରଣ୍ୟସଙ୍କୁଳ ଏ ସ୍ଥଳିଟି ବର୍ତ୍ତମାନ ବୃକ୍ଷଲତାଶୁନ୍ୟ ହୋଇଛି । ପୂର୍ବପୁରୁଷରୁ ଯେଉଁସବୁ ଆମ୍ୱବଗିଚା ଥିଲା, ସେଥିରୁ ଅଧିକାଂଶ ଜାଲେଣି କାଠରୁପେ ବ୍ୟବହୃତ ହେବା ପରେ ଏ ଅଞ୍ଚଳଟି ହତଶ୍ରୀ ଦେଖାଯାଉଛି । ଧାନ ଓ ଜାଳ ସବୁ ଅଞ୍ଚଳ ପରି ଏ ଅଞ୍ଚଳର ମଧ୍ୟ ଅପରିହାର୍ଯ୍ୟ ପଦାର୍ଥ; ମାତ୍ର ଏ ଅଞ୍ଚଳରେ କେହି କାଠ ଛଡ଼ା ଅନ୍ୟ କୌଣସି ପଦାର୍ଥକୁ ଜାଳେଣିରୂପେ ବ୍ୟବହାର କରି ଜାଣନ୍ତି ନାହିଁ । ଏଠାରେ ନିଜ ନିଜ ସ୍ଥାନରେ ବୃକ୍ଷରୋପଣ କରିବାର ପ୍ରଥା ଆଦୌ ନାହିଁ । ଏଣୁ ଏଠାରେ ଜାଳେଣିକାଠ ଗୋଟିଏ ପ୍ରଧାନ ସମସ୍ୟା ହୋଇପଡ଼ିଛି । ଯେଉଁଠାରେ ସ୍ୱଳ୍ପ ଆୟାସରେ ଓ ବିନାମୂଲ୍ୟରେ ଜାଳକାଠ ସଂଗ୍ରହ କରାଯାଉଥିଲା, ସେଠାରେ ବର୍ତ୍ତମାନ କାଠକୁ ଓଜନ କରି ବିକ୍ରୀ କରାଯାଉଛି ।

 

ଏ ଅଞ୍ଚଳର ଆର୍ଥିକ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି । ପାଖରେ ସ୍କୁଲ କଲେଜର ସୁବିଧା ସୃଷ୍ଟିହେବାପରେ ଆଦିବାସୀମାନଙ୍କ ମଧ୍ୟରୁ କେତେକ ସରକରୀ ଚାକିରି ପାଇଁ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିପାରିଛନ୍ତି ଓ ଉନ୍ନତ ଧରଣର ବାସଗୃହ ନିର୍ମାଣ କରିପାରିଛନ୍ତି । ଆମ ଗାଁ ଗଣ୍ଡସାହିର ଶ୍ରୀ ସନ୍ତୋଷ କୁମାର ନାୟକ ନାମକ ଜଣେ ଯୁବକ ଏମ୍. ଏସ୍‍ସି. ପାଶ୍‍କରି ଓଡ଼ିଶା ସରକାରଙ୍କ ଅଧୀନରେ ଅଧ୍ୟାପକ ପଦ ପାଇଛନ୍ତି । ତଥାପି ଗ୍ରାମର ବହୁ ପରିବାର ଅଦ୍ୟାପି ଦାରିଦ୍ର୍ୟର ସୀମାରେଖା ତଳେ ରହି ପୂର୍ବପରି ଦୁଃଖମୟ ଜୀବନଯାପନ କରୁଛନ୍ତି ।

 

ଏ ଅଞ୍ଚଳର ଆଦିବାସୀମାନଙ୍କ ସାଂସ୍କୃତିକ ଜୀବନରେ ଏକ ନୂତନ ଧାରା ସୃଷ୍ଟି ହେବାକୁ ଯାଉଛି । ପୂର୍ବେ ଏ ଅଞ୍ଚଳର ଭୂୟାଁ, ଗଣ୍ଡ ସାଉନ୍ତି ଓ ବାଥୁଡ଼ିମାନେ ହିନ୍ଦୁ, ସମାଜରୁ ନିଜ ନିଜକୁ ପୃଥକ୍ ବୋଲି ଭାବୁ ନ ଥିଲେ । ଏମାନଙ୍କ ଘରେ ବ୍ରାହ୍ମଣମାନେ ପୌରୋହିତ୍ୟ କରନ୍ତି ଏବଂ ଏମାନେ ସବର୍ଣ୍ଣ ହିନ୍ଦୁମାନଙ୍କ ପରି ସମସ୍ତ ଦେବଦେବୀଙ୍କୁ ମଧ୍ୟ ମାନନ୍ତି । ଏଣୁ ବହୁ ଶତାବ୍ଦୀର ହିନ୍ଦୁସମ୍ପର୍କ ଫଳରେ ଏମାନେ ଗୋଟିଏ ଗୋଟିଏ ଜାତିରେ ପରିଣତ ହୋଇଛନ୍ତି, ମାତ୍ର ସେମାନେ ଯେ ଗୋଟିଏ ଗୋଟିଏ ଉପଜାତି ବା ଟ୍ରାଇବ, ଏ ଧାରଣ ବର୍ତ୍ତମାନ ସେମାନଙ୍କ ମନରେ ବଦ୍ଧମୂଲ ହେବାକୁ ଯାଉଛି । ଏମାନଙ୍କ ନିମିତ୍ତ ସମ୍ୱିଧାନରେ ସ୍ୱତନ୍ତ୍ର ସ୍ୱାର୍ଥସଂରକ୍ଷଣ ହିଁ ଏହି ନୂତନ ଧାରଣାର ମୁଳ କାରଣ । ଏହି ସଂରକ୍ଷଣ ଫଳରେ ଏ ଅଞ୍ଚଳର ଆଦିବାସୀମାନେ ଯେଉଁ ସୁବିଧା ପାଉଛନ୍ତି, ସେଥିରେ ସମସ୍ତେ ଆନନ୍ଦିତ ହେବାର କଥା । ସେମାନେ ଏହାଠାରୁ ଯଦି ଅଧିକ ସୁବିଧା ପାଆନ୍ତି, ତେବେ ମୁଁ ସବୁଠାରୁ ବେଶି ଆନନ୍ଦିତ ହେବି । କିନ୍ତୁ ବହୁ ଶତାବ୍ଦୀର ସାଧନା ଫଳରେ ଏମାନଙ୍କ ଓ ସବର୍ଣ୍ଣ ହିନ୍ଦମାନଙ୍କ ମଧ୍ୟରେ ଯେଉଁ ସାମାଜିକ ଓ ଧର୍ମଜୀବନର ପରମ୍ପରା ଗଢ଼ିଉଠିଥିଲା, ତାହା ଯଦି ଛିନ୍ନ ବା ବ୍ୟାହତ ହୁଏ, ତେବେ ଦୁଇଟି ବିବଦମାନ ଗୋଷ୍ଠୀ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ଆସୁଛି ।

 

ପାଶ୍ୱବର୍ତ୍ତୀ ଅଞ୍ଚଳମାନଙ୍କରୁ ଖିଚିଙ୍ଗ ମନ୍ଦିରକୁ କୋହ୍ଲ ଓ ସାନ୍ତାଳମାନେ ଆଉ ବେଶି ସଂଖ୍ୟାରେ ଆସୁନାହାନ୍ତି । ବାମନଘାଟି ସବ୍‍ଡିଭିଜନରୁ ସାନ୍ତାଳମାନେ ପୂର୍ବେ ସହସ୍ର ସଂଖ୍ୟାରେ ଆସି ବୈତରଣୀରେ ଯେପରି ମୃତ ବ୍ୟକ୍ତିମାନଙ୍କ ଅସ୍ଥି ପକାଉଥିଲେ, ବର୍ତ୍ତମାନ ଆଉ ସେପରି ଆସୁନାହାନ୍ତି । ଖିଚିଙ୍ଗରେ ଶିବରାତ୍ରି ମେଳାରେ ସହସ୍ରସଂଖ୍ୟକ କୋହ୍ଲ ପୂର୍ବେ ଯେପରି ନାଗରା ଓ ମାଦଳ ଅହୋରାତ୍ର ବଜାଉଥିଲେ, ବର୍ତ୍ତମାନ ଆଉ ସେପରି ବଜାଉ ନାହାନ୍ତି । ଏହି ମେଳାରେ ଦିନବେଳେ କୋହ୍ଲରମଣୀମାନଙ୍କ ଚକ୍ରାକାର ନୃତ୍ୟ ଆଉ ଦେଖିବାକୁ ମିଳୁନାହିଁ । ଫଳତଃ ଗତ ପଚିଶ ବର୍ଷ ମଧ୍ୟରେ ଆଦିବାସୀମାନଙ୍କ ଧର୍ମ ଧାରଣରେ ଘୋର ପରିବର୍ତ୍ତନ ଆସିଛି ।

 

ଖିଚିଙ୍ଗ ଠାକୁରାଣୀ ମନ୍ଦିର ହିନ୍ଦୁ ଓ ଆଦିବାସୀ ଧର୍ମଧାରା ଓ ସଂସ୍କୃତିର ଏକ ମିଲନକେନ୍ଦ୍ରରୂପେ ବହୁ ପୂର୍ବରୁ ରହିଆସିଛି । ଏଠାରେ ବ୍ରାହ୍ମଣ ଓ ଭୂୟାଁମାନେ ସମଅଧକାର ପାଇ ଠାକୁରାଣୀଙ୍କ ସେବା ଓ ପୂଜାରେ ବହୁ ପୂର୍ବକାଳରୁ ନିଯୁକ୍ତ ହୋଇ ଆସିଛନ୍ତି । ଏ ମନ୍ଦିର ହିନ୍ଦୁ, ଆଦିବାସୀ ଓ ହରିଜନମାନଙ୍କ ପ୍ରବେଶ ପାଇଁ ସର୍ବଦା ଉନ୍ମକ୍ତ ହୋଇ ଆସିଛି । ଏ ମନ୍ଦିର ବେଢ଼ାରେ ଖ୍ରୀଷ୍ଟିୟାନ୍‍ ଓ ମୁସଲମାନମାନେ ମଧ୍ୟ ଅବାଧରେ ପ୍ରବେଶ କରନ୍ତୁ । ବ୍ରାହ୍ମଣ, କ୍ଷତ୍ରିୟ, କରଣ ଇତ୍ୟାଦି ଯେଉଁଠାରେ ରହି ଦେବୀଦର୍ଶନ ଓ ପୂଜା କରିଥାନ୍ତି, ସେହିଠାରେ ହରିଜନ ଓ ଆଦିବାସୀମାନେ ମଧ୍ୟ ରହି ଦେବୀଦର୍ଶନ ପୂଜା କରିଥାନ୍ତି । ସେହିଠାରେ ହରିଜନ ସଂସ୍କୃତି ଗଙ୍ଗା ଓ ଯମୁନା ପରି ଦୁଇଟି ସ୍ୱତନ୍ତ୍ର ସ୍ରୋତ ହେଲେ ହେଁ ଉଭୟର ମିଲନ ଯେ ସମ୍ଭବ, ତାହା ଖିଚିଙ୍ଗର ଶାକ୍ତପୀଠ ଦେଖାଇ ପାରିଛି । ଓଡ଼ିଶା ତଥା ଭାରତରେ ହରିଜନ ଓ ଆଦିବାସୀମାନଙ୍କ ହିନ୍ଦୁ ମନ୍ଦିର ପ୍ରବେଶ ପାଇଁ ଅଧୁନା ଯେଉଁ ସମସ୍ୟା ଉପୁଜିଛି, ବହୁ ଶତାବ୍ଦୀ ପୂର୍ବେ ଏଠାରେ ଶାନ୍ତିପୂର୍ଣ୍ଣଭାବରେ ଓ ବିନା ଆଇନରେ ତାହା ସମାହିତ ହୋଇଥିଲା । ଏ ଅଞ୍ଚଳ ତଥା ପାଶ୍ୱବର୍ତ୍ତୀ ଅଞ୍ଚଳମାନଙ୍କରେ କୂପ ଓ ପୁଷ୍କରିଣୀର ଜଳ ବ୍ୟବହାର ପାଇଁ ହିନ୍ଦୁ, ଆଦିବାସୀ ଓ ହରିଜନମାନଙ୍କ ସମଅଧିକାର ରହିଛି, ଏଥିରେ କେହି କୌଣସି ପ୍ରକାର ହସ୍ତକ୍ଷେପ କରନ୍ତୁ ନାହଁ ।

 

ଖାଲି ଖିଚିଙ୍ଗରେ ନୁହେଁ; ଆଖପାଖ ଅଞ୍ଚଳମାନଙ୍କରେ ହିନ୍ଦୁ ଓ ଆଦିବାସୀ । ଅଧିବାସୀମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ମିଳନ ଓ ସହିଷ୍ଣୁତା ବହୁ ଶତାବ୍ଦୀ ଧରି ଗଢ଼ି ଉଠିଛି । ଖିଚିଙ୍ଗଠାରୁ ୬ ମାଇଲ ଦୂରରେ ଥିବା ସିଂହଭୂମର ବେନି ସାଗରଠାରେ, ରାଞ୍ଚିର ଲୋହାରଡ଼ାଗା ନିକଟବର୍ତ୍ତୀ ଖେକ୍‍ପାର୍ତ୍ତାରେ, ସିମ୍‍ଡେଗା ସବ୍‍ଡିଭିଜନର ଅନେକ ସ୍ଥାନରେ ଏବଂ ରାଞ୍ଚି ନିକଟବର୍ତ୍ତୀ ଜଗନ୍ନାଥପୁରରେ ପ୍ରାଚୀନ ଶିବମନ୍ଦିର ବା ଜଗନ୍ନାଥ ମନ୍ଦିର ବର୍ତ୍ତମାନ ସୁଦ୍ଧା ବିଦ୍ୟମାନ ରହିଛି, ଅଥବା ସେମାନଙ୍କ ଧ୍ୱଂସାବଶେଷ ରହିଛି । ଏ ସମସ୍ତ ଅନୁଶୀଳନ କଲେ ଜଣାଯାଏ ଯେ, ଏ ସମସ୍ତ ଓଡ଼ିଶୀ ଶୈଳୀର ସ୍ଥାପତ୍ୟ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତତଃ ହଜାର ବର୍ଷ ପୂର୍ବେ ନିର୍ମିତ ହୋଇ ହିନ୍ଦୁ ଓ ଅଧିବାସୀମାନଙ୍କ ମିଳନ ଓ ସାହଚର୍ଯ୍ୟ ସ୍ଥଳିରୂପେ ବ୍ୟବହୃତ ହେଉଥିଲା । ନୂତନ ରାଜନୀତିକ ଜାଗରଣ ଫଳରେ ସହସ ବର୍ଷର ହିନ୍ଦୁ – ଆଦିବାସୀ ସାଂସ୍କୃତିକ ଧାରାରେ ବ୍ୟାଘାତ ସୃଷ୍ଟି ହେଲାଣି । ଏ ସମୟରେ ନେତୃବର୍ଗ ଏ ବିଷୟ ପ୍ରତି ପୁରୋଦୃଷ୍ଟି ନ ଦେଲେ, ହିନ୍ଦୁ ଓ ଆଦିବାସୀମାନଙ୍କ ମଧ୍ୟରେ ଗୋଟିଏ ଅଭେଦ୍ୟ ପ୍ରାଚୀର ସୃଷ୍ଟି ହେବାର ଆଶଙ୍କା ଆସୁଛି । ହିନ୍ଦୁ ଓ ଆଦିବାସୀ ସଂସ୍କୃତି ଦୁଇଟି ସ୍ଵତନ୍ତ୍ର ଧାରା ହେଲେ ହେଁ ଭାରତରେ ଏ ଦୁଇଟିର ସହାବସ୍ଥାନ ଓ ସମ୍ମିଶ୍ରଣ ଯୁଗ ଯୁଗ ଧରି ଚାଲିଆସିଛି । ଓଡ଼ିଶାରେ ଏହି ସହାବସ୍ଥାନ ଓ ସମ୍ମିଶ୍ରଣ ସବୁଠାରୁ ବେଶି ସାଫଲ୍ୟମଣ୍ଡିତ ହୋଇଥିଲା । ଏହି ସାଫଲ୍ୟ ଯେପରି ଧ୍ୱଂସ ନ ପାଏ ସେଥିପ୍ରତି ସମସ୍ତେ ସତର୍କ ରହିବା ବାଞ୍ଚନୀୟ । ରାଜନୀତି ସମାଧାନ କରି ନ ପାରେ, ସଂସ୍କୃତି ତାହା ସମାଧାନ କରିଥାଏ । ଓଡ଼ିଶାରେ ଆଦିବାସୀ ଓ ହରିଜନମାନଙ୍କ ସଂଖ୍ୟା ସମଗ୍ର ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ । ଏପରି ସ୍ଥଳେ ବିଭିନ୍ନ ସମ୍ପ୍ରଦାୟକୁ ଗୋଟିଏ ସାଂସ୍କୃତିକ ଧାରା ପ୍ରତି ଅଭିମୁଖୀ ନ କଲେ ବହୁ ବିବାଦମାନ ଗୋଷ୍ଠୀ ସୃଷ୍ଟି ହେବାରେ ପୂର୍ଣ୍ଣ ଆଶଙ୍କା ରହିଛି ।

Image

 

ପଞ୍ଚମ ପରିଚ୍ଛେଦ

ମୋ ସମୟର ମୟୁରଭଞ୍ଜ

 

ଆମ ଗାଁ ଖିଚିଙ୍ଗ ହିଁ ମୟୁରଭଞ୍ଜର ଆଦି ଇତିହାସ ଉଦ୍‍ଘାଟନ କରିଥାଏ । ଖିଚିଙ୍ଗରେ ବର୍ତ୍ତମାନ ସୁଦ୍ଧା ତିନୋଟି ପ୍ରାଚୀନ ମନ୍ଦିର ଅଛି ଏବଂ ଆଉ କେତେକ ମନ୍ଦିର ସମ୍ପୂର୍ଣ୍ଣ ଧ୍ୱଂସପାଇବା ପରେ ସେମାନଙ୍କ ଅଂଶବିଶେଷ ବର୍ତ୍ତମାନ ସ୍ଥାନୀୟ ମିଉଜିୟମରେ ସଂରକ୍ଷିତ ହୋଇଛି, ଅଥବା ମିଉଜିୟମର ପାର୍ଶ୍ୱସ୍ଥ ଖୋଲା ଜାଗାରେ ରଖାଯାଇଛି । କଳା ମୁଗୁନପଥରରେ ନିର୍ମିତ ଓ ସୁନ୍ଦର କାରୁକାର୍ଯ୍ୟଶୋଭିତ ଏହି ପ୍ରାଚୀନ ମନ୍ଦିରମାନଙ୍କ ଛଡ଼ା ଏଠାରେ ଦୁଇଟି ପ୍ରାଚୀନ ଦୁର୍ଗର ଭଗ୍ନାବିଶେଷ ଓ ବହୁ ପ୍ରାଚୀନ ପୁଷ୍କରିଣୀ ଥିବା କଥା ପ୍ରଥମ ପରିଚ୍ଛେଦରେ ଉଲ୍ଲେଖ କରାଯାଇଛି । ଏତଦ୍‍ବ୍ୟତିତ ବର୍ତ୍ତମାନ ଶଙ୍ଗୂଆରଜା, ଚଣ୍ଡିଆଶାଳ, ଇଟାମୁଣ୍ଡି , କୁକୁଡ଼ାଘର ଇତ୍ୟାଦି ନାମରେ ପରିଚିତ ହେଉଥିବା ସ୍ଥଳିମାନଙ୍କରେ କ୍ଷୁଦ୍ର କ୍ଷୁଦ୍ର ଦେବାୟତନ ଥିବାର ପ୍ରମାଣ ମିଳୁଛି । ଏ ସମସ୍ତର ଅନୁସନ୍ଧାନ, ଅନୁଶୀଳନ ଆବଶ୍ୟକସ୍ଥଳେ ଖୋଦନ ଓ ସଂରକ୍ଷଣ ପାଇଁ ସ୍ୱର୍ଗତ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ତତ୍‍କାଳୀନ ଡାଇରେକ୍ଟର ଜେନେରଲ ସାର୍ ଜନ୍ ମାର୍‍ସେଲକୁ ଅନୁରୋଧ କରିଥିଲେ । ମାର୍‍ସେଲ ସାହେବଙ୍କ ଦ୍ୱାରା ପ୍ରେରିତ ହୋଇ ରାୟବାହାଦୁର ରମାପ୍ରସାଦ ଚନ୍ଦ୍ର ସଦଳବେଳେ ୧୯୨୩-୨୪ ମସିହାରେ ଏଠାରେ ଖୋଦନ, ଅନୁସନ୍ଧାନ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ମୋତେ ଓ ମୋର ଗ୍ରାମବାସୀମାନଙ୍କୁ ପ୍ରଥମଥର ପାଇଁ ମୋଟରକାର ଦେଖିବାର ସୁଯୋଗ ମିଳିଥିଲା । ମହାରାଜାଙ୍କ ଦ୍ୱାରା ନବନିଯୁକ୍ତ ଯୁବକ ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଏ କାର୍ଯ୍ୟରେ ଯୋଗଦେଇଥିଲେ । ମୁଁ ସେତେବେଳେ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ର ଥିଲେ ହେଁ ଆମ ଗ୍ରାମର ଏହା ଏପରି ଗୋଟିଏ ଅଭିନବ ଘଟନା ଥିଲା ଯେ, ଏହା ଅଦ୍ୟାପି ମୋର ସ୍ମୃତିପଟରେ ଲାଗି ରହିଛି ।

 

ଶାତଋତୁରେ ଠାକୁରାଣୀ ମନ୍ଦିର ବେଢ଼ା ମଧ୍ୟରେ ଯେଉଁ ଖୋଦନ ଅନୁସନ୍ଧାନ ଚାଲିଲା, ତାହାରି ଫଲରେ ବହୁ ପ୍ରାଚୀନ ମୂର୍ତ୍ତି ଓ ଧ୍ୱଂସପ୍ରାପ୍ତ ମନ୍ଦିରମାନଙ୍କୁ ଭଗ୍ନାଂଶ ବାହାରିଲା । ଏଗୁଡ଼ିକର ସଂରକ୍ଷଣ ପାଇଁ ଏଠାରେ ପରେ ଗୋଟିଏ ଛୋଟ ପକ୍‍କା ମିଉଜିୟମ ଘର ତିଆରି ହେଲା । ଏଥିରେ ବହୂ ମୂର୍ତ୍ତି ସଂରକ୍ଷିତ ହେଲା ଓ କେତେକ ସ୍ଥାପଭ୍ୟାଂଶ ଏହାର ବେଢ଼ା ମଧ୍ୟରେ ସଜ୍ଜିତ ଭାବରେ ରଖାଗଲା । ଖିଚିଙ୍ଗରେ ଥିବା ବର୍ତ୍ତମାନର ସର୍ବବୃହତ୍ ଠାକୁରାଣୀ ମନ୍ଦିରର ସେତେବେଳେ ଅସ୍ତିତ୍ୱ ନ ଥିଲା । ଏହାର ବହୁ ଅଂଶ ୧୯୨୩-୨୪ ମସିହାର ଖୋଦନରୁ ବାହାରିବା ପଛେ ସ୍ୱର୍ଗତ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହାର ପୁନଃନିର୍ମାଣର ପରିକଳ୍ପନା କଲେ ଓ ତଦନୁସାରେ ସ୍ଵର୍ଗତ ପରମାନନ୍ଦ ଆଚାର୍ଯ୍ୟ ଓ ସ୍ୱର୍ଗତ ଶୈଳେନ୍ଦ୍ରନାଥ ବସୁଙ୍କୁ ପୁନଃନିର୍ମାଣ କାର୍ଯ୍ୟରେ ନିଯୁକ୍ତ କଲେ । ସ୍ୱର୍ଗତ ବସୁ ଖିଚିଙ୍ଗରେ ଦୀର୍ଘକାଳ ଅବସ୍ଥାନ କରି ଏହି କାର୍ଯ୍ୟକୁ କ୍ରମାଗତ ଚଲାଇଲେ ଏବଂ ସ୍ୱର୍ଗତ ଆଚାର୍ଯ୍ୟ ମଧ୍ୟେ ମଧ୍ୟେ ଖିଚିଙ୍ଗକୁ ଆସି ତାହା ପରିଦର୍ଶନ କଲେ-। ୧୯୪୦ ମସିହା ବେଳକୁ ପୁନଃନିର୍ମାଣ କାର୍ଯ୍ୟ ଶେଷ ହେଲା ଏବଂ ତତ୍‌କାଳୀନ ପଞ୍ଚାଶୀ ସହସ୍ର ମୁଦ୍ରା ବ୍ୟୟିତ ହୋଇଥିଲା । ଏହି ମନ୍ଦିରକୁ ବର୍ତ୍ତମାନ ଦେଖି ସମସ୍ତେ ସ୍ଵୀକାର କରନ୍ତି ଯେ ଏହା ପ୍ରତ୍ନତାତ୍ତ୍ୱିକ ପୁନରୁଦ୍ଧାରର ଗୋଟିଏ ସୁମହତ ନିଦର୍ଶନ । ଖିଚିଙ୍ଗର କୁଟେଇତୁଣ୍ଡି ଓ ଚନ୍ଦ୍ରଶେଖର ନାମକ ଶିବମନ୍ଦିର ଦୁଇଟିର ପୁନଃନିର୍ମାଣ କାର୍ଯ୍ୟ ଆଗରୁ ଶେଷ ହୋଇଥିଲା । ଅତଏବ ୧୯୪୦ ମସିହା ବେଳକୁ ଖିଚିଙ୍ଗର ପ୍ରତ୍ନତତ୍ତ୍ୱ-ସମ୍ପଦ ନୂତନ ରୁପ ଧାରଣ କରିଥିଲା । ସମସ୍ତେ ସ୍ଵୀକାର କରନ୍ତି ଯେ ମହାରାଜାଙ୍କ ଅମଳରେ ଏ ସ୍ଥାନର ପ୍ରତ୍ନତତ୍ତ୍ୱ-ସମ୍ପଦ ଅନ୍ୟନ୍ତ ସୁସଜ୍ଜିତ ଅବସ୍ଥାରେ ଥିଲା ।

 

ଖିଚିଙ୍ଗର ପ୍ରତ୍ନତତ୍ତ୍ୱ-ସମ୍ପଦ ହିଁ ମୟୁରଭଞ୍ଜର ଆଦି ଇତିହାସ ଜାଣିବା ପାଇଁ ସମସ୍ତଙ୍କୁ ସାହାଯ୍ୟ କରିଥାଏ । ଖିଚିଙ୍ଗ ମିଉଜିୟମରେ ସଂରକ୍ଷିତ ଗୋଟିଏ ଅବଲୋକିତେଶ୍ୱର ମୂର୍ତ୍ତିର ପଦଦେଶରେ ଲିଖିତ ଅଛି–

 

ଓଁ ରାଜ୍ୟେ ଶ୍ରୀ ରାୟଭଞ୍ଜସ୍ୟ ଲୋକେଶ ଭଗବାନୟଂ ।

ଶ୍ରୀ ଧରଣୀ ବରାହେଣ ସହକୀର୍ତ୍ତ୍ୟା ବିନିର୍ମିତଃ ।

 

ଏଥରୁ ଜଣାଯାଏ ଯେ ଖିଚିଙ୍ଗର କେତେକ ସ୍ଥାପତ୍ୟ ଓ ମୂର୍ତ୍ତି ରାୟଭଞ୍ଜଙ୍କ ଅମଲରେ ହିଁ ନିର୍ମିତ ହୋଇଥିଲା । ଭଞ୍ଜ ତାମ୍ରଶାସନମାନଙ୍କରୁ ପ୍ରମାଣିତ ହୁଏ ଯେ ରାୟଭଞ୍ଜ (ରାଜଭଞ୍ଜ) ଥିଲେ ରଣଭଞ୍ଜଙ୍କ ପୁତ୍ର ଓ କୋଟ୍ଟଭଞ୍ଜଙ୍କ ନାତି । ଖିଚିଙ୍ଗର ବୃହତ୍ତମ ପୁଷ୍କରିଣୀ ଅଦ୍ୟାପି ରଣରାଙ୍ଗ ନାମରେ ବିଦିତ । ରଣରାଙ୍ଗ୍‍, ରଣରାଙ୍ଗ ନାମର ବିକୃତ ରୂପ । ଏହି ରାଜାମାନଙ୍କ ଅମଳରେ ହିଁ ଖିଚିଙ୍ଗର ବିଦ୍ୟମାନ ମନ୍ଦିର ଓ ମୂର୍ତ୍ତିର ବହୁଳାଂଶ ନିର୍ମିତ ହୋଇଥିଲା । ରଣଭଞ୍ଜଙ୍କ ଦୁଇଟି ତାମ୍ରଶାସନରେ ଗୋଟିଏ ଅନାମ ଅବ୍ଦର ୨୮୮ ଓ ୨୯୩ ସାଲ୍‍, ରହିଛି । (The Age of Imperial Kanauj, ଭାରତୀୟ ବିଦ୍ୟାଭବନ pp. 7476) । କେହି କେହି ଏହି ଅନାମ ଅବ୍ଦକୁ ହର୍ଷାବ୍ଦ ବୋଲି ଧରିଛନ୍ତି, ମାତ୍ର ହର୍ଷାବ୍ଦ ଓଡ଼ିଶାରେ ପ୍ରଚଳିତ ଥିବାର କୌଣସି ପ୍ରମାଣ ମିଳେ ନାହଁ । ଭୌମକର ରାଜତ୍ୱ କାଳରେ ଓ ସେମାନଙ୍କ ରାଜତ୍ୱ ପରେ ମଧ୍ୟ ଓଡ଼ିଶାରେ ସର୍ବତ୍ର ଭୌମାବ୍ଦର ପ୍ରଚଳନ ଥିବାର ବହୁ ପ୍ରମାଣ ମିଳୁଛି । ଭୌମାବ୍ଦ ୭୩୬ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା । ଏବଂ ଏହି ଭୌମାବ୍ଦ ହିଁ ରଣଭଜ୍ଞଙ୍କ ତାମ୍ରଶାସନ ଦୁଇଟିରେ ବ୍ୟବହୃତ ହୋଇଛି । ଏଣୁ ତାଙ୍କ ଉଲ୍ଲିଖିତ ତାମ୍ରଶାସନ ଦୁଇଟି ଖ୍ରୀଷ୍ଟାବ୍ଦ ୧୦୨୪ ଓ ୧୦୨୯ରେ ପ୍ରଦତ୍ତ ହୋଇଥିଲା । ଅତଏବ ଖିଚିଙ୍ଗର ବିଦ୍ୟମାନ ମନ୍ଦିରମାନ ଦଶମ-ଏକାଦଶ ଶତାବ୍ଦୀରେ ଗଢ଼ି ଉଠିଥିଲା ବୋଲି ପ୍ରମାଣିତ ହୁଏ ।

 

ଏ ସ୍ଥାନରେ ବିଦ୍ୟମାନ ମୂର୍ତ୍ତିମନ୍ଦିରର ଶୈଳୀରୁ ମଧ୍ୟ ପ୍ରମାଣିତ ହୁଏ ଯେ ଏ ସମସ୍ତ ଦଶମ-ଏକାଦଶ ଶତାବ୍ଦୀର କୀର୍ତ୍ତି । ଦୈର୍ଘ୍ୟପ୍ରସ୍ଥରେ ଖିଚିଙ୍ଗର ବୃହତ୍ତମ ମନ୍ଦିର ଭୁବନେଶ୍ୱର ବ୍ରହ୍ମେଶ୍ୱର ମନ୍ଦିର ସହିତ ପ୍ରାୟ ସମାନ । ଉଭୟଙ୍କ ସ୍ଥାପତ୍ୟ, ମୂର୍ତ୍ତି ଓ ମଣ୍ଡନକଳାରେ ମଧ୍ୟ ବହୁ ସାଦୃଶ୍ୟ ରହିଛି । ବ୍ରହ୍ମେଶ୍ୱର ମନ୍ଦିର ଏକାଦଶ ଶତାବ୍ଦରେ ନିର୍ମିତ ହୋଇଥିବାରୁ ଖିଚିଙ୍ଗର ବୃହତ୍ତମ ମନ୍ଦିର ମଧ୍ୟ ଏହି ସମୟରେ ନିର୍ମିତ ହୋଇଥିଲା ବୋଲି ଧରାଗଲେ ଭ୍ରମାତ୍ମକ ହେବ ନାହିଁ । ଏ ସ୍ଥାନର କୁଟେଇତୁଣ୍ଡି ମନ୍ଦିରର କଳା ଓ ସ୍ଥାପତ୍ୟରୁ ଜଣାଯାଏ ଯେ ଏହା ଦଶମ ଶତାବ୍ଦୀର କୀର୍ତ୍ତି । ଖିଚିଙ୍ଗର କାରୁକଳା ଓ ସ୍ଥାପତ୍ୟ ଭାରତ ଇତିହାସରେ ବିଶିଷ୍ଟ ସ୍ଥାନ ପାଇଛି । କଳା ମୁଗୁନିପଥରରେ ନିର୍ମିତ ଏହାର ମୂର୍ତ୍ତି ମନ୍ଦିରର ଅପରୂପ ସୌନ୍ଦର୍ଯ୍ୟରେ ଦର୍ଶକମାନଙ୍କ ମନ ଅଭିଭୂତ ହୋଇଥାଏ । ମୂର୍ତ୍ତିମାନଙ୍କ ମଧ୍ୟରୁ କେତେକ ବୌଦ୍ଧ ଓ ଜୈନ୍ୟମୂର୍ତ୍ତି ଥିବାରୁ ଏବଂ ଇଟାମୁଣ୍ଡି ନାମକ ସ୍ଥଳିରୁ ବୌଦ୍ଧ ମନ୍ଦିରର ଭଗ୍ନାବଶେଷ ଖୋଳାହୋଇ ବାହାରିଥିବାରୁ ଏ ଅଞ୍ଚଳରେ ପୂର୍ବେ ହିନ୍ଦୁ, ବୌଦ୍ଧ ଓ ଜୈନ୍ୟଧର୍ମ ସହାବସ୍ଥାନ କରୁଥିବାର ପ୍ରମାଣ ମିଳେ । ବୈତରଣୀ ଭୀମକୁଣ୍ଡ ବନ୍ଧ ଯୋଜନା ପଳରେ ଏପରି ଗୋଟିଏ ବିଖ୍ୟାତ ଐତିହାସିକ ସ୍ଥାନ ବହୁ ପାର୍ଶ୍ୱବର୍ତ୍ତୀ ଗ୍ରାମ ସହିତ ଜଳମଗ୍ନ ହେବ ବୋଲି ସମ୍ବାଦ ପ୍ରକାଶିତ ହେବା ପରେ ବନ୍ଧ ନିମିତ୍ତ ପ୍ରାଥମିକ କାର୍ଯ୍ୟ ଚାଲିବା ପରେ, ଏ ଅଞ୍ଚଳର ଲୋକମାନେ ବର୍ତ୍ତମାନ ଆତଙ୍କଗ୍ରସ୍ତ ହୋଇ ପଡ଼ିଛନ୍ତି ।

 

ଭଞ୍ଜରାଜଧାନୀ କେବେ ଖିଚିଙ୍ଗରୁ ସ୍ଥାନାନ୍ତରିତ ହେଲା, ତାହାର ଇତିହାସ ମିଳେ ନାହିଁ; କିନ୍ତୁ ମୟୁରଭଞ୍ଜର ଭଞ୍ଜମାନଙ୍କ ପରବର୍ତ୍ତୀ ରାଜଧାନୀ ବାମନଘାଟିର ବହଳଦାଠାରେ ସ୍ଥାପିତ ହୋଇଥିଲା ବୋଲି ଅନୁମିତ ହୁଏ । ତାମ୍ର ଶାସନମାନଙ୍କରୁ ପ୍ରମାଣିତ ହୁଏ ଯେ ଖିଚିଙ୍ଗର ମୌଳିକ ନାମ ଥିଲା ଖିଜିଙ୍ଗ; ଏଣୁ ଏ ସ୍ଥାନର ଅଧିଷ୍ଠାତ୍ରୀଦେବୀଙ୍କ ମୌଳିକ ନାମ ଥିଲା ଖିଜିଙ୍ଗେଶ୍ୱରୀ । କାଳକ୍ରମେ ନାମଟି ଖିଚିଙ୍ଗେଶ୍ୱରୀ ହେଲା, ଏବଂ ତା ପରେ ପୌରାଣିକ ଭାବାପନ୍ନ ବ୍ୟକ୍ତିମାନେ ଏହାକୁ କୀଚକେଶ୍ୱରୀରେ ପରିଣତ କଲେ । ବହଳଦାଠାରେ ଅଦ୍ୟାପି ବ୍ୟକ୍ତିମାନେ ଏହାକୁ କୀଚକେଶ୍ୱରୀରେ ପରିଣତ କଲେ । ବହଳଦାଠାରେ ଅଦ୍ୟାପି କିଚକେଶ୍ୱରୀ ନାମରେ ଗୋଟିଏ ଦେବୀ ପୂଜିତା ହେଉଛନ୍ତି । ଏଣୁ ମନେହୁଏ ଯେ ଭଞ୍ଜରାଜବଂଶ ସେମାନଙ୍କ ରାଜଧାନୀ ବହଲଦାକୁ ନେବା ପରେ ସେଠାରେ ମଧ୍ୟ ଖିଜିଙ୍ଗେଶ୍ୱରୀ ମୂର୍ତ୍ତି ସ୍ଥାପନ କରିଥିଲେ । ଏ ରାଜବଂଶର ତୃତୀୟ ରାଜଧାନୀ ହରିହରପୁରରେ ମଧ୍ୟ ଯେଉଁ ଖିଜିଙ୍ଗେଶ୍ୱରୀ ଦେବୀ କଲେ, ସେ ଭଞ୍ଜମାନଙ୍କ ଶେଷ ରାଜଧାନୀ ବାରିପଦାକୁ ସ୍ଥାନାନ୍ତରିତ ହୋଇଥିଲେ । ବର୍ତ୍ତମାନ ବାରିପଦାର ପୂର୍ବତନ ରାଜବାଟିର ଗୋଟିଏ ମନ୍ଦିରରେ କୀଚକେଶ୍ୱରୀ ନାମ ବହନ କରି ଏହି ଦେବୀ ପୂଜିତା ହେଉଛନ୍ତି ।

 

ମୋର ମୟୁରଭଞ୍ଜର ସ୍ମୃତି ମହାରାଜା ପୂର୍ଣ୍ଣଚନ୍ଦ୍ର, ମହାରାଜା ପ୍ରତାପଚନ୍ଦ୍ରଟି ରାଜତ୍ୱକାଳ ଓ ତତ୍‍ପରବର୍ତ୍ତୀ ସମୟ ମଧ୍ୟରେ ହିଁ ସୀମାବଦ୍ଧ । ମହାରାଜା ଶ୍ରୀ ରାମଚନ୍ଦ୍ରଙ୍କ ସୁଖବେଳକୁ ମୁଁ ଶିଶୁ ଥିଲି । ତାଙ୍କ ମୃତ୍ୟୁ ସମୟରେ ଯେଉଁ ଶୋକସଙ୍ଗୀତ ଉଦିତ ହୋଇଥିଲା, ସେଗୁଡ଼ିକ ବହୁଦିନ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । ସେଗୁଡ଼ିକ ମଧ୍ୟରୁ ଜଣେ ପଲ୍ଲୀକବିଙ୍କ କବିତାର ପ୍ରଥମଧାଡ଼ିଗୁଡ଼ିକ ହେଉଛି ‘‘କାନ୍ଦି କହେ ସେନଜେମା, କେକୀଭଞ୍ଜବଂଶ ନୃପଚନ୍ଦ୍ରମା ହେ, ସଂସାରେ ନାହିଁ ଉପମା ।’’ ଭକ୍ତକବି ମଧୁସୂଦନ ରାଓଙ୍କ ‘‘ଶୋକଶ୍ଲୋକ’’ର ପ୍ରଥମ ଧାଡ଼ିଗୁଡ଼ିକ ହେଉଛି ‘‘ଭଞ୍ଜଭୂମିପତି ଶ୍ରୀରାମଚନ୍ଦ୍ର, କୋଟି ହୃଦାକାଶ ପୂର୍ଣ୍ଣିମାଚନ୍ଦ ।’’ ଶ୍ରୀରାମଚନ୍ଦ୍ରଙ୍କ ମୃତ୍ୟୁବେଳକୁ ତାଙ୍କ ଜ୍ୟେଷ୍ଠପୁତ୍ର ପୂର୍ଣ୍ଣଚନ୍ଦ୍ର ନାବାଳକ ଥିବାରୁ ଷ୍ଟେଟଟି କେତେବର୍ଷ ପାଇଁ କୋର୍ଟ ଅଫ୍‍ୱାର୍ଡସ୍‍ ଥିଲା । ଏହି ସମୟର ଘଟନାବଳୀ ମଧ୍ୟ ମୋର ମନେପଡ଼ୁନାହିଁ; ମାତ୍ର ପୂର୍ଣ୍ଣଚନ୍ଦ୍ରଙ୍କ ରାଜତ୍ୱକାଳର କେତେକ ଉଲ୍ଲେଖଯୋଗ୍ୟ ଘଟନା ଅଦ୍ୟାପି ମୋର ମନେପଡ଼ୁଛି ।

 

ମୟୁରଭଞ୍ଜ ଗୋଟିଏ ଅରଣ୍ୟ ଓ ଗିରିସଙ୍କୁଳ ଦୀର୍ଘାୟତନ ରାଜ୍ୟ । ଏହାର ରାଜଧାନୀ ବାରିପଦାଠାରୁ କରଞ୍ଜିଆର ଦୂରତ୍ୱ ୭୫ ମାଇଲ ଓ କରଞ୍ଜିଆଠାରୁ ଖିଚିଙ୍ଗର ଦୁରତ୍ୱ ୧୬ ମାଇଲ-। ଏ ହେତୁ ମହାରାଜାମାନେ ପାଞ୍ଚପିଢ଼ି ସବ୍‍ଡିଭିଜନକୁ ପ୍ରାୟ ଆସୁ ନ ଥିଲେ । ଏ ରାଜ୍ୟରେ ରାଜରାସ୍ତାର ବିଶେଷ ସୁବିଧା ନ ଥିଲା । ମହାରାଜା ଶ୍ରୀରାମଚନ୍ଦ୍ର ହସ୍ତୀପୃଷ୍ଠରେ ଥରେ ମାତ୍ର କରଞ୍ଜିଆ ଆସିଥିଲେ । ଷ୍ଟ୍ରେଟ୍‍ଟି କୋର୍ଟ ଅଫ୍ ୱାର୍ଡସ୍‍ ଥିବାବେଳେ ବାରିପଦାଠାରୁ କରଞ୍ଜିଆ ପର୍ଯ୍ୟନ୍ତ ଆସିବା ରାସ୍ତାଟି ସମ୍ପୂର୍ଣ୍ଣ ହୋଇଥିଲା ଏବଂ ୧୯୨୩-୨୪ ମସିହାରେ ଖିଚିଙ୍ଗରେ ପ୍ରତ୍ନତାତ୍ତ୍ୱିକ ଖନନକାର୍ଯ୍ୟ ଆରମ୍ଭହେବା ପୂର୍ବରୁ କରଞ୍ଜିଆଠାରୁ ଖିଚିଙ୍ଗ ପର୍ଯ୍ୟନ୍ତ ଗୋଟିଏ କଚାରାସ୍ତା ନିର୍ମିତ ହୋଇଥିଲା । ଏହି ରାସ୍ତାର ସୁବିଧା ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ କନିଷ୍ଠ ଭ୍ରାତା ଛୋଟରାୟ ପ୍ରତାପଚନ୍ଦ୍ର ୧୯୨୪ ମସିହାରେ ମଟରଯୋଗେ ଖିଚିଙ୍ଗ ଆସି ଖିଚିଙ୍ଗରେ ଚାଲିଥିବା ପ୍ରତ୍ନତାତ୍ତ୍ୱିକ କାର୍ଯ୍ୟ ଦେଖିଥଲେ । ଏହି ଉପଲକ୍ଷରେ ଏଠାରେ ଗୋଟିଏ ବଡ଼ଧରଣର ଜନସମାଗମ ହୋଇଥଲା । କହିବା ବାହୁଲ୍ୟ ଯେ ଏ ସମୟରେ ପ୍ରଜାମାନେ ରାଜାଙ୍କୁ ଦେବ-ତୁଲ୍ୟ ମନେ କରୁଥଲେ ଏବଂ ରାଜଦର୍ଶନକୁ ଦେବଦର୍ଶନ ପରି ଗୋଟିଏ ପୁଣ୍ୟକର୍ମ ବୋଲି ମନେ କରୁଥିଲେ ।

 

ଏ ସମୟରେ ରାଜା ହଁ କ୍ଷମତା ମଧୁଚକ୍ରର ମଧ୍ୟମଣି ଥିବାରୁ ରାଜା ଓ ରାଜବଂଶ ସହିତ ସଂଶ୍ଲିଷ୍ଟ, ଘଟନାବଳୀ ହିଁ ସ୍ମରଣୀୟ ହେଉଥିଲା । ତତ୍‍କାଳୀନ ଛୋଟରାୟ ଓ ପରବର୍ତ୍ତୀ ମହାରାଜା ପ୍ରତାପଚନ୍ଦ୍ରଙ୍କ ୧୯୨୫ ମସିହାରେ ଯେଉଁ ବିବାହୋତ୍ସବ ହୋଇଥିଲା, ତାହା ଏହିପରି ଗୋଟିଏ ସ୍ମରଣୀୟ ଘଟନା । କରଞ୍ଜିଆ ମଧ୍ୟଇଂରାଜୀ ବିଦ୍ୟାଳୟରେ ପଢ଼ୁଥିବା ବେଳେ ମୁଁ ଓ ମୋର କେତେଜଣ ସହପାଠୀ ସେକେଣ୍ଡ ମାଷ୍ଟର୍‍ ସ୍ୱର୍ଗତ ପଦ୍ମଲୋଚନ ମହାପାତ୍ରଙ୍କ ସହିତ ଏ ଉତ୍ସବ ଦେଖିବା ପାଇଁ ବାରିପଦା ଯାଇଥିଲୁ । ସେତେବେଳେ ବାରିପଦାରେ ବିଜୁଳି ଆଲୁଅର ବ୍ୟବସ୍ଥା ନ ଥିଲା । କନ୍ୟା ସହିତ ବରକୁ ସେତେବେଳେ ବାରିପଦା ଷ୍ଟେସନ୍‍ରୁ ରାଜବାଟୀ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଅଣାଗଲା, ସେତେବେଳେ ଏହି ସମଗ୍ର ଏକମାଇଲ ରାସ୍ତାଟିକୁ ଉଭୟ ପାଶ୍ୱସ୍ଥ ସ୍ତମ୍ଭମାନଙ୍କରୁ ଝୁଲୁଥିବା ପମ୍ପଲାଇଟ୍‍ଦ୍ୱାରା ଆଲୋକିତ କରାଯାଇଥିଲା । ଏତେ ଆଲୋକର ସମାରୋହ ମୁଁ ତାହାପୂର୍ବରୁ ଦେଖି ନ ଥିଲି ।

 

ଶୋଭାଯାତ୍ରାରେ ହାତୀ, ଘୋଡ଼ା, ବେଣ୍ଡବାଦ୍ୟ ଇତ୍ୟାଦିର ସମାବେଶ ମଧ୍ୟରେ ଦୁଇଟି ଚତୁର୍ଦୋଳ ଗତି କରୁଥିଲା । ଏଥି ମଧ୍ୟରୁ ଅଗ୍ରଗାମୀ ଚତୁର୍ଦୋଳଟି ମଧ୍ୟରେ ଜଣେ ନାରୀ (ବାଈ) ଆରୋହଣ କରି ସଙ୍ଗୀତ ଗାନ କରୁଥିଲେ, ଏବଂ ତା ପଛକୁ ସୁସଜ୍ଜିତ ଚତୁର୍ଦୋଳରେ ସାମବିଷ୍ଟ ବରଙ୍କ ଉପରେ ଦୁଇଜଣ ସୁସଜ୍ଜିତର ବାଳକ ଉଭୟ ପାର୍ଶ୍ୱରୁ ଶ୍ୱେତଚାମର ଢାଳୁଥିଲେ । ସବା ପଛରେ ସାହାପୁରାର ରାଜକନ୍ୟା ପ୍ରେମକୁମାରୀ କନ୍ୟାରୂପେ ସୁସଜ୍ଜିତ ରୁଦ୍ଧ ଶିବିକାରେ ଉପବିଷ୍ଟା ହୋଇ ଗତି କରୁଥିଲେ । ଏହି ବିବାବ-ଉତ୍ସବ ବହୁଦିନ ପର୍ଯ୍ୟନ୍ତ ଚାଲିଥିଲା । କଲିକତାରୁ ମିନାର୍ଭା ଥିଏଟର୍ ଓ ନିର୍ବାକ୍‍ ଚଳଚିତ୍ର ଆସିଥିଲା ଏବଂ ବହୁପ୍ରକାର ଆତସବାଜି ପ୍ରତ୍ୟହ ପ୍ରଦର୍ଶିତ ହେଉଥିଲା । ମୁଁ ଏହି ସମୟରେ ସର୍ବପ୍ରଥମେ ନିର୍ବାକ୍ ଚଳଚିତ୍ର ଦେଖିବାର ସୁଯୋଗ ପାଇଥିଲି ।

 

ଏହି ବିବାହର ଦୁଇବର୍ଷପରେ ମହାରାଜାଙ୍କ ଖୂଡ଼ୁତା ରାଉତରାୟ ସାହେବଙ୍କ ପୁତ୍ର ଲାଲସାହେବ ପ୍ରଫୁଲ୍ଲଚନ୍ଦ୍ରଙ୍କ ସହିତ ବସ୍ତରର ରାଜକନ୍ୟା ପ୍ରଫୁଲ୍ଲକୁମାରୀଙ୍କ ବିବାହ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପ୍ରଫୁଲ୍ଲକୁମାରୀ ବସ୍ତର ଷ୍ଟେଟ୍‍ର ଅପୁତ୍ରିକ ମହାରାଜାଙ୍କ ଏକମାତ୍ର ସନ୍ତାନ ଓ ଉତ୍ତରାଧିକାରଣୀ ଥିବାରୁ ଏହି ବିବାହକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଥିଲା, ଏଣୁ ବାରିପଦାରେ ଏହି ସମୟରେ ବିପୁଳ ଉତ୍ସବର ଆୟୋଜନ କରାଯାଇଥିଲା । ମୁଁ ସେତେବେଲେ ବାରିପଦା ହାଇସ୍କୁଲର ଛାତ୍ର ଥିଲି ।

 

୧୯୨୯ ମସିହାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ବମ୍ବେରେ ଧନୁଷ୍ଟଙ୍କାର ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୨୯ ବର୍ଷ ବୟସରେ ପ୍ରାଣତ୍ୟାଗ କଲେ । ତାଙ୍କ ଶବ ସ୍ୱେଶାଲଟ୍ରେନ ଯୋଗେ ବମ୍ବେରୁ ଆସି ଯେତେବେଳେ ବାରିପଦାରେ ପହଞ୍ଚିଲା, ସେ ସମୟର ଦୃଶ୍ୟ ମଧ୍ୟ ମୋର ସ୍ମୃତିପଟରେ ଉପରେ ଲାଗିରହିଛି । ସମସ୍ତ କର୍ମଚାରୀ ଓ ବହୁ ପ୍ରଜା ରାଜବାଟୀରେ ରୁଣ୍ଡହୋଉ ଯାଇଥିଲେ । ମହାରାଜା ପୂର୍ଣ୍ଣଚନ୍ଦ୍ର ନିଃସନ୍ତାନ ଥିଲେ, ଏଣୁ ପୂର୍ବ ପ୍ରଥା ଅନୁସାରେ ତାଙ୍କ ସାନଭାର ପ୍ରତାପଚନ୍ଦ୍ର ଗାଦିନସାନ୍‍ ହେବାପରେ ହିଁ ଶବସତ୍କାରର ବ୍ୟବସ୍ଥା କରାଯାଇଥିଲା । ଶୋକାକୁଳ ପ୍ରତାପଚନ୍ଦ୍ର ରାଉତରାୟ ସାହେବଙ୍କ ଗହଣରେ ଯାଇ କୀଚକେଶ୍ୱରୀ ମନ୍ଦିରରେ ମନ୍ତ୍ରପାଠ ମଧ୍ୟରେ ଗାଦିନସୀନ୍‍ ହେବା ପରେ ଶବସତ୍କାର ପାଇଁ ଅନୁମତି ଦେଲେ । ତା ପରେ ବେଣ୍ଡ୍‍ ବାଦ୍ୟ ମଧ୍ୟରେ ଶବକୁ ବଳଙ୍ଗକଳକୁ ଅଣାଯାଇ ଦାହ କରାଯାଇଥିଲା । ଅନ୍ତେଷ୍ଟିକ୍ରିୟାରେ ବଡ଼ ବ୍ରାହ୍ମଣଙ୍କ ପାଇଁ ଭୁରିଭୋଜନ ଓ ବହୁ ବ୍ରାହ୍ମଣ ପଣ୍ଡିତଙ୍କୁ ଉପଢୌକନଦାନ ଇତ୍ୟାଦିର ବ୍ୟବସ୍ଥା କରାଯାଇଥିଲା ।

 

୧୯୩୦ ମସିହାରେ ବିହାର-ଓଡ଼ିଶାର ଲାଟ୍‍ ସାର୍‍ ହିଉ ଲାନସ୍‍ଡାଉନ୍‍ ଷ୍ଟିଫେନ୍‍ସନ୍‍ ଆସିବାବେଳେ ବାରିପଦାରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁର ଏକବର୍ଷ ପୂରି ନ ଥିବାରୁ ଲାଟ୍‍ସାହେବଙ୍କ ଆଗମନ ସମୟରେ ସହରରେ ସାଜସଜ୍ଜା କରାଯାଇ ନ ଥିଲେ ହେଁ ଶିକାର ପାଇଁ ତାଙ୍କୁ ସୁଯୋଗ ପ୍ରଦାନ, ତାଙ୍କୁ ଛଉନୃତ୍ୟ ପ୍ରଦର୍ଶନ ଓ ସବାଶେଷରେ ଦରବାରରେ ସମ୍ୱର୍ଦ୍ଧନା ଜ୍ଞାପନ ଇତ୍ୟାଦି ବିଧିବଦ୍ଧଭାବରେ କରାଯାଇଥିଲା । ଏହି ଦରବାରରେ ବସିବା ପାଇଁ ଛାତ୍ରମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଇଥିଲା, ମାତ୍ର ଗୋଟିଏ ସର୍ତ୍ତ ଥିଲା ଯେ ପ୍ରତ୍ୟେକ ଛାତ୍ର ମୁଣ୍ଡରେ ପଗଡ଼ି ପିନ୍ଧି ଦରବାରରେ ବସିବେ । ମୁଁ ଖାଲି ଏ ଦରବାରରେ ନୁହେଁ, ମୟୁରଭଞ୍ଜର ଏକାଧିକ ଦରବାର ସ୍ୱଚକ୍ଷୁରେ ଦେଖିଥିଲି । ସମସ୍ତ ଦରବାର ରାଜବାଟୀର ଦ୍ୱିତୀୟ ଅଗଣାରେ ଚାନ୍ଦୁଆ ତଳେ ବସୁଥିଲା ଏବଂ ଏଥିରେ ନିମନ୍ତ୍ରିତ ରାଜକର୍ମଚାରୀବୃନ୍ଦ, ସହର ତଥା ଷ୍ଟେଟ୍‍ରୁ ଆଗତ ନିମନ୍ତ୍ରିତ ବ୍ୟକ୍ତିଗଣ ଯଥାଯୋଗ୍ୟ ଆସନରେ ବସୁଥିଲେ । ଦର୍ଶକମାନଙ୍କ ମଧ୍ୟରେ ଛାତ୍ରମାନେ ମଧ୍ୟ ସ୍ଥାନ ପାଉଥିଲେ । ମହାରାଜା ସ୍ୱର୍ଣ୍ଣମଣ୍ଡିତ ଚେୟାରରେ ବସୁଥିଲେ ଏବଂ ତାଙ୍କ ପାଖରେ ରାଜପରିବାରବର୍ଗ, ଉଚ୍ଚକର୍ମଚାରୀ ଓ ଶ୍ୱେତାଙ୍ଗ –ଶ୍ୱେତାଙ୍ଗିନୀମାନେ ସ୍ଥାନ ପାଉଥିଲେ । ଏ ଶ୍ୱେତାଙ୍ଗ- ଶ୍ୱେତାଙ୍ଗିନୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଷ୍ଟ୍ରେଟ୍‍ର ଖ୍ରୀଷ୍ଟିୟାନ୍‍ ପାଦ୍ରୀ ।

 

ବାରିପଦାର ଛଉନୃତ୍ୟ ଭାରତ-ବିଖ୍ୟାତ ହୋଇଥିଲା । ଏହା ପ୍ରତିବର୍ଷ ରାଜବାଟିର ଦ୍ୱିତୀୟ ଅଗଣାରେ ଚୈତପର୍ବ ସମୟରେ ଅନୁଷ୍ଠିତ ହେଉଥିଲା । ଏହାଛଡ଼ା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ଉପଲକ୍ଷରେ ମଧ୍ୟ ଏହା ପ୍ରଦର୍ଶିତ ହେଉଥିଲା । ସମ୍ରାଟ ପଞ୍ଚମ ଜର୍ଜ ଭାରତକୁ ଆସିଥିବାବେଳେ ମହାରାଜା ଶ୍ରୀ ରାମଚନ୍ଦ୍ର ଏହି ନୃତ୍ୟ ତାଙ୍କୁ କଲିକତାରେ ଦେଖାଇ ଉଚ୍ଚପ୍ରଶଂସା ପାଇଥିଲେ । ମହାରାଜା ପ୍ରତାପଚନ୍ଦ୍ରଙ୍କ ରାଜତ୍ୱର ପ୍ରାରମ୍ଭରେ ବିହାର-ଓଡ଼ିଶାର ଲାଟ ବାରିପଦା ଆସିଥିବାବେଳେ ମଧ୍ୟ ତାଙ୍କ ସମ୍ପୁଖରେ ଏହି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ବାରିପଦାର ସାଇ ସାଇ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲି ଚୈତ୍ରପର୍ବର ବହୁପୂର୍ବରୁ ଏହି ନୃତ୍ୟ ଶିକ୍ଷା କରାଯାଉଥିଲା । ଏହାଛଡ଼ା ମହାରାଜାଙ୍କ ଗୋଟିଏ ସ୍ଥାୟୀ ଦଳ ମଧ୍ୟ ଥିଲା ଏବଂ ଏହି ଦଳର ନୃତ୍ୟକାରୀମାନେ ତାଙ୍କଠାରୁ ବେତନ ପାଇ ବର୍ଷଯାକ ଏହି ନୃତ୍ୟଶିକ୍ଷାରେ ରତ ରହୁଥିଲେ । ରାଜବାଟୀର ଦ୍ୱିତୀୟ ପ୍ରଶସ୍ତ ପ୍ରାଙ୍ଗଣରେ ଏହି ନୃତ୍ୟ ପ୍ରଦର୍ଶିତ ହେବାବେଳେ ରାଜ୍ୟର ଦୂରଦୂରାନ୍ତରରୁ ବହୁ ନରନାରୀ ଓ ବାଳକ-ବାଳିକା ଦର୍ଶକରୂପେ ରାଜବାଟିର ପ୍ରାଙ୍ଗଣ ଓ ଛାତରେ ଭରପୂର ହୋଇ ରାଜବାଟିକୁ ନାନାଭାବରେ ଅପରିଷ୍କୃତ କରୁଥିଲେ ହେଁ, ସେମାନଙ୍କ ଉପରେ କୌଣସି ପ୍ରକାର କଟକଣା ଜାରି କରାଯାଉ ନ ଥିଲା । ନୃତ୍ୟରେ ବେଣ୍ଡ-ବାଦ୍ୟ, ମଧ୍ୟେ ମଧ୍ୟେ ସଙ୍ଗୀତ ଓ ବହୁପ୍ରକାର ମୂଲ୍ୟବାନ ବସ୍ତ୍ର ଓ ପୋଷାକ ଏବଂ ସାଜସଜ୍ଜା ବ୍ୟବହୃତ ହେଉଥିଲା । ବେଣ୍ଡବାଦ୍ୟର ତାଳ ସହିତ ପାଦମିଳାଇ ନୃତ୍ୟକାରୀମାନେ ଯେଉଁ ନୃତ୍ୟ ପ୍ରଦର୍ଶନ କରୁଥଲେ, ତାହା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଲୋମହର୍ଷକ ହେଉଥିଲା । ବାରିପଦାର ଛଉନୃତ୍ୟରେ ଛଉ ବା ମୁଖା ବ୍ୟବହୃତ ହେଉ ନ ଥିଲା । ଏଣୁ ଏହା ପରମ୍ପରାରୁ ବିଚ୍ଛିନ୍ନ ହୋଇଥିଲେ ହେଁ ପୂର୍ବତାଳ ଓ ନୃତ୍ୟକୁ ବିଧିବଦ୍ଧ ଭାବରେ ଅନୁସରଣ କରାଯାଉଥିଲା ଏବଂ କେତେକାଂଶରେ ଏହାକୁ ଆଧୂନିକୀକରଣ କରାଯାଇ ଅଧିକ ଚିତ୍ତକର୍ଷକ କରାଯାଇଥିଲା ।

 

ମୟୁରଭଞ୍ଜର ହାତୀଧରା ଆଉ ଗୋଟିଏ ଆକର୍ଷଣୀୟ ବିଷୟ ଥିଲା । ହାତୀଧରା ପାଇଁ ବହୁଦିନ ଆଗରୁ ଆୟୋଜନ ଚାଲୁଥିଲା । ମୋ ସମୟରେ ଊଦଳା ସବ୍‍ଡିଭିଜନର ହାତୀବାରି ଓ ଖଣ୍ଡାଡ଼ୂବାଠାରେ ଯେଉଁ ‘‘ଖେଦା’’ ତିଆରି ହୋଇଥିଲା, ହୁଏତ ତାହାର ଭଗ୍ନାବଶେଷ ବା ସ୍ମୃତିଚିହ୍ନ ଅଦ୍ୟାପି ରହିଛି । ପ୍ରକାଣ୍ଡ ପ୍ରକାଣ୍ଡ କାଠଗଣ୍ଡି ସାହାଯ୍ୟରେ ଯେଉଁ ଦୀର୍ଘାୟତମ ଗୋଲାକାର ଖେଦା ତିଆରି ହେଉଥିଲା, ସେଥିରେ ଏକମାତ୍ର ଗେଟ୍‍ ରହୁଥିଲା, ଏବଂ ସେହି ଗେଟ୍‍ରେ ଗୋଟିଏ ସୁଦୃଢ଼ କବାଟକୁ ଝୁଲେଇ ରଖାଯାଉଥିଲା । ଖେଦା ଭିତରେ ଆଗରୁ ପୋଷାହାତୀମାନଙ୍କୁ ରଖାଯାଉଥିଲା-। ଆଖୁ କିମ୍ବା ଅନ୍ୟ କୌଣସି ଲୋଭନୀୟ ଖାଦ୍ୟଦ୍ରବ୍ୟ ହାତୀମାନଙ୍କ ଯାତାୟତସ୍ଥଳିଠାରୁ ଗେଟ୍‍ ପର୍ଯ୍ୟନ୍ତ ପକାଇ ଦିଆଯାଉଥିଲା । ଖାଦ୍ୟ ଦ୍ୱାରା ଆକୃଷ୍ଟ ହୋଇ ବନ୍ୟହସ୍ତୀମାନେ ଖେଦା ଭିତରେ ପଶିବା ମାତ୍ରେ ଝୁଲା ହୋଇଥିବା କବାଟଟିକୁ ପକାଇ ଦିଆଯାଉଥିଲା । ସେମାନେ ବନ୍ଦୀ ହେବା ପରେ ଗର୍ଜନ ତର୍ଜନ କରି ଗେଟ୍‍ ଭାଙ୍ଗି ଦେବା ପାଇଁ ପ୍ରବଳ ଉଦ୍ୟମ କରୁଥିଲେ, ମାତ୍ର ଏହି ସମୟରେ ଖେଦା ବାହାରେ ବହୁ ବ୍ୟକ୍ତି ବାଦ୍ୟବଜାଇ ଓ ମୁଖରାବ କରି ସେମାନଙ୍କୁ ଭୀତ କରୁଥିଲେ । ତତ୍ପରେ ପୋଷାହାତୀମାନଙ୍କ ଉପରେ ବସିଥିବା ମାହୁନ୍ତମାନେ ବହୁ ସାବଧାନତା ସହିତ ପୋଷାହାତୀମାନଙ୍କ ପାଦ ସହିତ ବଣୁଆ ହାତୀମାନଙ୍କ ପାଦମାନଙ୍କୁ ବଡ଼ ବଡ଼ ଲୁହା ଜଞ୍ଜିରରେ ବାନ୍ଧି ଦେଉଥିଲେ । ଦୁଇଟି ପୋଷାହାତୀ ମଧ୍ୟରେ ଗୋଟିଏ ବଣୁଆ ହାତୀକୁ ଏପରି ଭାବରେ ବାନ୍ଧିଦିଆଯାଉଥିଲା ଯେ ବଣୁଆହାତୀର ପଲାଇ ଯିବାର କୌଣସି ଉପାୟ ନ ଥିଲା । ଏହିପରି ବନ୍ଦୀ ଅବସ୍ଥାରେ ହିଁ ସେମାନଙ୍କୁ ବାରିପଦାକୁ ଅଣାଯାଉଥିଲା ।

 

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ରାଜତ୍ୱକାଳରେ ମୟୁରଭଞ୍ଜର ଯେଉଁ ପ୍ରଶାସନିକ ଓ ସାଂସ୍କୃତିକ ପ୍ରଗତି ଘଟିଥିଲା, ତାହା ତାଙ୍କ ପୁତ୍ରଦ୍ୱୟଙ୍କ ରାଜତ୍ୱକାଳରେ ଅକ୍ଷୂର୍ଣ୍ଣ ରହିଥିଲା । କେତେଗୁଡ଼ିଏ ବିଷୟରେ ମୟୁରଭଞ୍ଜ ବ୍ରିଟିଶଶାସିତ ଓଡ଼ିଶାଠାରୁ ମଧ୍ୟ ଉନ୍ନତ ଓ ଅଗ୍ରଣୀ ଥିଲା । ମୟୁରଭଞ୍ଜରେ ଯେଉଁ ପ୍ରଜାସ୍ୱତ୍ୱ ଆଇନ୍ ପ୍ରଚଳିତ ଥିଲା, ତଦ୍ୱାରା ପ୍ରଜାମାନଙ୍କର ନିଜ ନିଜ ଜମି ଉପରେ ପୂର୍ଣ୍ଣ ଅଧିକାର ଆସିଥିଲା । ମହାରାଜା ଯଦୁନାଥ ଭଞ୍ଜ ମୟୁରଭଞ୍ଜର ଜମିଦାରମାନଙ୍କୁ ସମ୍ପୂର୍ଣ୍ଣରୂପେ ଧ୍ୱଂସ କରିଦେଇଥିବାରୁ ପରବର୍ତ୍ତୀ କାଳରେ ରାଜାପ୍ରଜା ମଧ୍ୟରେ କୌଣସି ମଧ୍ୟସ୍ୱତ୍ୱାଧିକାରୀର ସ୍ଥାନ ନ ଥିଲା । ଏଣୁ ମହାରାଜା ଶ୍ରୀ ରାମଚନ୍ଦ୍ରଙ୍କ ଅମଳରେ ପ୍ରବର୍ତ୍ତିତ ପ୍ରଜାସ୍ୱତ୍ୱ ଆଇନ୍‍ ବଳରେ ପ୍ରଜାମାନେ ସ୍ୱ-ସ୍ୱ ଜମିର ଉନ୍ନତିସାଧନ, ସଂପ୍ରସାରଣ, ହସ୍ତାନ୍ତର ଓ ଖରିଦ୍‍ବିକ୍ରୀ ଅବାଧରେ କରିପାରୁଥିଲେ । ଆଦିବାସୀ ଓ ହରିଜନମାନଙ୍କଠାରୁ କେହି ଜମି କିଣିପାରିବେ ନାହିଁ ବୋଲି ଏ ରାଜ୍ୟରେ ଯେଉଁ ଆଇନ ପ୍ରଚଳିତ ଥିଲା, ତଦ୍ୱାରା ଏହି ଦୁର୍ବଳଶ୍ରେଣୀର ପ୍ରଜାମାନଙ୍କ ସ୍ୱାର୍ଥ ସଂରକ୍ଷିତ ହୋଇଥିଲା । ଭୂତତ୍ତ୍ୱ ସର୍ଭେ, ଖଣିଜ ଲୌହପଥରର ଉପଯୋଗ, ପ୍ରତ୍ନତତ୍ତ୍ୱ ସର୍ଭେ, ଐତିହାସିକସ୍ଥଳିମାନଙ୍କରେ ଖୋଦନ ଓ ସଂରକ୍ଷଣ ବିଷୟରେ ମଧ୍ୟ ମୟୁରଭଞ୍ଜ ଓଡ଼ିଶାର ଅଗ୍ରଣୀ ଥିଲା । ବେଠିବେପାରି ପ୍ରଥା ଆଇନତଃ ଲୋପ ପାଇଥିଲା । ଦାରିଦ୍ର୍ୟ ଓ ଅନାହାର ତାଡ଼ନାରେ ମୟୁରଭଞ୍ଜର ବହୁ ସଂଖ୍ୟକ ଲୋକ କଲିକତା, ଆସାମ, ରେଙ୍ଗୁନ୍‍ ଇତ୍ୟାଦିକୁ ପଳାଇ ଯାଉ ନ ଥିଲେ ।

 

ମୋ ସମୟ ବେଳକୁ ମୟୁରଭଞ୍ଜର ପ୍ରଶାସନିକ ବ୍ୟବସ୍ଥା ବ୍ରିଟିଶ୍‍ଶାସିତ ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସହିତ ପ୍ରାୟ ସମାନ ହୋଇଯାଇଥିଲା । ପୁଲିସ୍‍, କୋର୍ଟ, ହାଇକୋର୍ଟ, ସେକ୍ରେଟେରିଏଟ୍‍, ଏସ୍‍.ଡି.ଓ.ମାନଙ୍କ କଚେରି ଇତ୍ୟାଦି ସବୁ ବ୍ରିଟିଶ ଶାସନକଳର ଢାଞ୍ଚାରେ ଗଠିତ ହୋଇସାରିଥିଲା । ସର୍ବୋପରି ମହାରାଜାଙ୍କ ବ୍ୟକ୍ତିଗତ ପ୍ରଭାବ ଶାସନକଳକୁ ସୁସଂଯତ କରିପାରୁଥିଲା । ମହାରାଜା ପ୍ରତାପଚନ୍ଦ୍ର ଗସ୍ତରେ ଥିବାବେଳେ ଯାହା କରୁଥିଲେ, ତାହା ମୁଁ ସ୍ଵଚକ୍ଷୁରେ ଦେଖିଛି । ଖିଚିଙ୍ଗ ତାଙ୍କର ପ୍ରିୟସ୍ଥାନ ଥିବାରୁ ସେ ବର୍ଷରେ ଏକାଧିକ ଥର ଏଠାକୁ ଆସି ଅବସ୍ଥାନ କରୁଥିଲେ । ଏହି ସମୟରେ ଏସ୍.ଡ଼ି.ଓ., ପୁଲିସ୍‍ ବା ଅନ୍ୟ କୌଣସି କର୍ମଚାରୀ ତାଙ୍କ ସହିତ ସାକ୍ଷାତ କରୁ ନ ଥିଲେ ବା ତାଙ୍କ ସହିତ ଅବସ୍ଥାନ କରୁ ନ ଥିଲେ । ଖିଚିଙ୍ଗ ଡାକବଙ୍ଗଳାରେ ଅବସ୍ଥାନ କରୁଥିବାବେଳେ ତାଙ୍କ ସହିତ ତାଙ୍କ ଡ୍ରାଇଭର, ପୁଜାହାରୀ, ଜଣେ ପିଅନ୍ ଓ ରାତିରେ ଦୁଇଜଣ ଚଉକିଦାର୍‍, ଛଡ଼ା ଅନ୍ୟ କେହି ରହୁ ନ ଥିଲେ । ତାଙ୍କର ସମସ୍ତ ଖାଦ୍ୟସାମଗ୍ରୀ ତାଙ୍କ କାର୍‍ରେ ବାରିପଦାରୁ ବୁହାହୋଇ ଆସୁଥିଲା । ରହଣିକାଳରେ ସେ କୌଣସି ସାମାନ୍ୟ ପଦାର୍ଥ ସୁଦ୍ଧା ପ୍ରଜାମାନଙ୍କ ଠାରୁ ଗ୍ରହଣ କରୁ ନ ଥିଲେ । ପ୍ରଜାମାନେ ମଧ୍ୟ ତାଙ୍କୁ କୌଣସି ଜିନିଷ ଦେବା ପାଇଁ ସାହସ କରୁ ନ ଥିଲେ । ଏହି ସମୟରେ ଯେଉଁମାନେ ଆପତ୍ତି ଅଭିଯୋଗ କରୁଥିଲେ, ସେମାନଙ୍କଠାରୁ ସେଗୁଡିକୁ ଲିଖିତ ଆକାରରେ ଗ୍ରହଣକରି ମହାରାଜା ନିଜ ମନ୍ତବ୍ୟ ସହିତ ସେଗୁଡ଼ିକୁ ସଂପୃକ୍ତ ଅଫିସରମାନଙ୍କ ପାଖକୁ ପଠାଇ ଦେଉଥିଲେ । ଏଣୁ କେହି କୌଣସି ଅନ୍ୟାୟ କଲେ ତାହା ଯେ ମହାରାଜାଙ୍କ ଦୃଷ୍ଟିକୁ ଆସିଯାଇପାରେ, କର୍ମଚାରୀମାନଙ୍କ ମନରେ ସର୍ବଥା ଏହି ଭୟ ରହୁଥିଲା । ଏହା ସତ୍ତ୍ୱେ ମୟୁରଭଞ୍ଜରେ ଲାଞ୍ଚମିଛ ଅନ୍ୟାୟ-ଅନୀତି ଯେ ନ ଥିଲା, ଏ କଥା ମୁଁ କହୁନାହିଁ । ରଜ୍ୟର ସର୍ବୋଚ୍ଚ ଶାସକ ଯେ ଏ ସମସ୍ତ ସହିତ ଜଡ଼ିତ ନ ଥିଲେ, ଏହା ହିଁ ପ୍ରକାଶ କରିବାକୁ ମୁଁ ପ୍ରୟାସ କରୁଛି । ରାଜ୍ୟର ସର୍ବୋଚ୍ଚ ଶାସକ ଯେତେବେଳେ ଦୁର୍ନୀତି ସହିତ ଜଡ଼ିତ ହୋଇପଡ଼ନ୍ତି, ସେତେବେଳେ ଶାସନକଳ ନିଶ୍ଚିତ ଭାବରେ ଦୁର୍ବଳ ହୋଇପଡ଼େ ।

 

ମୋର ବାଳ୍ୟକାଳରେ ମୟୁରଭଞ୍ଜରେ ସ୍କୁଲସଂଖ୍ୟା ଅତ୍ୟଳ୍ପ ଥିଲା । ବାରିପଦାରେ ଗୋଟିଏ ହାଇସ୍କୁଲ ଥିଲା ଏବଂ କରଞ୍ଜିଆ, ବହଳଦା, ଶୀର୍ଷା, କୁଆମରା ଓ କପ୍ତିପଦାରେ ଗୋଟିଏ ଗୋଟିଏ ମଧ୍ୟଇଂରାଜୀ ସ୍କୁଲ ଥିଲା । ଏହା ଛଡ଼ା କେତେଗୁଡ଼ିଏ ନିମ୍ନପ୍ରାଥମିକ ଓ ଉଚ୍ଚପ୍ରାଥମିକ ସରକାରୀ ସ୍କୁଲ ଷ୍ଟେଟ୍‍ର ବିଭନ୍ନ ସ୍ଥାନରେ ବସିଥିଲା । ମୟୁରଭଞ୍ଜର ଆୟତନ ଓ ଜନସଂଖ୍ୟା ତୁଳନାରେ ସ୍କୁଲସଂଖ୍ୟା ଯେ ଅତ୍ୟଳ୍ପ ଥିଲା, ଏଥିରେ ସନ୍ଦେହ ନାହିଁ; ମାତ୍ର ତତ୍‍କାଳୀନ ଓଡ଼ିଶାର ଗଡ଼ଜାତମାନଙ୍କରେ, ଏପରି ବ୍ରିଟିଶଶାସିତ ଜିଲାମାନଙ୍କର ସ୍କୁଲସଂଖ୍ୟା ତୁଳନାରେ ଏହି ସଂଖ୍ୟା ଅତ୍ୟଳ୍ପ ନ ଥିଲା । ୧୯୪୯ ମସିହାରେ ମୟୁରଭଞ୍ଜ ଯେତେବେଳେ ଓଡ଼ିଶା ସହିତ ମିଶିଗଲା, ସେତେବେଳେ ଷ୍ଟେଟ୍‍ଟିର ଶିକ୍ଷାପ୍ରସାର ବହୁଗୁଣରେ ବଢ଼ିଯାଇଥିଲା । ବାରିପଦାରେ ଗୋଟିଏ ଡିଗ୍ରୀ କଲେଜ, ପ୍ରତ୍ୟେକ ସବ୍‍ଡିଭିଜନ୍‍ର ସଦର ମହକୁମାରେ ଓ ଅନେକ ଗ୍ରାମରେ ହାଇସ୍କୁଲମାନ ବସିସାରିଥିଲା । ତା ଛଡ଼ା ମଧ୍ୟଇଂରାଜୀ ଓ ପ୍ରାଥମିକ ସ୍କୁଲସଂଖ୍ୟା ବହୁଗୁଣରେ ବଢ଼ିସାରିଥିଲା । ଆଜିକାଲି ମୟୁରଭଞ୍ଜର ବହୁ ବଡ଼ ବଡ଼ ଗ୍ରାମରେ ଉଚ୍ଚଇଂରାଜୀ ବିଦ୍ୟାଳୟମାନ ଦେଖାଯାଏ ।

 

ମହାରାଜାଙ୍କ ଶାସନକାଳରେ ମେଧାବୀଛାତ୍ରମାନଙ୍କ ସୁବିଧା ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇଥିଲା । ଜଣେ ମେଧାବୀଛାତ୍ର ନିମ୍ନପ୍ରାଥମିକଠାରୁ ବି.ଏ. ବା ବି.ଏସ୍‍ସି ପର୍ଯ୍ୟନ୍ତ ଷ୍ଟେଟ ଦତ୍ତ ବୃତ୍ତି ସାହାଯ୍ୟରେ ପଢ଼ିପାରୁଥିଲେ । ଏହାଛଡ଼ା ଡାକ୍ତରୀ ଇଞ୍ଜିନିୟରିଂ ଇତ୍ୟାଦି ପଢ଼ିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଥିଲା । କେତେଜଣ ମୟୁରଭଞ୍ଜ ଅଧିବାସୀ ମହାରାଜାଙ୍କଠାରୁ ସ୍ୱତନ୍ତ୍ର ବୃତ୍ତି ପାଇ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଷ୍ଟେଟ୍‍ ବୃତ୍ତି ଛଡ଼ା ମହାରାଜାଙ୍କଠାରୁ ଓ ତାଙ୍କ ଖୁଡ଼ୁତା ରାଉତରାୟ ସାହେବଙ୍କ ଠାରୁ ସ୍ୱତନ୍ତ୍ର ସାହାଯ୍ୟ ଓ ସ୍ୱତନ୍ତ୍ର ବୃତ୍ତି ପାଇ ବହୁ ମେଧାବୀ ଛାତ୍ର ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ । ମୟୁରଭଞ୍ଜର ବୟୋବୃଦ୍ଧ କୃତାବିଦ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଖୁବ୍‍ କମ୍ ବ୍ୟକ୍ତି ଅଛନ୍ତି ଯେ କି ଅଧ୍ୟୟନ ସମୟରେ ମହାରାଜାଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ପାଇ ନ ଥିଲେ । ଶିକ୍ଷାଲାଭର ସୁବିଧା ଥିବାରୁ ମହାରାଜାଙ୍କ ଅମଳରେ ବହୁ ମୟୁରଭଞ୍ଜବାସୀ ଓଡ଼ିଶା ସରକାରଙ୍କ ଅଧୀନରେ ମଧ୍ୟ ଉଚ୍ଚପଦ ଅଧିକାର କରିଥିଲେ । ଏମାନଙ୍କ ମଧ୍ୟରେ ସର୍ବପ୍ରଥମ ଥିଲେ ଓଡ଼ିଶାର ଡି.ପି.ଆଇ. ସ୍ୱର୍ଗତ ଶ୍ୟାମଚନ୍ଦ୍ର ତ୍ରିପାଠୀ । ମୟୁରଭଞ୍ଜ ଓଡ଼ିଶା ସହିତ ମିଶିଯିବା ପରେ ଯେଉଁ ମୟୁରଭଞ୍ଜବାସୀମାନେ ଊଚ୍ଚପଦରେ ଅଧିଷ୍ଠିତ ହୋଇପାରିଥିଲେ ସେମାନଙ୍କ ମଧରେ ଅବସରପ୍ରାପ୍ତ ଆଇ.ଏ.ଏସ୍. ଶ୍ରୀ ରାଧାଗୋବିନ୍ଦ ଦାସ, ପୁଲିସ ଇନିସ୍‍ପେକ୍‍ଟର ଜେନେରାଲ ସ୍ୱର୍ଗତ ରାମଚନ୍ଦ୍ର ଦାସ, ଶିକ୍ଷାବିଭାଗର ଭୂତପୂର୍ବ ଡିରେକ୍‍ଟର ଶ୍ରୀ ଗୋକୁଳ ଚନ୍ଦ୍ର ଶତପଥୀ, ଅତିରିକ୍ତ ଜିଲାଜଜ୍‍, ଶ୍ରୀ ଭୋଳାନାଥ ପଣ୍ଡା, ଅତିରିକ୍ତ ଚିଫ୍‍ ଇଞ୍ଜିନିୟର ଶ୍ରୀ ଦୁର୍ଗାଚରଣ ପାଢ଼ୀଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ମୁଁ ଯେଉଁ ସମୟର କଥା ଲେଖୁଛି, ସେ ସମୟରେ ମୟୁରଭଞ୍ଜର ମହାରାଜାମାନେ ନିଶ୍ଚିତଭାବରେ ବିଦ୍ୟୋତ୍ସାହୀ ଓ ଶିକ୍ଷା-ସଂସ୍କୃତିର ପୃଷ୍ଠପୋଷକ ଥିଲେ । ଏମାନଙ୍କର ରାଜନୈତିକ ଓଡ଼ିଶା ସହିତ କୌଣସି ସମ୍ବନ୍ଧ ନ ଥିଲେ ହେଁ, ସାଂସ୍କୃତିକ ଓଡ଼ିଶା ପ୍ରତି ଏମାନଙ୍କ ସହାନୁଭୂତି ଥିଲା-। ମହାରଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତିତ୍ୱ ଗ୍ରହଣକରି ଓ ଓଡ଼ିଶାର ଶିକ୍ଷା ସଂସ୍କୃତି ସହିତ ସହଯୋଗ କରି ଯେଉଁ ଆଦର୍ଶ ସୃଷ୍ଟି କରିଥିଲେ, ତାହା ତାଙ୍କ ପୁତ୍ରଦ୍ୱୟଙ୍କ ଦ୍ୱାରା ମଧ୍ୟ ଅନୁସାତ ହୋଇଥିଲା । ମହାରାଜା ପ୍ରତାପଚନ୍ଦ୍ରଙ୍କ ଅମଳରେ ଭଞ୍ଜପ୍ରଦୀପ ନାମକ ଗୋଟିଏ ଉଚ୍ଚକୋଟୀର ପତ୍ରିକା ପ୍ରଥମେ ସୁବିଖ୍ୟାତ କବି ସାହିତ୍ୟିକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସମ୍ପାଦକତ୍ୱରେ ଓ ପରେ ସୁସାହିତ୍ୟିକ ଶ୍ରୀ ବସନ୍ତ କୁମାର ଶତପଥୀଙ୍କ ସମ୍ପାଦକତ୍ୱରେ ବାରିପଦାରୁ ବାହାରୁଥିଲା । ଏହି ମହାରାଜାଙ୍କ ରାଜତ୍ୱକାଳରେ ସ୍ୱର୍ଗତ ସୁସାହିତ୍ୟିକ ଦିବ୍ୟସିଂହ ପାଣିଗ୍ରାହୀ ଓ ତାଙ୍କର ଅନୁଜ ସୁବିଖ୍ୟାତ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ସୁବିଖ୍ୟାତ ଅର୍ଥନୀତିଜ୍ଞ ଡକ୍‍ଟର ସଦାଶିବ ମିଶ୍ର ବାରିପଦାକୁ ହିଁ ସେମାନଙ୍କ ସାଧନକ୍ଷେତ୍ର କରିଥିଲେ । ଏହାଙ୍କ ଅମଳରେ ଯେଉଁ ମୟୁରଭଞ୍ଜବାସୀମାନେ ସାହିତ୍ୟ ସଂସ୍କୃତିର ଆରାଧନା ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରେ ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ, ସ୍ୱର୍ଗତ ଶରତ ଚନ୍ଦ୍ର ଦାସ, ସ୍ୱର୍ଗତ ଲାଲସାହେବ, ଶରତ ଚନ୍ଦ୍ର ଭଞ୍ଜଦେଓ, ସ୍ୱର୍ଗତ ଡାକ୍ତର କ୍ଷିରୋଦ ଚନ୍ଦ୍ର ପାଳ, ଶ୍ରୀ ମହେଶ୍ୱର ନାୟକ, ଶ୍ରୀ ଗୋକୁଳ ଚନ୍ଦ୍ର ଶତପଥୀ, ଶ୍ରୀ ମହେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଚିନ୍ତାମଣି ବେହେରା, ଅଧ୍ୟାପକ ବସନ୍ତ କୁମାର ଶତପଥୀ, ଶ୍ରୀ ପ୍ରଭାସ ଚନ୍ଦ୍ର ବ୍ରହ୍ମା, ଶ୍ରୀ ଯୋଗେନ୍ଦ୍ର ପଟ୍ଟନାୟକ, ଶ୍ରୀ ଧୀରେନ୍ଦ୍ର ପଟ୍ଟନାୟକ, ଶ୍ରୀ ରବୀନ୍ଦ୍ର ପଟ୍ଟନାୟକ, ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଅଧ୍ୟାପକ ସୌରୀନ୍ଦ୍ର ବାରିକ, ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଗୁରୁକୃଷ୍ଣ ଗୋସ୍ୱାମୀ ବିଶେଷ ଖ୍ୟାତିଲାଭ କରିଥିଲେ । ଏହି ମହାରାଜାଙ୍କ ଅମଳରେ ହିଁ ମୁଁ ସାହିତ୍ୟ, ଇତିହାସ ଓ ପ୍ରତ୍ନତତ୍ତ୍ୱର ଆରାଧନା ଆରମ୍ଭ କରିଥିଲି-। ମୋର ଜ୍ୟେଷ୍ଠଭ୍ରାତା ସ୍ଵର୍ଗତ ହରିହର ପାଣିଗ୍ରାହୀ ଓ କନିଷ୍ଠଭ୍ରାତା ଗିରୀଶ ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଏହି ସମୟରେ ବାଣୀ ଆରାଧନା କରି ପାଞ୍ଚପିଢ଼ରେ ଖ୍ୟାତିଲାଭ କରିଥିଲେ । ମାତ୍ର ପ୍ରତିକୂଳ ପରିସ୍ଥିତି ହେତୁ ସେମାନଙ୍କ କବିପ୍ରତିଭା ସର୍ବତ୍ର ପ୍ରଚାରିତ ହୋଇପାରି ନ ଥିଲା ।

 

ଏ ସମୟ ମଧ୍ୟରେ ଓଡ଼ିଶାର ଶିକ୍ଷା ଓ ସଂସ୍କୃତିର ପ୍ରସାର ପାଇଁ ମୟୁରଭଞ୍ଜର ଦାନ ସର୍ବାଧିକ ଥିଲା । ରେଭେନ୍‍ସା କଲେଜରେ ବିଜୁଳି ଆଲୁଅ ଓ ପାଣିକଳ ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କ ଏକଲକ୍ଷ ଟଙ୍କା ଦାନ, ଉତ୍କଳ ସାହିତ୍ୟ ସମାଜର ରାମଚନ୍ଦ୍ର ଭବନ ନିର୍ମାଣ ପାଇଁ ତାଙ୍କର ଅନୁରୂପ ଦାନ ଏବଂ ମହାରଜା ପ୍ରତାପଚନ୍ଦ୍ରଙ୍କ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆଠଲକ୍ଷ ଟଙ୍କା ଓ ମୟୁରଭଞ୍ଜ ଷ୍ଟେଟ୍‍ ପ୍ରେସ୍‍ଟିରେ ଦାନ ଏଠାରେ ଉଲ୍ଲେଖଯୋଗ୍ୟ । ଏହା ଛଡ଼ା ବ୍ୟକ୍ତିଗତ ଭାବରେ ବହୁବ୍ୟକ୍ତି ମୟୂରଭଞ୍ଜରୁ ସାହାଯ୍ୟ ପାଇ ଓଡ଼ିଶାର ଶିକ୍ଷା ଓ ସଂସ୍କୃତିର ବିକାଶ କରିପାରିଥିଲେ । ସ୍ଵର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରକାଶ ପାଇଁ ମୟୁରଭଞ୍ଜରୁ ଆଂଶିକ ସାହାଯ୍ୟ ମିଳିଥିଲା । ସ୍ୱର୍ଗତ ରାଖାଲ ଚନ୍ଦ୍ର ବାନାର୍ଜୀଙ୍କ ଲିଖିତ ଓଡ଼ିଶାର ପ୍ରଥମ ବିଧିବଦ୍ଧ ଇତିହାସ ଏବଂ ସ୍ୱର୍ଗତ ପଣ୍ଡିତ ବିନାୟକ ମିଶ୍ରଙ୍କ ପ୍ରଥମ ବିଧିବଦ୍ଧ ଓଡ଼ିଆ ସାହିତ୍ୟର ଇତିହାସ ଓ ଓଡ଼ିଆଭାଷାର ଇତିହାସ ମୟୁରଭଞ୍ଜର ଅର୍ଥ ଦ୍ଵାରା ହିଁ ମୁଦ୍ରିତ ଓ ପ୍ରକାଶିତ ହୋଇଥିଲା । ମୟୁରଭଞ୍ଜ ମହାରାଜାଙ୍କ ଅର୍ଥ ଓ ପ୍ରେରଣା ବଳରେ ହିଁ ଶ୍ରୀ ବ୍ରଜସୁନ୍ଦର ଦାଶ ସର୍ବଭାରତୀୟ ଫୁଟବଲ ଖେଳରେ ଖ୍ୟାତିଲାଭ କରି କଲିକତାର ବିଖ୍ୟାତ ଏରିଆନ୍‍ ଦଳରେ ଅପରିହାର୍ଯ୍ୟ ଖେଳାଳିରୂପେ ବହୁବର୍ଷ ରହି ଆସିଥିଲେ ।

 

ଏ ପରିଛେଦରେ ଯାହା ବର୍ଣ୍ଣିତ ହେଲା, ସେଥିରେ ମୋର ବାଲ୍ୟ ଓ ଯୌବନ ସମୟର ମୟୁରଭଞ୍ଜର ଗୋଟିଏ ମୋଟାମୋଟି ଚିତ୍ର ପ୍ରଦତ୍ତ ହେଲା । ଏ ଚିତ୍ର ସହିତ ଆଧୁନିକ ମୟୁରଭଞ୍ଜକୁ ତୁଳନା କରିବା ଅନୁଚିତ । ଯେଉଁମାନେ ଚାରାଗଛକୁ ଫଳନ୍ତିଗଛ ସହିତ ତୁଳନା କରନ୍ତି କିମ୍ବା ଦଶ ବାରବର୍ଷର ପିଲା ସହିତ ଷାଠିଏ ବର୍ଷର ବୃଦ୍ଧକୁ ତୁଳନା କରନ୍ତି, ସେମାନଙ୍କ ବିଚାରରେ ମୌଳିକ ବିଭ୍ରାଟ ଥାଏ । ଏଣୁ ଏପରି ବ୍ୟକ୍ତିମାନଙ୍କ ଅଭିମତର କୌଣସି ମୂଲ୍ୟ ନଥାଏ-। ଯେଉଁ ସମୟରେ ଓଡ଼ିଶା କହିଲେ ବାଲେଶ୍ୱର, କଟକ, ପୁରୀ, ଅନୁଗୋଳ ଓ ସମ୍ୱଲପୁରକୁ ହିଁ ବୁଝାଉଥିଲା, ଏବଂ ଭାରତର ସର୍ବକ୍ଷେତ୍ରରେ ଦାରିଦ୍ର୍ୟ ନିପୀଡ଼ିତ ଓଡ଼ିଆମାନେ ବହୁପଛରେ ପଡ଼ିଥିଲେ, ସେତେବେଳେ ମୟୁରଭଞ୍ଜର ଅବସ୍ଥା ଯାହା ଥିଲା, ତାହାର ଗୋଟିଏ ମୋଟାମୋଟି ଚିତ୍ର ହିଁ ଏଠାରେ ଦିଆଗଲା ।

Image

 

Unknown

ଷଷ୍ଠ ପରିଛେଦ

ମୋ ସମୟର ଭାରତ ଓ ଓଡ଼ିଶା

 

ଓଡ଼ିଶାର ପ୍ରତିବେଶୀ ରାଜ୍ୟଗୁଡ଼ିକ ହେଉଛନ୍ତି ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ । ୧୯୭୧ ମସିହାରେ ସେନ୍‌ସାସ୍ ରିପୋର୍ଟରୁ ଜଣାଯାଏ ଯେ ଏମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ଲୋକସଂଖ୍ୟା ହେଉଛି, ଚାରିକୋଟି ତେୟାଳିଶ୍‍ ଲକ୍ଷ । ବାଂଲାଦେଶର ଲୋକସଂଖ୍ୟାକୁ ମିଶାଇଦେଲେ ବଙ୍ଗଭାଷୀମାନଙ୍କ ସଂଖ୍ୟା ପ୍ରାୟ ବାରକୋଟି ହେବ । ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରର ଜନସଂଖ୍ୟା ହେଉଛି ଯଥାକ୍ରମେ ପାଞ୍ଚକୋଟି ତେଶଠିଲକ୍ଷ, ଚାରିକୋଟି ଷୋଳ ଲକ୍ଷ ଏବଂ ଚାରିକୋଟି ପଇଁତ୍ରିଶ ଲକ୍ଷ । ଏମାନଙ୍କ ମଧ୍ୟରେ ଅବସ୍ଥିତ ଓଡ଼ିଶାର ଜନସଂଖ୍ୟା ହେଉଛି ଦୁଇକୋଟି ଉଣେଇଶ ଲକ୍ଷ । ଏଣୁ ଜନସଂଖ୍ୟା ତୁଳନାରେ ଓଡ଼ିଶାରାଜ୍ୟ ଏମାନଙ୍କ ମଧ୍ୟରେ ସର୍ବନିମ୍ନ ସ୍ଥାନ ପାଇଛି । ଆୟତନର ତୁଳନା କଲେ ଦେଖାଯାଏ ଯେ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଆୟତନ ହେଉଛି ଯଥାକ୍ରମେ ଶତାଅଶୀ ହଜାର ଆଠଶହ, ଏକଲକ୍ଷ ତେସ୍ତରୀ ହଜାର ଆଠଶହ, ଚାରିଲକ୍ଷ ବୟାଳିଶ ହଜାର ଆଠଶହ, ଦୁଇଲକ୍ଷ ଛଅସ୍ତରୀ ହଜାର ସାତଶହ ଏବଂ ଏକଲକ୍ଷ ପଞ୍ଚାବନ ହଜାର ଆଠଶହ ବର୍ଗ କିଲୋମିଟର । ଆୟତନରେ ଓଡ଼ିଶା କେବଳ ପଶ୍ଚିମବଙ୍ଗ ଉପରକୁ ରହଛି, ମାତ୍ର ଏଠାରେ ସ୍ମରଣ କରିବାକୁ ହେବ ଯେ ଓଡ଼ିଶାର ଶତଷଠି ହଜାର ବର୍ଗ କିଲୋମିଟର ହେଉଛି ବନଗିରିପୂର୍ଣ୍ଣ । ପଶ୍ଚିମବଙ୍ଗରେ ଏତେ ବନଗିରିପୂର୍ଣ୍ଣ ଅଞ୍ଚଳ ନାହିଁ । ଓଡ଼ିଶାର ଜନସଂଖ୍ୟାର ପଚାଶଲକ୍ଷ ହେଉଛନ୍ତି ଆଦିବାସୀ । ଏଣୁ ପ୍ରକୃତ ଓଡ଼ିଆପିଲାମାନଙ୍କ ସଂଖ୍ୟା ହେଉଛି ଏକକୋଟି ଅଣସ୍ତରୀ ଲକ୍ଷ । ୧୯୩୬ ମସିହାରେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବାରୁ ଓଡ଼ିଶା କହିଲେ କେବଳ ବାଲେଶ୍ୱର, କଟକ, ପୁରୀ, ଅନୁଗୋଳ ଓ ସମ୍ବଲପୁରକୁ ବୁଝାଉଥିଲା । ୧୯୩୬ରେ ଗଞ୍ଜାମ ଓ କୋରାପୁଟ ଓଡ଼ିଶାରେ ମିଶିଲା ଏବଂ ୧୯୪୭ ଓ ୧୯୪୯ ମଧ୍ୟରେ ଓଡ଼ିଆଭାଷୀ ସମସ୍ତ ଗଡ଼ଜାତ ଓଡ଼ିଶା ସହିତ ମିଶିଯିବାରୁ ଆଉ ସାତୋଟି ଜିଲା ଗଠିତ ହୋଇଥିଲା । ଗଡ଼ଜାତଗୁଡ଼ିକ ଓଡ଼ିଶା ସହିତ ମିଶିଯିବା ପରେ ହିଁ ଓଡ଼ିଶା ଭାରତର ମାନଚିତ୍ରରେ ସମ୍ମାନଜନକ ସ୍ଥାନ ପାଇଲା । ତା ପୂର୍ବରୁ ଓଡ଼ିଶା ଗୋଟିଏ ପ୍ରଦେଶରେ ପରିଣତ ହୋଇଥିଲେ ହେଁ ଏହା ପ୍ରକୃତରେ ପ୍ରଦେଶବାଚ୍ୟ ହୋଇପାରି ନ ଥିଲା । ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହେବାବେଳେ ଓଡ଼ିଶାର ଆୟ ଥିଲା ମାତ୍ର ଦୁଇକୋଟି ଟଙ୍କା । ଏହି ହେତୁ ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ ଇଂରେଜମାନେ କୁଣ୍ଠାବୋଧ କରୁଥିଲେ ।

 

ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା ବୋଲି କହି ଓଡ଼ିଆମାନେ ବହୁ ସମୟରେ ସ୍ଫୀତବକ୍ଷ ହୋଇଥାନ୍ତି । ଏହା ସତ୍ୟ ଯେ ଅତୀତର ଅନେକ ସମୟରେ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିଲା; ମାତ୍ର ଏହା ତତ୍‌କାଳୀନ ଓଡ଼ିଶାର ରାଜନୀତିକ ସୀମା; ପ୍ରାକୃତିକ ସୀମା ନୁହେଁ । ଓଡ଼ିଆମାନେ ତରବାରି ବଳରେ ହିଁ ଓଡ଼ିଶାର ରାଜନୀତିକ ସୀମାକୁ ବୃଦ୍ଧି କରିଥିଲେ । ଆଜି ଯାହାକୁ ଓଡ଼ିଶା ବୋଲି କୁହାଯାଉଛି, ତାହା ହିଁ ଯୁଗେ ଯୁଗେ ପ୍ରକୃତ ଓଡ଼ିଆଭାଷୀ ଅଞ୍ଚଳ ହୋଇ ରହଛି । ବର୍ତ୍ତମାନ ଯେଉଁ କେତେଖଣ୍ଡ ଓଡ଼ିଆଭାଷୀ ଅଞ୍ଚଳ ଅନ୍ୟ ରାଜ୍ୟମାନଙ୍କ ସହିତ ମିଶି ରହିଛି, ସେଗୁଡ଼ିକୁ କାଢ଼ିଆଣି ଓଡ଼ିଶା ସହିତ ମିଶାଇଦେଲେ ମଧ୍ୟ ପ୍ରତିବେଶୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଗୌଣତ୍ୱ ଦୂର ହୋଇପାରିବ ନାହିଁ । ଏଣୁ ଭାବପ୍ରବଣ ନ ହୋଇ ବାସ୍ତବତା ଦୃଷ୍ଟିରୁ ଦେଖିଲେ ମାନିବାକୁ ହେବ ଯେ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଭାରତର ଦ୍ରାବିଡ଼ ଓ ଆର୍ଯ୍ୟଭାଷାଭାଷୀମାନଙ୍କ ମଧ୍ୟରେ ଓଡ଼ିଆଭାଷୀମାନେ ହେଉଛନ୍ତି ଗୋଟିଏ ସଂଖ୍ୟା ଲଘୁ ଗୋଷ୍ଠୀ । ଏହି ଗୋଷ୍ଠୀ ଯେତେବେଳେ ଶକ୍ତିଶାଳୀ ହୋଇ ରାଜ୍ୟ ଜୟ କରିଛି, ସେତେବେଳେ ତାହାର ଐଶ୍ୱର୍ଯ୍ୟ ଆସିଛି, ଅନ୍ୟଥା ଏହା ଦାରିଦ୍ର୍ୟ ନିପୀଡ଼ିତ ହୋଇ ପଡ଼ିଛି । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଓଡ଼ିଶା ସବୁଦିନେ ଦାରିଦ୍ର୍ୟ-ନିପୀଡ଼ିତ ହୋଇ ରହିବ । ଓଡ଼ିଶାର ଲୋକେ ଯଦି ସ୍ୱଶକ୍ତି ପ୍ରତି ସଚେତନ ହୁଅନ୍ତି ଓ ନୀତିମାର୍ଗରେ ଗତି କରନ୍ତି, ତେବେ ଏହାର ଅସୀମ ଖଣିଜସମ୍ପଦ ଏହାକୁ ଦିନେ ଭାରତର ଶକ୍ତିଶାଳୀ ଓ ଧନଶାଳୀ ରାଜ୍ୟରେ ପରିଣତ କରିବ । ଗୋଟିଏ ରାଜ୍ୟର ସମୃଦ୍ଧି କେବଳ ଜନସଂଖ୍ୟା ଉପରେ ନିର୍ଭର କରେ ନାହିଁ । ମୁଁ ମୋର ଆଲୋଚନାକୁ କେବଳ ମୋ ସମୟର ଓଡ଼ିଶା ସମ୍ବନ୍ଧରେ ହିଁ ସୀମାବଦ୍ଧ କରୁଛି ।

 

ଖ୍ରୀଷ୍ଟପୂର୍ବକାଳର ଖାରବେଳଙ୍କ ସାମ୍ରାଜ୍ୟର ବହୁଶତ ବର୍ଷ ପରେ ପ୍ରବଳ ପ୍ରତାପୀ କପିଳେନ୍ଦ୍ରଦେବ ପଞ୍ଚଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାର ରାଜନୀତିକ ସୀମାକୁ ଉତ୍ତରରେ ହୁଗୁଲି ନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ଅନ୍ୟ ଏକ ସାମ୍ରାଜ୍ୟ ସ୍ଥାପନ କରିଥିଲେ । ଏହା ପୂର୍ବରୁ ଗଙ୍ଗ ଓ ସୋମବଂଶୀ-କେଶରୀ ରାଜାମାନେ ମଧ୍ୟ ଏହାର ରାଜନୀତିକ ସୀମାକୁ ବହୁ ସମୟରେ ବୃଦ୍ଧି କରି ଗଙ୍ଗା ଓ ଗୋଦାବରୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ ଦଖଲ କରି ରହିଥିଲେ । ଅତି ପୂର୍ବକାଳରେ ଓଡ଼ିଶାବାସୀମାନେ ନୌବାଣିଜ୍ୟରେ ରତ ରହି ଦେଶକୁ ସମୃଦ୍ଧ କରିପାରିଥିଲେ । ଏଣୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧିର କାରଣ ହୋଇଥିଲା ତାହାର ବାଣିଜ୍ୟ ଓ ବିଜିତ ରାଜ୍ୟ । କେବଳ ପ୍ରାକୃତିକ ଅଞ୍ଚଳ ଉପରେ ନିର୍ଭର କରି ଓଡ଼ିଶା କୌଣସି କାଳେ ସମୃଦ୍ଧିଶାଳୀ ହୋଇପାରି ନ ଥିଲା-। ପ୍ରାକୃତିକ ଓଡ଼ିଶା ଗିରିବନସଂକୁଳ ଗଡ଼ଜାତ ଅଞ୍ଚଳ ଓ ସମୁଦ୍ର ଉପକୂଳ ଅଞ୍ଚଳରେ ମୁଖ୍ୟତଃ ଦୁଇଭାଗ ହୋଇ ଯୁଗେ ଯୁଗେ ରହିଆସିଛି । ଗିରିବନସଂକୁଳ ଅଞ୍ଚଳର ରାଜାମାନେ ମଧ୍ୟେ ମଧ୍ୟେ ଓଡ଼ିଶାର ଗଜପତିଙ୍କ ଆନୁଗତ୍ୟ ସ୍ଵୀକାର କରୁଥିଲେ ମଧ୍ୟ ଓଡ଼ିଶାର ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ପାଇଁ ସେମାନଙ୍କ ଅବଦାନ ଖୁବ୍‍ କମ୍ ଥିଲା । ଆଦିବାସୀବହୁଳ ଏହି ଅଞ୍ଚଳରେ ଲୋକମାନେ ଆରଣ୍ୟ ଓ ଅନୁନ୍ନତ ଅବସ୍ଥାରେ ଜୀବନଯାପନ କରୁଥିଲେ । ଏଣୁ ସମୁଦ୍ର ଉପକୂଳ ଅଞ୍ଚଳ ହିଁ ପ୍ରକୃତରେ ଓଡ଼ିଶାର ହୃତ୍‍ପିଣ୍ଡ ଥିଲା; ମାତ୍ର ଏ ଅଞ୍ଚଳ ମଧ୍ୟ ଆଜିକାଲି ପରି ବହୁସମୟରେ ପ୍ରାକୃତିକ ବିପର୍ଯ୍ୟୟରେ ବିଧ୍ୱସ୍ତ ହେଉଥିଲା । ବାତ୍ୟା, ବନ୍ୟା ଓ ଦୁର୍ଭିକ୍ଷ ବହୁସମୟରେ ଏ ଅଞ୍ଚଳର ସହଚର ହୋଇ ରହିଥିଲା । ଯେତେବେଳେ ପ୍ରବଳପରାକ୍ରମୀ କପିଳେନ୍ଦ୍ର ସାମ୍ରାଜ୍ୟ ବିସ୍ତାର କରୁଥିଲେ, ସେତେବେଳେ ମଧ୍ୟ ଓଡ଼ିଶାରେ ଦୁର୍ଭିକ୍ଷର କରାଳ ଛାୟା ଦେଖାଦେଇଥିଲା । ମାଦଳାପାଞ୍ଜିରେ ଲେଖାଅଛି–‘‘(କପିଳେନ୍ଦ୍ରଙ୍କ) ୧୧ ଅଙ୍କରେ ରାଜ୍ୟରେ ମହରଗ ପଡ଼ିଲା । ଧାନ ଭରଣ ଶଏ ପାଞ୍ଚକାହାଣ ହୋଇଲା । ସେ ମହରଗରେ ବହୁତ ଲୋକ ମଲେ (ମାଦଳାପାଞ୍ଜି, ପ୍ରାଚୀ ସମିତି, ପୃ-୪୭) ।’’

 

କପିଳେନ୍ଦ୍ର ଯେଉଁ ସାମ୍ରାଜ୍ୟ ଗଢ଼ିଥିଲେ, ତାଙ୍କ ନାତି ପ୍ରତାପରୁଦ୍ରଙ୍କ ୧୫୪୦ ଖ୍ରୀଷ୍ଟାବ୍ଦରେ ମୃତ୍ୟୁପରେ ତାହା ଭାଙ୍ଗି ପଡ଼ିଥିଲା । ଏହାପରେ ଭୋଇରାଜାମାନଙ୍କ ଅମଳରେ ହତ୍ୟା, ଗୁପ୍ତହତ୍ୟା, ଗୃହବିବାଦ, ଷଡ଼ଯନ୍ତ୍ର, ଦେଶଦ୍ରୋହର ଯେଉଁ କଳଙ୍କମୟ ଅଧ୍ୟାୟ ଆରମ୍ଭ ହୋଇଥିଲା, ତାହାର ପରିସମାପ୍ତି ଘଟିଥିଲା ୧୫୬୮ ଖ୍ରୀଷ୍ଟାବ୍ଦରେ । ୧୫୬୮ରେ ଓଡ଼ିଶାର ସ୍ୱାଧୀନତା-ରବି ଅସ୍ତମିତ ହେବା ପରେ ଓଡ଼ିଶା ଗୋଟିଏ ଅନ୍ଧକାରାଛନ୍ନ ରାଜ୍ୟରେ ପରିଣତ ହୋଇଥିଲା ।

 

ଏହି ଖ୍ରୀଷ୍ଟାବ୍ଦରେ ବଙ୍ଗନବାବ ସୁଲେମାନ କରାରାଣି ଓଡ଼ିଶାକୁ ବଙ୍ଗର ଅଙ୍ଗୀଭୂତ କଲେ ଏବଂ ସେହିଦିନଠାରୁ ବ୍ରିଟିଶ ରାଜତ୍ୱର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ଛଡ଼ା ଓଡ଼ିଶାର ସମଗ୍ର ଉପକୂଳ ଅଞ୍ଚଳ ବଙ୍ଗର ଅଂଶବିଶେଷ ହୋଇ ରହିଲା । ଓଡ଼ିଶାର ଦକ୍ଷିଣାଞ୍ଚଳ ଗୋଲକୁଣ୍ଡା ସୁଲତାନ୍‍ଙ୍କ ଦ୍ୱାରା ବିଜିତ ହେବାରୁ ଏହି ଅଞ୍ଚଳ ମଧ୍ୟ ମୁସଲମାନ ଶାସିତ ଅଞ୍ଚଳ ହୋଇ ରହିଲା । ମୁସଲମାନମାନଙ୍କ ପରେ ୧୭୫୧ ଠାରୁ ୧୮୦୩ ପର୍ଯ୍ୟନ୍ତ ମରହଟ୍ଟାମାନେ ଓଡ଼ିଶାକୁ ଶାସନ କରିଥିଲେ ଏବଂ ତାହାପରେ ଇଂରେଜମାନେ ଏ ରାଜ୍ୟକୁ ମରହଟ୍ଟାମାନଙ୍କ ହାତରୁ ଛଡ଼ାଇନେଇ ଏଠାରେ ୧୯୪୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କଲେ । ବ୍ରିଟିଶ ରାଜତ୍ୱର ଶେଷ ପର୍ଯ୍ୟାୟ ୧୯୩୬ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲେ ହେଁ ଏହାର ଆୟତନ ଓ ଆୟ ଏହାକୁ ଭାରତର ପ୍ରଦେଶମାନଙ୍କରେ ସର୍ବକନିଷ୍ଠ ରାଜ୍ୟରେ ପରିଣତ କରିଥିଲା; ମାତ୍ର ୧୯୪୭ ଖ୍ରୀଷ୍ଟାବ୍ଦରେ ଓଡ଼ିଆଭାଷୀ ଗଡ଼ଜାତଗୁଡ଼ିକ ଏହା ସହିତ ମିଶିଯିବାରୁ ଏହା ଭାରତର ମାନଚିତ୍ରରେ ସମ୍ମାନଜନକ ସ୍ଥାନ ପାଇଲା ।

 

ଅତଏବ ୧୫୬୮ରୁ ୧୯୪୭ ପର୍ଯ୍ୟନ୍ତ ୩୭୯ ବର୍ଷ ଧରି ଓଡ଼ିଶାରେ ଗୋଟାଏ ଦୀର୍ଘ ଅନ୍ଧକାରମୟ ଯୁଗ ଚାଲିଥିଲା । ଏଠାରେ ଓଡ଼ିଆମାନେ ଥିଲେ, ମାତ୍ର ସେମାନେ ପରସ୍ପରକୁ ଚିହ୍ନୁ ନ ଥିଲେ । ଏହି ଅନ୍ଧକାରମୟ ଶେଷପର୍ଯ୍ୟାୟରେ ହିଁ ମଧୁସୂଦନ ଗୋପବନ୍ଧୁଙ୍କ ଭଳି କେତେକ ତୁଙ୍ଗ ଓଡ଼ିଆନେତା ସର୍ବଭାରତୀୟକ୍ଷେତ୍ରରେ ଖ୍ୟାତିସମ୍ପନ୍ନ ହୋଇଥିଲେ, ମାତ୍ର ତା ପୂର୍ବରୁ କୌଣସି ଓଡ଼ିଆ କୌଣସି କ୍ଷେତ୍ରରେ ଖ୍ୟାତିଲାଭ କରୁ ନ ଥିଲେ । ଅତଏବ ଜଣାଯାଏ ଯେ ଏହି ଦୀର୍ଘସମୟ ମଧ୍ୟରେ ଓଡ଼ିଆମାନେ ଜୀବନ୍ମୃତ ହୋଇ ରହିଥିଲେ । ଏମାନଙ୍କ ଅବସ୍ଥିତି ଥିଲା, ମାତ୍ର ଶକ୍ତି ନ ଥିଲା । ଏମାନଙ୍କ ଗୌରବୋଜ୍ୱଳ ଅତୀତ ଥିଲା, ମାତ୍ର ଏହା ସମ୍ପୂର୍ଣ୍ଣରୂପେ ବିସ୍ମୃତ ହେବା ଫଳରେ ଏଥିରୁ କୌଣସି ଫଲପ୍ରଦ ପ୍ରେରଣା ମିଳୁ ନ ଥିଲା । ବାଣିଜ୍ୟ, କୃଷି ଓ ରାଜସେବାବଳରେ ହିଁ କୌଣସି ଜାତି ଉନ୍ନତ ଆର୍ଥିକ ଅବସ୍ଥା ଲାଭ କରିଥାଏ; ମାତ୍ର ଏହି ଅନ୍ଧକାରମୟ ଯୁଗରେ ଏ ସମସ୍ତ ଅଣଓଡ଼ିଆମାନଙ୍କ ହାତକୁ ଚାଲିଯାଇଥିଲା । ଓଡ଼ିଶାର ସମସ୍ତ ବ୍ୟବସାୟୀ, ପ୍ରାୟ ସମସ୍ତ ଜମିଦାର ଓ ପ୍ରାୟ ସମସ୍ତ ଜମିଦାର ରାଜକର୍ମଚାରୀ ଅଣଓଡ଼ିଆ ଥିଲେ ।

 

ଏହି ଦୀର୍ଘ ସମୟ ମଧ୍ୟରେ ଓଡ଼ିଆମାନଙ୍କ ଏପରି ଶୋଚନୀୟ ଅବସ୍ଥା ହୋଇଥିଲା କାହିଁକି ? ଓଡ଼ିଆମାନଙ୍କ ଅଧଃପତନର ବହୁ କାରଣ ମଧ୍ୟରୁ ଗୋଟିଏ ପ୍ରଧାନ କାରଣ ହେଉଛି ସେମାନଙ୍କ ଅତୀତ ପ୍ରତି ଅତିଭକ୍ତି । ମୁସଲମାନ-ମରହଟ୍ଟାମାନଙ୍କ ଦ୍ୱାରା ଶାସିତ ହେବାବେଳେ ଓଡ଼ିଶାରେ ଯେଉଁ ନୂତନ ପରିସ୍ଥିତି ଓ ସଂସ୍କୃତିର ଅଭ୍ୟୁଦୟ ଘଟିଲା, ସେହି ପରସ୍ଥିତି ସଂସ୍କୃତି ସହିତ ସହଯୋଗ କରି ସେଥିରୁ ଯେତିକି ସୁବିଧା ପାଇବାର କଥା, ଓଡ଼ିଆମାନେ ତାହା ପାଇପାରି ନ ଥିଲେ । ସେମାନେ ଯେ ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଭୁଖଣ୍ଡର ଅଧୀଶ୍ୱର ଥିଲେ, ଏ ଗର୍ବ ସର୍ବଦା ମନରେ ବହି ସେମାନେ ନୂତନ ଶାସକମାନଙ୍କ ସହିତ ସାଲିସ୍ କରି ନ ଥିଲେ, କିମ୍ବା ସେମାନଙ୍କ ସଂସ୍କୃତିକୁ ସ୍ପର୍ଶ କରି ନ ଥିଲେ । ଫଳରେ ନୂତନ ଶାସକମାନଙ୍କ ଶାସନ ସଂସ୍ଥାରେ ଓ ସୈନ୍ୟବିଭାଗରେ ଓଡ଼ିଆମାନଙ୍କ ପ୍ରବେଶର ଅଧିକାର ନ ଥିଲା । କହିବା ବାହୁଲ୍ୟ ଯେ ମୁସଲମାନମାନେ ଦୀର୍ଘକାଳ ରାଜତ୍ୱ କରିବା ଫଳରେ ଭାରତରେ ଗୋଟିଏ ନୂତନ ସଂସ୍କୃତିର ଉଦ୍ଭବ ଘଟିଥିଲା ଏବଂ ଏହି ସଂସ୍କୃତିରେ ଉଦ୍‍ବୁଦ୍ଧ ଭାରତୀୟମାନେ ଉର୍ଦ୍ଦୁ ଓ ଫାର୍ଶୀ ଶିକ୍ଷା କରୁଥଲେ, ମୁସଲମାନ ଆଇନକାନୁନରେ ଅଭିଜ୍ଞ ହେଉଥିଲେ ଏବଂ ମୁସଲମାନ ରାଜତ୍ୱ କାଳର ବେଶଭୁଷା ଓ ଚାଲିଚଳନକୁ ଗ୍ରହଣ କରି ନେଇଥିଲେ । ଏଣୁ ସେମାନେ ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ, ମୁସଲମାନ ଶାସନସଂସ୍ଥା ସହିତ ନିଜ ନିଜକୁ ମିଶାଇ ଚଳି ପାରୁଥିଲେ । ଓଡ଼ିଆମାନେ ସର୍ବଦା ନିଜ ପ୍ରାଚୀନ ସଂସ୍କୃତିର ଅଭିଭକ୍ତ ହୋଇ ନୂତନ ସଂସ୍କୃତି ସହ ଓ ସମ୍ପୂର୍ଣ୍ଣ ଅସହଯୋଗ କରିଥିଲେ । ଏଥିରେ ଶାସକମାନଙ୍କ କୌଣସି କ୍ଷତି ହୋଇ ନ ଥିଲା; ମାତ୍ର ଓଡ଼ିଆମାନଙ୍କ ପ୍ରଭୂତ କ୍ଷତି ହୋଇଥିଲା । ଅନୁସନ୍ଧାନ କଲେ ଜଣାଯାଏ ଯେ ଓଡ଼ିଶାର ବହୁ ଅଣଓଡ଼ିଆ ଜମିଦାର ମୁସଲମାନ-ମରହଟ୍ଟା ଶାସନ କାଳରେ ହିଁ ଓଡ଼ିଶାରେ ଆସ୍ଥାନ ସ୍ଥାପନ କରିଥିଲେ । କେବଳ ବ୍ରିଟିଶ ରାଜତ୍ୱ କାଳରେ ହିଁ ଓଡ଼ିଶାରେ ଅଣଓଡ଼ିଆ ଓ ମଧବିତ୍ତମାନଙ୍କ ଉଦ୍ଭବ ଘଟିଥିଲା ବୋଲି କହିଲେ ବା ଭାବିଲେ, ତାହା ସମ୍ପୂର୍ଣ୍ଣ ଅନୈତିହାସିକ ହେବ ।

 

ମୁସଲମାନ-ମରହଟ୍ଟା ଶାସନକାଳରେ ଓଡ଼ିଶାରେ ଯାହା ଘଟିଥିଲା, ବ୍ରିଟିଶ୍‍ ରାଜତ୍ୱରେ ମଧ୍ୟ ତାହାର ପୁନରାବୃତ୍ତି ହେଲା । ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଯେତେବେଳେ ଓଡ଼ିଶା ଦଖଲ କଲେ, ସେତେବେଳେ ଓଡ଼ିଆମାନଙ୍କ ଚରମ ଅଧୋଗତି ହୋଇସାରିଥିଲା । ଇଂରେଜ ଓଡ଼ିଶାକୁ ଦଖଲ କରିବା ପରେ ପରେ ହଠାତ୍ ଓଡ଼ିଶାର ଶାସନପଦ୍ଧତିକୁ ପରବର୍ତ୍ତିନ କରି ନ ଥିଲେ-। ପୂର୍ବଶାସକମାନଙ୍କ ଶାସନପଦ୍ଧତି ଏଠାରେ ପୂର୍ବପରି ପ୍ରଚଳିତ ରହିଥିଲା, ମାତ୍ର ଏହି ଶାସନପଦ୍ଧତିରେ ଯୋଗଦେବା ପାଇଁ ଓଡ଼ିଆମାନେ ଯୋଗ୍ୟ ନ ଥିଲେ । ଫଳରେ ବ୍ରିଟିଶ୍‍ ରାଜତ୍ୱର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ସମସ୍ତ କର୍ମଚାରୀ ଥିଲେ ଅଣଓଡ଼ିଆ ଏବଂ ଏହି ଅଣଓଡ଼ିଆମାନଙ୍କ ମଧ୍ୟରେ ବଙ୍ଗାଳୀମାନେ ସଂଖ୍ୟାଧିକ ଥିଲେ । ଏହି ଅଣଓଡ଼ିଆ କର୍ମଚାରୀମାନେ କେବଳ ଶାସନତନ୍ତ୍ରକୁ ନିୟନ୍ତ୍ରଣ କରି ସନ୍ତୁଷ୍ଟ ହୋଇ ନ ଥିଲେ; ଓଡ଼ିଶାର ଅଧିକାଂଶ ଜମିଦାରୀକୁ ମଧ୍ୟ କଳେ-ବଳେ-କଉଶଳେ ଅଧିକାର କରିନେଇଥିଲେ । ରାଜକର୍ମଚାରୀତ୍ୱରୁ ବଞ୍ଚିତ, ନିଜ ଅଞ୍ଚଳର ଜମିଦାରୀମାନଙ୍କରୁ ବଞ୍ଚିତ, ସୈନ୍ୟବିଭାଗରୁ ବଞ୍ଚିତ, ବାଣିଜ୍ୟ-ବ୍ୟବସାୟରୁ ବଞ୍ଚିତ, ଉଚ୍ଚଶିକ୍ଷାରୁ ବଞ୍ଚିତ, ଦୂର୍ଭିକ୍ଷ-ବନ୍ୟା ପ୍ରପୀଡ଼ିତ, ବିକ୍ଷିପ୍ତ, ବିଚ୍ଛିନ୍ନ, ଗୌଣଭାବାପନ୍ନ ଓଡ଼ିଆମାନେ ନିଜ ରାଜ୍ୟରେ ଉଦରପୋଷଣର ଉପାୟ ନ ପାଇ କଲିକତା, ରେଙ୍ଗୁନ, ଆସାମ ପ୍ରଭୃତି ସ୍ଥାନକୁ ପଳାଇଯାଇ ସେଠାରେ କୁଲି-ପାଚକ ଇତ୍ୟାଦି ରୂପେ ଜୀବନଯାପନ କଲେ । ଫଳରେ ଅନ୍ୟ ଭାରତୀୟମାନଙ୍କ ମନରେ କ୍ରମଶଃ ଧାରଣା ହେଲା ଯେ, ଓଡ଼ିଶା ଗୋଟିଏ କୁଲିର ଦେଶ ଏବଂ ଏଠାରେ ଉଚ୍ଚତର କର୍ମରେ ଯୋଗ୍ୟ ହେବା ଭଳି ଲୋକ ନାହାନ୍ତି ।

 

ଏହି ଧାରଣା କେବଳ ଭାରତରେ ନୁହେଁ, ମୋ ସମୟର ଓଡ଼ିଶାରେ ମଧ୍ୟ ବଦ୍ଧମୂଳ ହୋଇସାରିଥିଲା । ୧୯୩୧ ରୁ ୧୯୩୫ ମଧ୍ୟରେ ରେଭେନ୍‍ସା କଲେଜରେ ଅଧ୍ୟୟନ କରୁଥିବାବେଳେ ମୁଁ ନିଜେ ଏହି କଥା ଅନୁଭବ କରୁଥିଲି । ଭୁବନେଶ୍ୱର କିମ୍ୱା ପୁରୀକୁ ଗଲେ ପଣ୍ଡାମାନେ ମୋତେ ଲକ୍ଷ୍ୟକରି କହୁଥିଲେ–“ଆସୁନ୍‍ ବାବୁ, ଆସୁନ ଆପନାର ବାଡ଼ି କୋଥାୟ ? କିଛୁ ଦିତେ ନିତେ ହବେ ନା ।’’ ଗଉଡ଼-ଗଉଡ଼ୁଣୀମାନେ କହୁଥିଲେ–‘‘ଦୁଧ୍‍, ନିବେ ବାବୁ, ଭାଲ ଦୁଧ୍‍-।’’ ଏମାନଙ୍କ ସଙ୍ଗରେ ଓଡ଼ିଆରେ ଯେତେ କଥାବାର୍ତ୍ତା କଲେ ମଧ୍ୟ ଏମାନେ ବିଶ୍ୱାସ କରିପାରୁ ନ ଥିଲେ ଯେ ଓଡ଼ିଆମାନଙ୍କ ମଧ୍ୟରେ କେହି ଶିକ୍ଷିତ ବା ଭଦ୍ରବେଶଧାରୀ ଥାଇପାରନ୍ତି । ଅତଏବ ଓଡ଼ିଆମାନଙ୍କ ଯୋଗ୍ୟତା କୃତିତ୍ୱ ପ୍ରତି ଅବିଶ୍ୱାସ କେବଳ ଅଣଓଡ଼ିଆମାନଙ୍କର ନ ଥିଲା ଓଡ଼ିଆମାନଙ୍କ ମନରେ ମଧ୍ୟ ଏହା ବଦ୍ଧମୂଳ ହୋଇସାରିଥିଲା । ଏହି ଅବିଶ୍ୱାସ ମଧ୍ୟରେ ମୋର ଜନ୍ମ ଘଟିଥିଲା ଓ କର୍ମଜୀବନ ବିତିଯାଇଛି ଏବଂ ଏହି ଅବିଶ୍ୱାସ ମଧ୍ୟରେ ହିଁ ମୋର ମୃତ୍ୟୁ ଘଟିବ । ଓଡ଼ିଆମାନଙ୍କ ଯୋଗ୍ୟତା ପ୍ରତି ଅଣଓଡ଼ିଆ ଓ ଓଡ଼ିଆମାନଙ୍କ ମନରେ ଯେଉଁ ଅବିଶ୍ୱାସର ବିଷ ଘାରିଯାଇଛି, ସେଥିମଧ୍ୟରୁ ଓଡ଼ିଆମାନଙ୍କର ଅବିଶ୍ୱାସର ବିଷ ଉତ୍କଟତର । ଏପରି ଅବସ୍ଥାରେ ଓଡ଼ିଶାର ଅନଗ୍ରସରତା ପାଇଁ କେବଳ ପ୍ରତିବେଶୀମାନଙ୍କ ଉପରେ ଦୋଷ ଲଦିଦେଲେ ଏ ବିଷର ଉପଶମ ଘଟିବ ନାହିଁ ।

 

ଓଡ଼ିଶା ଏହି ଅବସ୍ଥାରେ ଥିବାବେଳେ ମୁଁ ଭାରତ ସହିତ ଘନିଷ୍ଠଭାବରେ ସଂପୃକ୍ତ ହୋଇପଡ଼ିଥଲି । ଆଗରୁ ଲେଖିଛି ଯେ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ହେବା ହିଁ ମୋର ବାଲ୍ୟକାଳର ଉଚ୍ଚତମ ଲକ୍ଷ୍ୟ ଥିଲା, ମାତ୍ର ଅଦୃଷ୍ଟ କର୍ଣ୍ଣଧାର ମୋର ଜୀବନତରୀକୁ ବାହି ନେଇ ବହୁ ଉଚ୍ଚସ୍ଥାନରେ ଲଗାଇଦେଲେ । ଓଡ଼ିଶା ବାହାରେ ସର୍ବମୋଟ ଷୋଳବର୍ଷ ରହିବାବେଳେ ମୁଁ ଅବିଭକ୍ତ ଭାରତର ପ୍ରାୟ ସର୍ବାଞ୍ଚଳରେ ପରିଭ୍ରମଣ ଓ ଅବସ୍ଥାନ କରିବାର ସୁଯୋଗ ପାଇଥିଲି । ସାଂସ୍କୃତିକବିଭବୋଜ୍ଜ୍ୱଳ ବଙ୍ଗଦେଶରେ, ବୁଦ୍ଧସ୍ମୃତିପୂତ ବିହାର ପ୍ରଦେଶରେ, ଶସ୍ୟଶାଳୀ ଉତ୍ତରାଞ୍ଚଳରେ, ଗୋଧୂମକ୍ଷେତ୍ରପୂର୍ଣ୍ଣ ପଞ୍ଚନଦର ଅବବାହିକାରେ, ହିମାଚଳର ପାଦଗିରିପୂର୍ଣ୍ଣ ଉତ୍ତରପଶ୍ଚିମାଞ୍ଚଳରେ ହିମାଚଳ-ଶୃଙ୍ଗ-ଦୃଶ୍ୟ ଶୋଭିତ ତରାଇ ଅଞ୍ଚଳରେ, ରାଜସ୍ଥାନର ମରୁଅଞ୍ଚଳରେ, ବନଗିରିପୂର୍ଣ୍ଣ ମଧ୍ୟପ୍ରଦେଶରେ, ଧନଶାଳୀ ଗୁଜରାଟ ଅଞ୍ଚଳରେ, ପୂର୍ବଗୌରବ ମଣ୍ଡିତ ମହାରାଷ୍ଟ୍ରରେ, ତମାଳତାଳଶୋଭିତ କେରଳରେ, ବିଜୟନଗର ସ୍ମୃତିପୂତ କର୍ଣ୍ଣାଟକରେ, ବେଳା-ବିଶୋଭିତା ପୂର୍ବକୀର୍ତ୍ତିମାଳିନୀ ତାମିଲ ଓ ତେଲୁଗୁଭାଷୀ ଭୂମିରେ ପରିଭ୍ରମଣ ଓ ଅବସ୍ଥାନ କରି ଭାରତକୁ ଚିହ୍ନିବା ପାଇଁ ଚେଷ୍ଟା କରିଥିଲି ଏବଂ ସେମାନଙ୍କ ସହିତ ମୋର ଦୁଃଖିନୀ ମାତୃଭୂମି ଓଡ଼ିଶାକୁ ତୁଳନା କରିଥିଲି । ଭାରତରେ ମୋର ଦୀର୍ଘ ଅବସ୍ଥାନ ଫଳରେ ମୋତେ ଜଣାଗଲା ଯେ, ଭାରତୀୟ ସଂସ୍କୃତିର ମୂଳାଧାର ହେଉଛି ଏକ; ମାତ୍ର ଇନ୍ଦ୍ରଧନୁ ପରି ଏହା ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରଙ୍ଗ ଧାରଣ କରିଛି । ଓଡ଼ିଶାରେ ଏହି ରଙ୍ଗ ଦିନେ ମହୋଜ୍ୱଳ ହୋଇ ଭାରତକୁ ଚମତ୍କୃତ କରିଥିଲା; ମାତ୍ର ଅଧୂନା ଦୈନ୍ୟ ମଧ୍ୟରେ ତାହା ମଳିନ ହୋଇପଡ଼ିଛି ।

 

ଓଡ଼ିଆମାନଙ୍କୁ କଅଣ ସମସ୍ତ ଭାରତୀୟ ହୀନଦୃଷ୍ଟିରେ ଦେଖନ୍ତି ? ମୋ ଅନୁଭବରୁ ମୁଁ ଜାଣିଛି ଯେ, ସମସ୍ତ ଭାରତୀୟ ଓଡ଼ିଆମାନଙ୍କୁ ହୀନଦୃଷ୍ଟିରେ ଦେଖନ୍ତି ନାହିଁ, କିନ୍ତୁ ସମଗ୍ର ଭାରତରେ କେବଳ ସେହି ଗୋଟିଏ ସ୍ୱର ଶୁଣିଲି–‘‘ଓଡ଼ିଶା ବହୁତ୍‍ ଗରିବ ଦେଶ ହେ” । ନୀତିହୀନତାରୁ ଦାରିଦ୍ର୍ୟ ଆସେ ଏବଂ ଦାରିଦ୍ର୍ୟରୁ ମଧ୍ୟ ନୀତିହୀନତା ଆସେ । ଏଥିମଧ୍ୟରୁ ପ୍ରଥମେ କେଉଁଟି ଓଡ଼ିଆମାନଙ୍କୁ ଗ୍ରାସ କରିଥିଲା ? ଦାରିଦ୍ର୍ୟ ହିଁ ପ୍ରଥମେ ଓଡ଼ିଆମାନଙ୍କୁ ଗ୍ରାସ କରିଥିଲା, ଏବଂ ସେଇଥିରୁ ହିଁ ନୀତିହୀନତା, ଉଦ୍ୟମହୀନତା ଇତ୍ୟାଦି ସମସ୍ତ ଦୁର୍ଗୁଣ ବାହାରିପଡ଼ିଥିଲା । ଦାରିଦ୍ର୍ୟର କେତେକ କାରଣ ଆଗରୁ କହିଛି, କିନ୍ତୁ ସେଗୁଡ଼ିକ ଛଡ଼ା ଆହୁରି ବହୁ କାରଣ ରହିଛି । ବନଗିରିପୂର୍ଣ୍ଣ ଓଡ଼ିଶାରେ ଲକ୍ଷ ଲକ୍ଷ ମାଣ ଭୂମି ଆକର୍ଷିତ ଅବସ୍ଥାରେ ପଡ଼ିଛି, ତଥାପି ଓଡ଼ିଆ କୃଷକ ନିରନ୍ନ । ଓଡ଼ିଆ କୃଷକ ହାତରେ ସମ୍ବଳ ନାହିଁ ଯେ ସେ ତାହାର ପାଞ୍ଚମାଣ ଜମିକୁ ଛଅମାଣ କରିପାରିବ । ଓଡ଼ିଶାର ଆଦିବାସୀବହୁଳ ଅଞ୍ଚଳରେ ଯେଉଁ ସବର୍ଣ୍ଣ ଓଡ଼ିଆମାନେ ବାସକରନ୍ତି, ସେମାନେ ଆଦିବାସୀମାନଙ୍କ ଦ୍ଵାରା ପ୍ରଭୂତ ଭାବରେ ପ୍ରଭାବିତ ହୋଇଛନ୍ତି । ଆଦିବାସୀଭାଇମାନେ ଆଜି ପାଇଁ ଖାଦ୍ୟ ଥିଲେ, କାଲିକଥା ଭାବନ୍ତି ନାହିଁ । ଏମାନଙ୍କ ମଧ୍ୟରେ ଯେଉଁ ସବର୍ଣ୍ଣ ଓଡ଼ିଆମାନେ ବାସକରନ୍ତି, ସେମାନେ ମଧ୍ୟ ଏହି ଭାବାପନ୍ନ ହୋଇ ପଡ଼ନ୍ତି । ଅନୁସନ୍ଧାନ କଲେ ଦେଖାଯିବ ଯେ ଆଦିବାସୀ ଅଞ୍ଚଳରେ ବାସକରୁଥବା ଓଡ଼ିଆମାନେ ମଧ୍ୟ ଆଦିବାସୀମାନଙ୍କ ପରି ଦରିଦ୍ର । ଏମାନଙ୍କ ମଧ୍ୟରୁ କେହି କେହି ସୁଧଖୋର ସାହୁକାର ଟିକିଏ ସ୍ୱଚ୍ଛଳ ଅବସ୍ଥାରେ ଅଛନ୍ତି, ଅନ୍ୟଥା ଆଉ ସମସ୍ତେ ଦରିଦ୍ର । ଊପକୂଳ ଅଞ୍ଚଳର ଓଡ଼ିଆମାନଙ୍କର ମଧ୍ୟ ଜୀବନଦର୍ଶନ ହେଉଛି-‘‘କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ ।” ଗୋଟିଏ ଉଦ୍ୟମହୀନ ଜାତି ଧନ ଓ ମାନ ପାଇବ କାହୁଁ ? ପ୍ରତିବେଶୀମାନେ ଆମ ହାତରୁ ଧନ ଓ ମାନ ଛଡ଼ାଇ ନେଇଛନ୍ତି ବୋଲି ସବୁବେଳେ ଭାବିଲେ ସେଥିରେ ଜାତିର ମଙ୍ଗଳ ହେବ ନାହିଁ । କ୍ରୋଧ ବଢ଼ିବ ଓ ବିଦ୍ୱେଷ ବଢ଼ିବ, ମାତ୍ର ଏ ଦୁର୍ଗୁଣମାନ ଆମ୍ଭମାନଙ୍କୁ ଉନ୍ନତ କରିପାରିବ ନାହଁ । ଏ ଜଗତରେ ଧନ ଓ ମାନ ହାତ ଛଡ଼ାଛଡ଼ି ହେଉଛି । ଜୋର ଯାର ମୂଲକ ତାହାର । ଯେଉଁମାନଙ୍କ ହାତରେ ଜୋର ଅଛି, ସେମାନେ ଅନ୍ୟମାନଙ୍କ ହାତରୁ ଧନ ଓ ମାନ ଛଡ଼ାଇନେଇ ନିଜେ ବଡ଼ ହେଉଛନ୍ତି । ଏଣୁ ଭାରତର ସର୍ବାଞ୍ଚଳରେ ଅନ୍ୟମାନେ ଯେତେବେଳେ ମୋତେ ଗରିବ ଦେଶର ଲୋକ ବୋଲି କହୁଥିଲେ, ସେଥିରେ ମୁଁ ଉତ୍ୟକ୍ତ ହେଉ ନ ଥିଲି କିମ୍ୱା ପ୍ରତିବାଦ କରୁ ନ ଥିଲି; କିନ୍ତୁ ସବୁବେଳେ ଭାବୁଥିଲି–କିପରି ନିଜ ମନ ଓ ହାତର ଜୋର ବଢ଼ାଇ ପାରିବି ।

 

ମୋର ମନର ଜୋର ଦେଖାଇବା ପାଇଁ ମୁଁ ପ୍ରଥମେ ସୁଯୋଗ ପାଇଥିଲି ଅହିଛତ୍ରରେ-। ଦକ୍ଷିଣ ପାଞ୍ଚାଳର ରାଜଧାନୀ ଅହିଚ୍ଛତ୍ର ବର୍ତ୍ତମାନ ରାମନଗର ନାମ ଧାରଣ କରିଛି । ଉତ୍ତରପ୍ରଦେଶରେ ବରେଲୀ ଜିଲାସ୍ଥ ଆଉଁଲା ତହସିଲରେ ଏହା ଅବସ୍ଥିତ । ୧୯୩୭ରୁ ୧୯୪୪ ମଧ୍ୟରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ‘‘ଆରକୋଲଜିକାଲ ସ୍କଲାର’’ ରୂପେ କାର୍ଯ୍ୟ କରୁଥିବାବେଳେ ପାଟନା ଜିଲାସ୍ଥ ନାଲନ୍ଦା ଓ ରାଜଗିରରେ, ଚମ୍ପାରଣ ଜିଲାସ୍ଥ ନନ୍ଦନଗଡ଼ରେ, ବାରାଣସୀ ନିକଟବର୍ତ୍ତୀ ରାଜଘାଟରେ ଓ ମଧ୍ୟପ୍ରଦେଶର ପାଞ୍ଚିମାଡ଼ୀରେ ଚାଲିଥିବା ଖୋଦନକାର୍ଯ୍ୟମାନଙ୍କରେ ଯୋଗଦେଇସାରିବା ପରେ; ଏବଂ କଲିକତା, ନାଳନ୍ଦା, ପାଟନା, ବାରାଣସୀ, ସାରନାଥ, ଏଲାହାବାଦ, ମଥୁରା, ଲକ୍ଷ୍ନୌ, ଦିଲ୍ଲୀ, ଲାହୋର, ତକ୍ଷଶିଳା ଇତ୍ୟାଦି ସ୍ଥାନରେ ଥିବା ମିଉଜିୟମ୍‍ମାନଙ୍କରେ ବିଶେଷ ଶିକ୍ଷାଲାଭ କରିବାପରେ; ଏହି ଅହିଚ୍ଛତ୍ରରେ ଚାଲିଥିବା ଖୋଦନକାର୍ଯ୍ୟରେ ସମ୍ପୃକ୍ତ ହୋଇ ମୁଁ ଏଠାରେ ୧୯୪୦ ଠାରୁ ୧୯୪୪ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲି । ଅହିଚ୍ଛତ୍ରରେ ଗୋଟିଏ ପ୍ରକାଣ୍ଡ ଦୁର୍ଗ ଥିଲା ଏବଂ ଅତି ପ୍ରାଚୀନ ମହାଭାରତ ଯୁଗରୁ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ଲୋକମାନେ ବସବାସ କରୁଥିଲେ । ଏ ଦୁର୍ଗଖନନରୁ ଯେଉଁସବୁ ପ୍ରାଚୀନ ପଦାର୍ଥ ବାହାରୁଥିଲା, ସେଗୁଡ଼ିକର ତତ୍ତ୍ୱାବଧାନ ଓ ଗବେଷଣା ପାଇଁ ବିଭିନ୍ନ ବିଭାଗରେ ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୋ ଭଳି ବିଭିନ୍ନ ଶିକ୍ଷାନବିସ୍‍ ନିଯୁକ୍ତ ହୋଇଥିଲେ । ସେତେବେଳେ ଭାରତରେ ଓଡ଼ିଶାର ସ୍ଥାନ ସର୍ବନିମ୍ନ ଥିଲା । ଏଣୁ ଏ ଅଞ୍ଚଳରୁ ଆସିଥିବା ମୋ ଭଳି ଶିକ୍ଷାନବିସ୍‍ଙ୍କ ପାରଦର୍ଶିତା ସମ୍ବନ୍ଧରେ ସମସ୍ତଙ୍କର ସନ୍ଦେହ ଥିଲା । ଏଣୁ ଅନ୍ୟ ଅଞ୍ଚଳମାନଙ୍କର ଶିକ୍ଷାନବିସ୍‍ମାନେ ଭଲ ଭଲ ବିଭାଗରେ ରହିଲେ, ମାତ୍ର ମୋ ଭାଗରେ ପଡ଼ିଲା ମୃତ୍‍ପାତ୍ର ବିଭାଗ । ଖୋଦନକାର୍ଯ୍ୟରୁ ବହୁସଂଖ୍ୟାରେ ମୃତ୍‍ପାତ୍ର ୫ ମୃତପାତ୍ରଖଣ୍ଡ ବାହାରୁଥିଲା ଏବଂ ଅନ୍ୟ ପ୍ରାଚୀନ ପଦାର୍ଥମାନଙ୍କ ତୁଳନାରେ ସେଗୁଡ଼ିକର ସଂଖ୍ୟା ଅତି ବେଶୀ ଥିଲା । ଏହି ମୃତ୍‍ପାତ୍ର ଓ ମୃତ୍‍ପାତ୍ରଖଣ୍ଡମାନଙ୍କୁ ପ୍ରାଚୀନତା ଅନୁସାରେ ସଜାଇ ରଖି ସେମାନଙ୍କ ଉପରେ ଗବେଷଣା କରିବା ଗୋଟିଏ ଦୁରୂହ ବ୍ୟାପାର ଥିଲା । ତା ଛଡ଼ା ଭାରତର ପୂର୍ବ ପ୍ରତ୍ନତାତ୍ତ୍ୱିକମାନେ ବାରମ୍ୱାର ଲେଖିଯାଇଥିଲେ ଯେ ଭାରତୀୟ ମୃତ୍‍ପାତ୍ର ଗବେଷଣାରୁ କୌଣସି ସୁଫଳ ମିଳିବ ନାହିଁ । ବିଖ୍ୟାତ ବ୍ରିଟିଶ ପ୍ରତ୍ନତାତ୍ତ୍ୱିକ ସାର୍ ଲିଓନାଡ଼୍‍ ଉଲ୍ଲି ଭାରତରେ ପ୍ରାଚୀନ ମୃତ୍‍ପାତ୍ରର ଗବେଷଣା ହୋଇ ନ ଥିବାରୁ ଭାରତର ପ୍ରତ୍ନତତ୍ତ୍ୱ ବିଭାଗକୁ ତୀବ୍ର ସମାଲୋଚନା କରିଥିଲେ ।

 

ଏହି ଦୁଃଖ, ସନ୍ଦେହ ଓ ସଂଶୟ ମଧ୍ୟରେ ମୁଁ ଅହିଚ୍ଛତ୍ରରେ ରହି ପ୍ରାଚୀନ ମୃତ୍‍ପାତ୍ର ଉପରେ ଗବେଷଣା ଚଲାଇଥିଲି । ମୋ ପାଖରେ ମୋର ସ୍ତ୍ରୀ ଓ ଗୋଟିଏ ଶିଶୁପୁତ୍ର ଥିଲେ, କିନ୍ତୁ ସେମାନଙ୍କୁ ଏକପ୍ରକାର ଭୁଲିଯାଇ ମୁଁ ତିନିବର୍ଷ ପର୍ଯ୍ୟନ୍ତ କେବଳ ଏହି ଗବେଷଣାରେ ହଁ ମନୋନିବେଶ କରିଥିଲି ଏବଂ ତିନିବର୍ଷ ପରେ ଗୋଟିଏ ସନ୍ଦର୍ଭ ଲେଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ତତ୍‍କାଳୀନ ଡାଇରେକ୍ଟର ଜେନେରାଲ ରାୟବାହାଦୁର କାଶୀନାଥ ନାରାୟଣ ଦୀକ୍ଷିତଙ୍କ ହାତରେ ଅର୍ପଣ କରିଥିଲି । ଏହି ସନ୍ଦର୍ଭ ପଢ଼ିବା ପରେ ଦୀକ୍ଷିତ ସାହେବଙ୍କ ମୋ ପ୍ରତି ମତ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା । ସେ ସର୍ବସମକ୍ଷରେ ମୋତେ ଅଭିନନ୍ଦନ ଜଣାଇଥିଲେ ଏବଂ ପ୍ରାୟ ପନ୍ଦର ଦିନ ପର୍ଯ୍ୟନ୍ତ ପ୍ରତିଦିନ ତାଙ୍କ ସାନ୍ଧ୍ୟ ସମ୍ମିଳନୀରେ ମୋର ସନ୍ଦର୍ଭକୁ ଆଲୋଚନା କରିଥିଲେ-। ଏଥିରେ ଭାରତର ସର୍ବାଞ୍ଚଳରୁ ଆଗତ ପଣ୍ଡିତମାନଙ୍କର ମୋ ପ୍ରତି ସମ୍ମାନ ବଢ଼ିଥିଲା; କିନ୍ତୁ ଓଡ଼ିଶାର କେତେକ ନିକଟତମ ପ୍ରତିବେଶୀ ବନ୍ଧୁଙ୍କ ମୋ ପ୍ରତି ଈର୍ଷା ଜାତ ହୋଇଥିଲା । ଏହାପରେ ରାୟବାହାଦୂର ଦୀକ୍ଷିତ ଓଡ଼ିଶାର ତତ୍‍କାଳୀନ ଡ଼ି. ପି. ଆଇ ଶ୍ରୀଯୁକ୍ତ ଶ୍ୟାମଚନ୍ଦ୍ର ତ୍ରିପାଠୀଙ୍କୁ ଯେଉଁ ଚିଠି ଲେଖିଥିଲେ, ତାହାର ଅବିକଳ ନକଲ ନିମ୍ନରେ ପ୍ରଦତ୍ତ ହେଲା ।

 

No. 584/C

 

Office of the Director General of Archaeology in India,

Camp Ramanager, P. O. Aonle, District. Bareilly, U.P.,

Dated the 19th November, 1943.

 

Dear Mr. Tripathi,

 

I understand from the papers that the Utkal University is to function from the end of this month or the beginning of the next. If so, I believe it will entail some expansion of the activities of the existing colleges or the starting of new ones, In any case I am sure the study of Ancient Indian History and Archaeology is bound to find a much larger place in the curriculum of the Utkal University than has been possible hither to. The past is perhaps the greatest asset of Orissa on the basis of which the vision of a greater future can be based and an assiduous study of all aspects of Orissa's ancient culture should form an important part of the teaching in this University.

 

Orissa actually starts with great deficit even as regards its own heritage. Years ago I suggested that no pains or money should be spared in bringing together an adequate assemblage of Orissa's ancient art, sculptures, coins, etc. But this could not be followed up and even after the formation of the Province an important collection from Puri was allowed to leave the Province and now adorns the galleries of the Asutosh Museum founded by the Calcutta University. Other important collections taken from Lalitgiri and Udaygiri were removed first to Bangiya Sahitya Parishad Museum and eventually found place in the Musee Gumet, Paris. The Indian Museum, Calcutta and Patna Museum contain important collections of Orissan sculpture which it would be difficult to bring back. With all these deficiencies, Orissa has yet been unable to look after the collections that have been assembled or can still be gathered together from all ends of the Province. The main difficulty is the want of a proper qualified person appointed as a Curator of the Museum which has been accorded the status of the Provincial Museum by the Government of Orissa. If a new post of the Curator cannot be created in connection with the new University, it would atleast be possible to bring into existence a post of a lecturer or professor in the University with the additional charge of the Museum. This would enable the scholar appointed to keep him self in touch with the teaching activities of the University in the Ancient History Department and enlarge and look after the existing collections of the Museum. I sincerely hope that such an appointment be created from the very start.

 

Fortunately a suitable scholar with initial qualifications and subsequent adequate training is available for such an appointment. I refer to Mr. Krishna Chandra Panigrahi who passed his M. A. with Ancient Indian History in the Second Class in 1937 and has spent the last 6 years very usefully first as a scholarship-holder from the Mayurbhanj State and then as a temporary employee of the Archaeological Department. Besides working in various investigations connected with the pre historic and historic aspects of archaeology, Mr. Padigrabi has been able to make his contribution to a hitherto neglected line of Indian archaeology, viz. the study of Indian pottery. By working in the excavations at Ahichohhatra which I have been carrying on for the last 3 years, he has been able to make original researches on the subject of the evoluation of Indian pottery from the earliest times to the present day in which he has acquired for himself an unrivalled knowledge in this branch. He has also published articles on epigraphy and sculpture and he will be able to handle any problem connected with archaeology and museums. He has also worked before as a temporary Lecturer in History in the Ravenshaw College and is thus every way suited for such work. Indeed, I feel that the special qualification of Mr. Panigrahi entitle him to every consideration in the Utkal University which can hardly afford to engage a better qualified scholar whether from Orissa or outside. I sball be much obliged if you will kindly send me an acknowledgement of this letter and inform me whether Mr. Panigrahi is likely to be absorbed in the capacity mentioned above in the Utkal University.

 

S. C. Tripathi, Esqr, B. A. (Cantab),

I. E. S.,

Director of Public Instruction,

Orissa, Cuttack.

Yours sincerely,

Sd. K, N, Dikshit

 

ଏହି ଚିଠିରେ ଭାରତର ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱଜ୍ଞ ପରମ ପଣ୍ଡିତ ଗୁଣଗ୍ରାହୀ ରାୟ ବାହାଦୂର ଦୀକ୍ଷିତଙ୍କ ଖାଲି ମୋର ପ୍ରଶସ୍ତି ନାହିଁ, ଓଡ଼ିଶା ପ୍ରୀତି ମଧ୍ୟ ଅଛି; କିନ୍ତୁ ଓଡ଼ିଶା ସରକାର ଏଥିପ୍ରତି ବିଶେଷ ଗୁରୁତ୍ୱ ଆରୋପ କରି ନ ଥିଲେ । ଭାରତରେ ମୃତ୍‍ପାତ୍ର ଗବେଷଣାରେ ମୁଁ ଯେ ଅଗ୍ରଣୀ ଥଲି ଓ ଆରମ୍ଭକର୍ତ୍ତା ଥିଲି, ଏ କଥା ଭାରତର ବହୁ ପଣ୍ଡିତ ବର୍ତ୍ତମାନ ସୁଦ୍ଧା ସ୍ୱୀକାର କରନ୍ତି, କିନ୍ତୁ ଓଡ଼ିଶାରେ ଏକଥା ଅଳ୍ପଲୋକ ଜାଣନ୍ତି । କେବଳ ମୟୁରଭଞ୍ଜର ତତ୍‍କାଳୀନ ମହାରଜା ସ୍ୱର୍ଗତ ସାର୍ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ମୋର ଗବେଷଣାର ମହତ୍ତ୍ୱ ଓ ଗୁରୁତ୍ୱ ଉପଲବ୍‍ଧି କରିଥିଲେ । ତ୍ରିପାଠୀ ସାହେବଙ୍କ ପାଖକୁ ପଠାଇଥିବା ଦୀକ୍ଷିତ ସାହେବଙ୍କ ଚିଠିର କପିକୁ ମୁଁ ଯେତେବେଳେ ଗୁଣଗ୍ରାହୀ ମହାରାଜାଙ୍କୁ ଦେଖାଇଲି, ସେତେବେଳେ ସଙ୍ଗେ ସଙ୍ଗେ ତାଙ୍କ ମୁହଁରୁ ବାହାରି ପଡ଼ିଲା–‘‘ମୁଁ ତୁମକୁ ଗୋଟିଏ ଶାସନଭାଗ ଦେବି ।” ତଦନୁସାରେ ମହାରାଜା ବାରିପଦାଠାରୁ ୧୮ ମାଇଲ ଦୂରରେ ଅବସ୍ଥିତ ପାନ୍ଧଡ଼ା ଶାସନରେ ଖାଲିଥିବା ଗୋଟିଏ ଶାସନଭାଗକୁ ମୋତେ ଦେଇଥିଲେ ଏବଂ ୧୯୪୫ ମସିହାର ଗହ୍ମାପୂର୍ଣ୍ଣମୀରେ ରାଜବାଟିରେ ଅନୁଷ୍ଠିତ ଗୋଟିଏ ବିଶେଷ ଦରବାରରେ ପାରମ୍ପରିକ ରୀତିରେ ମୋତେ ସନନ୍ଦ ପ୍ରଦାନ କରିଥିଲେ । ଶାସନଭାଗଟିର ପରିମାଣ ୧୫୭ ମାଣ, ମାତ୍ର ଏଥିରୁ ବଣଜଙ୍ଗଲ ଓ ପ୍ରଜାଜୋତ୍‍ ଜମି ବାଦ୍ ଦେଲେ ପ୍ରାୟ ୩୫ ମାଣ ନିଜଜୋତ ଜମି ଥିଲା । ପରେ ଏହି ଜମିର ବିକ୍ରୟଲବ୍‍ଧ ଟଙ୍କା କଟକରେ କୋଠାଘର ନିର୍ମାଣ କରିବା ପାଇଁ ମୋତେ ପ୍ରଭୂତ ଭାବରେ ସାହାଯ୍ୟ କରିଥିଲା ।

 

ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଏ ସମୟରେ ଅତି ଅଳ୍ପସଂଖ୍ୟକ ଗେଜେଟେଡ଼ ଚାକିରି ଥିଲା । ଏ ବିଭାଗରେ ସାତବର୍ଷ ରହିବା ପରେ ସୁଦ୍ଧା କୌଣସି ଯୋଗ୍ୟ ଚାକିରି ପାଇବାର ସମ୍ଭାବନା ରହିଲା ନାହିଁ । ୧୯୪୩ ମସିହାରେ ମୋର ଗୋଟିଏ ତିନି ବର୍ଷର ପୁତ୍ରସନ୍ତାନ ଦିଲ୍ଲୀରେ ଟାଇଫଏଡ଼୍‍ ରୋଗରେ ପ୍ରାଣତ୍ୟାଗ କଲା । ମୋର ସ୍ତ୍ରୀ ଘରକୁ ଚାଲିଆସିଲେ ଏବଂ ଆଉ ଦିଲ୍ଲୀ ଫେରିବାକୁ ଇଚ୍ଛା କଲେ ନାହିଁ । ମୋର ଏହିପରି ପରସ୍ଥିତିରେ ମୋତେ ଯେତେବେଳେ ଓଡ଼ିଶା ସରକାରଙ୍କ ଗୋଟିଏ ଲେକ୍‍ଚାରର୍‍ କାମ ମିଳିଲା, ତାହା ମୁଁ ଗ୍ରହଣ କରିନେଲି । ମୁଁ ୧୯୪୪ ମସିହାର ଅଗଷ୍ଟ ମାସରୁ ସମ୍ବଲପୁର କଲେଜରେ ଇତିହାସ ଲେକ୍‍ଚାରର ରୂପେ କାର୍ଯ୍ୟ କରୁଥିଲି; ମାତ୍ର ଏହାର ତିନିବର୍ଷ ପରେ ଲେକ୍‍ଚାରର୍ କାର୍ଯ୍ୟରୁ ବଦଳି ହୋଇ ଓଡ଼ିଶା ମିଉଜିମରେ କ୍ୟୁରେଟାର ରୂପେ ପୁଣି ପ୍ରତ୍ନତତ୍ତ୍ୱ ସମ୍ପର୍କରେ ଆସିଲି । ମିଉଜିୟମଟି ପ୍ରଥମେ ରେଭେନ୍‍ସା କଲେଜରେ ଥିଲା, ମାତ୍ର ୧୯୪୯ରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇ ପ୍ରଥମେ ପୁରୁଣା ଭୁବନେଶ୍ୱରର ବ୍ରହ୍ମାନନ୍ଦ ଧାମରେ ଓ ପରେ କାପିଟାଲର ଦୁଇଟି ସ୍ଥାନରେ ରହି ଅବଶେଷରେ ବର୍ତ୍ତମାନର ସୁରମ୍ୟ ଅଟ୍ଟାକାରେ ସ୍ଥାୟୀ ଭାବରେ ରହିଲା । ମୁଁ ସ୍ଵାଧିନ ଭାବରେ ପ୍ରାୟ ତିନିବର୍ଷ ପର୍ଯ୍ୟନ୍ତ କ୍ୟୁରେଟର୍ କାର୍ଯ୍ୟ କରିଥିଲି ଏବଂ ଏହି ସମୟ ମଧ୍ୟରେ ମିଉଜିୟମର ପ୍ରଭୁତ ଉନ୍ନତି କରିଥିଲି । ମିଉଜିୟମରେ ମୋ ଛଡ଼ା ଜଣେ କିରାନୀ ଓ ଜଣେ ପିଅନ ନିଯୁକ୍ତି ପାଇଥିଲେ ଏବଂ ମିଉଜିୟମର ସର୍ବବିଧ ଉନ୍ନତି ପାଇଁ ସରକାର ସର୍ବବ୍ୟୟ ବାବଦ ମାତ୍ର ଏକହଜାର ଟଙ୍କା କଣ୍ଟିଜେନ୍‍ସି ସ୍ୱରୂପ ଦେଉଥିଲେ । ଏହି ଟଙ୍କାରୁ ମୋର ଗସ୍ତଖର୍ଚ୍ଚ ମଧ୍ୟ ଚଳୁଥିଲା-। ଏହି ସମ୍ବଳ ଓ ସହକାରୀମାନଙ୍କ ସାହାଯ୍ୟରେ ମୁଁ ଯାହା କରିଥିଲି, ତାହା ଯେ କୌଣସି ରାଜ୍ୟର ସମାଜ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତା; କିନ୍ତୁ ଏ ଦିଗରେ ଓଡ଼ିଶାର ସମାଜ ଓ ସରକାରଙ୍କ ଦୃଷ୍ଟି ପଡ଼ିଲା ନାହିଁ । ମୁଁ ଏହି ସମୟରେ ନିଜକୁ ଜଣେ ଖାଲି କର୍ମଚାରୀ ବୋଲି ଭାବୁ ନ ଥିଲି । ମୋର କାର୍ଯ୍ୟ ସମୟ ଥିଲା ସକାଳ ଛ’ଟାରୁ ରାତି ବାରଟା ପର୍ଯ୍ୟନ୍ତ ।

 

ଏହି ତିନିବର୍ଷ ମଧ୍ୟରେ ମୁଁ ମିଉଜିୟମଟିକୁ କଟକରୁ ପୁରୁଣା ଭୁବନେଶ୍ୱର ଓ ପୁରୁଣା ଭୁବନେଶ୍ୱରରୁ ନିଉ କାପିଟଲ୍‍କୁ ସ୍ଥାନାନ୍ତରିତ କରିବାର ଓ ପୁନର୍ସଜ୍ଜିତ କରିବାର ସମସ୍ତ ଭାର ଏକାକୀ ବହନ କରିଥିଲି । ଭାରତର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଶିଶୁପାଳଗଡ଼ ଓ ଧଉଳିରେ ଯେଉଁ ଖୋଦନକାର୍ଯ୍ୟ ଚାଲିଥିଲା, ସେଥିରେ ଓଡ଼ିଶା ସରକାରଙ୍କ ଯୋଗସୂତ୍ର ଅଫିସର ରୂପେ କାର୍ଯ୍ୟ କରିଥିଲି, ଅତ୍ୟନ୍ତ ଅଳ୍ପ ବ୍ୟୟରେ ପ୍ରାୟ ଦୁଇଶହଟି ପ୍ରାଚୀନ ମୂର୍ତ୍ତି ଓ ସ୍ଥାପତ୍ୟାଂଶ ସଂଗ୍ରହ କରି ମିଉଜିୟମଟିକୁ ନାବାଳକତ୍ୱରୁ ମୁକ୍ତ କରି ସାବାଳକତ୍ୱରେ ପହଞ୍ଚାଇଥିଲି, ବହୁ ପ୍ରବନ୍ଧ ଲେଖି ଉଚ୍ଚକୋଟିର ଓଡ଼ିଆ ଓ ଇଂରାଜୀ ପତ୍ରିକାମାନଙ୍କରେ ପ୍ରକାଶ କରିଥିଲି ଏବଂ ସର୍ବୋପରି ଦେଢ଼ଶହ ଚିତ୍ରସମ୍ବଳିତ Archaeological Remains at Bhubaneswar ନାମକ ଗୋଟିଏ ଗ୍ରନ୍ଥ ଲେଖି ଶେଷ କରିଥିଲି ।

 

ପରେ ଏହି ଗ୍ରନ୍ଥ ପାଇଁ ମୁଁ କଲିକତା ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‍ ପାଇଲି । ଏହା ମୁଦ୍ରିତ ଓ ପ୍ରକାଶିତ ହେବା ପରେ ପୃଥିବୀର ବହୁ ଲାଇବ୍ରେରୀରେ ସ୍ଥାନ ପାଇଲା; ଜର୍ମାନର ଫ୍ରାଙ୍କଫାର୍ଟଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପୁସ୍ତକ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଲା, ଲଣ୍ଡନର Oriental Schoof of Art ରେ ପାଠ୍ୟପୁସ୍ତକ ହେଲା ଏବଂ ଭାରତର ବହୁ ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କ ସହାୟକ ପାଠ୍ୟପୁସ୍ତକ ରୂପେ ଗୃହୀତ ହେଲା । କିନ୍ତୁ ଏ ପୁସ୍ତକ ପାଇଁ କିମ୍ବା ମୋର ଉଲ୍ଲିଖିତ କାର୍ଯ୍ୟ ପାଇଁ ଓଡ଼ିଶାର କୌଣସି ତୁଙ୍ଗ ବ୍ୟକ୍ତଙ୍କିଠାରୁ ମୁଁ ପ୍ରଶଂସା ପଦେ ଶୁଣି ନ ଥିଲି । ମୋର କାର୍ଯ୍ୟ ଓ ଲେଖାମାନ ଦେଖିସାରିବା ପରେ କେବଳ ସ୍ୱର୍ଗତ ଡି. ପି. ଆଇ. ଶ୍ରୀ ସଚ୍ଚିଦାନନ୍ଦ ରାୟ ମୋତେ କହିଥିଲେ-‘‘ତୁମେ ଭାରତର ଉଦୀୟମାନ ପ୍ରତ୍ନତତ୍ତ୍ୱବିତ୍‍ମାନଙ୍କ ମଧ୍ୟରେ ଅନ୍ୟତମ । ତୁମକୁ ନିର୍ଦ୍ଦେଶଦେବା ଅର୍ଥ ତୁମ କାମରେ ବାଧା ଦେବା-। ତୁମ ଉପରେ ମୋର ପୂର୍ଣ୍ଣବିଶ୍ୱାସ ରହିଛି । କାମ କରି ଚାଲ ।’’ ଆଜି ମୁଁ କେବଳ ସେହି ସ୍ୱର୍ଗତ ଏସ୍. ରାୟଙ୍କ ପଦତଳରେ ହିଁ ମୋର ଅଶ୍ରୁଅର୍ଘ୍ୟ ଅର୍ପଣ କରୁଛି ।

 

ମୁଁ ମିଉଜିୟମ୍ ଛାଡ଼ିଲି କାହିଁକି ? ଯେଉଁ ମିଉଜିୟମ୍‍କୁ ମୁଁ ପ୍ରାଣପଣେ ଗଢ଼ି ତୋଳୁଥିଲି, ସେଥିରେ ରହି କାମ କରିବା ମୋ ପକ୍ଷରେ ସମ୍ଭବପର ହେଲା ନାହିଁ । ମୁଁ ପ୍ରଥମେ ଲେକ୍‍ଚାରର୍‍ ରୂପେ ନିଯୁକ୍ତ ହୋଇଥିଲେ ହେଁ ଶିକ୍ଷାବିଭାଗର କୌଣସି ଉଚ୍ଚତର କାର୍ଯ୍ୟରେ ନିଯୁକ୍ତି ପାଇବାର ମୋର ଆଶା ଓ ଦାବୀ ସମ୍ପୂର୍ଣ୍ଣରୂପେ ଥିଲା; ମାତ୍ର ମିଉଜିୟମ୍‍ରେ ମୋର ଏହି ଆଶା ଓ ଦାବି ସମ୍ପୂର୍ଣ୍ଣରୂପେ ଧ୍ୱଂସ ପାଇବାକୁ ବସିଲା । ବାରମ୍ବାର ଆବେଦନ କଲେ ସୁଦ୍ଧା ମୋତେ ସାମାନ୍ୟ ଅଧିକ ଭତ୍ତା ମଧ୍ୟ ଦିଆଗଲା ନାହିଁ । ୧୯୪୯ରେ ମୟୁରଭଞ୍ଜ ଓଡ଼ିଶା ସହିତ ମିଶିଯିବା ପରେ ପୂର୍ବତନ ଗଡ଼ଜାତମାନଙ୍କ ପ୍ରତ୍ନତତ୍ତ୍ୱ ବିଭାଗମାନଙ୍କରେ କାମ କରୁଥିବା ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ, ଶ୍ରୀ ସତ୍ୟନାରାୟଣ ରାଜଗୁରୁ ଓ ଶ୍ରୀ କେଦାରନାଥ ମହାପାତ୍ର ଓଡ଼ିଶା ମିଉଜିୟମ୍‍ରେ ଅବସ୍ଥାପିତ ହେଲେ । ଏହି ସମୟରେ ସ୍ୱର୍ଗତ ବିପିନ ବିହାରୀ ନାଥ ମଧ୍ୟ ଜଣେ କ୍ୟୁରେଟର ରୂପେ ମିଉଜିୟମ୍‍ରେ ଯୋଗଦେଲେ । ଆର୍‍କାଇଭ୍‍ ସେକ୍‍ସନ୍‍ର କ୍ୟୁରେଟର୍ ଶ୍ରୀ ସୁଶୀଲ୍‍ ଚନ୍ଦ୍ର ଦେ ମଧ୍ୟ ଏହି ମିଉଜିୟମ୍‍ରେ ଅବସ୍ଥାପିତ ହେବାରୁ ମୋ ସମେତ ସମସ୍ତ ଗେଜେଟେଡ଼୍‍ କର୍ମଚାରୀଙ୍କ ସଂଖ୍ୟା ହେଲା ଛଅ ଜଣ । ଏମାନଙ୍କୁ ନେଇ ଗୋଟିଏ ରିସର୍ଚ୍ଚ ସେକ୍‍ସନ୍‍ ଗଢ଼ାହେଲା, ମାତ୍ର ଏମାନଙ୍କ ମଧ୍ୟରେ ଗୋଟିଏ ସୁଦ୍ଧା ପ୍ରଥମ ଶ୍ରେଣୀର ଚାକିରି ନ ଥିଲା । ସ୍ୱର୍ଗତ ଆଚାର୍ଯ୍ୟ ସମସ୍ତ କର୍ମଚାରୀଙ୍କ ମୁଖ୍ୟ ହୋଇଥିଲେ ହେଁ ସେ ପ୍ରଥମ ଶ୍ରେଣୀର କର୍ମଚାରୀ ନ ଥିଲେ । ଏଣୁ ସେ ଅବସର ନେବା ପରେ ମଧ୍ୟ ଉଚ୍ଚପଦକୁ ଉନ୍ନୀତ ହେବାର ମୋର କୌଣସି ଆଶା ରହିଲା ନାହିଁ । ଦ୍ୱିତୀୟତଃ, ମିଉଜିୟମ୍‍ର ଅଭିବୃଦ୍ଧି କରିବା ବିଷୟରେ ଓ ଗବେଷଣାକ୍ଷେତ୍ରରେ ମୋର ସହକର୍ମୀମାନଙ୍କ ସହିତ ସମତାଳ ଦେଇ ଚଳିବା ମୋ ପକ୍ଷରେ ସମ୍ଭବପର ହେଲା ନାହିଁ । ମୁଁ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରାଚୀନ ଭାରତୀୟ ଇତିହାସ ଓ ପ୍ରତ୍ନତତ୍ତ୍ୱରେ ଏମ୍. ଏ. ପାସ୍ କରିବା ପରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ସାତବର୍ଷ ରହି ଭାରତର ତତ୍‍କାଳୀନ ସର୍ବଶ୍ରେଷ୍ଠ ପଣ୍ଡିତମାନଙ୍କଠାରୁ ପ୍ରତ୍ନତାତ୍ତ୍ୱିକ କାର୍ଯ୍ୟ ଏବଂ ଗବେଷଣାର ମାନ ଓ ଆଦର୍ଶ ଶିକ୍ଷା କରିଥିଲି, ମାତ୍ର ଓଡ଼ିଶା ମିଉଜିୟମ୍‍ର ମୋର ସହକର୍ମୀମାନେ ଥିଲେ ସ୍ୱୟଂସିଦ୍ଧ ପ୍ରତ୍ନତାତ୍ତ୍ୱିକ । ଏପରି ସ୍ଥଳେ ସର୍ବବିଷୟରେ ଏମାନଙ୍କ ସହିତ ମୋର ମତପାର୍ଥକ୍ୟ ଘଟିବା ଅନିବାର୍ଯ୍ୟ ହୋଇଥିଲା । ସଙ୍ଗମେଳରେ ମୋର କଷ୍ଟଲଭ୍ୟ ପ୍ରତ୍ନତାତ୍ତ୍ୱିକ ଜ୍ଞାନ, ଗବେଷଣାର ଆଭିମୁଖ୍ୟ ଓ ଆଦର୍ଶକୁ ବଦଳାଇବା ପାଇଁ ମୁଁ ପ୍ରସ୍ତୁତ ନ ଥିଲି । ସର୍ବୋପରି ରିସର୍ଚ୍ଚ ସେକ୍‍ସନ୍ ଗଢ଼ାହେବା ପରେ ମୋର କର୍ମ କରିବାର ସ୍ଵାଧୀନତା ବହୁଭାବରେ ସଙ୍କୁଚିତ ହେଲା । ପରୀକ୍ଷା କରି ଦେଖିଲି ଯେ ମୁଁ ମିଉଜିୟମ୍‍ର ଅଭିବୃଦ୍ଧି ପାଇଁ ଓ ଗବେଷଣା ପାଇଁ ଦିନକ ଭିତରେ ଯାହା କରୁଥିଲି, ସଙ୍ଗମେଳରେ ତାହା ବର୍ଷକ ମଧ୍ୟରେ ସୁଦ୍ଧା କରିପାରିବି ନାହିଁ ।

 

ଏହିସବୁ କାରଣରୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ପ୍ରାର୍ଥନା କରିବା ପରେ ମିଉଜିୟମ୍‍ରୁ ଅବ୍ୟାହତି ପାଇ ମୁଁ ପୁଣି ଲେକ୍‍ଚାରର ରୂପେ ୧୯୫୯ ମସିହାରେ ରେଭେନ୍‍ସା କଲେଜରେ ଅବସ୍ଥାପିତ ହେଲି । ପ୍ରତ୍ନତତ୍ତ୍ୱରୁ ବିଚ୍ଛିନ୍ନ ହେବାପରେ ମୋ ଜୀବନ ଶୂନ୍ୟ ଜଣାଯାଇଥିଲା । ବାଲ୍ୟକାଳରୁ ମୁଁ ପ୍ରତ୍ନତତ୍ତ୍ୱ ପ୍ରତି ଆକୃଷ୍ଟ ହୋଇଥିଲି ଏବଂ ପରବର୍ତ୍ତୀ ଜୀବନରେ ଏହା ମୋର ପରମାରାଧ୍ୟ ଥିଲା । ପ୍ରତ୍ନତତ୍ତ୍ୱପୂର୍ଣ୍ଣ ଓଡ଼ିଶାକୁ ଏହି ପ୍ରତ୍ନତତ୍ତ୍ୱ ମାଧ୍ୟମରେ ହିଁ ସେବା କରିବି ବୋଲି ଆଶା ବାନ୍ଧିଥିଲି; ମାତ୍ର କେବଳ ଉଲ୍ଲିଖିତ କାରଣମାନଙ୍କ ହେତୁ ନୁହେଁ, ଏହି ସମୟରେ ମୁଁ ଓଡ଼ିଶାର ରାଜନୀତିକ ନେତାମାନଙ୍କଠାରୁ ଯେପରି ବ୍ୟବହାର ପାଇଥିଲି, ସେହି ବ୍ୟବହାର ହେତୁ ମଧ୍ୟ ପ୍ରତ୍ନତତ୍ତ୍ୱ ଛାଡ଼ିବାକୁ ବାଧ୍ୟ ହେଲି । ମୁଁ କାହିଁକି ରାଜନୀତିକ ନେତାମାନଙ୍କ କୋପ ଓ ସନ୍ଦେହ ଦୃଷ୍ଟିରେ ପଡ଼ିଥିଲି, ତାହା ଟିକିଏ ବୁଝାଇ ଲେଖିବା ଉଚିତ ମନେକରୁଛି ।

 

ସ୍ୱର୍ଗତ ମହାରାଜା ସାର୍ ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ଆନୁକୂଲ୍ୟରେ ଓ ମୟରଭଞ୍ଜ ଷ୍ଟେଟ୍‍ର ବ୍ୟୟରେ ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ ଭାରତର ବିଭିନ୍ନ ରେକର୍ଡ଼ ଅଫିସରୁ, ଏପରି କି ଲଣ୍ଡନର ଇଣ୍ଡିଆ ଅଫିସରୁ, ବ୍ରିଟିଶ ରାଜତ୍ୱରେ ମୟୁରଭଞ୍ଜ ତଥା ଓଡ଼ିଶାର ଇତିହାସ ସମ୍ବନ୍ଧୀୟ ଅନେକଗୁଡ଼ିଏ ନଥି ସଂଗ୍ରହ କରିଥିଲେ । ଏହି ନଥିଗୁଡ଼ିକର ସମ୍ପାଦନାର ଭାର କଲିକତାର ସ୍ୱର୍ଗତ ରାୟବାହାଦୁର ରମାପ୍ରସାଦ ଚନ୍ଦଙ୍କଠାରେ ନ୍ୟସ୍ତ ହୋଇଥିବାବେଳେ ୧୯୩୭ ମସିହାରେ ମୁଁ ସ୍ଵର୍ଗତ ଚନ୍ଦଙ୍କ ସହକାରୀ ରୂପେ କାର୍ଯ୍ୟ କରି ଥିବାରୁ ଏହି ନଥିମାନଙ୍କ ସମ୍ବନ୍ଧରେ ମୋର କେତେକ ପରିମାଣରେ ଜ୍ଞାନ ଥିଲା । ମୟୁରଭଞ୍ଜର ଦେୱାନ ଥିବାବେଳେ ଓ ପରେ ଏ ଷ୍ଟେଟ୍‍ର ରାଜନୀତିକ ପରାମର୍ଶଦାତା ଥିବାବେଳେ ଶ୍ରୀ କେ. ସି. ନିୟୋଗୀ ଏହି ନଥିମାନଙ୍କର ଗୋଟିଏ କପି ନିଜ ପାଖରେ ରଖିଥିଲେ ଓ ପରେ ସେ ସେହି କପିଟିକୁ ମୋତେ ଦେଇଥିଲେ । ଶ୍ରୀ ନିୟୋଗୀ ନଥିଗୁଡ଼ିକର ପ୍ରକୃତ ମାଲିକ ହୋଇଥିବାରୁ ସେଗୁଡ଼ିକ ସାହାଯ୍ୟରେ ମୋତେ ଯେତେବେଳେ ଯାହା ଲେଖିବାକୁ କହୁଥିଲେ, ମୁଁ ତାହା ଲେଖୁଥିଲି । ସ୍ୱାଧୀନତାପ୍ରାପ୍ତି ପୂର୍ବରୁ ଓଡ଼ିଶାର ଷ୍ଟେଟ୍‍ମାନଙ୍କୁ ମିଶାଇ ଇଷ୍ଟର୍ଣ୍ଣ ଷ୍ଟେଟ୍‍ସ ଇଉନିୟନ୍‍ ନାମକ ଗୋଟିଏ ରାଜ୍ୟ ଗଠନ କରିବାର ପ୍ରୟାସ କରାଯାଇଥିଲା । ଯେଉଁମାନେ ଏହି ଯୋଜନାର କର୍ଣ୍ଣଧାର ଓ ପ୍ରଧାନ ପୁରୋଧା ଥିଲେ, ଓଡ଼ିଶାର ନେତାମାନଙ୍କୁ ସେମାନଙ୍କ ନାମ ଓ କର୍ମ ଅଜ୍ଞାତ ନ ଥିଲା; କିନ୍ତୁ ସେହିମାନଙ୍କ ଆଦେଶ ଓ ପ୍ରରୋଚନାରେ ମୁଁ ଯେତେବେଳେ Political Status of the Feudatory States of Orissa and Chatisgarh ନାମକ ପୁସ୍ତକ ଲେଖିଲି, ସେତେବେଳେ ମୁଁ ଓଡ଼ିଶା ବିରୋଧୀ ବୋଲି ବିବେଚିତ ହେଲି ।

 

ବ୍ରିଟିଶ ନଥିପତ୍ରରୁ ଯାହା ପାଇଥିଲି, ତାହା ହିଁ ମୁଁ ଏ ପୁସ୍ତକରେ ପ୍ରକାଶ କରିଥିଲି; ଏଥିରେ ମୋର ମନଗଢ଼ା କୌଣସି କଥା ନ ଥିଲା । ତଥାପି ମୁଁ ଏଥିପାଇଁ ଶାସ୍ତି ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲି; କିନ୍ତୁ ଏ ଶାସ୍ତି ପ୍ରକାଶ୍ୟ ଭାବରେ ଆସି ନ ଥିଲା । ଏହି ପୁସ୍ତକ ପ୍ରଣୟନ ସହିତ ଯେଉଁ ତୁଙ୍ଗବ୍ୟକ୍ତିମାନେ ସମ୍ପୃକ୍ତ ଥିଲେ, ସେମାନେ ଉଚ୍ଚସ୍ଥାନ ପାଇଲେ, ଏପରିକି ଉଚ୍ଚ ରାଜକର୍ମଚାରୀ ରୁପେ ଅଧିଷ୍ଠିତ ହେଲେ । ସେମାନଙ୍କ ମଧ୍ୟରୁ ଷ୍ଟେନୋଗ୍ରାଫର ଭଳି କାମ କରିଥିବା ମୋ ଭଳି ଜଣେ ସାମାନ୍ୟ କର୍ମଚାରୀରୁ ବାଛି ନେବାରେ ମୁଁ କୌଣସି ନ୍ୟାୟ ବା ବୀରତ୍ୱ ଦେଖି ନ ଥିଲି । ନ୍ୟାୟଦ୍ୱାରରେ ସେ ବାଘ-ବଳଦକୁ ଏକାପରି ନ୍ୟାୟ ମିଳେ, ମୋର ଏ ଧାରଣା ଦୂର ହୋଇଥିଲା । ପ୍ରାଚୀନ ଭାରତରେ ଦଣ୍ଡସମତା ନ ଥିଲା, କାରଣ ଏକପ୍ରକାର ଦୋଷ ପାଇଁ ବିଭିନ୍ନ ଜାତିର ବ୍ୟକ୍ତିଙ୍କୁ ବିଭିନ୍ନପ୍ରକାର ଦଣ୍ଡ ଦିଆଯାଉଥିଲା, ମାତ୍ର ଅଶୋକ ହିଁ ପ୍ରଥମେ ଦଣ୍ଡସମତା ପ୍ରଚଳନ କରି ତାଙ୍କ ଅନୁଶାସନରେ ଏହା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବ୍ରିଟିଶ ରାଜତ୍ୱରେ ଦଣ୍ଡସମତା ଥିଲା, କିନ୍ତୁ ସ୍ୱାଧୀନତା ଆସିବା ସଙ୍ଗେ ସଙ୍ଗେ ଭାରତରେ ଏ ଦଣ୍ଡସମତା ଭାଙ୍ଗି ପଡ଼ିଲା । ମୋ ମନରେ ଏହିପରି ଧାରଣା ହିଁ ଜାତ ହୋଇଥିଲା । ଯେ ମସ୍ତିଷ୍କ ଭଳି କାର୍ଯ୍ୟକରେ, ସେ ଦଣ୍ଡ ପାଏ ନାହଁ, କିନ୍ତୁ ଯେ ହସ୍ତ ଭଳି କାର୍ଯ୍ୟକରେ, ସେ ହିଁ ଦଣ୍ଡ ପାଏ ।

 

ଶ୍ରୀଯୁକ୍ତ କେ.ସି. ନିୟୋଗୀ ଯେତେବେଳେ ପ୍ରଥମ ଅର୍ଥକମିଶନର ଚେୟାରମ୍ୟାନ ହୋଇ ଉଚ୍ଚ ରାଜକର୍ମଚାରୀ ରୂପେ ଓଡ଼ିଶାକୁ ଆସିଥିଲେ, ସେତେବେଳେ ଓଡ଼ିଶାର ତତ୍‍କାଳୀନ ମନ୍ତ୍ରୀମାନେ ଓ ଉଚ୍ଚ ରାଜକର୍ମଚାରୀମାନେ କଟକସ୍ଥ ପୁରୁଣା ସେକ୍ରେଟେରିଏଟରେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ । ସେଠାରେ ଉପସ୍ଥିତ ହେବା ପାଇଁ ଶ୍ରୀଯୁକ୍ତ ନିୟୋଗୀ ମୋତେ ଖବର ପଠାଇଥିଲେ, ଏବଂ ସେଠାରେ ଉପସ୍ଥିତ ହେବା ପରେ ସର୍ବସମକ୍ଷରେ ମୋତେ ଚିହ୍ନାଇ ଦେଇ କହିଥିଲେ, “He is our man. Don't you ill-treat him" ମୁଁ ଭାବିଲି ଯେ ସିଂହ ଇଚ୍ଛାରେ ମେଷ ହୁଏ ତ ରକ୍ଷାପାଇବ, ମାତ୍ର ତାହା ଘଟିଲା ନାହିଁ । ଓଡ଼ିଶାର ରାଜନୀତିକ ନେତାମାନେ ମୋତେ ଅଚ୍ଛବ ବୋଲି ମନେକରି ମୋ ହାତରୁ ମୋର ପୁସ୍ତକ ପ୍ରବନ୍ଧାଦି ମଧ୍ୟ ଗ୍ରହଣ କଲେ ନାହିଁ । ମିଉଜିୟମର ମୋର ସହକର୍ମୀମାନେ ମୋର ଏହି ଦୟନୀୟ ଅବସ୍ଥାର ପୂର୍ଣ୍ଣ ସୁଯୋଗ ନେଇଥିଲେ । ଦିନର ଅପମାନ ଓ ରାତ୍ରିର ଅଶ୍ରୁ ମଧ୍ୟରେ ମିଉଜିୟମରେ ଆଉ କାମ କରିବାକୁ ମୋର ଇଚ୍ଛା ରହିଲ ନାହିଁ । ମୁଁ ମୟୁରଭଞ୍ଜ ମହାରଜାଙ୍କଠାରୁ ମାସିକ ପଚାଶ ଟଙ୍କା ହିସାବରେ ଯେଉଁ ଆଜୀବନ ପଣ୍ଡିତ ପେନ୍‍ସନ ପାଇ ଆସୁଥିଲି, ଓଡ଼ିଶା ସରକାର ଏହି ସମୟରେ ମୋର ଏହି ଆଜୀବନ ଭତ୍ତାକୁ ବନ୍ଦ କରି ଦେଇଥିଲେ । ଏଣୁ କଲେଜରୁ ଫେରିଆସି ଆତ୍ମରକ୍ଷା କରିବାର ଚେଷ୍ଟା କରିଥିଲି ।

 

୧୯୫୧ ରୁ ୧୯୫୪ ପର୍ଯ୍ୟନ୍ତ ରେଭେନ୍‍ସା କଲେଜରେ ଲେକ୍‍ଚାର୍‍ର ରୁପେ କାର୍ଯ୍ୟ କରିବା ପରେ ପୁଣି ମୋତେ ପ୍ରତ୍ନତତ୍ତ୍ୱର ଆହ୍ୱାନ ଆସିଲା । ଅନ୍ୟ କର୍ମଚାରୀମାନଙ୍କ ପରି ମୁଁ ମୁଣ୍ଡରେ ସ୍ୱାର୍ଥପରତାର ବାନା ବାନ୍ଧି ଚାକିରି କରୁଥିଲି । ଏଣୁ ଚାକିରିରୁ ଯେଉଁଠାରେ ଟିକିଏ ଅଧିକ ଦରମା ମିଳିବ, ସେହିଠାକୁ ଯିବା ମୋ ପକ୍ଷରେ ସ୍ୱାଭାବିକ ଥିଲା । ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗର କୌଣସି ଉଚ୍ଚପଦକୁ ଉନ୍ନୀତ ହେବାର ମୋର ଅଶା ନ ଥିଲା । କୌଣସି କାରଣରୁ ମୋର ଉପରିସ୍ଥ ଅଧ୍ୟାପକ ଘନଶ୍ୟାମ ଦାସଙ୍କୁ ପ୍ରଫେସର କରିବାକୁ ସରକାର ରାଜି ନ ଥିଲେ । ଏଣୁ ତାଙ୍କ କାର୍ଯ୍ୟକାଳର ଅବଶିଷ୍ଟ ଦଶବର୍ଷ ମଧ୍ୟରେ ମୋର ରିଡ଼ର ହେବାର ଆଶା ମଧ୍ୟ ନ ଥିଲା-। ଏହି ଅବସ୍ଥାରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ସେତେବେଳେ ପ୍ରଥମ ଶ୍ରେଣୀୟ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ପୋଷ୍ଟ ଖାଲିହେଲା, ମୁଁ ସେଥିପାଇଁ ଦରଖାସ୍ତ କଲି ଏବଂ ଭାରତ ପବ୍ଲିକ୍‍, ସର୍ଭିସ୍ କମିଶନଙ୍କ ଦ୍ୱାରା ନିର୍ବାଚିତ ହୋଇ ବହୁ କୂଟକପଟ ମଧ୍ୟରେ ୧୯୫୪ ମସିହା ସେପ୍‍ଟେମ୍ବର ମାସରେ ପାଟନା ସର୍କଲରେ ଅବସ୍ଥାପିତ ହେଲି ।

 

ଆଗରୁ ଲେଖିଛି ଯେ ମୁଁ ୧୯୩୭ ରୁ ୧୯୪୪ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଅବିଭକ୍ତ ଭାରତର ବହୁ ଅଞ୍ଚଳ ଦେଖିବାକୁ ସୁବିଧା ପାଇଥିଲି । ଦଶବର୍ଷପରେ ସେହି ବିଭାଗକୁ ଫେରିଯାଇ ୧୯୫୪ ରୁ ୧୯୬୧ ମଧ୍ୟରେ ପୁଣି ବହୁ ସ୍ଥାନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲି । ପ୍ରଥମେ ପାଟନା, ତା ପରେ ଦିଲ୍ଲୀ, ତା’ପରେ ପୁଣି ପାଟନା ଏବଂ ଶେଷରେ ଭୋପାଳରେ ଅବସ୍ଥାନ କରି ଭାରତୀୟ ପ୍ରତ୍ନତତ୍ତ୍ୱ ସମ୍ବନ୍ଧରେ ପ୍ରଭୁତ ଅଭିଜ୍ଞତା ଅର୍ଜନ କରିଥିଲି । ୧୯୫୭ରେ ସୁପରିଟେଣ୍ଡେଣ୍ଟ ପଦରୁ ଉନ୍ନୀତ ହେବାପରେ ମୋର ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇଥିଲା । ଭଲ ଗସ୍ତଖର୍ଚ୍ଚ ମଧ୍ୟ ପାଉଥିଲି । ମୋର ପିଲାମାନେ ହିନ୍ଦୀ ମାଧ୍ୟମରେ ଶିକ୍ଷାଲାଭ କରୁଥିଲେ । ଏହିସବୁ କାରଣରୁ ମୁଁ ଓଡ଼ିଶାକୁ ଫେରିଆସିବାର କଳ୍ପନା କରୁ ନ ଥିଲି । ବରଞ୍ଚ ମୁଁ ଭାବୁଥିଲି ଯେ ଭାରତର କୌଣସି ଅଞ୍ଚଳରେ ସ୍ଥାୟୀଭାବରେ ବାସ କରି ରହିବି । ଏଥିପାଇଁ ସାଞ୍ଚିରେ ଖଣ୍ଡିଏ ଜମି କିଣିବାର ଆୟୋଜନ ମଧ୍ୟ କରୁଥିଲି । ଅଭିଜ୍ଞତାରୁ ଜାଣିଥିଲି ଯେ ଓଡ଼ିଶା ବାହାରେ ଯେଉଁ ଓଡ଼ିଆ ପଣ୍ଡିତମାନେ ରହିଥିଲେ, ସେମାନେ ସାଂସ୍କୃତିକ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ । ଡକ୍ଟର ହରିନାରାୟଣ ସିଂହ ଓ ପଣ୍ଡିତ ବିନାୟକ ମିଶ୍ରଙ୍କ ଇତିହାସ ଓ ପ୍ରତ୍ନତତ୍ତ୍ୱରେ କୃତି ସର୍ବଭାରତୀୟ ସ୍ତରରେ ସ୍ଵୀକୃତ ହୋଇଛି, ମାତ୍ର ଓଡ଼ିଶାରେ ରହି ଯେଉଁମାନେ ଏହି ବିଷୟମାନଙ୍କରେ ବିଶେଷଜ୍ଞ ହୋଇଛନ୍ତି, ସେମାନେ ସିନା ଓଡ଼ିଶାରେ ସୁପରିଚିତ ହୋଇଛନ୍ତି, କିନ୍ତୁ ଭାରତ ସେମାନଙ୍କୁ ଜାଣେ ନାହିଁ । କିଏ କେତେ ଲେଖି ପାରିଛି ଓ କହିପାରିଛି, ସେଇଥିରୁ ହିଁ ଓଡ଼ିଶାରେ କୃତିତ୍ୱର କଳନା କରାଯାଏ, କିନ୍ତୁ କିଏ କଅଣ ନୂତନ ଆଲୋକ ଦେଇପାରିଛି, ସେଇଥିରୁ ହିଁ ଭାରତ ତଥା ପୃଥବୀରେ କୃତିତ୍ୱର କଳନା କରାଯାଏ । ଓଡ଼ିଶାରେ ପ୍ରତ୍ନତତ୍ତ୍ୱ ସମ୍ବନ୍ଧରେ କାର୍ଯ୍ୟକରିବା ପାଇଁ ସୁଯୋଗ ନ ପାଇ ମୁଁ ଭାରତକୁ ମୋର କର୍ମଭୂମି ବୋଲି ବାଛି ନେଇଥିଲି; ଏଣୁ ଓଡ଼ିଶାକୁ ଫେରିଆସିବାର କଳ୍ପନା କରି ନ ଥଲି ।

 

କିନ୍ତୁ ମୁଁ କ୍ରମଶଃ ଘଟନାଚକ୍ର ହାତରେ କନ୍ଦୁକ ହୋଇପଡ଼ିଲି । ମୁଁ ଭାରତର ପ୍ରତ୍ନତତ୍ତ୍ୱ ବିଭାଗରେ ସାତବର୍ଷ ଚାକିରି କରିବାପରେ ମଧ୍ୟ କୌଣସି ପଦରେ ମୋତେ ସ୍ଥାୟୀ କରାଗଲା ନାହିଁ । ମୋ ସହିତ ଯେଉଁମାନେ ଏକ ସମୟରେ ନିଯୁକ୍ତି ପାଇଥିଲେ, ସେମାନେ ସମସ୍ତେ ସ୍ଥାୟୀ ହେଲେ; କିନ୍ତୁ ମୋତେ ସ୍ଥାୟୀ କରାଗଲା ନାହିଁ । ସୁପରିଣ୍ଟେଣ୍ଡେଣ୍ଟ ଭାବରେ ମୋର ଯେଉଁସବୁ ପ୍ରଶାସନିକ କ୍ଷମତା ଥିଲା, ସେସବୁକୁ ସଙ୍କୁଚିତ କରାଗଲା । ଅତି ସାମାନ୍ୟ ବ୍ୟାପାରମାନଙ୍କରେ ମଧ୍ୟ ମୁଁ ଡାଇରେକ୍‍ଟରେ ଜେନେରେଲଙ୍କ ଠାରୁ ସମର୍ଥନ ପାଇଲି ନାହିଁ । ତୋଷରଫ୍‍, ଅବାଧ୍ୟତା ଇତ୍ୟାଦି ପାଇଁ ମୁଁ ମୋର ଅଧୀନସ୍ଥ କର୍ମଚାରୀମାନଙ୍କୁ ଦଣ୍ଡ ଦେଲେ ଡାଇରେକ୍‍ଟର ଜେନେରେଲ ତାହା ମାପ୍‍ କରି ଦେଉଥିଲେ । ଫଳରେ ମୋର ଅଧୀନସ୍ଥ କର୍ମଚାରୀମାନଙ୍କ ମୋ ପ୍ରତି ଭୟ ବା ଆନୁଗତ୍ୟ ରହିଲା ନାହିଁ । ମୋ ଅଫିସର ପ୍ରଶାସନିକ ବ୍ୟବସ୍ଥା ଏହିପରି ଭାଙ୍ଗିପଡ଼ିଲା । ଏପରି ଘଟନାଚକ୍ରରେ ଖାଲି ଦରମା ପାଇଁ ଚାକିରିରେ ପଡ଼ି ରହିବା ଛଡ଼ା ମୋର ଅନ୍ୟ ଉପାୟ ନ ଥିଲା ।

 

ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ମୋ ପ୍ରତି ଏପରି ଅନ୍ୟାୟ ଓ ଅବିଚାର ଚାଲିଥିବାବେଳେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ମଧ୍ୟ ମୋ ପ୍ରତି କମ ଅନ୍ୟାୟ ଓ ଅବିଚାର ଚାଲି ନ ଥିଲା । ମୁଁ ଓଡ଼ିଶା ସରକାରଙ୍କ ଜଣେ ସ୍ଥାୟୀ କର୍ମଚାରୀ ଥିବାରୁ ମୋର ଲେକ୍‍ଚରର୍ ପୋଷ୍ଟର ଉପରକୁ ଯେଉଁସବୁ ପୋଷ୍ଟ ଖାଲି ହେଉଥିଲା, ମୁଁ ତାହା ପାଇବାର ହକ୍‍ଦାର ଥିଲି । କିନ୍ତୁ ସ୍ଵର୍ଗତ ଅଧ୍ୟାପକ ଘନଶ୍ୟାମ ଦାସ ଯେତେବେଳେ ପ୍ରଫେସର ପଦକୁ ଉନ୍ନୀତ ହେଲେ, ସେତେବେଳେ ମୋତେ ରିଡ଼ରୁ ପୋଷ୍ଟକୁ ଉନ୍ନୀତ କରାଯାଇଥିଲେ ମଧ୍ୟ ଏ ପୋଷ୍ଟକୁ ଫେରିଆସିବା ପାଇଁ ଓଡ଼ିଶା ସରକାର ମୋତେ ଆଦେଶ ବା ନିର୍ଦ୍ଦେଶ ଦେଇ ନ ଥିଲେ । ଅଧ୍ୟାପକ ବିଧୁଭୂଷଣ ଦାସ, ଅଧ୍ୟାପକ ରାଜେନ୍ଦ୍ର ପ୍ରସାଦ ଦାସ ପ୍ରଭୃତି ଯେଉଁମାନେ ମୋ ପରି ଓଡ଼ିଶା ବାହାରେ ଚାକିରି କରୁଥିଲେ, ପ୍ରତ୍ୟେକ ଊଚ୍ଚତର ପଦ ଖାଲି ହେବାବେଳେ ତାହାର ସୁଯୋଗ ଗ୍ରହଣ କରିବା ପାଇଁ ଓଡ଼ିଶା ସରକାର ସେମାନଙ୍କୁ ନିର୍ଦ୍ଦେଶ ଦେଇଥଲେ, କିନ୍ତୁ ମୋ ପାଖକୁ ସେପରି ନିର୍ଦ୍ଦେଶ ଯାଇ ନ ଥିଲା । ମୁଁ ରିଡ଼ର୍ ପୋଷ୍ଟକୁ ଉନ୍ନୀତ ହେଲେ ସୁଦ୍ଧା ସେ ପୋଷ୍ଟ ଖାଲି ହେବା ସଙ୍ଗେ ସଙ୍ଗେ ମୋର ଜୁନିୟର ଡକ୍ଟର ମନ୍ନଥନାଥ ଦାସଙ୍କୁ ଯାହା ଅସ୍ଥାୟୀ ଭାବରେ ଦିଆଯାଇଥିଲା । ସେ ଅସ୍ଥାୟୀ ରିଡ଼ର୍ ଥିବାବେଳେ ଇତିହାସର ଏମ୍.ଏ. କ୍ଲାସଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଲୟ ଅଧୀନକୁ ଚାଲିଯିବାରୁ ଓ ସେଥିପାଇଁ ଗୋଟିଏ ପ୍ରଫେସର ପୋଷ୍ଟ ଖୋଲାହେବାରୁ ଡକ୍ଟର ଦାସ ସେହି ପୋଷ୍ଟଟି ପାଇଲେ ।

 

ଓଡ଼ିଶାରେ ଯେତେବେଳେ ଯାହା ଘଟୁଥଲା, ତାହାର ସମ୍ୱାଦ ମୁଁ ଠିକ୍ ସମୟରେ ପାଇପାରୁ ନ ଥିଲି । ମୋର ପ୍ରାପ୍ୟପଦ ସମ୍ବନ୍ଧରେ ଯେଉଁସବୁ ନାଟକୀୟ ଘଟନା ଓଡ଼ଶାରେ ଘଟିଗଲା, ତାହା ମୁଁ ପରେ ଜାଣିଲେ ସୁଦ୍ଧା ପ୍ରତିକାର କରିବାର ମୋର କୌଣସି ଉପାୟ ନ ଥିଲା । ଏଣୁ ବହୁ ବିଚାର ପରେ ସ୍ଥିର କଲି ଯେ ଭାରତ ସରକାର ତଥା ଓଡ଼ିଶା ସରକାରରେ ଥିବା ମୋର ଉଭୟ ଚାକିରିକୁ ଛାଡ଼ି ଅନ୍ୟ କୌଣସିଠାରେ ଚାକିରି କରିବି । ମୁଁ ଦୀର୍ଘକାଳ ଧରି କଲେଜମାନଙ୍କରେ ଅଧ୍ୟାପନା କରିଥିଲି, ତିନିବର୍ଷ ଏମ୍. ଏ. କ୍ଲାସ ମାନଙ୍କରେ ପଢ଼ାଇଥିଲି; ଅଠର ବର୍ଷ ପର୍ଯ୍ୟନ୍ତ ପ୍ରତ୍ନତତ୍ତ୍ୱ ଓ ମିଉଜିୟମ ବିଭାଗରେ କାର୍ଯ୍ୟ କରିଥିଲି, ଇଂରାଜୀରେ ଏକାଧିକ ପୁସ୍ତକ ଓ ବହୁ ପ୍ରବନ୍ଧ ଲେଖି ଜଣେ ଗବେଷକ ଭାବରେ ଖ୍ୟାତିଲାଭ କରିଥିଲି ଏବଂ କଲିକତା ବିଶ୍ୱବିଦ୍ୟାଲୟରୁ ଡକ୍ଟରେଟ ପାଇଥିଲି । ଏ ସମସ୍ତକୁ ସମ୍ବଳ କରି ଭାରତର କୌଣସି ସ୍ଥାନରେ ଗୋଟିଏ ଚାକିରି ପାଇବା ମୋ ପକ୍ଷରେ ଆଦୌ କଷ୍ଟକର ନ ଥିଲା । ଉତ୍ତରପ୍ରଦେଶ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଯେତେବେଳେ ଡାଇରେକ୍ଟର ପୋଷ୍ଟଟି ଖାଲି ହେଲା, ସେତେବେଳେ ମୁଁ ସେଥିପାଇଁ ଦରଖାସ୍ତ କଲି । ସେତେବେଳେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ଡାଇରେକ୍ଟର ଜେନେରେଲ୍‍ ଶ୍ରୀ ଏ. ଘୋଷ ମସ୍କୋଗସ୍ତରେ ଯାଇଥିବାରୁ, ଜଏଣ୍ଟ ଡାଇରେକ୍ଟର ଜେନେରେଲ୍‍ ମୋ ଦରଖାସ୍ତଟିକୁ ଉତ୍ତରପ୍ରଦେଶର ପବ୍ଲିକ୍ ସର୍ଭିସ, କମିଶନ ପାଖକୁ ପଠାଇ ଦେଇଥଲେ । ଶ୍ରୀ ଘୋଷ ମସ୍କୋରୁ ଫେରି ମୋର ଇଣ୍ଟରଭ୍ୟୁରେ ବିଶେଷଜ୍ଞ ହୋଇ ଏହ୍ଲାବାଦ ଆସିଲେ । ପବ୍ଲିକ୍‍ ସର୍ଭିସ କମିଶନ ମୋତେ ପ୍ରଶ୍ନ ପଚାରିବା ପାଇଁ ଶ୍ରୀ ଘୋଷକୁ ଅନୁରୋଧ କରିବାରୁ ଶ୍ରୀ ଘୋଷ କହିଲେ-“ମୋର କୌଣସି ପ୍ରଶ୍ନ ପଚାରିବାର ଆବଶ୍ୟକତା ନାହିଁ । ମୁଁ ଡକ୍ଟର ପାଣିଗ୍ରାହୀଙ୍କୁ ମୋ ଡିପାର୍ଟମେଣ୍ଟରୁ ଅବ୍ୟାହତି ଦେଇପାରିବି ନାହିଁ ।’’ ଯେଉଁ ଦୁଇଜଣ ମାତ୍ର ଆବେଦନକାରୀ ଇଣ୍ଟରଭ୍ୟୁରେ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ମୁଁ ନିଶ୍ଚିତଭାବରେ ଯୋଗ୍ୟତର ଥିଲି, ମାତ୍ର ଉଲ୍ଲିଖିତ କାରଣରୁ ମୁଁ ଡିରେକ୍ଟର ପଦ ପାଇଁ ମନୋନୀତ ହୋଇପାରଲି ନାହିଁ ।

 

ନାନା ଅପମାନ, ନିନ୍ଦା, କୁତ୍ସା, ମିଥ୍ୟାପବାଦ ମଧ୍ୟରେ ପ୍ରତ୍ନତତ୍ତ୍ୱ ବିଭାଗରେ କ୍ରମଶଃ ଅତିଷ୍ଠ ହୋଇ ମୁଁ ସ୍ଥିରକଲି ଯେ, ସରକାରୀ ଚାକିରି ଆଉ ନ କରି କୌଣସି ବିଶ୍ୱବିଦ୍ୟାଲୟରେ ଚାକିରି କରିବି । ଏହି ସମୟରେ ବହୁ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଉଥିଲା । ସେମାନଙ୍କ ସହିତ ସଂଯୋଗ ରଖି ଜାଣିଥିଲି ଯେ କୌଣସିଠାରେ ଗୋଟିଏ ରିଡ଼ର ବ୍ୟ ପ୍ରଫେସର ପୋଷ୍ଟ ପାଇବା ମୋ ପକ୍ଷରେ କଷ୍ଟକର ହେବ ନାହଁ । ଏଣୁ ୧୯୬୧ ଜୁନ ମାସରେ ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ପାଖକୁ ମୋର ଚାକିରିମାନଙ୍କ ଇସ୍ତଫା ଟେଲିଗ୍ରାମ ଯୋଗେ ପଠାଇଦେଲି । ଭାରତ ସରକାର ମୋର ଇସ୍ତଫା ଗ୍ରହଣ କଲେ, ମାତ୍ର ଓଡ଼ିଶା ସରକାର ମୋର ଇସ୍ତଫା ଗ୍ରହଣ କଲେ ନାହଁ । ମୋ ଗଳାରେ ଯେଉଁ ଦୁଇଟି ଫାଶ ଲାଗିଥିଲା, ସେ ଦୁଇଟିକୁ ମୁଁ ଏକ ସମୟରେ କାଟିଦେବାର ଚେଷ୍ଟା କରିଥିଲି, ମାତ୍ର ସେଥିମଧ୍ୟରୁ ଗୋଟିକୁ କାଟିପାରଲି ନାହିଁ । ମୋର ପୂର୍ବପୁରୁଷମାନେ ସମସ୍ତେ ହୁଏ ତ ଦରିଦ୍ର ଥିଲେ, କିନ୍ତୁ କେହି ଚାକିରିଆ ନ ଥିଲେ, କିମ୍ବା ଅନ୍ୟାୟ ବିରୁଦ୍ଧରେ ନତମସ୍ତକ ହେଉ ନ ଥିଲେ । ମୋର ଦରିଦ୍ର ପିତା ବ୍ରାହ୍ମଣମାନଙ୍କ ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହ କରି କିପରି ଅଶେଷ ଯାତନା ସହିଥିଲେ, ତାହା ପ୍ରଥମ ପରିଚ୍ଛେଦରେ ବର୍ଣ୍ଣନା କରିଛି ।

 

ମୁଁ ସିନା ବନ୍ଧନକୁ କାଟିବାର ଚେଷ୍ଟା କର, କିନ୍ତୁ ଓଡ଼ିଶା ସରକାର ସେ ବନ୍ଧନକୁ କାଟିଲେ ନାହଁ ! ଏଣୁ ମୁଁ ଯେଉଁଠାକୁ ଗଲେ ମଧ୍ୟ ମୋତେ ପୁଣି ଟାଣିଆଣିବାର କ୍ଷମତା ଏହି ସରକାରଙ୍କ ହାତରେ ରହିଲା । ମୋର ସ୍ତ୍ରୀ ଭୟବିହ୍ୱଳା ହୋଇ ଭାବଲେ ଯେ ମୁଁ ଉଭୟ ସରକାରଙ୍କ ଚାକିରି ଛାଡ଼ିଦେଉଥିବାରୁ ପିଲାମାନେ ଭାସିଯିବେ । ତାଙ୍କର ଏହି ଭୟ ସମ୍ପୂର୍ଣ୍ଣ ଅମୂଳକ ଥିଲା । ମୁଁ ଅଳ୍ପ ସମୟ ମଧ୍ୟରେ ନିଶ୍ଚୟ ନୂତନ ଚାକିରି ପାଇଥାନ୍ତି, କିନ୍ତୁ ଓଡ଼ିଶାକୁ ଫେରିଆସିବା ପାଇଁ ମୋର ଅନ୍ୟ ଉପାୟ ନ ଥିଲା । ଉପାୟାନ୍ତର ନ ଦେଖି ଓ ମୋ ସ୍ତ୍ରୀଙ୍କ ବାରମ୍ବାର ଅନୁନୟ ଏଡ଼ି ନ ପାରି, ୧୯୬୧ ମସିହାର ଜୁନମାସରେ ଓଡ଼ିଶାକୁ ଫେରିଆସି ପୁରୁଣା ଭୁବନେଶ୍ୱରର ହଜୁରୀକୋଠିରେ ରହିଲି । ଏତେବେଳକୁ ମୋର ବଡ଼ ପୁଅ ବରେଣ୍ୟ ବମ୍ୱେ ଆଇ. ଆଇ. ଟି.ରେ ଇଲେଟ୍ରିକାଲ ଇଞ୍ଜିନିୟରିଂ ପଢ଼ୁଥାଏ ଏବଂ ସାନ ପୁଅ ହିରଣ୍ୟ ଭୋପାଲର ଗୋଟିଏ ହାୟାର ସେକେଣ୍ଡାରୀ ସ୍କୁଲରେ ପଢ଼ୁଥାଏ । ସେମାନଙ୍କୁ ଛାଡ଼ି ଏବଂ କେବଳ କନ୍ୟା ଦୁଇଟିକୁ ଓ ମୋର ସ୍ତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ରହିଲି । ସେଠାରେ ଦୁଇମାସ ପର୍ଯ୍ୟନ୍ତ ରହିବା ପରେ ସୁଦ୍ଧା ମୋତେ କୌଣସି ସ୍ଥାନରେ ପୋଷ୍ଟିଂ କରାଗଲା ନାହିଁ । ସମସ୍ତେ ହୁଏ ତ ଭାବୁଥିଲେ ଯେ ମୁଁ ନତଜାନୁ ହୋଇ ପୋଷ୍ଟି ପାଇଁ ପ୍ରାର୍ଥନା କରିବି, କିନ୍ତୁ ମୁଁ ତାହା କଲିନାହିଁ । ତତ୍‍କାଳୀନ ଡି.ପି. ଆଇ. ଶ୍ରୀ ବାମାଚରଣ ଦାସଙ୍କୁ ପ୍ରାୟ ପ୍ରତି ସପ୍ତାହରେ ପୋଷ୍ଟି ପାଇଁ ଖଣ୍ଡେ ଖଣ୍ଡେ ଚିଠି ଲେଖି ସେହି ହଜୁରୀକୋଠିରେ ବସିରହିଲି । ଅବଶେଷରେ ସେକ୍ରେଟେରୀଙ୍କ ଅର୍ଡର ଅନୁସାରେ ମୋତେ ରେଭେନ୍‌ସା କଲେଜରେ ରିଡ଼ର ରୂପେ ଅବସ୍ଥାପିତ କରାଗଲା ।

 

ମୁଁ ଏହି ପରିସ୍ଥିତିକୁ ସବୁଠାରୁ ବେଶି ଭୟ କରି ଓଡ଼ିଶା ସରକାରଙ୍କଠାରେ ମୋ ଚାକିରିରୁ ଇସ୍ତଫା ଦେଇଥିଲି । ସେତେବେଳେ ରେଭେନ୍‍ସା କଲେଜରେ ମୋର ଜୁନିୟର ଡକ୍‍ଟର ମନ୍ନଥ ନାଥ ଦାସ ଇତିହାସ ପ୍ରଫେସର ରୁପେ କାର୍ଯ୍ୟ କରୁଥିଲେ । ତାଙ୍କ ତଳେ ରିଡ଼ର ରୁପେ କାର୍ଯ୍ୟକରିବା ମୋ ପକ୍ଷରେ ଚରମ ଅପମାନ ଥିଲା । ଏଣୁ ମୋତେ ମିଉଜିୟମ୍‍ରେ ରଖିବା ପାଇଁ ମୁଁ ସରକାରଙ୍କଠାରେ ଏକାଧିକ ଆବେଦନ କରିଥିଲି, କିନ୍ତୁ ସେ ଆବେଦନମାନ ମଞ୍ଜୁର କରାଯାଇ ନ ଥିଲା । ମୋର ଆସିବା ପୂର୍ବରୁ ଶ୍ରୀ ଜେ. କେ ରାୟ ଓଡ଼ିଶା ମିଉଜିୟମରେ ସୁପରିଣ୍ଟେଣ୍ଡେଣ୍ଟ ରୂପେ କାର୍ଯ୍ୟ କରି ମିଉଜିୟମର ଉନ୍ନତି କରିଥିଲେ । ଶ୍ରୀ ରାୟ ମୋ ପରି ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଜଣେ ସୁପରିଣ୍ଟେଣ୍ଡେଣ୍ଟ ଥିଲେ ଏବଂ ଏହି ଚାକିରିରୁ ଅବସର ନେବାପରେ ଓଡ଼ିଶା ମିଉଜିୟମରେ ଚାକିରି ପାଇଥିଲେ । ମୁଁ ଓଡ଼ିଶାକୁ ଫେରିବାବେଳକୁ ସେ ଆଉ ଓଡ଼ିଶା ମିଉଜିୟମରେ ନ ଥିଲେ । ଅତଏବ ମୋର ରିଡ଼ର ପୋଷ୍ଟ ଦରମାରେ ମୋତେ ଓଡ଼ିଶା ମିଉଜିୟମରେ ବସାଇ ଦେଇଥିଲେ ମୁଁ ଘୋର ଅପମାନରୁ ରକ୍ଷାପାଇ ପାରିଥାନ୍ତି ଓ ମିଉଜିୟମର ମଧ୍ୟ ପ୍ରଭୂତ ଉନ୍ନତି କରିପାରିଥାନ୍ତି । ମୋତେ ଘୋର ଅପମାନରୁ ରକ୍ଷାକରିବା ପାଇଁ ମୋର ସ୍ତ୍ରୀ ମୋର ଅଜାଣତରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଓ ମୋତେ ମିଉଜିୟମରେ ରଖିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ, ମାତ୍ର ତାଙ୍କ ଚେଷ୍ଟା ମଧ୍ୟ ବିଫଳ ହୋଇଥିଲା । ଅବଶେଷରେ ମୁଁ ଟଣାହୋଇ ରେଭେନ୍‍ସା କଲେଜକୁ ଆସିଥିଲି ।

 

ମୁଁ ସ୍ୱୀକାର କରୁଛି ଯେ ରେଭେନ୍‍ସା କଲେଜରେ ରିଡର ରୂପେ ଅବସ୍ଥାପିତ ହେବ ପରଠାରୁ ମୋର ମସ୍ତିଷ୍କର ଭାରସାମ୍ୟ କେତେକ ପରିମାଣରେ ଗୋଳମାଳ ହୋଇଗଲା, ମାତ୍ର ବର୍ଷେ ଦୁଇବର୍ଷ ମଧ୍ୟରେ ମୁଁ ପୁଣି ନିଜକୁ ସମ୍ଭାଳିନେଲି । ଲେଖାଲେଖି କରିବା ମୋ ଜୀବନର ଗୋଟାଏ ଅଭ୍ୟାସ ଥିଲା, କିନ୍ତୁ ପ୍ରାୟ ପାଞ୍ଚବର୍ଷ ଧରି ମୁଁ, ଲେଖା ସମ୍ପୂର୍ଣ୍ଣ ବନ୍ଦକରି ଦେଇଥିଲି । ପ୍ରଖ୍ୟାତ ପଣ୍ଡିତ ଡକ୍‍ଟର ଦିନେଶ ଚନ୍ଦ୍ର ସରକାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ମୋର ସମତୁଲ ପୋଷ୍ଟରେ ଗଭର୍ଣ୍ଣମେଣ୍ଟ ଏପିଗ୍ରାଫିଷ୍ଟ ରୂପେ କାର୍ଯ୍ୟ କରୁଥିଲେ, କିନ୍ତୁ ମୋ ଭଳି ଘଟନାଚକ୍ରରେ ପଡ଼ି ମୁଁ ଯେତେବେଳେ ଭାରତ ସରକାରଙ୍କ ଚାକିରି ଛାଡ଼ିଲି; ଠିକ୍ ସେତିକିବେଳେ ସେ ମଧ୍ୟ ଭାରତ ସରକାରଙ୍କ ଚାକିରିରୁ ଇସ୍ତଫା ଦେଇ ନିଜ ରାଜ୍ୟକୁ ପଳାଇ ଆସିଥିଲେ । ବଙ୍ଗଦେଶ ତାଙ୍କୁ ସସମ୍ମାନେ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଫେସର ରୂପେ ନିଯୁକ୍ତ କଲା; ଏଣୁ ତାଙ୍କୁ ସାଂସ୍କୃତିକ ଜୀବନ ଅବ୍ୟାହତ ରହିଥିଲା । କିନ୍ତୁ ମୋ ସାଂସ୍କୃତିକ ଜୀବନ ବ୍ୟାହତ ହୋଇପଡ଼ିଲା । ବହୁ କଷ୍ଟରେ ଯେତେବେଳେ ପୁଣି ଲେଖାଲେଖି ଆରମ୍ଭ କଲି, ସେତେବେଳକୁ ପାଞ୍ଚୋଟି ଅମୂଲ୍ୟ ବର୍ଷ ବିତି ଯାଇଥିଲା । ମୋର ସରକାରୀ ଚାକିରି ଶେଷ ହେବାର ପ୍ରାୟ ତିନିବର୍ଷ ପୂର୍ବରୁ ସମ୍ବଲପୁର ଜି. ଏମ. କଲେଜରେ ଗୋଟିଏ ଇତିହାସ ପ୍ରଫେସର କାର୍ଯ୍ୟ ଖୋଲାହେଲା, ମାତ୍ର ମୋତେ ପ୍ରଫେସର କରାଗଲା ନାହିଁ । ସେ ପୋଷ୍ଟଟିକୁ ସେହିପରି ଖାଲି ରଖାଗଲା । ମୁଁ ମଧ୍ୟ ପ୍ରଫେସର ହେବାକୁ ବ୍ୟାକୁଳ ନ ଥିଲି, କିମ୍ବା ଏଥିପାଇଁ କାହାରିକୁ ଧରାଧରି କରିବା ମୋ ଜାତକରେ ନାହିଁ । ଅବଶେଷରେ ମୋର ସରକାରୀ ଚାକିରିର ମାତ୍ର ଦଶଦିନ ବାକି ଥିବାବେଳେ ମୋତେ ପ୍ରଫେସର କରି ସମ୍ବଲପୁର କଲେଜକୁ ପଠାଗଲା । ସେଠାରେ ଦଶଦିନ ମାତ୍ର ପ୍ରଫେସର କରି କାର୍ଯ୍ୟ କରିବା ପରେ ୧୯୬୮ ମସିହା ଅଗଷ୍ଟ ପହିଲାରେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲି । ଅବସର ନେବାର ଦେଢ଼ମାସ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସ ପ୍ରଫେସର ରୂପେ ନିଯୁକ୍ତି ପାଇ ସେଠାରେ ପ୍ରାୟ ଚାରିବର୍ଷ କାର୍ଯ୍ୟ କଲି । ୧୯୭୨ ଜୁନ ପହିଲାରୁ ବିଶ୍ୱବିଦ୍ୟାଲୟ ଚାକିରିରୁ ଅବସର ନେବା ପରେ ପରେ ଏହିବର୍ଷ ସେପ୍ଟେମ୍ବରରୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କଠାରୁ ମାସିକ ସାଢ଼େ ସାତଶହ ଟଙ୍କା ଅନୋରେରିଅମ୍ ପାଇ ବର୍ତ୍ତମାନ ପର୍ଯ୍ୟନ୍ତ ଗବେଷଣା ସହିତ ଓ ରେଭେନ୍‍ସା କଲେଜର ଶିକ୍ଷାଦାନ ସହିତ ସମ୍ପୃକ୍ତ ହୋଇରହଛି ।

Image

 

ସପ୍ତମ ପରିଚ୍ଛେଦ

ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ପ୍ରଗତି

 

ଗତ ୨୫/୩୦ ବର୍ଷ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ଯେଉଁ ପ୍ରଗତି ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଚାଲିଛି, ସେ ସମ୍ବନ୍ଧରେ ସ୍ଥୂଳଧାରଣା ଦେବା ହିଁ ଏ ପ୍ରବନ୍ଧର ଉଦ୍ଦେଶ୍ୟ । ସଂସ୍କୃତି କହିଲେ ସାହିତ୍ୟ, ଲଳିତକଳା, ଇତିହାସ, ଧର୍ମ, ଦର୍ଶନ, ବିଜ୍ଞାନ, ଅର୍ଥନୀତି-ବିଜ୍ଞାନ, ରାଜନୀତି-ବିଜ୍ଞାନ ଇତ୍ୟାଦି ବହୁ ବିଷୟକୁ ବୁଝାଏ । ସମସ୍ତ ବିଷୟରେ ମୋର ପ୍ରବେଶ ନାହଁ । ଏଣୁ ସାହିତ୍ୟ-ଇତିହାସ ଇତ୍ୟାଦି କେତୋଟି ବିଷୟର ପ୍ରଗତି ସମ୍ବନ୍ଧରେ ହିଁ ଏ ପ୍ରବନ୍ଧରେ ସଂକ୍ଷିପ୍ତ ଆଲୋଚନା କରାଯାଉଛି । ଆଲୋଚନାରେ ବେଶିଭାବରେ ରହଛି ତଥ୍ୟ (fact) ଓ ଅତି ସାମାନ୍ୟ ଭାବରେ ରହିଛି ମୋର ମତ (opinion) । ମୋର ମତ ପ୍ରତି ବେଶି ଧାନ ନ ଦେଇ ତଥ୍ୟଗୁଡ଼ିକ ପ୍ରତି ବେଶି ଧ୍ୟାନ ଦେବା ପାଇଁ ସୁଧୀପାଠକମାନଙ୍କୁ ମୁଁ ଆଗରୁ ହିଁ ନିବେଦନ କରୁଛି ।

 

ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ

 

ବହୁବର୍ଷ ୨୫/୧୦/୫୨ ଓ ୧୫/୧୧/୫୨ ତାରିଖର ଦୈନିକ ସମାଜର ସାପ୍ତାହିକ ଆଲୋଚନାରେ ଓଡ଼ିଶାର ଇତିହାସ ଓ ଐତିହାସିକ ଉପାଦାନ ଶୀର୍ଷକ ଯୋଡ଼ିଏ ପ୍ରବନ୍ଧ ଲେଖିଥିଲି: ଓଡ଼ିଶାରେ ପ୍ରଚୁର ଐତିହାସିକ ଉପାଦାନ ଅଛି, ମାତ୍ର ଓଡ଼ିଶାର ଇତିହାସ ଗବେଷଣାର ମାନ ନିର୍ଦ୍ଧାରଣ କରାଯାଉ ନାହିଁ । ବଙ୍ଗାଳୀ ପଣ୍ଡିତମାନଙ୍କ ପରି ଓଡ଼ିଆ ପଣ୍ଡିତମାନଙ୍କ ଶ୍ରମ ଓ ନିଷ୍ଠା ନାହିଁ, ଓଡ଼ିଶାରେ ପ୍ରଚାରମୂଳକ ପାଣ୍ଡିତ୍ୟ ସତ୍‍ପାଣ୍ଡିତ୍ୟର କଣ୍ଠରୋଧ କରୁଛି, ଜାଲ୍‍ ଐତିହାସିକ ଉପାଦାନମାନ କ୍ରମାଗତ ଭାବରେ ସୃଷ୍ଟି ହୋଇ ଓଡ଼ିଶାର ନୈତିକ ସାଂସ୍କୃତିକ ଜୀବନକୁ ପଙ୍ଗୁ କରୁଛି, ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖାର ଯୋଜନା ଗୋଟିକ ପରେ ଗୋଟିଏ ବିଫଳ ହେଉଛି ଇତ୍ୟାଦି ବିଷୟ ମୁଁ ଏ ପ୍ରବନ୍ଧ ଦୁଇଟିରେ ଅବତାରଣା କରିଥିଲି । ମୋର ଲେଖା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଅନେକେ ଭାବିଲେ ଯେ ମୁଁ ଓଡ଼ିଆମାନଙ୍କୁ ନ୍ୟୁନ କରିଦେଉଛି, କେତେଜଣ କହିଲେ ଯେ ଅର୍ଥ ଓ ଅଭାବ-ଅସୁବିଧା ଯୋଗୁଁ ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖାହୋଇ ପାରୁନାହିଁ, ଏପରି କି କେହି କେହି ଜାଲ୍‍ ଐତିହାସିକ ଉପାଦାନମାନଙ୍କ ପ୍ରତି ମଧ୍ୟ ସେମାନଙ୍କ ସମର୍ଥନ ଜଣାଇଲେ ।

 

ଏହା ଭିତରେ ବହୁ ବର୍ଷ ଅତୀତ ହୋଇଗଲାଣି । ମୁଁ ଏହି ପ୍ରବନ୍ଧମାନଙ୍କରେ ଯାହା କହିଥଲି, ତାହା ସତ୍ୟ କିମ୍ବା ମିଥ୍ୟା, ବର୍ତ୍ତମାନ ସୁଧୀବର୍ଗ ବିଚାର କରନ୍ତୁ । ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଗୋଟିଏ ଓ କଳିଙ୍ଗ ହିଷ୍ଟରିକାଲ୍‍ ରିସର୍ଚ୍ଚ ସୋସାଇଟି ତରଫରୁ ଗୋଟିଏ–ଏହିପରି ଦୁଇଟି ଯୋଜନା ଆରମ୍ଭ କରାଯାଇଥିଲା । ଅର୍ଥର ପ୍ରଶ୍ନ ଉଠିବ ପୂର୍ବରୁ ଦ୍ୱିତୀୟ ଯୋଜନାଟି ବ୍ୟର୍ଥ ହୋଇଯାଇଥିଲା, ମାତ୍ର ୧୯୪୩ ମସିହାରୁ ଅର୍ଥାତ୍ ଉତ୍କଳ ବିଶ୍ୱଦ୍ୟାଳୟ ସ୍ଥାପିତ ହେବା ସମୟଠାରୁ ପ୍ରଥମ ଯୋଜନାଟି ବର୍ତ୍ତମାନ ସୁଦ୍ଧା ଚାଲୁରହିଛି । ଏହି ସମୟ ମଧ୍ୟରେ ଏହି ଯୋଜନାର ଫଳ ସ୍ୱରୂପ ପୂର୍ଣ୍ଣାଙ୍ଗ-ଇତିହାସର ପ୍ରଥମ ଖଣ୍ଡ ଓ ଷଷ୍ଠ ଖଣ୍ଡ ପ୍ରକାଶ ପାଇଛି । ପ୍ରଥମ ଖଣ୍ଡରେ ଅତି ଅତୀତଠାରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଇତିହାସ ରହିଛି; ଏଣୁ ଏହା ଓଡ଼ିଶା ଇତିହାସର ଆରମ୍ଭ ମାତ୍ର । ଷଷ୍ଠ ଖଣ୍ଡରେ ବ୍ରିଟିଶ ରାଜତ୍ୱର ଅଂଶବିଶେଷର ଇତିହାସ ରହିଛି । ଅକ୍‍ସଫୋଡ଼ ବିଶ୍ୱବିଦ୍ୟାଳୟ, କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟ, ଭାରତୀୟ ବିଦ୍ୟାଭବନ ଇତ୍ୟାଦି ତରଫରୁ ପ୍ରକାଶିତ ଭାରତ ଇତିହାସମାନଙ୍କରେ କମ୍ବା ହିଷ୍ଟ୍ରି ଅଫ୍‍ ବେଙ୍ଗଲ, (History of Bengal) ଗ୍ରନ୍ଥମାନଙ୍କରେ ସମସ୍ତ ବିଷୟକୁ ସରଳ, ସହଜ ସର୍ବଜନବୋଧ୍ୟ କରିବା ପାଇଁ ଯେଉଁ ପଦ୍ଧତି ଗ୍ରହଣ କରାଯାଇଛି, ଓଡ଼ିଶା ଇତିହାସର ପ୍ରଥମ ଓ ଷଷ୍ଠ ଖଣ୍ଡରେ ସେହି ପଦ୍ଧତି ଗ୍ରହଣ କରଯାଇ ନାହିଁ । ବୃହତ୍‍ ଟାଇପ୍‍ରେ ଛପା ଏହି ପୁସ୍ତକ ଦୁଇଟି ଆଲୋଚନାବହୁଳ ଓ ଉଦ୍ଧୃତାଂଶବହୁଳ ହୋଇଥିବାରୁ ବୃହଦବୟବ ହୋଇଥିଲେ ସୁଦ୍ଧା ସୁବୋଧ୍ୟ ଓ ସୁଖପାଠ୍ୟ ହୋଇପାରି ନାହିଁ । ଉଭୟ ଗ୍ରନ୍ଥରେ ଯେଉଁ ଅନ୍ତର୍ନିହିତ ବିଷୟମାନ ରହଛି, ସେଗୁଡ଼ିକ ସରଳ-ସହଜ ଭାବରେ ପ୍ରକାଶ କଲେ, ଉଭୟେ ଗୋଟିଏ ଗୋଟିଏ ପୁସ୍ତିକାରେ ପରିଣତ ହେବେ-

 

ଏଣୁ ଏ ଦୁଇଟି ପୁସ୍ତକକୁ ସୁଖପାଠ୍ୟ ଇତିହାସ ନ କହି ଉପାଦାନଗ୍ରନ୍ଥ (Source Book) କହିବା ହିଁ ଭଲ । ଏହି ଦୁଇଟି ବ୍ୟତୀତ ଓଡ଼ିଶା ଇତିହାସ ସମ୍ବନ୍ଧୀୟ ଆଉ କେତୋଟି ଉପାଦାନ ଗ୍ରନ୍ଥ ମଧ୍ୟ ପ୍ରକାଶିତ ହୋଇଛି, ମାତ୍ର ଓଡ଼ିଶାର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସର ଅୟମାରମ୍ଭ ହୋଇନାହିଁ କହିଲେ ଚଳେ । ଏପରି ଅବସ୍ଥାରେ ମୂଳରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଇତିହାସର ସ୍ଥୂଳ ବିବରଣୀ ଜାଣିବାକୁ ଇଚ୍ଛାକଲେ ସାଧାରଣ ପାଠକ, ଛାତ୍ର ତଥା ଶିକ୍ଷକଙ୍କୁ ସ୍ୱର୍ଗତ ଅଧ୍ୟାପକ ରାଖାଲ ଦାସ ବାନାର୍ଜୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଇତିହାସ ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ । ଅନେକେ କହନ୍ତି ଯେ ଉଭୟ ଗ୍ରନ୍ଥରେ ତ୍ରୁଟି-ବିଚ୍ୟୁତି ରହିଛି । କୌଣସି ଗ୍ରନ୍ଥ ଅଭ୍ରାନ୍ତ ନୁହେଁ; ଏ ଗ୍ରନ୍ଥଗୁଡ଼ିକୁ ମଧ୍ୟ ଅଭ୍ରାନ୍ତ ବୋଲି କେହି କହୁନାହିଁ; କିନ୍ତୁ ତିରିଶବର୍ଷର ସମବେତ ଚେଷ୍ଟାରେ ଓଡ଼ିଶାର ଯେଉଁ ପୂର୍ଣ୍ଣାଙ୍ଗ ଇତିହାସ ରୂପରେଖ ଧରପାରିଲା ନାହିଁ, ସେହି ପୂର୍ଣ୍ଣାଙ୍ଗ ଇତିହାସକୁ ସାହସ, ଧୈର୍ଯ୍ୟ, ନିଷ୍ଠା ଓ ଶ୍ରମ ସହିତ ସ୍ୱ-ସ୍ତ ଗ୍ରନ୍ଥରେ ଅନ୍ତତଃ କଙ୍କାଳାକାରରେ ଦେଇଥିବାରୁ ଉଭୟ ପଣ୍ଡିତ ନିଶ୍ଚିତ ଭାବରେ ଧନ୍ୟବାଦାର୍ହ । କୌଣସି ଗ୍ରନ୍ଥକୁ ଭଲ ନୁହେଁ ବୋଲି କହିବା ଅପେକ୍ଷା ସେହି ବିଷୟରେ ଭଲ ଗ୍ରନ୍ଥଟିଏ ଲେଖି ଥୋଇଦେବା ହିଁ ପ୍ରଗତିର ପ୍ରକୃଷ୍ଟ ପନ୍ଥା ।

 

ଗତ ତିରିଶବର୍ଷ ମଧ୍ୟରେ ବହୁ ଐତିହାସିକ ଉପାଦାନ ଆବିଷ୍କୃତ ହୋଇଥିବାରୁ ଓଡ଼ିଶା ଇତିହାସରେ ପ୍ରଭୂତ ଆଲୋକପାତ କରିବା ଭଳି ବହୁ ତଥ୍ୟ ପ୍ରକାଶିତ ହୋଇଛି କିନ୍ତୁ ସେଗୁଡ଼ିକୁ ଏକତ୍ର କରି ଇତିହାସାକାରରେ ଲେଖାଯାଇ ପାରିନାହିଁ । ଏହି ସମୟ ମଧ୍ୟରେ ବହୁ ଜାଲ୍‍ ଐତିହାସିକ ଉପାଦାନ ମଧ୍ୟ ସୃଷ୍ଟି ହୋଇଥିବାରୁ ଇତିହାସ ସଙ୍କଳନରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜାଲ୍‍ ଐତିହାସିକ ଉପାଦାନ ଦିନକୁ ଦିନ ଏପରି ବୃଦ୍ଧିପାଉଛି ଯେ ତବ୍ଦ୍ୱାରା ଐତିହାସିକ ଗବେଷଣାର ପଥ ଏକାବେଳକେ ଅବରୁଦ୍ଧ ହୋଇ ଯିବାର ଆଶଙ୍କା ରହଛି । ଏହି ପଚିଶବର୍ଷ ମଧ୍ୟରେ ରକ୍ତବାହୁ ଅଭିଯାନ ସମ୍ବନ୍ଧୀୟ ଓ ଖାରବେଳଙ୍କ ଜୀନାସନ ଆନୟନ ସମ୍ୱନ୍ଧୀୟ ଜାଲ୍‍- ଶିଳାଲେଖ ଏବଂ କାଞ୍ଚି ଅଭିଯାନ ସମ୍ବନ୍ଧୀୟ ଜାଲ୍‍ ତାମ୍ରଶାସନ ସୃଷ୍ଟି କରାଯାଇଛି । ପୁରୀରୁ ପ୍ରାପ୍ତ ଅଳ୍ପ-ପ୍ରାଚୀନ ମୂର୍ତ୍ତି ଉପରେ ବିଭିନ୍ନ ଯୁଗର ବହୁ ପ୍ରାଚୀନ ଲିପି ଖୋଦିତ ହୋଇଥିବାର ପ୍ରମାଣ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସଂଗ୍ରହାଳୟରେ ସଂରକ୍ଷିତ ହୋଇଛି । ଅତି ନିକଟରେ ଓଡ଼ିଶାରେ କବି ଜୟଦେବଙ୍କ ସମ୍ବନ୍ଧରେ ଗବେଷଣା ଚାଲୁଥିବାବେଳେ ଦୁଇଟି ଜାଲ୍‍ ଶିଳାଲେଖା ସୃଷ୍ଟି କରାଯାଇଛି-। ସେଥିମଧ୍ୟରୁ ଗୋଟିକକୁ ଏତେ ମୂଲ୍ୟବାନ ମନେକରାଗଲା ଯେ ତାହାର ଅବିଷ୍କାର ରେଡ଼ିଓ ମାଧ୍ୟମରେ ମଧ୍ୟ ଘୋଷିତ ହେଲା । ଜାଲ ତାଳପତ୍ର ପୋଥିର ସଂଖ୍ୟା କ୍ରମଶଃ ବଢ଼ି ଚାଲଛି । ଅର୍ବାଚୀନ ତାଳପତ୍ର ପୋଥିରେ କିମ୍ଭୁତକିମାକାର ଅକ୍ଷରରେ ଲେଖା ଲେଖି ତାକୁ ଭଣ୍ଡାର ପାଞ୍ଜି ଆଖ୍ୟା ଦିଆଯାଉଛି ଏବଂ ସେଥିରେ ବା ଇନ୍ଦ୍ରବଳକୁ ଇନ୍ଦ୍ରଦ୍ୟୁମ୍ନ କୁହାଯାଉଛି । ଦୀର୍ଘ ମୁଖବନ୍ଧ ବହନ କରି ପୁରୀ ସଂସ୍କୃତ ପାଣ୍ଡିତ୍ୟର କୁତ୍ସିତ-ସନ୍ତତି ଜାଲ ଶିଳ୍ପ ଚନ୍ଦ୍ରିକା ମୁଦ୍ରିତ ଓ ପ୍ରକାଶିତ ହୋଇଛି । ଓଡ଼ିଶାର ମନ୍ଦିର ଶିଳ୍ପସମ୍ୱନ୍ଧୀୟ ଓ କୋଣାର୍କ ମନ୍ଦିର ସମ୍ଭନ୍ଧୀୟ ଆଉ ଦୁଇଟି ତାଳପତ୍ର ପୋଥି ବିଦେଶୀୟମାନଙ୍କୁ ସୁଦ୍ଧା ଭ୍ରମରେ ପକାଇ ଦେଇଛି । ସାରଳା ସାହିତ୍ୟର ଆଲୋଚନା ଚାଲିଥିବାବେଳେ ମାଧବ-ମାହାତ୍ମ୍ୟ ନାମକ ଗୋଟିଏ ଜାଲ୍‍ ପୋଥି ସୃଷ୍ଟି କରାଯାଇ ସାରଳାଦାସଙ୍କୁ ନବମ ଶତାବ୍ଦୀର କବି ବୋଲି ପ୍ରମାଣ କରିବାର ଚେଷ୍ଟା କରାଯାଇଛି । କବି ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧୀୟ ଆଲୋଚନା ଚାଲିଥିବାବେଳେ ଜୟଦେବଙ୍କ ତଥାକଥିତ ଓଡ଼ିଆ ସଙ୍ଗୀତସମ୍ବଳିତ ଦୁଇଟି ଜାଲ୍‍ ପୋଥି ଆବିର୍ଭୂତ ହୋଇଛି । ଓଡ଼ିଶାରେ ସ୍ୱାଧିନତା ଆନ୍ଦୋଳନର ନଥିପତ୍ର ସଂଗୃହୀତ ହେଉଥିବାବେଳେ ଝାନ୍‍ସି ରାଣୀଙ୍କ ଜାଲ୍‍ ଚିଠି ପୁରୀରୁ ବାହାରି ପଡ଼ିଛି, ଇତ୍ୟାଦି ।

ଉପରେ ଜାଲ୍‍ ଐତିହାସିକ ଉପାଦାନର ଯେଉଁ ସାମାନ୍ୟ ବିବରଣ ଦିଆଗଲା, ସେଥିରୁ ସୁଧୀ ପାଠକେ ଏମାନଙ୍କ ବ୍ୟାପକତା ସହଜରେ ଅନୁମାନ କରିପାରିବେ । ଯେଉଁମାନେ ଏହି ଜାଲ ଉପାଦାନମାନ ବ୍ୟବହାର କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଡିରେକ୍‍ଟର, ଧର୍ମାବତାର, ପ୍ରଫେସର, ରିଡର, ଲେକ୍‍ଚାରର, କ୍ୟୁରେଟର, ସୁପରିଟେଣ୍ଡେଣ୍ଟ, ବଶିଷ୍ଟ ସାହିତ୍ୟିକ, ସଂସ୍କୃତ ପଣ୍ଡିତ, ଗବେଷକ ପଣ୍ଡିତ ଇତ୍ୟାଦି । ଏଣୁ ଏ ଅପରାଧଟା ସମାଜର କେତେକ ନିକୃଷ୍ଟଶ୍ରେଣୀର ଲେଖକଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ସାସ୍କୃତିକ କ୍ଷେତ୍ରରେ ଶୀର୍ଷସ୍ଥାନ ଅଧିକାର କରିଥିବା ବ୍ୟକ୍ତିମାନେ ଯେଉଁ ସହଜ ପନ୍ଥା ଅନୁସରଣ କରି ଗବେଷଣା ଚଳାଇଛନ୍ତି, ତାହା ତରୁଣମାନଙ୍କ ଦ୍ଵାରା ଅନୁସୃତ ହେଉଛି । ସତ୍ୟନିଷ୍ଠା, ବହୁଶ୍ରମ, ସମୟ, ଧୈର୍ଯ୍ୟ, ଅନୁସନ୍ଧାନ, ଅନୁଶୀଳନ, ଅଧ୍ୟୟନ, ପରିଭ୍ରମଣ ଓ ଗୁରୁସେବା ସାହାଯ୍ୟରେ ଗବେଷଣାରେ ସାମାନ୍ୟ ସିଦ୍ଧି ଲାଭ କରାଯାଏ । ମାତ୍ର ଓଡ଼ିଶାରେ ଯେଉଁ ସହଜପନ୍ଥା ଅନୁସୃତ ହେଉଛି, ସେଥିରେ ଗବେଷକ ହେବା ପାଇଁ ଏ ସମସ୍ତର ଆବଶ୍ୟକତା ରହୁନାହିଁ । ଫଳରେ ପ୍ରଚାରମୂଳକ ପାଣ୍ଡିତ୍ୟ ବା ଭଣ୍ଡ ପାଣ୍ଡିତ୍ୟ ସତ୍‍ ପାଣ୍ଡିତ୍ୟର କଣ୍ଠରୋଧ କରୁଛି । ସର୍ବୋପରି ଓଡ଼ିଶାର ଗବେଷଣା-ଲବ୍‍ଧ ଜ୍ଞାନ ସର୍ବଭାରତୀୟ ଓ ଆନ୍ତର୍ଜାତୀକ ସ୍ରୋତରୁ ବିଚ୍ୟୁତ ହୋଇପଡ଼ୁଛି । ଓଡ଼ିଶାର ଐତିହାସିକ ଗବେଷଣାର ମାନ ଜଗତର ଲୋକେ ମାନିବେ ନାହିଁ, ମାତ୍ର ଓଡ଼ିଶାର ଲୋକେ ଆନ୍ତର୍ଜାତିକ ଗବେଷଣାର ମାନ ମାନିବାକୁ ବାଧ୍ୟ । ତା ନୋହିଲେ ଓଡ଼ିଶା ଏକଘରିଆ ହୋଇ ରହିବ ।

 

ଆଲୋଚ୍ୟ ସମୟ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ଦୂର୍ନୀତି ପ୍ରସାରଲାଭ କରୁଥିବାବେଳେ ଓଡ଼ିଶାର ସରକାର, ବିଶ୍ୱବିଦ୍ୟାଳୟ, ପ୍ରେସ୍ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହା ବିରୁଦ୍ଧରେ କୌଣସି ସକ୍ରିୟ ପଦକ୍ଷେପ ନେଇନାହାନ୍ତି । ସରକାର ସହସ୍ରାକ୍ଷ, ମାତ୍ର ଏ ଦିଗରେ ତାଙ୍କର ଗୋଟିଏ ସୁଦ୍ଧା ଆଖି ପଡ଼ିନାହିଁ; ବରଞ୍ଚ ଏ ଦିଗରେ ସରକାର ଯାହା କରିଛନ୍ତି, ସେଥିରେ ଭଣ୍ଡ-ପାଣ୍ଡିତ୍ୟ ବୃଦ୍ଧିପାଇଛି । ଓଡ଼ିଶାରେ କଖାରୁ-ଚୋର ପାଇଁ ଦଣ୍ଡ ଅଛି; କିନ୍ତୁ ସାଂସ୍କୃତିକ କ୍ଷେତ୍ରକୁ ବିଷାକ୍ତ କରୁଥବା ଜାଲ୍‍କାରୀମାନଙ୍କ ପ୍ରତି କୌଣସି ଦଣ୍ଡ ନାହିଁ । ବରଞ୍ଚ ବେଳେବେଳେ ଏମାନେ ଅଭିନନ୍ଦିତ ଓ ପୁରସ୍କୃତ ହୋଇଛନ୍ତି । ସରକାରଙ୍କ ଗୋଇନ୍ଦା ବିଭାଗ ସମସ୍ତ ବିଷୟ ପ୍ରତି ସଜାଗ ଅଛନ୍ତି; କିନ୍ତୁ ଜାଲ୍‍ ଐତିହାସିକ ଉପାଦାନମାନଙ୍କ ପ୍ରତି କୌଣସି ଦୃଷ୍ଟି ଦେଇ ନାହାନ୍ତି । ବିଶ୍ୱବିଦ୍ୟାଳୟମାନ ପ୍ରଚାରମୂଳକ ପାଣ୍ଡିତ୍ୟ ଓ ସତ୍‍ପାଣ୍ଡିତ୍ୟ ମଧ୍ୟରେ ଥିବା ପ୍ରଭେଦକୁ ବିଚାର କରୁନାହାନ୍ତି । ଓଡ଼ିଶାର ପତ୍ରିକାଗୁଡ଼ିକ କ୍ଷୁଦ୍ରାଦପିକ୍ଷୂଦ୍ର ବିଷୟରେ ଅଗ୍ରଲେଖାମାନ ପ୍ରକାଶ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, ମାତ୍ର ଏ ସାଂସ୍କୃତିକ ବ୍ୟାଧି ପ୍ରତି ସଂପୂର୍ଣ୍ଣ ଉଦାସୀନ ଅଛନ୍ତି । ନେତୃସ୍ଥାନୀୟ ବ୍ୟକ୍ତିମାନେ କ୍ଷୂଦ୍ରାଦପିକ୍ଷୂଦ୍ର ବିଷୟ ପ୍ରତି ସର୍ବସାଧାରଣଙ୍କ ଦୃଷ୍ଟିଆକର୍ଷଣ କରୁଛନ୍ତି; କିନ୍ତୁ ସାଂସ୍କୃତିକକ୍ଷେତ୍ରରେ ଯେଉଁ ଦୁର୍ନୀତି ଚାଲିଛି, ସେ ସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଅଳ୍ପଦିନ ତଳେ ଚୋରି ଯାଇଥିବା (?) ଗୋଟିଏ ତାଳପତ୍ର ପୋଥିକୁ ପୁଲିସ ତତ୍ପରତା ସହିତ ପୁନରୁଦ୍ଧାର କରିଥିବା କଥା ଓଡ଼ିଶା ବିଧାନସଭାରେ ଆଲୋଚିତ ହୋଇଛି । ଏ ସମ୍ବନ୍ଧରେ ପୁଲିସ୍‍ଙ୍କ ପ୍ରଚେଷ୍ଠା ଅବଶ୍ୟ ପ୍ରଶଂସାର୍ହ; ମାତ୍ର ଟିକିଏ ଆଗକୁ ବଢ଼ି ଅନୁସନ୍ଧାନ କରିଥିଲେ ହୁଏତ ଜଣାଯାଇଥାନ୍ତା ଯେ ଏହା ଏକ ଜାଲ୍ ପୋଥି । ଏ ସମ୍ବନ୍ଧରେ ଯେତିକି ସମ୍ବାଦ ପ୍ରକାଶ ପାଇଛି, ସେଥିରୁ ହିଁ ସନ୍ଦେହ ହୁଏ ଯେ ଏହା ଏକ ଜାଲ୍‍ ପୋଥି ।

 

ଅନେକେ ପ୍ରଶ୍ନ କରନ୍ତି–ଲୋକେ କାହିଁକି ଓ କିପରି ଜାଲ୍‍ ଐତିହାସିକ ଉପାଦାନମାନ ସୃଷ୍ଟି କରନ୍ତି ? ଧନ ଓ ଯଶ ଉଭୟ ମାନବର ପରମ କାମ୍ୟ । ସୃଷ୍ଟି ଉପାଦାନମାନଙ୍କ ସାହାଯ୍ୟରେ ଉଭୟ ସହଜରେ ଓ ଶସ୍ତାରେ ମିଳିଯାଏ । ଉପାଦାନଗୁଡ଼ିକୁ କିପରି ଜାଲ୍ କରାଯାଏ, ଏ ବିଷୟରେ ସମ୍ୟକ୍ ଆଲୋଚନା କଲେ ଆଉ ଗୋଟିଏ ପ୍ରବନ୍ଧ ଲେଖିବାକୁ ପଡ଼ିବ । ତେବେ କେତେଗୁଡ଼ିଏ ସାଧାରଣ କଥା ଏ ପ୍ରବନ୍ଧରେ କୁହାଯାଉଛି । ବିଭିନ୍ନଯୁଗର ପ୍ରାଚୀନ ଲିପିମାଳା ପୁସ୍ତକାକାରରେ ପ୍ରକାଶିତ ହୋଇଛି । ଏହି ପୁସ୍ତକ ବା ପୁସ୍ତକମାନଙ୍କ ସାହଯ୍ୟରେ ଜାଲ୍‍ ତମ୍ବାପଟା ଓ ଜାଲ୍‍ ଶିଳାଲେଖ ଅକ୍ଳେଶରେ ସୃଷ୍ଟି କରାଯାଇପାରେ । ପୁରୁଣା ତାଳପତ୍ର ପୋଥିମାନଙ୍କରୁ ଅଲେଖା ତାଳପତ୍ର ସଂଗ୍ରହ କରି ସହଜରେ ଜାଲ୍‍ ପୁରୁଣା ପୋଥି ତିଆରି କରାଯାଇପାରେ । ତା’ଛଡ଼ା ନୂଆ ତାଳପତ୍ରକୁ ପୁରୁଣା ଆକାର ଦେବାର ଏକାଧିକ ଉପାୟ ରହିଛି । କେଉଁ ଐତିହାସିକ ଉପାଦାନଟି ପ୍ରକୃତ ଓ କେଉଁଟି ସୃଷ୍ଟ, ତାହା ବହୁବିଧ ପରୀକ୍ଷା ପରେ ସ୍ଥିର କରାଯାଏ । ଓଡ଼ିଶାରେ ଯେଉଁମାନେ ଜାଲ୍ ଐତିହାସିକ ଉପାଦାନମାନଙ୍କ ସାହାଯ୍ୟରେ ଗବେଷଣା ଚଳାଇଛନ୍ତି, ସେମାନେ ଏଗୁଡ଼ିକୁ ବହୁବିଧ ପରୀକ୍ଷା କରିବା ବା କରାଇବା କଥା ଦୂରେ ଥାଉ, ଏ ଉପାଦାନଗୁଡ଼ିକୁ ସର୍ବସାଧାରଣଙ୍କ ସମ୍ମୁଖକୁ ଆଣିବା ପାଇଁ ଏବଂ ସେମାନଙ୍କ ପ୍ରାପ୍ତି ଓ ଆକାର ପ୍ରକାରର ଟିକିନିଖି ବିବରଣ ପ୍ରକାଶ ପାଇଁ ମଧ୍ୟ କୁଣ୍ଠାପ୍ରକାଶ କରିଛନ୍ତି ।

 

ଓଡ଼ିଶାର ପ୍ରାଚୀନ ଇତିହାସର ବିଭିନ୍ନ ଉପାଦାନ ଗୋଟିଏ ଭଗ୍ନ, ପ୍ରାଚୀନ ମୃତ୍‍ପାତ୍ରର ଖପରା ପରି ବିକ୍ଷିପ୍ତ ହୋଇ ରହିଛି । ଭଗ୍ନ ମୃତ୍‍ପାତ୍ରର ଯେଉଁ ଅଂଶ ଯେଉଁଠାରେ ଲାଗିବାର କଥା, ଠିକ୍ ସେହି ଜାଗାରେ ଖପରାଗୁଡ଼ିକ ଯୋଡ଼ିଦେଲେ, ପ୍ରାଚୀନ ମୃତ୍‍ପାତ୍ର ପୁଣି ପୂର୍ବର ଆକାର ଫେରିପାଏ, ଅନ୍ୟଥା ଏହା କଦାପି ପୁନର୍ଗଠିତ ହୋଇପାରେ ନାହିଁ । ଇତିହାସର ପୁନର୍ଗଠନ ଠିକ୍ ମୃତ୍‍ପାତ୍ରର ପୁନର୍ଗଠନ ଭଳି ଗୋଟିଏ କଷ୍ଟସାଧ୍ୟ କାର୍ଯ୍ୟ, କିନ୍ତୁ ଓଡ଼ିଶାର କେତେକ ପଣ୍ଡିତ ଏପରି ଭାବପ୍ରବଣ ଯେ ଇତିହାସର ଯେଉଁ ସ୍ଥାନରେ ଯେଉଁ ଉପାଦାନଟି ଖାପ ଖାଇବ ନାହିଁ, ସେହି ସ୍ଥାନରେ ମଧ୍ୟ ତାକୁ ବଳପୂର୍ବକ ଯୋଡ଼ିବା ପାଇଁ ଚେଷ୍ଟାକରନ୍ତି । ଯେଉଁମାନେ ଅନୈତିହାସିକ, ସେମାନେ ମଧ୍ୟ ବଳପୂର୍ବକ ଐତିହାସିକ ଭୂମିକା ଗ୍ରହଣ କରୁଛନ୍ତି । ଲକ୍ଷ୍ୟ କଲେ ଜଣାଯାଏ ଯେ ଓଡ଼ଶାର ଅନେକ ବିଶିଷ୍ଟ ସାହିତ୍ୟିକ ଓ ଐତିହାସିକର ଭୂମିକା ଗ୍ରହଣ କରିଛନ୍ତି । ଏକାଧାରରେ ସାହିତ୍ୟିକ ଓ ଐତିହାସିକ ହେବା ଅସମ୍ଭବ କଥା ନୁହେଁ; ମାତ୍ର ଉଭୟ ବିଷୟ ପାଇଁ ସମସାଧନା ଆବଶ୍ୟକ । ଓଡ଼ିଶାର ଯେଉଁ ବିଶିଷ୍ଟ ସାହିତ୍ୟିକମାନେ ଐତିହାସିକର ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କର ଓଡ଼ିଶା ଇତିହାସରେ ସ୍ଥୂଳଜ୍ଞାନ ଥିବାର ପ୍ରମାଣ ସେମାନଙ୍କ ଲେଖାରୁ ମିଳେ ନାହିଁ । ଅତଏବ ଜଣାଯାଏ ସେ ସାହିତ୍ୟ-କ୍ଷେତ୍ରରେ ଲାଭ କରିଥିବା ଖ୍ୟାତିର ସୁଯୋଗ ନେଇ ଏମାନେ ଇତିହାସକ୍ଷେତ୍ରରେ ବଳପୂର୍ବକ ଅନୁପ୍ରବେଶ କରୁଛନ୍ତି ।

 

ଗତ ୨୫/୩୦ ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖିବା ପାଇଁ ଯେଉଁ ପ୍ରଚେଷ୍ଟା ଚାଲିଆସିଛି ଏବଂ ଗବେଷଣାର ଯେଉଁ ଧାରା ଓ ମାନ ସୃଷ୍ଟି କରାଯାଇଛି, ସେସବୁ ଅନୁଧ୍ୟାନ କଲେ ଗଭୀର ନୈରାଶ୍ୟ ଜାତ ହୁଏ । ଏ ସବୁର ଆଭିମୁଖ୍ୟ ନ ବଦଳାଇଲେ ଆସନ୍ତା ପଚିଶ ବର୍ଷ ମଧ୍ୟରେ ସୁଦ୍ଧା ଓଡ଼ିଆମାନଙ୍କ ଦ୍ୱାରା ଲିଖିତ ଓଡ଼ିଶାର ଇତିହାସ ଓ ଓଡ଼ିଶାର ଐତିହାସିକ ଗବେଷଣା ଆନ୍ତର୍ଜାତିକ କ୍ଷେତ୍ରରେ ସମ୍ମାନିତ ଆସନ ପାଇପାରିବ ନାହିଁ ।

 

ଓଡ଼ିଶା-ମିଉଜିୟମ୍ ବା ସଂଗ୍ରହାଳୟ

 

ଓଡ଼ିଶାରେ ମିଉଜିୟମ୍‍ କେବେ ଆରମ୍ଭ ହୋଇଥିଲା, ତାହାର ନିର୍ଦ୍ଦିଷ୍ଟ ତାରିଖ କହିବା ମୋ ପକ୍ଷରେ ସମ୍ଭବପର ହେଉନାହିଁ, କିନ୍ତୁ ୧୯୩୧ ମସିହାରେ ମୁଁ ଯେତେବେଳେ ପ୍ରଥମ ବାର୍ଷିକ ଛାତ୍ରରୂପେ ରେଭେନ୍‍ସା କଲେଜରେ ପ୍ରବେଶ କଲି, ସେତେବେଳେ ରେଭେନ୍‍ସା କଲେଜରେ ମିଉଜିୟମ୍ ଆରମ୍ଭ ହୋଇଯାଇଥିଲା । ସ୍ୱର୍ଗତ ଇତିହାସ ଅଧ୍ୟାପକ ନିର୍ମଳଚନ୍ଦ୍ର ବାନାର୍ଜୀ କେତେଗୁଡ଼ିଏ ପ୍ରାଚୀନ ମୂର୍ତ୍ତି ଓ କେତେଗୁଡ଼ିଏ ପ୍ରାଚୀନ ମୁଦ୍ରା ସଂଗ୍ରହ କରି ମିଉଜିୟମ୍‍ ଆରମ୍ଭ କରି ଦେଇଥିଲେ ଏବଂ ଆମ୍ଭମାନଙ୍କ ମଧ୍ୟରୁ ଜଣଜଣକୁ ସେକ୍ରେଟେରୀ ରୂପେ ନିଯୁକ୍ତ କରୁଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକଗୁଡ଼ିଏ ମୂର୍ତ୍ତି ଓ ବହୁ ମୂଦ୍ରା ସଂଗ୍ରହ କରି ମିଉଜିୟମକୁ ନିର୍ଦ୍ଦିଷ୍ଟ ରୂପ ଦେଇଥିବାରୁ ବ୍ରିଟିଶ ସରକାର ତାଙ୍କୁ ରାୟସାହେବ ଉପାଧିରେ ଭୂଷିତ କରିଥିଲେ । ତାଙ୍କ ପରେ ସ୍ୱର୍ଗତ ଅଧ୍ୟାପକ ଘନଶ୍ୟାମ ଦାସ ମଧ୍ୟ କେତେଗୁଡ଼ିଏ ମୂର୍ତ୍ତି ସଂଗ୍ରହ କରି ମିଉଜିୟମର ଅଭିବୃଦ୍ଧି କରିଥିଲେ । ସ୍ୱର୍ଗତ ବାନାର୍ଜୀ ଓ ସ୍ଵର୍ଗତ ଦାସ ଉଭୟେ ଅବୈତନିକ ଭାବରେ କାର୍ଯ୍ୟ କରି ମିଉଜିୟମର ଶ୍ରୀବୃଦ୍ଧି କରିଥିଲେ । ଏହାପରେ ୧୯୪୭ ମସିହାରେ ଓଡ଼ିଶା ସରକାର ମୋତେ କ୍ୟୁରେଟର ରୂପେ ନିଯୁକ୍ତ କଲେ ଓ ଏହାର ଅଳ୍ପକାଳ ମଧ୍ୟରେ ମିଉଜିୟମଟି ଭୁବନେଶ୍ୱରର ଗୋଟିଏ ଭଡ଼ାଘରକୁ ସ୍ଥାନାନ୍ତରିତ ହୋଇଥିଲା । ୧୯୫୦ ମସିହା ବେଳକୁ ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ, ଶ୍ରୀ ସତ୍ୟନାରାୟଣ ରାଜଗୁରୁ, ସ୍ୱର୍ଗତ ବିପିନ ବିହାରୀ ନାଥ ଓ ଶ୍ରୀ କେଦାରନାଥ ମହାପାତ୍ର ମିଉଜିୟମର ବିଭିନ୍ନ ପଦରେ ନିଯୁକ୍ତ ହେଲେ । ୧୯୫୧ ମସିହାରେ ମୁଁ ମୋର ମୌଳିକ ଲେକ୍‍ଚାରର କାମକୁ ଫେରିଆସିଲି । ଏହା ପରେ ମିଉଜିୟମଟି ନବନିର୍ମିତ ସୁରମ୍ୟ ଅଟ୍ଟାଳିକାକୁ ସ୍ଥାନାନ୍ତରିତ ହୋଇ ସ୍ଥାୟୀଭାବରେ ସେହିଠାରେ ରହିଆସିଛି । ଏହା ମଧ୍ୟରେ ମିଉଜିୟମର ଅଭିବୃଦ୍ଧି ଘଟିଛି । ଏହାର ଆଉ ଦୁଇ-ତିନୋଟି ସେକ୍‍ସନ୍ ଖୋଲାଯାଇଛି, ମିଉଜିୟମ୍ ତରଫରୁ ଗୋଟିଏ ତ୍ରୈମାସିକ ଇଂରାଜୀ ଗବେଷଣା ପତ୍ରିକା ବାହାରିଛି, ବାରିପଦାର ଗବେଷଣା-ପୁସ୍ତକାଗାରକୁ ମିଉଜିୟମର ପୁସ୍ତକାଗାରରେ ମିଶାଇ ଦିଆଯାଇଥିବାରୁ ଏହା ଓଡ଼ିଶାର ସର୍ବପ୍ରଧାନ ଗବେଷଣା ପୁସ୍ତକାଗାରରେ ପରିଣତ ହୋଇଛି ।

 

ମୋଟ ଉପରେ ଗତ ପଚିଶବର୍ଷ ମଧ୍ୟରେ ମିଉଜିୟମର ଉଲ୍ଲେଖଯୋଗ୍ୟ ଉନ୍ନତି ଘଟିଛି, କିନ୍ତୁ ବ୍ୟୟ ଓ କର୍ମଚାରୀ ସଂଖ୍ୟା ଯେପରି ଭାବରେ ବଢ଼ିଚାଲିଛି, ତାହା ଅନୁପାତରେ ମିଉଜିୟମର ଅଭିବୃଦ୍ଧି ଗତକରି ପାରିନାହିଁ । ଓଡ଼ିଶାରେ ମିଉଜିୟମ୍‍ରେ ରକ୍ଷଣୀୟ ପଦାର୍ଥ ଏତେ ସହଜଲଭ୍ୟ ଯେ ଅନ୍ୟତ୍ର ଯାହା ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସଂଗୃହୀତ ହୋଇପାରିବ ନାହିଁ, ଏଠାରେ ତାହା ହଜାରେ ଟଙ୍କାରେ ସଂଗୃହୀତ ହୋଇପାରିବ । ଲେଖକ ଏହା କାର୍ଯ୍ୟରେ ଦେଖାଇଥିଲା । ଲେଖକ ପ୍ରାୟ ତିନିବର୍ଷ ସ୍ୱାଧୀନଭାବରେ କ୍ୟୁରେଟର କାର୍ଯ୍ୟ କରିଥିଲା । ଏହି ସମୟ ମଧ୍ୟରେ ମିଉଜିୟମରେ କ୍ୟୁରେଟର ଛଡ଼ା ଜଣେ କିରାନୀ ଓ ଜଣେ ପିଅନ ନିଯୁକ୍ତି ପାଇଥିଲେ ଓ ଅନୁଷ୍ଠାନଟିର ସର୍ବବ୍ୟୟ ବାବଦ ସରକାର ବାର୍ଷିକ ଏକହଜାର ମାତ୍ର ଟଙ୍କା ଦେଉଥିଲେ । ତଥାପି ଏହି ସମୟ ମଧ୍ୟରେ କେବଳ ଭୁବନେଶ୍ୱର ଓ ତା’ର ଉପକଣ୍ଠରୁ ପ୍ରାୟ ଦୁଇଶତ ପ୍ରାଚୀନ ମୂର୍ତ୍ତି ଓ କାରୁକଳା-ଖଚିତ ସ୍ଥାପତ୍ୟାଂଶ ସଂଗୃହୀତ ହୋଇପାରିଥିଲା ଏବଂ Archaeological Remains at Bhubaneswar ନାମକ ଗ୍ରନ୍ଥ ଓ ବହୁ ପ୍ରବନ୍ଧ ଲେଖିବା ପାଇଁ ଲେଖକକୁ ସୁଯୋଗ ମିଳିଥିଲା । ଆଜି ମିଉଜିୟମର ପ୍ରଥମ ସ୍ଥାପୟିତା ସ୍ୱର୍ଗତ ଅଧ୍ୟାପକ ବାନାର୍ଜୀଙ୍କ ନାମ କେହି ସ୍ମରଣ କରନ୍ତି ନାହିଁ, କିମ୍ବା ତାଙ୍କ ନାମ ମିଉଜିୟମର ପ୍ରଥମ ରିପୋର୍ଟରେ ସ୍ଥାନ ପାଇନାହିଁ । ତାଙ୍କ ପରେ ଯେ ମିଉଜିୟମଟି ପ୍ରଭୂତ ଉନ୍ନତି କଲା, ତାର ନାମ ମଧ୍ୟ କେହି ଉଚ୍ଚାରଣ କରନ୍ତି ନାହିଁ ।
 

ମିଉଜିୟମରେ ଯେଉଁ ପ୍ରଶାସନିକ ଅସଙ୍ଗତି ୧୯୫୦ ମସିହାରୁ ଚାଲିଆସିଛି, ହୁଏ ତ ତାହା ହିଁ ବର୍ତ୍ତମାନର କର୍ମଚାରୀମାନଙ୍କ ମଧ୍ୟରେ ଶିଥିଳତା ସୃଷ୍ଟି କରୁଛି । ୧୯୫୦ ବେଳକୁ ମିଉଜିୟମର ଗେଜେଟେଡ଼୍ କର୍ମଚାରୀ ସଂଖ୍ୟା ଥଲା ୬, ମାତ୍ର ଏମାନଙ୍କ ମଧ୍ୟରେ ସମସ୍ତେ ଦ୍ୱିତୀୟ ଶ୍ରେଣୀର କର୍ମଚାରୀ । ୧୯୭୨ ବେଳକୁ ମିଉଜିୟମ୍‍ର ଗେଜେଟେଡ଼୍‍ କର୍ମଚାରୀ ସଂଖ୍ୟା ଆହୁରି ବେଶି ବୃଦ୍ଧି ପାଇଛି, ଅଥତ ଏମାନେ ସମସ୍ତେ ହେଉଛନ୍ତି ଦ୍ୱିତୀୟ ଶ୍ରେଣୀର କର୍ମଚାରୀ । ଏମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ପ୍ରଥମ ବା ଦ୍ୱିତୀୟ ଶ୍ରେଣୀର ଏମ.ଏ. ଡିଗ୍ରୀଧାରୀ; ଏଣୁ ଏମାନଙ୍କ ମଧ୍ୟରୁ ଅନେକେ କଲେଜ ଲେକ୍‍ଚାରର ହୋଇପାରିଥାନ୍ତେ । ଏମାନଙ୍କ ମଧ୍ୟରୁ କେତେକ ବିଶେଷ ତାଲିମପ୍ରାପ୍ତିରେ ବର୍ଷେ କିମ୍ୱା ଦୁଇବର୍ଷ ସମୟ ମଧ୍ୟ ବ୍ୟୟ କରିଛନ୍ତି । ଏହି ଗେଜେଟେଡ଼୍‍ ଅଫିସରମାନଙ୍କ ସହକାରୀରୂପେ ଅଛନ୍ତି ପ୍ରଥମ କିମ୍ୱା ଦ୍ୱିତୀୟ ଶ୍ରେଣୀ ଏମ. ଏ. ଡିଗ୍ରୀଧାରୀ ନନ୍‍ଗେଜେଟେଡ୍, ଗେଲାରୀ ଆସିଷ୍ଟାଣ୍ଟ ଓ ଗାଇଡ଼୍ ଲେକ୍‍ଚାରର । ମାତ୍ର ଏତେଗୁଡ଼ିଏ ଉଚ୍ଚ ଡିଗ୍ରୀଧାରୀ ତରୁଣ-ତରୁଣୀ କର୍ମଚାରୀଙ୍କ ସମ୍ମୁଖରେ ପଦୋନ୍ନତିର କୌଣସି ଆଶା ନାହିଁ । ଜଣେ ଲେକ୍‍ଚାରର ଦଶବର୍ଷ ମଧ୍ୟରେ ରିଡ଼ର ହୋଇ ପାରନ୍ତି ଓ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଫେସର, ପ୍ରିନ୍‍ସିପାଲ୍‍, ଓ ଡି. ପି. ଆଇ. ହେବାର ଆଶା ମଧ୍ୟ ପୋଷଣ କରିପାରନ୍ତି । ମାତ୍ର ଜଣେ ବିଶେଷ ତାଲିମପ୍ରାପ୍ତ ମିଉଜିୟମ୍‍ କର୍ମଚାରୀଙ୍କ ଦ୍ୱିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀକୁ ଉନ୍ନୀତ ହେବାର କୌଣସି ଆଶା ନାହିଁ । ସରକାରଙ୍କ ସମସ୍ତ ବିଭାଗରେ ପଦୋନ୍ନତିର ବ୍ୟବସ୍ଥା ଥିବାବେଳେ କେବଳ ମିଉଜିୟମରେ ସାମ୍ୟବାଦ ପ୍ରଚାର କଲେ ଚଳିବ କିପରି ?

 

ଏହି କାରଣରୁ ମିଉଜିୟମ୍ କର୍ମଚାରୀମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଓ ଶିଥିଳତା ସୃଷ୍ଟିହୋଇଛି । ଏହି କର୍ମଚାରୀମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ତରୁଣ, ସମସ୍ତେ ସମଶ୍ରେଣୀୟ ଓ ସମସ୍ତେ ସମବେତନଭୋଗୀ । ଅତଏବ କେହି କାହାରିକୁ ବୟୋବୃଦ୍ଧ, ଜ୍ଞାନବୃଦ୍ଧ ବା ଉଚ୍ଚବେତନଭୋଗୀ ବୋଲି ମାନନ୍ତି ନାହିଁ । ଏମାନଙ୍କ ମଧ୍ୟରେ ଶୃଙ୍ଖଳା ଏହିପରି ଭାବରେ ଭାଙ୍ଗିପଡ଼ୁଛି ଓ ଏମାନଙ୍କ ମଧ୍ୟରୁ କେତେକ ବକ୍ରଗତି କରି ରାଜନୀତିର ଆଶ୍ରୟ ନେଉଛନ୍ତି । ମିଉଜିୟମ୍‍ରେ ଯେଉଁ କର୍ମଚାରୀମାନେ ଅଛନ୍ତି, ସେମାନେ ମିଉଜିୟମ୍‍ର ଅଭିବୃଦ୍ଧି କରିବା ପାଇଁ ଅକ୍ଷମ, କିମ୍ୱା ଗବେଷଣା ପାଇଁ ଅନୁପଯୁକ୍ତ, ଏ କଥା ମୁଁ କହିବି ନାହିଁ । ଏମାନଙ୍କ ସମ୍ମୁଖରେ କୌଣସି ଆଶା ଓ ଆଦର୍ଶ ନ ଥିବାରୁ ଏମାନଙ୍କ ସମବେତ ଓ ବ୍ୟକ୍ତିଗତ ପ୍ରଚେଷ୍ଟା ପଙ୍ଗୁ ହୋଇ ପଡ଼ୁଛି । ନଚେତ୍ ଏମାନେ ହିଁ ମିଉଜିୟମ୍‍ର ଶ୍ରୀବୃଦ୍ଧି କରିବା ସଙ୍ଗେ ସଙ୍ଗେ ମିଉଜିୟମ୍‍ରୁ ପ୍ରକାଶିତ ତ୍ରେମାସିକ ଇଂରଜୀ ପତ୍ରିକାଟିକୁ ସମସ୍ତ ଉପାଦାନ ଯୋଗାଇ ପାରନ୍ତେ । ଏହି ପତ୍ରିକାଟିର ପ୍ରକାଶର ସମସ୍ତ ବ୍ୟୟ ସରକାର ବହନ କରନ୍ତି ଓ ଏହି ପତ୍ରିକା ପାଇଁ ଯେଉଁମାନେ ପ୍ରବନ୍ଧ ଲେଖନ୍ତି, ସେମାନଙ୍କୁ ଯଥେଷ୍ଟ ଭାବରେ ପାରିତୋଷିକ ଦିଅନ୍ତି । ତଥାପି ପତ୍ରିକାଟି ବର୍ତ୍ତମାନ ମ୍ରିୟମାଣ ଅବସ୍ଥାକୁ ଆସିଛି । ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରକାଶିତ ଗବେଷଣା ପତ୍ରିକାମାନ ସରକାରଙ୍କ ସାମାନ୍ୟ ସାହାଯ୍ୟ ପାଇ ସୁରୁଖୁରୁରେ ଚାଲିଥିବାବେଳେ ସର୍ବସୁବିଧା ସତ୍ତ୍ୱେ ଓଡ଼ିଶାର ଏକମାତ୍ର ଇଂରାଜୀ ଗବେଷଣା ପତ୍ରିକା କାହିଁକି ମ୍ରିୟମାଣ ଅବସ୍ଥାରେ ପହଞ୍ଚିଛି, ତାହାର କାରଣ ଅନୁସନ୍ଧାନ କରିବା ବିଧେୟ ।

ମିଉଜିୟମ୍ ସମେତ ସମଗ୍ର ସାଂସ୍କୃତିକ ବିଭାଗରେ ଜଣେ ଆଇ. ଏ. ଏସ୍. ଅଫିସର ଡିରେକ୍‍ଟର ରୂପେ କାର୍ଯ୍ୟ କରନ୍ତି । ସାଂସ୍କୃତିକ ବିଭାଗରେ ଜଣେ ଆଇ.ଏ.ଏସ୍, ଅଫିସରଙ୍କୁ ରଖିବାରେ ଯଦି ସରକାରଙ୍କ ପ୍ରଶାସନିକ ସୁବିଧା ଘଟୁଛି, ତେବେ ସେଥିରେ ଆପତ୍ତି କରିବାର କାରଣ ନାହିଁ । ଜାଆଁଳ ବଢ଼ୁଥିବା ପୋଖରୀରେ ବାଳିଆକୁ ଜଗୁଆଳି କରିବା ଅପେକ୍ଷା ଅନ୍ୟ କୌଣସି ଜୀବକୁ ଜଗୁଆଳି କରିବା ଭଲ: କିନ୍ତୁ ଏହି ଆଇ. ଏ. ଏସ୍‍, ଡିରେକ୍ଟରଙ୍କୁ ଘନ ଘନ ବଦଳି କରିବା କଦାପି ଉଚିତ ନୁହେଁ । ଗତ ପାଞ୍ଚବର୍ଷ ମଧ୍ୟରେ ସାଂସ୍କୃତିକ ବିଭାଗରେ ଚାରିଜଣ ଆଇ. ଏ. ଏସ୍. ଅଫିସର ଡିରେକ୍ଟର ରୂପେ କାର୍ଯ୍ୟ କରିଛନ୍ତି । ଏମାନଙ୍କର ଯେଉଁ ଅନେକ ଗୁରୁଦାୟିତ୍ୱ ଥାଏ, ସେଥିମଧ୍ୟରୁ ସାଂସ୍କୃତିକ ବିଭାଗ ଅନ୍ୟତମ । ଅତଏବ ଏ ବିଭାଗରେ ଅଭିଜ୍ଞତା ଅର୍ଜନ ପାଇଁ ଏମାନେ ସୁବିଧା ଓ ସମୟ ପାଇପାରନ୍ତି ନାହିଁ । ଏ ଦିଗ ପ୍ରତି ଧ୍ୟାନଦେବା ନିତାନ୍ତ ଆବଶ୍ୟକ ।

 

ପ୍ରଚୁର ଐତିହାସିକ ଉପାଦାନ, ପ୍ରଚୁର ପ୍ରାଚୀନ ଗ୍ରନ୍ଥ, ପ୍ରଚୁର ଖନିଜ ପଦାର୍ଥ, ପ୍ରଚୁର ବନ୍ୟଜନ୍ତୁ, ପ୍ରଚୁର ନୃତତ୍ତ୍ୱସମ୍ପଦ, ପ୍ରଚୁର କାରୁକଳା ଇତ୍ୟାଦିରେ ଭରପୁର ହୋଇ ଓଡ଼ିଶା ରାଜ୍ୟଟି ଗୋଟିଏ ମିଉଜିୟମ ପରି ହୋଇଛି । ଏ ରାଜ୍ୟରେ ମିଉଜିୟମର ସ୍ଥାନ ପାଇବା ଭଳି ଉପାଦାନମାନଙ୍କ ସହଜଲଭ୍ୟଭା ପୃଥିବୀର ଅନ୍ୟତ୍ର ବିରଳ । ଏହି ରାଜ୍ୟରେ ମିଉଜିୟମଟିର ଗତ ପଚିଶବର୍ଷ ମଧ୍ୟରେ ଯେଉଁ ଅଭିବୃଦ୍ଧି ଘଟିଛି, ତାହା ତାହାର ସମ୍ପଦ ଅନୁରୂପ ନ ହେଲେ ମଧ୍ୟ ନୈରାଶ୍ୟଜନକ ହୋଇନାହିଁ ।

 

ଉତ୍କଳ ବିଦ୍ୟାଳୟ

 

ଏ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ସଙ୍ଗେ ସଙ୍ଗେ ୧୯୪୩ ମସିହାରୁ ଏଠାରେ କେତେଗୁଡ଼ିଏ ସାଂସ୍କୃତିକ ଯୋଜନା ଚାଲିଆସିଛି । ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ପ୍ରଣୟନ ଏହା ମଧ୍ୟରୁ ଗୋଟିଏ । ଏ ସମ୍ବନ୍ଧରେ ଆଗରୁ ଆଲୋଚନା କରାଯାଇଥିବାରୁ ଏଠାରେ ପୁନରାବୃତ୍ତି ଅନାବଶ୍ୟକ । ୧୯୪୩ ମସିହାରୁ ଓଡ଼ିଆରେ ଜ୍ଞାନକୋଷ ପ୍ରଣୟନର ପ୍ରଚେଷ୍ଟା ମଧ୍ୟ ଚାଲିଆସିଛି-। କିନ୍ତୁ ଏ ଦିଗରେ ଯେଉଁ ଅଗ୍ରଗତି ହୋଇଛି, ତାହା ନିତାନ୍ତ ନୈରାଶ୍ୟଜନକ । ଏହି ଯୋଜନାର ବହୁବର୍ଷ ପରେ ଶ୍ରୀଯୁକ୍ତ ବିନୋଦ କାନୁନ୍‍ଗୋ ଅସୀମ ଧୈର୍ଯ୍ୟ, ସାହସ ଓ ପରିଶ୍ରମ ସହିତ ଓଡ଼ିଆ ଜ୍ଞାନକୋଷ ପ୍ରଣୟନରେ ଯେଉଁ ଅଗ୍ରଗତି ଦେଖାଇଛନ୍ତି, ତାହା ଅତୁଳନୀୟ କହିଲେ ଚଳେ । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ଞାନକୋଷ ପ୍ରଣୟନ ପଙ୍ଗୁ ଅବସ୍ଥାରେ ପଡ଼ିରହିଛି । ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ସମୟଠାରୁ ଜ୍ଞାନବିଜ୍ଞାନ ପରିଷଦ ନାମକ ଆଉ ଗୋଟିଏ ଗବେଷଣାର ମାଧ୍ୟମ ମଧ୍ୟ ଚାଲିଆସିଛି, ମାତ୍ର ଏହାର ଫଳ ନିତାନ୍ତ ନୈରାଶ୍ୟଜନକ ହୋଇଛି । ଲେଖକ ନିଜ ଅଭିଜ୍ଞତାରୁ ଜାଣେ ଯେ ଜ୍ଞାନବିଜ୍ଞାନ ପରିଷଦର ଆନୁକୂଲ୍ୟରେ ଖଣ୍ଡିଏ ଛୋଟ ବହି ପ୍ରକାଶ କରିବା ପାଇଁ ଅନ୍ତତଃ ଦଶବର୍ଷ ଲାଗେ । ପ୍ରଶାସନିକ କଳର ନିଷ୍କ୍ରିୟତା ଲେଖକମାନଙ୍କର ହତୋତ୍ସାହତାର କାରଣ ବୋଲି ଧରାଗଲେ ଅନ୍ୟାୟ ହେବ କି ?

 

ଗତ ୨୯ ବର୍ଷ ହେଲା ଯେଉଁ ସାଂସ୍କୃତିକ ଯୋଜନାଗୁଡ଼ିକ ଚାଲିଆସିଛି, ସେଗୁଡ଼ିକରୁ କାହିଁକି ସୁଫଳ ମିଳୁନାହିଁ, ଏହାର ଅନୁସନ୍ଧାନ ପାଇଁ ସିନେଟ୍ ବା ସିଣ୍ଡିକେଟ୍‍ ତରଫରୁ କମିଟିମାନ ବସିବା ନିତାନ୍ତ ଆବଶ୍ୟକ । ଗତ ୨୯ ବର୍ଷ ମଧ୍ୟରେ ବିଭିନ୍ନ ବିଷୟରେ ଏମ୍.ଏ. ଓ ଏମ. ଏସ୍‍ ସି, କ୍ଲାସମାନ ଖୋଲାଯାଇ ଶିକ୍ଷାୟତନର ପ୍ରଭୁତ ବିକାଶ କରାଯାଇଛି; ମାତ୍ର ଏହି ସମୟ ମଧ୍ୟରେ ଗବେଷଣା ମାଧ୍ୟମରେ ଯେଉଁ ଗୁଣାତ୍ମକ ସାଂସ୍କୃତିକ ବିକାଶ କରାଯାଇଛି, ତାହା ନିତାନ୍ତ ନୈରାଶ୍ୟଜନକ ହୋଇଛି । ଏଣୁ ଏହି ସମୟଠାରୁ କିମ୍ୱା ଏ ସମୟ ପରେ ଭାରତର ଅନ୍ୟାନ୍ୟ ଅଞ୍ଚଳମାନଙ୍କରେ ଯେଉଁ ବିଶ୍ୱବିଦ୍ୟାଳୟମାନ ସ୍ଥାପିତ ହୋଇଛି, ସେଗୁଡ଼ିକର ଗୁଣାତ୍ମକ ବିକାଶ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ବିକାଶକୁ ତୁଳନା କଲେ ହତାଶ ହେବାକୁ ପଡ଼େ । ସିନେଟ୍‍ ଓ ସିଣ୍ଡିକେଟ୍‍ରେ କ୍ଷୂଦ୍ରାଦପି କ୍ଷୂଦ୍ର ବିଷୟ ମଧ୍ୟ ଆଲୋଚିତ ହୋଇଥାଏ; କିନ୍ତୁ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଏହି ସର୍ବପୂରାତନ ବିଶ୍ୱବିଦ୍ୟାଳୟଟିରେ ଯେଉଁ ସାଂସ୍କୃତିକ ବିକାଶ ଚାଲିଛି, ତାକୁ କେହି ଥରେ ସିଂହାବଲୋକନ ମଧ୍ୟ କରନ୍ତି ନାହିଁ । ବିଳମ୍ୱ ହେଲେ ମଧ୍ୟ କେହି ବା କେତେକ ସହୃଦୟ ମେମ୍ୱର ଏହା କରିବେ କି ? ମନ୍ଦିର ତିଆରି କରିବା ସହଜ, ମାତ୍ର ମଣିଷ ତିଆରି କରିବା ସହଜ ନୁହେଁ । ଭାରତର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଉଭୟ ତିଆରି କରୁଛନ୍ତି; କିନ୍ତୁ ଆମ ବିଶ୍ୱବିଦ୍ୟାଳୟମାନ କେବଳ ମନ୍ଦିର ତୋଳି ଚାଲିଛନ୍ତି । ଏଥିପାଇଁ ଓଡ଼ିଶା ଓ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ବିଭେଦ ଏତେ ବେଶି । କୌଣସି କୌଣସି କୃତୀ ପୁରୁଷ ଭଗୀରଥ ପରି ସେମାନଙ୍କ ଅଞ୍ଚଳର ଭାଗ୍ୟ ପରିବର୍ତ୍ତନ କରିଦେଇଛନ୍ତି । ସାର ଆଶୁତୋଷ ମୁର୍ଖାର୍ଜୀଙ୍କୁ ବଙ୍ଗଦେଶର ସାଂସ୍କୃତିକ କ୍ଷେତ୍ରରେ ଭାଗ୍ୟବିଧାତା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଜୟଦେବ-ବିବାଦ

 

ଗୀତଗୋବିନ୍ଦର ରଚୟିତା କବି ଜୟଦେବ ଓଡ଼ିଶାରେ କିମ୍ବା ବଙ୍ଗଦେଶରେ ଜନ୍ମଗ୍ରହଣ କରିଥିଲେ, ଏ ବିଷୟ ନେଇ ଅର୍ଦ୍ଧଶତାବ୍ଦୀରୁ ଅଧିକ ହେଲା ଓଡ଼ିଆ ଓ ବଙ୍ଗାଳୀମାନଙ୍କ ମଧ୍ୟରେ ବିବାଦ ଚାଲିଆସିଛି । ନିକଟରେ ଏହି ବିବାଦ ଓଡ଼ିଶାରେ ତେଜିଉଠିଛି । ବଙ୍ଗାଳୀ ପଣ୍ଡିତମାନଙ୍କ ମଧ୍ୟରୁ ଯେଉଁମାନେ ସତ୍ୟନିଷ୍ଠ, ସେମାନେ ସ୍ୱୀକାର କଲେଣି ଯେ ଜୟଦେବ ବଙ୍ଗଦେଶର କବି ନୁହନ୍ତି । ମାତ୍ର ଅନ୍ୟାନ୍ୟ ବଙ୍ଗୀୟ ପଣ୍ଡିତ ଜୟଦେବଙ୍କୁ ବଙ୍ଗଦେଶର କବି ବୋଲି ବହୁ ଗ୍ରନ୍ଥରେ ଲେଖିଯାଇଛନ୍ତି । ଓଡ଼ିଆ ଗ୍ରନ୍ଥ ଲେଖକମାନଙ୍କ ସଂଖ୍ୟା ନଗଣ୍ୟ, ମାତ୍ର ବଙ୍ଗାଳୀଗ୍ରନ୍ଥ-ଲେଖକମାନଙ୍କ ସଂଖ୍ୟା ସର୍ବାଧିକ । ଏପରି ସ୍ଥଳେ ଭାରତବାସୀ ତଥା ବିଶ୍ୱବାସୀ ଅଦ୍ୟାପି ଜାଣନ୍ତି ସେ କବି ଜୟଦେବ ବଙ୍ଗ ଦେଶରେ ଜନ୍ମଗ୍ରହଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୟଦେବ ଓଡ଼ିଆ ହୁଅନ୍ତୁ ବା ବଙ୍ଗାଳୀ ହୁଅନ୍ତୁ, ତାଙ୍କର ଅମରକୃତି ଗୀତଗୋବିନ୍ଦ କେବଳ ଓଡ଼ିଶା ବା ବଙ୍ଗର ସମ୍ପତ୍ତି ନ ହୋଇ ଭାରତ ତଥା ବିଶ୍ୱର ସମ୍ପତ୍ତି ହୋଇଯାଇଛି ।

 

ଏଣୁ ଜୟଦେବ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ସମ୍ବନ୍ଧରେ ଯେଉଁ ଯୁକ୍ତିମାନ ଅଛି, ସେଗୁଡ଼ିକୁ ଭାରତର ତଥା ବିଶ୍ୱର ପଣ୍ଡିତମାନଙ୍କ ସମ୍ମୁଖରେ ବିଧିବଦ୍ଧଭାବରେ ଉପସ୍ଥାପିତ କରିବାକୁ ପଡ଼ିବ । ଏ ବିଷୟଟିର ଆଲୋଚନା ବଙ୍ଗାଳୀ ଓ ଓଡ଼ିଆମାନଙ୍କ ମଧ୍ୟରେ ସୀମାବଦ୍ଧ ରହିଲେ କେବଳ ବିଦ୍ୱେଷ ହିଁ ସାର ହେବ, କାରଣ ଜୟଦେବ ସମ୍ବନ୍ଧୀୟ ଦାବି ଉଭୟଙ୍କ ମଧ୍ୟରୁ କେହି ଛାଡ଼ିବାକୁ ରାଜି ହେବେ ନାହିଁ । ଉପାୟକୁ ଉଦ୍ଦେଶ୍ୟର ଅନୁସାରେ କରିବାକୁ ପଡ଼େ, ନଚେତ୍ ଉଦ୍ଦେଶ୍ୟ ସିଦ୍ଧ ହୁଏ ନାହିଁ । ମାତ୍ର ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଜୟଦେବ ସମ୍ବନ୍ଧୀୟ ଯେଉଁ ଆଲୋଚନା ବା ଆନ୍ଦୋଳନ କରାଯାଇଛି, ତାହା ମୁଖ୍ୟତଃ ଓଡ଼ିଶାର ଚତୁଃସୀମା ମଧ୍ୟରେ ହିଁ ଆବଦ୍ଧ ରହି ତୀବ୍ର ବଙ୍ଗ-ବିଦ୍ୱେଷ ଓ ଉଗ୍ର ଓଡ଼ିଆତ୍ୱ ସୃଷ୍ଟି କରିଛି । ଜୟଦେବ ବଙ୍ଗବାସୀ କିମ୍ବା ଓଡ଼ିଶାବାସୀ ଥିଲେ, ଏହାର ରାୟ କେବଳ ଭାରତ ଓ ବିଶ୍ୱର ପଣ୍ଡିତମାନେ ଦେଇପାରିବେ, ଓଡ଼ିଶାର ପଣ୍ଡିତମାନେ ବା ଓଡ଼ିଶା ସରକାର ଏହାର ରାୟ ଦେଇପାରିବେ ନାହିଁ । ଗବେଷଣା-କ୍ଷେତ୍ରରେ ଭାବପ୍ରବଣତା ପ୍ରତିପାଦ୍ୟ ବିଷୟରେ ଗୁରୁତ୍ୱ ଓ ସତ୍ୟତା କ୍ଷୁର୍ଣ୍ଣ କରେ । ଓଲୁ ଓକିଲମାନେ ଭାବପ୍ରବଣ ହୋଇ, ହାତଗୋଡ଼ ହଲାଇ, ବହୁ ଅବାନ୍ତର କଥା କହି, ଟଣା-ଓଟରା ଯୁକ୍ତି ବାଢ଼ି ଓ ଜାଲ୍‍ ନଥିପତ୍ର ଯୋଗାଡ଼ କରି ଜିଣିଯିବା ଭଳି କେସ୍‍ରେ ମଧ୍ୟ ହାରନ୍ତି । ଗବେଷଣା କ୍ଷେତ୍ରରେ ମଧ୍ୟ ଏହିପରି ଘଟେ ।

 

ନିକଟରେ ଜୟଦେବଙ୍କୁ ଓଡ଼ିଶାର କବି ବୋଲି ପ୍ରମାଣ କରିବା ପାଇଁ ଯେଉଁ ପ୍ରଚେଷ୍ଟା ଓ ଗବେଷଣା ହୋଇଯାଇଛି, ତାହା ଅନେକାଂଶରେ ଭାବପ୍ରବଣତା ଉପରେ ହିଁ ପ୍ରତିଷ୍ଠିତ ହୋଇଛି-। ଜୟଦେବଙ୍କ ସମ୍ବନ୍ଧରେ ଓଡ଼ିଶା ସରକାରଙ୍କ ତରଫରୁ ଯେଉଁ ଇଂରାଜୀ ସ୍ମାରକ ଗ୍ରନ୍ଥ ବା ସୋଭେନିର୍‍ ବାହାରିଲା, ସେଥିରେ ଥିବା ପ୍ରବନ୍ଧମାନ ପ୍ରବନ୍ଧ ପ୍ରତିଯୋଗିତାରେ ମିଳିଥିବା ପ୍ରବନ୍ଧମାନଙ୍କ ପରି ହୋଇଛି । ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧରେ ଯାହାକୁ ଯେଉଁ ଯୁକ୍ତି ଜଣାଥିଲା, ଆତ୍ମପ୍ରଚାରର ପ୍ରଲୋଭନ ପରିତ୍ୟାଗ କରି ସମସ୍ତେ ଯଦି ସ୍ୱ-ସ୍ୱ ଯୁକ୍ତିଗୁଡ଼ିକୁ ସମ୍ପାଦକ ଡକ୍‍ଟର ନବୀନ କୁମାର ସାହୁଙ୍କୁ ଦେଇଥାନ୍ତେ, ତେବେ ସେ ଯୁକ୍ତିମାନଙ୍କ ମଧ୍ୟରୁ କେଉଁଟି ଦୃଢ଼, କେଉଁଟି ଅବାନ୍ତର ତାହା ସ୍ଥିର କରିବା ପରେ ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧରେ ସେ ଗୋଟିଏ ଯୁକ୍ତିଯୁକ୍ତ ପୁସ୍ତକ ବା ପୁସ୍ତିକା ଲେଖିପାରିଥାନ୍ତେ, ଏବଂ ହୁଏ ତ ତାହା ହିଁ ବିଶ୍ୱର ପଣ୍ଡିତମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥାନ୍ତା । ଏହି ସ୍ମାରକ ଗ୍ରନ୍ଥରେ ସନ୍ନିବେଶିତ ହୋଇଥିବା ମନ୍ତ୍ରୀ-ଦ୍ୱୟଙ୍କ ନିଷ୍ପତ୍ତିମୂଳକ ଅଭିମତ ଗ୍ରନ୍ଥଟିରେ ପ୍ରାମାଣିକ ମୂଲ୍ୟ ନିର୍ଦ୍ଦିଷ୍ଟ ଭାବରେ କ୍ଷୂର୍ଣ୍ଣ କରୁଛି ଓ ଏହାକୁ ରାଜନୀତି ସହିତ ସଶ୍ଳିଷ୍ଟ କରୁଛି । ଓଡ଼ିଆ ପଣ୍ଡିତମାନେ ଜୟଦେବଙ୍କୁ ଓଡ଼ିଶାର ଅଧିବାସୀ ବୋଲି ପ୍ରମାଣ କରିପାରିଛନ୍ତି କି ନା, ଏହାର ସିଦ୍ଧାନ୍ତ ଭାରତୀୟ ଓ ବିଦେଶୀୟ ପଣ୍ଡିତମାନେ ହିଁ କରିବେ । ଓଡ଼ିଆ ପଣ୍ଡିତମାନଙ୍କ ବା ଓଡ଼ିଶାର ରାଜନୀତିକ ନେତାମାନଙ୍କ ମୁଖରେ ଏ ସିଦ୍ଧାନ୍ତ ଶୋଭାପାଉ ନାହିଁ । ଓଡ଼ିଶାର ରାଜନୀତିକ ନେତାମାନଙ୍କ ଏ ସିଦ୍ଧାନ୍ତ ସମ୍ବନ୍ଧୀୟ ନିଷ୍ପତ୍ତିମୂଳକ ଅଭିମତ ଓଡ଼ିଶାର ପ୍ରଚେଷ୍ଟାକୁ ବରଞ୍ଚ ସନ୍ଦେହଯୁକ୍ତ କରୁଛି । ମୁଦ୍ରଣ-ପରିପାଟୀ ଅସୁନ୍ଦର ହୋଇଥିବାରୁ ଏବଂ ଏଥିରେ ବହୁ ଭାଷାଦୋଷ ଓ ମୁଦ୍ରଣଦୋଷ ଥିବାରୁ ଗ୍ରନ୍ଥଟି ସର୍ବତ୍ର ଆଦୃତ ଓ ବିକ୍ରୀତ ହେବାର ଅବସ୍ଥାକୁ ଆସିପାରି ନାହିଁ ।

 

ଏଠାରେ ଏହା ସ୍ମରଣ କରିବା ଉଚିତ ଯେ ଭାରତ ବା ପୃଥିବୀର ପଣ୍ଡିତମାନେ ବଙ୍ଗାଳୀ-ଓଡ଼ିଆ ବିବାଦକୁ ଶୁଣିବା ପାଇଁ ବା ପଢ଼ିବା ପାଇଁ ଅଗ୍ରହୀହୋଇ ବସିନାହାନ୍ତି, କିନ୍ତୁ ଜୟଦେବଙ୍କ ଗୀତଗୋବିନ୍ଦ ସମ୍ବନ୍ଧୀୟ କୌଣସି ନୂତନତ୍ୱ ବାହାରିଲେ ତାହା ଦେଖିବା ପାଇଁ ଓ ପଢ଼ିବା ପାଇଁ ସେମାନେ ନିଶ୍ଚୟ ଆଗ୍ରହୀ ଅଛନ୍ତି । ସଂସ୍କୃତ ଗ୍ରନ୍ଥମାନଙ୍କ ଆଦର ଖାଲି ଭାରତରେ ନୁହେଁ, ପୃଥିବୀର ସମସ୍ତ ସଭ୍ୟ ଦେଶରେ ଅଛି । ଓଡ଼ିଶା ମିଉଜିୟମରେ ସପ୍ତଦଶ ଶତାବ୍ଦୀର ପୁରୀ ରାଜା ହରେକୃଷ୍ଣ ଦେବଙ୍କ ଅମଳର ବହୁ ସୁନ୍ଦର ରଙ୍ଗିନ୍‍ ଚିତ୍ରସମ୍ବଳିତ ଗୀତଗୋବିନ୍ଦର ଗୋଟିଏ ତାଳପତ୍ର ପୋଥି ରହିଛି । ଏହି ପୋଥିଟିକୁ ଯଥାଯଥ ଭାବରେ ସମ୍ପାଦନା କରି ସୁନ୍ଦର ଭାଷା, ସୁନ୍ଦର ମୁଦ୍ରଣ ପରିପାଟୀ ଓ ରଙ୍ଗୀନ୍‍ ଚିତ୍ରମାନଙ୍କ ସହିତ ପ୍ରକାଶ କଲେ ଏହାର ଅଭିନବତ୍ୱ ଏହାକୁ ପୃଥିବୀରେ ଆଦୃତ କରିବ । ଜୟଦେବଙ୍କ ଓଡ଼ିଶା-ଅଧିବାସୀତ୍ୱ ସମ୍ବନ୍ଧରେ ଯେଉଁ ବଳିଷ୍ଠ ଯୁକ୍ତିମାନ ଅଛି, ସେଗୁଡ଼ିକୁ ଏହି ଗ୍ରନ୍ଥର ମୁଖବନ୍ଧରେ ସହଜ, ସରଳ ଓ ସଂକ୍ଷିପ୍ତ ଭାବରେ ପ୍ରକାଶ କଲେ ପୃଥିବୀର ପଣ୍ଡିତମାନେ ଗୀତଗୋବିନ୍ଦର ଅଭିନବତ୍ୱ ଉପଭୋଗ କରିବା ସଙ୍ଗେ ସଙ୍ଗେ ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧରେ ସେମାନଙ୍କ ପୂର୍ବମତ ବଦଳାଇ ପାରିବେ ।

 

ଏହା ହିଁ ହେଲା ଉଦ୍ଦେଶ୍ୟସାଧନର ପନ୍ଥା; କିନ୍ତୁ ଜୟଦେବଙ୍କୁ ଓଡ଼ିଶାର ଅଧିବାସୀ ବୋଲି ପ୍ରମାଣ କରିବା ପାଇଁ ଅଦ୍ୟାପି ଯାହା କରାଯାଇଛି, ତାହା ହେଉଛି ପରିପ୍ରଚାରର ପନ୍ଥା । ଲକ୍ଷ୍ୟ କଲେ ଜଣାଯାଏ ଯେ ଯେଉଁ ବିଷୟମାନଙ୍କ ସହିତ ବିବାଦ ବା ବିଦ୍ୱେଷ ସଂଶ୍ଲିଷ୍ଟ ହୋଇଛି, ସେହି ବିଷୟଗୁଡ଼ିକ ହିଁ ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ ହୋଇ ପଡ଼ୁଛି; କିନ୍ତୁ ଯେଉଁ ବିଷୟମାନଙ୍କ ଗବେଷଣା ପାଇଁ କଠିନ ସାଧନା ଆବଶ୍ୟକ, ସେଗୁଡ଼ିକ କାହାରି ଆଖିରେ ପଡ଼ୁନାହିଁ । ବିବାଦ ସହିତ ସଂଶ୍ଲିଷ୍ଟ ହୋଇଥିବାରୁ ଅନନ୍ତବାସୁଦେବ ମନ୍ଦିର ସମ୍ୱନ୍ଧରେ ବହୁ ଆନ୍ଦୋଳନ, ବହୁ ଆଲୋଚନା ଓ ବହୁ ଲେଖା ବର୍ଷ ବର୍ଷ ଧରି ଚାଲିଲା; ମାତ୍ର ଓଡ଼ିଶାର ଗାଁଗହଳିରେ ଓ ବଣଜଙ୍ଗଲରେ ଆଉ ଯେଉଁ ଶତ ଶତ ପ୍ରାଚୀନ ମନ୍ଦିର ପଡ଼ିରହିଛି, ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସମ୍ୱନ୍ଧରେ କେହି ପ୍ରାଥମିକ ବିବରଣୀଟିଏ ମଧ୍ୟ ପ୍ରକାଶ କଲେ ନାହିଁ । ବିବାଦ ସହିତ ସଂଶ୍ଲିଷ୍ଟ ହୋଇଥିବାରୁ କବି ଜୟଦେବଙ୍କ ବାସସ୍ଥାନ ସମ୍ୱନ୍ଧରେ ବହୁ ଆନ୍ଦୋଳନ, ବହୁ ଆଲୋଚନା ଓ ବହୁ ଲେଖା ବର୍ଷ ବର୍ଷ ଧରି ଚାଲିଲା; ମାତ୍ର ଓଡ଼ିଶାର ଆଉ ଯେଉଁ ବହୁ ସଂସ୍କୃତ ଗ୍ରନ୍ଥାକାର ଅଛନ୍ତି, ସେମାନଙ୍କ ସମ୍ୱନ୍ଧରେ ଅନୁରୂପ ଆଲୋଚନା ଦୂରେ ଥାଉ, ସେମାନଙ୍କୁ କେହି ସ୍ମରଣ ମଧ୍ୟ କଲେ ନାହିଁ । ନିକଟରେ ଡକ୍‍ଟର ଶରତଚନ୍ଦ୍ର ବେହେରା ତାମ୍ରାଶାସନମାନଙ୍କରୁ ବହୁ ତଥ୍ୟ ସଂଗ୍ରହ କରି ପ୍ରମାଣ କରିଛନ୍ତି ଯେ ବିଖ୍ୟାତ ପଞ୍ଚତନ୍ତ୍ରର ରଚୟିତା ବିଷ୍ଣୁଶର୍ମା ଓଡ଼ିଶାର ଅଧିବାସୀ ଥିଲେ । ଏ ସମ୍ୱନ୍ଧୀୟ ତାଙ୍କ ପ୍ରବନ୍ଧ କଲିକତାରେ ବିଖ୍ୟାତ Indian Historical Quaterly ରେ ପ୍ରକାଶ ପାଇଛି ଓ ଏହା ବିରୁଦ୍ଧରେ କେହି ପ୍ରତିବାଦ କରିନାହାନ୍ତି । ମୋର ଅନୁରୋଧକ୍ରମେ ଡକ୍‍ଟର ବେହେରା ଏହାର ଏକ ଓଡ଼ିଆ ଅନୁବାଦ ମଧ୍ୟ ପୌରୁଷ ପତ୍ରିକାରେ ପ୍ରକାଶ କରିଛନ୍ତି । ପଞ୍ଚତନ୍ତ୍ର ସଂସ୍କୃତ ସାହିତ୍ୟର ଗୋଟିଏ ଯୁଗାନ୍ତକାରୀ ଗ୍ରନ୍ଥ ଏବଂ ଏହି ଗ୍ରନ୍ଥ ପଶ୍ଚିମ-ପ୍ରାଚ୍ୟ ଦେଶମାନଙ୍କୁ ଆଦର୍ଶ ଯୋଗାଇ ସେଠାରେ ଆରବ୍ୟ କାହାଣୀମାଳା ଓ ପାରସ୍ୟ କାହାଣୀମାଳା ପ୍ରଭୃତି ବିଖ୍ୟାତ ଗ୍ରନ୍ଥମାନଙ୍କ ସୃଷ୍ଟିର କାରଣ ହୋଇଥିଲା । ମାତ୍ର ବିଷ୍ଣୁଶର୍ମା ବା ପଞ୍ଚତନ୍ତ୍ର କୌଣସି ବିବାଦ ବା ବିଦ୍ୱେଷ ସହିତ ଜଡ଼ିତ ହୋଇ ନଥିବାରୁ ଏହି ବିଶ୍ୱବିଖ୍ୟାତ ଗ୍ରନ୍ଥ ଓ ଗ୍ରନ୍ଥାକାରଙ୍କ ପ୍ରତି ଓଡ଼ିଶାର ଜନସମାଜ ବା ସରକାରଙ୍କ ଦୃଷ୍ଟି ପଡ଼ିଲା ନାହିଁ । ଓଡ଼ିଶାରେ ବୁଦ୍ଧଦେବଙ୍କ ଜନ୍ମ ପ୍ରଭୃତି ଉଦ୍ଭଟ ବିଷୟମାନଙ୍କୁ ଆଲୋଡ଼ନ କରାଯାଇ ମଧ୍ୟ ପ୍ରଭୂତ ଭାବପ୍ରବଣତା ସୃଷ୍ଟି କରାଯାଉଛି । ମୋଟ ଉପରେ ଗବେଷଣା କେବଳ ପରିପ୍ରଚାରର ମାଧ୍ୟମ ହୋଇଛି ଏବଂ ଚାଲାକ୍‍ ଓ କୁହାଳିଆ ଲୋକମାନେ ଏହାର ସୁଯୋଗ ନେଇ ସରକାର ତଥା ଜନସମାଜକୁ ବିଭ୍ରାନ୍ତ କରୁଛନ୍ତି । କେହି କୌଣସି କୃଷକର କିଆରୀଟିଏ ମାରିନେଲେ, କୃଷକ ନିଶ୍ଚୟ ମକଦ୍ଦମା କରେ; କିନ୍ତୁ କେବଳ ଏହି ମକଦ୍ଦମାରେ ଲିପ୍ତ ହୋଇ ତାହାର ଅନ୍ୟାନ୍ୟ ଜମିକୁ ପଡ଼ିଆ ରଖେ ନାହିଁ । ଓଡ଼ିଶାର ଅଧିକାଂଶ ଗବେଷକ ସବୁ ସମୟରେ ମକଦ୍ଦମାରେ ଲିପ୍ତ ରହି ଓଡ଼ିଶାର ବିଶାଳ ଜମିଦାରିକୁ ପଡ଼ିଆ ପକାଇବାର ବ୍ୟବସ୍ଥା କରୁଛନ୍ତି ।

 

ସଂସ୍କୃତରେ ଗୋଟିଏ କଥା ଅଛି–‘‘ବିଦ୍ୟା ବାଦାୟ’’। ଓଡ଼ିଶାରେ ବିବାଦରୁ ବିଦ୍ୟା ସୃଷ୍ଟି ନ ହୋଇ ବିଦ୍ୱେଷ ସୃଷ୍ଟି ହେଉଛି । ବିଦ୍ୱେଷ କୌଣସି ଦେଶ ବା ଜାତିକୁ ବଡ଼ କରିପାରେ ନାହିଁ । ଯଦି ପ୍ରତିଯୋଗିତା ବିଦ୍ୱେଷର ସ୍ଥାନ ଅଧିକାର କରେ, ତେବେ କୌଣସି ଦେଶ ବଡ଼ ହୋଇପାରେ-। ଓଡ଼ିଶାରେ ପ୍ରତିଯୋଗିତାର ଚିହ୍ନ ନାହିଁ ।

 

ଭଞ୍ଜଜୟନ୍ତୀ

 

୩୩ ବର୍ଷ ପୂର୍ବେ ଭଞ୍ଜଜୟନ୍ତୀ ଆରମ୍ଭ ହୋଇ ବର୍ତ୍ତମାନ ପୁରପଲ୍ଲୀରେ ବ୍ୟାପ୍ତ ହୋଇ ଯାଇଛି । ଏହାର ଆରମ୍ଭକର୍ତ୍ତା ଥିଲେ ସ୍ୱର୍ଗତ ବିଚ୍ଛନ୍ଦ ଚରଣ ପଟ୍ଟନାୟକ । ‘‘ଭଞ୍ଜସାହିତ୍ୟ’’ ସମ୍ବନ୍ଧରେ ଓଡ଼ିଶାରେ ଦୁଇଟି ବିବଦମାନ ଦଳ ବହୁଦିନରୁ ଝଗଡ଼ା କରି ଆସିଛନ୍ତି । ଦଳେ ଏହାକୁ ସର୍ବଶ୍ରେଷ୍ଠ ସାହିତ୍ୟ ବୋଲି ଘୋଷଣା କରି ପ୍ରଶଂସାମୁଖର ହେଉଥିବାବେଳେ ଅନ୍ୟ ଦଳଟି ଏହା ପ୍ରତି ନିନ୍ଦାମୁଖର ହୋଇପଡ଼ିଛନ୍ତି । ଭଞ୍ଜସାହିତ୍ୟ ଗୋଟିଏ ଐତିହାସିକ ସାମଗ୍ରୀ; ଏଣୁ ଏହାର ମୂଲ୍ୟାବଧାରଣ ଆଧୁନିକ ଦୃଷ୍ଟିରୁ କରାଯାଇ ପାରିବ ନାହିଁ । ଉପେନ୍ଦ୍ର ଭଞ୍ଜ ଖାଲି ଜଣେ ବିଶିଷ୍ଟ କବି ନୁହନ୍ତି, ସେ ଜଣେ ସାହିତ୍ୟ-ଯୁଗର ସ୍ରଷ୍ଟା ମଧ୍ୟ । ଏଣୁ ଓଡ଼ିଆ ସାହିତ୍ୟରେ ତାଙ୍କର ବିଶିଷ୍ଟ ସ୍ଥାନ ସବୁ ସମୟରେ ଥିଲା, ବର୍ତ୍ତମାନ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ । ଭଞ୍ଜସାହିତ୍ୟରେ ଯାହାକୁ ଅଶ୍ଲୀଳତା ବୋଲି କୁହାଯାଉଛି, ତାହା ଏ ସାହିତ୍ୟର ଐତିହାସିକ ଚିହ୍ନ । କୋଣାର୍କ-ମନ୍ଦିର ଅନୁରୂପ ଚାକ୍ଷୁସ ଐତିହାସିକ ଚିହ୍ନ ବହନ କରି ପୃଥିବୀବିଖ୍ୟାତ ହୋଇଛି । କେହି ଏ ମନ୍ଦିରକୁ ଡାଇନାମାଇଟ୍‍ ଦେଇ ଉଡ଼ାଇ ଦେବାକୁ କହୁନାହାନ୍ତି, ବରଞ୍ଚ ଏହାର ଆଦର ବିଶ୍ୱରେ ଦିନକୁ ଦିନ ବଢ଼ି ଚାଲିଛି ।

 

ଭଞ୍ଜସାହିତ୍ୟର ନିନ୍ଦୁକମାନଙ୍କୁ ମୋର କିଛି କହିବାର ନାହିଁ । କାରଣ ସେମାନେ କିଛିଦିନ ନିନ୍ଦା କରି ବର୍ତ୍ତମାନ ନୀରବ ହୋଇଯାଇଛନ୍ତି । କିନ୍ତୁ ଭଞ୍ଜସାହିତ୍ୟର ପ୍ରଶଂସକମାନଙ୍କୁ ପ୍ରଶଂସା କରିବାର କୌଣସି କାରଣ ମିଳୁ ନାହିଁ । ସ୍ୱର୍ଗତ ବିଚ୍ଛନ୍ଦ ପଟ୍ଟନାୟକ ଭଞ୍ଜସାହିତ୍ୟ ସମ୍ବନ୍ଧରେ କେତେକ କାର୍ଯ୍ୟ କରିଯାଇଛନ୍ତି, ମାତ୍ର ତାଙ୍କର ଶିଷ୍ୟ-ପ୍ରଶିଷ୍ୟମାନେ ଭଞ୍ଜସାହିତ୍ୟକୁ କେବଳ ଆତ୍ମ ପ୍ରଚାରର ମାଧ୍ୟମରୂପେ ଗଢ଼ିତୋଳିଛନ୍ତି । ଅନ୍ୟ କଥା ଦୂରେ ଥାଉ, ଏହି ୩୩ ବର୍ଷ ମଧ୍ୟରେ ଭଞ୍ଜଙ୍କ ଗ୍ରନ୍ଥାବଳୀଟି ମଧ୍ୟ ପ୍ରକାଶିତ ହୋଇପାରିଲା ନାହିଁ । ଏଣୁ ଭଞ୍ଜଙ୍କ ସାହିତ୍ୟକୁ ସମଗ୍ର ଭାବରେ ଅଧ୍ୟୟନ ବା ଅନୁଶୀଳନ କରିବାର ସୁବିଧା ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରିଲା ନାହିଁ-। ଭଞ୍ଜଙ୍କ କେତେକ ଗ୍ରନ୍ଥ ଲୋପ ପାଇବାକୁ ବସିଲାଣି: ହୁଏ ତ ଲୋପ ପାଇଲାଣି । ଆଈମା ଅମଳରେ ଭଞ୍ଜଙ୍କ ଯେଉଁ ଦଶ ବାରଟି ଚୌପଦୀ ଗୀତ ହେଉଥିଲା, ବର୍ତ୍ତମାନ ମଧ୍ୟ ସେହି ଦଶବାରଟି ମାତ୍ର ପ୍ରଚଳିତ ହେଉଛି । ଭଞ୍ଜଙ୍କ ଅନ୍ୟାନ୍ୟ ବହୁ ସଙ୍ଗୀତ ଲୋପପାଉଛି ଏବଂ ଯାହା ମଧ୍ୟ ବାକି ଅଛି, ସେଗୁଡ଼ିକୁ ସ୍ୱର ଦେବା ପାଇଁ କେହି ଚେଷ୍ଟା କରୁନାହାନ୍ତି । ଏତେ ପରିଶ୍ରମ କରୁଛି କିଏ ? କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ନାମ ଧରିଦେଲେ ତ ସମସ୍ତ ଦ୍ଵାର ଉନ୍ମୁକ୍ତ ହେଉଛି ଓ କୋଟିଏ ସ୍ରୋତା କାନ ଡେରି ଶୁଣୁଛନ୍ତି । ଭଞ୍ଜଙ୍କ ଏହି ଦଶଟି ସଙ୍ଗୀତ ହୁଏତ ଆହୁରି ୩୦ ବର୍ଷ ଏହିପରି ଗୀତ ହେଉଥିବ ଓ ଇତ୍ୟବସରରେ ତାଙ୍କର ଅନ୍ୟାନ୍ୟ ସଙ୍ଗୀତ ଲୋପ ପାଇଯିବ ।

 

ଭଞ୍ଜଜୟନ୍ତୀ ୩୩ ବର୍ଷ ହେଲା ଚାଲିଆସିଛି ଏବଂ ଏହି ଦୀର୍ଘ ସମୟ ମଧ୍ୟରେ ହୁଏ ତ ତିରିଶ ଲକ୍ଷ ଟଙ୍କା ସମାରୋହରେ ବ୍ୟୟ ହୋଇଛି ଓ ହୁଏତ ଏଥିରେ ତିରିଶ୍‍ ଲକ୍ଷ ଲୋକ ଭାଗ ନେଇଛନ୍ତି; ମାତ୍ର ତିନିଜଣ ବ୍ୟକ୍ତି ମଧ୍ୟ ତାଙ୍କ ସାହିତ୍ୟକୁ ସମଗ୍ର ଭାବରେ ମନପ୍ରାଣ ଦେଇ ପଢ଼ିନାହାନ୍ତି, କିମ୍ବା ଏ ସାହିତ୍ୟ ସମ୍ବନ୍ଧରେ ଓଡ଼ିଆ ବା ଇଂରାଜୀରେ କୌଣସି ପ୍ରାମାଣିକ ଗ୍ରନ୍ଥ ଲେଖିନାହାନ୍ତି । ଅର୍ଥାଭାବ ବା ଅଟ୍ଟାଳିକାର ଅଭାବ ଭଞ୍ଜସାହିତ୍ୟ ଗବେଷଣାରେ ବାଧା ସୃଷ୍ଟି କରୁଛି ବୋଲି କହିଲେ କେହି ମାନିବେ ନାହିଁ । ଭଞ୍ଜପ୍ରେମୀମାନେ ଭଞ୍ଜସାହିତ୍ୟ କଥା ବର୍ଷର ଏଗାର ମାସ ଭୁଲିଯାଆନ୍ତି, କିନ୍ତୁ ଯେଉଁ ମାସରେ ଜୟନ୍ତୀ ସମାରୋହ ହୁଏ, ସେହି ମାସରେ ମୁଖ୍ୟବକ୍ତାମାନେ ଓ ମୁଖ୍ୟକର୍ତ୍ତାମାନେ ଭଞ୍ଜସାହିତ୍ୟରୁ ପଦେ ଅଧେ ପଢ଼ି ମୁଖସ୍ଥ କରିନିଅନ୍ତି । ତା’ ପରେ ଚାଲେ ପାଲାଗାଆଣ ରୀତିରେ ଦୀର୍ଘ ଭାଷଣମାନ ଏବଂ ଏଗୁଡ଼ିକର ପରିସମାପ୍ତିପରେ ନୃତ୍ୟଗୀତ-ବାଦ୍ୟର ଆୟୋଜନ ଶ୍ରୋତାମାନଙ୍କ ମନୋରଞ୍ଜନ କରିଥାଏ । ବକ୍ତାମାନଙ୍କର ଭଞ୍ଜସମ୍ୱନ୍ଧୀୟ ସବୁ ବର୍ଷର ବକ୍ତବ୍ୟ ଏକା ପରି ହୋଇଥାଏ; ଏଥିରେ ନୂତନ କଥା ବା ନୂତନ ଚିନ୍ତା କିଛି ନ ଥାଏ । ଭଞ୍ଜଙ୍କ କୃତି କୋଣାର୍କ ପରି ଅତୁଳନୀୟ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଶ୍ୱକବି ଆଖ୍ୟା ପାଇବାର ଯୋଗ୍ୟ । ଏ ଅଧମ ଓଡ଼ିଆଜାତି ତାଙ୍କ ସାହିତ୍ୟର ମହତ୍ତ୍ୱ ବୁଝିଲା ନାହିଁ ଇତ୍ୟାଦି କଥା ପ୍ରତିବର୍ଷ ଶୁଣି ଶୁଣି ଚିଟା ଲାଗିଲାଣି ! ଭଞ୍ଜଙ୍କୁ ବିଶ୍ୱକବି ଆଖ୍ୟାଦେବା ଆଗରୁ ତାଙ୍କ ସାହିତ୍ୟର ମହତ୍ତ୍ୱକୁ ସେ ବିଶ୍ୱବାସୀଙ୍କୁ ଦେଖାଇବାକୁ ହେବ, ଏ କଥା କଅଣ ଭଞ୍ଜପ୍ରେମୀମାନେ ବୁଝନ୍ତି ନାହିଁ ? ଭଞ୍ଜ ବଞ୍ଚିଥିଲେ, ତାଙ୍କ ନିନ୍ଦୁକମାନଙ୍କ ଅତ୍ୟାଚାରରେ ନୁହେଁ, ତାଙ୍କ ସ୍ତାବକମାନଙ୍କ ଅତ୍ୟଚାରରେ ହିଁ ଅଶ୍ରୁ, ବିସର୍ଜନ କରିଥାନ୍ତେ ! ଭଞ୍ଜସାହିତ୍ୟର ମହତ୍ତ୍ୱ ପଚାଶବର୍ଷ ପୂର୍ବେ ଯେତିକି ଥିଲା, ବର୍ତ୍ତମାନ ମଧ୍ୟ ସେତିକି ରହିଛି । କିନ୍ତୁ ଗତ ୩୩ ବର୍ଷ ମଧ୍ୟରେ ତାଙ୍କ ସାହିତ୍ୟର କେତେକାଂଶ ଲୋପପାଇଛି ।

 

ସାରଳାଦାସଙ୍କ ଶ୍ରାଦ୍ଧ-ଦିବସ

 

୨୫ ।୨୭ ବର୍ଷ ହେବ ଆଦିକବି ସାରଳାଦାସଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇ ଆସୁଛି । ଏହା ଉଞ୍ଜଜୟନ୍ତୀ ପରି ବେଶି ଜନପ୍ରିୟ ହୋଇ ନ ଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସାରଳା ସାହିତ୍ୟର ମହତ୍ତ୍ୱ ପ୍ରତିପାଦନ ପାଇଁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇଛି । ୧୯୫୪ ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତିର ଆନୁକୂଲ୍ୟରେ ସାରଳା ସ୍ମରଣିକା ନାମକ ଗ୍ରନ୍ଥ ପ୍ରକାଶିତ ହୋଇଛି । ଏହି ସମିତିର ଆନୁକୂଲ୍ୟରେ 'ଝଙ୍କାର'ରେ ମୋର ‘ସାରଳା ସାହିତ୍ୟର ଐତିହାସିକ ଚିତ୍ର’ ନାମକ ଦୀର୍ଘ ଆଲୋଚନା ଶେଷ ହୋଇ ପ୍ରଜାତନ୍ତ୍ର ପ୍ରେସରୁ ପୁସ୍ତକାକାରରେ ପ୍ରକାଶିତ ହୋଇଛି । ଏହି ସମୟ ମଧ୍ୟରେ ‘ସାରଳା-ସାହିତ୍ୟ’ ସମ୍ବନ୍ଧୀୟ ବହୁ ଉପାଦେୟ ପ୍ରବନ୍ଧମାନ ବଭିନ୍ନ ଲେଖକ ପ୍ରକାଶ କରିଛନ୍ତି । ସର୍ବୋପରି ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ସାରଳାଦାସଙ୍କ ବିରାଟ ମହାଭାରତ ୧୯୬୩ ମସିହାରୁ ମୁଦ୍ରିତ ହୋଇଛି । ଅତି ନିକଟରେ Sarala Das ଶୀର୍ଷକ ଇଂରାଜୀ ପୁସ୍ତକଟିଏ ମୋ ଦ୍ୱାରା ଲିଖିତ ହୋଇ ନୂଆଦିଲ୍ଲୀସ୍ଥ ସାହିତ୍ୟ ଏକାଡ଼େମୀ ତରଫରୁ ପ୍ରକାଶିତ ହୋଇଛି ।

 

ସର୍ବଶେଷରେ ଆଉ ଗୋଟିଏ କଥା କହିବା ନିତାନ୍ତ ଆବଶ୍ୟକ ମନେହେଉଛି । ମୃତ ମନୀଷୀମାନଙ୍କ ପୂଜା ସବୁ ଦେଶରେ ଓ ଓଡ଼ିଶାରେ ମଧ୍ୟ ହେବା ଆବଶ୍ୟକ । ଓଡ଼ିଶାରେ ମୃତ କୃତିସନ୍ତାନମାନଙ୍କ ପ୍ରକୃତ ପୂଜା ବା ସେମାନଙ୍କ କୃତିର ପ୍ରକୃତ ମୂଲ୍ୟାବଧାରଣ ତ ହେଉନାହଁ, କିନ୍ତୁ ଏମାନଙ୍କୁ ମାଧ୍ୟମ କରି ଅନେକେ ଆତ୍ମପ୍ରଚାର ଚଲାଇଛନ୍ତି । ମୃତ କୃତିସନ୍ତାନମାନଙ୍କ କୃତିତ୍ୱ ସମ୍ବନ୍ଧରେ ଯେଉଁମାନଙ୍କର କୌଣସି ଜ୍ଞାନ ନାହିଁ ଓ ଯେଉଁମାନେ ଆଜନ୍ମ ଅଲେଖକ, ସେମାନେ ମଧ୍ୟ ପ୍ରଚାର ପାଇଁ ପ୍ରଶଂସାମୁଖର ହୋଇପଡ଼ନ୍ତି ଓ କୃତି ମୃତବ୍ୟକ୍ତିମାନଙ୍କୁ ଗୋରୁମୁଣ୍ଡ ପରି ପ୍ରଗତିପଥରେ ଥୋଇଦିଅନ୍ତି । ଅମୁକ ବ୍ୟକ୍ତି ଅମୁକ ବିଷୟରେ ଏକମାତ୍ର ବିଶେଷଜ୍ଞ ଥିଲେ ଓ ତାଙ୍କ ମୃତ୍ୟୁ ପରେ ସେ ବିଷୟରେ ଆଉ କେହି ବିଶେଷଜ୍ଞ ନାହାନ୍ତି, ଏପରି ମନ୍ତବ୍ୟ ମୃତ ବା ଜୀବିତ ବ୍ୟକ୍ତିମାନଙ୍କ ପ୍ରତି ପ୍ରକୃତ ନ୍ୟାୟ ହୁଏ ନାହଁ । ମୋଟ କଥା, ପ୍ରଚାର ହଁ ସର୍ବସାଂସ୍କୃତିକ କ୍ଷେତ୍ରରେ ଚକ୍ର ପରି ଘୂରୁଛି । ଏହାର ଗତି ସ୍ତିମିତ ନ କଲେ ସଂସ୍କୃତିର ପ୍ରକୃତ ପ୍ରଗତି ହୋଇପାରିବ ନାହିଁ । ଭୟଙ୍କରୀ ଯଶୋଲିପ୍‍ସା ସର୍ବସାଂସ୍କୃତିକ କ୍ଷେତ୍ରରେ ଦିଗମ୍ୱରୀ ହୋଇ ପ୍ରବେଶ କରୁଥିବାରୁ ସାଧନା ଲଜ୍ଜାରେ ମୁହଁ ଲୁଚାଇ ଚାଲିଯାଉଛି ।

Image

 

Unknown

ଅଷ୍ଟମ ପରିଚ୍ଛେଦ

ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ଗତିଧାରା

 

୧୫୪୦ ଖ୍ରୀଷ୍ଟାବ୍ଦରେ ଗଜପତି ପ୍ରତାପରୁଦ୍ରଦେବ ପ୍ରାଣତ୍ୟାଗ କରିବା ପରେ ଓଡ଼ିଶାର ରାଜନୀତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘୋର ବିଶୃଙ୍ଖଳା ଉପସ୍ଥିତ ହୋଇଥିଲା । ପରବର୍ତ୍ତୀ ଭୋଇ ରାଜତ୍ୱରେ ଗୃହବିବାଦ, କଳହ, ହତ୍ୟା, ଗୁପ୍ତହତ୍ୟାର କଳଙ୍କମୟ ଆରମ୍ଭ ହୋଇ ୧୫୬୮ ଖ୍ରୀଷ୍ଟାବ୍ଦରେ ମୁକୁନ୍ଦଦେବଙ୍କ ହତ୍ୟାରେ ଓ ଓଡ଼ିଶାରେ ମୁସଲମାନ ରାଜତ୍ୱର ପ୍ରାରମ୍ଭରେ ତାର ପରିସମାପ୍ତି ଘଟିବା ସଙ୍ଗେ ସଙ୍ଗେ ଓଡ଼ିଶାର ସ୍ୱାଧୀନତା-ରବି ଅସ୍ତମିତ ହୋଇଥିଲା । ପଠାଣ, ମୋଗଲ, ମରହଟ୍ଟା ଓ ବ୍ରିଟିଶ୍‍ ରାଜତ୍ୱରେ ଓଡ଼ିଶା ବୋଲି କେବଳ ଗୋଟାଏ ଭୌଗୋଳିକ ନାମ ଥିଲେ ହେଁ ଓଡ଼ିଆଭାଷୀମାନେ ବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜରେ ବିଚ୍ଛିନ୍ନ ଓ ବିକ୍ଷିପ୍ତ ହୋଇ ରହିଥିଲେ । ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଓଡ଼ିଆଭାଷୀମାନେ ବସବାସ କରୁଥିଲେ ହେଁ ଓଡ଼ିଶା ସହିତ ସେମାନଙ୍କ ସାଂସ୍କୃତିକ ସମ୍ବନ୍ଧ ଶିଥିଳ ଥିଲା ଓ ରାଜନୀତିକ ସମ୍ୱନ୍ଧ ଆଦୌ ନ ଥିଲା । ଓଡ଼ିଶାର ରାଜାମହାରାଜାମାନେ ଓଡ଼ିଆ ସଂସ୍କୃତି ପାଇଁ ଯାହା କରୁଥିଲେ, ତାହା ସେମାନଙ୍କ ଦୟାର ଦାନରୂପେ ପରିଗଣିତ ହେଉଥିଲା । କଟକ, ପୁରୀ ଓ ବାଲେଶ୍ୱର ଅଞ୍ଚଳ ଓଡ଼ିଶା ନାମରେ ଖ୍ୟାତ ହେଉଥିଲେ ହେଁ, ଏ ଅଞ୍ଚଳରେ ସୁଦ୍ଧା ଓଡ଼ିଆମାନଙ୍କର କୌଣସି ପ୍ରକାର କର୍ତ୍ତୃତ୍ୱ ନ ଥିଲା । ସମସ୍ତ ପ୍ରକାର ବାଣିଜ୍ୟ, ସରକାରୀ ଚାକିରି ଓ ପ୍ରାୟ ସମସ୍ତ ଜମିଦାରି ଅଣଓଡ଼ିଆମାନଙ୍କ ହସ୍ତଗତ ହୋଇଥିଲା । ଏହି କ୍ଷୁଦ୍ର ଅଞ୍ଚଳଖଣ୍ଡିକ ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷର ସର୍ବଦା ଲୀଳାଭୂମି ହୋଇଥିଲା । ମଧ୍ୟବିତ୍ତଶ୍ରେଣୀ ଏହି ଅଞ୍ଚଳରୁ ତଥା ଗଡ଼ଜାତ ଅଞ୍ଚଳରୁ ପ୍ରାୟ ନିଶ୍ଚିହ୍ନ ହୋଇଯାଇଥିଲେ । ଦିନମଜୁରିଆ ଓ ଦରିଦ୍ର କୃଷକମାନେ କଲିକତା, ଆସାମ ଓ ବ୍ରହ୍ମଦେଶକୁ ପଳାଇଯାଇ ପ୍ରାଣରକ୍ଷା କରୁଥିଲେ ।

 

ମଧ୍ୟବିତ୍ତଶ୍ରେଣୀ ହିଁ ସମାଜର ମେରୁଦଣ୍ଡ । ଓଡ଼ିଶାରୁ ଏ ଶ୍ରେଣୀ ଲୋପ ପାଇଥିବାରୁ ଓଡ଼ିଆ ସଂସ୍କୃତିର ପ୍ରଗତି ଅତ୍ୟନ୍ତ ମନ୍ଥର ହୋଇ ପଡ଼ିଥିଲା ଓ ଓଡ଼ିଆମାନେ ଶିକ୍ଷା ଓ ସାଂସ୍କତିକ କ୍ଷେତ୍ରରେ ଅନ୍ୟ ଭାଷାଭାଷୀମାନଙ୍କ ବହୁ ପଛରେ ପଡ଼ିଯାଇଥିଲେ । କାଳର କ୍ରୁର ଚକ୍ରାନ୍ତରେ ଓଡ଼ିଆମାନେ ଏହିପରି ବହୁ ପଛରେ ପଡ଼ିଥିବାବେଳେ ୧୯୩୬ ମସିହାରେ ବ୍ରିଟିଶ ସରକାରଙ୍କ ଦୟାର ଦାନସ୍ୱରୂପ ସେମାନଙ୍କୁ ନୂତନ ପ୍ରଦେଶଟିଏ ମିଳିଥିଲା । ଏହାର ନାମ ଓଡ଼ିଶା ପ୍ରଦେଶ ରଖାଯାଇଥିଲେ ମଧ୍ୟ ଏହା ପ୍ରାକୃତିକ ଓଡ଼ିଶାର ପ୍ରକୃତ ପ୍ରତିନିଧି ନ ଥିଲା । “ନାହିଁ ମାମୁଁଠାରୁ କଣାମାମୁଁ ଭଲ’’–ଏହି ନୀତିରେ ଓଡ଼ିଆମାନେ ଏହାକୁ ଗ୍ରହଣ କରି ନେଇଥିଲେ, କିନ୍ତୁ ଓଡ଼ିଶା ପ୍ରଦେଶରେ ପରିଣତହେବା ସଙ୍ଗେ ସଙ୍ଗେ ସାଂସ୍କୃତିକ କ୍ଷେତ୍ରରେ କୌଣସି ଚମକପ୍ରଦ ପ୍ରଗତି ଘଟି ନ ଥିଲା । ଦୀର୍ଘ ଚାରିଶତାବ୍ଦୀର ଦାରିଦ୍ର୍ୟ, ଦୁର୍ଭିକ୍ଷ, ବନ୍ୟା, ରୋଗ, ଅଶିକ୍ଷା ଓ ହୀନମନ୍ୟତା ମଧ୍ୟରେ ନିଷ୍ପେଷିତ ଓଡ଼ିଆ ୧୯୩୬ ମସିହାରେ ପ୍ରଥମଥର ପାଇଁ ଆଖିମେଲି ଚାହିଁଥିଲା ସତ୍ୟ, କିନ୍ତୁ ପ୍ରତିବେଶୀମାନଙ୍କ ସଙ୍ଗରେ ପାଦମିଳାଇ ଚାଲିବାର ସାମର୍ଥ୍ୟ ତାର ନ ଥିଲା । ୧୯୩୬ ମସିହାରୁ ୧୯୪୭ ମସିହା ମଧ୍ୟରେ କେବଳ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣା ଘଟିଥିଲା, ଯାହା କି ଓଡ଼ିଶାର ସାଂସ୍କୃତିକ ଜୀବନରେ ନୂତନ ସ୍ପନ୍ଦନ ଆଣିଦେଇଥିଲା । ତାହା ହେଉଛି ୧୯୪୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍ଥାପନ । ଏହି ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ସଙ୍ଗେ ସଙ୍ଗେ ସମ୍ବଲପୁର, ବାଲେଶ୍ୱର ଓ ପୁରୀରେ ତିନୋଟି କଲେଜ ମଧ୍ୟ ସ୍ଥାପିତ ହେବାରୁ ଓଡ଼ିଶାରେ ଉଚ୍ଚଶିକ୍ଷାର ଦାରିଦ୍ର୍ୟ କେତେକ ପରିମାଣରେ ହ୍ରାସ ହୋଇଥିଲା । ତଥାପି ସ୍ୱାଧୀନତା ପୂର୍ବରୁ ସାଂସ୍କୃତିକକ୍ଷେତ୍ରରେ ଓଡ଼ିଶା କିପରି ଅନଗ୍ରସର ଥିଲା, ତାହା ଗୋଟିଏ ଉଦାହରଣରୁ ସହଜରେ ଅନୁମିତ ହେବ । ୧୯୪୪ ମସିହାରେ ଦେଖାଯାଇଥିଲା ଯେ ସମଗ୍ର ପ୍ରଦେଶଟିରେ ଗୋଟିଏ ସୁଦ୍ଧା ସାହିତ୍ୟ ପତ୍ରିକା ଜୀବିତ ନ ଥିଲା । ଏଣୁ ବାମଣ୍ଡା ରାଜାଙ୍କ ସାହାଯ୍ୟରେ ଡକ୍‍ଟର ମାୟଧର ମାନସିଂହ ‘ଶଙ୍ଖ’ ନାମକ ଏକମାତ୍ର ପତ୍ରିକା ପ୍ରକାଶ କରିଥିଲେ ।

 

ଓଡ଼ିଶାର ଏହିପରି ଦୈନ୍ୟ ଓ ନୈରାଶ୍ୟ ମଧରେ ୧୯୪୭ ମସିହାରେ ସ୍ୱାଧୀନତା ଆସିଥିଲା । ଓଡ଼ିଶାର ସୌଭଗ୍ୟ ଯେ ସ୍ୱାଧୀନତା ଆସିବା ସଙ୍ଗେ ସଙ୍ଗେ ଓଡ଼ିଆ-ଭାଷୀ ଗଡ଼ଜାତଗୁଡ଼ିକର ଚିରବାଞ୍ଛିତ ସମ୍ମିଶ୍ରଣ ମଧ୍ୟ ଘଟିବାରୁ ଓଡ଼ିଶାର ଆୟତନ ପ୍ରାୟ ଦ୍ୱିଗୁଣିତ ହୋଇଥିଲା । ୧୯୩୬ ମସିହାରେ ଦୁଇକୋଟି ଟଙ୍କା ଆୟ -ବିଶିଷ୍ଟ ଯେଉଁ ନିଅଣ୍ଟିଆ କ୍ଷୁଦ୍ର ଓଡ଼ିଶା ପ୍ରଦେଶ ସଂଗଠିତ ହୋଇଥିଲା, ତାହା ବର୍ତ୍ତମାନ ଭାରତର ମାନଚିତ୍ରରେ ସମ୍ମାନଜନକ ସ୍ଥାନ ପାଇଲା । ଅତଏବ ୧୯୪୭ ମସିହାରେ ଓଡ଼ିଶାରେ ଦୁଇଟି ଯୁଗାନ୍ତକାରୀ ଘଟଣା ଏକ ସଙ୍ଗରେ ଘଟିଥିଲା, ଏବଂ ତଦ୍ଦ୍ୱାରା ଓଡ଼ିଆ ସଂସ୍କୃତିକୁ ପୁନର୍ଜୀବିତ କରିବାର ପଚ୍ଛା ସୁଗମ ହୋଇଥିଲା । ଓଡ଼ିଆମାନଙ୍କର ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକରେ ପୂର୍ଣ୍ଣକର୍ତ୍ତୃତ୍ୱ ଆସିଲା । ଗଡ଼ଜାତ ଓ ମୋଗଲବନ୍ଦୀ ଅଞ୍ଚଳ ମଧ୍ୟରେ ଥିବା ରାଜନୀତିକ ଓ ସାଂସ୍କୃତିକ ଭେଦଭାବ ଦୂରହେଲା । ଶିକ୍ଷାର କ୍ରମ-ପ୍ରସାର ହେତୁ ଧୀରେ ଧୀରେ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ପ୍ରସାର ଘଟିଲା ଏବଂ ସର୍ବୋପରି ଓଡ଼ିଆମାନଙ୍କ ନ୍ୟୁନମନ୍ୟତା ବହୁପରିମାଣରେ ହ୍ରାସପାଇଲା । ୧୯୪୭ ମସିହାରୁ ଓଡ଼ିଶାର ସାଂସ୍କୃତିକକ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆରମ୍ଭ ହେଲା, ତାହାର କ୍ରମବିକାଶ କିପରି ଘଟିଛି ବା ଘଟୁଛି, ଏ ବିଷୟର ସମ୍ୟକ୍ ଆଲୋଚନା ସର୍ବଥା ବିଧେୟ; କିନ୍ତୁ ଏପରି ଆଲେଚନା ପ୍ରାୟ ହେଉନାହିଁ କହିଲେ ଚଳେ । ମୋର ମନେହୁଏ ଯେ ଆମ୍ଭେମାନେ ସମସ୍ତେ ଧାଉଁଛୁ ଓ ଟିକିଏ ଠିଆହୋଇ ସିଂହାବଲୋକନ କରିବା ପାଇଁ ସୁଦ୍ଧା ଆମ୍ଭମାନଙ୍କୁ ସମୟ ମିଳୁନାହିଁ । ଏହାର କାରଣ ଏହି ଯେ, ଆଶୁ ଲାଭ ପାଇଁ ଆମ୍ଭେମାନେ ଅତ୍ୟନ୍ତ ଲାଳାୟିତ ହୋଇ ପଡ଼ୁଛୁ । ଆଜି କିଛି କରିବା, କାଲି ତାର ଫଳସ୍ଵରୂପ ଖବରକାଗଜରେ ନାମ ଦେଖିବା ବା ସଭାସମିତିରେ ପ୍ରଶସ୍ତି ଶୁଣିବା ଆମ୍ଭମାନଙ୍କ ଜୀବନର ପରମ କାମ୍ୟ ହୋଇ ଉଠୁଛି । ସ୍ୱାଧୀନତା ପରଠାରୁ ଓଡ଼ିଶାରେ ଯେ ସାଂସ୍କୃତିକ ବିକାଶ ଘଟିନାହିଁ, ଏ କଥା କେହି କହିବେ ନାହିଁ: କିନ୍ତୁ ଭବିଷ୍ୟତ୍ ଇତିହାସ ସାକ୍ଷ୍ୟଦେବ ଯେ ଏ ଯୁଗର ସାଂସ୍କୃତିକ ବିକାଶ ମୂଖ୍ୟତଃ ପ୍ରଚାରମୂଖି ହୋଇଛି ।

 

କୌଣସି ଦେଶର ଆଧ୍ୟାତ୍ମିକ ବିକାଶ ତାର ସଂସ୍କୃତିର ମାନଦଣ୍ଡ ସ୍ୱରୂପ । ମାନବର ଆଧ୍ୟାତ୍ମିକ ଜୀବନ ହିଁ ତାକୁ ମନୁଷ୍ୟେତର ପ୍ରାଣୀଠାରୁ ପୃଥକ କରିଛି । ଗତ ପଚିଶ ବର୍ଷ ମଧ୍ୟରେ ଓଡ଼ିଆମାନଙ୍କ ଆଧ୍ୟାତ୍ମିକତା, ବୃଦ୍ଧି ପାଇଛି ବୋଲି କହିବା ସମ୍ଭବପର ହେଉନାହିଁ । ଏ ସମୟ ମଧ୍ୟରେ ବହୁ ଧର୍ମସଂସ୍ଥାର ଆବିର୍ଭାବ ଘଟିଛି, ଧର୍ମ-ସମିତି ସ୍ଥାପିତ ହୋଇଛି, ବଡ଼ ଧର୍ମସଭା ପ୍ରାୟ ପ୍ରତ୍ୟହ ଅନୁଷ୍ଠିତ ହେଉଛି, ମାତ୍ର ଏ ସମସ୍ତ ପରିପ୍ରଚାରର ରଥଚକ୍ରରେ ବନ୍ଧାହୋଇ ଚାଲିଥିବାରୁ ଓଡ଼ିଶାରେ ପ୍ରକୃତ ଅଧ୍ୟାତ୍ମିକତାର ବିକାଶ ଘଟୁନାହିଁ । ଭାରତର ଅନ୍ୟାନ୍ୟ ଅଞ୍ଚଳରୁ ଆଗତ ବହୁ ଧର୍ମସମ୍ପ୍ରଦାୟର ପ୍ରଚାରକମାନେ ଓଡ଼ିଶାକୁ କେନ୍ଦ୍ରଭୂମି କରିଛନ୍ତି ଏବଂ ଶିକ୍ଷିତ ଓଡ଼ିଆମାନେ ମଧ୍ୟ ସେମାନଙ୍କ ସହିତ ନିର୍ବିଚାରରେ ଓ ଆଶୁ ଯଶୋଲାଭ ଆଶାରେ ସହଯୋଗ କରୁଛନ୍ତି । ଘରେ ଘରେ ବାବା-ମା’ମାନଙ୍କ, ଦୋକାନ-ବଜାରରେ ସେମାନଙ୍କର ଫଟୋ, ପତ୍ର-ପତ୍ରିକାରେ ସେମାନଙ୍କର ଫଟୋ, ଏପରି କି ଲକେଟ୍‍ ଓ ମୁଦିରେ ମଧ୍ୟ ସେମାନଙ୍କ ଫଟୋମାନଙ୍କୁ ପରିପ୍ରଚାରର ମାଧ୍ୟମରୂପେ ଗ୍ରହଣ କରାଯାଉଛି । ଧର୍ମସମ୍ପ୍ରଦାୟମାନଙ୍କ ସଂସ୍ଥାପକ ଓ ମୁଖ୍ୟପ୍ରଚାରକମାନଙ୍କ ବହୁବିଧ ବାଣୀ ଏବଂ ସେମାନଙ୍କ ସମ୍ବନ୍ଧରେ ବହୁବିଧ ଅତିଭୌତିକ କାହାଣୀ ଘରେ ଘରେ ପୁସ୍ତକାକାରରେ ପ୍ରଚାରିତ ହେଉଛି । ସ୍କୁଲ-କଲେଜର କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଏ ସମସ୍ତ ସହଜଲଭ୍ୟ କରାଯାଇ ସେମାନଙ୍କ ସ୍ୱାଧୀନଚିନ୍ତା ଲୋପ କରାଯାଉଛି-। ବାବା-ମା’ମାନଙ୍କ ଆଶୀର୍ବାଣୀ, ଫୁଲ, ବିଭୂତି ଇତ୍ୟାଦି ବହୁ ଆକାରରେ ବିତରିତ ହେଉଛି । ରାଜନୀତିକ ଦଳମାନେ ଧର୍ମ-ସମ୍ପ୍ରଦାୟମାନଙ୍କୁ ଆଶ୍ରୟ କରି ରାଜନୀତିକ ଫାଇଦା ଉଠାଉଛନ୍ତି । ଧର୍ମସମ୍ପ୍ରଦାୟମାନେ ସର୍ବାଗ୍ରେ ରାଜନୀତିକ ନେତାମାନଙ୍କ ପୂଜା କରୁଛନ୍ତି ଓ ସେମାନଙ୍କ ଧର୍ମପ୍ରଚାରକୁ ଖବରକାଗଜ, ପ୍ରଚାରପତ୍ର, ଡାକବାଜିଯନ୍ତ୍ର ଇତ୍ୟାଦି ସାହାଯ୍ୟରେ ଠିକ୍ ରାଜନୀତିକ ଆକାର ଦେଉଛନ୍ତି ।

 

ମୋଟ ଉପରେ ଓଡ଼ିଶାର ଆଧୁନିକ ଧର୍ମପ୍ରଚାର ରାଜସିକ ଓ ତାମସିକ ଆକାରଧାରଣ କରିଛି । ଯେଉଁମାନେ ଧର୍ମ-ସମ୍ପ୍ରଦାୟମାନଙ୍କ ସଂସ୍ଥାପକ, ସେମାନଙ୍କ ମଧ୍ୟରୁ ଅନେକେ ହୁଏତ ମହାନ୍ ବ୍ୟକ୍ତି, ମାତ୍ର ସେମାନଙ୍କ ଧର୍ମବାଣୀ ଯେପରି ଭାବରେ ପ୍ରଚାରିତ ହେଉଛି, ତାହା ରାଜସିକ ଆକାର ଧାରଣ କରୁଥିବାରୁ ଏହି ଧର୍ମବାଣୀ ଲୋକମାନଙ୍କ ପ୍ରାଣ ସ୍ପର୍ଶ କରିପାରୁ ନାହିଁ । ଅନେକେ ଧର୍ମଦୀକ୍ଷାକୁ ଅଙ୍ଗାବରଣ ବା ରକ୍ଷାକବଚ ରୂପେ ବ୍ୟବହାର କରି ସେଥିରୁ ଧନ ଓ ଯଶର ଫାଇଦା ଉଠାଉଛନ୍ତି । ଉତ୍କଳରେ ଧର୍ମସଂସ୍ଥା ଓ ଧର୍ମସମିତିମାନଙ୍କର ସଂଖ୍ୟା ବଢ଼ିଚାଲିଛି; ମାତ୍ର ତଦନୁପାତରେ ଧର୍ମଭାବ ବୃଦ୍ଧି ପାଇବା ଦୂରେ ଥାଉ, କଳାବଜାରୀ, ବ୍ୟଭିଚାରୀ, ଅତ୍ୟାଚାରୀ, ଅସତ୍ୟାଚାରୀ, ପରସ୍ୱହାରୀ, ଅହଙ୍କାରୀ ଇତ୍ୟାଦିଙ୍କର ସଂଖ୍ୟା କମଶଃ ବଢ଼ି ଚାଲିଛି । ସଭାସମିତି ମାଧ୍ୟମରେ କୋମଳମତି ଛାତ୍ରଛାତ୍ରୀଙ୍କଠାରେ ଧର୍ମବାର୍ତ୍ତା ପହଞ୍ଚାଇବା ପାଇଁ ଯେଉଁ ପ୍ରଚେଷ୍ଟା ଚାଲିଛି, ତାହା ବିଫଳ ହେଉଛି । ଛାତ୍ରଛାତ୍ରୀମାନେ ଧର୍ମସଭାସମିତିର ବାହ୍ୟାଡ଼ମ୍ବର ମାତ୍ର ଉପଭୋଗ କରୁଛନ୍ତି, କିନ୍ତୁ ଧର୍ମର ପବିତ୍ର ପ୍ରଭାବ ସେମାନଙ୍କୁ ସ୍ପର୍ଶ କରୁନାହିଁ । ତା ନ ହେଲେ ଯୁବଶକ୍ତି ଆଜି ଏତେ ବେଶି ବିଭ୍ରାନ୍ତ ଓ ବିଶୃଙ୍ଖଳ ହୋଇ ନ ଥାନ୍ତା । ଥରେ ବ୍ରହ୍ମପୁରର ଏକ ଧର୍ମସଭାରେ ଗୋଟିଏ ଧର୍ମସମ୍ପ୍ରଦାୟର ଜଣେ ପ୍ରଧାନ ପ୍ରଚାରକ ହିସାବ କରି ଦେଖାଇଦେଲେ ଯେ ତାଙ୍କ ସମ୍ପ୍ରଦାୟର ବଭିନ୍ନ ଶାଖା-ସମିତିମାନଙ୍କର ସଂଖ୍ୟା ଭାରତର ଅନ୍ୟ ଅଞ୍ଚଳମାନଙ୍କରେ ଯେତେ ଅଛି, କେବଳ ଓଡ଼ିଶାରେ ତା ଠାରୁ ଶହେ ଗୁଣରେ ବେଶି ଅଛି । ତା’ପରେ ସେ ମନ୍ତବ୍ୟ ପ୍ରକାଶ କଲେ ଯେ ସମଗ୍ର ଭାରତରେ ଓଡ଼ିଆମାନେ ହିଁ ସର୍ବଶ୍ରେଷ୍ଠ ଧାର୍ମିକଜାତି । ଏପରି ହିସାବ ଓ ଏପରି ମନ୍ତବ୍ୟରେ ଓଡ଼ିଆମାନେ ଆତ୍ମପ୍ରସାଦ ଲାଭ କରିବାର କୌଣସି କାରଣ ନାହିଁ । ଏହା ଏକ ପରିସଂଖ୍ୟାନର ପ୍ରହସନ । ଓଡ଼ିଆମାନଙ୍କ ମଧ୍ୟରୁ ଅନେକେ ବର୍ତ୍ତମାନ ସୁଦ୍ଧା ନ୍ୟୁନମନ୍ୟତା- ବ୍ୟାଧିଗ୍ରସ୍ତ, ସ୍ୱ-ସଂସ୍କୃତି, ପ୍ରତି ସଂପୂର୍ଣ୍ଣ ଅଚେତନ, ସହଜ ବିଶ୍ୱାସୀ ଓ ଆଶୁଲାଭ- ଆଶାୟୀ । ଏ ସମସ୍ତ ବାରଣରୁ ହୁଏ ତ ଉଲ୍ଲିଖିତ ଧର୍ମ-ସମ୍ପ୍ରଦାୟର ଶାଖା-ସମିତିମାନ ଓଡ଼ିଶାରେ ଶହେଗୁଣରେ ବଢ଼ିଯାଇଛି । ଓଡ଼ିଶାର ଅଧ୍ୟାତ୍ମିକତା ଭାରତଠାରୁ ଯଦି ଶହେ ଗୁଣରେ ବେଶି ହୋଇଥାନ୍ତା, ତେବେ ଓଡ଼ିଶା ସମସ୍ତ ବିଷୟରେ ନିଶ୍ଚୟ ଅଗ୍ରଣୀ ହୋଇଥାନ୍ତା । କିନ୍ତୁ ଓଡ଼ିଶା ଭାରତର ସବା ଆଗରେ କିମ୍ବା ସବା ପଛରେ ଅଛି, ଏହା ସମସ୍ତଙ୍କର ବିଚାର କରିବାର କଥା ।

 

ଓଡ଼ିଶାର ସୁଦୀର୍ଘ ପରମ୍ପରା ଏହି ସେ ଜଗନ୍ନାଥକ୍ଷେତ୍ର ସର୍ବଧର୍ମର ସମନ୍ୱୟ ଏବଂ ଜଗନ୍ନାଥ ସର୍ବଅବତାର ଓ ସର୍ବଧର୍ମମତର ପ୍ରତୀକ । ସ୍ୱାଧିନତାପ୍ରାପ୍ତିଠାରୁ ଏହି ପରମ୍ପରା ଭାଙ୍ଗିପଡ଼ୁଛି ଓ ତତ୍‍ସଙ୍ଗେ ଓଡ଼ିଆ ସଂସ୍କୃତି ତଥା ସଂହତିର ଗୋଟିଏ ସୁଦୃଢ଼ ସ୍ତମ୍ଭ ଦୋହଲି ଯାଉଛି-। ଭାରତୀୟ ଧର୍ମମତାନୁସାରେ ପୃଥିବୀର ପ୍ରାରମ୍ଭରୁ ଏ ପର୍ଯ୍ୟନ୍ତ ଭଗବାନଙ୍କ ଦଶଟି ଅବତାର ହୋଇଛି । ମତ୍ସ୍ୟ-କୂର୍ମାଦି ଅବତାରକୁ ଜୀବଜଗତର କ୍ରମ-ବିକାଶର ପ୍ରତୀକ ବୋଲି କେହି କେହି ବ୍ୟାଖ୍ୟା କରନ୍ତି । ଅତଏବ ହିନ୍ଦୁ ମତାନୁସାରେ ବହୁ ଲକ୍ଷ ବର୍ଷ ମଧ୍ୟରେ ଭଗବାନଙ୍କର ମାତ୍ର ଦଶଟି ଅବତାର ଘଟିଥିଲା ; କିନ୍ତୁ ଗତ ପଚିଶବର୍ଷ ମଧ୍ୟରେ ଭଗବାନଙ୍କର କେତୋଟି ଅଧିକ ଅବତାର ହେଲାଣି, ତାହା କେହି ହିସାବ କରୁଛନ୍ତି କି ? ପ୍ରତ୍ୟେକ ଧର୍ମ-ସମ୍ପ୍ରଦାୟର ପ୍ରଚାରକମାନେ ଦମ୍ଭ ସହିତ ପ୍ରକାଶ କରୁଛନ୍ତି ଯେ ତାଙ୍କ ସମ୍ପ୍ରଦାୟର ସଂସ୍ଥାପକ ହେଉଛନ୍ତି ଭଗବାନଙ୍କର ଜଣେ ଅବତାର । ଭଗବାନଙ୍କ ଅବତାର ସଂଖ୍ୟା ଯେପରି ବଢ଼ିଚାଲୁଛି, ସେଥିରୁ ଅନୁମିତ ହୁଏ ସେ ବିଂଶ ଶତାବ୍ଦୀର ଶେଷ ବେଳକୁ ଏହି ସଂଖ୍ୟା ଶହେରେ ପହଞ୍ଚି ଯାଇଥିବ ଏବଂ ଏହି ଭଗବାନମାନେ ଭାରତର ଅନ୍ୟ ଅଞ୍ଚଳମାନଙ୍କରେ ରହନ୍ତୁ ବା ନ ରହନ୍ତୁ, ଓଡ଼ିଶାରେ ନିଶ୍ଚୟ ରହିଥିବେ ।

 

ମୋଟ ଉପରେ ଓଡ଼ିଶାରେ ସ୍ୱାଧିନଚିନ୍ତାର ନିତାନ୍ତ ଅଭାବ ଘଟିଛି ଏବଂ ହାତପାତି ନିର୍ବିଚାରରେ ଗ୍ରହଣ କରିବାରେ ଓଡ଼ିଆମାନେ ଅତ୍ୟନ୍ତ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ସେମାନଙ୍କର ଯେ କିଛି ଦେବାର ଅଛି, ଏ କଥା ସେମାନଙ୍କ ମସ୍ତିଷ୍କରେ ପ୍ରବେଶ କରେ ନାହିଁ । କେବଳ ଭିକ୍ଷୁକତ୍ୱରେ କୌଣସି ଜାତିର ସଂସ୍କୃତିର ଅଗ୍ରଗତି ଘଟେନାହିଁ ।

 

ପୋଷାହାତୀ ସାହାଯ୍ୟରେ ବନ୍ୟହାତୀମାନଙ୍କୁ ପୋଷାମନାଇବା ରୀତିରେ ବିଭିନ୍ନ ସଂପ୍ରଦାୟ ଓଡ଼ିଆ ପ୍ରଚାରକମାନଙ୍କ ସାହାଯ୍ୟରେ ହିଁ ସ୍ୱ-ସ୍ୱ ଆସ୍ଥାନକୁ ଓଡ଼ିଶାରେ ସୁଦୃଢ଼ କରୁଛନ୍ତି । ଓଡ଼ିଶାରୁ ଜମିଦାରୀ ଲୋପ ପାଇଥିଲେ ହେଁ ଧର୍ମ-ସମ୍ପ୍ରଦାୟମାନଙ୍କ ଜମିଦାରୀ ଲୋପ ପାଇ ନାହିଁ-। ଓଡ଼ିଶାରୁ ରାଜା-ମହାରଜା ପଦବୀ ଲୋପ ପାଇଥିଲେ ହେଁ ଧର୍ମ-ସଂପ୍ରଦାୟମାନଙ୍କ ମହାରାଜ ଓ ତତ୍ତୁଲ୍ୟ ବହୁ ପଦବୀ ଲୋପ ପାଇନାହିଁ । ବରଞ୍ଚ ଏହି ପଦବୀମାନ ବଢ଼ିଚାଲିଛି ଓ ବହୁ ପ୍ରଚାରକ ଏହି ପଦବୀ ଆଶାରେ ଧର୍ମ-ସମ୍ପ୍ରଦାୟମାନଙ୍କରେ ପ୍ରବେଶ କରୁଛନ୍ତି ।

 

ଗତ ପଚିଶବର୍ଷ ମଧ୍ୟରେ ଓଡ଼ିଶାରେ ପର୍ବପର୍ବାଣିର ଆଡ଼ମ୍ବର ବହୁ ପରିମାଣରେ ବୃଦ୍ଧିପାଇଛି । ସ୍ୱାଧୀନତା ପୂର୍ବରୁ ମଧ୍ୟ ଓଡ଼ିଶାରେ ପର୍ବପର୍ବାଣି ଥିଲା, ମାତ୍ର ସେଗୁଡ଼ିକ ଆଡ଼ମ୍ୱରପୂର୍ଣ୍ଣ ହୋଇ ସାତ୍ତ୍ୱିକତାର ସତ୍ତା ହରାଇ ନ ଥିଲା । ବର୍ତ୍ତମାନର ପର୍ବପର୍ବାଣିରେ ସାତ୍ତ୍ୱିକତାର ସତ୍ତା ମିଳେ ନାହିଁ । ସମସ୍ତ ପର୍ବପର୍ବାଣି ତାମସିକ ସମାରୋହରେ ପର୍ଯ୍ୟବସିତ ହେଉଛି । ଦୁର୍ଗାପୂଜା, କାଳୀପୂଜା, ଦୋଳୋତ୍ସବ, ସରସ୍ୱତୀପୂଜା, ଗଣେଶପୂଜା ଇତ୍ୟାଦି ସମସ୍ତ ପୂଜାର ଆକାର ବର୍ତ୍ତମାନ ବଦଳି ଯାଇଛି । ଅସଂଖ୍ୟ ମୂର୍ତ୍ତି, ବହୁବ୍ୟୟରେ ନିର୍ମିତ ମେଢ଼ ଓ ତୋରଣ, ଡାକବାଜିଯନ୍ତ୍ରର ବହୁଳ ବ୍ୟବହାର, ବ୍ୟୟବହୁଳ ଭୋଜି, ଆଡ଼ମ୍ବରପୂର୍ଣ୍ଣ ଶୋଭଯାତ୍ରା ପ୍ରତ୍ୟେକ ପର୍ବପର୍ବାଣିର ପ୍ରଧାନ ଅଙ୍ଗ ହୋଇଛି । ଏ ସମସ୍ତ ଆଡ଼ମ୍ବର ମଧ୍ୟରେ ଧର୍ମଭାବ ସମ୍ପୂର୍ଣ୍ଣ ଲୋପପାଇଛି । ଏ ସମସ୍ତ ମହୋତ୍ସବରେ ପ୍ରଚୁର ମାଦକଦ୍ରବ୍ୟ ମଧ୍ୟ ବ୍ୟବହୃତ ହେଉଛି । ମଦ, ଭାଙ୍ଗ ଇତ୍ୟାଦି ମାଦକଦ୍ରବ୍ୟ ପାନକରି, ମୂର୍ତ୍ତି ମୁଖରେ ସିଗାରେଟ ଗୁଞ୍ଜିଦେଇ ନବଯୁବକମାନେ ନିତମ୍ବର ରମ୍ୟଚାଳନାପୂର୍ବକ ବାଦ୍ୟଝଞ୍ଜା ମୁଖରିତ ଶୋଭାଯାତ୍ରାର ଧାନ୍ଦୋଳ ମଧ୍ୟରେ ଯାଉଁ ଯାଉଁ, ସାମାନ୍ୟ କଥାରେ ଅନ୍ୟ ଦଳର ଶୋଭାଯାତ୍ରୀମାନଙ୍କ ଉପରେ ସେମାନଙ୍କ ଟେକାପଥର ବୃଷ୍ଟି, ସଙ୍ଗେ ସଙ୍ଗେ ପୋଲିସର ମୁତୟନ ଓ ଆମ୍ବୁଲେନ୍‍ସ ଆନୟନର ଦୃଶ୍ୟ ଦେଖିଲେ କିଏ କହିବ ଯେ ଏ ସମସ୍ତ ଧର୍ମ ପାଇଁ ଉର୍ଦ୍ଦିଷ୍ଟ ? ଯେଉଁ ଧର୍ମ ମହୋତ୍ସବମାନ ଗ୍ରାମ-ଗ୍ରାମ ଓ ସାହି-ସାହି ମଧ୍ୟରେ ସୌହାର୍ଦ୍ଦ୍ୟ ସୃଷ୍ଟି କରିବା ପାଇଁ ସୃଷ୍ଟି ହୋଇଥିଲା, ସେଗୁଡ଼ିକ ବର୍ତ୍ତମାନ ସ୍ଥାୟୀ କଳହ ଓ ବିଭେଦ ସୃଷ୍ଟି କରୁଛି । ଏହି ସମୟ ମଧ୍ୟରେ ପର୍ବପର୍ବାଣିର ଆଡ଼ମ୍ବର ବୃଦ୍ଧି ପାଇଥଲେ ହେଁ ଓଡ଼ିଶାରେ ସେ ଧର୍ମଭାବ ବୃଦ୍ଧି ପାଇ ନାହିଁ, ଏହା ନିଶ୍ଚିତ କଥା ।

 

ଦେଶର ଶିକ୍ଷା ସଂସ୍କୃତିର ପ୍ରଧାନ ସହାୟକ ଓ ପରିପୂରକ । ଗତ ପଚିଶବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷାର ବହୁଳ ବିସ୍ତାର ଘଟିଛି । ୧୯୪୩ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଏକମାସ ରେଭେନ୍‍ସା କଲେଜ ଓ ସାମାନ୍ୟ କେତୋଟି ପ୍ରାଥମିକ ସ୍କୁଲ ଓ ମାଧ୍ୟମିକ ସ୍କୁଲ ଓଡ଼ିଶାରେ ଶିକ୍ଷାଲୋକ ବିତରଣ କରୁଥିଲେ । ସେହି ସ୍ଥାନରେ ଆଜି ଶତ ଶତ କଲେଜ, ସହସ୍ର ସଂଖ୍ୟାର ହାଇସ୍କୁଲ ଓ ପ୍ରାଥମିକ ସ୍କୁଲମାନଙ୍କର ଆବିର୍ଭାବ ଘଟିଛି । ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଯେ ନିତାନ୍ତ ଅନଗ୍ରସର, ଏହି ଅପବାଦ କ୍ରମଶଃ ଦୂର ହେଉଛି । ନାରୀଶିକ୍ଷାର ପ୍ରଭୂତ ପ୍ରସାର ଘଟିବାରୁ ନାରୀମାନେ ମଧ୍ୟ ଶିକ୍ଷା, ସଂସ୍କୃତି ଓ ରାଜନୀତିରେ ଅଂଶଗ୍ରହଣ କରି ପୁରୁଷର ସମକକ୍ଷ ହୋଇପାରୁଛନ୍ତି । ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାମାନଙ୍କରେ ଓ ଓଡ଼ିଶା ବାହାରର କଲେଜମାନଙ୍କରେ ଓଡ଼ିଆ ଛାତ୍ରମାନେ କୃତିତ୍ୱ ସହ ସଫଳତା ଲାଭ କରୁଛନ୍ତି । ଓଡ଼ିଆ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ଓ ସାଧାରଣ କର୍ମଚାରୀ ଓଡ଼ିଶା ବାହାରେ ଓ ଭାରତ ବାହାରେ ମଧ୍ୟ ବ୍ୟାପି ଯାଇଛନ୍ତି । ୧୯୪୭ ମସିହାରେ ଓଡ଼ିଆ ପକ୍ଷରେ ଯାହା ସ୍ୱପ୍ନ ଥିଲା, ତାହା ଆଜି ସତ୍ୟରେ ପରିଣତ ହୋଇଛି । ଏ ସମସ୍ତ ବିକାଶ ସତ୍ତ୍ୱେ ଶିକ୍ଷାକ୍ଷେତ୍ରରେ ଆମ୍ଭମାନଙ୍କୁ ଆହୁରି ବେଶି ସଚେଷ୍ଟ ହେବାକୁ ପଡ଼ିବ । ଓଡ଼ିଆ ବହୁ ଶତାବ୍ଦୀର ଅନ୍ଧକାର ମଧ୍ୟରେ ରହି ଆଜି ଆଲୋକ ପାଇଛି, ମାତ୍ର ଭାରତର ଅନ୍ୟ ଭାଷାଭାଷୀମାନଙ୍କ ସହିତ ଅବଧି ସମସ୍କନ୍ଧ ହୋଇପାରି ନାହିଁ । ନିକଟରେ ଜଣେ ରାଜନୀତିକ ନେତା କହିଛନ୍ତି ଯେ ଓଡ଼ିଶା ଯଦି ଅନ୍ୟ ପ୍ରଦେଶମାନଙ୍କ ସହିତ ସମକକ୍ଷ ହେବାରୁ ଚାହେଁ, ତେବେ ଅନ୍ୟ ପ୍ରଦେଶ ଗୋଟିଏ ପାଦ ପକାଇବାବେଳକୁ ଓଡ଼ିଶାକୁ ଦୁଇଟି ପାଦ ପକାଇବାକୁ ପଡ଼ିବ । ତେବେ ଯାଇ ଓଡ଼ିଶା ଅନ୍ୟ ପ୍ରଦେଶମାନଙ୍କ ସହିତ ସମସ୍କନ୍ଧ ହୋଇପାରିବ-। ଏହା ନିତାନ୍ତ ସତ୍ୟ କଥା । ଇତିହାସର କ୍ରୁର ଚକ୍ରାନ୍ତରେ ଓଡ଼ିଶାର ଯେଉଁ ଅଧୋଗତି ଘଟିଥିଲା, ତାକୁ ସୁଧାରିବାକୁ ହେଲେ ସର୍ବକ୍ଷେତ୍ରରେ ଦ୍ୱିଗୁଣ ପ୍ରଚେଷ୍ଟା ଆବଶ୍ୟକ ହେବ-

 

ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ସାହିତ୍ୟର ପ୍ରଭୁତ ପ୍ରସାର ଘଟିଛି । ଆମ୍ଭେମାନେ ଆଗରୁ କହିଛୁ ଯେ ୧୯୪୪ ମସିହା ବେଳକୁ ଓଡ଼ିଶାରେ ଗୋଟିଏ ମାତ୍ର ସାହିତ୍ୟ ପତ୍ରିକା ମଧ୍ୟ ଜୀବିତ ନ ଥିଲା । ଆଜି ଶତ ଶତ ପତ୍ରିକାର ଆବିର୍ଭାବ ଘଟିଛି । କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ନାଟ୍ୟକାର ଓ ସାମ୍ବାଦିକମାନଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି; ମାତ୍ର ସାହିତ୍ୟର ମାନ ରକ୍ଷା କରାଯାଇ ପାରୁନାହିଁ । ଏ ଯୁଗରେ ସମସ୍ତଙ୍କର କହିବାର ଅଧିକାର ପରି ସମସ୍ତଙ୍କର ଲେଖିବାର ମଧ୍ୟ ଅଧିକାର ଅଛି, କିନ୍ତୁ ଏହି ଅଧିକାରର ବ୍ୟଭିଚାର ଘଟୁଛି । ଚିନ୍ତାଶୂନ୍ୟ, ପ୍ରତିଭାଶୂନ୍ୟ, ସାଧନଶୂନ୍ୟ, ଆଶୁଯଶାଭିଳାଷୀ ଓ ଅନୁକରଣପଟୁ ଲେଖକମାନଙ୍କର ଲେଖା ସାହିତ୍ୟ ସୃଷ୍ଟି ନ କରି ଆବର୍ଜନା ସୃଷ୍ଟି କରୁଛି । ଏଥିପାଇଁ ଶଙ୍କିତ ହେବା ସମୁଚିତ ହେବ ନାହିଁ । ଏ ଯୁଗର ଆବର୍ଜନା ସ୍ତୂପରେ ଏ ଯୁଗ ସାହିତ୍ୟର ମଣିମାଣିକ୍ୟ ମଧ୍ୟ ମିଶି ରହିବ, ଏବଂ ଅନାଗତ ଭବିଷ୍ୟତ୍ ଆବର୍ଜନାକୁ ଫିଙ୍ଗିଦେଇ ମଣିମାଣିକ୍ୟ ବାଛିନେବ । ସମବେତ ଚେଷ୍ଟାରେ ସାହିତ୍ୟ ସାଧନାର ପ୍ରଚେଷ୍ଟା ଏ ଯୁଗରେ ବହୁଳ ପରିମାଣରେ ପରିଲକ୍ଷିତ ହେଉଛି । ପ୍ରାୟ ପ୍ରତ୍ୟହ ସାହିତ୍ୟ ଓ ସଂସ୍କୃତିର ନୂତନ ସମିତିମାନଙ୍କ ସଂସ୍ଥାପନର ବାର୍ତ୍ତା ପତ୍ରପତ୍ରିକାରେ ପ୍ରକାଶିତ ହେଉଛି, ଏବଂ ତତ୍‍ସଙ୍ଗେ ଏହି ସମିତିଗୁଡ଼ିକର କର୍ମକର୍ତ୍ତାମାନଙ୍କ ନାମ ମଧ୍ୟ ପ୍ରକାଶିତ ହେଉଛି । ମାତ୍ର ଏହି ଶତ ଶତ ସମିତି ସମବେତ ଚେଷ୍ଟାରେ କଅଣ କରୁଛନ୍ତି, ତାହାର କୌଣସି ପରବର୍ତ୍ତୀ ବିବରଣୀ ମିଳୁନାହିଁ । ଖବରକାଗଜରେ ନାମ ଲେଖିବାର ପ୍ରଲୋଭନ ହୁଏ ତ ବହୁ ସମିତି ସଂସ୍ଥାପନର କାରଣ ହେଉଛି । ଆଗରୁ କୁହାଯାଇଛି ଯେ ଏ ଯୁଗର ସମସ୍ତ ପ୍ରଚେଷ୍ଟା ପ୍ରଚାରମୁଖୀ ହେଉଛି । ସାହିତ୍ୟ ଏପରି ଗୋଟିଏ ମାଧ୍ୟମ, ଯାହା ଦ୍ୱାରା କି ସମସ୍ତେ ଆତ୍ମପ୍ରଚାର ଚଳାଇବାର ପ୍ରଭୂତ ଅବକାଶ ପାଆନ୍ତି । ସାହିତ୍ୟର ବହୁକ୍ଷେତ୍ରରେ ରାଜନୀତି ମହାଦେବଙ୍କ କାଳିଆଷଣ୍ଢ ପରି ପ୍ରବେଶ କରୁଛି । ଯେହେତୁ ଏହା ମହାଦେବଙ୍କ ଷଣ୍ଢ, ଏହାକୁ ତଡ଼ିଦେବା ସମ୍ଭବପର ହେଉ ନାହିଁ । ଏହାକୁ ନମସ୍କାର କଲେ ଏ ଯାଏ ନାହିଁ; ଏହାକୁ ପିଟିବା ମଧ୍ୟ ଶାସ୍ତ୍ରନିଷିଦ୍ଧ । ରାଜନୀତିର ଅନୁପ୍ରବେଶ ହେତୁ ଓ ପ୍ରଶାସନିକ ପଦ୍ଧତିର କର୍ମଠ ଗତି ହେତୁ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସରକାରଙ୍କ ପ୍ରଚେଷ୍ଟା ପ୍ରାୟତଃ ବିଫଳ ହେଉଛି । ବ୍ୟୟ ତୁଳନାରେ ସାଫଲ୍ୟ କୌଣସି କ୍ଷେତ୍ରରେ ସମ୍ଭବପର ହେଉ ନାହିଁ । ଅତି ନିକଟରେ ଖୋସଲା କମିଶନ୍‍ଙ୍କ ରିପୋର୍ଟରେ ଏ କଥା ବିଶଦଭାବରେ ଦର୍ଶାଇ ଦିଆଯାଇଛି । ବେସରକାରୀ ସାହିତ୍ୟ ସମିତିମାନଙ୍କରେ କଳହ-ବିବାଦାଦି ପ୍ରାୟତଃ ଲାଗିରହିଛି ଏବଂ ଏ ସମସ୍ତର ଊର୍ଦ୍ଧ୍ୱକୁ ଉଠି ଉଚ୍ଚତର ସାଧନାର ଆଦର୍ଶ କୌଣସି ସମିତି ଦେଖାଇ ପାରିନାହିଁ, ଏପରି କି ସର୍ବପୂରାତନ ଉତ୍କଳ ସାହିତ୍ୟ ସମାଜ ମଧ୍ୟ ଏହା ଦେଖାଇପାରି ନାହିଁ । ଏ ସମସ୍ତ ବାଧା ଓ ବିଫଳତା ସତ୍ତ୍ୱେ ଗତ ପଚିଶବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟର ଯେଉଁ ପ୍ରଗତି ଘଟିଛି, ତାହା ଅତ୍ୟନ୍ତ ଉତ୍ସାହଜନକ । ଓଡ଼ିଆମାନେ ସାହିତ୍ୟିକ କୃତିରେ ଅନ୍ୟମାନଙ୍କଠାରୁ ଯେ ନ୍ୟୁନ ନୁହନ୍ତି, ଏକଥା ପ୍ରମାଣିତ ହୋଇଛି ।

ଗତ ପଚିଶ ବର୍ଷ ମଧ୍ୟରେ ଓଡ଼ିଶାର ଲଳିତକଳାର ଉଲ୍ଲେଖଯୋଗ୍ୟ ଅଗ୍ରଗତି ଘଟିଛି । କଳାକେନ୍ଦ୍ର, ରେଡ଼ିଓ କେନ୍ଦ୍ର ଓ କଳାକଲେଜମାନ ସ୍ଥାପିତ ହେବା ପରେ ଓଡ଼ିଶାର ଚିର-ଅବହେଳିତ ଲଲିତକଳା ନୂତନ ଜୀବନଲାଭ କରିଛି । ଏ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉଲ୍ଲେଖଯୋଗ୍ୟ ଘଟନା ଏହି ଯେ ଓଡ଼ିଶୀ ନୃତ୍ୟ କେବଳ ଓଡ଼ିଶାରେ ହିଁ ସୀମାବଦ୍ଧ ହୋଇଥିଲା; ତାହା ଶାସ୍ତ୍ରୀୟ ନୃତ୍ୟରୂପେ ଭାରତର ସର୍ବତ୍ର ସମ୍ମାନିତ ହୋଇ ବିଦେଶରେ ମଧ୍ୟ ସମ୍ମାନ ଲାଭ କରିପାରିଛି । ଓଡ଼ିଶୀ ନୃତ୍ୟର ଏହି ଅଦ୍ଭୂତପୂର୍ବ ବିଜୟ ପାଇଁ ଯେଉଁ କଳାକାରମାନେ ଦାୟୀ, ସେମାନେ ଏ ଦେଶର ନମସ୍ୟ । ଓଡ଼ିଆ ସିନେମା ଓ ରଙ୍ଗମଞ୍ଚ ଉଲ୍ଲେଖଯୋଗ୍ୟ ଅଗ୍ରଗତି କରିପାରି ନାହିଁ । ଏହାର ଗୋଟାଏ ପ୍ରଧାନ କାରଣ ଏହି ଯେ ଓଡ଼ିଆମାନଙ୍କ ସହଜବୋଧ ବଙ୍ଗଳା ଓ ହିନ୍ଦୀ ସିନେମା ଓଡ଼ିଆ ସିନେମାର କଣ୍ଠରୋଧ କରୁଛି ।

ପ୍ରତିଭା-ପୂଜା ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯେଉଁ ଜାତି ପ୍ରତିଭା ପୂଜା କରି ଜାଣେ ନାହିଁ, ତାର ସଂସ୍କୃତି ଉନ୍ନତ ହୋଇପାରେ ନାହିଁ । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ପ୍ରତିଭାପୂଜା ଯେଉଁ ଆକାର ଧାରଣ କରିଛି, ତାହା ଅନୁଧ୍ୟାନ କଲେ ବିସ୍ମିତ ହେବାକୁ ପଡ଼େ । ଓଡ଼ିଆମାନେ ପ୍ରଶଂସା କରିବାରେ କିମ୍ୱା ନିନ୍ଦା କରିବାରେ ସହସ୍ରଜିହ ହୋଇପାରନ୍ତି, କିନ୍ତୁ ପ୍ରତ୍ୟେକ ପ୍ରତିଭାର ପ୍ରକୃତ ମୂଲ୍ୟ ଅବଧାରଣ କରିବାପାଇଁ ଯେଉଁ ଅନୁସନ୍ଧାନ, ଅନୁଶୀଳନ, ପରିଶ୍ରମ ଓ ସତ୍ୟାଶ୍ରୟୀ ସମତା ଆବଶ୍ୟକ, ସେଥିରୁ କୌଣସିଟିକୁ ଅବଲମ୍ୱନ କରନ୍ତି ନାହିଁ । କୌଣସି ବିଶିଷ୍ଟ ବ୍ୟକ୍ତି ମରିଗଲେ ଅନେକ ଲେଖକ ଓ ଲେଖକଙ୍କୁ ମୃତବ୍ୟକ୍ତିଙ୍କୁ ଅଜସ୍ର ପ୍ରଶଂସା କରିବା ମାଧ୍ୟମରେ ଆଶୁ ଆତ୍ମପ୍ରଚାର ଅବକାଶ ବଳିଯାଏ; ଅଥଚ ଏହି ଲେଖକ ଓ ଅଲେଖମାନେ ମୃତବ୍ୟକ୍ତିଙ୍କ କୃତିତ୍ୱର କିୟଦଂଶ ଶ୍ରଦ୍ଧା ଅଧ୍ୟୟନ ବା ଅନୁଶୀଳନ କରନ୍ତି ନାହିଁ । ଶସ୍ତାରେ ନାମ କମାଇବାର ଯେତେ ରକମ ଉପାୟ ଅଛି, ସେ ସମସ୍ତ ଉପାୟ ଓଡ଼ିଆମାନଙ୍କୁ ଭଲଭାବରେ ଜଣା-। ଓଡ଼ିଆମାନେ ଇତିହାସ ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଚେତନ ରହିଥିବାରୁ ପୂର୍ବସୂରୀମାନଙ୍କ ମଧ୍ୟରୁ କେବଳ କେତେକ କବିଙ୍କ ପ୍ରତିଭା ହିଁ ସେମାନଙ୍କ ଆଖିରେ ପଡ଼ିଥାଏ; କିନ୍ତୁ ସେମାନେ ଏହି କବି ପ୍ରତିଭାର ମଧ୍ୟ ଯଥାର୍ଥ ବିଶ୍ଲେଷଣ କରନ୍ତି ନାହିଁ । ଭାବପ୍ରବଣତା, ପ୍ରଶଂସାମୁଖରତା ଓ ଅତିଭୌତିକତା ସାହାଯ୍ୟରେ ସେମାନେ କବିପ୍ରତିଭାର ମୂଲ୍ୟାବଧାରଣ କରିଥାନ୍ତି । ସାରଳାଦାସ ସାରଳାଦେବୀଙ୍କ ପ୍ରସାଦରେ, ଉପେନ୍ଦ୍ର ଭଞ୍ଜ ରାମତାରକମନ୍ତ୍ର ବଳରେ, ଗୋପାଳକୃଷ୍ଣ ରାଧାକୃଷ୍ଣଙ୍କୁ ପୂଜିବା ପରେ ଓ ବଳଦେବ ରଥ ଇଷ୍ଟଦେବୀଙ୍କ ସ୍ତନ୍ୟପାନ କରିବା ପରେ ସେମାନଙ୍କଠାରେ ଦିବ୍ୟ କବିତ୍ୱ ଆବିର୍ଭୂତ ହୋଇଥିଲା ବୋଲି ଆଜି ଯଦି କୁହାଯାଏ, ତେବେ ଏ ଯୁକ୍ତିବାଦୀ ସଭ୍ୟଜଗତର ଲୋକେ ତାହା ମାନିନେବେ ନାହିଁ । ସହସ୍ର ହାଣ୍ଡିକୁ ଗୋଟାଏ ଠେଙ୍ଗାରେ ଭାଙ୍ଗିବା ରୀତିରେ, ସମସ୍ତ ପ୍ରତିଭାକୁ ଅତିଭୌତିକତା ସାହାଯ୍ୟରେ ବିଶ୍ଲେଷଣ କରିବାର ଯୁଗ ବହୁଦିନରୁ ଚାଲିଗଲାଣି, କିନ୍ତୁ ଓଡ଼ିଶାରେ ତାହା ବର୍ତ୍ତମାନ ସୁଦ୍ଧା ଚାଲିଛି । ଏହା ଏକ ସହଜ ପନ୍ଥା; ଏଣୁ ସହଜପନ୍ଥୀ ଓଡ଼ିଆମାନେ ଏହାକୁ ଅଦ୍ୟାପି ଅବଲମ୍ୱନ କରୁଛନ୍ତି ।

ଗତ ପଚିଶ ବର୍ଷ ମଧ୍ୟରେ କବି-ପ୍ରତିଭା ପୂଜା ପାଇଁ ଓଡ଼ିଶାରେ ଯେଉଁ ଆୟୋଜନ ଚାଲିଛି, ସେଥିମଧ୍ୟରେ ଭଞ୍ଜଜୟନ୍ତୀ ସର୍ବଶ୍ରେଷ୍ଠ ସ୍ଥାନ ପାଇଛି । ଗତ ୩୩ ବର୍ଷ ହେଲା ଭଞ୍ଜଜୟନ୍ତୀ ରାଜନୀତିକ ଓ ପ୍ରାକୃତିକ ଉତ୍କଳର ସର୍ବତ୍ର ମହାସମାରୋହରେ ପାଳିତ ହୋଇ ଆସୁଛି । ଏଥିରେ ସହସ୍ର, ସହସ୍ର, ଶ୍ରୋତା ଓ ଦର୍ଶକ ଅଂଶଗ୍ରହଣ କରୁଛନ୍ତି, ଶତ ଶତ ବକ୍ତା ଭାଷଣମାନ ଦେଉଛନ୍ତି, ସହସ୍ର, ସହସ୍ର, ମୁଦ୍ରା ବ୍ୟୟିତ ହେଉଛି, ଭଞ୍ଜଜୟନ୍ତୀ ମାସରେ ଏ ଉତ୍ସବର ବିବରଣୀମାନଙ୍କରେ ଖବରକାଗଜମାନ ଭରପୂର ହେଉଛି; ମାତ୍ର ପାଲାଗାଆଣମାନେ ଭଞ୍ଜସାହିତ୍ୟର ମହତ୍ତ୍ୱ ଯେତିକି ପରିମାଣରେ ପ୍ରତିପାଦନ କରିଥିଲେ, ଏହି ୩୩ ବର୍ଷ ମଧ୍ୟରେ ତା ଠାରୁ ଏହାର ଅଧିକ ମହତ୍ତ୍ୱ ଅନ୍ୟ କେହି ଦେଖାଇପାରି ନାହାନ୍ତି । ଅନ୍ୟ କଥା ଦୂରେ ଥାଉ, ଭଞ୍ଜଙ୍କ ଗ୍ରନ୍ଥାବଳୀଟିଏ ମଧ ସଂକଳିତ ହୋଇପାରି ନାହିଁ । କୌଣସି କବିଙ୍କର ନିନ୍ଦା ବା ପ୍ରଶଂସା କରିବାକୁ ହେଲେ ତାଙ୍କ ଗ୍ରନ୍ଥାବଳୀ ଆମୂଳଚୂଳ ମନପ୍ରାଣ ଦେଇ ଅଧ୍ୟୟନ ଓ ଅନୁଶୀଳନ କରିବାକୁ ପଡ଼େ । ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କୁ ସୁଦ୍ଧା ଖୋଜି ପାଇବେ ନାହିଁ ଯେ କି ଭଞ୍ଜଗ୍ରନ୍ଥାବଳୀର ଆମୂଳଚୂଳ ଅଧ୍ୟୟନ ବା ଅନୁଶୀଳନ କରିଛନ୍ତି; ଅଥଚ ଅର୍ଦ୍ଧଶତାବ୍ଦୀ ହେଲା ଦଳେ ତାଙ୍କର ନିର୍ବିଚାର ନିନ୍ଦା ଓ ଦଳେ ତାଙ୍କର ନିର୍ବିଚାର ପ୍ରଶଂସା କରି ଆସିଛନ୍ତି । ମୂର୍ଖ-ନିନ୍ଦା ଓ ମୂଢ଼-ସ୍ତୁତି ମଧ୍ୟରେ ଚାପି ହୋଇ ଉପେନ୍ଦ୍ର ଭଞ୍ଜ ଅଦ୍ୟାପି ଅର୍ତ୍ତନାଦ କରୁଛନ୍ତି । ମାତ୍ର ଉଭୟ ଦଳ ତାଙ୍କ ନାମରୁ ଆତ୍ମପ୍ରଚାରର ଯଥେଷ୍ଟ ଉପାଦାନ ପାଇଛନ୍ତି ।

ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଗବେଷଣାରେ ମଧ୍ୟ ଅନୁରୂପ ପତାରଣା ପ୍ରବେଶ କରିଛି । ଜଣେ ଐତିହାସିକ ବା ପ୍ରତ୍ନତାତ୍ତ୍ୱିକ ନାମ ବହନ କରି ବହୁ ପ୍ରବନ୍ଧ ବା ଏକାଧିକ ଗ୍ରନ୍ଥ ଲେଖିପାରନ୍ତି; ମାତ୍ର ସେଗୁଡ଼ିକରେ ତାଙ୍କର କୌଣସି ମୌଳିକତା ବା ନିଜସ୍ୱ ଅଛି କି ନା, ଏକଥା କେବଳ ଓଡ଼ିଶାର ଲୋକେ ବିଚାର କରିପାରିବେ ନାହିଁ । ଭାରତ-ଇତିହାସ ଓ ପ୍ରତ୍ନତତ୍ତ୍ୱ ଆନ୍ତର୍ଜାତିକ ବିଷୟ ହୋଇଯାଇଛି, ମାତ୍ର ଗତ ପଚିଶବର୍ଷ ମଧ୍ୟରେ ଓଡ଼ିଶାର ଉଭୟ ଗବେଷଣାରେ ଆନ୍ତର୍ଜାତିକ ମାନ ରକ୍ଷା କରାଯାଇ ପାରି ନାହିଁ । ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଅଦ୍ୟାପି ଲିଖିତ ହୋଇପାରି ନାହିଁ, ଏବଂ ଏହାର ପ୍ରଚୁର ପ୍ରତ୍ନତତ୍ତ୍ୱ ସମ୍ପଦର ସଦୁପଯୋଗ କରାଯାଇ ନାହିଁ । ବହୁ ଜାଲ ତାମ୍ରଶାସନ, ଶିଳାଲେଖ ଓ ତାଳପତ୍ର ପୋଥି ସୃଷ୍ଟି କରାଯାଇ ଓଡ଼ିଶା ଇତିହାସର ଜଟିଳ ସମସ୍ୟାମାନ ସମାଧାନ କରିବାର ଚେଷ୍ଟା କରାଯାଉଛି । ଏହା ଦ୍ଵାରା ଓଡ଼ିଶାର ଗବେଷଣାଲବ୍‍ଧ ଜ୍ଞାନ ଉପରେ ବାହାରର ପଣ୍ଡିତମାନଙ୍କ ଆସ୍ଥା କମିଯାଉଛି । ଓଡ଼ିଆ ସଂସ୍କୃତିର ସର୍ବକ୍ଷେତ୍ରରେ ଯେପରି ସହଜପନ୍ଥା ଅନୁସୃତ ହେଉଛି, ଗବେଷଣାକ୍ଷେତ୍ରରେ ମଧ୍ୟ ତାହା ହିଁ ଘଟୁଛି । ଯେଉଁ ସମସ୍ୟାକୁ ଆନ୍ତର୍ଜାତିକ ସ୍ତରରେ ସମାଧାନ କରିବା କଥା, ତାକୁ କେବଳ ଓଡ଼ିଶାସ୍ତରରେ ସମାଧାନ କରିବାକୁ ଚେଷ୍ଟାଚାଲିଛି । ଧରନ୍ତୁ, ଓଡ଼ିଶାରେ ବୁଦ୍ଧଦେବଙ୍କ ଜନ୍ମସମସ୍ୟା । କଟକର ଟାଉନ ହଲରେ କିମ୍ବା ରାମଚନ୍ଦ୍ର ଭବନରେ ଓଡ଼ିଆରେ ଏ ବିଷୟରେ ପ୍ରବନ୍ଧଟିଏ ପଢ଼ିଦେଲେ କିମ୍ୱା ଭାଷଣଟିଏ ଦେଇଦେଲେ କଅଣ ବିଶ୍ୱର ଲୋକେ ମାନିନେବେ ଯେ ଓଡ଼ିଶା ବୁଦ୍ଧଦେବଙ୍କ ଜନ୍ମଭୂମି ଥିଲା ? ଆନ୍ତର୍ଜାତିକ ଭାଷାରେ ଓ ଆନ୍ତର୍ଜାତିକ ସ୍ତରରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟର ଅବତାରଣା କରାଯାଉ ନାହିଁ କାହିଁକି ? ଏହାର କାରଣ ବା କାରଣମାନ ସମସ୍ତେ ଖୋଜି ବାହାର କରନ୍ତୁ ।

ଇଂରେଜମାନେ ଭାରତର ବହୁ ଅନିଷ୍ଟ କରିଥିଲେ ହେଁ ଇଂରାଜୀଭାଷା ଭାରତର ବହୁ ଇଷ୍ଟସାଧନ କରିଛି- ଏ କଥା ଅସ୍ୱୀକାର କରିହେବ ନାହିଁ । ସ୍ଵାଧୀନତା ପରଠାରୁ ହିଁ ଇଂରାଜୀଭାଷା ଓଡ଼ିଶାରେ ପ୍ରବଳଭାବରେ ପ୍ରବେଶ କରିଛି, ମାତ୍ର ଆମ୍ଭେମାନେ ଏ ଭାଷାର ସଦୁପଯୋଗ କରିପାରି ନାହୁଁ । ଓଡ଼ିଶାରେ ଇଂରେଜୀ ପତ୍ରପତ୍ରିକା ନିତାନ୍ତ ବିରଳ ଏବଂ ଓଡ଼ିଆମାନଙ୍କ ଦ୍ଵାରା ଲିଖିତ ଇଂରାଜୀ ଗ୍ରନ୍ଥ ମଧ୍ୟ ଅନୁରୂପ ବିରଳ । ଏଣୁ ଆମ୍ଭେମାନେ ଯାହା ଭାବୁଛୁଁ ଓ ଯାହା କରୁଛୁଁ, ତାହା କେବଳ ଓଡ଼ିଶାର ଚତୁଃସୀମା ମଧ୍ୟରେ ଆବଦ୍ଧ ରହୁଛି । ଭାରତ ଓ ଭାରତ ବାହାରର ଲୋକେ ଓଡ଼ିଶା ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରି ନିରାଶ ହେଉଛନ୍ତି । ସ୍ୱଧୀନତାର ତିରିଶ ବର୍ଷ ପରେ ମଧ୍ୟ ଓଡ଼ିଶାର କୂପମଣ୍ଡୁକତ୍ୱ, ଯାଇ ନାହିଁ । ଏଣୁ ଓଡ଼ିଆ ସଂସ୍କୃତିର ଯାହା କିଛି ମହତ୍ତ୍ୱ ଅଛି; ତାହା ଜଗତ ଆଗରେ ନ ଦେଖାଇଲେ ଏହି କ୍ରମ-ସଙ୍କୁଚିତ ପୃଥିବୀରେ ଅମ୍ଭମାନଙ୍କ ସ୍ଥାନ ଥିଲେ ମଧ୍ୟ ଅମ୍ଭମାନଙ୍କ ସତ୍ତା କେହି ଅନୁଭବ କରିବେ ନାହିଁ ।

Image

 

ନବମ ପରିଚ୍ଛେଦ

ମୋ ସମୟର ଓଡ଼ିଆମାନଙ୍କ ଅତୀତ ପ୍ରୀତି

 

ବ୍ୟକ୍ତିବିଶେଷଙ୍କର ଯେପରି ବ୍ୟକ୍ତିଗତ ସ୍ମୃତି ରହିଛି, ଜାତିବିଶେଷଙ୍କର ମଧ୍ୟ ସେହିପରି ସମଷ୍ଟିଗତ ସ୍ମୃତି ରହିଛି । ଏହି ସମଷ୍ଟିଗତ ସ୍ମୃତି ହିଁ ଇତିହାସ । ଇତିହାସକୁ ମିଥ୍ୟାମୟ, କଳ୍ପନାମୟ ଓ ଆବେଗମୟ କଲେ ତାହା ସୁଫଳ ନ ଦେଇ କୁଫଳ ଦେଇଥାଏ । ଇତିହାସକୁ ମିଥ୍ୟାମୟ ନ କରି ବରଞ୍ଚ ତାକୁ ଭୁଲିଯିବା ଭଲ ।

 

ଆମର ଇତିହାସକୁ ମିଥ୍ୟାମୟ, ଆବେଗମୟ ଓ କଳ୍ପନାମୟ କରାଯାଉଛି । କୁହାଯାଉଛି ଯେ ଓଡ଼ିଶା ସମସ୍ତ ପୌରାଣିକ ପୁରୁଷ ଓ ସମସ୍ତ ଐତିହାସିକ ପୁରୁଷର ଲାଳାସ୍ଥଳୀ ଥିଲା । ଯାଜପୁର ନିକଟରେ ମନ୍ଦାକିନୀ ନଦୀ ବହିଚାଲିଛି ଏବଂ ଛତିଆ ନିକଟର ଇନ୍ଦ୍ର ସ୍ଥାନରେ ଇନ୍ଦ୍ର-ଇନ୍ଦ୍ରାଣୀ ପଥର ପାଲଟି ଯାଇଛନ୍ତି । ଅତଏବ ଓଡ଼ିଶା ଦିନେ ସ୍ୱର୍ଗ ଥିଲା । କଟକରେ ତ ବାରାଣସୀ ଥିଲା । ଅଦ୍ୟାପି ଏହାର ଅଂଶବିଶେଷ ବିଡ଼ାନାସୀ ନାମରେ ଆଖ୍ୟାତ । ହରପାର୍ବତୀ ଚାଲିଯିବାରୁ ଏହା ବର୍ତ୍ତମାନ ମଶାମାନଙ୍କ ଲୀଳାସ୍ଥଳି ହୋଇଛି । ଏହି କଟକରେ ଗଡ଼ଗଡ଼ିଆ ଘାଟରେ ଶ୍ରୀ ଚୈତନ୍ୟ କିର୍ତ୍ତନ କରି କରି ପହଞ୍ଚିବା ମାତ୍ରେ ଓଡ଼ିଶାର ଗଜପତି ପ୍ରତାପରୁଦ୍ରଦେବ ତାଙ୍କ ପଦ ତଳରେ ଗଧ ପରି ଗଡ଼ ଗଡ଼ ହୋଇ ଗଡ଼ି ଯାଇଥିଲେ, ଏଥିପାଇଁ ଏ ଘାଟର ନାମ ଗଡ଼ଗଡ଼ିଆ ଘାଟ ହୋଇଛି । କିନ୍ତୁ ଗୌଡ଼ୀୟ ବୈଷ୍ଣବ ସାହିତ୍ୟରେ କିମ୍ବା ମାଦଳାପାଞ୍ଜିରେ ଏ ଘଟନାର ଆଭାସ ସୁଦ୍ଧା ନାହିଁ । ଏହି ଗଡ଼ଗଡ଼ିଆ ଘାଟରୁ ଓଡ଼ିଆ ସାଧବମାନେ ସମୁଦ୍ରବାହୀ ଜାହାଜ ଚଳାଇ ବାଲିଦ୍ୱୀପକୁ ଯାଉଥିଲେ । ସେଥିପାଇଁ ଏଠାରେ କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ହୁଏ । ଯାଜପୁରିଆ ଭାଇମାନେ ସାବଧାନ ହୁଅନ୍ତୁ, କଟକିଆମାନେ ନୌବାଣିଜ୍ୟର ସବୁ ପୂର୍ବ ସ୍ମୃତି ମାରିନେବାକୁ ବସିଛନ୍ତି । ବିରଜା ମନ୍ଦିର ନିକଟରେ ଯେଉଁ ବାଲିଯାତ୍ରା ହୁଏ, ତାହା ବାଲିଦ୍ୱୀପ ଯିବାର ପୂର୍ବ ସ୍ମୃତି ନ ହେବ କାହିଁକି ? କେତେକ ଅବବାହିତା କନ୍ୟାଙ୍କୁ କୁମ୍ଭକର୍ଣ୍ଣୀଶାଢ଼ି ପିନ୍ଧାଇ ଓ ସାଧବବୋହୂ ସଜାଇ ବୋଇତ ବନ୍ଦାଣର ବ୍ୟବସ୍ଥା କରାଯାଉ । ଯାଜପୁର ମଧ୍ୟ ନୌବାଣିଜ୍ୟର କେନ୍ଦ୍ରସ୍ଥଳି ହୋଇଯିବ । ଆମ ଓଡ଼ିଆ ସାଧବମାନେ ବାଲି ଉପରେ ଓ ଅଳ୍ପ ପାଣି ମଧ୍ୟରେ ସୁଦ୍ଧା ସମୁଦ୍ରବାହୀ ଜାହାଜମାନଙ୍କୁ ଠେଲି ଠେଲି ନେଇପାରୁଥିଲେ, ସେମାନଙ୍କ ସେପରି ତାକତ୍‍ ଥିଲା ।

 

ଭୁବନେଶ୍ୱର ତ ଭୂକୈଳାସ । ଏହା ପାଖ କପିଳେଶ୍ୱରରେ ଯେ ବୁଦ୍ଧଦେବ ଜନ୍ମ ଗ୍ରହଣ କରିଥିଲେ, ଏ କଥା ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ପ୍ରମାଣ କରିଦେଇଛନ୍ତି । ଭୁବନେଶ୍ୱରର ଭାସ୍କରେଶ୍ୱର ମନ୍ଦିର ନିକଟରେ ପଞ୍ଚପାଣ୍ଡବ ଗୁମ୍ଫା ରହିଛି । ଏଠାରେ ପାଣ୍ଡବମାନେ ଗୁପ୍ତ ବନବାସ ସମୟରେ ରହିଥିଲେ । ଅନତିଦୂରରେ ଶିଶୁପାଳଗଡ଼ ରହିଛି । ଏହା ଦ୍ଵାପର ଯୁଗର ଶିଶୁପାଳଙ୍କ ରାଜଧାନୀ ଥିଲା I ଏହାର ଅଳ୍ପଦୂରରେ ଧଉଳି ପାହାଡ଼ରେ ମହାଭାରତର ଅଶ୍ୱତ୍‍ଥାମା ହସ୍ତୀ ପଥର ପାଲଟି ଯାଇଛି । କୋଣାର୍କର ଅନତିଦୂରରେ ଗୋପ ଗ୍ରାମ ଅଛି ଏବଂ ଏଠାରେ ଶ୍ରୀକୃଷ୍ଣ ବାଲ୍ୟଲୀଳା କରିଥିଲେ ।

 

ଖୋର୍ଦ୍ଧାରୋଡ଼ ଷ୍ଟେସନ ନିକଟବର୍ତ୍ତୀ ମୁଟ୍ରି ଷ୍ଟେସନ ମଥୁରା ନ ହେବ କାହିଁକି ? ଇଂରେଜମାନେ ମଥୁରାକୁ ମୁଟ୍ରା ବୋଲି କହୁଥିଲେ, ସେହି ମୁଟ୍ରାରୁ ମୁଟ୍ରି ହୋଇଯାଇଛି । ଅତଏବ ଓଡ଼ିଶା ନିଶ୍ଚୟ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଥିଲା । ଓଡ଼ିଶାରେ ବହୁ କଦମ୍ବଗଛ ଅଛି ଏବଂ ବାସନ୍ତୀ କୁସୁମ ସୁକୁମାର ଅବୟବ ଘେନି ଓ ଅମନ୍ଦକନ୍ଦର୍ପଜ୍ୱରରେ ଘାରିହୋଇ ଗୋପୀମାନେ ଅଦ୍ୟାପି ବଣଜଙ୍ଗଲରେ ଘୂରି ବୁଲୁଛନ୍ତି । ଓଡ଼ିଶାର ପୁରୀଧାମ ର ନିଶ୍ଚିତ ଭାବରେ ବୈକୁଣ୍ଠ । ଏଠାରେ ଓଡ଼ିଆମାନଙ୍କ ଗର୍ବ ବଡ଼ଦିଅଁ, ବଡ଼ଦେଉଳ ଓ ବଡ଼ଦାଣ୍ଡ ଅଛି, କିନ୍ତୁ ଏଠାରେ କୌଣସି ବଡ଼ ଭଣ୍ଡ ନାହାନ୍ତି ।

 

ଗଞ୍ଜାମୀଭାଇମାନଙ୍କ ଅଞ୍ଚଳ ଋଷିମାନଙ୍କ ଅଞ୍ଚଳ ଥିଲା । ଏହି ଅଞ୍ଚଳରେ ଋଷିମାନେ ଖଣତିରେ ଖୋଲି ଋଷିକୁଲ୍ୟା ନଦୀକୁ ତିଆରି କରି ଦେଇଥିଲେ । ଏହି ଅଞ୍ଚଳର ମହେନ୍ଦ୍ରଗିରରେ ପରଶୁରାମ ତପସ୍ୟା କରିଥିଲେ । କୋରାପୁଟିଆ ଭାଇମାନଙ୍କ ଭୀମଗିରି କଥା କିଏ ଭୁଲିପାରିବ-? ଏହାକୁ ମରହଟ୍ଟାମାନେ ମାରିନେଇଛନ୍ତି । ଏହାକୁ ଓଡ଼ିଶାକୁ ଘେନିଆସିବା ପାଇଁ ଓଡ଼ିଶା ତରଫରୁ ଡକ୍‍ଟର ନବୀନ କୁମାର ସାହୁ ଲଢ଼ୁଥିବାବେଳେ କୋରାପୁଟରେ ମହିମାଧର୍ମର ଆଲୋଚନା ପାଇଁ ଗୋଟିଏ ପଣ୍ଡିତ ସଭା ବସିଥିଲା । ସେଠାରେ ସୁନ୍ଦରଲାଲ ତ୍ରିପାଠୀ ନାମକ ଜଣେ ପ୍ରଖ୍ୟାତ ପଣ୍ଡିତ ମୋତେ କହିଲେ -ମରହଟ୍ଟାମାନେ ଅପଣଙ୍କ ରାମଗିରିକୁ ମାରିନେଲେ, ଆପଣ ଚେଷ୍ଟା କରୁନାହାନ୍ତି କାହିଁକି ? ଆପଣ ତ ନାଗପୁର ନିକଟବର୍ତ୍ତୀ ରାମଟେକରେ ଥିବା ପ୍ରାଚୀନ କୀର୍ତ୍ତିର ରକ୍ଷଣାବେକ୍ଷଣ କରୁଥିଲେ । ରାମଟେକ୍ କାଳିଦାସବର୍ଣ୍ଣିତ ରାମଗିରି ହେଲା କିପରି ? ମୁଁ କହିଲି, ସେଠାରେ ମୁଁ ଜନକତନୟା ସ୍ନାନପୁତାଶ୍ରମର କୌଣସି ଚିହ୍ନ ଦେଖି ନ ଥିଲି କିମ୍ୱା ଯକ୍ଷରୂପୀ କାଳିଦାସଙ୍କ ବାସସ୍ଥାନର କୌଣସି ଚିହ୍ନ ଦେଖି ନ ଥିଲି । ଏହାର ପ୍ରାଚୀନ ନାମ ସିନ୍ଦୁରଗିରି ଥିବାର କଥା ମୁଁ ଜାଣେ । ତେବେ ମରହଟ୍ଟାମାନେ ତ ରାମଗିରିକୁ ମାରିନେଲେଣି, ବର୍ତ୍ତମାନ ଉପାୟ କଅଣ ? ଏପରି ବିଷୟର ବିଚାର ପାଇଁ କୌଣସି ଅଦାଲତ ନାହିଁ । ଏହାର ଏକମାତ୍ର ଉପାୟ ଏହି ଯେ ଓଡ଼ିଶା ସରକାର କୋରାପୁଟର ରାମଗିରିରେ ମଧ୍ୟ ଗୋଟିଏ ମନ୍ଦିର ତୋଳିଦିଅନ୍ତୁ । ତା ପରେ ମୁଁ ଏହି ପଣ୍ଡିତଙ୍କୁ ପଚାରିଲି, ସୁନ୍ଦରଲାଲଜୀ, କାଳିଦାସବର୍ଣ୍ଣିତ ଅଳକାପୁରୀଟା କେଉଁଠାରେ ଅଛି ? କାଳିଦାସ ଲେଖିଛନ୍ତି ଯେ ଅଳକାପୁରୀରେ ଭୋକଶୋଷ ହୁଏ ନାହିଁ, ଏଠାରେ କେହି ବୁଢ଼ାବୁଢ଼ୀ ହୁଅନ୍ତି ନାହିଁ, ପ୍ରଣୟ-କଳହ ଛଡ଼ା ଏଠାରେ ଅନ୍ୟ କୌଣସି ପ୍ରକାର କଳହ ହୁଏ ନାହିଁ । ଏହି ଅଳକାପୁରୀକୋ ଧୂଣ୍ଡ କେ ମୁଝକୋ ଦିଲ୍ୱା ଦେ ଜୀଏ ! ଓଡ଼ିଶାବାସୀ ବହୁତ ଗରିବ ହେ ! ଅଳକାପୁରୀକୁ ପାଇଲେ ସେମାନଙ୍କ ଭୋକ ଶୋଷ ଚାଲିଯିବ, ଓଡ଼ିଆମାନେ ଆଉ ବୁଢ଼ାବୁଢ଼ୀ ହେବେ ନାହିଁ, ପ୍ରଣୟ-କଳହ ଛଡ଼ା ସେମାନଙ୍କ ମଧ୍ୟରେ ଅନ୍ୟ କୌଣସି କଳହ ହେବ ନାହିଁ । ସୁନ୍ଦରଲାଲଜୀ ମୋ କଥା ଶୁଣି ହସିଲେ ।

 

ଉତ୍ତର-ଓଡ଼ିଶାର ଭାଇମାନେ ନିରାଶ ହୁଅନ୍ତୁ ନାହିଁ । ସେମାନଙ୍କ ଅଞ୍ଚଳରେ ମଧ୍ୟ ବହୁ ତ୍ରେତା-ଦ୍ଵାପର ଯୁଗର ସ୍ଥାନ ରହଛି । ନୀଳଗିରିର ଅଯୋଧ୍ୟା କଅଣ ରାମଙ୍କର ଜନ୍ମସ୍ଥାନ ନୁହେଁ ? ତେବେ ଏହାର ନାମ ଅଯୋଧ୍ୟା ହେଲା କିପରି ? ଏହି ନୀଳଗିରିରେ ଦ୍ଵାପର ଯୁଗର ଶମୀବୃକ୍ଷ ପଥର ପାଲଟି ଯାଇଛି । ଏହିଠାରେ ଗୁପ୍ତବନବାସ ସମୟରେ ପାଣ୍ଡବମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥଲେ । ମୟୁରଭଞ୍ଜର ପ୍ରାଚୀନ ରାଜଧାନୀ ଖିଚିଙ୍ଗରେ କୀଚକଗଡ଼ ଓ ବିରାଟଗଡ଼ ରହିଛି । ଏଠାରେ ଶଳା-ଭିଣୋଇ ପାଖପାଖି ଗଡ଼ କରି ରହିଥିଲେ । କେଉଁଝରର ଢେଙ୍କିକୋଟ ନିକଟବର୍ତ୍ତୀ ସୀତାବିଂଝିରେ ‘‘ରାବଣଛାୟା” ରହିଛି ଏବଂ ତାହାରି ପାଖରେ ସୀତାଙ୍କ ଅନ୍ତୁଡ଼ିଶାଳରେ ନବକୁଶ ପଥର ପାଲଟି ଯାଇଛନ୍ତି । ସୀତାନଦୀ ପାଖରେ ବହିଚାଲିଛି । ଅତଏବ ଏଠାରେ ତ୍ରେତାଯୁଗର କୀର୍ତ୍ତିମାନ ରହିଛି ।

 

ସମ୍ବଲପୁର ଅଞ୍ଚଳର ଅବସ୍ଥା ଟିକିଏ ଭିନ୍ନ ପ୍ରକାର । ଏଠାରେ ସମ୍ୱଲପୁରୀ ଓଡ଼ିଆମାନେ ଅସୁରମାନଙ୍କୁ ମାରି ଧ୍ଵଂସକରି ଦେଇଛନ୍ତି । ମନମୁଣ୍ଡାଠାରେ ଗୋଟିଏ ଅସୁରଗଡ଼ ଅଛି ଓ କଳାହାଣ୍ଡିରେ ମଧ୍ୟ ଗୋଟିଏ ଅସୁରଗଡ଼ ଅଛି । ସମ୍ବଲପୁରୀ ଓଡ଼ିଆମାନେ ଅସୁରମାନଙ୍କୁ ମାରିଦେବା ପରେ ସେମାନଙ୍କ ଗଡ଼ ଖାଲି ପଡ଼ିଛି । ସମ୍ବଲପୁର ଅଞ୍ଚଳରେ ଯେ ଲଙ୍କା ଥିଲା, ଏ କଥା ଜଣେ ପ୍ରଖ୍ୟାତ ଐତିହାସିକ ପ୍ରମାଣ କରି ଦେଇଛନ୍ତି । ସ୍ୱର୍ଣ୍ଣମୟୀ ଲଙ୍କାରୁ ଖଣ୍ଡେ ଖଣ୍ଡେ ସୁନା ମାରିନେଇ ସମ୍ବଲପୁରୀ ଓଡ଼ିଆମାନେ ମୋଟାସୋଟା ହୋଇଛନ୍ତି । ଏ ଅଞ୍ଚଳରେ ଗରିବଲୋକ ଦେଖାଯା’ନ୍ତି ନାହିଁ ।

 

ପୁଣ୍ୟଭୂମି ଓଡ଼ିଶାରେ ବହୁ ମୁନିଋଷି ଜନ୍ମଗ୍ରହଣ କରିଥିଲେ । ପାନପୋଷ ନିକଟରେ ବେଦବ୍ୟାସ ରହିଛି ଏବଂ ଯାଜପୁର ରୋଡ଼ ନିକଟରେ ବ୍ୟାସନଗର ରହିଛି । ଅତଏବ ବ୍ୟାସମୁନି ଓଡ଼ିଶାରେ ହିଁ ଜନ୍ମଗ୍ରହଣ କରିଥିଲେ । ମୟୁରଭଞ୍ଜର ଖିଚିଙ୍ଗଠାରୁ ୫ ମାଇଲ ଦୂର ପଦ୍ମପୁରରେ କପିଳମୁନିଙ୍କ ଆଶ୍ରମ ରହିଛି; ଅତଏବ କପିଳମୁନି ମଧ୍ୟ ଜଣେ ଓଡ଼ିଆ ଥିଲେ । ପୂର୍ବବର୍ଣ୍ଣିତ ସୀତାବିଂଝିରେ ବାଲ୍ମିକୀଙ୍କ ଆଶ୍ରମ ଥିଲା, ନଚେତ୍ ସେଠାରେ ନବକୁଶ ଜନ୍ମଗ୍ରହଣ କଲେ କିପରି ? ଜଣେ ଓଡ଼ିଆ ପଣ୍ଡିତ ପ୍ରମାଣ କରିଥିଲେ ଯେ ବଙ୍ଗଳା ମହାଭାରତର ରଚୟିତା କାଶୀ ଦାଶ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ବଙ୍ଗାଳୀମାନେ ତାଙ୍କୁ ମାରିନେଲେଣି । ସମଗ୍ର ଓଡ଼ିଶାରେ ଖୋଜିବସିଲେ ବହୁ ସୀତାକୁଣ୍ଡ, ରାମକୁଣ୍ଡ, ଭୀମକୁଣ୍ଡ ଇତ୍ୟାଦି ମିଳିବ । କଳିଯୁଗର କୀର୍ତ୍ତିମାନଙ୍କ କଥା ପଚାରୁଛି କିଏ ? ଏ ସମସ୍ତ ଅର୍ବାଚୀନ ଇତିହାସର ସାମଗ୍ରୀ ।

 

ହେ ପଣ୍ଡିତ, ପୌରାଣିକ, ଐତିହାସିକ, ପ୍ରତ୍ନତାତ୍ତ୍ୱିକ, ଗବେଷକ, ଓଡିଶାଭକ୍ତ, ଓଡ଼ିଆଭକ୍ତ, ଧାର୍ମିକ, ଧର୍ମଧ୍ୱଜୀମାନେ ! ମୁଁ ଆପଣମାନଙ୍କ ଗବେଷଣାର ଫଳକୁ ମାନି ନେଉଛି; କିନ୍ତୁ କରଯୋଡ଼ି ପଚାରୁଛି-ଏତେ ଦୁଃଖ, ଏତେ ରୋଗ, ଏତେ ଦାରିଦ୍ର୍ୟ ଏତେ ଲାଞ୍ଛନା ଓଡ଼ିଶା ଭାଗ୍ୟରେ ପୁଞ୍ଜିଭୂତ ହେଲା କିପରି ? ଅନାହାରରେ ମାତାର ସ୍ତନ ଚର୍ମ ପରି ହୋଇଥାଏ ଏବଂ ତହିଁରେ କ୍ଷୁଦ୍ର ଶିଶୁଟିଏ ଚର୍ମ ପରି ଲାଗି ରହିଥାଏ, ବିକାଶଶୀଳା ବାଳିକାର ସ୍ତନାଙ୍କୁର ଫୁଟିପାରେ ନାହିଁ, ବଳବାନ୍‍ ଯୁବକ ମାଟିପେଣ୍ଡୁଳା ପରି ପଡ଼ି ରହେ, ବୃଦ୍ଧବୃଦ୍ଧା ଦୁର୍ବହ ଦେହକୁ ଯଷ୍ଟି ସାହାଯ୍ୟରେ ବହନ କରି ନରକଙ୍କାଳମାନଙ୍କ ଶୋଭାଯାତ୍ରାରେ ଯୋଗଦିଅନ୍ତି । ସମସ୍ତେ ଖଣ୍ଡେ ଖଣ୍ଡେ ଭିକ୍ଷାପାତ୍ର ଧରିଥାନ୍ତି ଏବଂ ସେଥିରେ ଥିବା ଚାଉଳରୁ ଗୋଟିଏ ଗୋଟିଏ ପାଟିରେ ପକାଇ ‘‘ବ୍ରେକ୍‍ଫାଷ୍ଟ’’ ବା ପ୍ରାତଃଭୋଜନ କରି ଚାଲିଛନ୍ତି । ‘‘ଆରେ, ତୁମ୍ଭେମାନେ ଭଲ ଲୋକ; କାମ ନ କରି ଭିକ ମାଗୁଛ କାହିଁକି ?’’ ଉତ୍ତର ଆସେ – ‘‘କାମ ଦେଉ ନ ବାବୁ, ପେଟରେ ଦାନା ପଡ଼ି ନ ଥିଲେ ମଧ୍ୟ କାମ କରିବୁ !’’

 

ଧବଳଟଗର ପରି କଟକନଗରର ଧନିକଗୃହରେ ବିବାହୋତ୍ସବ ଅନୁଷ୍ଠିତ ହୁଏ । ଅପରୂପ ଆଲୋକସଜ୍ଜା, ବେଣ୍ଡ, ଟୁଇଷ୍ଟ, କାର୍‍ ଇତ୍ୟାଦିର ସମାବେଶରେ ଖାରବେଳ ବା କପିଳେନ୍ଦ୍ରଙ୍କ ସୈନ୍ୟମାନେ ବିଜୟଗର୍ବରେ ବିଜିତଦୁର୍ଗରେ ପ୍ରବେଶ କଲା ପରି ବରଯାତ୍ରୀମାନେ କନ୍ୟାପିତାଙ୍କ ଦ୍ୱାରା ନିର୍ମିତ ଶୋଭାମୟ ମଣ୍ଡପରେ ସଗର୍ବରେ ପ୍ରବେଶ କରନ୍ତି ଏବଂ ପଶିବା ପୂର୍ବରୁ ପାଞ୍ଚଦଶଟା ହାବେଳୀ ଛାଡ଼ିଦିଅନ୍ତି । ହାବେଳୀ ଗର୍ଜନ କରି ଆକାଶକୁ ଉଠିଯାଏ ଏଂବ ଏହାର ଅଗ୍ନିକଣା ତ୍ରସ୍ତା ଯାମିନୀର କୃଷ୍ଣକବରୀରୁ ଝରାପୁଷ୍ପ ପରି ଝରିପଡ଼େ । ‘‘ଜନତା କୁହାଟେ ବାହାବା ବାହାବା !’’ ବିବାହର ପୂଜାପାଠ ଇତ୍ୟାଦି ଗୋଟାଏ ମାମୁଲି କଥା; ଏହାର ଅସଲି ଅଂଶଟା ହେଉଛି ଭୋଜି । କନ୍ୟାପିତାର ଗୃହର ଆଖପାଖ ଅଞ୍ଚଳ କାର୍‍ରେ ପରିପୂର୍ଣ୍ଣ ହୋଇଯାଏ-। ଅତିଥିମାନେ ସହାସ୍ୟ ବଦନରେ ଶୋଭାମୟ ମଣ୍ଡପରେ ଯଥାଯୋଗ୍ୟ ଆସନ ଗ୍ରହଣ କରନ୍ତି । ପୁରନ୍ଧ୍ରୀମାନେ ବସନଭୂଷଣରେ ବର୍ଣ୍ଣୋଜ୍ୱଳା ହୋଇ, ଖଣ୍ଡେ ଖଣ୍ଡେ ଉପଢୌକନ ଧରି, ମନ୍ଥର ପଦରେ ପ୍ରବେଶ କରନ୍ତି । ତା ପରେ ଚାଲେ ଭୋଜି । ବଳବାନ୍‍ ଯୁବକମାନେ ବଡ଼ ବଡ଼ ବାଲ୍‍ତିରେ ବଡ଼ ବଡ଼ ଚଟୁ ପକାଇ ଖାଦ୍ୟଦ୍ରବ୍ୟ ପରିବେଷଣ କରନ୍ତି । ଆମ ଜଗନ୍ନାଥ ସଂସ୍କୃତିର ସ୍ମୃତିକାରମାନେ ପରା କୁଆଡ଼େ କହିଛନ୍ତି–ଉହୁଁ ଦେୟଂ, ନା ନା ଦେୟଂ, ନ ଦେୟଂ ବ୍ୟାଘ୍ର ଲମ୍ଫନଂ । ଭୋଜୀରେ ଯେଉଁମାନେ ଉହୁଁ କହି ହାତ ହଲାଉଥିବେ, ସେମାନଙ୍କ ପତ୍ରରେ ଢାଳିବ, ଯେଉଁମାନେ ନା ନା କହି ହାତ ହଲାଉଥିବେ, ସେମାନଙ୍କ ପତ୍ରରେ ମଧ୍ୟ ଅଜାଡ଼ିବ, କିନ୍ତୁ ଯେଉଁମାନେ ବାଘ ପରି ଡେଇଁପଡ଼ି ହାତ ଦୁଇଟାକୁ ପତ୍ର ଉପରେ ଢାଙ୍କି ଦେବେ, ସେମାନଙ୍କ ପତ୍ରରେ ଆଉ ଖାଦ୍ୟଦ୍ରବ୍ୟ ଦେବ ନାହିଁ । ଏହି ସ୍ମୃତିବାକ୍ୟ ଅନୁସାରେ ଖାଦ୍ୟଦ୍ରବ୍ୟ ପରଷା ହୁଏ, ନଚେତ୍‍ ଭୋଜୀକର୍ତ୍ତାଙ୍କ ଦାତାପଣ ଓ ଆଭିଜାତ୍ୟରେ ଆଞ୍ଚ ଆସିବ । ଫଳରେ ପତ୍ରମାନଙ୍କରେ କୁଢ଼ କୁଢ଼ ଉଚ୍ଛିଷ୍ଟ ରହିଯାଏ-

 

ଏଣେ ଖାଦ୍ୟଦ୍ରବ୍ୟମାନଙ୍କ ମନମୋହକର ସୁଗନ୍ଧରେ ଆକୃଷ୍ଟ ହୋଇ ମଣ୍ଡପ ବାହାରେ ଦୁଇଟି ଶ୍ରେଣୀର ଅନାହୂତ ଅତିଥି ଛିଡ଼ା ହୋଇଥାନ୍ତି । ଏମାନଙ୍କ ମଧ୍ୟରୁ ଦଳେ ହେଉଛନ୍ତି ବୁଲା କୁକୁର ଓ ଅନ୍ୟ ଦଳଟି କଙ୍କାଳମୟ କାଙ୍ଗାଳୀ । ଏମାନଙ୍କୁ ମଧ୍ୟେ ମଧ୍ୟେ ତଡ଼ି ଦିଆଗଲେ ମଧ୍ୟ ଏମାନେ ପୂଣି ଆସି ସ୍ୱ-ସ୍ୱ ସ୍ଥାନରେ ସତର୍କତାର ସହିତ ଛିଡ଼ା ହୋଇଥାନ୍ତି । ଅବଶେଷରେ ଉଚ୍ଛିଷ୍ଟର କୁଢ଼ମାନଙ୍କୁ ଏହି ଅନାହୂତ ଅତିଥିମାନଙ୍କୁ ଢାଳି ଦିଆଯାଏ । ଏହାପରେ କୁକୁର ଓ କାଙ୍ଗାଳୀମାନଙ୍କ ମଧ୍ୟରେ ଭାଗ ପାଇଁ ଲଢ଼ାଇ ଚାଲେ ।

 

ହେ ଜଗନ୍ନାଥ ଧର୍ମ୍ମୀ ଓଡ଼ିଆ ଭାଇମାନେ ! ଦେବଭୂମି ଓଡ଼ିଶାର ଏ ଦୃଶ୍ୟ ଓ ଦଶା କେବେଠାରୁ ଆସିଲା ? ଆପଣମାନେ ନିଶ୍ଚୟ କହିବେ-ଓଡ଼ିଆଭାଷୀ ଅଞ୍ଚଳମାନ ମଧ୍ୟପ୍ରଦେଶ, ବିହାର, ମାନ୍ଦ୍ରାଜ ଓ ବଙ୍ଗଦେଶରେ ବାଣ୍ଟିହୋଇ ରହିଲା, ବଙ୍ଗାଳୀମାନେ ଓଡ଼ିଶାର ଜମିଦାରୀଗୁଡ଼ାକ ମାରିନେଲେ, ଶ୍ରୀଚୈତନ୍ୟ ଓଡ଼ିଆମାନଙ୍କ ସାମରିକ ଶକ୍ତିକୁ ଧ୍ୱଂସ କରିଦେଲେ ଇତ୍ୟାଦି । କିନ୍ତୁ ଘଟନା ପ୍ରବାହର ଅନୁଶୀଳନ ଓ ବିଶ୍ଳେଷଣ କଲେ ଏ ସମସ୍ତ ଯୁକ୍ତି ଗ୍ରହଣଯୋଗ୍ୟ ହୋଇପାରେ ନାହିଁ । ଭାଷାଭିତ୍ତିକ ରାଜ୍ୟ ସଂଗଠନର ପରିକଳ୍ପନା ଅଳ୍ପଦିନ ତଳର କଥା । ବହୁବର୍ଷ ଧରି ଓଡ଼ିଆମାନେ ଆନ୍ଧ୍ରର ଖଣ୍ଡେ ଅଞ୍ଚଳ ମାଡ଼ି ବସି ରହିଥିଲେ, ଉତ୍ତରରେ ବଙ୍ଗର କେତେକ ଅଞ୍ଚଳ ମଧ୍ୟେ ମଧ୍ୟେ ମାଡ଼ିବସି ଅଧିକାର କରି ରହିଥିଲେ । ବ୍ରିଟିଶ ରାଜତ୍ୱରେ ତେଲଗୁଭାଷୀ ଅଞ୍ଚଳରୁ ଖଣ୍ଡେ ତାମିଲନାଡ଼ୁ ସହିତ ଓ ଖଣ୍ଡେ ନିଜାମରାଜ୍ୟ ସହିତ ଯୋଡ଼ିହୋଇ ରହିଥିଲା । କନ୍ନଡ଼ଭାଷୀମାନଙ୍କ ମଧ୍ୟରୁ କେତେକ ମହୀଶୂର ରାଜ୍ୟରେ, କେତେକ ନିଜାମ ରାଜ୍ୟରେ ଓ କେତେକ ବମ୍ୱେ ପ୍ରେସିଡ଼େନ୍‍ସିରେ ବାଣ୍ଟିହୋଇ ରହିଥିଲେ । ଏସବୁ ଭାଷାଭାଷୀମାନଙ୍କ ନୈତିକ ଓ ଭୌତିକ ବଳ ଭାଙ୍ଗି ପଡ଼ି ନ ଥିଲା, କିନ୍ତୁ ଓଡ଼ିଆମାନଙ୍କ ଉଭୟ ବଳ ଭଙ୍ଗିପଡ଼ିଲା କାହିଁକି ?

 

ବିଷୟଟିକୁ ଅନ୍ୟ ଗୋଟିଏ ଦୃଷ୍ଟି କୋଣରୁ ଦେଖନ୍ତୁ । ୧୯୪୭ରେ ଭାରତ ଭାଗ ଭାଗ ହେବାବେଳେ ପଞ୍ଜାବର ଫାଳେ ପାକିସ୍ତାନକୁ ଚାଲିଗଲା । ବାକି ଯେଉଁ ଖଣ୍ଡକ ରହିଲା, ସେଥିରୁ ହିମାଚଳପ୍ରଦେଶ, ପଞ୍ଜାବ ଓ ହରିଆଣା ରାଜ୍ୟର ସୃଷ୍ଟି ହେଲା, ଅଥଚ ପଞ୍ଜାବ ଓ ହରିଆଣା ବର୍ତ୍ତମାନ ଭାରତର ସର୍ବଶ୍ରେଷ୍ଠ ଅଗ୍ରସର ରାଜ୍ୟ । ୧୯୪୭ରେ ପୂର୍ବତନ ବଙ୍ଗର ଖଣ୍ଡେ ପୂର୍ବ ପାକିସ୍ଥାନରେ ପରିଣତ ହେଲା । ଯେଉଁ ଖଣ୍ଡକ ଭାରତରେ ରହିଲା, ତାହାର ଜନସଂଖ୍ୟା ହେଉଛି ସାଢ଼େ ଚାରିକୋଟି ଏବଂ ଯେଉଁ ଖଣ୍ଡକ ପାକିସ୍ଥାନକୁ ଚାଲିଗଲା, ତାହାର ଜନସଂଖ୍ୟା ହେଉଛି ସାଢ଼େ ସାତକୋଟି । ଅଥଚ ଖଣ୍ଡିତ ବଙ୍ଗ ପଶ୍ଚିମବଙ୍ଗ ନାମ ଧାରଣ କରି ଧର୍ମ, ଶିକ୍ଷା, ସଂସ୍କୃତି ଓ ରାଜନୀତିରେ ତାହାର ପୂର୍ବଗୌରବ ବଜାୟ ରଖିଛି । ପୂର୍ବତନ ଆସାମରୁ ପାଞ୍ଚୋଟି ରାଜ୍ୟ ବାହାରି ପଡ଼ିଛି, ଯଥା-ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଓ କେନ୍ଦ୍ରଶାସିତ ମଣିପୁର । ସମସ୍ୟାବହୁଳ ଆସାମର କାଛାର ଜିଲା ବଙ୍ଗଭାଷୀବହୁଳ ଏବଂ ବିଭାଜନ ପୂର୍ବରୁ ଆସାମର ମୁସଲମାନ ସଂଖ୍ୟା ଥିଲା ଶତକରା ୩୩ । ଅଥଚ ଶିକ୍ଷା ଓ ସଂସ୍କୃତିରେ ଆସାମ ଓଡ଼ିଶାଠାରୁ ଅଧିକ ଅଗ୍ରସର ହୋଇଛି । ଯେଉଁମାନେ ଏ ଭକ୍ତିକୁ ଅତିରଞ୍ଜନ ବୋଲି ଭାବିବେ, ସେମାନେ ଗୌହାଟି ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରକାଶକ ତାଲିକାର (List of Publications) ତୁଳନାତ୍ମକ ଅନୁଶୀଳନ କଲେ ଏ ଉକ୍ତିର ସଭ୍ୟତା ଉପଲବ୍‍ଧି କରିପାରିବେ-। ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ବିଛିନ୍ନତା ଓଡ଼ିଶାର ଦୁର୍ଗତିର ଗୋଟାଏ ବଡ଼ କାରଣ ନୁହେଁ ।

 

ବଙ୍ଗାଳୀମାନେ ଯେ ଓଡ଼ିଶାର ବହୁ ଜମିଦାରୀକୁ କଳେବଳେକଉଶଳେ ଅଧିକାର କରିଥିଲେ, ଏହା ସତ୍ୟ କଥା; କିନ୍ତୁ ସେମାନେ ଏତେ ସହଜରେ ଏଗୁଡ଼ିକୁ ନେଲେ କିପରି ? ଏହି ସମସ୍ୟାର ଉତ୍ତର ଖୋଜିବାକୁ ଗଲେ ଜଣାଯାଏ ଯେ ବ୍ରିଟିଶ ରାଜତ୍ୱର ପ୍ରାରମ୍ଭରେ ଓଡ଼ିଶାର ରାଜନ୍ୟବର୍ଗ ଓ ଜନତା ଅତୀତ ସହିତ ଅତି ପ୍ରୀତି କରି ସମୟସ୍ରୋତର ଅନ୍ତତଃ ଏକଶତ ବର୍ଷ ପଛରେ ପଡ଼ି ଯାଇଥିଲେ । ୧୫୬୮ ଖ୍ରୀଷ୍ଟାବ୍ଦରୁ ୧୭୫୧ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମୁସଲମାନମାନେ ଏବଂ ୧୭୫୧ ଖ୍ରୀଷ୍ଟାବ୍ଦରୁ ୧୮୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମରହଟ୍ଟାମାନେ ଓଡ଼ିଶାରେ ରାଜତ୍ୱ କରିଗଲେ; ମାତ୍ର ଏହି ଦୀର୍ଘ ୨୩୫ ବର୍ଷ ମଧ୍ୟରେ ଓଡ଼ିଶାର ଶାସନକଳ ବା ସୈନ୍ୟବିଭାଗ ସହିତ ଓଡ଼ିଆମାନେ କୌଣସି ପ୍ରକାରେ ସହଯୋଗ କରିବାର ବା ସଂଶ୍ଲିଷ୍ଟ ଥିବାର କୌଣସି ପ୍ରମାଣ ମିଳେ ନାହିଁ । ପାର୍ଶ୍ୱବର୍ତ୍ତୀ ବଙ୍ଗରେ ଅବସ୍ଥା ଭିନ୍ନପ୍ରକାର ଥିଲା । ଏ ଅଞ୍ଚଳର ଲୋକେ ମୁସଲମାନ ଶାସନ ସହିତ ସାଲିସ୍‍ କରି ମୁସଲମାନ ଆଇନ, ମୁସଲମାନୀ ଭାଷା ମୁସଲମାନୀ ଚାଲିଚଳନ ଶିଖିଯିବା ପରେ ଛୋଟବଡ଼ କର୍ମଚାରୀରୂପେ ଅଧିଷ୍ଠିତ ହୋଇ ଶାସନକଳ ଚଳାଇବାରେ ପାରଦର୍ଶିତା ଲାଭ କରିସାରିଥିଲେ । ଏହି କର୍ମଚାରୀମାନଙ୍କ ମଧ୍ୟରୁ ରାଜା ଗଣେଶ ନାମକ ଜଣେ ବ୍ରାହ୍ମଣ ଜମିଦାର ବଙ୍ଗରେ ହିନ୍ଦୁ ଶାସନର ପୁନରୁତ୍‍ଥାନ କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ । ୧୭୫୭ ଖ୍ରୀଷ୍ଟାବ୍ଦରେ ବଙ୍ଗ ବ୍ରିଟିଶମାନଙ୍କ ଦ୍ଵାରା ଅଧିକୃତ ହେବା ପରେ ବଙ୍ଗାଳୀମାନେ ବ୍ରିଟିଶ ଶାସନ ସହିତ ମଧ୍ୟ ଅନୁରୂପ ସାଲିସ୍‍ କରି ମୁସଲମାନ ଓ ବ୍ରିଟଶ ଶାସନପଦ୍ଧତିର ସମ୍ମିଶ୍ରଣରୁ ସମ୍ଭୂତ ନବଶାସନ ପଦ୍ଧତିରେ ପାରଦର୍ଶିତା ଲାଭ କରିଥିଲେ । ୧୮୦୩ରେ ବ୍ରିଟିଶମାନେ ଏହି ନବଶାସନ ପଦ୍ଧତି ସହ ଓଡ଼ିଶାରେ ପ୍ରବେଶ କଲା ପରେ ଦେଖାଯାଇଥିଲା ଯେ ଶାସନକଳର ବିଭିନ୍ନ ବିଭାଗ ଚଳାଇବା ପାଇଁ ଜଣେ ସୁଦ୍ଧା ଉପଯୁକ୍ତ ଓଡ଼ିଆ ନ ଥିଲେ । ଏହି ବିସ୍ମୟକର ଘଟନା ଓଡ଼ିଆମାନଙ୍କ ଅତୀତର ଅତୀପ୍ରୀତିରୁ ସମ୍ଭୁତ ହୋଇଥିଲା ।

 

ଏହି ବିସ୍ମୟକର ଘଟନା ବିଶ୍ଳେଷଣ କଲାବେଳେ ମୋର ପିଲାକାଳର ଗୋଟିଏ କଥା ମନେପଡ଼େ । ଆମ ଖିଚିଙ୍ଗ ଗ୍ରାମର ପାର୍ଶ୍ୱବର୍ତ୍ତୀ ରରୁଆଁ ଗ୍ରାମରେ ଗୋଟିଏ କ୍ଷତ୍ରୀୟ ପରିବାର ଅଛନ୍ତି । ସେମାନେ କୌଣସି କାଳରେ ମୟୁରଭଞ୍ଜ ରାଜବଂଶର ଅଂଶବିଶେଷ ଥିଲେ । ରାଜବଂଶ ସହିତ ଏମାନଙ୍କ ସମ୍ୱନ୍ଧର ଇତିହାସ ଲୁପ୍ତ ହୋଇଛି, ମାତ୍ର ଏହି ପରିବାର ପୂର୍ବଗର୍ବରେ ଚାଷ, ଚାକିରି ବା ବ୍ୟବସାୟ କରୁ ନଥିଲେ । କୌଣସି ପୂର୍ବରାଜାଙ୍କ ପାଖରୁ ଏମାନେ ଯେଉଁ ଲାଖରାଜ ପାଇଥିଲେ, ତାହା ବହୁବର୍ଷ ପରେ ଭାଗ ଭାଗ ହୋଇଯିବା ହେତୁ ଜଣକ ପିଛା ବାର୍ଷିକ ଦଶପନ୍ଦର ଟଙ୍କାରୁ ଅଧିକ ଭାଗ ପଡ଼ୁ ନ ଥିଲା । ଏପରି ଅବସ୍ଥାରେ ଏମାନଙ୍କ ମଧ୍ୟରୁ ଜଣେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥିଲେ । ଏ ରାଜବଂଶୀ କାନ୍ଧରେ ଖଣ୍ଡେ ବହୁ ପୁରୁଣା ଶାଲ ପକାଇ ଓ ସଙ୍ଗରେ ଜଣେ ଭାରୁଆ ନେଇ ଆମ ଗାଁରେ ଭିକ୍ଷା ମାଗିସାରିବା ପରେ ଆମ ଘର ପାଖ ଜଣେ ଭୂମିଜର ବାଡ଼ିରୁ ଗୋଟାକେତେ ବାଇଗଣ ଓ ଲଙ୍କାମରିଚ ତୋଳି ନେଉଥିଲେ । ଭୂମିଜାଣୀ ରାଗରେ ଯୋଗିଣୀଖିଆ, ଗାତପଶା ଇତ୍ୟାତି କହି ତାଙ୍କୁ ଗାଳିଦେବା ବେଳେ ସେ ତାକୁ କହୁଥିଲେ- “ଆରେ, ଆମେ ରାଜବଂଶୀ ରେ, ତୁ ମୋତେ ଚିହ୍ନି ପାରୁ ନାହୁଁ ? ତୁମେମାନେ ଯେତେହେଲେ ଆମର ପ୍ରଜା, ବାଇଗଣ ଦୁଇଟା ତୋଳିନେବାରୁ ତୁ ମୋତେ ଗାଳିଦେଉଛୁ ?’’

 

ବ୍ରଟିଶ୍ ରାଜତ୍ୱ ପ୍ରାରମ୍ଭବେଳକୁ ଓଡ଼ିଆମାନଙ୍କ ଅବସ୍ଥା ଏହି ରାଜବଂଶୀ ପରି ହୋଇ ସାରିଥିଲା । ସେମାନେ ଅତୀତକୁ ଏପରି ଜାବୋଡ଼ି ଧରି ବସିଥିଲେ ଯେ ପାଦେ ମାତ୍ର ଅଗ୍ରସର ହେବାକୁ ରାଜି ହୋଇ ନ ଥିଲେ । ସେମାନେ କେବେ ଯେ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ଭୂଖଣ୍ଡର ଅଧୀଶ୍ୱର ଥିଲେ, ଏହି କଥାଟା ଭ୍ରାନ୍ତ ଭାବରେ ସେମାନଙ୍କ ମୁଣ୍ଡରେ ବୁଲୁଥିଲା । ବ୍ରିଟିଶ ରାଜତ୍ୱର ପ୍ରାରମ୍ଭରେ, ତାହାର ପୂର୍ବରେ କିମ୍ବା ତାହାର ବହୁ ପରେ ସୁଦ୍ଧା ବ୍ରିଟିଶ ଶାସନ ଯେଉଁ ନବାଲୋକ ଆଣିଥିଲା, ସେଥିରେ ଓଡ଼ିଆ ବ୍ରାହ୍ମଣ ଓ ଭୂସ୍ୱାମୀ ପ୍ରଭୃତି ସ୍ୱଚ୍ଛଳଦଳ ଆଲୋକିତ ନ ହୋଇ ସ୍ୱ-ସ୍ୱ ସଂକୀର୍ଣ୍ଣ ଗଣ୍ଡି ଭିତରେ ସୀମାବଦ୍ଧ ହୋଇ ରହିଥିଲେ । ଏମାନଙ୍କ ଦୂରଦୃଷ୍ଟି ଓ ଭୌଗୋଳିକ ଦୃଷ୍ଟି ସମ୍ପୂର୍ଣ୍ଣ ରୂପେ ଲୋପ ପାଇଥିଲା । ବ୍ରିଟିଶ ରାଜତ୍ୱର ଶେଷାର୍ଦ୍ଧରେ ସୁଦ୍ଧା ସମାଜପତି ଓଡ଼ିଆ ବ୍ରାହ୍ମଣମାନଙ୍କ ନବଶିକ୍ଷା ପଦ୍ଧତି ପ୍ରତି କିପରି ଆଗ୍ରହ ଥିଲା, ଥରେ ଗୋଟିଏ ସଭାରେ ଡକ୍‍ଟର ସଦାଶିବ ମିଶ୍ର ତାହାର ଗୋଟିଏ କୌତୁକପୂର୍ଣ୍ଣ ଉଦାହରଣ ଦେଇଥିଲେ । ତତ୍‍କାଳୀନ ସ୍କୁଲସମୂହର ଜଏଣ୍ଟ ଇନସ୍‍ପେକ୍ଟର କବିବର ଶ୍ରୀରାଧାନାଥ ରାୟ ଡକ୍‍ଟର ମିଶ୍ରଙ୍କ ଶାସନର ବ୍ରାହ୍ମଣମାନଙ୍କୁ ବହୁ ଅନୁନୟ ବିନୟ କରିବା ପରେ ସେମାନେ ତାକୁ ସେମାନଙ୍କ ଶାସନରେ ଗୋଟିଏ ସ୍କୁଲ ବସାଇବା ପାଇଁ ଅନୁମତି ଦେଇଥିଲେ । ସ୍କୁଲ ବସିଲା, ମାତ୍ର ବ୍ରାହ୍ମଣପିଲାମାନେ ତାଳପତ୍ର ଉପରେ ନ ଲେଖି କାଗଜ ଉପରେ ଲେଖୁଥିବାରୁ ବ୍ରାହ୍ମଣମାନେ ଘୋର ଆପତ୍ତି କରି ସ୍କୁଲ ଭାଙ୍ଗିଦେଲେ ଏବଂ ପିଲାମାନଙ୍କୁ ଲଣ୍ଡାକରି ଗୋବର ପାଣି ପିଆଇଦେଲେ । ଏହା ହେଉଛି ତତ୍‍କାଳୀନ ସମାଜପତି ଓଡ଼ିଆ ବ୍ରାହ୍ମଣମାନଙ୍କ ଦୂରଦୃଷ୍ଟିର ଗୋଟିଏ ଉଦାହରଣ । ଓଡ଼ିଶାରେ ନବଶିକ୍ଷାପଦ୍ଧତିକୁ ଓଡ଼ିଆମାନେ ପ୍ରତିରୋଧ କରିଥିବାର ଏହିପରି ବହୁ ଉଦାହରଣ ବ୍ରିଟିଶ ରେକର୍ଡରୁ ମିଳେ ।

 

ଊନବିଂଶ ଶତାବ୍ଦୀର ଶେଷ ଦଶକରେ ସୁଦ୍ଧା ଓଡ଼ିଶାରେ କାଗଜ ଅସ୍ପୃଶ୍ୟ ହୋଇ ରହିଥିଲା; ମାତ୍ର ଏହାର ଅର୍ଦ୍ଧଶତାବ୍ଦୀ ପୂର୍ବେ ବଙ୍ଗରେ ବ୍ରାହ୍ମଣକୁଳୋଭବ ରଜା ରାମମୋହନ ରାୟ ଡାକ ଦେଇଥିଲେ-ଜାତି ଛାଡ଼, ମୂର୍ତ୍ତିପୂଜା ବନ୍ଦକର, ଏକମାତ୍ର ବ୍ରହ୍ମ ବା ଇଶ୍ୱରଙ୍କୁ ଆରାଧନା କର, ସତୀଦାହ ପ୍ରଥା ବନ୍ଦ କର, ନାରୀମାନଙ୍କୁ ଉଚ୍ଚାସନ ଦିଅ, ବିଧବାମାନଙ୍କୁ ବିବାହ ଦିଅ, ସର୍ବୋପରି ଇଂରାଜୀ ମାଧ୍ୟମରେ ନବଶିକ୍ଷାକୁ ଗ୍ରହଣ କରିନିଅ । ତାଙ୍କ ଡାକ ସମସ୍ତ ବଙ୍ଗାଳୀ ଶୁଣି ନ ଥିଲେ, ମାତ୍ର ରାମମୋହନ ନୈଷ୍ଠିକତାର ଗ୍ରନ୍ଥି ଊପରେ ଯେଉଁ ନିଷ୍ଠୁର ଆଘାତ ଦେଇଥିଲେ, ତାହାରି ଫଳରେ ଏହା ଶିଥିଳ ହୋଇଯାଇଥିଲା । ତାଙ୍କ ପରେ ପରେ ବହୁ ଧର୍ମସଂସ୍କାରକ, ଦେଶସେବକ, ବୈଜ୍ଞାନିକ, ଗବେଷକ, ସାହିତ୍ୟିକ, ଶିକ୍ଷକ, ଶିକ୍ଷାବିତ୍‍ ପ୍ରଭୃତି ବଙ୍ଗରେ ନବଯୁଗ ସୃଷ୍ଟି କରିଥିଲେ । ଓଡ଼ିଶାରେ ବ୍ରିଟିଶ ରାଜତ୍ୱ ପ୍ରାରମ୍ଭରେ ଓ ପରେ ଓଡ଼ିଆ-ବଙ୍ଗାଳୀମାନଙ୍କ ମଧ୍ୟରେ ଯେଉଁ ସଂଘର୍ଷ ଲାଗିଥିଲା, ତାକୁ ଟିକିଏ ତଳେଇ ଦେଖିଲେ ଜଣାଯାଏ ଯେ ଏହା ପ୍ରାଚୀନପନ୍ଥୀ ଓ ନୂତନପନ୍ଥୀମାନଙ୍କ ମଧ୍ୟରେ ଏକ ସଂଘର୍ଷ । ଏଥିରେ ନୂତନପନ୍ଥୀମାନଙ୍କ ନିଶ୍ଚିତ ଜୟର ସମ୍ଭାବନା ନିହିତ ଥିଲା । ବଙ୍ଗାଳୀମାନଙ୍କ ଛଡ଼ା ଅନ୍ୟ କୌଣସି ଅଣଓଡ଼ିଆ ଜାତି ଯଦି ବ୍ରିଟିଶ ଶାସନକଳ ଚଳାଇଥାନ୍ତେ, ତେବେ ସେମାନେ ସୁଦ୍ଧା ଓଡ଼ିଶାର ଜମିଦାରୀଗୁଡ଼ିକୁ ମାରି ଦେଇଥାନ୍ତେ । ବସ୍ତୁତଃ ମୁସଲମାନ ରାଜତ୍ୱକାଳରୁ ଓଡ଼ିଶାର ଜମିଦାରୀଗୁଡ଼ିକ ଅଣଓଡ଼ିଆମାନଙ୍କ ହାତକୁ ଚାଲିଯିବାକୁ ଆରମ୍ଭ କରିଥିଲା । ବ୍ରିଟିଶ ରାଜତ୍ୱ ପୂର୍ବର ବହୁ ଅଣଓଡ଼ିଆ ଜମିଦାର ବଂଶ ଅଦ୍ୟାପି ଓଡ଼ିଶାରେ ଅଛନ୍ତି । ବ୍ରିଟିଶ ରାଜତ୍ୱର ଶେଷାର୍ଦ୍ଧରେ ସମାଜପତି ଓଡ଼ିଆ ବ୍ରହଣମାନଙ୍କ ଦୂରଦୃଷ୍ଟିର ଉଦାହରଣ ଆଗରୁ ଦିଆଯାଇଛି । ଏ ସମୟର ଓ ଏହାର ପୂର୍ବର ଓଡ଼ିଆ ଜମିଦାରବର୍ଗ ମଧ୍ୟ ବିଦ୍ୟାକୁ ଶିବନିର୍ମାଲ୍ୟ ପରି ମଣି ଅମନୁଷ୍ୟପଣରେ ପ୍ରଧାନ ମନୁଷ୍ୟ ହୋଇ ରହିଥିଲେ । ଏପରି ଅବସ୍ଥାରେ ନୂତନପନ୍ଥୀ ବଙ୍ଗାଳୀମାନେ ଓଡ଼ିଶାର ବହୁ ଜମିଦାରୀ ମାନିନେଇଥିବାରେ କୌଣସି ବିଚିତ୍ରତା ନାହିଁ-। ଦକ୍ଷିଣ-ଓଡ଼ିଶାର ଜମିଦାରବର୍ଗ ଓ ଓଡ଼ିଶାର ଗଡ଼ଜାତ ଅଞ୍ଚଳର ରାଜନ୍ୟବର୍ଗ ସହିତ ବ୍ରିଟିଶମାନଙ୍କ ଭିନ୍ନପ୍ରକାର ଚୁକ୍ତିନାମା ଥିବାରୁ ସେମାନଙ୍କୁ ବ୍ରଟିଶମାନେ ଘଣ୍ଟଘୋଡ଼ାଇ ରଖିଥିଲେ; ନଚେତ୍ ଓଡ଼ିଆ ଜମିଦାରବର୍ଗ ଓ ଓଡ଼ିଆ ରାଜନ୍ୟବର୍ଗ ଅଣଓଡ଼ିଆମାନଙ୍କ ଦ୍ଵାରା ପ୍ରାୟ ନିଶ୍ଚିହ୍ନ ହୋଇଯାଇଥାନ୍ତେ । ଅତୀତକୁ ଜାବୋଡ଼ି ଧରି ସମୟ ସ୍ରୋତର ବହୁ ପଛରେ ପଡ଼ିଗଲେ ଏହିପରି ଅବସ୍ଥାରେ ପହଞ୍ଚିବାକୁ ପଡ଼େ ।

 

ପରେ ଯେଉଁ ମୁଷ୍ଟିମେୟ ଓଡ଼ିଆ ନବଶିକ୍ଷାକୁ ସ୍ୱାଗତ କରିଥିଲେ, ସେମାନଙ୍କ ଭିତରେ କରଣମାନେ ଅଗ୍ରଣୀ ହୋଇଥିଲେ । କରଣମାନଙ୍କ ମଧ୍ୟରୁ ଅନେକେ ପାରମ୍ପାରିକ ଭାବରେ ଚାକିରି ଊପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇ ଜୀବିକାର୍ଜନ କରୁଥିଲେ । ଏଣୁ ଏମାନେ ଇଂରାଜୀ ଶିକ୍ଷା ପାଇଁ ପ୍ରଥମେ ଆଗ୍ରହୀ ହୋଇଥିଲେ । ଓଡ଼ିଶାର ପ୍ରଥମ ଗ୍ରାଜୁଏଟ ଉତ୍କଳ ଗୌରବ ମଧୁସୂଦନ ଥଲେ ଜଣେ କରଣ । ଧର୍ମାନ୍ତର ଗ୍ରହଣ କଲାପରେ ଓ ନୈଷ୍ଠିକତାର ନିଗଡ଼କୁ ଛିନ୍ନ କରିବା ପରେ ସେ ହିଁ ଓଡ଼ିଶାରେ ନବଯୁଗର ଉଦ୍‍ଘାଟନ ହୋଇଥିଲେ । ତାଙ୍କ ପରେ ପରେ ବହୁ ଜାତୀୟବାଦୀ କବି, ସାହିତ୍ୟିକ ଓ ସାଧକବୃନ୍ଦ ବାହାରି ପଡ଼ିଥିଲେ ।

 

ବଙ୍ଗାଳୀମାନେ ଓଡ଼ିଶାର ଜମିଦାରୀଗୁଡ଼ିକୁ ମାରିନେବା କଥା ଇତିହାସର ବିଷୟ ବସ୍ତୁ ହୋଇସାରିଲଣି; ମାତ୍ର ଅଣଓଡ଼ିଆମାନେ ସେ ଓଡ଼ିଶାର ସମସ୍ତ ବାଣିଜ୍ୟ-ବ୍ୟବସାୟ ମାରିନେଇଥିଲେ ଓ ବର୍ତ୍ତମାନ ସୁଦ୍ଧା ମାରିନେଉଛନ୍ତି, ତାହା ଇତିହାସର ବିଷୟବସ୍ତୁ ହୋଇ ରହିନାହିଁ । ଖାଲି କଟକ ସହରରେ ବୁଲି ଆସନ୍ତୁ, ଦେଖିବେ ଯେ ଏହାର ବଡ଼ ବଡ଼ ବ୍ୟବସାୟର ଶତକରା ୯୯ ଭାଗ ଅଣଓଡ଼ିଆମାନଙ୍କ ହାତରେ ଅଛି । ଅଣଓଡ଼ିଆମାନେ ଏହାର ଜମି ଓ ଘର ମଧ୍ୟ ବହୁଳ ପରିମାଣରେ ଦଖଲ କରି ରହିଛନ୍ତି । ଓଡ଼ିଆ ବଣିଆମାନେ ବଣିଆସାହିରେ ବସି ନଳଫୁଙ୍କି ଚାନ୍ଦିର ବଳା, ବଟଫଳ; ଗୋଡ଼ବଳ, ଇତ୍ୟାଦି ତିଆରି କରୁଛନ୍ତି; ତେଣେ ଆଧୁନିକ ପଦ୍ଧତିରେ ନିର୍ମିତ ସମସ୍ତ ପ୍ରକାର ସୁନା ଓ ରୂପାର ଅଳଙ୍କାର ଅଣଓଡ଼ିଆ ବ୍ୟବସାୟୀମାନଙ୍କ ହାତରେ ଅଛି । କଂସାରୀ ସାହିରେ ଓଡ଼ିଆମାନେ କଂସାବାସନ ଠଣ୍‍ ଠଣ୍‍ କରୁଛନ୍ତି; ତେଣେ କଂସାପିତ୍ତଳର ପ୍ରତିଦ୍ୱନ୍ଦୀ ଆଲୁମିନିୟମ ଓ ଷ୍ଟେନ୍‍ଲେସ ଷ୍ଟିଲର ବ୍ୟବସାୟ ଅଣଓଡ଼ିଆମାନଙ୍କ ହାତକୁ ଚାଲିଗଲାଣି । ବିଦେଶରୁ ଆମଦାନୀ ବସ୍ତ୍ର ଆଣିବା ସଙ୍ଗେ ସଙ୍ଗେ ଓଡ଼ିଶାର ପାରମ୍ପାରିକ ବସ୍ତ୍ର ବ୍ୟବସାୟ ଅଣଓଡ଼ିଆମାନଙ୍କ ହାତକୁ ଚାଲିଯାଇଛି । ଏହିପରି ସମସ୍ତ କ୍ଷେତ୍ରରେ ଓଡ଼ିଆମାନଙ୍କ ଅତୀତପ୍ରୀତି ସେମାନଙ୍କ ଦୁର୍ଗତିର କାରଣ ହୋଇଛି । ରାସପୂର୍ଣ୍ଣିମାରେ ବାଲିଯାତ୍ରା ସହିତ ଓଡ଼ିଆମାନଙ୍କ ବାଲିଦ୍ୱୀପ ଯାତ୍ରାକୁ ଯୋଡ଼ିଦେଇ ବୋଇତ ବନ୍ଦାଣ କରିଦେଲେ ଯେ ଏ ଦୁର୍ଗତିର ଉଦ୍ଧାର ମିଳିବ, ମୋର ଏପରି ବିଶ୍ୱାସ ନାହିଁ । ବରଞ୍ଚ ମୋର ଦୃଢ଼ବିଶ୍ୱାସ ଯେ ଇତିହାସକୁ ମିଥ୍ୟାମୟ କଲେ ଓଡ଼ିଆମାନେ ଆହୁରି ବେଶି ଦୁର୍ଗତିରେ ପଡ଼ିବେ ।

 

ଶ୍ରୀଚୈତନ୍ୟଙ୍କ ସୈନ୍ୟସାମନ୍ତ ନ ଥିଲେ କିମ୍ୱା ସେ କୌଣସି ନୂତନ ଧର୍ମପ୍ରଚାର କରି ନଥିଲେ । ସେ ଓଡ଼ିଆମାନଙ୍କ ଉପରେ ତାଙ୍କର ଧର୍ମମତ ଲଦି ଦେଇ ନଥିଲେ । ପୁରୀରେ ତାଙ୍କ ଦୀର୍ଘ ଅବସ୍ଥାନ ସମୟରେ ଓଡ଼ିଶାର ପୁରାତନ ବୈଷ୍ଣବଧର୍ମ ଓ ନବବୈଷ୍ଣବଧର୍ମ (ଗୌଡ଼ୀୟ ମତ) ମଧ୍ୟରେ ସଂଘର୍ଷ ଲାଗିଥିଲା । ଏ ସଂଘର୍ଷରେ ଖାଲି ବଙ୍ଗାଳୀମାନେ ନୁହନ୍ତି, ବହୁ ଓଡ଼ିଆ ମଧ୍ୟ ଯୋଗଦେଇ ଗୌଡ଼ୀୟ ବୈଷ୍ଣବଧର୍ମକୁ ଜୟୀ କରିଥିଲେ । ଶ୍ରୀଚୈତନ୍ୟଙ୍କ ଓଡ଼ିଆ ଶିଷ୍ୟମାନଙ୍କ ମଧ୍ୟରେ ଥିଲେ ସ୍ୱୟଂ ଗଜପତି ପ୍ରତାପରୁଦ୍ରଦେବ, ଭବାନନ୍ଦ ପଟ୍ଟନାୟକ, ତାଙ୍କରି ଦୁଇପୁତ୍ର–ରାଜମହେନ୍ଦ୍ରୀର ରାଜ୍ୟପାଳ ରାମାନନ୍ଦ ଓ ମେଦିନୀପୁରର ରାଜ୍ୟପାଳ ଗୋପୀନାଥ, କହ୍ନାଇ ଖୁଣ୍ଟିଆ, ଜନାର୍ଦ୍ଦନ ମହାନ୍ତି, ଶିଖୀ ମହାନ୍ତି ଓ ତାଙ୍କ ଭଉଣୀ ମାଧବୀ ଦାସୀ, ତୁଳସୀ ପରିଛା, କାଶୀ ମିଶ୍ର, ପ୍ରଦ୍ୟମ୍ନ ମିଶ୍ର, କୃଷ୍ଣ ଦାସ ଇତ୍ୟାଦି । ଶ୍ରୀଚୈତନ୍ୟଙ୍କ ନାରୀମାନଙ୍କ ସମ୍ୱନ୍ଧରେ ଯେଉଁ ଧାରଣା ଥିଲା, ତାହା ଗୌଡ଼ୀୟ ସାହିତ୍ୟରୁ ଜଣାପଡ଼େ । ସେ ତାଙ୍କର ଅନୁଗତା ଶିଷ୍ୟ ମାଧବୀ ଦାସୀଙ୍କୁ ସାକ୍ଷାତ ଦେଇ ନଥିଲେ । ‘‘ମୁଦାଭୀରୀନାରୀ ବଦନ କମଳାସ୍ୱାଦୁମଧୂପଃ’’ ଇତ୍ୟାଦି ଥିବା ଜଗନ୍ନାଥାଷ୍ଟକକୁ ଯେ ଶ୍ରୀଚୈତନ୍ୟ ରଚନା କରିଥିଲେ, ଏହାର କୌଣସି ପ୍ରମାଣ ନାହିଁ । ଓଡ଼ିଆମାନେ ଶ୍ରୀଚୈତନ୍ୟଙ୍କ ଧର୍ମମତକୁ ହାତପାତି ଗ୍ରହଣ କରିଥିଲେ । ସେମାନେ ତାକୁ ଅବିକୃତ ଭାବରେ ରଖିଲେ କିମ୍ୱା ପରେ ତାକୁ ବିକୃତ କଲେ, ଏଥିପାଇଁ ଶ୍ରୀଚୈତନ୍ୟ ଦାୟୀ ନୁହନ୍ତି । ଆଜିକାଲି ସୁଦ୍ଧା ତ ଓଡ଼ିଆମାନେ ହାତପାତି ଯାହା ମାଗୁଛନ୍ତି, ବିଭିନ୍ନ ଧର୍ମସଂପ୍ରଦାୟର ଅନୁଗାମୀମାନେ ସେମାନଙ୍କୁ ତାହା ଦେଉଛନ୍ତି । ବସ୍ତୁତଃ ଷୋଡ଼ଶ ଶତାବ୍ଦୀରୁ ଧର୍ମକ୍ଷେତ୍ରରେ ଓଡ଼ିଆମାନଙ୍କ ‘‘ଦେବାର ଯୁଗ’’ ଚାଲିଯାଇ ‘‘ନେବାର ଯୁଗ’’ ଆରମ୍ଭ ହୋଇଥିଲା । ସେହିଦିନୁ ଓଡ଼ିଶାର ଧାର୍ମିକ ସଂସ୍କୃତି ସଂପୂର୍ଣ୍ଣରୂପେ ଆଦାନ-ଭିତ୍ତିକ ହୋଇଛି । ସଂପୂର୍ଣ୍ଣ ଆଦାନଭିତ୍ତିକ ସଂସ୍କୃତି ହେଉଛି ଭିକ୍ଷୁକର ସଂସ୍କୃତି; ଏଥିରେ ଆତ୍ମସମ୍ମାନର ସ୍ଥାନ ନଥାଏ । ଆଦାନପ୍ରଦାନ ଭିତ୍ତିକ କିମ୍ୱା ଖାଲି ପ୍ରଦାନଭିତ୍ତିକ ସଂସ୍କୃତି ହିଁ ବଳିଷ୍ଠ ସଂସ୍କୃତି ।

 

ଶ୍ରୀ ରାଧାକୃଷ୍ଣଙ୍କଠାରେ ଆରୋପିତ ଉତ୍କଟ ପ୍ରେମଲୀଳା କେବେ ଓ କେଉଁଠାରୁ ଓଡ଼ିଶାକୁ ଆସିଲା, ତାହା ନିର୍ଦ୍ଧାରଣ କରିବା ସହଜ ହୁଏ ନାହିଁ । ମାତ୍ର ଷୋଡ଼ଶ ଶତାବ୍ଦୀ ପରବର୍ତ୍ତୀ ଓଡ଼ିଆ ବୈଷ୍ଣବ ସାହିତ୍ୟରେ ଶ୍ରୀଚୈତନ୍ୟଙ୍କ ପ୍ରଭାବ ଲକ୍ଷିତ ନ ହୋଇ ଶ୍ରୀଜୟଦେବଙ୍କ ପ୍ରଭାବ ହିଁ ନିର୍ଦ୍ଦିଷ୍ଟ ଭାବରେ ପରିଲକ୍ଷିତ ହୁଏ । ଶ୍ରୀ ଜୟଦେବଙ୍କୁ ବୈଷ୍ଣବଧର୍ମର ମୂଳାଧାର ବୋଲି କୌଣସି ବୈଷ୍ଣବ କହନ୍ତି ନାହିଁ କିମ୍ୱା ତାଙ୍କ ପ୍ରଚାରିତ ଧର୍ମମତକୁ ଶ୍ରେଷ୍ଠ ବୈଷ୍ଣବମତ ବୋଲି କେହି ଭାବନ୍ତି ନାହିଁ । ବୈଷ୍ଣବମତ ବିକାଶର ଶେଷ ପର୍ଯ୍ୟାୟରେ ଭକ୍ତମାନଙ୍କୁ କୃଷ୍ଣଭାବାପନ୍ନ ବା ରାଧାଭାବାପନ୍ନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି; ମାତ୍ର ଏହି ଭାବାପନ୍ନତାକୁ କେବଳ ମାନସିକ ସ୍ତରରେ ରଖିବାକୁ ହିଁ କୁହାଯାଇଛି । ମାତ୍ର କୃଷ୍ଣଭାବାପନ୍ନତାକୁ କେବଳ ମାନସିକ ସ୍ତରରେ ରଖିବାକୁ ହିଁ କୁହାଯାଇଛି । ଯେଉଁମାନେ କୃଷ୍ଣଭାବାପନ୍ନତା ବା ରାଧାଭାବାପନ୍ନତାକୁ ଦୈହିକ ସ୍ତରକୁ ଘେନି ଆସନ୍ତି; ସେମାନେ ବୈଷ୍ଣବନୀତି ଲଙ୍ଘନ କରନ୍ତି । ଗୀତଗୋବିନ୍ଦର ସର୍ବତ୍ର ରାଧାକୃଷ୍ଣପ୍ରେମକୁ ଦୈହିକସ୍ତରକୁ ଅଣାଯାଇଛି । ବସ୍ତୁତଃ ଏହା ସହଜିଆ ପ୍ରେମ, ବୈଷ୍ଣବମତର ପ୍ରେମ ନୁହେଁ । ସହଜିଆମାନେ ଅବାଧ ଯୌନକ୍ରିୟାର ପକ୍ଷପାତୀ ଥିଲେ । ଗୀତଗୋବିନ୍ଦର ପଞ୍ଚମସର୍ଗରେ ସଖୀ ରାଧାଙ୍କୁ ସହଜିଆପ୍ରେମର ଗୋଟିଏ ଉଦାହରଣ ଦେବାକୁ ଯାଇ କହିଛନ୍ତି ଯେ ଦିନେ ରାତ୍ରିର ଘୋର ଅନ୍ଧକାର ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଉଭୟେ ପରଦାର ଓ ପରପୁରୁଷକୁ ଭେଟିବା ଆଶାରେ ବାହାରିପଡ଼ି ଘୋର ଅନ୍ଧକାରରେ ବଣାହୋଇ ଯାଇଥିଲେ । ଅବଶେଷରେ ସ୍ୱାମୀ ନିଜ ସ୍ତ୍ରୀକୁ ଭେଟି ଓ ପରଦାର ବୋଲି ଭାବି ଏବଂ ସ୍ତ୍ରୀ ନିଜ ସ୍ୱାମୀକୁ ଭେଟି ଓ ପରପୁରୁଷ ବୋଲି ଭାବି ସଙ୍ଗେ ସଙ୍ଗେ ରତିକ୍ରିୟାରେ ରତ ହୋଇଯାଇଥିଲେ । ରତି ସମୟରେ ମୃଦୁଗୁଞ୍ଜରଣରୁ ନିଜ ନିଜକୁ ଚିହ୍ନି ଟିକିଏ ଲଜ୍ଜିତ ହୋଇ ପଡ଼ିଥିଲେ । ଏହା ଏକ ମନୁଷ୍ୟପ୍ରେମର ଉଦାହରଣ ନୁହେଁ, ପଶୁ ପ୍ରେମର ଉଦାହରଣ । ଏ ଉଦାହରଣ ଦେବା ପରେ ସଖୀ ରାଧାଙ୍କୁ କହିଛନ୍ତି – ଆଜିର ରାତ୍ରି ଏହିପରି ଘୋର ଅନ୍ଧକାରମୟୀ ହୋଇଛି, ତୁମେ କୃଷ୍ଣଙ୍କୁ ଭେଟିବା ପାଇଁ ଶୀଘ୍ର ବାହାରି ପଡ଼ । ରାଧାଙ୍କୁ ଏକଥା କହିବାବେଳେ ସଖୀଙ୍କ ମନରେ ଯାହା ଥିଲା, ତାହା ସମସ୍ତେ ଅନୁମାନ କରନ୍ତୁ । ଗୀତଗୋବିନ୍ଦର ପଦାବଳୀ ଲଳିତ ଓ ସଙ୍ଗୀତମୟ ସତ୍ୟ, ମାତ୍ର ଏଥିରେ ଦଶାବତାର ବନ୍ଦନା ଛଡ଼ା ଆତ୍ମାକୁ ଉନ୍ନତ କରିବାପାଇଁ କୌଣସି ବିଷୟ ନାହିଁ ।

 

ଗୀତଗୋବିନ୍ଦର ଧର୍ମଗତ ଓଡ଼ିଶାର ପ୍ରାଚୀନ ଜଗନ୍ନାଥଧର୍ମର କୌଣସି ଅଂଶ ସହିତ ମେଳ ଖାଏ ନାହିଁ । ଷୋଡ଼ଶ ଶତାବ୍ଦୀ ପୂର୍ବରୁ ଓଡ଼ିଶାର କବି ମଧ୍ୟ ଏହି ଧର୍ମଗତ ଗ୍ରହଣ କରିନାହାନ୍ତି । ସାରଳା ଦାସ ଗୀତଗୋବିନ୍ଦର ଧର୍ମମତକୁ ତୀବ୍ର ତାଚ୍ଛଲ୍ୟ କରି ତାଙ୍କ ମହାଭାରତର ଆଦ୍ୟପର୍ବରେ ଖଲ୍ୟକାରର ଜନ୍ମ ଓ ଶ୍ରୀହରିର ବାଲ୍ୟଲୀଳା ଶୀର୍ଷକ ଯେଉଁ ପ୍ରହସନ ଦ୍ୱୟ ଲେଖିଛନ୍ତି, ସେଗୁଡ଼ିକୁ ଲେଖକ ଅନ୍ୟତ୍ର ଆଲୋଚନା କରିଛି (ଝଙ୍କାର, ୧୯୭୦ ଜାନୁୟାରୀ ସଂଖ୍ୟା, ପ୍ରବନ୍ଧ-ମାନସ,) ଜଗନ୍ନାଥ ଦାସଙ୍କ ବିଶାଳ ଓଡ଼ିଆ ଭାଗବତରେ ରାଧାଙ୍କ ନାମୋଲ୍ଲେଖ ପର୍ଯ୍ୟନ୍ତ ନାହିଁ । ସପ୍ତଦଶ ଶତାବ୍ଦୀ ପୂର୍ବରୁ ଓଡ଼ିଶାର କୌଣସି କଳାସ୍ଥାପତ୍ୟରେ ରାଧାଙ୍କ ମୂର୍ତ୍ତି ସ୍ଥାନପାଇ ନାହିଁ । ଏହା ସତ୍ୟ ଯେ ଗଙ୍ଗରାଜତ୍ୱ କାଳରୁ ଜଗନ୍ନାଥ ମନ୍ଦିରରେ ଗୀତଗୋବିନ୍ଦ ନୃତ୍ୟ ସହିତ ଗୀତ ହେଉଥିଲା । ଏ ମନ୍ଦିରରେ ବହୁବିଧ ସମ୍ପ୍ରଦାୟର ଧର୍ମଗତ ପ୍ରକାଶ ପାଇଁ ଯେଉଁ ସୁଯୋଗ ସୃଷ୍ଟି କରାହୋଇଥିଲା; ଗୀତଗୋବିନ୍ଦ ପାଇଁ ମଧ୍ୟ ସେ ସୁଯୋଗ ଦିଆଯାଇଥିଲା । ଯେଉଁମାନେ ଏହାକୁ ଶୁଣିବାକୁ ଚାହୁଁକଲେ, ସେମାନେ ଏହାକୁ ଶୁଣିପାରୁଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ରେଡ଼ିଓ ଷ୍ଟେସନ ହୋଇ ନ ଥିଲା ଯେ ସେଠାରେ ଗୀତଗୋବିନ୍ଦ ଗୀତ ହେଲେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଣା ଯାଉଥିଲା ।

 

ମାତ୍ର ଗୀତଗୋବିନ୍ଦର ରାଧାକୃଷ୍ଣ ପ୍ରେମରସ ଷୋଡ଼ଶ ଶତାବ୍ଦୀର ପରବର୍ତ୍ତୀ ପ୍ରାୟ ସମସ୍ତ ଓଡ଼ିଆ ସାହିତ୍ୟରେ ପ୍ରତିଫଳିତ ହୋଇଛି । ପ୍ରାୟ ସମସ୍ତ ଓଡ଼ିଆ ବୈଷ୍ଣବକବି ରାଧାକୃଷ୍ଣପ୍ରେମକୁ ମାନସିକ ସ୍ତରରେ ନ ରଖି ଦୈହିକ ସ୍ତରକୁ ଘେକ ଆସିଛନ୍ତି । ମୋର ଏହି ଉକ୍ତି ଏତେ ବ୍ୟାପକ ଯେ ମୁଁ ଏହାର ସମ୍ୟକ୍ ଆଲୋଚନା ଏଠାରେ କରିପାରୁ ନାହିଁ, କିନ୍ତୁ ମୋର ଏ ଉକ୍ତିକୁ ବିଭ୍ରାନ୍ତିକର ବୋଲି ଯଦି କେହି କହନ୍ତି, ତେବେ ମୁଁ ଆଉ ଗୋଟିଏ ପ୍ରବନ୍ଧ ଲେଖିବି । ଓଡ଼ିଶାର ପ୍ରାଚୀନ ବୈଷ୍ଣବକବିତା ସମାଜର ଅଙ୍ଗୀଭୂତ ହୋଇସାରିଛି । ଏହାର ଭାଷା, ଛନ୍ଦ, ସଙ୍ଗୀତ ଓ ଜନସାଧାରଣଙ୍କ ସହିତ ଏହାର ନିବିଡ଼ ସମ୍ବନ୍ଧ ଏହାକୁ ଓଡିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ କରି ରଖିଛି । ଏହି ଅବିଚ୍ଛେଦ୍ୟ ଅଙ୍ଗକୁ କାଟି ଫିଙ୍ଗି ଦେବାକୁ କେହି କହୁ ନାହିଁ, କିନ୍ତୁ ଏ ସାହିତ୍ୟର ଯେଉଁ ଅଂଶମାନଙ୍କରେ ଦୈହିକ ପ୍ରେମ ଉତ୍କଟ ଭାବରେ ପ୍ରକାଶ ପାଇଛି ସେହି ଅଂଶମାନଙ୍କୁ ସାର୍ବଜନୀନ ମାଧ୍ୟମମାନଙ୍କରେ ପ୍ରଚାର ନ କରିବାକୁ ହିଁ କୁହାଯାଉଛି । ସର୍ବୋପରି ଏଗୁଡ଼ିକର ଧାର୍ମିକ ଓ ପ୍ରେମିକ ବାଖ୍ୟା ‘‘ତବ ବାଧତି ବାଧତେ’’ ପରି ହେଉଛି । ପୂରାତନ କବିମାନଙ୍କ ‘‘ଆଜି କେଳିକଉତୁକୀ’’, ‘‘ବଞ୍ଚିବ କେହି’’, “ସହି ତୁହି ପରା”, “ଜୀବନବନ୍ଧୁ ମାଗୁଣି’’, ‘‘ସଙ୍ଗିନୀରେ ରସରଙ୍ଗିନୀ ରେ” ଇତ୍ୟାଦି କବିତାକୁ ସାର୍ବଜନୀନ ମାଧ୍ୟମମାନଙ୍କରେ ଗାନ କରିବା ଦ୍ୱାରା ପ୍ରାଚୀନ କବିମାନଙ୍କୁ ବିବାଦ ମଧ୍ୟକୁ ଟାଣିଅଣାଯାଉ ନାହିଁ କି ? ନିର୍ବିଚାରରେ ସମସ୍ତ କଥାକୁ ଧର୍ମ ବୋଲି ଧରି ନ ନେଉଥବା ବ୍ୟକ୍ତିମାନଙ୍କ ସଂଖ୍ୟା ଯେ ଉତ୍କଳରେ ବଢ଼ିଚାଲିଛି, ଏ କଥା ପ୍ରଚାରକମାନେ ଉପଲବ୍‍ଧି କରୁଛନ୍ତି କି ? ପ୍ରଚାରକମାନଙ୍କ ଧର୍ମ ଓ ରୁଚି ସମସ୍ତଙ୍କ ଧର୍ମ ଓ ରୁଚି ବୋଲି ଧରାଯାଉ ନାହିଁ କି ? ଗଣପ୍ରଚାର ମାଧ୍ୟମମାନଙ୍କ ପରିଚାଳକମାନେ ନିରପେକ୍ଷ ଭାବରେ କାର୍ଯ୍ୟକ୍ରମ ପ୍ରଚାର କରିବାର କଥା, ମାତ୍ର ସେମାନେ ନିରପେକ୍ଷତା ରଖୁଛନ୍ତି କି ?

 

ଯେଉଁ ସମୟ ଓ ପରିବେଶ ମଧ୍ୟରେ ପ୍ରାଚୀନ ଓଡ଼ିଆ କବିମାନେ ସେମାନଙ୍କ କବିତା ଲେଖିଯାଇଛନ୍ତି, ସେହି ସମୟ ଓ ପରିବେଶର ଧର୍ମଧାରଣା ଓ ରୁଚି ସେଥିରେ ପ୍ରତିଫଳିତ ହୋଇଛି । ପ୍ରାଚୀନ କବିମାନଙ୍କ ଜୀବନଚରିତ ଅବଧି ଅନ୍ଧକାରାବୃତ ହୋଇ ରହିଛି । କାଳ୍ପନିକ ଜୀବନଚରିତ ବଳରେ ସମସ୍ତଙ୍କୁ ସନ୍ଥ ସଜାଇ ସେମାନଙ୍କ ମୁଣ୍ଡରେ ସିନ୍ଦୁର ମାରିଦେଲେ ସେମାନଙ୍କ ସାହିତ୍ୟର ସତ୍ୟାଶ୍ରୟୀ ଆଲୋଚନା ବନ୍ଦ ହୋଇଯିବ । ରାସ୍ତା ମଧ୍ୟରେ ଛୋଟ ମନ୍ଦିରଟିଏ ନିର୍ମାଣକରି ସେଥିରେ ଭଙ୍ଗାକୁଟା ମୂର୍ତ୍ତିଟିଏ ସ୍ଥାପନ କରିଦେଇ ତା ମୁଣ୍ଡରେ ସିନ୍ଦୁର ମାରିଦେଲେ ରାସ୍ତା ବନ୍ଦ ହୋଇଯାଏ । ବୁଲ୍‍ଡୋଜର ଆସି ଫେରିଯାଏ, ପୁଲିସମାନେ ଲୁହାଟୋପି ପିନ୍ଧି ଓ ବନ୍ଧୁକ ଧରି ଟହଲ ମାରିବା ପରେ ଫେରିଯାଆନ୍ତି, କିନ୍ତୁ ମନ୍ଦିରକୁ ଭାଙ୍ଗିପାରନ୍ତି ନାହିଁ । ସେହିପରି ପ୍ରାଚୀନ କବିମାନଙ୍କୁ ଦେବତା କରିଦେଲେ ସେମାନଙ୍କ ସାହିତ୍ୟଚର୍ଚ୍ଚାର ରାସ୍ତା ବନ୍ଦ ହୋଇଯାଏ । ଆଜିକାଲି ସୁଦ୍ଧା ତ ଓଡ଼ିଶାର କୌଣସି କୌଣସି ବୈଷ୍ଣବ କବି ସ୍ୱ ପତ୍ନୀଙ୍କୁ ଗ୍ରାମରେ ଛାଡ଼ି ଏବଂ ସହରରେ କୃଷ୍ଣଭାବାପନ୍ନ ହୋଇ ଜୀବନଯାପନ କରିଛନ୍ତି । ସ୍ୱକୀୟା ନିଃସନ୍ତାନ ପତ୍ନୀ ନୀରବରେ ଅଶ୍ରୁଢ଼ାଳି ଜୀବନର ଶେଷ ମୁହୂର୍ତ୍ତରେ ପତିଙ୍କ ସାନ୍ନିଧ୍ୟ ପାନ୍ତି ଶେଷନିଶ୍ୱାସ ତ୍ୟାଗ କରନ୍ତି-। କେତେକ ସ୍ଥାନରେ କେତେକ ତଥାକଥିତ ସନ୍ଥ ବୈହିକ ସ୍ତରରେ କୃଷ୍ଣଭାବାପନ୍ନ ହେଉଥିବାରୁ ହତ୍ୟାକାଣ୍ଡର ସମ୍ୱାଦ ପ୍ରକାଶ ପାଉଛି । ଯୋଗଶିକ୍ଷା ଛଳରେ ନାରୀର ସତୀତ୍ୱ ହରଣ ଓ ଦୀକ୍ଷାଦେବା ଛଳରେ ନାରୀଧର୍ଷଣର ସମ୍ୱାଦମାନ ମଧ୍ୟ ପ୍ରକାଶ ପାଉଛି । ଅତଏବ ଧର୍ମ ଯେ ସର୍ବକ୍ଷେତ୍ରରେ ପ୍ରାଚୀନ କବିମାନଙ୍କ ପ୍ରେରଣାର ଉତ୍ସ ଥିଲା; ଏହା ସତ୍ୟ ନୁହେଁ । ଓଡ଼ିଆନୀତି ଓ ଗୀତିକବିମାନଙ୍କ ମଧ୍ୟରୁ କେତେକ ସାମନ୍ତ ଓ କେତେକ ସାମନ୍ତାଶ୍ରୟୀ ଥିଲେ । ଏଣୁ ଏ ସମୟର ସାମନ୍ତମାନଙ୍କ ଧର୍ମଧାରଣା ଓ ରୁଚି ଏ କବିତାମାନଙ୍କରେ ନିଶ୍ଚିତଭାବରେ ପ୍ରତିଫଳିତ ହୋଇଛି । ସାମନ୍ତାଶ୍ରୟୀ କବିମାନେ ଜୀବିକାର୍ଜନ ପାଇଁ ସାମନ୍ତମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବାରୁ ସେମାନଙ୍କ କବିତାରେ କ୍ଷୁଦ୍ର ଆଠଗଡ଼ର ଜମିଦାର ମଧ୍ୟ ‘‘ବସୁଦୁର୍ଗସୁତ୍ରାମା’’, ‘‘ଝାଡ଼ଖଣ୍ଡରସୀବାଦସା’’ ବା ‘‘ଶରଣଧରଣୀଈଶ’’ ହୋଇପାରିଛନ୍ତି । ବହୁସ୍ଥଳରେ ଗୀତିକବିତା ଓ ଗୀତିକବିତାର କୃଷ୍ଣମାନେ ସାମନ୍ତମାନଙ୍କ ପ୍ରତିନିଧି ମାତ୍ର ।

 

ଅତୀତର ଅତିଭକ୍ତମାନେ ବୈଷ୍ଣବକବିମାନଙ୍କୁ ଯେପରି ବିବାଦ ମଧ୍ୟକୁ ଟାଣି ଆଣୁଛନ୍ତି, ରସିକକବି ଉପେନ୍ଦ୍ରଭଞ୍ଜଙ୍କୁ ମଧ୍ୟ ସେହିପରି ବିବାଦ ମଧ୍ୟକୁ ଟାଣିଆଣୁଛନ୍ତି । ଭଞ୍ଜ କବିତା ତାହାର ସୃଷ୍ଟିକାଳରୁ ସର୍ବଶ୍ରେଣୀର ଅସ୍ୱାଦ୍ୟ ହୋଇ ରହିଛି । ଏହାର ମୂଖ୍ୟ କାରଣ ହେଉଛି ଏହାର ରସାଳତା ଓ ସଙ୍ଗୀତମୟତା । ସମସ୍ତେ ଧର୍ମ ପାଇଁ ବା ଜ୍ଞାନ ପାଇଁ କବିତା ପଢ଼ନ୍ତି ନାହିଁ କିମ୍ୱା ଗାଆନ୍ତି ନାହିଁ; ରସାସ୍ୱାଦନ କରିବା ପାଇଁ ହିଁ ପ୍ରାୟ ସମସ୍ତେ କବିତାକୁ ଆଦର କରିଥାନ୍ତି । ଭଞ୍ଜଙ୍କୁ ସନ୍ଥ କରି ତାଙ୍କ ମୁଣ୍ଡରେ ସିନ୍ଦୂରଟୋପା ମାରିଦେଲେ କିମ୍ୱା ତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇ ତାଙ୍କୁ କବିସମ୍ରାଟ କରିଦେଲେ ସ୍ୱର୍ଗତ କବିଙ୍କ କୃତି ଓ ସ୍ମୃତି ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶିତ ହୋଇପାରିବ ନାହିଁ, କିମ୍ୱା ତାଙ୍କ କବିତାର ରସାସ୍ୱାଦନ ଅବିଚାର୍ଯ୍ୟ ହୋଇ ରହିପାରିବ ନାହିଁ । ଭଞ୍ଜକବିତା ଗୋଟିଏ ବିବାଦୀୟ ବସ୍ତୁ ହୋଇଯିବ, ବସ୍ତୁତଃ ଏହା ଗୋଟିଏ ବିବାଦୀୟ ବସ୍ତୁ ହୋଇଗଲାଣି । ପୃଥିବୀର କୌଣସି କବିଙ୍କୁ କବିସମ୍ରାଟ ଉପାଧି ଦିଆଯାଇ ନାହିଁ କିମ୍ୱା କୌଣସି କବି ଏପରି ଉପାଧି ଗ୍ରହଣ କରିନାହାନ୍ତି । ପେଶାଦାର ଭଞ୍ଜଭକ୍ତମାନେ ତାଙ୍କୁ ଏହି ଉପାଧି ଦେଇ ତାଙ୍କୁ ପୃଥିବୀର କବି ଦରବାରରେ ସ୍ପଦ କରୁଛନ୍ତି । ଭଞ୍ଜ ତାଙ୍କ କବିତାବଳୀର କୌଣସି ଜାଗାରେ ନିଜକୁ କବିସମ୍ରାଟ୍‍ ଲେଖିନାହାନ୍ତି । କୌଣସି କୌଣସି ସ୍ଥଳରେ ସେ ନିଜକୁ କବିଚନ୍ଦ୍ର ବା କବିକୁଳ ବୋଲି ଲେଖିଛନ୍ତି (‘‘କହେ ଉପଇନ୍ଦ୍ର କବିକୁଳଚନ୍ଦ୍ର’’ ଇତ୍ୟାଦି) । ଉତ୍କଳ ସାହିତ୍ୟ ଜଣେ ଜୀବିତ କବିଙ୍କୁ କବିଚନ୍ଦ୍ର ଉପାଧିଟି ଦେଇସାରିଛନ୍ତି । ଏଣୁ ଭଞ୍ଜଙ୍କୁ କବିଗୁରୁ ଉପାଧି ଦେଲେ ଯଥାର୍ଥ ହେବ; କାରଣ ତାଙ୍କ ସମୟଠାରୁ ରାଧାନାଥ ଯୁଗ ପର୍ଯ୍ୟନ୍ତ ସମସ୍ତ କବି ତାଙ୍କଠାରୁ ବହୁ ଉପାଦାନ ସଂଗହ କରି ତାଙ୍କ ଶିଷ୍ୟତ୍ୱ ସ୍ୱୀକାର କରିଛନ୍ତି । କବିଙ୍କୁ ପୁରୀଗଜପତି କବିସମ୍ରାଟ ଉପାଧି ଦେଇଥିବାର କୌଣସି ପ୍ରମାଣ ନାହିଁ । ଅବଶ୍ୟ ଏହା ଭିତରେ ଏ ସମ୍ୱନ୍ଧରେ ଗୋଟିଏ ତମ୍ୱାପଟା ବା ପୁରୁଣା ପୋଥି ପ୍ରମାଣ ସ୍ୱରୂପ ବାହାରି ପଡ଼ିବା ଅସମ୍ଭବ ନୁହେଁ ।) ଅଥଚ ଏ ସମ୍ୱନ୍ଧରେ ଗୋଟିଏ ଗଳ୍ପ ସୃଷ୍ଟି କରି ଦିଆଗଲାଣି । କବିସମ୍ରାଟ୍‍ ଉପାଧି ପାଇଥିଲେ ଭଞ୍ଜ ବଳଦେବ ରଥଙ୍କ ପରି ଏହି କବିସମ୍ରାଟ୍‍ ଉପାଧିଟି ନିଶ୍ଚୟ ତାଙ୍କ କବିତାବଳୀରେ ବ୍ୟବହାର କରିଥାନ୍ତେ; କିନ୍ତୁ ସେ ଏ ଉପାଧିକୁ କୁତ୍ରାପି ବ୍ୟବହାର କରିନାହାନ୍ତି ।

 

ପୃଥିବୀ, ଭାରତ ତଥା ଓଡ଼ିଶାର ସମସ୍ତ ବଡ଼ ବଡ଼ କବିଙ୍କୁ ବ୍ୟାସ, ବାଲ୍ମିକୀ, ହୋମର୍‍, ସେକ୍‍ସପିୟର, ଦାନ୍ତେ, ଗେଟେ, କାଳିଦାସ, ଭବଭୂତି, ସାରଳା ଦାସ, ଜଗନ୍ନାଥ ଦାସ, ତୁଳସୀଦାସ, ବିଦ୍ୟାପତି, ଟେଗୋର୍‍ (ରବି ଠାକୁର) ଇତ୍ୟାଦି ରୂପେ ହିଁ ଲେଖାଯାଏ ଓ କୁହାଯାଏ; ମାତ୍ର ଭଞ୍ଜଭକ୍ତମାନେ ଭଞ୍ଜକବିଙ୍କୁ ବାରମ୍ୱାର କବିସମ୍ରାଟ୍‍ କହି ତାଙ୍କୁ ବିଶ୍ୱଦରବାରରେ ହାସ୍ୟାସ୍ପଦ କରୁଛନ୍ତି । ଭଞ୍ଜସମ୍ୱନ୍ଧରେ ଯଦି ଗୋଟିଏ ନୂତନ ପାଲା କରାଯାଏ, କିମ୍ୱା ତାଙ୍କ ବୈଦେହୀଶବିଳାସରେ ଯଦି ପାରାୟଣ କରାଯାଏ, କିମ୍ୱା ତାଙ୍କ ସାହିତ୍ୟର ଯଦି ଯଥାରୀତି ଗବେଷଣା କରାଯାଏ, କିମ୍ୱା ତାଙ୍କ ସମ୍ୱନ୍ଧରେ ଯଦି ରୂପକ, ନାଟକ, ସଙ୍ଗୀତସୁଧା ଇତ୍ୟାଦି ସୃଷ୍ଟି କରାଯାଏ, ତେବେ ଏ ସମସ୍ତ ସ୍ୱାଗତଯୋଗ୍ୟ; ମାତ୍ର ଏ ସମସ୍ତକୁ ଏକତ୍ର ମିଶାଇ ଏକାକାର କଲେ ତାହା ସ୍ୱାଗତଯୋଗ୍ୟ ନୁହେଁ । ଭଞ୍ଜଜୟନ୍ତୀର ଉତ୍ତେଜନା ଜୟନ୍ତୀର ବିବରଣୀ ଘୋଷିତ ଓ ପ୍ରକାଶିତ ହେବା ପରେ ପରେ ଉଭେଇ ଯାଇଥାଏ । ଏହାର କାରଣ ଏହି ଯେ ଜୟନ୍ତୀର ପ୍ରଚାର ଅଂଶଟା ଉଦ୍ୟୋକ୍ତାମାନେ ଉପଭୋଗ କରିବା ପରେ ଏବଂ ଉତ୍ସବ ଅଂଶଟା ସର୍ବସାଧାରଣ ଉପଭୋଗ କରିବା ପରେ ଏଥିରେ ଶ୍ରଦ୍ଧା ଓ ନିଷ୍ଠାର କୌଣସି ନିଦର୍ଶନ ରହେ ନାହିଁ । ଭଞ୍ଜଜୟନ୍ତୀର ୩୪ ବର୍ଷ ମଧ୍ୟରେ ସଟୀକ ଭଞ୍ଜଗ୍ରନ୍ଥାବଳୀ ଏକତ୍ର ପ୍ରକାଶିତ ହୋଇପାରି ନାହିଁ । ଓଡ଼ିଶାର ପରିପ୍ରଚାର ମାଧ୍ୟମମାନଙ୍କ ଜରିଆରେ ଭଞ୍ଜଙ୍କୁ ବିଶ୍ୱ ସହିତ ସଂଯୋଗ କରିବାର ଚେଷ୍ଟା ମଧ୍ୟ ଏକ ବିଡ଼ମ୍ୱନା । ତାଙ୍କୁ ବିଶ୍ୱସହିତ ସଂଯୋଗ ନ କରିବା ପର୍ଯ୍ୟନ୍ତ ଏବଂ ବିଶ୍ୱ ତାଙ୍କୁ ପୃଥିବୀର ଜଣେ ବିଶିଷ୍ଟ କବି ବୋଲି ସ୍ୱୀକାର ନ କରିବା ପର୍ଯ୍ୟନ୍ତ ଭଞ୍ଜଭକ୍ତମାନେ ତାଙ୍କୁ ବିଶ୍ୱକବି କହିବା ତାଙ୍କ ସ୍ମୃତି ଓ କୃତି ପ୍ରତି ଏକ ଅପମାନ ।

 

ଓଡ଼ିଆ ସାହିତ୍ୟ ଓ ଭାଷା କୌଣସି ସମୟରେ ପ୍ରଳୟପ୍ରୟୋଧିଜଳରେ ବୁଡ଼ିଯାଉ ନ ଥିଲା କିମ୍ୱା କେହି ଏ ଦୁଇଟିକୁ ଉଦ୍ଧାର କରି ନଥିଲେ । କେତେକ ସ୍ୱାର୍ଥନ୍ୱେଷୀ ବଙ୍ଗାଳୀ ‘‘ଉଡ଼ିଆ ଏକ୍‍ଟା ସ୍ୱତନ୍ତ୍ର ଭାଷା ନୟ’’ ବୋଲି କହିଥିଲେ ସତ୍ୟ, କିନ୍ତୁ ବଙ୍ଗର ମନୀଷୀଗଣ ଏହି ମତପୋଷଣ କରି ନ ଥିଲେ । ଯେଉଁ କାନ୍ତିଚନ୍ଦ୍ର ବଙ୍ଗାଳୀ ଏହି କଥା କହିଥିବା ବିଷୟ ଓଡ଼ିଆମାନେ ବାରମ୍ୱାର ଉଲ୍ଲେଖ କରନ୍ତି, ତାଙ୍କୁ ବଙ୍ଗଦେଶ ଚିହ୍ନେ ନାହିଁ; ଓଡ଼ିଆମାନେ ହିଁ ତାଙ୍କୁ ବଡ଼ କରିଛନ୍ତି । ରଙ୍ଗଲାଲ ମୁଖୋପାଧ୍ୟାୟ ଓ ମନମୋହନ ଚକ୍ରବର୍ତ୍ତୀ ଓଡ଼ିଆ ଭାଷା ଓ ସାହିତ୍ୟର ଆଦ୍ୟସମାଲୋଚକମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ବୈକୁଣ୍ଠ ନାଥ ଦେ ଓ ଭୂଦେବ ମୁଖୋପାଧ୍ୟାୟ ରାଧାନାଥ ରାୟଙ୍କୁ ବଙ୍ଗଳାରେ ଲେଖାଛାଡ଼ି ଓଡ଼ିଆରେ ଲେଖିବା ପାଇଁ ପ୍ରବର୍ତ୍ତାଇଥିଲେ । ଓଡ଼ିଆଭାଷା ଓ ସାହିତ୍ୟ ଯେତେବେଳେ ଉଚ୍ଚପଦସ୍ଥ ଓଡ଼ିଆମାନଙ୍କ ବ୍ୟଙ୍ଗବିଦ୍ରୁପର ବସ୍ତୁ ଥିଲା, ସେତେବେଳେ କଲିକତା ବିଶ୍ୱାବିଦ୍ୟାଳୟ ଓଡ଼ିଆ ସାହିତ୍ୟର ପ୍ରାଚୀନତ୍ୱ ଓ ସ୍ୱାତନ୍ତ୍ର୍ୟ ସ୍ୱୀକାର କରି ଓଡ଼ିଆରେ ପ୍ରଥମ ଏମ୍‍.ଏ. କ୍ଲାସ ଖୋଲିଥିଲା । ଆମ୍ଭମାନଙ୍କ ମନରେ ଯେତେଦିନ ଯାଏ ବଙ୍ଗାଳୀଭୂତ ଓ ତେଲେଙ୍ଗାଭୂତ ଲାଗି ରହିଥିବ, ସେତେଦିନ ଯାଏ ଆମ୍ଭମାନଙ୍କ ବୁଦ୍ଧିବିଚାରରେ ବିଭ୍ରାଟ ଘଟୁଥିବ ।

 

ରାଧାନାଥ ରାୟ ଭଞ୍ଜନିନ୍ଦୂକ ନ ଥିଲେ । ସେ ଭଞ୍ଜସାହିତ୍ୟକୁ ତନ୍ନ ତନ୍ନ କରି ପଢ଼ି ଓ ସେଥିରୁ ପ୍ରଭୂତ ମାଲମସଲା ସଂଗ୍ରହ କରି ସେଗୁଡ଼ିକୁ ତାଙ୍କ କାବ୍ୟାବଳୀରେ ବ୍ୟବହାର କରିଥିଲେ-। ଏ ସମ୍ୱନ୍ଧରେ ବହୁ ପ୍ରମାଣ ସଂଗ୍ରହ କରି ୧୬/୧୭ ବର୍ଷ ପୂର୍ବେ ଡଗରର ‘‘ରାଧାନାଥ’’ ବିଶେଷ ସଂଖ୍ୟାରେ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ଉଦ୍‍ଗାତା ଯେଉଁ ଦୀର୍ଘ ପ୍ରବନ୍ଧ ପ୍ରକାଶ କରିଛନ୍ତି, ସେଥିରୁ ଏହା ସହଜରେ ଅନୁମିତ ହୁଏ । ରାଧାନାଥ ଯେ ଉପେନ୍ଦ୍ର ଭଞ୍ଜଙ୍କ କବିତା ଗାଇ ବଙ୍ଗାଳୀମାନଙ୍କୁ ଶୁଣାଇଥିଲେ, ତାହାର ପ୍ରମାଣ ଭୂଦେବ ମୁଖୋପାଧ୍ୟାୟଙ୍କ ସମ୍ପାଦିତ ୧୮୭୯ରେ ଏଡ଼ୁକେସନ୍‍ ଗେଜେଟ୍‍ରୁ ପ୍ରମାଣିତ ହୁଏ–

 

ଉପେନ୍ଦ୍ର ଭଞ୍ଜେର ସେଇ କବିତା ସୁଦର ।

ଶୁନାୟେ ମୋହିୟାଛିଲେ ଅମାର ଅନ୍ତର ।

 

ଭୂଦେବ ରାଧାନାଥଙ୍କ କଣ୍ଠରୁ ଉପେନ୍ଦ୍ର ଭଞ୍ଜଙ୍କ କବିତା ଶୁଣି କହିଲେ–

 

କବିତା ପୀୟୁଷଧାରା ଢାଳିତେଛ କାନେ

ଯେନ ବା ସ୍ଵର୍ଗୀୟ ପିକ କୁହରେ ନନ୍ଦନେ ।

ତୋମାତେ ଉପେନ୍ଦ୍ର ଯେନ

ଆବିର୍ଭୂତ–ଭାବି ହେନ

ସେଇ ସେ ସରଳଭାବ ପୂର୍ଣ୍ଣିତ ସୁନ୍ଦର

କବିତାର କଥା ମନେ ଜାଗେ ନିରନ୍ତର ।

 

ଏହାଛଡ଼ା ଭୂଦେବ ଓ ବଙ୍ଗକବି ନବୀନଚନ୍ଦ୍ର ରାଧାନାଥଙ୍କୁ ‘‘ଉଡ଼ିଷ୍ୟାର ଗୌରବ କେତନ’’ ବୋଲି କହିଛନ୍ତି: “ବଙ୍ଗେର ଗୌରବକେତନ’’ ବୋଲି କହିନାହାନ୍ତି । ବଙ୍ଗଳା ଛାଡ଼ି ଓଡ଼ିଆରେ ଲେଖିଲାବେଳେ ରାଧାନାଥଙ୍କ ମନରେ ସମସ୍ୟା ଉଠିଥିଲା–ସେ ଭଞ୍ଜୀୟ ଭାଷା ଓ ଶୈଳୀରେ କବିତା ଲେଖିବେ କିମ୍ବା ନୂତନ ଭାଷା ଓ ନୂତନ ଶୈଳୀରେ ଲେଖିବେ । ତତ୍‍କାଳୀନ ଭାରତର ସାହିତ୍ୟଧାରା ସହିତ ଓଡ଼ିଆ ସାହିତ୍ୟକୁ ସଂଯୋଗ କରିବାକୁ ଯାଇ ସେ ନୂତନ ଶୈଳୀରେ, ନୂତନ ଭାଷାରେ ଓ ନୂତନ ଉପାଦାନ ସାହାଯ୍ୟରେ ହିଁ ତାଙ୍କ କବିତାବଳୀ ଲେଖିଗଲେ-। କିନ୍ତୁ ତାଙ୍କ କବିତାବଳୀର କୌଣସି ଅଂଶରେ ସେ ଓଡ଼ିଆଭାଷା ଉପରେ ବଙ୍ଗଳାଭାଷାକୁ ମଡ଼ାଇ ବା ଚଢ଼ାଇ ଦେଇନାହାନ୍ତି । ବିଶ୍ୱସାହିତ୍ୟର ତତ୍‍କାଳୀନ ପରିସ୍ଥିତିରେ ଓଡ଼ିଆ ପ୍ରାଚୀନ ସାହିତ୍ୟର ଦୁର୍ବୋଧ୍ୟ ଆଳଙ୍କାରିକ ରୀତିରେ କବିତା ଲେଖିବା ରାଧାନାଥଙ୍କ ପକ୍ଷରେ ସମ୍ଭବପର ହୋଇ ନ ଥିଲା କିମ୍ୱା ଏହି ପରସ୍ଥିତିରେ “ଚତୁରବିନୋଦ’’ ରୀତିରେ ଗଳ୍ପ-ଉପନ୍ୟାସ ଲେଖିବା ଫକୀରମୋହନଙ୍କ ପକ୍ଷରେ ସମ୍ଭବପର ନ ଥିଲା । ଉଭୟେ ଓଡ଼ିଶାମାତାର ଯୋଗ୍ୟ ସନ୍ତାନ ଏବଂ ଓଡ଼ିଶା ପ୍ରୀତି ଏମାନଙ୍କ ଲେଖାରେ କେତେବେଳେ ମହାନଦୀ ପରି ଓ କେତେବେଲେ ଫଲ୍‍ଗୁ ପରି ବହିଚାଲିଛି । ଉପେନ୍ଦ୍ରଭଞ୍ଜ ସାରଳା ଦାସଙ୍କ ଭାଷା ଓ ଶୈଳୀରେ ଯେପରି ଲେଖି ନ ଥିଲେ, ରାଧାନାଥ, ଉପେନ୍ଦ୍ରଭଞ୍ଜଙ୍କ ଭାଷା ଓ ଶୈଳୀରେ ସେହିପରି ଲେଖି ନ ଥିଲେ । ରାଧାନାଥଙ୍କୁ ଯଦି ଅଣ ଓଡ଼ିଆ ବୋଲି କୁହାଯାଏ, ତେବେ ଅଭିମନ୍ୟୁ ସାମନ୍ତସିଂହାର, ବ୍ରଜନାଥ ବଡ଼ଜେନା, ମଧୁସୂଦନ ରାଓ ଓ ଗଙ୍ଗାଧର ମେହେରଙ୍କୁ ମଧ୍ୟ ଅଣଓଡ଼ିଆ ବୋଲି କହିବାକୁ ପଡ଼ିବ । ଖାଣ୍ଟି ଓଡ଼ିଆତ୍ୱ ଖୋଜିଲେ ଓଡ଼ିଶାର ପଶ୍ଚିମଭାଗ ଲୋକଙ୍କ ପାଖରେ ମିଲିବ ନାହିଁ । କର୍ସିକାବାସୀ ନେପୋଲିଅନ ଫ୍ରାନ୍‍ସକୁ ଗୌରବର ତୁଙ୍ଗଶିଖରରେ ବସାଇ ଦେଇଥିଲେ । ହିଟ୍‍ଲାରଙ୍କ ଜର୍ମାନତ୍ୱ ସମ୍ବନ୍ଧରେ ଅନେକେ ସନ୍ଦିହାନ । ଯେଉଁ ଡ଼ିସ୍‍ରେଲୀ ବ୍ରିଟିଶ ସାମ୍ରାଜ୍ୟ ଗଢ଼ି ଦେଇଥିଲେ, ସେ ଥିଲେ ଜଣେ ଇହୁଦୀ । ଯେଉଁ ଓ୍ୱଲଟେୟରର ସ୍ପଟ୍ ଇଂରାଜୀ କଥାସାହିତ୍ୟର ଗତି ପରିବର୍ତ୍ତନ କରିଥିଲେ, ସେ ଥିଲେ ଜଣେ ସ୍କଟ୍‍ଲାଣ୍ଡବାସୀ ଏବଂ ଯେଉଁ ବାର୍ଣ୍ଣାଡ ଶ ଇଂରାଜୀ ନାଟକର ଗତି ବଦଳାଇଥିଲେ, ସେ ଥଲେ ଜଣେ ଆୟାରଲାଣ୍ଡବାସୀ । ମୋ ବିଚାରରେ ଯେଉଁମାନେ ଓଡ଼ିଶାରେ ରହି ଓଡ଼ିଶାର ଭାଷା ଓ ସ୍ଵାର୍ଥ ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇଯାଇଛନ୍ତି, ସେମାନେ ସମସ୍ତେ ଓଡ଼ିଆ ।

 

ଇନ୍ଦ୍ରଧନୁ ଓ ବିଜୁଳି ମଧ୍ୟରେ ଯେଉଁ ଝଗଡ଼ା ଲଗିଥିଲା, ତାହା ଥିଲା ପ୍ରାଚୀନପନ୍ଥୀ ଓ ନୂତନପନ୍ଥୀ ଓଡ଼ିଆମାନଙ୍କ ମଧ୍ୟରେ ଏକ ଝଗଡ଼ା । ପ୍ରାଚୀନପନ୍ଥୀମାନେ କହିଲେ ଯେ ଚଉତିଶା, ଯମକ, ଅନୁପ୍ରାସ, ବିରୋଧାଭାସ, ଅବନାନିୟମ ଇତ୍ୟାଦି ଆଳଙ୍କାରିକ ରୀତି ହିଁ ଓଡ଼ିଆ ସାହିତ୍ୟର ବୈଶିଷ୍ଟ୍ୟ । ନୂତନ ସାହିତ୍ୟରୁ ଏସବୁ ବାଦ୍‍ କରି ଦେଉଥିବା ହେତୁ ଓଡ଼ିଆ ସାହିତ୍ୟର ବୈଶିଷ୍ଟ୍ୟ ଧ୍ୱଂସ କରାଯାଉଛି । ନୂତନପନ୍ଥୀମାନେ କହିଲେ ଯେ ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ସାହିତ୍ୟର ଆଳଙ୍କାରିକ ରୀତି ଅବଲମ୍ବନ କରିବା ସମ୍ଭବପର ନୁହେଁ । ଏହାପରେ ପ୍ରାଚୀନ ସାହିତ୍ୟର ପ୍ରତୀକ ଉପେନ୍ଦ୍ର ଓ ନୂତନ ସାହିତ୍ୟର ପ୍ରତୀକ ରାଧାନାଥଙ୍କୁ କେନ୍ଦ୍ରକରି ଏ ଝଗଡ଼ା ତେଜି ଉଠିଥିଲା । ଏ ଝଗଡ଼ା ପୂର୍ବବର୍ଣ୍ଣିତ ପୁରୀଶାସନର ତାଳପତ୍ର ଓ କାଗଜ ମଧ୍ୟରେ ଝଗଡ଼ା ପରି ଗୋଟିଏ ଝଗଡ଼ା । ନୂତନପନ୍ଥୀମାନେ ଭଞ୍ଜକବିତାର ଦୁର୍ବଳ ଅଂଶମାନଙ୍କରେ ଆଙ୍ଗୁଳି ପକାଇ କହିଲେ ଯେ ଭଞ୍ଜକବିତା ଅଶ୍ଳୀଳତାପୂର୍ଣ୍ଣ । ଭଞ୍ଜକବି ମୂଢ଼ସ୍ତୁତି ଓ ମୂଖନିନ୍ଦା ମଧ୍ୟରେ ଚାପି ହୋଇ ଆର୍ତ୍ତନାଦ କଲେ । ପରବର୍ତ୍ତୀ କାଳରେ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ପ୍ରାଚୀନ ଓଡ଼ିଆସାହିତ୍ୟର ଗୌରବ ଦେଖାଇବାର ଚେଷ୍ଟାକରି ସମସ୍ତଙ୍କ ଧନ୍ୟବାଦାର୍ହ ହୋଇଛନ୍ତି; ମାତ୍ର ସେ ପ୍ରାଚୀନ ରୀତିରେ ଯେଉଁ ‘କବିତାକୁମୁଦ’ ଗ୍ରନ୍ଥ ଲେଖିଛନ୍ତି, ତାକୁ ଅନୁସରଣ ବା ଆଦର୍ଶ କରି ଆଉ କେହି ସେହିପରି କବିତା ଲେଖିଲେ ନାହିଁ । ଓଡ଼ିଆସାହିତ୍ୟ ତାହାର ସ୍ଵାଭାବିକ ମାର୍ଗରେ ଗତି କରି “ସବୁଜଯୁଗ’’କୁ ଅତିକ୍ରମ କରି ଆଧୁନିକ ଯୁଗରେ ଆସି ପହଞ୍ଚିଛି ।

 

ଓଡ଼ିଶାରେ ଗୋଟିଏ ଶ୍ରେଣୀର ବ୍ୟକ୍ତି ଓଡ଼ିଆଭାଷା ଓ ସଂସ୍କୃତିର ସଂରକ୍ଷକ ବୋଲାଇ ଅତ୍ୟନ୍ତ ଅସହିଷ୍ଣୁତା ପ୍ରକାଶ କରି ଆସିଛନ୍ତି । ଏପରି ଅସହିଷ୍ଣୁତା ସଭ୍ୟଦେଶରେ ଦେଖାଯାଏ ନାହିଁ-। କୌଣସି କୌଣସି ସମାଲୋଚକ କହିଛନ୍ତି ଯେ ସେକ୍‍ସପିୟର ଜଣେ ଦ୍ୱିତୀୟ ଶ୍ରେଣୀର ଲେଖକ ଥିଲେ । କେହି କେହି କହଛନ୍ତି ଯେ ସେ ଦରପାଠୁଆ ଥିଲେ; କାରଣ ତାଙ୍କର ଯେତେ ଦସ୍ତଖତ ମିଳିଛି, ସେଥିରେ ଭିନ୍ନ ଭିନ୍ନ ପ୍ରକାର ବନାନ ରହିଛି । କେହି କେହି କହିଛନ୍ତି ଯେ ସେ କୌଣସି ନାଟକର ରଚୟିତା ନୁହନ୍ତି, ଅନ୍ୟ ନାଟ୍ୟକାରମାନଙ୍କ ଲେଖା ଘେନି ଆସି ନିଜ କାମରେ ଚଳାଇ ଦେଇଛନ୍ତି । ବିଶ୍ୱବନ୍ଦ୍ୟ ସେକ୍‍ସପିୟରଙ୍କ ସମ୍ବନ୍ଧରେ ଏହିପରି ମତପ୍ରକାଶ ପାଇବାବେଳେ ପୃଥିବୀରେ ତାଙ୍କର ଅଗଣିତ ପ୍ରଶଂସକ ବିଚଳିତ ବା ଅସଂହିଷ୍ଣୁ ହୋଇନାହାନ୍ତି । ସଜନୀକାନ୍ତ ଦାସ ରବିଠାକୁରଙ୍କ କବିତାର କଠୋର ସମାଲୋଚନା କଲାବେଳେ ଠାକୁର କିମ୍ୱା ତାଙ୍କର ଅସଂଖ୍ୟ ପ୍ରଶଂସକ ତାଙ୍କ ସହିତ ମସୀଯୁଦ୍ଧରେ ପ୍ରବୃତ୍ତ ହୋଇ ନ ଥିଲେ । ନୀରୋଦ ଚଉଧୁରୀ ବଙ୍ଗାଳୀମାନଙ୍କର ସବୁ ଦୋଷଦୁର୍ବଳତା ପଦାରେ ପକାଇ ଦିଅନ୍ତି, ତଥାପି ବଙ୍ଗାଳୀମାନେ ତାଙ୍କ ବହି କିଣି ତାଙ୍କୁ ଧନୀ କରିଛନ୍ତି । ମୁକ୍ତ ପରିବେଶରେ ହିଁ ବଳିଷ୍ଠ ସାହିତ୍ୟ ଓ ବଳିଷ୍ଠ ସମାଲୋଚନା ଗଢ଼ିଉଠେ । ଓଡ଼ିଶାରେ ଏପରି ପରିବେଶ ଗଢ଼ି ଉଠି ନାହିଁ ।

 

ଅନେକ ଓଡ଼ିଆ ଓଡ଼ିଆ ସଂସ୍କୃତିର ଭକ୍ତ ବୋଲାଇବା ପାଇଁ ମୁହଁରେ ପ୍ରତିବେଶୀ ପ୍ରଭାବର ନିନ୍ଦା କରୁଥିଲେ ହେଁ କାର୍ଯ୍ୟତଃ ପ୍ରତିବେଶୀ ସଂସ୍କୃତି ଓ ଧର୍ମମତର ଏକାନ୍ତ ଅନୁଗତ ହୋଇପଡ଼ନ୍ତି । ଆଗରୁ କୁହାଯାଇଛି ଯେ ଆଜିକାଲି ଓଡ଼ିଆମାନଙ୍କ ବିବାହୋତ୍ସବର ଆଡ଼ମ୍ବର ଆମ ଅତୀତ ସଂସ୍କୃତିର ସର୍ବସୀମା ଲଙ୍ଘନ କରିଯାଉଛି । ଆମ ଜଗନ୍ନାଥ ସଂସ୍କୃତିରେ ଥିଲା ଯେ କାଙ୍ଗାଳୀମାନେ ମଧ୍ୟ ଅତିଥି, ମାତ୍ର ଆଜିକାଲି ଏହି ଅତିଥିମାନଙ୍କୁ ଉଚ୍ଛିଷ୍ଟ ଭୋଜନ ଦିଆଯାଉଛି । ଯୌତୁକ ତ ସବୁ ଯୁଗରେ ଥିଲା, ମାତ୍ର ବରପକ୍ଷରୁ ଡିମେଣ୍ଡ ବା ଦାବି କଥାଟା ଓଡ଼ିଶାରେ ୩୦|୪୦ ବର୍ଷ ପୂର୍ବେ ନ ଥିଲା । ବରପକ୍ଷର ଦାବି ଫଳରେ ଓଡ଼ିଶାର ଗ୍ରାମେ ଗ୍ରାମେ, ଘରେ ଘରେ ଓ ସହରମାନଙ୍କ ଅନ୍ଦିକନ୍ଦିରେ ସହସ୍ର ସହସ୍ର ସୁନ୍ଦରୀ, ଶିକ୍ଷିତା, ସ୍ୱାସ୍ଥ୍ୟବତୀ କନ୍ୟା ବିବାହ ବୟସ ଅତିକ୍ରମ କରି ନିରବରେ ଅଶ୍ରୁ ଢାଳୁଛନ୍ତି । ଏହି ଦାବି ପ୍ରଥାଟା କେଉଁଠାରୁ ଓଡ଼ିଶାକୁ ଆମଦାନୀ ହୋଇ ଆସିଛି ? ଓଡ଼ିଶାର ଦୋଳମହୋତ୍ସବ ସବୁଦିନେ ଥିଲା, ମାତ୍ର ଅବିର, କାଦୁଅ, ଆଲକାତରା, ହାଣ୍ଡି କଳା, କଦଳୀକଷ, ଗୋବର ଇତ୍ୟାଦିର ଫିଙ୍ଗାଫିଙ୍ଗି ଏବଂ ମାନ୍ୟମାନ୍ୟାମାନଙ୍କୁ ସୁଦ୍ଧା ବାଦ୍‍ ନ ଦେଇ ଗଡ଼ାଗଡ଼ି, ପିଟାପିଟି ହେବା ପରେ କେତେକ ମୃତ, କେତେକ ଆହତ ଓ କେତେକ ପୁଲିସ୍‍ମାନଙ୍କ ଦ୍ୱାରା ଧୃତ ହେବାର ଦୃଶ୍ୟ ୩୯।୪୦ ବର୍ଷ ପୂର୍ବେ ଓଡ଼ିଶାରେ ନ ଥିଲା । ଏ ବର୍ଷର (୧୯୭୭ର) ଦୋଳପୂର୍ଣ୍ଣିମା ଦିନ କଟକ ରେଡିଓର “ଯୁବବାଣୀ’’ କାର୍ଯ୍ୟକ୍ରମରେ ଜଣେ ଯୁବକ କହିଲେ ସେ ଅବିରର ଯେଉଁ ଭେଷଜଗୁଣ ଅଛି, ତାହା ଚର୍ମରୋଗ ନାଶ କରେ । ଏ ବକ୍ତା ଅଧିକ ଅବିରଖେଳର ବିଜ୍ଞାପନ ଦେଉଥିଲେ । ଓଡ଼ିଶାରେ ରାମଳୀଳା ସବୁଦିନେ ଥିଲା: କିକ୍ତୁ ସେଥିରୁ ହତ୍ୟାକାଣ୍ଡ ବାହାରିବ। କଥା କେବେ ଶୁଣା ନ ଥିଲା । ଓଡ଼ିଶାର ଦୁର୍ଗାପୂଜାରେ ଶତ ଶତ ମୂର୍ତ୍ତିନିର୍ମାଣ, ସହସ୍ର ସହସ୍ର ଟଙ୍କାର ଚାନ୍ଦାଆଦାୟ, ଆଡ଼ମ୍ବରପୂର୍ଣ୍ଣ ଭୋଜି ଓ ଶୋଭାଯାତ୍ରା; ଶୋଭାଯାତ୍ରାବେଳେ ମାର୍‌ପିଟ୍ ହେବା ଫଳରେ ସାହି-ସାହି ମଧ୍ୟରେ ଚିରବିବାଦ ଓ ଚିରବିଦ୍ୱେଷର କଥା କୌଣସି କାଳରେ ଶୁଣା ନ ଥିଲା । ଓଡ଼ିଆମାନେ ସବୁଦିନେ ପ୍ରତିବେଶୀ ଅଞ୍ଚଳମାନଙ୍କରୁ ନାମମାନ ଘନିଆସି ପୁତ୍ରକନ୍ୟାମାନଙ୍କ ନାମକରଣ କରୁଥିଲେ । ମାତ୍ର ଏପରି କାମକରଣ ଦ୍ଵାରା ଓଡ଼ିଆଭାଷାର ଧ୍ୱନିତତ୍ତ୍ୱର ବୈଶିଷ୍ଟ୍ୟ ନଷ୍ଟ କରୁ ନ ଥିଲେ । ଆଜିକାଲି ଯତୀନ, ସୁରେନ୍, ସୁଧୀର୍‍, ସୁନୀଲ୍‍, ଧୀରେନ୍, ରାଖାଲ, ଶୈଲେନ୍, ଫନି, ଅତୁଲ୍‍, ନନୀଗୋପାଲ ଇତ୍ୟାଦି ନାମ ଦେଇଥିବା ଓ ଏହି ନାମମାନ ବହନ କରିଥିବା ଓଡ଼ିଆମାନଙ୍କ ଓଡ଼ିଆଭାଷା ଓ ସଂସ୍କୃତିର ସ୍ୱାତନ୍ତ୍ର୍ୟ ସମ୍ବନ୍ଧରେ ବ୍ୟାଖ୍ୟା ଶୁଣିଲେ ସ୍ତମ୍ଭିତ ହେବାକୁ ପଡ଼େ ।

 

ଅଣଓଡ଼ିଆମାନେ ଏସବୁ ପ୍ରତିବେଶୀ ପ୍ରଭାବକୁ ଓଡ଼ିଆମାନଙ୍କ ଉପରେ ଲଦି ଦେଉ ନାହାନ୍ତି, ଓଡ଼ିଆମାନେ ଆପେ ଆପେ ଏସବୁ ଘେନି ଆସି ଓ ଏସବୁକୁ ବିକୃତ କରି ଓଡ଼ିଆ ସଂସ୍କୃତିର ବଡ଼ାଇ କରୁଛନ୍ତି । ଆମ୍ଭେମାନେ ପ୍ରତିବେଶୀ ସଂସ୍କୃତିର ଭଲ ଅଂଶଗୁଡ଼ିକୁ ଗ୍ରହଣ କରୁ ନାହୁଁ । ଆମ ସାହିର ରାୟବାବୁ ଓ ତାଙ୍କ ଇଞ୍ଜିନିୟର ଯୁବକ ପୁତ୍ର ଜିପ୍‍ ଏକ୍‍ସିଡେଣ୍ଟରେ ପ୍ରାଣ ହରାଇଲେ । ସଙ୍ଗେ ସଙ୍ଗେ କଟକ ସହରର ବଙ୍ଗାଳୀମାନେ ଏହି ଦୁଃସ୍ଥ ପରିବାରକୁ ଯଥାସାଧ୍ୟ ସାହାଯ୍ୟ କରିବା ଫଳରେ ରାୟପରିବାର ହାତରେ ଏତେ ଟଙ୍କା ହୋଇଗଲେ ଯେ ମୃତବ୍ୟକ୍ତିମାନଙ୍କ ଶୁଦ୍ଧିକ୍ରିୟାରେ ବ୍ୟୟ ହେବାପରେ ସୁଦ୍ଧା ତାହା ବଳି ପଡ଼ିଲା । ଓଡ଼ିଆମାନେ ଏପରି ସୁପ୍ରଥା ଗ୍ରହଣ କରୁନାହାନ୍ତି କାହିଁକି ଜଗନ୍ନାଥ ସଂସ୍କୃତିର ବଡ଼ାଇ କରାଯାଉଛି, କିନ୍ତୁ ଏହା ଯେ କାଳୋଚିତ ହୋଇପାରୁ ନାହିଁ, ତାହା କେହି ଲକ୍ଷ୍ୟ କରୁଛନ୍ତି କି ? ଶ୍ରୀ ଜଗନ୍ନାଥ ମନ୍ଦିରରେ ସର୍ବଜାତିର ଏକତ୍ର ଭୋଜନ ଏକାକୀ ଏହାର ଉଦାରତାର ଚିହ୍ନ ଥିଲା; ମାତ୍ର ଅଜିକାଲି ହୋଟେଲ, ଟ୍ରେନ୍‍ ଓ ବିବାହାଦି ଭୋଜିରେ ସର୍ବଜାତିର ଓ ସର୍ବଧର୍ମାବଲମ୍ବୀମାନଙ୍କ ଏକତ୍ର ଭୋଜନ ଚାଲିଥିବାବେଳେ ତାହା ଆଉ ଉଦାରତାର ଚିହ୍ନ ହୋଇ ରହିଛି କି ? ଗବେଷକମାନେ ଗବେଷଣା କରି ଦେଖାଉଛନ୍ତି ଯେ ଜଗନ୍ନାଥ ମୂଳତଃ ଆଦିବାସୀ ଦେବତା ଥିଲେ; ମାତ୍ର ଜଗନ୍ନାଥ ମନ୍ଦିରରେ ଆଦିବାସୀମାନଙ୍କ ପ୍ରବେଶର ଅଧିକାର ନ ଥିବାବେଳେ ଏ ଗବେଷଣାର ଫଳ ଜାଣୋଚିତ୍‍ ହେଉଛି କି ? ରେଡ଼ିଓ ମାଧ୍ୟମରେ ସୁଦ୍ଧା ବାରମ୍ବାର ଘୋଷିତ ହେଉଛି ଯେ କନ୍ଧମାନଙ୍କ ନରବଳୀ ପ୍ରଥା ସେମାନଙ୍କୁ ଲୋକଲୋଚନକୁ ଅଣିଥିଲା ଏବଂ ସେମାନେ ଅତ୍ୟନ୍ତ ମଦ୍ୟପ୍ରିୟ ଜାତି । ନରବଳି ପ୍ରଥା କନ୍ଧମାନଙ୍କ ଏକଚାଟିଆ ନ ଥିଲ। । ବୈଦିକ କାଳରୁ ହିନ୍ଦୁମାନଙ୍କର ଯେଉଁ ନରବଳୀ ପ୍ରଥା ଥିଲା, ବର୍ତ୍ତମାନ ସୁଦ୍ଧା ତାହା ଚାଲିଛି । ମଦ୍ୟପ୍ରିୟତା ମଧ୍ୟ କନ୍ଧମାନଙ୍କର ଏକଚାଟିଆ ନୁହେଁ । ସ୍ତୁତିଛଳରେ ସେମାନଙ୍କର ଏକ ଦୁଇଟି ଦୋଷ ଦେଖାଇଦେଇ ସେମାନଙ୍କ ପରିଚୟ ଦେବା ସମୟୋଚିତ ହେଉଛି କି ? କାହିଁକି କୁହାଯାଉ ନାହିଁ ଯେ କନ୍ଧମାନଙ୍କ ମଧ୍ୟରେ ଭୀମଭୋଇ ପରି ଜଣେ ମହାନ୍ ସନ୍ଥକବି ଜନ୍ମଗ୍ରହଣ କରିଥିବାରୁ ସେମାନେ ଭାରତୀୟ ଆଦିବାସୀମାନଙ୍କ ଆଦର୍ଶସ୍ଥାନୀୟ ହୋଇଛନ୍ତି ?

 

ଓଡ଼ିଆମାନଙ୍କ ଅତୀତ ପ୍ରୀତି ପ୍ରଚାରପନ୍ଥୀମାନଙ୍କ ହାତରେ ପଡ଼ିଯାଇଛି । ଏମାନେ ସତ୍ୟର ସମ୍ମୁଖୀନ ହୁଅନ୍ତି ନାହିଁ । କାହିଁକି ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖାହୋଇ ପାରୁନାହିଁ, କାହିଁକି ଓଡ଼ିଆ ଜ୍ଞାନକୋଷ ଲେଖାହୋଇ ପାରୁନାହିଁ, କାହିଁକି ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ଜୟଦେବ ସମ୍ବନ୍ଧୀୟ ଗ୍ରନ୍ଥଟିଏ ଇଂରାଜୀରେ ଲେଖାହୋଇ ପାରୁନାହିଁ, କାହିଁକି ଉପେନ୍ଦ୍ର ଭଞ୍ଜ ସମ୍ବନ୍ଧୀୟ ଇଂରାଜୀ ଗ୍ରନ୍ଥଟିଏ ଲେଖାହୋଇ ପାରୁନାହିଁ, କାହିଁକି ସିଦ୍ଧାନ୍ତଦର୍ପଣର ନୂତନ ସଂସ୍କରଣଟିଏ ପ୍ରକାଶିତ ହୋଇପାରୁ ନାହିଁ, କାହିଁକି ସାମନ୍ତ ଚନ୍ଦ୍ରଶେଖରଙ୍କ ସ୍ମାରକ ଗ୍ରନ୍ଥଟି ପ୍ରକାଶିତ ହୋଇପାରୁ ନାହିଁ, କାହିଁକି ଉତ୍କଳଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତଗୌରବ ମଧୁସୁଦନ ଓ ଭାରତମଣି ଗୋପବନ୍ଧୁ, କରିବା ପାଇଁ ସେମାନଙ୍କ ଜୀବନଚରିତ ଇଂରାଜୀରେ ଲେଖାହେଉ ନାହିଁ, କାହିଁକି ଓଡ଼ିଶାର ସାଧୁସନ୍ଥ ସର୍ବ ଭାରତୀୟ ସ୍ତରକୁ ଉନ୍ନୀତ ହୋଇପାରୁ ନାହାନ୍ତି, କାହିଁକି ସାଂସ୍କୃତିକ ବ୍ୟାପାର ବିଭାଗ ତରଫରୁ ପ୍ରକାଶିତ ସାରଳା ମହାଭାରତର ଅଙ୍ଗଚ୍ଛେଦ କରାଗଲା, କାହିଁକି ବହୁସଂଖ୍ୟକ ଜାଲ, ଐତିହାସିକ ଉପାଦାନ ସୃଷ୍ଟି ହେଉଛି ଏବଂ ଏଗୁଡ଼ିକ ଦ୍ଵାରା ଓଡ଼ିଆମାନଙ୍କ ଐତିହାସିକ ଗବେଷଣାର ଫଳ ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ଓ ସହେହଯୁକ୍ତ ହେଉଛି, କାହିଁକି ଓଡ଼ିଶାର ଏକମାତ୍ର ଇଂରାଜୀ ଐତିହାସିକ ଗବେଷଣା ପତ୍ରିକା ଆଉ ପ୍ରକାଶିତ ହୋଇପାରୁ ନାହିଁ ଇତ୍ୟାଦି ବିଷୟକ ସତ୍ୟର କେହି ସମ୍ମୁଖୀନ ହେଉନାହାନ୍ତି । ଖାଲି ଭଞ୍ଜ ଓ ଜୟଦେବଙ୍କୁ କେନ୍ଦ୍ର କରି ଓ ପରିପ୍ରଚାର ଚଳାଇ ସେଥିରୁ କେତେକ ବ୍ୟକ୍ତି ଫାଇଦା ଉଠାଇ ନେଉଛନ୍ତି ।

 

ଏ ପ୍ରଚାରପନ୍ଥୀମାନେ ତରୁଣବର୍ଗଙ୍କୁ କହୁଛନ୍ତି ଯେ ଅତୀତ ଓଡ଼ିଶା ଅତି ବଡ଼ ଥିଲା ଏବଂ ଆଜି ସୁଦ୍ଧା ତାହା ଧର୍ମାତ୍ମାମାନଙ୍କ ଦେଶ । ଏହି ଆତ୍ମସନ୍ତୋଷର ଅଫିମ ଖାଇବା ପରେ ତରୁଣବର୍ଗଙ୍କ ପ୍ରଜ୍ଞା ଖର୍ବୀଭୂତ, ମନଶ୍ଚକ୍ର ସଙ୍କୁଚିତ, ଦୂରଦୃଷ୍ଟି ବ୍ୟାହିତ, ଭୌଗୋଳିକ ଦୃଷ୍ଟି ସୀମିତ ଓ ସ୍ଵାଧୀନଚିନ୍ତା ଲୁପ୍ତ ହୋଇ ପଡ଼ୁଛି । ଓଡ଼ିଶା କାହିଁକି ଭାରତରୁ ଦରିଦ୍ରତମ ରାଜ୍ୟ, କାହିଁକି ଏଠାରେ ଭିକାରୀ ସଂଖ୍ୟା ସର୍ବାଧିକ, କାହିଁକି ଏଠାରେ କୁଷ୍ଠରୋଗୀ ସଂଖ୍ୟା ଅଧିକ, କାହିଁକି ଓଡ଼ିଶା ଅପମିଶ୍ରଣାଦି ଅପକର୍ମରେ ଭାରତରେ ଶୀର୍ଷସ୍ଥାନ ଅଧିକାର କରିଛି, କାହିଁକି ଓଡ଼ିଆମାନଙ୍କ ଜାଲ୍‍ କରିବା ପ୍ରବୃତ୍ତି ସର୍ବକ୍ଷେତ୍ରରେ ପ୍ରକାଶ ପାଉଛି, କାହିଁକି ରାଜ୍ୟରୁ ସର୍ବାଧିକ ମୂର୍ତ୍ତିଚୋରି ହେଉଛି, କାହିଁକି ଓଡ଼ିଆମାନଙ୍କ ଧର୍ମସମ୍ବନ୍ଧୀୟ ବିଶ୍ୱାସପ୍ରବଣତା ନିର୍ବୋଧତାର ସୀମା ସ୍ପର୍ଶ କରୁଛି ଇତ୍ୟାଦି ବିଷୟରେ ତରୁଣମାନଙ୍କୁ ବୁଝାଇ କୁହାଯାଉ ନାହିଁ । ଏମାନଙ୍କୁ କୁହାଯାଉ ନାହିଁ ଯେ ଓଡ଼ିଶାରେ ବହୁ ଧର୍ମସମ୍ପ୍ରଦାୟ ଓ ସେମାନଙ୍କ ବହୁ ଅନୁଗାମୀ ଥିଲେ ମଧ୍ୟ ସେମାନେ ଚିନ୍ତାରାଜ୍ୟରେ ଧାର୍ମିକ ବିପ୍ଳବ ବା ନୈତିକ ବିପ୍ଳବ ସୃଷ୍ଟି କରିପାରୁ ନାହାନ୍ତି । ତରୁଣମାନଙ୍କୁ କୁହାଯାଉ ନାହିଁ ଯେ କେବଳ ମନୁଷ୍ୟ ରାମମୋହନ ରାୟଙ୍କ ଧର୍ମବାର୍ତ୍ତା ହିଁ ଓଡ଼ିଶାର ଚିନ୍ତାରାଜ୍ୟରେ ବିପ୍ଳବ ସୃଷ୍ଟି କରିଥିଲା । ତରୁଣବର୍ଗଙ୍କୁ କୁହାଯାଉ ନାହିଁ ଯେ ଓଡ଼ିଶା ଭାରତର ସର୍ବକ୍ଷେତ୍ରରେ ପଛରେ ପଡ଼ିଛି । ଏ ପର୍ଯ୍ୟନ୍ତ ଦୁଇଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇଛନ୍ତି, ତିନିଜଣ ମାତ୍ର ରାଜ୍ୟପାଳ ହୋଇଛନ୍ତି; କେହି ରାଷ୍ଟ୍ରପତି ବା ଉପରାଷ୍ଟ୍ରପତି ହୋଇନାହାନ୍ତି, କୌଣସି ଓଡ଼ିଆ ଆମ୍ବାସାଡାର୍, ଚାର୍ଜ-ଡ଼ି-ଆଫେୟାର୍‍ସ୍‍ ବା ହାଇକମିଶନର ହୋଇନାହାନ୍ତି, ଭାରତର ପ୍ରତିରକ୍ଷା ବିଭାଗରେ ଓଡ଼ିଆମାନଙ୍କ ସ୍ଥାନ ନଗଣ୍ୟ, କୌଣସି ଓଡ଼ିଆ ପ୍ରଦ୍ମଭୂଷଣଠାରୁ ଉଚ୍ଚତର ଉପାଧି ପାଇ ନାହାନ୍ତି । ମଧୁସୂଦନ ଦାସଙ୍କ ପରେ କୌଣସି ଓଡ଼ିଆ ନୀତିଗତ କାରଣରୁ କିମ୍ବା ଓଡ଼ିଶାର ସ୍ୱାମୀ ଓ ସମ୍ମାନରେ ଆଞ୍ଚ ଆସୁଥିବା ହେତୁ ମନ୍ତ୍ରୀପଦ ବା ସଦସ୍ୟପଦ ତ୍ୟାଗକରି ନାହାନ୍ତି, ଅଥଚ ଏହି ସମୟ ମଧ୍ୟରେ ବହୁସଂଖ୍ୟକ ବଙ୍ଗାଳୀ ଓ ତେଲେଙ୍ଗା ମନ୍ତ୍ରୀ ଓ ସଦସ୍ୟ ଅନୁରୂପ କାରଣରୁ ମନ୍ତ୍ରୀପଦ ଓ ସଦସ୍ୟପଦ ତ୍ୟାଗ କରିଛନ୍ତି । ତରୁଣବର୍ଗଙ୍କୁ କୁହାଯାଉ ନାହିଁ ଯେ ଭାରତୀୟ ଜାତୀୟ କଂଗ୍ରେସର ୯୨ ବର୍ଷ ଅବସ୍ଥିତି ସମୟରେ ଓଡ଼ିଶାରେ ଥରେ ମାତ୍ର ଏହାର ପୂର୍ଣ୍ଣାଙ୍ଗ ଅଧିବେଶନ ବସିଥିଲା, କୌଣସି ଓଡ଼ିଆ କଂଗ୍ରେସ ସଭପତି ବା ଜେନେରଲ ସେକ୍ରେଟାରୀ ହୋଇନାହାନ୍ତି । ଜାତିସଂଘରେ ବା ଏହାର ବହୁ ଶାଖାପ୍ରଶାଖାର ସଂସ୍ଥାମାନଙ୍କରେ ଭାରତ ତରଫରୁ କୌଣସି ଓଡ଼ିଆ ଉଲ୍ଲେଖଯୋଗ୍ୟ ସ୍ଥାନ ପାଇନାହାନ୍ତି । ଉପେକ୍ଷିତା, ଲାଞ୍ଛିତା, ଅନାହାରକ୍ଳିଷ୍ଟା, ରୁଗ୍‍ଣା ଉତ୍କଳମାତା ପୁରୁଣା ଶାଲ୍‍ ଖଣ୍ଡେ ଘୋଡ଼ି ହୋଇ କାନ୍ଦୁଛି । ସଭା- ସମିତିରେ, ଜୟନ୍ତୀ ଉତ୍ସବମାନଙ୍କରେ କିମ୍ବା ରେଡ଼ିଓ ମାଧ୍ୟମରେ ଅତୀତ ପ୍ରୀତିରେ ଆବେଗମୟ ହୋଇ କେତେକ ଓଡ଼ିଆ ବେପଥୁ ପୁଲକ, ସ୍ଵରଭଙ୍ଗ ଇତ୍ୟାଦି ପ୍ରକାଶ କଲେ ତବ୍ଦ୍ୱାରା, ଲାଞ୍ଛିତା ଜନନୀର ନୟନରୁ ଅଶ୍ରୁ ପୋଛା ହୋଇପାରିବ ନାହିଁ । ଏ ସମସ୍ତ ତୃଣାଗ୍ନି ପରି ଏବଂ ଏ ସମସ୍ତ ଜାତିର ବୌଦ୍ଧିକ ଚେତନା ଜାଗ୍ରତ କରିପାରେ ନାହିଁ । କର୍ମ, ଶ୍ରମ, ନିଷ୍ଠା, ସାଧନା ଓ ସତ୍ୟାଶ୍ରୟିତା ହିଁ ଓଡ଼ିଶାରେ ମାନସିକ ବିପ୍ଳବ ଆଣିପାରିବ ।

 

୧୫୬୮ ଖ୍ରୀଷ୍ଟାବ୍ଦରୁ ଊନବିଂଶ ଶତାବ୍ଦୀର ଶେଷପାଦ ପର୍ଯ୍ୟନ୍ତ ଦୀର୍ଘ ସମୟ ମଧ୍ୟରେ କେତେଗୁଡ଼ିଏ ଓଡ଼ିଆ କବିତା ଛଡ଼ା ଏ ରାଜ୍ୟରେ ମନୁଷ୍ୟ ପରି ମନୁଷ୍ୟ ଥିବାର ବେଶି ପ୍ରମାଣ ମିଳେ ନାହିଁ । ଅତଏବ ଓଡ଼ିଶାର ଅତୀତରୁ ପ୍ରେରଣା ପାଇବା ପାଇଁ ଯଦି ଓଡ଼ିଆମାନେ ଇଚ୍ଛା କରନ୍ତି, ତେବେ ସେମାନଙ୍କୁ ୧୫୬୮ ଖ୍ରୀଷ୍ଟାବ୍ଦ ପଛକୁ ଯିବାକୁ ପଡ଼ିବ ।

 

ଏ ସମୟରେ ଓଡ଼ିଆମାନଙ୍କ ରାଜ୍ୟ ଓ ସ୍ଵାଧୀନତା ଥିଲା, ଏବଂ ମଧ୍ୟେ ମଧ୍ୟେ ସେମାନେ ସାମ୍ରାଜ୍ୟ ବିସ୍ତାର ମଧ୍ୟ କରିଥିଲେ । ଏ ସମୟରେ ଓଡ଼ିଆମାନେ ପ୍ରତିବେଶୀ ବଙ୍ଗ ମୁସଲମାନମାନଙ୍କ ଦ୍ଵାରା ଅଧିକୃତ ହେବାର ୩୭୪ ବର୍ଷ ପରେ ସୁଦ୍ଧା ଓଡ଼ିଶାର ସ୍ଵାଧିନ ସ୍ଥିତିକୁ ରକ୍ଷାକରି ଏହାକୁ ହିନ୍ଦୁ ସଂସ୍କୃତିର ଶେଷ ଆଶ୍ରୟସ୍ଥଳ କରି ରଖିଥିଲେ । ଏ ସମୟରେ ନିର୍ମିତ ଓଡ଼ିଶାର ମୂର୍ତ୍ତିମନ୍ଦିର ପୃଥିବୀରେ ବିସ୍ମୟ ସୃଷ୍ଟି କରିଛି । ଏ ସମୟରେ ଚୋଡ଼ଗଙ୍ଗ, ଅନଙ୍ଗଭୀମ, ଲାଙ୍ଗୁଳା ନରସିଂହ, କପିଳେନ୍ଦ୍ର, ପୁରୁଷୋତ୍ତମ, ହିମ୍ବିର, ବୀରଭଦ୍ର ପ୍ରଭୃତ୍ତିଙ୍କ ବୀରଗାଥା ଭାରତରେ ଅତୁଳନୀୟ । ଏ ସମୟରେ କୁଣ୍ଡବିତୁ ଦୂର୍ଗରେ ଓଡ଼ିଆ ସୈନ୍ୟମାନେ ଆତ୍ମସମର୍ପଣ ନ କରି ଜଳାଭାବରେ ଯେଉଁ ସମୂହ ମୃତ୍ୟୁବରଣ କରିଥିଲେ, ତାହା ପୃଥିବୀ-ଇତିହାସରେ ବିରଳ । ଏ ସମୟରେ ପ୍ରତ୍ୟେକ ଓଡ଼ିଆ ଜଣେ ଜଣେ ସୈନିକ ଥିବାରୁ ଆଜିକାଲି ସୁଦ୍ଧା ଶତକରା ପଚାଶଭାଗ ଓଡ଼ିଆ ସାମରିକ ପଦବୀ ବହନ କରନ୍ତି । ଏ ସମୟର ଓଡ଼ିଆକବି ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ପ୍ରଭୃତିଙ୍କ ଯେଉଁ ଅତୁଳନୀୟ ଦାନ ରହିଛି, ତାହା ଯଥାଯଥଭାବରେ ସ୍ୱୀକୃତ ଓ କୀର୍ତ୍ତିତ ହେଉ ନାହିଁ । ଅତୀତ ପ୍ରୀତିକୁ ପଣ୍ୟ ନ କରି ଏହାର ଯଥାଯଥ ବ୍ୟବହାର କରିବାର ସମୟ ଆସିଛି ।

 

ଏ ମହାକାଶ ଯୁଗରେ ସୁଦ୍ଧା ଭ୍ରାନ୍ତ ଅତୀତପ୍ରୀତି ହେତୁ ଓଡ଼ିଆ ତରୁଣବର୍ଗ ଅନୁଭବ କରିପାରୁ ନାହାନ୍ତି ଯେ ଓଡ଼ିଶା ପୃଥିବୀ ତଥା ଭାରତର ଗୋଟିଏ କ୍ଷୂଦ୍ରାଂଶ । ଓଡ଼ିଶାର ଚିନ୍ତାଧାର, ସଂସ୍କୃତି, ଇତିହାସ, ସାହିତ୍ୟ ଇତ୍ୟାଦିକୁ ଅନ୍ତତଃପକ୍ଷେ ଭାରତ ସହିତ ସଂଯୋଗ କରି ନ ପାରିଲେ, ଏସବୁ କ୍ଷେତ୍ରରେ ଓଡ଼ିଆମାନଙ୍କ ବଡ଼ାଇ ନିରର୍ଥକ । ଅନାଦିକାଳରୁ ଅନନ୍ତ ଆକାଶରେ ଅସଂଖ୍ୟକୋଟି ତାରା, ସୂର୍ଯ୍ୟ, ଗ୍ରହ, ଉପଗ୍ରହ, ଧୂମକେତୁ, ନିହାରିକାର ହଲ୍ଲିଷକ ଚାଲିଆସିଛି । ଏହାରି ମଧ୍ୟରେ ମହାନ୍ ସୂର୍ଯ୍ୟ ସହିତ କ୍ଷୁଦ୍ର ପୃଥିବୀର ନିତ୍ୟ ରାସଭ୍ରମଣି ଚାଲିଛି । ତାହାରି ଫଳରେ ଦିନ, ରାତି, ମାସ, ବର୍ଷ ରଥଚକ୍ର ପରି ଘୂରି ଘୂରି ଚାଲିଛନ୍ତି । ରାତ୍ରିପରେ ବିକଚରାଜୀବଦୃଶା ଉଷା ଆସେ, ପ୍ରଭାତସମୀର ଚପଳପ୍ରୀତି ପରି ସମସ୍ତଙ୍କୁ ଚୁମ୍ବି ଯାଏ, ଦରିଦ୍ର କୁଟୀରରେ ଶୋଭାଞ୍ଜନା ଅଜସ୍ର ପୁଷ୍ପସ୍ତବକରେ ମଣ୍ଡିତା ହୋଇ ଦୁର୍ଦ୍ଦିନରେ ଦୁଃଖିନୀ ପ୍ରଣୟିନୀର ହାସ୍ୟ ପରି ଦେଖାଯାଏ । ଏହି ପ୍ରଭାତକୁ ପ୍ରତ୍ୟହ ସ୍ୱାଗତ କରି ଓଡ଼ିଶାକୁ ପୃଥିବୀ ସହିତ ସଂଯୋଗ କରିବାକୁ ପଡ଼ିବ । ଅତି ନିକଟରେ ଜଣେ ତୁଙ୍ଗ ଓଡ଼ିଆନେତା କହିଛନ୍ତି ଯେ ଓଡ଼ିଶା ଶହେ ବର୍ଷ ପଛରେ ପଡ଼ିଛି । ଏହା ସତ୍ୟକଥା । ଓଡ଼ିଆମାନଙ୍କ ନିର୍ବିଚାର ଅତୀତପ୍ରୀତି ସେମାନଙ୍କୁ ଶହେ ବର୍ଷ ପଛରେ ପକାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଯେଉଁ ଅତୀତପ୍ରୀତିର ଲୀଳା ଲାଗିଛି, ତାହାକୁ ପରିବର୍ତ୍ତନ ନ କଲେ ଓଡ଼ିଶା ଆହୁରି ବେଶି ପଛରେ ପଡ଼ିଯିବ ।

Image

 

Unknown

ଦଶମ ପରିଚ୍ଛେଦ

ମୋ ସମୟରେ ଓଡ଼ିଶାର ଶୂର, ସୁରି ଓ ସନ୍ଥପୂଜା

 

ଶୁର, ସୂରି ଓ ସନ୍ଥପୂଜା ସଭ୍ୟଭାର ପରିମାପକ । ଯେଉଁ ଦେଶରେ ଏମାନଙ୍କ ପୂଜା ଯେତେ ବେଶି ହୁଏ, ସେହି ଦେଶ ସେତେ ବେଶି ଉନ୍ନତ ହୋଇଥାଏ; କାରଣ ଏମାନଙ୍କ କୃତି ହିଁ ତରୁଣମାନଙ୍କୁ ପ୍ରେରଣା ଦେଇ ସେମାନଙ୍କୁ ପ୍ରଗତି ପଥରେ ଅଗ୍ରସର କରାଇଥାଏ । ଏହି ହେତୁ ସଭ୍ୟ ଦେଶମାନଙ୍କରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ବେଶି ହୋଇଥିଲେ ହେଁ, ଏମାନଙ୍କୁ କେହି ଭୁଲିଯାଆନ୍ତୁ ନାହିଁ, କିମ୍ବା ଏମାନଙ୍କ ପୂଜା ବ୍ୟତିକ୍ରମ କରନ୍ତି ନାହିଁ । ଏମାନେ ଜୀବିତାବସ୍ଥାରେ ପୂଜା ପାଆନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ପୂଜା ପାଆନ୍ତି । ଏମାନଙ୍କ ସ୍ମୃତି ଜାତୀୟଜୀବନର ଉତ୍ସ ହୋଇ ରହେ ଓ ଭବିଷ୍ୟତ୍‍ର ଦିଗନିର୍ଣ୍ଣୟ କରେ । ଓଡ଼ିଶାରେ ଏମାନଙ୍କ ପୂଜା ଯେ ଆଦୌ ନାହିଁ, ଏ କଥା ମୁଁ କହୁ ନାହିଁ; କିନ୍ତୁ ଏ ରାଜ୍ୟରେ ଏ ପୂଜା କିପରି ଆକାର ଧାରଣ କରିଛି ଓ କରୁଛି, ତାହା ହିଁ ଏଠାରେ ସଂକ୍ଷେପରେ ଆଲୋଚନା କରୁଛି ।

 

ଓଡ଼ିଶାର ଐତିହାସିକ ଶୂରମାନେ ସମ୍ପୂର୍ଣ୍ଣ ରୂପେ ବିସ୍ମୃତ ହେବାକୁ ବସିଲେଣି । ଓଡ଼ିଆମାନଙ୍କ ଅତୀତର ଗର୍ବ ସତ୍ୟାଶ୍ରିତ ନ ହୋଇ ଅଜ୍ଞତା ଓ ଛଳନାପୂର୍ଣ୍ଣ ହୋଇପଡ଼ିଛି । ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖାହୋଇ ନାହଁ, କିନ୍ତୁ ଯେଉଁ କେତୋଟି ଐତିହାସିକ ଗ୍ରନ୍ଥ ରହିଛି, ଖୁବ୍‍ କମ୍ ଓଡ଼ିଆ ସେଗୁଡ଼ିକର ପୃଷ୍ଠା ଲେଉଟାଇଥାନ୍ତି । ଏଣୁ ଅତୀତର ଖାରବେଳ-ଭୌମରାଜବୃନ୍ଦ, ସୋମବଂଶୀୟ ପ୍ରଥମ ଯଯାତି, ଦ୍ୱିତୀୟ ଯଯାତି, ଉଦ୍ୟୋତକେଶରୀ, ଗଙ୍ଗବଂଶୀୟ ଚୋଡ଼ଗଙ୍ଗ, ତୃତୀୟ ଅନଙ୍ଗଭୀମ; ପ୍ରଥମ ନରସିଂହ ସୂର୍ଯ୍ୟବଂଶୀୟ କପିଳେନ୍ଦ୍ର, ପୁରୁଷୋତ୍ତମ, ପ୍ରତାପରୁଦ୍ର ପ୍ରଭୃତି ନରପତିଗଣ ଏବଂ ହମ୍ୱିର, ବୀରଭଦ୍ର ପ୍ରଭୃତି ବୀରଗଣଙ୍କ ସମ୍ବନ୍ଧରେ କେତେକ ଗାଳଗଳ୍ପ ଛଡ଼ା ପ୍ରକୃତ ଇତିହାସ ଖୁବ୍‍ କମ୍‍, ଓଡ଼ିଆ ଜାଣିଥାନ୍ତି । ଫଳରେ ଏହି ଶୂରମାନଙ୍କ ଓଡ଼ିଶାରେ କୌଣସି ପୂଜା ହୁଏ ନାହିଁ, କିମ୍ୱା ଏମାନଙ୍କ କୃତିତ୍ୱରୁ କୌଣସି ଓଡ଼ିଆ ପ୍ରେରଣା ପାଆନ୍ତି ନାହିଁ । ଅତୀତ ଓଡ଼ିଶାର ବହୁ ପଣ୍ଡିତ ଓ କବି ସଂସ୍କୃତ ଗ୍ରନ୍ଥମାନ ଲେଖି ଭାରତର ସଂସ୍କୃତ ସାହିତ୍ୟକୁ ସମୃଦ୍ଧ କରିଥିଲେ; କିନ୍ତୁ ସଂସ୍କୃତ-ସାହିତ୍ୟକୁ ଓଡ଼ିଶାର ଅବଦାନ କଥା ଓଡ଼ିଶାର ଖୁବ୍‍ କମ୍ ବ୍ୟକ୍ତି ଜାଣନ୍ତି । ଏହି କବି ଓ ପଣ୍ଡିତମାନଙ୍କ ମଧ୍ୟରୁ କେବଳ ଜୟଦେବଙ୍କୁ ବାଛିନେଇ ଉଗ୍ରପନ୍ଥୀ ଓଡ଼ିଆମାନେ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ପରିପ୍ରଚାର ଓ ଆତ୍ମପ୍ରଚାର ଚଳାଇଛନ୍ତି, ମାତ୍ର ଓଡ଼ିଶାର ଜୟଦେବ ସମ୍ୱନ୍ଧୀୟ ଦାବିକୁ ଆନ୍ତର୍ଜାତୀୟ ସ୍ତରକୁ ଘେନି ଯିବାର କୌଣସି ପ୍ରଯତ୍ନ କରିନାହାନ୍ତି । ଯୁଗାନ୍ତକାରୀ ସଂସ୍କୃତଗ୍ରନ୍ଥ ପଞ୍ଚତନ୍ତ୍ରର ରଚୟିତା ବିଷ୍ଣୁଶର୍ମା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ହେଁ ଓଡ଼ିଆମାନେ ତାଙ୍କ ସ୍ମୃତିପୂଜା କରନ୍ତି ନାହିଁ । ଏହାର କାରଣ ହୁଏତ ଏହି ଯେ ବିଷ୍ଣୁ ଶର୍ମା ଅଦ୍ୟାପି ବିବାଦ ଓ ବିଦ୍ୱେଷ ସହିତ ଜଡ଼ିତ ହୋଇନାହାନ୍ତି ।

 

ଅତୀତ ଓଡ଼ିଶାର ବୀରଗଣ ଓ ସୁରିଗଣ ଏହିପରି ଭାବରେ ବାଦ୍‍ ପଡ଼ିଯିବା ପରେ କେବଳ ପ୍ରାଚୀନ ଓଡ଼ିଆ ସାହିତ୍ୟର କବିମାନେ ହିଁ ଓଡ଼ିଆମାନଙ୍କର ପୂଜ୍ୟ ଓ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି । ପ୍ରାଚୀନ କବିମାନେ ଯେ ପୂଜ୍ୟ, ଏ କଥା କେହି ଅସ୍ୱୀକାର କରୁନାହିଁ; କିନ୍ତୁ ଏମାନଙ୍କୁ ହିଁ ଏକମାତ୍ର ପ୍ରେରଣାର ଉତ୍ସ ବୋଲି ଯଦି ଧରାଯାଏ, କେବଳ ଓଡ଼ିଆ ସାହିତ୍ୟର ସିନା ବିକାଶ ଘଟିବ, କିନ୍ତୁ ବହୁମୂଖୀ ଜାତୀୟ ସଂସ୍କୃତିର ବିକାଶ ଘଟିବ ନାହିଁ । ବସ୍ତୁତଃ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଭୂତ ବିକାଶ ଘଟିଛି, ମାତ୍ର ବହୁମୂଖୀ ସଂସ୍କୃତିର ବିକାଶ ଘଟିନାହିଁ । ଓଡ଼ିଶାରେ ସଂସ୍କୃତି କହିଲେ ଅନେକ ସମୟରେ କେବଳ ସାହିତ୍ୟକୁ ହିଁ ବୁଝାଉଛି । ସଂସ୍କୃତିର ଯେ ବହୁ ଦିଗ ଅଛି ଓ ବହୁ ବିଷୟ ଅଛି, ଏ ସମ୍ୱନ୍ଧରେ ଆଧୁନିକ ଓଡ଼ିଶା ସଚେତନ ହୋଇପାରି ନାହିଁ ।

 

ପ୍ରାଚୀନ କବିମାନଙ୍କର ମଧ୍ୟ ପ୍ରକୃତ ପୂଜା ହୋଇପାରୁ ନାହିଁ । କବିମାନଙ୍କ ପ୍ରକୃତ ପୂଜା ହେଉଛି ସେମାନଙ୍କ ପ୍ରତିଭାର ବିଶ୍ଲେଷଣ ଓ ସେମାନଙ୍କ ସାହିତ୍ୟିକ କୃତିର ବିଶେଷତ୍ୱ ନିର୍ଦ୍ଧାରଣ । କିନ୍ତୁ ଅବଧି କବିମାନଙ୍କ ସମ୍ୱନ୍ଧରେ ଯାହା ଲେଖାହୋଇଛି, ତାହା ମୁଖ୍ୟତଃ ପ୍ରଶଂସାମୂଳକ ହୋଇଛି । ସେମାନଙ୍କ ଜୀବନୀ ଓ ସେମାନଙ୍କ ଉପରେ ସମସାମୟିକ ପରିବେଶର ପ୍ରଭାବ ସମ୍ୱନ୍ଧରେ ଖୁବ୍‍ କମ୍‍ ଗ୍ରନ୍ଥ ଅଦ୍ୟାପି ଲେଖାହୋଇଛି । ଅତିମାନୁଷିକତା ସାହାଯ୍ୟରେ କବିମାନଙ୍କ ପ୍ରତିଭା ବିଶ୍ଲେଷଣ କରିବାଟା ହେଉଛି ମଧ୍ୟଯୁଗୀୟ ପନ୍ଥା ଆଧୁନିକ ପନ୍ଥା ନୁହେଁ । ଅଥଚ ଏହି ମଧ୍ୟଯୁଗୀୟ ପନ୍ଥା ଦ୍ୱାରା ହିଁ କବିମାନଙ୍କ ପ୍ରତିଭାର ବିଶ୍ଲେଷଣ କରାଯାଉଛି । ଦେବ-ଦେବୀମାନଙ୍କ ଅନୁଗ୍ରହ ହେତୁ ହିଁ ସମସ୍ତ ପ୍ରାଚୀନ କବିଙ୍କ ପ୍ରତିଭାର ଅଭ୍ୟୁଦୟ ଘଟିଥିଲା ବୋଲି ଯେଉଁ ମତପ୍ରକାଶ ପାଉଛି, ତାହା ପ୍ରତିଭା ବିଶ୍ଲେଷଣ କରିବାର ଗୋଟିଏ ସହଜ ପନ୍ଥା । ଏପରି ସହଜପନ୍ଥା ପୃଥିବୀର ଅନ୍ୟତ୍ର ଅନୁସୃତ ହୁଏ ନାହିଁ । ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ, ଗୋପାଳକୃଷ୍ଣ ଇତ୍ୟାଦିଙ୍କ ପ୍ରତିଭା ବିକାଶ ସମ୍ୱନ୍ଧରେ ଅତିଭୌତିକତାର ସାହାଯ୍ୟ ନିଆଯାଉଛି । ସମସ୍ତ ପ୍ରାଚୀନ କବି ଦେବଦେବୀଙ୍କ ଭକ୍ତ ଥିଲେ, କିନ୍ତୁ ସେମାନଙ୍କ ଦେବଦେବୀ ଭକ୍ତ ହିଁ ସେମାନଙ୍କ ପ୍ରତିଭା ବିଶ୍ଲେଷଣ ପାଇଁ ଅଧ୍ୟୟନ, ଅନୁଶୀଳନ, ଅନୁସନ୍ଧାନ ଇତ୍ୟାଦିର ଆବଶ୍ୟକତା ରହେ ନାହିଁ । ଭଞ୍ଜପ୍ରତିଭା ବିଶ୍ଲେଷଣ କରିବାକୁ ଯାଇ ଭଞ୍ଜପ୍ରେମୀମାନେ କହନ୍ତି ଯେ ଉପେନ୍ଦ୍ରଭଞ୍ଜ ରାମତାରକ ମନ୍ତ୍ର ବଳରେ ହିଁ ବଡ଼ କବି ହୋଇପାରିଥିଲେ । ଅତଏବ ତାଙ୍କ ପ୍ରତିଭାର ବିଶ୍ଲେଷଣ ପାଇଁ ଗବେଷଣାର ଆବଶ୍ୟକତା ରହେ ନାହିଁ ।

 

ଅତୀତର ଯାହା କିଛି ଲେଖାଅଛି, ସେସବୁକୁ ଉଚ୍ଚକୋଟୀର ସାହିତ୍ୟ ବୋଲି ଧରି ନେଇ ସମସ୍ତକୁ ନିର୍ବିଚାରରେ ଯଦି ‘‘ଅମୂଲ୍ୟରତ୍ନ’’ ବୋଲି କୁହାଯାଏ, ତେବେ ପ୍ରକୃତ ଅମୁଲ୍ୟରତ୍ନ ପୂଜା ପାଏ ନାହିଁ । ନିକଟ-ଅତୀତରେ ପ୍ରାଚୀନ ସାହିତ୍ୟର ଯେଉଁ ଆଲୋଚନା ହୋଇଛି, ସେଥିରେ ଖାଲି ନିର୍ବିଚାର ପ୍ରଶଂସା ରହିଛି । ପ୍ରାଚୀନ ଓଡ଼ିଶାର କେତେକ ସାହିତ୍ୟଗ୍ରନ୍ଥ ସ୍ୱକୀୟ ଗୁଣ ଓ ମୂଲ୍ୟର ଅଭାବ ହେତୁ ଜନସମାଜରେ ଆଦୃତ ନ ହୋଇ ଲୁପ୍ତ ହେବାକୁ ବସିଥିଲେ । ପ୍ରାଚୀ ସମିତି ଏହିପରି ବହୁ ଗ୍ରନ୍ଥକୁ ଉଦ୍ଧାର କରି ଓ ସମସ୍ତକୁ ଉଚ୍ଚକୋଟିର ସାହିତ୍ୟ ବୋଲି ପ୍ରଶଂସା କରି ପ୍ରକାଶ କଲେ, କିନ୍ତୁ ଅତୀତ ପ୍ରତି ଭ୍ରାନ୍ତଭକ୍ତି ସୃଷ୍ଟିକରିବା ଛଡ଼ା ଏଗୁଡ଼ିକରୁ କୌଣସି ନୂତନ ଆଲୋକ ବା ପ୍ରେରଣା ମିଳିଲା ନାହିଁ । ପ୍ରାଚୀ ସମିତି ତରଫରୁ ଲାବଣ୍ୟବତୀ, ବିଦଗ୍ଧ ଚିନ୍ତାମଣି ଇତ୍ୟାଦି ଯେଉଁ ଚିରଆଦୃତ ଗ୍ରନ୍ଥମାନ ପ୍ରକାଶିତ ହେଲା, ସେଗୁଡ଼ିକ ପୂର୍ବବତ୍‍ ଆଦୃତ ହୋଇ ରହିଲେ, ମାତ୍ର ଏମାନଙ୍କ ଛଡ଼ା ଯେଉଁ ନୂତନ ଗ୍ରନ୍ଥଗୁଡ଼ିକୁ ରତ୍ନ ବୋଲି କୁହାଗଲା, ସେଗୁଡ଼ିକ ପୂର୍ବବତ୍‍ ଅନାଦୃତ ହୋଇ ଲୋପପାଇଲେ । ତିଳକୁ ତାଳ କରିବାରେ ଯେଉଁମାନେ ପ୍ରବୀଣ: ଏମାନଙ୍କ ମଧ୍ୟରୁ କୌଣସି କୌଣସି ଗ୍ରନ୍ଥ କେବଳ ସେହିମାନଙ୍କ କାମରେ ଲାଗିଲା । ଏହି ଗ୍ରନ୍ଥମାନ ପୁସ୍ତକାକାରରେ ଛାପା ହେବା ପରେ ସେଥିମଧରୁ କେତେଖଣ୍ଡ ମାତ୍ର ବିକ୍ରୀ ହେଲା, କିନ୍ତୁ ଅବଶିଷ୍ଟ ଗୋଦାମଘରେ ରହି କୀଟଦଂଷ୍ଟ ହେଲା । ସାହିତ୍ୟଗ୍ରନ୍ଥମାନଙ୍କ ମଧ୍ୟରୁ କେଉଁଟି ରତ୍ନ ଓ କେଉଁଟି ରତ୍ନ ନୁହେଁ, ତାହା ପାଠକ ଓ ଗ୍ରାହକମଣ୍ଡଳୀ ସ୍ଥିର କରିନିଅନ୍ତି । ସମସ୍ତକୁ ସମାନ କରି ସମସ୍ତକୁ ନିର୍ବିଚାରରେ ଉଚ୍ଚପ୍ରଶଂସା କରିବା ସୂରିପୂଜାର ସୁସ୍ଥ ଲକ୍ଷଣ ନୁହେଁ

 

ଆମର ଅତୀତ ସାହିତ୍ୟର ଗନ୍ତାଘରରେ ଯେଉଁ ସାହିତ୍ୟସମ୍ଭାର ରହିଛି, ସେଥିମଧ୍ୟରୁ କୌଣସି କୌଣସି ମହାନ୍, କୌଣସି କୌଣସି ମାମୁଲି, କୌଣସି କୌଣସି ଉଚ୍ଚାଦର୍ଶ ଦିଅନ୍ତି, କୌଣସି କୌଣସି ନିମ୍ନସ୍ତରକୁ ଟାଣିନିଅନ୍ତି, କୌଣସି କୌଣସି ସୁବୋଧ୍ୟ କୌଣସି କୌଣସି ଦୁର୍ବୋଧ୍ୟ, କୌଣସି କୌଣସି ପ୍ରକୃତ ଭକ୍ତିପୂର୍ଣ୍ଣ, କୌଣସି କୌଣସି ଭଣ୍ଡଭକ୍ତିପୂର୍ଣ୍ଣ, କୌଣସି କୌଣସିର ସରଳଭାଷା ମହାନ୍ ଭାବପ୍ରକାଶକ, କୌଣସି କୌଣସିର ଜଟିଳ ଭାଷା ପାଣ୍ଡିତ୍ୟ କଣ୍ଡୂତିନାଶକ, କୌଣସି କୌଣସିରେ ପ୍ରକୃତ ପ୍ରେମରସ ରହିଛି, କୌଣସି କୌଣସିରେ କବିଙ୍କ ମାଂସଲୋଭ ପ୍ରେମରୂପ ଧାରଣ କରିଛି । ମନୁଷ୍ୟ ସମାଜରେ ଯେଉଁପରି ଭଲମନ୍ଦ ସମସ୍ତ ଶ୍ରେଣୀର ଲୋକଥାଆନ୍ତି, ଅତୀତ ସାହିତ୍ୟର ଗନ୍ତାଘରେ ମଧ୍ୟ ସେହିପରି ଭଲମନ୍ଦ ସମସ୍ତ ଶ୍ରେଣୀର ସାହିତ୍ୟ ରହିଛି । ଭଲକୁ ରଖି ମନ୍ଦକୁ ଫିଙ୍ଗି ଦେବାକୁ କେହି କହୁ ନାହିଁ, ମନ୍ଦ ନ ଥିଲେ ଭଲର ମହତ୍ୱ ବୁଝାଯାଏ ନାହିଁ । ଏହାଛଡ଼ା ବିଭିନ୍ନ ଶ୍ରେଣୀର ପ୍ରାଚୀନ ସାହିତ୍ୟ ବିଭିନ୍ନ ଯୁଗର ପ୍ରତୀକ । ଏମାନଙ୍କଠାରୁ ବିଭିନ୍ନ ଯୁଗର ରୁଚି ଓ ସଭ୍ୟତାର ଆଭାସ ମିଳିଥାଏ । ଆମର ସମସ୍ତ ପ୍ରାଚୀନସାହିତ୍ୟ ଯେ ପଠନୀୟ ଓ ରକ୍ଷଣୀୟ, ଏ ବିଷୟରେ ମତଦ୍ୱୈଧର ଅବକାଶ ନାହିଁ; କିନ୍ତୁ ସେମାନଙ୍କ ମଧ୍ୟରୁ କେଉଁ କେଉଁ ଗ୍ରନ୍ଥକୁ ତରୁଣତରୁଣୀମାନଙ୍କ ସମ୍ମୁଖରେ ଆଦର୍ଶରୂପେ ଉପସ୍ଥାପିତ କରାଯିବ, ତାହା ସାଂସ୍କୃତିକ ନେତାମାନେ ସ୍ଥିରକରିବା ଉଚିତ ।

 

ଗଭୀର ଦୁଃଖର କଥା ଏହି ଯେ ଓଡ଼ିଶାର ସାଂସ୍କୃତିକ ନେତାମାନେ ଏ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ । ଯେଉଁ ସାହିତ୍ୟରେ ଉତ୍କଟ ପ୍ରେମରସ ରହିଛି ଓ ଯେଉଁ ସାହିତ୍ୟ ସହିତ ବିବାହ ବା ବିଦ୍ୱେଷ ଜଡ଼ିତ ହୋଇଯାଇଛି, ସେହି ସାହିତ୍ୟକୁ ହିଁ ଅତୀତ ଓଡ଼ିଶାର ଉତ୍କୃଷ୍ଟତମ ସାହିତ୍ୟ ବୋଲି ଜନସମାଜରେ ପ୍ରଚାର କରାଯାଇଛି । ଲକ୍ଷ୍ୟକଲେ ଜଣାଯାଏ ଯେ ଆଧୁନିକ ଓଡ଼ିଶାରେ ଉପେନ୍ଦ୍ରଭଞ୍ଜ ଓ ଜୟଦେବଙ୍କ ସାହିତ୍ୟକୃତିକୁ ହିଁ ସର୍ବୋତ୍କୃଷ୍ଟ ବୋଲି ବାରମ୍ବାର ପ୍ରଚାର ଚାଲିଛି । ଉଭୟଙ୍କ ସାହିତ୍ୟରେ ଉତ୍କଟ ପ୍ରେମରସ ରହିଛି ଏବଂ ଉଭୟ କବି ବିବାଦ ଓ ବିଦ୍ୱେଷ ସହିତ ଜଡ଼ିତ ହୋଇଯାଇଛନ୍ତି । ଜୟଦେବ ଓ ଉପେନ୍ଦ୍ରଭଞ୍ଜ ନାରୀଦେହରୁ ସର୍ବ ଆଚରଣ ଖୋଲି ପ୍ରେମରସଟାକୁ ଯେପରି ଦେଖାଇ ପାରିଛନ୍ତି, ପୃଥିବୀର ଖୁବ୍ କମ୍ କବି ସେପରି ଦେଖାଇ ପାରିଛନ୍ତି । ଏଣୁ ଆଧୁନିକ ଓଡ଼ିଶା ଏହି କବିଦ୍ୱୟଙ୍କୁ ଆଦର୍ଶ କବିରୂପେ ଧରିନେଇଛି । ଜୟଦେବଙ୍କ “ତଡ଼ିଦିବପୀତେ ରତି ବିପରୀତେ ରାଜସି ସୁକୃତବିପାକେ, କିମ୍ୱା ‘‘ବିଗଳିତବସନଂ ପରିହୃତରସନଂ ଘଟୟ ଜଘନମପିଧାନଂ’’ ଇତ୍ୟାଦି ଏବଂ ଉପେନ୍ଦ୍ରଭଞ୍ଜଙ୍କ ‘‘ଏକାଳେ କିଙ୍କିଣୀ ହୋଇ କିଣି କିଣି ବୋଇଲା ମାରକୁ ମାର’’ କିମ୍ୱା ‘‘ନିତମ୍ୱ ଧୀରେ ଧୀରେ ଚଳା ଅତି ମଞ୍ଜୁଳେ’’ ଇତ୍ୟାଦି ଆମର କନ୍ୟାବଧୂମାନଙ୍କ ଦ୍ୱାରା ଗୀତ ହେବାବେଳେ ଆମର ସମାଜପ୍ରତି ବୃଦ୍ଧମାନେ ସୁଦ୍ଧା ପ୍ରେମରସାପ୍ଲୁତ ଓ ଭକ୍ତିରସାପ୍ଲୁତ ହୋଇପଡ଼ନ୍ତି । ଭକ୍ତିରସାପ୍ଲୁତ ହେବାର କାରଣ ଏହି ଯେ ଏ ସମସ୍ତରେ ରାଧାକୃଷ୍ଣଙ୍କ ନାମ ଜଡ଼ିତ ହୋଇଥିବାରୁ ଏମାନଙ୍କ ନାମ ଶୁଣିବା ମାତ୍ରେ ହିଁ ପର୍ବତପ୍ରାୟ କଳୁଷରାଶି ତୂଳା ପରି ପୋଡ଼ି ପାଉଁଶ ହୋଇଯାଏ । ଏପରି ଧର୍ମଧାରଣା ଓଡ଼ିଶାର ନିଜସ୍ୱ ନୁହେଁ । ଓଡ଼ିଶା ପରପଦାନତ ହେବା ପରେ ପରେ ଏପରି ଧର୍ମଧାରଣା ପ୍ରତିବେଶୀ ରାଜ୍ୟରୁ ଆମଦାନୀ ହୋଇ ଆସିଥିଲେ ସୁଦ୍ଧା ଏ ବିଷୟରେ ଓଡ଼ିଆମାନେ ଗୁରୁଜନମାନଙ୍କଠାରୁ ମଧ୍ୟ ବଳି ଯାଇଥିଲେ ।

 

ଏହି କବିଦ୍ୱୟଙ୍କ ଅନୁକୃତିରେ କିମ୍ୱା ଏମାନଙ୍କ ଭାବରାଶିର ପୁନରାବୃତ୍ତିରେ ହିଁ ଓଡ଼ିଶାର ପରବର୍ତ୍ତୀ ବୈଷ୍ଣବସାହିତ୍ୟ ଗଢ଼ି ଉଠିଥିଲା । ରୀତିସାହିତ୍ୟ ଓ ବୈଷ୍ଣବସାହିତ୍ୟର ଯେତେବେଳେ ଅଭ୍ୟୁଦୟ ଘଟିଲା, ସେତେବେଳେ ଓଡ଼ିଶା ସମ୍ପୂର୍ଣ୍ଣ ଅନ୍ଧକାରାଛନ୍ନ ହୋଇ ସାରିଥିଲା-। ଖଣ୍ଡବିଖଣ୍ଡ ଓଡ଼ିଶାର ଅଧିବାସୀମାନେ ଇତସ୍ତତଃ ବିକ୍ଷିପ୍ତ, ପରପଦାନତ, ନିନ୍ଦିତ, ଲାଞ୍ଛିତ ଓ ଦାରିଦ୍ର୍ୟର ଅତଳଗହ୍ୱରରେ ପତିତ ହୋଇ କାଳାତିପାତ କରୁଥିଲେ । ଓଡ଼ିଆ ମଧ୍ୟବିତ୍ତଶ୍ରେଣୀ ସମ୍ପୂର୍ଣ୍ଣ ଧ୍ୱଂସପ୍ରାପ୍ତ ହୋଇଥିଲା । ମୋଗଲବନ୍ଦୀ ଓଡ଼ିଶାରେ, ବିଶେଷତଃ ଦକ୍ଷିଣଓଡ଼ିଶାରେ, କେତେକ ମଧ୍ୟବିତ୍ତ ଓଡ଼ିଆ ଜମିଦାର ବର୍ତ୍ତି ରହିଥିଲେ; ମୁସଲମାନ କିମ୍ୱା ମରହଟ୍ଟା ଫୌଜଦାରଙ୍କୁ ଏବଂ ପରବର୍ତ୍ତୀ କାଳରେ ଇଂରେଜ କଲେକ୍‍ଟରଙ୍କୁ ସେମାନଙ୍କ ନିର୍ଦ୍ଦିଷ୍ଟ ଦେୟ ଦେଇସାରିବା ପରେ ଏହି ଜମିଦାରମାନଙ୍କ କୌଣସି ଗୁରୁଦାୟିତ୍ୱ ବା ସମସ୍ୟା ରହୁ ନଥିଲା । ରାଜ୍ୟଶାସନ ବା ରାଜ୍ୟରକ୍ଷାର ଦାୟିତ୍ୱ ଏମାନଙ୍କ ହାତରେ ନଥିଲା । ଓଡ଼ିଶାର ସ୍ୱାଧୀନ ନରପତିମାନଙ୍କ ଅମଳରେ ଯୁଦ୍ଧବିଗ୍ରହ ଯେପରି ରାଜନ୍ୟବର୍ଗଙ୍କୁ ସଜାଗ କରି ରଖୁଥିଲା, ମୁସଲମାନ, ମରହଟ୍ଟା ଓ ବ୍ରିଟିଶ ରାଜତ୍ୱରେ ସେମାନେ ସେପରି ସଜାଗ ରହିବାର କୌଣସି ଆବଶ୍ୟକତା ନଥିଲା । ଯୁଦ୍ଧ କିମ୍ୱଦନ୍ତୀରେ ପରିଣତ ହୋଇସାରିଥିଲା । ଓଡ଼ିଶାର ଆଗଙ୍ଗା ଓ ଆଗୋଦାବରୀ ସୀମା ବିଲୁପ୍ତ ହେବା ପରେ ରାଜା-ଜମିଦାରମାନେ ଭାବୁଥିଲେ ଯେ, ସେମାନଙ୍କ ରାଜ୍ୟ ହିଁ ଗୋଟିଏ ଗୋଟିଏ ପୃଥିବୀ । ଓଡ଼ିଶାର ଶୌର୍ଯ୍ୟବୀର୍ଯ୍ୟର ଇତିହାସ ଲୋପ ପାଇ ଆତ୍ମଗର୍ବ ଓ ଅଜ୍ଞବଂଶଗର୍ବରୂପେ ଅବଶେଷ ହୋଇ ରହିଥିଲା । ଏପରି ଅବସ୍ଥାରେ ରାଜନ୍ୟବର୍ଗ ମଧ୍ୟରୁ ଅଧିକାଂଶଙ୍କ ପ୍ରେମ, ବିଳାସବ୍ୟସନ ମୁଖ୍ୟ କର୍ମ ଥିଲା । ଶେଷୋକ୍ତ କର୍ମ ଦୁଇଟି ସମସାମୟିକ ସାହିତ୍ୟରେ ପ୍ରତିଫଳିତ ହୋଇ ନଥିଲେ ହେଁ ପ୍ରଥମୋକ୍ତ କର୍ମଟି ଏଥିରେ ନିଶ୍ଚିତଭାବରେ ପ୍ରତିଫଳିତ ହୋଇଛି ।

 

ବସ୍ତୁତଃ ଷୋଡ଼ଶ ଶତାବ୍ଦୀର ଶେଷପାଦଠାରୁ ଊନବିଂଶ ଶତାବ୍ଦୀର ଶେଷପାଦ ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ ସାହିତ୍ୟ ସୃଷ୍ଟି ହୋଇଥିଲା, ତାକୁ ସାମନ୍ତ ସାହିତ୍ୟ ବା ଅନ୍ତଃପୁର ସାହିତ୍ୟ କହିଲେ ଅସଙ୍ଗତ ହେବ ନାହିଁ । ଏ ସାହିତ୍ୟରେ ସାମନ୍ତମାନଙ୍କ ରୁଚି ନିର୍ଦ୍ଦିଷ୍ଟ ଭାବରେ ପ୍ରତିଫଳିତ ହୋଇଛି । ଏ ସମୟର କବିମାନଙ୍କ ମଧ୍ୟରୁ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟଙ୍କୁ ସାମନ୍ତସିଂହାର ପ୍ରଭୃତି ସାମନ୍ତଶ୍ରେଣୀୟ ଥିଲେ, ଏବଂ ବଳଦେବ, ଗୋପାଳକୃଷ୍ଣ, ଗୌରହରିଙ୍କ ପରି କବିମାନେ ସାମନ୍ତାଶ୍ରିତ ଥିଲେ । କିନ୍ତୁ ଏହା ସତ୍ୟ ଯେ ସାମନ୍ତମାନଙ୍କ ରୁଚି ଅନୁସାରେ ଏ ସାହିତ୍ୟ ସୃଷ୍ଟି ହୋଇଥିଲେ ମଧ୍ୟ ଏ ସାହିତ୍ୟ ସମସ୍ତଙ୍କ ଉପଭୋଗ୍ୟ ହୋଇଥିଲା । ପାଲା, ଲୀଳା ଓ ଦାସକାଠିଆ ମାଧ୍ୟମରେ ଏ ସାହିତ୍ୟ ପ୍ରଭୂତ ଭାବରେ ଜନପ୍ରିୟ ହୋଇପଡ଼ିଥିଲା । ଏ ସାହିତ୍ୟ ଦ୍ୱାରା ଜନସାଧାରଣଙ୍କ ତିନିପ୍ରକାର ଲିପ୍‍ସା ଚରିତାର୍ଥ ହେଉଥିଲା, ଯଥା-ଯୁଦ୍ଧଲିପ୍‍ସା, ପ୍ରେମଲିପ୍‍ସା ଓ ଧର୍ମଲିପ୍‍ସା । ଓଡ଼ିଆମାନେ କେବେ ସିନା ସମରପ୍ରିୟ ଜାତି ଥିଲେ; କିନ୍ତୁ ଏ ସାହିତ୍ୟ ଯେତେବେଳେ ରଚିତ ହୋଇଥିଲା, ସେତେବେଳେ ଏମାନଙ୍କ ସମରପ୍ରିୟତା ସମ୍ପୂର୍ଣ୍ଣରୂପେ ଲୁପ୍ତ ହୋଇ ସାରିଥିଲେ । ଏଣୁ ବାଦୀ ପାଲାରେ ଖୋଳ ଲଢ଼େଇ ଚଅଁର ଲଢ଼େଇ ଓ ପାଣ୍ଡିତ୍ୟ ଲଢ଼େଇରୁ ଜନସାଧାରଣ ସେମାନଙ୍କ ସମର ଲିପ୍‌ସା କେତେକ ପରିମାଣରେ ଚରିତାର୍ଥ କରୁଥିଲେ-। ପ୍ରେମଟା ମାନବ ମନର ଆଦିମ ବାସନା । ଏହି ବାସନାର ଚରିତାର୍ଥ କରିବା ପାଇଁ ଆଲୋଚ୍ୟ ସାହିତ୍ୟରୁ ଜନସାଧାରଣଙ୍କୁ ଯଥେଷ୍ଟ ସାମଗ୍ରୀ ମିଳୁଥିଲା । ଧର୍ମ ଏ ସାହିତ୍ୟରେ ଓତପ୍ରୋତ ଭାବରେ ଜଡ଼ିତ ହୋଇ ରହିଥିଲା, ମାତ୍ର ମଦ ସଙ୍ଗରେ ଦୁଧ ମିଶାଇଦେଲେ ଦୁଧ ଯେପରି ମଦର ଉତ୍କଟ ପ୍ରତିକ୍ରିୟା ଦୂର କରିପାରେ ନାହଁ, ସେହିପରି ଧର୍ମ ଏ ସାହିତ୍ୟରେ ମିଶ୍ରିତ ହୋଇଥିଲେ ହେଁ ତାହା ପ୍ରେମର ଉତ୍କଟ ପ୍ରତିକ୍ରିୟା ଦୂର କରିପାରି ନ ଥିଲା ।

 

ଆମ୍ଭେମାନେ ଆଗରୁ କହିଛୁ ଯେ ଆମର କୌଣସି ପ୍ରାଚୀନ ସାହିତ୍ୟ ଉପେକ୍ଷାର ବସ୍ତୁ ନୁହେଁ, ମାତ୍ର କେଉଁ କେଉଁ ପ୍ରାଚୀନ କବି ପ୍ରଥମ ଅର୍ଘ୍ୟ ପାଇବାର ଯୋଗ୍ୟ, ତାହା ସାଂସ୍କୃତିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ପ୍ରଣିଧାନର ବିଷୟ ହେବା ଉଚିତ । ଓଡ଼ିଶାର ଗ୍ରାମେ ଗ୍ରାମେ ମହିଳା ସମିତି, ଯୁବସମିତି, ସାଂସ୍କୃତିକ ସମିତିମାନ ପ୍ରତିଷ୍ଠିତ ହୋଇ ସେଗୁଡ଼ିକରେ ଖବରକାଗଜ ଓ ରେଡ଼ିଓ ପ୍ରଚଳିତ ହେବା ସଙ୍ଗେ ସଙ୍ଗେ ସେଗୁଡ଼ିକରୁ ଭାଗବତ-ଟୁଙ୍ଗୀ, ପୁରାଣ-ଟୁଙ୍ଗୀ, ଭଜନ-ଟୁଙ୍ଗୀ ଇତ୍ୟାଦି ଲୋପ ପାଇବାରୁ ବସିଛି । ପ୍ରାଚୀନ ଓଡ଼ିଶାରେ ରଚିତ ଉଚ୍ଚାଦର୍ଶ ସମ୍ୱଳିତ ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଭୀମ ଭୋଇ ପ୍ରଭୃତି କବିମାନଙ୍କ କବିତା ଆଉ ପୂର୍ବପରି ପ୍ରଚଳିତ ନାହିଁ । ଏହି କବିମାନେ ଗାଁଗହଳିର ସମାଜକୁ ବୈଷ୍ଣବ ସାହିତ୍ୟର ପରକୀୟା ପ୍ରେମ ପ୍ରଭାବରୁ ଅନେକାଂଶରେ ରକ୍ଷା କରିଥିଲେ । ଏଣୁ ଏମାନେ ହିଁ ଓଡ଼ିଶାରେ ପ୍ରଥମ ଅର୍ଘ୍ୟ ପାଇବାର କଥା; କିନ୍ତୁ ସେମାନଙ୍କୁ ପ୍ରଥମ ଅର୍ଘ୍ୟ ଦିଆଯାଉ ନାହିଁ ।

 

ଜଗନ୍ନାଥ ଦାସ ଓ ଭୀମ ଭୋଇ ଭାରତର ସନ୍ଥକବି ସମାଜରେ ସ୍ଥାନ ପାଇବାର ଯୋଗ୍ୟ । ଶ୍ରୀଚୈତନ୍ୟଙ୍କ ପରି ମହାପୁରୁଷ ଜଗନ୍ନାଥ ଦାସଙ୍କୁ ‘‘ଅତିବଡ଼ି’’ ଉପାଧି ଦେଇଥିଲେ, ମାତ୍ର ଜଗନ୍ନାଥ ଦାସଙ୍କୁ ଓଡ଼ିଶା ବାହାରେ କେହି ଜାଣନ୍ତି ନାହିଁ । କବୀର, ତୁଳସୀ ଦାସ, ସୁରଦାସ, ମୀରାବାଈ, ରାମଦାସ, ତୁକାରାମ ପ୍ରଭୃତିଙ୍କ ପରି ଜଗନ୍ନାଥ ଦାସ ଜଣେ ସନ୍ଥକବି ଥିଲେ । ମାତ୍ର ଉଲ୍ଲିଖିତ ସମସ୍ତ କବି ସର୍ବଭାରତୀୟ ସ୍ତରରେ ସୁପରିଚିତ ହୋଇଥିଲେ ହେଁ, ଜଗନ୍ନାଥ ଦାସ କେବଳ ଓଡ଼ିଶାରେ ହିଁ ସୁପରିଚିତ ହୋଇ ରହିଛନ୍ତି । ତାଙ୍କୁ ସର୍ବଭାରତୀୟ ସ୍ତରକୁ ଘେନିଯିବା ପାଇଁ କୌଣସି ପ୍ରକାର ଚେଷ୍ଟା ହୋଇ ନାହିଁ । ସନ୍ଥକବି ଭୀମଭୋଇ ମଧ୍ୟ ସର୍ବଭାରତୀୟ ସ୍ତରରେ ସୁପରିଚିତ ନୁହନ୍ତି । ଭୀମ ଭୋଇ ଥିଲେ ଆଦିବାସୀ କନ୍ଧ । ତାଙ୍କ ଭଜନମାଳା ଓଡ଼ିଶାର ପୁରପଲ୍ଲୀରେ ଜାତିନିର୍ବିଶେଷରେ ଗୀତ ହୋଇଥାଏ । ଭୀମଭୋଇ ଭାରତର ଏକମାତ୍ର ଆଦିବାସୀ କବି, ଯେ କି ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ଗଙ୍ଗାଯମୂନା ସ୍ରୋତକୁ ଏକ ସାଙ୍ଗରେ ମିଶାଇ ଭାରତରେ ଏକ ନୂତନ ଆଦର୍ଶ ରଖି ଯାଇଛନ୍ତି, ମାତ୍ର ଜଣେ ଆଦିବାସୀ ହୋଇଥିଲେ ମଧ୍ୟ ଓଡ଼ିଶାର ଆଦିବାସୀ ନେତୃତ୍ୱ ସୁଦ୍ଧା ତାଙ୍କୁ ସର୍ବଭାରତୀୟ ସ୍ତରକୁ ଘେନି ଯାଇପାରି ନାହିଁ । ଭାରତର ପ୍ରତ୍ୟେକ ପ୍ରାନ୍ତର ସନ୍ଥକବିମାନେ ସର୍ବଭାରତୀୟ ସ୍ତରରେ ପୂଜିତ, ଆଦୃତ ଓ ସୁପରିଚିତ ହୋଇଛନ୍ତି; ମାତ୍ର ଜଗନ୍ନାଥ ଦାସ ଓ ଭୀମ ଭୋଇଙ୍କ ପରି ଓଡ଼ିଆ ସନ୍ଥକବିମାନେ ଓଡ଼ିଶା ବାହାରେ ସମ୍ପୂର୍ଣ୍ଣ ଅଜ୍ଞାତ ଅଛନ୍ତି ।

 

ଐତିହାସିକ ଦୃଷ୍ଟିରୁ ଜଣାଯାଏ ଯେ ଅତୀତ ଓଡ଼ିଶାରେ କୌଣସି ସନ୍ଥ ନଥିଲେ ଏବଂ ଆଧୂନିକ ଓଡ଼ିଶାରେ ମଧ୍ୟ ସନ୍ଥ ନାହାନ୍ତି । ଯେଉଁମାନେ ମୋର ଏହି ମନ୍ତବ୍ୟର ପ୍ରତିବାଦ କରିବେ, ସେମାନେ କହନ୍ତୁ ଯେ କେଉଁ ଓଡ଼ିଆ ସନ୍ଥ ଭାରତ ଇତିହାସରେ ସ୍ଥାନ ପାଇଛନ୍ତି ବା ଭାରତର ଅନ୍ୟ ଅଞ୍ଚଳରେ ପୂଜା ପାଇଛନ୍ତି । ମୁଁ ଏପରି ଓଡ଼ିଆ ସନ୍ଥଙ୍କୁ ଖୋଜି ବାହାର କରିପାରି ନାହିଁ; ଯଦି କେହି ବାହାର କରିଦିଅନ୍ତି, ତେବେ କୃତଜ୍ଞତା ସହିତ ମୋର ଭ୍ରମ ସ୍ୱୀକାର କରିବି । ଅବଶ୍ୟ ଅତି ନିକଟରେ ଜଗନ୍ନାଥ ଦାସଙ୍କ ସ୍ମୃତିପୂଜା ପାଇଁ ଓଡ଼ିଶାରେ କେତେକ ପଦକ୍ଷେପ ନିଆଯାଇଛି । ତାଙ୍କ ପ୍ରତିକୃତି ନିର୍ମିତ ହୋଇଛି ଓ ‘‘ଅତିବଡ଼ି ଜଗନ୍ନାଥ ପରିକ୍ରମା’’ ନାମକ ଖଣ୍ଡିଏ ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇଛି । ଏଥିପାଇଁ ଯେଉଁମାନେ ଦାୟୀ, ସେମାନେ ଏ ଦେଶର ନମସ୍ୟ; କିନ୍ତୁ ଏତିକିରେ ସନ୍ତୁଷ୍ଟ ହେଲେ ଚଳିବ ନାହିଁ । ତାଙ୍କୁ ସର୍ବଭାରତୀୟ ସ୍ତରକୁ ଘେନିଯିବା ପାଇଁ ଯାହା ଆବଶ୍ୟକ, ତାହା କରିବାକୁ ହେବ । ଓଡ଼ିଶାରେ ଯେ କୌଣସି ସାଧୁସନ୍ଥ ଜନ୍ମଗ୍ରହଣ କରି ନ ଥିଲେ, କଥା ସତ୍ୟ ନୁହେଁ । ଓଡ଼ିଆମାନେ ଓଡ଼ିଶାକୁ ପୃଥିବୀ ବା ଭାରତ ବୋଲି ଧରିନେଇ ଥିବାରୁ ଏ ରାଜ୍ୟର ସାଧୁସନ୍ଥଙ୍କ ମହାତ୍ମ୍ୟ ପୃଥିବୀ ବା ଭାରତରେ ପ୍ରଚାରିତ ହୋଇପାରିଛି । ଏ କଥା ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ଚିନ୍ତାର ବିଷୟ ହେବାର ସମୟ ଆସିଛି, ନଚେତ୍‍ ଆମର କୂପମଣ୍ଡୁକତ୍ୱ ଦୂର ହେବ ନାହିଁ, କିମ୍ୱା ଭାରତରେ ଓଡ଼ିଶାର ନ୍ୟୂନତ୍ୱ ହେବ ନାହିଁ ।

 

ଅଧୁନା ଓଡ଼ିଶାରେ ସନ୍ଥପୂଜା ବିଚିତ୍ର ଆକାର ଧାରଣ କରିଛି । ଦୂରସ୍ଥିତ ଓ ଗତ ସନ୍ଥମାନେ ହିଁ ଓଡ଼ିଆମାନଙ୍କ ଆରାଧ୍ୟ ହେଉଛନ୍ତି । ଦୂରସ୍ଥିତ ଓ ଦୂରାଗତ ସନ୍ଥମାନକଙ୍କରେ ଯେ ପ୍ରକୃତ ସନ୍ଥ ନାହାନ୍ତି, ମୁଁ ଏ କଥା କହୁନାହଁ; କିନ୍ତୁ ଓଡ଼ିଶା ଏ ଶ୍ରେଣୀର ସମସ୍ତଙ୍କୁ ସେ ସନ୍ଥ ବୋଲି ଧରିନେଉଛି, ଏହା ବିରୁଦ୍ଧରେ ହିଁ ମୁଁ ସ୍ଵର ଉତ୍ତୋଳନ କରିବାକୁ ଚାହୁଁଛି । ଯେଉଁସବୁ ପଦାର୍ଥ ସୁନା ପରି ଦେଖାଯାନ୍ତି, ସେ ସମସ୍ତ ସୁନା ନୁହନ୍ତି । ସେହିପରି ଯେଉଁମାନେ ବୁଦ୍ଧିବଳରେ ପ୍ରଚାରବଳରେ ନିଜ ନିଜକୁ ସନ୍ଥ ବୋଲି ପ୍ରତିପାଦିତ କରନ୍ତି ସେମାନେ ସମସ୍ତେ ସନ୍ଥ ନୁହନ୍ତି । ଓଡ଼ିଶାରେ ନିର୍ବିଚାରର ସନ୍ଥପୂଜା ଚାଲିଛି । ମୃତ ବା ଜୀବିତ ବ୍ୟକ୍ତିମାନଙ୍କୁ ସନ୍ଥରୂପେ ସଜାଇ ଅଧୁନା ଓଡ଼ିଶାରେ ସନ୍ଥପୂଜାର ବ୍ୟବସାୟ ଚାଲିଛି । ବ୍ୟବସାୟୀମାନଙ୍କ ମଧ୍ୟରୁ ମୁଖ୍ୟମାନେ ହେଉଛନ୍ତି ଅଣଓଡ଼ିଆ, ମାତ୍ର ଭ୍ରାନ୍ତି ବା ସ୍ୱାର୍ଥବଶରେ କେତେକ ଓଡ଼ିଆ ଏ ଦଳରେ ରହି ପରିପ୍ରଚାର ଚଳାଇଛନ୍ତି । ସମସ୍ତ ସନ୍ଥସଂପ୍ରଦାୟରୁ ଗୋଟିଏ ସ୍ୱର ଶୁଣାଯାଉଛି–‘‘ମାମେକଂ ଶରଣଂବ୍ରଜ’’ । ଆମ ସମ୍ପ୍ରଦାୟର ସନ୍ଥ ହେଉଛନ୍ତି ସର୍ବଶ୍ରେଷ୍ଠ, ସର୍ବଧର୍ମତତ୍ତ୍ୱର ମୂଳାଧାର ଓ ଭଗବାନଙ୍କ ଅବତାର-। ତାଙ୍କୁ ଆଶ୍ରୟ କର, ତାଙ୍କ ମହାତ୍ମ୍ୟ ପ୍ରଚାର କର, ତାଙ୍କ ଫଟୋକୁ ପୂଜାକର, ତା ହେଲେ ଇହଜଗତରେ ଧନ, ଧର୍ମ ଓ କାମ ପାଇବ ଏବଂ ପରଜଗତରେ ମୋକ୍ଷ ପାଇବ । ସମସ୍ତ ପରିପ୍ରଚାରର ଏହା ହିଁ ମୂଳମନ୍ତ୍ର ହୋଇଛି । ପଣ୍ଡା ଓ ପାଦ୍ରୀମାନଙ୍କ ପରିପ୍ରଚାରଠାରୁ ଏମାନଙ୍କ ପରିପ୍ରଚାର ଉନ୍ନତତର ବା ଭିନ୍ନପ୍ରକାର ନୁହେଁ । ବାବା, ମା, ଦାଦା, ବଡ଼ଦାଦା, ମହାରାଜା ଇତ୍ୟାଦିଙ୍କ ଧର୍ମବାର୍ତ୍ତା ବା ଆଗମନର ବାର୍ତ୍ତା ଓଡ଼ିଶାର ଖବରକାଗଜମାନଙ୍କରେ ପ୍ରାୟତଃ ପ୍ରତ୍ୟହ ପ୍ରକାଶ ପାଉଛି । ଯେଉଁ ଅସଂଖ୍ୟ ଧର୍ମସଭାସମିତି ଅନୁଷ୍ଠିତ ହେଉଛି, ସେଗୁଡ଼ିକ ଯେପରି ଖବରକାଗଜରେ ପ୍ରଚାରିତ ହୋଇପାରିବ, ସେଥିପାଇଁ ପ୍ରଚାରକମାନେ ସତର୍କତା ଓ ସୁବ୍ୟବସ୍ଥା ଗ୍ରହଣ କରୁଛନ୍ତି । କେହି ରାଜନୀତି କ୍ଷେତ୍ରରେ ବା ସାଂସ୍କୃତିକ କ୍ଷେତ୍ରରେ ପ୍ରତିଷ୍ଠାଲାଭ କଲେ ସେଥିରୁ ତାଙ୍କର ଧାର୍ମିକତାର ପ୍ରମାଣ ମିଳେ ନାହିଁ, ମାତ୍ର ତାଙ୍କୁ ଧର୍ମସଭାସମିତିରେ ମୁଖ୍ୟକର୍ତ୍ତା ରୂପେ ବରଣ କରିନେଲେ, ଖବରକାଗଜମାନଙ୍କରେ ଏପରି ସଭାସମିତିର ବିବରଣୀ ପ୍ରକାଶ ପାଇବାର ନିଶ୍ଚିତ ସମ୍ଭାବନା ରହେ । ଧର୍ମସମ୍ପ୍ରଦାୟମାନେ ପ୍ରାୟତଃ ପ୍ରତିପତ୍ତିଶାଳୀ ବ୍ୟକ୍ତିମାନଙ୍କୁ ହିଁ ଧର୍ମସଭାମାନଙ୍କ ପୁରୋଧା କରୁଛନ୍ତି । ଏପରି ସଭାମାନଙ୍କରେ ଯଦି ପ୍ରକୃତ ଧାର୍ମିକମାନଙ୍କ ସ୍ଥାନ ଥାଏ, ତେବେ ତାହା ସମସ୍ତଙ୍କ ପଛରେ ଥାଏ । ଭାରତ ଇତିହାସର କୌଣସି ଯୁଗରେ ଧର୍ମ ଏପରି ପରିପ୍ରଚାରପନ୍ଥୀ ହୋଇ ନ ଥିଲା ।

 

ଧର୍ମ ଓ ନୀତି ଏକ ସଙ୍ଗରେ ଗତି କରେ । ଧର୍ମ ଯଦି ନୀତିବିଚ୍ୟୁତ ହୁଏ କିମ୍ବା ଧର୍ମାଶୟୀମାନେ ଯଦି କେବଳ ଧର୍ମକୁ ଗ୍ରହଣ କରି ନୀତିକୁ ପରିତ୍ୟାଗ କରନ୍ତି, ତେବେ ଧର୍ମ ସୁଫଳ ନ ଦେଇ କୁଫଳ ଦେଇଥାଏ । ଓଡ଼ିଶା ଧର୍ମର ବହିରାବଣକୁ ଗ୍ରହଣ କରି ନୀତିକୁ ପ୍ରତ୍ୟାଖ୍ୟାନ କରୁଛି । ଓଡ଼ିଶା ତ ସର୍ବଧର୍ମସମ୍ପ୍ରଦାୟର ଲୀଳାଭୂମି ହୋଇଛି, କିନ୍ତୁ ଏମାନଙ୍କ ଦ୍ୱାରା ଓଡ଼ିଆମାନଙ୍କ ନୈତିକତା ବୃଦ୍ଧିପାଉଛି କି ? ସର୍ବଭାରତୀୟ ସ୍ତରରେ ବିଚାର କଲେ ଦେଖାଯାଏ ଯେ ଓଡ଼ିଶାର ନୈତିକତା ସର୍ବନିମ୍ନ ସ୍ଥାନ ପାଉଛି । ୧୯୭୩ ମସିହାର ଅଗଷ୍ଟ ୨୭ ତାରିଖରେ ସମାଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଗୋଟିଏ ସମ୍ୱାଦ ଏ ସମ୍ବନ୍ଧରେ ପ୍ରଣିଧାନଯୋଗ୍ୟ–

 

‘‘ଅପମିଶ୍ରଣରେ ଓଡ଼ିଶା ପ୍ରଥମ’’

 

‘‘ଓଡ଼ିଶା ଏହି ଅପମିଶ୍ରଣରେ ସାରା ଭାରତରେ ପ୍ରଥମସ୍ଥାନ ଅଧିକାର କରିଛି ଏବଂ ରାଜ୍ୟରେ ମିଳୁଥିବା ଖାଦ୍ୟ ଓ ଖାଦ୍ୟୋତର ବିଭିନ୍ନ ଜିନିଷରେ ଏହାର ହାର ଶତକଡ଼ା ୬୮ ଦଶମିକ ୨ ଭାଗ ବୋଲି ଭେଜାଲ ଜିନିଷର ନମୁନା ପରୀକ୍ଷାରୁ ଜଣାଯାଇଛି । ଓଡ଼ିଶା ପଛକୁ ଏ ବ୍ୟାପାରରେ ରାଜସ୍ଥାନ, ଅସାମ ଓ ମଧ୍ୟପ୍ରଦେଶରେ ଶତକଡ଼ା ହାର ହେଉଛି ଯଥାକ୍ରମେ ୪୭ ଦଶମିକ ୨,୩୫ ଦଶମିକ ୮ ଏବଂ ୩୪ ।”

 

୧୩-୧୨-୭୪ ତାରିଖରେ ସମାଜର ଦ୍ୱିତୀୟ ପୃଷ୍ଠାରେ ପ୍ରକାଶିତ ଆଉ ଗୋଟିଏ ସମ୍ବାଦ ମଧ୍ୟ ଏଠାରେ ବିଚାରଯୋଗ୍ୟ–

 

‘‘ତିନିଶହ ସ୍ୱଧୀନତା ସଂଗ୍ରାମୀଙ୍କ ପେନ୍‍ସନ୍ ସସ୍‍ପେଣ୍ଡ । ଏମାନଙ୍କ ଭିତରୁ ଓଡ଼ିଶାର ସଂଖ୍ୟା ୮୯, ତାମିଲନାଡ଼ୁ ୫୮, ଦିଲ୍ଲୀ ସଂଖ୍ୟା। ୪୮ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟର ମିଥ୍ୟା ସାର୍ଟିଫିକେଟ ବଳରେ କେତେକ ସ୍ୱାଧୀନତା ସଂଗ୍ରାମୀ କେନ୍ଦ୍ରରୁ ପାଇଥିବା ପେନ୍‌ସନ୍ ସସ୍‍ପେଣ୍ଡ କରିଦେଇଛନ୍ତି ।

 

ଏହାଛଡ଼ା ଓଡ଼ିଶା ମୂର୍ତ୍ତିଚୋରିରେ ଓ ଜାଲ୍ ଐତିହାସିକ ପଦାର୍ଥ ସୃଷ୍ଟି କରିବାରେ ଭାରତରେ ଅଗ୍ରଣୀ ହୋଇଛି ।

 

ଏ ସମସ୍ତରୁ ସୂଚିତ ହେବ ଯେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ନୈତିକତା ସବନିମ୍ନ ହୋଇଛି । ମୁଁ ନାସ୍ତିକ ବା ନିନ୍ଦୁକ ନୁହେଁ, କିନ୍ତୁ ମୋର ଦୃଢ଼ଧାରଣା ଯେ ଏ ଯୁଗର ସନ୍ଥପୂଜା ଓଡ଼ିଆମାନଙ୍କ ଉପରେ ନୈତିକ ପ୍ରଭାବ ପକାଇ ପାରିନାହିଁ । ଓଡ଼ିଶାରେ ଯେଉଁ ସନ୍ଥମାନେ ପୂଜିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ହୁଏ ତ ଅନେକେ ସର୍ବଧର୍ମୀ ଓ ମହାନ୍ ସାଧକ, ମାତ୍ର ସେମାନଙ୍କ ଧର୍ମବାର୍ତ୍ତା ବ୍ୟବସାୟର ସାମଗ୍ରୀ ହୋଇଯାଇଛି । ପ୍ରଥମାବସ୍ଥାରେ ସମସ୍ତ ଧର୍ମ ଚିତ୍ତଶୁଦ୍ଧି ପାଇଁ ଉଦ୍ଦିଷ୍ଟ ହୋଇଥାଏ, କିନ୍ତୁ ପରେ ତାହା ବ୍ୟବସାୟୀମାନଙ୍କ ହାତରେ ପଡ଼ି କାମନା-ବୃଦ୍ଧି ଓ ବିତ୍ତବୃଦ୍ଧି ଦିଗରେ ଗତି କରେ । ପରମକାରୁଣିକ ଗୌତମ ବୁଦ୍ଧ କାମନାର ବିନାଶ ଓ ଚିତ୍ତଶୁଦ୍ଧି ଉପରେ ହିଁ ବେଶି ଭାବରେ ଗୁରୁତ୍ୱ ଆରୋପ କରିଥିଲେ; ମାତ୍ର ପରବର୍ତ୍ତୀ ଯୁଗରେ ଯେତେବେଳେ ତାଙ୍କ ଧର୍ମ ବ୍ୟବସାୟୀମାନଙ୍କ ହାତରେ ପଡ଼ିଲା, ସେତେବେଳେ ତାହା ତନ୍ତ୍ର, ମନ୍ତ୍ର, ମଣ୍ଡଳ, ମାରିଣୀ, ତାପିନୀ, ଧରଣୀ ଇତ୍ୟାଦିରେ ପରିଣତ ହୋଇ ଅବଶେଷରେ ଭାରତରୁ ବିଦାୟ ନେଲା । ମହାମାନବ ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ପ୍ରଚାର କରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ପରେ ଗାନ୍ଧୀବାଦ ଭାରତରୁ ଏକପ୍ରକାର ଲୋପପାଇଲା । ଯେଉଁମାନେ ତାଙ୍କର ନିକଟତମ ସାହଚର୍ଯ୍ୟରେ ଆସିଥିଲେ, ସେମାନେ ମଧ୍ୟ ଗାନ୍ଧିଜୀଙ୍କ ପକୃତ ନୀତି ଛାଡ଼ିଲେ । ଜଣେ ଦୁର୍ବୃତ୍ତ ସିନା ଗାନ୍ଧିଜୀଙ୍କୁ ହତ୍ୟାକଲା, କିନ୍ତୁ ଅସଂଖ୍ୟ ଗାନ୍ଧୀବ୍ୟବସାୟୀ ଓ ଭଣ୍ଡଭକ୍ତ ମିଶି ତାଙ୍କ ନୀତିକୁ ହତ୍ୟା କଲେ ।

 

ବୈଷ୍ଣବମାନଙ୍କ ପରମାରାଧ୍ୟ ଦେବତା ଶ୍ରୀକୃଷ୍ଣ ଯୋଗେଶ୍ୱର ରୂପେ ହିଁ ପ୍ରଥମେ ଭକ୍ତହୃଦୟରେ ସ୍ଥାନ ପାଇଥିଲେ । ଏହି ଯୋଗେଶ୍ୱର ଯୁଗାବତାର ଶ୍ରୀକୃଷ୍ଣ ହିଁ ମହାଭାରତର କର୍ଣ୍ଣଧାର ଓ ଗୀତାରେ ଧର୍ମତତ୍ତ୍ୱର ବ୍ୟାଖ୍ୟାକାଟ । ଏହାଙ୍କ ବିଶ୍ୱରୂପ ଦେଖିସାରିବା ପରେ ଭୀତ, ବିସ୍ମିତ ଓ ସ୍ତମ୍ଭିତ ଅର୍ଜୁନ ଗୀତାର ଏକାଦଶ ଅଧ୍ୟାୟରେ ପଚାରିଛନ୍ତି, ‘‘ଅଖ୍ୟାହି ମେ କୋ ଭବାନ୍ନ ଗୁରୁପୋ’’, “ହେ ଭଗବାନ । ଏହି ଉଗ୍ରରୂପଧାରୀ ତୁମେ କିଏ ?’’ ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତରରେ କହିଛନ୍ତି ‘‘କାଳୋଽସ୍ମି ଲୋକକ୍ଷୟକୃତ୍‍ ପ୍ରବୃଦ୍ଧୋ”, “ମୁଁ ଲୋକ (ବିଶ୍ୱବ୍ରହାଣ୍ଡ) କ୍ଷୟକାରୀ ଅତିଶୟ ବୃଦ୍ଧିପ୍ରାପ୍ତ (ଅନନ୍ତ) କାଳ ।’ ଅତଏବ ତାଙ୍କରି ବ୍ୟାଖ୍ୟା ଅନୁସାରେ ଯେ ଅନନ୍ତ କାଳ, ସେ ହିଁ ଶ୍ରୀକୃଷ୍ଣ । ପରେ ଏହି ମହାନ୍ ପୂର୍ଣ୍ଣାବତାର ଶ୍ରୀକୃଷ୍ଣ ବ୍ୟବସାୟୀମାନଙ୍କ ହାତରେ ପଡ଼ି କିପରି ରୂପ ଧାରଣ କଲେ, ତାହାର ଧାରାବାହିକ ଇତିହାସ ଆଲୋଚନା କରିବା ଏଠାରେ ସମ୍ଭବ ନୁହେଁ । ଅବଶେଷରେ ସେ ସହଜିଆ ବ୍ୟବସାୟୀମାନଙ୍କ ହାତରେ ନିପଟ ଲମ୍ପଟ ରୂପେ ଚିତ୍ରିତ ହେଲେ ଏବଂ ଏହି ସହଜିଆ କୃଷ୍ଣ ଯେତେବେଳେ ଓଡ଼ିଶାରେ ଆସି ପହଞ୍ଚିଲେ, ସେତେବେଳେ ଓଡ଼ିଆ କବିମାନଙ୍କ କବିତାରେ ସେ ‘‘କେବେ ମୂଷା ହୋଇ ଖୋଷା କାଟିଲେ, କେବେ ମଞ୍ଜାରୀବେଶକୁ ଧରିଲେ ।’’ କେବେ ଭୂତକେଳି କଲେ ତ, କେବେ ନାବକେଳି କଲେ । ଯୌବନବାସନାର ଚରିତାର୍ଥ ପାଇଁ ମନୁଷ୍ୟର ସଚେଚନ ଓ ଅବଚେତନ ମନରେ ଯେତେପ୍ରକାର କଳ୍ପନା ଜାତ ହୁଏ, ଏହି ସହଜିଆ କୃଷ୍ଣ ସେ ସମସ୍ତ କଳ୍ପନାର ପ୍ରତୀକ ହେଲେ । ବ୍ରହୁ ପଣ୍ଡିତ ଓ ଭକ୍ତ କୂଟଯୁକ୍ତି ଓ ଭାକ୍ତିକ ମିଥ୍ୟା ସାହାଯ୍ୟରେ ଏହି ସହଜିଆ କୃଷ୍ଣଙ୍କ କୀର୍ତ୍ତିକଳାପକୁ ଅନାବିଳ ପ୍ରେମ ଓ ଭକ୍ତି ବୋଲି ବ୍ୟାଖ୍ୟା କରନ୍ତି, କିନ୍ତୁ ସେମାନଙ୍କ ବ୍ୟାଖ୍ୟା ମନୁଷ୍ୟର ବୁଦ୍ଧି ଓ ଜ୍ଞାନକୁ ଅପମାନ ଦେଇଥାଏ । ବହୁ ବୈଷ୍ଣବ କବି ଏହି ସହଜିଆ ଶ୍ରୀକୃଷ୍ଣଙ୍କ ସହିତ ଗୋପୀମାନଙ୍କ ଓ ଶ୍ରୀମତୀ ରାଧାଙ୍କ ଦୈହିକ ସମ୍ଭୋଗର ପୂର୍ଣ୍ଣଚିତ୍ର ଦେଇଛନ୍ତି । ଏହାକୁ କୂଟଯୁକ୍ତିବଳରେ ଉଡ଼ାଇଦେବା ସତ୍ୟର ଘୋର ଅପଳାପ ।

 

ଓଡ଼ିଶାର ଆଧୁନିକ ସନ୍ଥପୂଜାର ସ୍ୱରୂପ ବିଶ୍ଲେଷଣ କଲେ ଦେଖାଯାଏ ଯେ ଏହା କେବଳ ଆଦାନ ଭିତ୍ତିରେ ହିଁ ପ୍ରତିଷ୍ଠିତ । ଆଦାନଭିତ୍ତିକ ସଂସ୍କୃତି ହେଉଛି ଭିକ୍ଷୁକର ସଂସ୍କୃତି । ଏହା ଦ୍ୱାରା କୌଣସି ଜାତି ଉନ୍ନତ ହୋଇପାରେ ନାହିଁ । ଆଫ୍ରିକାର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ବହୁସଂଖ୍ୟକ ବ୍ୟକ୍ତି ପାଶ୍ଚାତ୍ୟମାନଙ୍କ ଧର୍ମ, ଆଚାର-ବ୍ୟବହାର, ପିନ୍ଧାପୋଷାକ ଇତ୍ୟାଦି ଗ୍ରହଣ କରିନେଇଛନ୍ତି, କିନ୍ତୁ ସେମାନେ ପାଶ୍ଚାତ୍ୟମାନଙ୍କ ସମସ୍କନ୍ଧ ହୋଇପାରିଛନ୍ତି କି ? କିମ୍ୱା ପାଶ୍ଚାତ୍ୟମାନେ ଏମାନଙ୍କୁ ସମସ୍କନ୍ଧ ବୋଲି ମନେକରିଛନ୍ତି କି ? ଓଡ଼ିଶାର ଧାର୍ମିକ ସଂସ୍କୃତି ସର୍ବତୋଭାବରେ ଆଦାନଭିତ୍ତିକ ହୋଇଉଠୁଛି । ଭିକ୍ଷୁକକୁ କେହି ସମସ୍କନ୍ଧ ବୋଲି ଭାବନ୍ତି ନାହିଁ । ଓଡ଼ିଶାର କୌଣସି ସନ୍ଥ ଭାରତର କୌଣସି ଅଞ୍ଚଳରେ ଆଦୃତ ବା ପୂଜିତ ହୁଅନ୍ତି ନାହିଁ କିମ୍ୱା ଓଡ଼ିଶାରେ ଯେ କୌଣସି ଗ୍ରନ୍ଥ ଥିଲେ, ଏ କଥା ଭାରତ ଜାଣେ ନାହିଁ । କିନ୍ତୁ ଓଡ଼ିଶାକୁ ସନ୍ଥଭେକଧାରୀ ଯେ କୌଣସି ବ୍ୟକ୍ତି ଆସନ୍ତି, କିମ୍ୱା ତାଙ୍କ ଭକ୍ତବୃନ୍ଦ ଆସନ୍ତି, ସେମାନେ ସମସ୍ତେ ଆମର ଶ୍ରେଷ୍ଠ ବୁଦ୍ଧିଜୀବୀମାନଙ୍କ ଦ୍ଵାରା ମଧ ଆଦୃତ ଓ ପୂଜିତ ହୁଅନ୍ତି । ଏ ସଂସାରରେ କୌଣସି କଥା ବା ଘଟନା ଅତିଭୌତିକ ଭାବରେ ସଂଘଟିତ ହୋଇ ନାହିଁ କିମ୍ୱା ହେଉ ନାହିଁ । ଧର୍ମସମ୍ପ୍ରଦାୟମାନଙ୍କ ଅତିଭୌତିକ ଗଳ୍ପମାନ ଭାକ୍ତିକମିଥ୍ୟାରୁ ହିଁ ସମ୍ଭୁତ । ଅଥଚ ଏହି ଭାକ୍ତିକ ମିଥ୍ୟା ବଳରେ ବିଭିନ୍ନ ଧର୍ମସଂସ୍ଥା ଓଡ଼ିଶାରେ ଆସ୍ଥାନ ଜମାଇ ପାରୁଛନ୍ତି । ଆମ୍ଭେମାନେ କୌଣସି ବିଶିଷ୍ଟ ଯାଦୁକରଠାରୁ ଯେଉଁସବୁ ଅତିଭୌତିକ ବ୍ୟାପାରମାନ ଦେଖୁଁ, ସେ ସବୁ ଯାଦୁକରଙ୍କ ଅତିଭୌତିକ ଶକ୍ତିରୁ ସମ୍ଭୂତ ହୁଏ ନାହିଁ । ଯେଉଁ ସନ୍ଥମାନେ ଅତିଭୌତିକ ଶକ୍ତି ଦେଖାଇଛନ୍ତି, କିମ୍ୱା ଦେଖାଉଛନ୍ତି ବୋଲି ସେମାନଙ୍କ ଭକ୍ତବୃନ୍ଦ ପ୍ରଚାର କରୁଛନ୍ତି, ସେମାନଙ୍କ କଥା ଆମ୍ଭେମାନେ ଏତେ ସହଜରେ ବିଶ୍ୱାସ କରୁ କାହିଁକି ? ଏହାର କାରଣ ହୁଏ ତ ଏହି ଯେ ସହଜ ଓ ଶସ୍ତାରେ ଧର୍ମରୁ ପୁଳାଏ ମାରିନେବା କିମ୍ୱା ନିଜକୁ ଧାର୍ମିକ ବୋଲି ଜଗତରେ ପ୍ରଚାର କରିବାର ବାସନା ଆମ୍ଭମାନଙ୍କଠାରେ ଅତ୍ୟନ୍ତ ବଳବତୀ ହୋଇଥାଏ, କିମ୍ୱା ଏପରି ପ୍ରଚାର ସହିତ କୌଣସି ପ୍ରଛନ୍ନ ସ୍ୱାର୍ଥ ଜଡ଼ିତ ଥାଏ ।

 

ଅଳ୍ପଦିନ ତଳେ ଭକ୍ତମାନଙ୍କ ମଧ୍ୟରେ ଦାଦାଜୀ ନାମରେ ପରିଚିତ ଜଣେ ବ୍ୟକ୍ତି କଟକରେ ଯାଦୁବଳରେ ଅତିଭୌତିକ ବ୍ୟାପାରମାନ ଦେଖାଇ ଆମର ଶ୍ରେଷ୍ଠ ବୁଦ୍ଧିଜୀବୀମାନଙ୍କ ମଧ୍ୟ ପରମାରାଧ୍ୟ ହୋଇଥିଲେ, ଏବଂ ତାଙ୍କର ଅଲୌକିକ ଶକ୍ତି ସମ୍ବନ୍ଧରେ ସ୍ଥାନୀୟ ଖବରକାଗଜ ମୁଖର ହୋଇ ଉଠିଥିଲା (ସମାଜ, ୧୬।୫।୭୩, ପୃ-୮) । ପ୍ରଚାରିତ ହେଲା ଯେ ଦାଦାଜୀଙ୍କ ବୟସ ଶତାଧିକ, ଅଥଚ ତାଙ୍କର ପ୍ରକୃତ ବୟସ ଥିଲା ଷାଠିଏରୁ ଖୁବ୍ କମ୍ । ସେ ଯେଉଁ କୋଠରୀରେ ତଥାକଥିତ ଅତିଭୌତିକ ଶକ୍ତି ଦେଖାଉଥିଲେ, ସେଠାରେ ଗୋଟିଏ ଅଟୋମେଟିକ୍ କେମେରା ଓ ଗୋଟିଏ ଟେପ୍‍ରେକ୍‍ର୍ଡର ରଖାଯାଇ ତାହା ପରୀକ୍ଷା କରାଗଲା ନାହିଁ, ଅଥଚ ବିନା ପରୀକ୍ଷାରେ ଦାଦାଜୀଙ୍କ ମହିମା ସର୍ବତ୍ର ପ୍ରଚାରିତ ହେଲା । ଓଡ଼ିଶାରୁ କଲିକତାକୁ ଫେରିବା ପରେ ପରେ ହିଁ ସେ ଗୋଟିଏ ଜାଲଦଲିଲ ବଳରେ ଜଣେ ଯୁବତୀଙ୍କୁ ଠକେଇଥିବା ଅଭିଯୋଗରେ ଗିରଫଦାର ହେଲେ । ରାଉରକେଲାରେ ଅନ୍ୟ ଏକ ସନ୍ଥ ପାଟିରୁ ମୁଲ୍ୟବାନ୍ ପ୍ରସ୍ତର ବାହାର କରୁଥିବାର ଅଭିନବ ସମ୍ୱାଦ ମଧ୍ୟ ସ୍ଥାନୀୟ ଖବର କାଗଜରେ ବାହାରିଥିଲା (ସମାଜ, ୩୦।୫।୭୩) । ଓଡ଼ିଶା ବର୍ତ୍ତମାନ ଏପରି ଏକ ସାଂସ୍କୃତିକ ଅବସ୍ଥାରେ ଅଛି ଯେ ଏଠାକୁ ଯେ କୌଣସି ବ୍ୟକ୍ତି ଯଦି ସନ୍ଥବେଶରେ ଆସନ୍ତି ତେବେ ସେ ଆମର ଶ୍ରେଷ୍ଠ ବୁଦ୍ଧିଜୀବୀମାନଙ୍କ ପରମାରାଧ୍ୟ ହେବେ ଏବଂ ତାଙ୍କର ଅଲୌକିକ ମହିମା ଖବରକାଗଜ ମଣ୍ଡନ କରିବ ।

 

ଜଗନ୍ନାଥ ସର୍ବଧର୍ମର ସମନ୍ୱୟ ଓ ଜଗନ୍ନାଥକ୍ଷେତ୍ର ସର୍ବଧର୍ମର ମିଳନସ୍ଥଳ ବୋଲି ଆମର ଯେଉଁ ପରମ୍ପରା ଥିଲା, ସେଥିରେ ଓଡ଼ିଆମାନେ ବ୍ୟକ୍ତିଗତ ଭାବରେ ନ ହେଲେ ମଧ୍ୟ ସମୂହଭାବରେ ଭାରତରେ ସେମାନଙ୍କ ଧର୍ମଧାରଣାର ପ୍ରାଧାନ୍ୟ ପ୍ରତିପାଦିତ କରିପାରୁଥିଲେ । ଜଗନ୍ନାଥ ଧର୍ମ ଓଡ଼ିଆମାନଙ୍କ ଐକ୍ୟର ଦୃଢ଼ତମସ୍ତମ୍ଭ ରୂପେ ବିଦ୍ୟମାନ ରହି ଓଡ଼ିଶାର ସାମରିକ ଶକ୍ତିକୁ ବହୁ ଶତାବ୍ଦୀ ଧରି ଦୁର୍ଜୟ କରିଥିଲା । କନ୍ତୁ ୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସ୍ୱଧୀନତା ହରାଇବା ପର୍ଯ୍ୟନ୍ତ ଜଗନ୍ନାଥକ୍ଷେତ୍ରର ଯେଉଁ ଶକ୍ତି ଥିଲା, ବର୍ତ୍ତମାନ ତାହାର ଆଉ ସେ ଶକ୍ତି ନାହିଁ । ପୁର୍ବେ ଯେଉଁ ଧର୍ମମତବାଦ ଜଗନ୍ନାଥଙ୍କ ପ୍ରାଧାନ୍ୟ ସ୍ୱୀକାର କରୁ ନ ଥିଲା, ଓଡ଼ିଆମାନେ ତାକୁ ସ୍ୱୀକାର କରୁ ନ ଥିଲେ । କିନ୍ତୁ ଆଜି ଏକାଧିକ ଧର୍ମମତବାଦର ଜଗନ୍ନାଥଙ୍କ ସହିତ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ସେଗୁଡ଼ିକ ଓଡ଼ିଶାରେ ବେଶ୍ ପ୍ରସାର ଲାଭ କରୁଛନ୍ତି । ଏତବ୍ଦ୍ୱାରା, ଓଡ଼ିଶାର ଧାର୍ମିକ ସଂସ୍କୃତି ତଥା ଐକ୍ୟର ଦୃଢ଼ତମ ସ୍ତମ୍ଭ ଦୋହଲି ଯାଉଛି । ଓଡ଼ିଶା ସ୍ୱାଧୀନତା ହରାଇବାବେଳେ ଜଗନ୍ନାଥଧର୍ମ ଯାହା ଥିଲା, ବର୍ତ୍ତମାନ ତାହା ଠିକ୍ ସେହି ଅବସ୍ଥାରେ ଅଛି । ଏହି ଦୀର୍ଘ ସାଢ଼େ ଚାରିଶତ ବର୍ଷ ମଧ୍ୟରେ ଏ ଧର୍ମର ସଂପ୍ରସାରଣ ଘଟି ନାହିଁ ଜଗନ୍ନାଥ ଧର୍ମର ଉଦାରତା ହିଁ ଏ ଧର୍ମର ସଂପ୍ରସାରଣର କାରଣ ହୋଇଥିଲା । ହିନ୍ଦୁଧର୍ମରୁ ସମ୍ଭୁତ ସମସ୍ତ ଧର୍ମମତବାଦ ଜଗନ୍ନାଥଧାମରେ ସ୍ଥାନ ପାଇଥିଲେ । ୧୫୬୮ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଏହି ପରମ୍ପରା ସ୍ରୋତ ଚାଲିଆସିଥିଲା, କିନ୍ତୁ ଏହାପରେ ସେହି ସ୍ରୋତ ସେହିଠାରେ ବନ୍ଦ ହୋଇ ରହିଲା । ଜଗନ୍ନାଥଧର୍ମର ଯଦି ପୂର୍ବ ଉଦାରତା ଥାଆନ୍ତା, ତେବେ ତାହା କାଳୋଚିତ ସମସ୍ତ ଧର୍ମ ସମସ୍ୟାକୁ ପୂର୍ବପରି ସମାଧାନ କରିପାରିଥାନ୍ତା, ମାତ୍ର ଏ ଧର୍ମ ରକ୍ଷଣଶୀଳମାନଙ୍କ ହାତରେ ପଡ଼ି ସ୍ଥାଣୁ ହୋଇ ସାରିଛି । ତା ନ ହେଲେ ହରିଜନମାନଙ୍କ ହିନ୍ଦୁମନ୍ଦିର ପ୍ରବେଶ ପାଇଁ ଭାରତରେ ଯେଉଁ ସମସ୍ୟା ଚାଲିଛି, ଜଗନ୍ନାଥକ୍ଷେତ୍ର ସେହି ସମସ୍ୟାର ପ୍ରଥମେ ସମାଧାନ କରିଥାନ୍ତା ।

 

ଆଦିବାସୀମାନଙ୍କ ଧର୍ମ ଜଗନ୍ନାଥ ଧର୍ମର ଉତ୍ପତ୍ତିର ମୂଳକାରଣ ବୋଲି ଅନେକେ ସ୍ଵୀକାର କରୁଥିଲେ ମଧ୍ୟ ଜଗନ୍ନାଥ ମନ୍ଦିରରେ ଆଦିବାସୀମାନଙ୍କ ପ୍ରବେଶର ଅଧିକାର ନାହିଁ । ଜଗନ୍ନାଥଧର୍ମର କୌଣସି କୌଣସି ବ୍ୟାଖ୍ୟାକାର କହନ୍ତି ଯେ ଜଗନ୍ନାଥଙ୍କ ରଥଯାତ୍ରା ହରିଜନ ଓ ଆଦିବାସୀମାନଙ୍କ ପାଇଁ ବିଶେଷ ଭାବରେ ଉଦ୍ଦିଷ୍ଟ । ରକ୍ଷଣଶୀଳ ଜଗନ୍ନାଥ ଭକ୍ତମାନଙ୍କ ଏହା ଏକ ବିଚିତ୍ର ବ୍ୟାଖ୍ୟା । ହରିଜନ ଆଦିବାସୀମାନେ ଯେତେବେଳେ ଜଗନ୍ନାଥ ମନ୍ଦିରକୁ ଆସନ୍ତି, ସେତେବେଳେ ଏହି ସବର୍ଣ୍ଣ ହିନ୍ଦୁ ଭକ୍ତମାନେ ସେମାନଙ୍କୁ ମନ୍ଦିର ପ୍ରବେଶ ଓ ଦେବଦର୍ଶନର ଅଧିକାର ନ ଦେଇ କହନ୍ତି, “ଯାଅ, ରଥଯାତ୍ରାବେଳେ ଆସିବ ।

 

ଆମ ଦେବତା ଯେତେବେଳେ ରଥରେ ବିଜେ କରିବେ, ସେତେବେଳେ ତାଙ୍କୁ ଦର୍ଶନ କରିବ ଓ ତାଙ୍କ ରଥ ଟାଣିବ ।” କୌଣସି ଆତ୍ମସମ୍ମାନସମ୍ପନ୍ନ ବ୍ୟକ୍ତି ବା ଜାତି ଏ ବ୍ୟବସ୍ଥାକୁ ଆଉ ଅଧିକ କାଳ ଗ୍ରଣ କରିବ ନାହିଁ । ମନେରଖିବାକୁ ହେବ ଯେ ହରିଜନ ଆଦିବାସୀମାନଙ୍କ ମଧ୍ୟରେ ଆତ୍ମସମ୍ମାନ ଜାଗ୍ରତ ହୋଇଛି ଏବଂ ଏମାନଙ୍କ ସଂଖ୍ୟା ଓଡ଼ିଶାର ଜନସଂଖ୍ୟାରୁ ପ୍ରାୟ ତିନିଭାଗରୁ ଭାଗେ । ଜଗନ୍ନାଥଧର୍ମ ଏମାନଙ୍କ ପାଇଁ ଯଦି କୌଣସି ସୁବ୍ୟବସ୍ଥା ନ କରେ, ତେବେ ଓଡ଼ିଶାର ଧର୍ମଗତ ସଂହତି ନିଶ୍ଚିତ ଭାବରେ ବ୍ୟାହତ ହେବ । ଉଦାରତା ଓ ସଂପ୍ରସାରଣଶୀଳତା ଯେଉଁ ଜଗନ୍ନାଥ ଧର୍ମର ବିଶେଷତ୍ୱ ଥିଲା, ତାହା ବର୍ତ୍ତମାନ ଗୋଟିଏ ପ୍ରବହମାନା ତଟିନୀ ନ ହୋଇ ଗୋଟିଏ ବଦ୍ଧ ପୁଷ୍କରିଣୀ ହୋଇଛି । ସୁଖର କଥା ଏହି ଯେ ଅତି ନିକଟରେ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତବର୍ଗ ଶ୍ରୀମନ୍ଦିରରେ ହରିଜନ-ଆଦିବାସୀମାନଙ୍କ ପ୍ରବେଶ ଅଧିକାରକୁ ଅନୁମୋଦନ କରିଛନ୍ତି । ଏଥିପାଇଁ ସେମାନେ ସମସ୍ତଙ୍କ ଅସୀମ ଧନ୍ୟବାଦାର୍ହ ହୋଇଛନ୍ତି । ଏହି ଅନୁମୋଦନ କିପରି ଓ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ବର୍ତ୍ତମାନ ସମସ୍ତଙ୍କ ଲକ୍ଷ୍ୟ କରିବା ବିଷୟ ।

 

ଜଗନ୍ନାଥଧର୍ମରେ ଯେପରି ସ୍ଥାଣୁତ୍ୱ ଆସିଛି, ସନ୍ଥପୂଜା ଯେପରି ବ୍ୟବସାୟ-ଭିତ୍ତିକ ହୋଇଛି, ଓଡ଼ିଶାର ସୂରୀପୂଜା ମଧ୍ୟ ସେହିପରି ଖାଲି ପ୍ରଚାରମୂଳକ ହୋଇଛି । ଏ ଯୁଗର ମହାମନୀଷୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତସିଂହଙ୍କ ସ୍ମୃତିପୂଜା ଯେଉଁ ଆକାର ଧାରଣ କରିଛି, ତାହା ଅନୁଧ୍ୟାନ କଲେ ବିସ୍ମିତ ହେବାକୁ ପଡ଼େ । ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ଯଦି ସାମନ୍ତଙ୍କୁ ଓ ତାଙ୍କ ଗ୍ରନ୍ଥକୁ ଆବିଷ୍କାର କରି ନ ଥାନ୍ତେ, ତେବେ ହୁଏ ତ ସିଦ୍ଧାନ୍ତଦର୍ପଣ କୀଟଦଷ୍ଟ ହୋଇ ଲୋପ ପାଇଥାନ୍ତା । କବିବର ରାଧାନାଥ ରାୟ ଯଦି ସାମନ୍ତଙ୍କୁ ତାଙ୍କ କବିତାର ଶ୍ରେଷ୍ଠଅର୍ଘ୍ୟ ଦେଇ ନ ଥାନ୍ତେ, ତେବେ ସାମନ୍ତ ଓଡ଼ିଶାରେ ସୁବିଦିତ ହୋଇପାରି ନ ଥାନ୍ତେ | ସିଦ୍ଧାନ୍ତଦର୍ପଣର ପ୍ରଥମ ପ୍ରକାଶଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘକାଳ ଅତିବାହିତ ହୋଇଯାଇଛି, କିନ୍ତୁ ଏହି ବିଶ୍ୱବିଖ୍ୟାତ ଗ୍ରନ୍ଥର ଗୋଟିଏ ସୁନ୍ଦର ନିର୍ଭରଯୋଗ୍ୟ ନୂତନ ସଂସ୍କରଣ ହୋଇପାରି ନାହିଁ-। ୧୯୪୮ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଗ୍ରନ୍ଥର ଗୋଟିଏ ନୂତନ ସଂସ୍କରଣ ବାହାର କରିବାର ଊଦ୍ୟମ କରି ବହୁ ପଣ୍ଡିତ ସମନ୍ୱିତ ଗୋଟିଏ କମିଟି କଲେ ଓ ଏହି ଯୋଜନାରେ ୧୯୬୭ ପର୍ଯ୍ୟନ୍ତ କୋଡ଼ିଏ ହଜାର, ଛ’ଶହ, ସତାନବେ ଟଙ୍କା ଖର୍ଚ୍ଚା ଖର୍ଚ୍ଚ ହେଲା, ମାତ୍ର ଏହି ବିଖ୍ୟାତ ଗ୍ରନ୍ଥର ନୂତନ ସଂସ୍କରଣଟିଏ ହୋଇପାରିଲା ନାହିଁ (ସମାଜ, ୨୪-୧-୭୫, ପୃ-୫) । ନିକଟରେ ମହାମହୋପାଧ୍ୟାୟ ଶ୍ରୀ ଦୟାନିଧି ଖଡ଼ିରତ୍ନ ବିଦ୍ୟାଭୂଷଣ ଓ ମହାମହୋପାଧ୍ୟାୟ ଶ୍ରୀ ହରିହର ଖଡ଼ିରତ୍ନଙ୍କ ଦ୍ୱାରା କଟକର କୋହିନୂର ପ୍ରେସରୁ ଖଣ୍ଡିଏ ସିଦ୍ଧାନ୍ତଦର୍ପଣ ପୁସ୍ତକ ପ୍ରକାଶ ପାଇଛି । ଏହି ପଣ୍ଡିତଦ୍ୱୟ ନିଜ ନିଜକୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିଥିଲେ ହେଁ ସରକାରଙ୍କଠାରୁ ଉପାଧିପ୍ରାପ୍ତ ପ୍ରକୃତ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତ ସିଂହଙ୍କ ନାମ ସୁଦ୍ଧା ଏହି ପୁସ୍ତକର ଶିରୋନାମାରେ ଦେଇନାହାନ୍ତି ।

 

ପୁସ୍ତକଟିର ପ୍ରଚ୍ଛଦପଟରୁ ଏ ପଣ୍ଡିତଦ୍ୱୟଙ୍କ ଅହମିକା ଓ ଆସ୍ପର୍ଦ୍ଧା ହିଁ ପ୍ରଥମେ ପ୍ରକାଶ ପାଇଥାଏ । ଏମାନେ ସିଦ୍ଧାନ୍ତଦର୍ପଣର ଟୀକା ବା ବ୍ୟାଖ୍ୟା ଦେଇନାହାନ୍ତି । ଏହା ମୁଳ ସିଦ୍ଧାନ୍ତଦର୍ପଣର ପ୍ରକୃତ ପ୍ରତିନିଧି କି ନା, ତାହା ଜ୍ୟୋତିର୍ବିଦମାନେ ବିଚାର କରିବେ । ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ତରଫରୁ ସାମନ୍ତ ସିଂହଙ୍କ ଗୋଟିଏ ସ୍ମୃତି ଗ୍ରନ୍ଥ (Commemorative Volume) ସଂକଳନ ପାଇଁ କେତେକ ବର୍ଷ ହେଲା ଉଦ୍ୟମ ଚାଲିଛି ଏବଂ ଏହା ଯେପରି ଅଗ୍ରଗତି କରିଛି, ସେଥରୁ ଆଶା କରାଯାଏ ଯେ ଏହା ନିଶ୍ଚୟ ପ୍ରକାଶିତ ହେବ-

 

ଓଡ଼ିଶାରେ ନବଯୁଗର ଉଦ୍‍ଘାଟକ ମହାମନୀଷୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ମୃତିପୂଜା ଯେପରି ଭାବରେ ଓ ଯେତେ ପରିମାଣରେ ହେବାର କଥା, ତାହା ହେଉ ନାହିଁ । ଆଭିଜାତ୍ୟ ଗୌରବରେ ସମୁଜ୍ୱଳଗର୍ବିତ ଗଜପତିମାନଙ୍କ ଶେଷ-କୁଳାଙ୍କୁର ପାରଳାଧୀଶ୍ୱର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଉତ୍କଳ ପ୍ରଦେଶ ସଙ୍ଗଠନ ପ୍ରତି ଯେଉଁ ଅତୁଳନୀୟ ଦାନ ରହିଛି, ତାହା ଯଥାର୍ଥ ଭାବରେ ସ୍ଵୀକୃତ ହୋଇନାହିଁ । ବିବିଧ ପ୍ରତିଭାଧର ସ୍ୱଗୁଣରେ ସମୁଜ୍ଜ୍ୱଳ ତ୍ୟାଗପୁତ ଉତ୍କଳମଣି ଗୋପବନ୍ଧୁଙ୍କ ଗୁଣାବଳୀ ଯେତେଭାବରେ ଆଲୋଚିତ ହେବାର କଥା, ତାହା ହୋଇ ନାହିଁ । ବିଶିଷ୍ଟ ରାଜନୀତିଜ୍ଞ ଉତ୍କଳପ୍ରାଣ ଚାରଣକବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉତ୍କଳ ପ୍ରତି ଅବଦାନ ମଧ୍ୟ ଯଥାର୍ଥ ଭାବରେ ସ୍ଵୀକୃତ ହୋଇନାହିଁ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏ ମହାନ୍ ନେତା ଉତ୍କଳ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲେ; ମାତ୍ର ଆଜିକାଲି ଶିକ୍ଷାୟତନମାନଙ୍କରେ ସୁଦ୍ଧା ତାଙ୍କ ଅବଦାନ ସ୍ୱୀକୃତ ହୁଏ ନାହିଁ । ବାଗ୍ମୀ, ସୁପଣ୍ଡିତ, ସୁକବି, ବିଶିଷ୍ଟ ରାଜନୀତିଜ୍ଞ ଉତ୍କଳପ୍ରାଣ ନୀଳକଣ୍ଠ ଏ ରାଜ୍ୟରେ ଜୀବିତାବସ୍ଥାରେ ଅନାଦୃତ ଓ ମୃତ୍ୟୁ ପରେ ବିସ୍ମୃତ ହୋଇଛନ୍ତି ।

 

ଏହି ତୁଙ୍ଗ ନେତାମାନଙ୍କ ଛଡ଼ା ନିକଟରେ ଯେଉଁ ଓଡ଼ିଆ ସୂରୀମାନେ ଇହଜଗତ ତ୍ୟାଗ କରିଛନ୍ତି, ସେମାନଙ୍କ ପୂଜା ସେମାନଙ୍କ ମୃତ୍ୟୁ ପୂର୍ବେ ଓ ପରେ ଯେଉଁ ଆକାର ଧାରଣ କରିଛି, ତାହା ଅନୁଧ୍ୟାନ କଲେ ବିସ୍ମିତ ହେବାକୁ ହୁଏ । ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ଏ ଯୁଗର ଜଣେ ପରମ ସାଧକ ଥିଲେ । ଯେଉଁ ସମୟରେ କୃତବିଦ୍ୟ ଓଡ଼ିଆ ଅଧ୍ୟାପକମାନେ ଦେଶମାତୃକା ପ୍ରତି ସେମାନଙ୍କ କୌଣସି କର୍ତ୍ତବ୍ୟ ଅଛି ବୋଲି ଅନୁଭବ କରୁ ନ ଥିଲେ, ସେତେବେଳେ ସେ ବହୁ ପ୍ରାଚୀନ ପୋଥି ପ୍ରକାଶ କରି ପ୍ରାଚୀନ ଓଡ଼ିଆ-ସାହିତ୍ୟ ପ୍ରତି ଲୁପ୍ତ ପ୍ରୀତିର ପୁନରୁତ୍‍ଥାନ କରିଥିଲେ-। ତାଙ୍କ ଜୀବିତାବସ୍ଥାରେ କ୍ଷମତାସୀନ ତାଙ୍କର ବହୁ ସହକର୍ମୀ ଓ ଛାତ୍ରମାନଙ୍କ ମଧ୍ୟରୁ କେହି ସୁଦ୍ଧା ତାଙ୍କୁ ଦ୍ୱିତୀୟଶ୍ରେଣୀ ଚାକିରିରୁ ପ୍ରଥମଶ୍ରେଣୀକୁ ଉନ୍ନୀତ କରିବାକୁ ସାହାଯ୍ୟ ଦେଇ ନ ଥିଲେ । ତାଙ୍କ ମୃତ୍ୟୁ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଖ୍ୟାତ ଜାତୀୟ ଅଧ୍ୟାପକ ସୁନୀତି କୁମାର ଚାଟାର୍ଜୀଙ୍କ ଦ୍ୱାରା ‘‘ଆର୍ତ୍ତବଲ୍ଲଭ ବତ୍କୃତାମାଳା’’ର ଯେଉଁ ବ୍ୟବସ୍ଥା କଲେ, ତାହା ‘‘ବାରହାତ କାକୁଡ଼ିର ତେର ହାତ ମଞ୍ଜି” ପରି ଗୋଟିଏ ଅସୁନ୍ଦର ଓ ଅସଙ୍ଗତ କଥା ହେଲା ।

 

ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିଦ୍ ଥିଲେ । ଯେତେବେଳେ ଓଡ଼ିଶାରେ ଶିକ୍ଷିତ ସଂଖ୍ୟା ମୁଷ୍ଟିମେୟ ଥିଲା, ସେତେବେଳେ ସେ ବି. ଏସ୍ -ସି. ପାଶ୍‍ କରିଥିବାରୁ ତାଙ୍କୁ ଗୋଟିଏ ଭଲ ଚାକିରି ମିଳିବାର ପଥ ସୁଗମ ଥିଲା, ମାତ୍ର ସେ ଅର୍ଥର ସୁଗମ ପଥ ଛାଡ଼ି ପାଣ୍ଡିତ୍ୟର ଦୁର୍ଗମ ପଥକୁ ବରଣ କରିଥିଲେ । ଅର୍ଦ୍ଧଶତାବ୍ଦୀ ବ୍ୟାପୀ ତାଙ୍କର ସାଧନା ଫଳରେ ମୟୁରଭଞ୍ଜର ପ୍ରତ୍ନତତ୍ତ୍ୱର ପ୍ରଭୂତ ବିକାଶ ଘଟିଥିଲା, ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶା ମିଉଜିୟମରେ ରିସର୍ଚ୍ଚ ସେକ୍‍ସନ ବା ଗବେଷଣା ଶାଖା ସଂସ୍ଥାପିତ ହୋଇଥଲା, ମିଉଜିୟମ୍ ଗ୍ରନ୍ଥାଗାରର ପ୍ରଭୂତ ଉନ୍ନତି ଘଟିଥିଲା ଏବଂ ଗୋଟିଏ ତ୍ରୈମାସିକ ଇଂରାଜୀ ଗବେଷଣା ପତ୍ରିକା ପ୍ରକାଶ ପାଇଥିଲା । ସେ ଓଡ଼ିଆ ଓ ଇଂରେଜୀରେ ବହୁ ପ୍ରବନ୍ଧ ଲେଖି ଓଡ଼ିଶାର ଐତିହାସିକ ସାହିତ୍ୟକୁ ସମୃଦ୍ଧ କରିଥିଲେ, ମାତ୍ର ତାଙ୍କ ଚାକିରି କାର୍ଯ୍ୟକାଳ ମଧ୍ୟରେ ସେ ଦ୍ୱିତୀୟଶ୍ରେଣୀରୁ ପ୍ରଥମଶ୍ରେଣୀକୁ ଉନ୍ନୀତ ହୋଇ ନ ଥିଲେ । ତାଙ୍କର ବହୁ ସହକର୍ମୀ, ସହପାଠୀ ଓ ବନ୍ଧୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ଷମତାସୀନ ଥିଲେ, କିନ୍ତୁ କେହି ସୁଦ୍ଧା ତାଙ୍କ ଆସନକୁ ଟିକିଏ ଟେକିଦେଇ ନ ଥିଲେ ।

 

ସ୍ୱର୍ଗତ ବିମ୍ବାଧର ବର୍ମା ଓ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ପରି ପ୍ରତିଭାବାନ୍‍ ଶିଳ୍ପୀମାନେ ଏ ରାଜ୍ୟରେ ଦାରିଦ୍ର୍ୟ ମଧ୍ୟରେ ପ୍ରାଣତ୍ୟାଗ କରିଥିଲେ । ଏ ଦୁଇଜଣଙ୍କ ମଧ୍ୟରୁ ମୁଁ ସ୍ଵର୍ଗତ କାନୁନଗୋଙ୍କ ଘନିଷ୍ଠ ସାହଚର୍ଯ୍ୟରେ ଆସିବାର ସୁଯୋଗ ପାଇଥିଲି । ମୁଁ ଯେତେବେଳେ ସମ୍ବଲପୁର କଲେଜରେ ଲେକ୍‍ଚାରର ଥିଲି, ସେତେବେଳେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା କରୁଥିଲେ । ଥରେ ତାଙ୍କ ବସାକୁ ଯାଇ ତାଙ୍କୁ ଅତି ବିଷର୍ଣ୍ଣ ଅବସ୍ଥାରେ ଦେଖି ପଚାରିଲି, ‘‘ଏପରି ମୁହଁ ଶୁଖାଇ ବସିଛନ୍ତି କାହିଁକି ?’’ ସେ କହିଲେ, ‘‘ମୋତେ ଅପମାନଟା ଭାରି ବାଧିଛି ।’’ ମୁଁ ପଚାରିଲି, “ଆପଣଙ୍କୁ କିଏ ଅପମାନ ଦେଲା ?’’ ସେ କହିଲେ, ‘‘ମୁଁ ଜଣେ ଗ୍ରାଜୁଏଟ୍‍ ଓ ବିଶିଷ୍ଠ ଶିଳ୍ପୀ, କିନ୍ତୁ ମୁଁ ଶିଳ୍ପୀ ଥିବାରୁ ମୋତେ ଡ୍ରଇଂ ମାଷ୍ଟ୍ରର କରି ଗ୍ରାଜୁଏଟ୍‍ ମାଷ୍ଟରଙ୍କଠାରୁ କମ୍ ଦରମା ଦେଉଛନ୍ତି । ଯେତେ ଲେଖିଲେ ଓ କହିଲେ ମଧ୍ୟ କେହି ଶୁଣୁନାହାନ୍ତି । ମୁଁ ଭାବିଲି, ଓଡ଼ିଶାରେ ଏହା ହିଁ ‘‘ପ୍ରତିଭାର ପରା ଲଲାଟ ଲେଖନ ।” ପରେ ମୁଁ ନିଜ କର୍ମଜୀବନରେ ଗୋପାଳବାବାଙ୍କ ପରି ଦୁଃଖ ଓ ଅପମାନ ଭୋଗ କଲି । ମୋର ଲେକ୍‍ଚାରର ହେବା ପାଇଁ ଯୋଗ୍ୟତା ଥଲା ଏବଂ ଏହା ବ୍ୟତୀତ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ସାତବର୍ଷ କାଳ ଟ୍ରେନିଂ ପାଇଥିବାରୁ ଓ ଗବେଷଣା କରିଥିବାରୁ ମିଉଜିୟମ୍‍ରେ କ୍ୟୁରେଟର୍ ହେବାର ଯୋଗ୍ୟତା ମଧ୍ୟ ଥିଲା । କିନ୍ତୁ ମୁଁ ଯେତେବେଳେ ମିଉଜିୟମ୍‍ରେ କ୍ୟୁରେଟର୍‍ ହେଲି, ସେତେବେଳେ ମୋତେ ଲେକ୍‍ଚାରର ପୋଷ୍ଟର ପ୍ରାପ୍ୟ ଓ ପଦୋନ୍ନତିରୁ ବଞ୍ଚିତ କରାଗଲା । ଯେତେ ଆବେଦନ କଲେ ମଧ୍ୟ କେହି ଶୁଣିଲେ ନାହିଁ । ଏଣୁ ମୁଁ ମୂଳ ଲେକ୍‍ଚାରର କାମକୁ ଫେରିଆସିବାକୁ ବାଧ୍ୟ ହୋଇଥିଲି ।

 

ସୁନାମଧନ୍ୟ ସ୍ୱଭାବକବି ଡକ୍‍ଟର ମାୟାଧର ମାନସିଂହ ଜୀବିତାବସ୍ଥାରେ ଓ ମୃତ୍ୟୁ ପରେ ଓଡ଼ିଆମାନଙ୍କ ଠାରୁ ଯେଉଁ ବ୍ୟବହାର ପାଇଲେ, ତାହା ଅତ୍ୟନ୍ତ ଦୁଃଖାବହ । ଜଣେ ସ୍ୱଭାବକବି ହିସାବରେ ସେ ସ୍ୱ-ପ୍ରତିଭାରେ ସମୁଜ୍ୱଳ ଥିଲେ ଏବଂ ଓଡ଼ିଆ-ସାହିତ୍ୟ ପ୍ରତି ତାଙ୍କର ଦାନ ଅତୁଳନୀୟ ଥିଲା । ଅଥଚ ଅନ୍ତିମ ଅବସ୍ଥାରେ ସେ ମର୍ମନ୍ତୁଦ ଅପମାନ ମଧ୍ୟରେ ପ୍ରାଣତ୍ୟାଗ କଲେ । ତାଙ୍କର ପ୍ରଧାନ ଅପରାଧ ଏହି ଯେ ସେ ଇଂରାଜୀରେ ଓଡ଼ିଆ-ସାହିତ୍ୟର ପ୍ରଥମ ଇତିହାସ ଲେଖିଲେ । ମୁଁ ମାନୁଛି ଯେ ଏହି ଗ୍ରନ୍ଥରେ ତ୍ରୁଟିବିଚ୍ୟୁତ ରହିଛି । କବିବିଶେଷଙ୍କ ବା ଲେଖକବିଶେଷଙ୍କ ସମ୍ବନ୍ଧରେ ତାଙ୍କର ମୁଲ୍ୟାବଧାରଣ ସର୍ବତ୍ର ଗ୍ରହଣୋପଯୋଗୀ ହୋଇପାରି ନାହିଁ । କିନ୍ତୁ ଏଥିପାଇଁ ତାଙ୍କୁ ଅପମାନ ଦେବା ବା କ୍ରୋଧରେ କଳସୀ ପିଟି ଭାଙ୍ଗି ଦେବା ଏହି ତ୍ରୁଟିବିଚ୍ୟୁତିର ପ୍ରତିକାର ନ ଥିଲା । କୌଣସି ଲେଖକବିଶେଷଙ୍କ ଦୃଷ୍ଟିଭଙ୍ଗୀ ସହିତ ସମସ୍ତଙ୍କ ଦୃଷ୍ଟିଭଙ୍ଗୀ ସହିତ ସମାନ ହୋଇ ନ ପାରେ । ଏଥିପାଇଁ ପ୍ରତ୍ୟେକ ବିଷୟରେ ଏକାଧିକ ଗ୍ରନ୍ଥକାରଙ୍କ ଦ୍ଵାରା ଏକାଧିକ ଗ୍ରନ୍ଥ ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ଭାରତୀୟ ଭାଷାସାହିତ୍ୟର ଇଂରାଜୀରେ ଲେଖା ପାଞ୍ଚ ଦଶଖଣ୍ଡ ଇତିହାସ ମିଳିପାରିବ, ମାତ୍ର ମାନସିଂହଙ୍କ ଇଂରାଜୀରେ ଲେଖା ଓଡ଼ିଆ ସାହିତ୍ୟର ଇତିହାସ ଏହି ଶ୍ରେଣୀର ଏକମାତ୍ର ଗ୍ରନ୍ଥ ହୋଇ ରହିଛି, ଏବଂ ହୁଏତ ଆସନ୍ତା ପବଶବର୍ଷ ପର୍ଯ୍ୟନ୍ତ ତାହା ଏକମାତ୍ର ଗ୍ରନ୍ଥ ହୋଇ ରହିବ । ଯେଉଁମାନେ ମାନସିଂହଙ୍କ ପ୍ରତି କ୍ରୋଧରେ କଳସୀ ଭାଙ୍ଗି ପକାଇଲେ, ସେମାନେ ତାଙ୍କ ପ୍ରତି କ୍ରୋଧରେ ଆଉ ଖଣ୍ଡିଏ ଓଡ଼ିଆ ସାହିତ୍ୟର ଇତିହାସ ଲେଖିପକାଇଲେ ନାହିଁ କାହିଁକି ? କୌଣସି ଗ୍ରନ୍ଥକୁ ଭଲ ନୁହେଁ ବୋଲି କ୍ରୂଦ୍ଧ ହୋଇ ପଡ଼ିବା ଅପେକ୍ଷା ସେ ବିଷୟରେ ଭଲ ଗ୍ରନ୍ଥଟିଏ ଲେଖି ଥୋଇଦେବା ହିଁ ପ୍ରଗତିର ପ୍ରକୃତ ପନ୍ଥା । ସ୍ୱର୍ଗତ ମାନସିଂହ କେବଳ ଖ୍ୟାତନାମା କବି ନ ଥିଲେ, ଯେଉଁ ମୁଷ୍ଟିମେୟ ଓଡ଼ିଆ ଇଂରାଜୀରେ ଗ୍ରନ୍ଥ ଲେଖିପାରିଛନ୍ତି, ସେମାନଙ୍କ ମଧ୍ୟରେ ମଧ୍ୟ ସେ ଅନ୍ୟତମ ଥିଲେ । ତାଙ୍କ ଜୀବନାବସାନ ବେଳକୁ ତାଙ୍କ ପ୍ରତି ଯେଉଁ ଦୁର୍ବ୍ୟବହାର ହେଲା, ତାହା ଓଡ଼ିଶାର ସାଂସ୍କୃତିକ ଇତିହାସରେ ଗୋଟିଏ କଳଙ୍କମୟ ଅଧ୍ୟାୟ ହୋଇ ରହିବ ।

 

ସ୍ୱର୍ଗତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ କଥା ସ୍ମରଣ କଲେ ଦୁଖାଭିଭୂତ ହେବାକୁ ପଡ଼େ । ଭର୍ଣ୍ଣାକୁଲାର ପାଶ୍‍କୁ ସମ୍ବଳ କରି ସେ ପାଣ୍ଡିତ୍ୟ ବ୍ୟବସାୟ ଆରମ୍ଭ କରିଥିଲେ; ମାତ୍ର ସ୍ୱକୀୟ ପ୍ରତିଭା, ଶ୍ରମସାଧନା ଓ ଅଧ୍ୟବସାୟ ବଳରେ ସେ ଓଡ଼ିଶା ଇତିହାସରେ ନୂତନ ଆଲୋକପାତ କରି ସର୍ବଭାରତୀୟ ସ୍ତରରେ ସୁପରିଚିତ ଦୁଇଖଣ୍ଡି ଇଂରାଜୀ ଗ୍ରନ୍ଥ ଲେଖିଥିଲେ । ସର୍ବପ୍ରଥମେ ବୈଜ୍ଞାନିକ ପ୍ରଣାଳୀରେ ଓଡ଼ିଆଭାଷା ଓ ସାହିତ୍ୟର ଇତିହାସ ଲେଖିଥିଲେ, ଏବଂ ଏହା ଛଡ଼ା ଇଂରାଜୀରେ ବହୁ ପ୍ରବନ୍ଧ ଭାରତର ଗବେଷଣା ପତ୍ରିକାମାନଙ୍କରେ ପ୍ରକାଶ କରି ଓଡ଼ିଶାର ଇତିହାସକୁ ସମୃଦ୍ଧ କରିଥିଲେ । ତାଙ୍କ ଜୀବନାବସାନ ବେଳକୁ ସେ ଯେଉଁ ଦାରିଦ୍ର୍ୟ ଓ ଦୁଃଖ ମଧ୍ୟରେ ପ୍ରାଣତ୍ୟାଗ କଲେ, ତାହା ଅବର୍ଣ୍ଣନୀୟ ।

 

ଅତୀତରେ ଯେଉଁ ଓଡ଼ିଆ ଶୂରମାନେ ଦେଶମାତୃକା ପାଇଁ ବହୁ କାର୍ଯ୍ୟ କରିଥିଲେ, ଓଡ଼ିଆମାନେ ସେମାନଙ୍କ ସ୍ମୃତିରୁ କୌଣସି ପ୍ରେରଣା ପାଆନ୍ତି ନାହିଁ । ସେମାନେ ସମ୍ପୂର୍ଣ୍ଣରୂପେ ବିସ୍ମୃତ ହୋଇଛନ୍ତି । ଅଗ୍ରଗଣ୍ୟ ଓଡ଼ିଆ ଶୂରମାନେ ଗାଳଗଳ୍ପ ଓ କୁଣ୍ଠିତ କିମ୍ବଦନ୍ତୀ ସହିତ ଜଡ଼ିତ ହୋଇଯାଇଛନ୍ତି । ବୀରୋତ୍ତମ ଚୋଡ଼ଗଙ୍ଗ-ଗଙ୍ଗେଶ୍ୱର ହେଉଛନ୍ତି ମାଦଳାପାଞ୍ଜିର ଗାଳଗଳ୍ପ ଓ କୁତ୍ସିତ କିମ୍ୱଦନ୍ତୀର ‘‘ଗୋକର୍ଣ୍ଣବୀର୍ଯ୍ୟରୁ ସମ୍ଭୂତ ରାଣ୍ଡିପୁଅ ଚୋରଗଙ୍ଗ ।’’ ଏବଂ ଚୁଲିରେ ଗୋଡ଼ଜାଳୁଥିବା ଡାଆଁଣୀ ନେତେଈ ଧୋବଣୀର ପୁତୁରା । ଏହି ବୀରୋତ୍ତମ ଗଙ୍ଗଶ୍ୱରଙ୍କ ନିଜ କନ୍ୟା କୌଶଲ୍ୟାଙ୍କ ସହିତ ପାପପ୍ରଣୟ ଥିଲା ବୋଲି ମାଦଳାପାଞ୍ଜି କୁତ୍ସିତ କିମ୍ବଦନ୍ତୀ ପ୍ରକାଶ କରିଛି । ବୀରେନ୍ଦ୍ର କପିଳେନ୍ଦ୍ର ଆଗଙ୍ଗା ଓ ଆକାବେରୀ ଭୂଭାଗର ଅଧୀଶ୍ୱର ହୋଇ ଓଡ଼ିଆ ଶୌର୍ଯ୍ୟର ଶେଷ ନିଦର୍ଶନ ଦେଖାଇଲେ; ମାତ୍ର ମାଦଳାପାଞ୍ଜିରେ ସେ ହୋଇଛନ୍ତି ଗୋରୁଜଗୁଆଳ, ଚୋର ଓ ଖପରାବଟା । ତଥାପି ତା ମାଦଳାପାଞ୍ଜି ହେଉଛି ‘‘ଜାତୀୟ ଇତିହାସ’’ । ଏ ଯୁଗର ସାଂସ୍କୃତିକ ନେତାମାନେ ଏହି ପାଞ୍ଜି ଚୋଡ଼ଗଙ୍ଗଙ୍କ ସମସ୍ତ ଦ୍ଵାଦଶ ଶତାବ୍ଦୀରୁ ଲେଖାହୋଇ ଆସୁଥିଲା ବୋଲି କହି ଓଡ଼ିଆ-ସାହିତ୍ୟ ଓ ଇତିହାସର ମର୍ଯ୍ୟାଦାକୁ ବାରଗୁଣ ବଢ଼ାଇ ଦେଇଛନ୍ତି ! ଗୌଡ଼ବିଜେତା ପ୍ରଥମ ନରସିଂହଦେବଙ୍କ ଓ (ଲାଙ୍ଗୁଳା ନରସିଂହ) ଓ ଯବନଜୟୀ ତୃତୀୟ ଅନଙ୍ଗ ଭୀମଦେବଙ୍କ କୀର୍ତ୍ତିକଥା ବିସ୍ମୃତିଗର୍ଭରେ ଲୁପ୍ତ ହୋଇଛି । କାଞ୍ଚିବିଜୟୀ ପୁରୁଷୋତ୍ତମଦେବଙ୍କ କାଞ୍ଚିବିଜୟକୁ ସତ୍ୟାଶ୍ରିତ ଓ ବାସ୍ତବାଶ୍ରିତ କରା ନ ହୋଇ ରୋମାଞ୍ଚକର ପ୍ରେମଗଳ୍ପରେ ପରିଣତ କରାହୋଇଛି । ଶତଯୁଦ୍ଧବିଜୟୀ ବୀର ହମ୍ୱିରଦେବଙ୍କ ବୀରଗାଥା ସମ୍ପୂର୍ଣ୍ଣରୂପେ ବିସ୍ମୃତ ହୋଇଛି । ମହାବୀର ବୀରଭଦ୍ରଙ୍କ ବୀରଗାଥା କିମ୍ବଦନ୍ତୀରେ ମଧ୍ୟ ସ୍ଥାନ ପାଇ ନାହିଁ । ଲକ୍ଷଣାବତୀ, ମନ୍ଦାରନ, କଟାସିଂ, ସିଂହାଚଳ, ମହେନ୍ଦ୍ରନଗର, କୋଣ୍ଡବିଡ଼ୁ, ମଙ୍ଗଳଗିରି, ଦେବରକୋଣ୍ଡା, ୱାରଙ୍ଗଲ୍ ବେଲାମ୍‍କୋଣ୍ଡା, ନାଗାର୍ଜୁନକୋଣ୍ଡା, ତଙ୍ଗେଦ, ବିଣୁକୋଣ୍ଡା, ଉଦୟଗିରି, ଚନ୍ଦ୍ରଗିରି, କାଞ୍ଚି ଇତ୍ୟାଦି ରଣାଙ୍ଗନମାନଙ୍କରେ ଯେଉଁ ଓଡ଼ିଆ ବୀରମାନେ ପ୍ରାଣତ୍ୟାଗ କରିଥିଲେ, ସେମାନଙ୍କ ବୀରଗାଥା କୀର୍ତ୍ତିତ ହେବା ଦୂରେ ଥାଉ, ଉତ୍ତୁଙ୍ଗ ଓଡ଼ିଆ ସାଂସ୍କୃତିକ ନେତାମାନଙ୍କର ମଧ୍ୟ ଏହି ସ୍ଥାନଗୁଡ଼ିକର ଅବସ୍ଥିତି ସମ୍ୱନ୍ଧରେ ସ୍ପଷ୍ଟ ଧାରଣା ସୁଦ୍ଧା ନାହିଁ । ଅଳ୍ପ ଓଡ଼ିଆ ଗର୍ବକୁ ତୃଣାଗ୍ନିପରି ଜାଳିବାପାଇଁ ଯେତିକି କଥାକଥିତ ଇତିହାସ ଦରକାର ହୁଏ, ସେତିକିକୁ ସମ୍ବଳ କରି ବାଗ୍ମୀବୀରମାନେ ସଭାଗୃହ କମ୍ପମାନ କରନ୍ତି, ଏବଂ ତା’ପରେ ଖବରକାଗଜରେ “ଓଜସ୍ୱିନୀ’’ ଭାଷାରେ ପ୍ରଦତ୍ତ ସେମାନଙ୍କ ‘‘ସାରଗର୍ଭକ’’ ଭାଷଣର ବିବରଣୀ ପଢ଼ି ପରମ ଆନନ୍ଦ ଲାଭକରନ୍ତି । ବିବରଣୀ ସହିତ ମୁଣ୍ଡମାଳା ମଧ୍ୟରେ ଯଦି ଫଟୋଗ୍ରାଫ୍ ପ୍ରକାଶିତ ହୁଏ, ତେବେ ଆନନ୍ଦ ସାର୍ଥକତାର ସୀମାକୁ ମଧ୍ୟ ଟପିଯାଏ ।

 

ଦୂର ଅତୀତକୁ ବାଦ୍ ଦେଲେ ଅଦୂର-ଅତୀତରେ ଯେଉଁ ଓଡ଼ିଆ ବୀରମାନେ ଦେଶମାତୃକା ପାଇଁ ପ୍ରାଣତ୍ୟାଗ କରିଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କର ବୀର-ଗାଥା ସାମାନ୍ୟ ଭାବରେ କୀର୍ତ୍ତିତ ହୋଇଥାଏ । ବକ୍‍ସି ଜଗବନ୍ଧୁ, ବିଦ୍ୟାଧର, ବୀର ସୁରେନ୍ଦ୍ର ସାଏ, ସିଂହଭୂମିର ସ୍ୱାଧୀନତା-ସଂଗ୍ରାମୀ ରାଜା ଅର୍ଜୁନ ସିଂହ, ଚାଖିଖୁଣ୍ଟିଆ, ଚକ୍ର ବିଶୋଇ, ଲକ୍ଷ୍ମଣ ନାୟକ ଇତ୍ୟାଦିଙ୍କ ଜୀବନ-ଚରିତ ଯେତେ ବେଶି ଆଲୋଚିତ ଓ ସତ୍ୟାଶ୍ରିତ ହେବାର କଥା, ତାହା ହୋଇ ନାହିଁ । ୧୮୫୬ ଖ୍ରୀଷ୍ଟାବ୍ଦରେ ସଂଘଟିତ ସିପାହୀ-ବିଦ୍ରୋହ ବା ପ୍ରଥମ ସ୍ଵାଧୀନତା ସଂଗ୍ରାମରେ ରାଜା ଅର୍ଜୁନ ସିଂହ ଯେଉଁ ଅତୁଳନୀୟ ସାହସ ଓ ବୀରତ୍ୱ ଦେଖାଇଥିଲେ, ତାହା ସର୍ବଭାରତୀୟ ସ୍ତରରେ ସ୍ୱୀକୃତ ଓ କୀର୍ତ୍ତିତ ହୋଇଥଲେ ହେଁ ଏହାଙ୍କ ବୀରଗାଥା ଓଡ଼ିଶାରେ ଅଜ୍ଞାତ ହୋଇ ରହିଛି ବୋଲି କହିଲେ ଚଳେ । ଏହି ବୀର ଓଡ଼ିଆ ସିଂହଭୂମିରେ ଜନ୍ମଗ୍ରହଣ କରିଥିବାରୁ ଓ ସିଂହଭୂମି ବର୍ତ୍ତମାନ ବିହାରର ଅଂଶବିଶେଷ ହୋଇଥିବାରୁ ବିହାରୀଭାଇମାନେ ଅର୍ଜୁନ ସିଂହଙ୍କ ଗୁଣାବଳୀ ବହୁଭାବରେ ପ୍ରଚାର କରିଛନ୍ତି । ଏହି ବୀର ଓଡ଼ିଆଙ୍କ ସମ୍ବନ୍ଧରେ ଅବଧି ଯାହା ଲେଖା ହୋଇଛି, ସେ ସମସ୍ତ ସଂଗ୍ରହ କରି ଝଙ୍କାରର ୧୯୭୩ ମସିହା ଶାରଦୀୟ (ଅକ୍ଟୋବର) ସଂଖ୍ୟାରେ ମୁଁ ଗୋଟିଏ ଦାର୍ଘ ପ୍ରବନ୍ଧ ପ୍ରକାଶ କଲି, କିନ୍ତୁ ଓଡ଼ିଆମାନେ ସିଂହଭୂମିକୁ ଓଡ଼ିଆଭାଷୀ ଅଞ୍ଚଳ ବୋଲି ଦାବି କରୁଥିଲେ ହେଁ ଏହି ଶ୍ରେଷ୍ଠ ସ୍ଵାଧୀନତା-ସଂଗ୍ରାମୀ ବୀର ଓଡ଼ିଆଙ୍କ ସ୍ମୃତିପୂଜା ଓଡ଼ିଶାରେ ହେଲା ନାହିଁ, କିମ୍ବା ଏହାଙ୍କ ବୀରଗାଥା କୀର୍ତ୍ତିତ ହେଲା ନାହିଁ । ଆଞ୍ଚଳିକତାର ପରିଧିକୁ ନ ଆସିଲେ କିମ୍ୱା ରାଜନୀତି ସହିତ ଜଡ଼ିତ ନ ହେଲେ କମ୍ବା ବିଦ୍ୱେଷ ବା ବିବାଦ ସହିତ ସଂଶ୍ଲିଷ୍ଟ ନ ହେଲେ, କମ୍ ସ୍ୱ- ସ୍ଵାର୍ଥର ସହାୟକ ନ ହେଲେ, ସତ୍ୟାନୁସନ୍ଧାନ ଦ୍ୱରା ଜାତି-ପ୍ରେମବହ୍ନି ଜାଳିବାକୁ ଓଡ଼ିଆମାନେ ତଥା ଓଡ଼ିଆ ନେତାମାନେ ମୁହଁ ଫିଟାନ୍ତି ନାହିଁ କିମ୍ୱା କଲମ ଉଠାନ୍ତି ନାହିଁ ।

 

ଅତି ନିକଟରେ ଯେଉଁ ଓଡ଼ିଆ ବୀରମାନେ ପ୍ରାଣତ୍ୟାଗ କରିଛନ୍ତି, ସେମାନେ ପ୍ରାୟ ବିସ୍ତୃତ ହେବାକୁ ବସିଲେଣି । ବ୍ରିଟିଶମାନେ ବନ୍ଧୁକ ଦ୍ୱାରା ଓଡ଼ିଶା ଗଡ଼ଜାତ ସମ୍ମିଶ୍ରଣ ଆନ୍ଦୋଳନକୁ ବନ୍ଦ କରିବାରୁ ଯେଉଁ ଦମନାତ୍ମକ ପଦକ୍ଷେପ ନେଇଥିଲେ, ତାହାର ପ୍ରଥମ ଶିକାର ହୋଇଥଲେ ରଣପୁରର ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା । ୧୯୩୯ ମସିହାରେ ରଣପୁରରେ ତତ୍‍କାଳୀନ ପଲଟିକାଲ ଏଜେଣ୍ଡ ବାଜଲଗେଟ୍‍ ନିଜ ପିସ୍ତଲରୁ ଗୁଳି ଫୁଟାଇବା ପରେ ଉତ୍ତ୍ୟକ୍ତ ଜନତା ମଧ୍ୟରେ ମୁଖ୍ୟ ଅଂଶଗ୍ରହଣ କରି ଏହି ବୀର ଓଡ଼ିଆଦ୍ୱୟ ବାଜଲଗେଟଙ୍କୁ ହତ୍ୟା କରିଥିଲେ ଏବଂ ପରେ ୧୯୪୦ ମସିହାରେ ଫାଶିଦଣ୍ଡ ପାଇଥିଲେ । ଜାଲିଆନାବାଲାବାଗରେ ଜେନେରାଲ ଡାୟାର ଗୁଳି ଫୁଟାଇ ନିରସ୍ତ୍ର ଜନତାକୁ ହତ୍ୟା କରିଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ବହୁ ବର୍ଷ ପରେ ଉଧାମ୍ ସିଂହ ପଞ୍ଜାବର ପୂର୍ବତନ ଗଭର୍ଣ୍ଣର ମାଇକେଲ ଡାୟାରକୁ ଲଣ୍ଡନରେ ହତ୍ୟା କଲେ । ଉଧାମ ସିଂହକୁ ଫାଶିଦଣ୍ଡ ମିଳିଲା । ମାତ୍ର ସ୍ଵାଧୀନତା ପରେ ଭାରତ ତାଙ୍କୁ ଯଥାର୍ଥ ସମ୍ମାନ ଦେଖାଇଛି । ତାଙ୍କ ଚିତାଭସ୍ମ ଲଣ୍ଡନରୁ ଆନୀତ ହୋଇ ପୂଜିତ ହୋଇଛି । ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଅନୁରୂପ ଘଟନାଚକ୍ରରେ ଫାଶିଦଣ୍ଡ ପାଇବା ପରେ ସେମାନଙ୍କ କଥା ଓଡ଼ିଆମାନେ ଥରେ ସୁଦ୍ଧା ସ୍ମରଣ କରିନାହାନ୍ତି । ଅତିନିକଟରେ ପ୍ରତିବେଶୀ ବଙ୍ଗରେ ସେମାନଙ୍କ ଆତ୍ମୋତ୍ସର୍ଗର ଅମର କାହାଣୀ ସଂଗୃହୀତ ହୋଇ ପ୍ରକାଶିତ ହେବାକୁ ଯାଉଛି । ଅଳ୍ପଦିନ ହେଲା ଓଡ଼ିଶାର ବର୍ତ୍ତମାନ ସରକାର (ନନ୍ଦିନୀ ସରକାର) ଏମାନଙ୍କ ସ୍ମୃତିରକ୍ଷା ପାଇଁ କେତେକ ପଦକ୍ଷେପ ନେଇ ଧନ୍ୟବାଦାର୍ହ ହୋଇଛନ୍ତି । ନୌବାଳକ ବାଜି ରାଉତଙ୍କ ଅମର ଆତ୍ମୋତ୍ସର୍ଗ ସଚ୍ଚି ରାଉତରାଙ୍କ ଅମର କବିତା ପାଇଁ ଉଜ୍ଜୀବିତ ହୋଇ ରହିଛି । ୧୯୪୨ ମସିହାର ଅଗଷ୍ଟ ଗଣ୍ଡଗୋଳ ସମୟରେ ଓଡ଼ିଶାରେ ଯେଉଁମାନେ ଶହୀଦ୍‍ ହୋଇଥିଲେ ସେମାନଙ୍କ ସ୍ମୃତିପୂଜା ହେଉନାହିଁ, କିମ୍ବା ସେମାନଙ୍କ ଜୀବନକାହାଣୀ ସଂଗୃହିତ ହେଉନାହିଁ । ଓଡ଼ିଶାଭାଷୀ ଅଞ୍ଚଳଗୁଡ଼ିକର ସମ୍ମିଶ୍ରଣ ପାଇଁ ନ୍ୟାଯ୍ୟ ଦାବି କରି ଓ ସରକାରଙ୍କ ପାତରଅନ୍ତର ନୀତିର ପ୍ରତିବାଦ କରି ସୁନୀଲ ଦେ କଟକରେ ଓ ବେଙ୍ଗପାଣିଆ ପୁରୀରେ ପ୍ରାଣଦାନ କଲେ; ମାତ୍ର ସେମାନେ ଓଡ଼ିଆ ଓ ଆନ୍ଦୋଳନ ସହିତ ସଂପୃକ୍ତ ଥିବାରୁ ସେମାନଙ୍କ ସ୍ମୃତିପୁଜା ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ବଙ୍ଗଭଙ୍ଗର ପ୍ରତିବାଦ କରି ଓ ବ୍ରିଟିଶ ଦମନନୀତିର ପ୍ରତିରୋଧ କରି ବାଘାଯତୀନ ଓଡ଼ିଶାର ବାଲେଶ୍ୱରରେ ହିଁ ପ୍ରାଣଦାନ କରିଥଲେ । ତାଙ୍କ ସ୍ମୃତିପୂଜା ଉତ୍ତରୋତ୍ତର ବୃଦ୍ଧିପାଉଛି । ବାଲେଶ୍ୱରର ଗୋଟିଏ ରାପ୍ତା ତାଙ୍କ ନାମରେ ନାମିତ ହୋଇଛି ଏବଂ ବଙ୍ଗରୁ ପ୍ରତିବର୍ଷ ଭକ୍ତ ତୀର୍ଥଯାତ୍ରୀ ମାନେ ବାଲେଶ୍ୱରରୁ ଆସି ଓଡ଼ିଆମାନଙ୍କ ସହିତ ମିଶି ତାଙ୍କର ସ୍ମୃତିପୂଜା କରୁଛନ୍ତି । ବଙ୍ଗ ଦେଶର ଓ ଓଡ଼ିଶାର ସ୍ମୃତିପୂଜାର ପାର୍ଥକ୍ୟ ନ ବୁଝିଲେ, ଏହି ଉଭୟ ଜାତି ବା ରାଜ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ କେହି ବୁଝିପାରିବେ ନାହିଁ ।

 

ଆଧୁନିକ ଓଡ଼ିଆ କବି, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକଙ୍କ ମଧ୍ୟରୁ ଖୁବ୍‍ ଅଳ୍ପ ସଂଖ୍ୟକ ହିଁ ଓଡ଼ିଶାର ଅତୀତକିର୍ତ୍ତୀକୁ ଅବଲମ୍ବନ କରି ସେମାନଙ୍କ ସାହିତ୍ୟ ସୃଷ୍ଟି କରୁଛନ୍ତି । ଯେଉଁମାନେ ଏପରି ଉଦ୍ୟମ କରୁଛନ୍ତି, ସେମାନଙ୍କ ଲେଖାବଳୀ ଅନୁଶୀଳନ କଲେ ଜଣାଯାଏ ଯେ ସେମାନେ ପ୍ରକୃତ ଇତିହାସ ସହିତ ସମ୍ପର୍କ ରଖିନାହାନ୍ତି । ଏପରି ଲେଖା ପ୍ରକାଶ କରିବାକୁ ହେଲେ ଇତିହାସକୁ ଅନୁଶୀଳନ କରିବାର ଯେ ଆବଶ୍ୟକତା ରହିଛି, ଏ କଥା ସାହିତ୍ୟିକମାନଙ୍କ ମନକୁ ସ୍ପର୍ଶକରେ ନାହିଁ । ଆଧୁନିକ ଓଡ଼ିଶାର ଶୂର, ସୂରୀ ଓ ସନ୍ଥପୂଜାକୁ ସମନ୍ୱୟରେ ଅନୁଶୀଳନ କଲେ ଜଣାଯାଏ ଯେ ଅତୀତର ଘନଛାୟା ଓଡ଼ିଶାର ବର୍ତ୍ତମାନକୁ ତମସାଚ୍ଛନ୍ନ କରି ରଖିଛି ଏବଂ ଏହି ତମସାରେ ଓଡ଼ିଆମାନେ ଅଜ୍ଞଅତୀତ ଗର୍ବରେ ଓଡ଼ିଶାକୁ ମାପି କେତେବେଳେ ତାକୁ ଅତି ବଡ଼ ଓ କେତେବେଳେ ତାକୁ ଅତି ସାନ କରି ପକାଉଛନ୍ତି ।

 

ମୋ ସମୟର ଓଡ଼ିଶାରେ ଶୂର, ସୂରୀ, ସନ୍ଥ ଓ ଦେବ-ଦେବୀ ପୂଜାର ସୁଫଳ ନ ବାହାରି କୁଫଳ ବାହାରୁଛି । ଏ ରାଜ୍ୟର ରାମଲୀଳାରୁ ରାମଭକ୍ତି ନ ବାହାରି ବାହାରେ ହତ୍ୟାକାଣ୍ଡ-। ଅତିନିକଟରେ ରାମଲୀଳା ଉପଲକ୍ଷେ କଟକର ଝୋଲାସାହି ଓ ନିମସାହି ମଧ୍ୟରେ ସଂଘର୍ଷ ଘଟି ଜଣେ ନିହତ ଓ ବହୁବ୍ୟକ୍ତି ଆହତ ହୋଇଛନ୍ତି । ଏ ରାଜ୍ୟର ଦେବଦେବୀପୂଜା ଉପଲକ୍ଷେ ଯେଉଁ ଶୋଭାଯାତ୍ରା ବାହାରେ, ସେଥିରୁ ବାହାରେ ଠେଙ୍ଗା, ବାଡ଼ି, ଇଟା, ପଥର, ପୁଲିସର ମୁତୟନ, ଏମ୍ୱୁଲେନ୍‍ସର ଆନୟନ, ସାହି-ସାହି ମଧ୍ୟରେ ଚିରବିବାଦ ଓ ଚିରବିଦ୍ୱେଷ । ଏ ରାଜ୍ୟର ଇତିହାସ ଚର୍ଚ୍ଚାରୁ ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ଗ୍ରନ୍ଥ ନ ବାହାରି ବାହାରେ ଜାଲ ଶିଳା-ଲିପି, ଜାଲ ତାମ୍ରଲିପି ଓ ଜାଲ୍‍ ତାଳପତ୍ର ପୋଥି । ଏ ରାଜ୍ୟରେ କେତେକ ବିବାଦୀୟ ପୂର୍ବସୂରୀମାନଙ୍କୁ ଓଡ଼ିଆ ବୋଲି ପ୍ରମାଣ କରିବାକୁ ଯେଉଁ ଚେଷ୍ଟା କଲେ, ସେଥିରୁ ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ଗ୍ରନ୍ଥ ନ ବାହାରି ବାହାରେ ବିଦ୍ୱେଷ ଓ ନିଷ୍ଫଳ ଆସ୍ଫାଳନ । ଏ ରାଜ୍ୟର ବହୁଳ ସନ୍ଥପୂଜାରୁ ଯେଉଁ ନୈତିକତା ବାହାରେ, ତାହା ହେଉଛି ଭାରତର ସର୍ବନିମ୍ନ ନୈତିକତା । ଓଡ଼ିଶାର ଭଞ୍ଜଜୟନ୍ତୀର ବିଭ୍ରାନ୍ତିକର ପରିପ୍ରଚାରରୁ ବାହାରେ ଭ୍ରାନ୍ତ ଏକପତ୍ନୀବ୍ରତ ଓ ଭ୍ରାନ୍ତ ଅନାବିଳ ପ୍ରେମ । ଏ ସମସ୍ତ ବିଶ୍ଳେଷଣରୁ ସୂଚାଇ ହୁଏ ଯେ ଆମେ କେବଳ ଧର୍ମ ଓ ସଂସ୍କୃତିର ବହିରାବରଣକୁ ହିଁ ପୂଜାକରି ଆସିଛୁଁ । ସତ୍ୟ ହେଉଛି ସର୍ବଧର୍ମ ଓ ସର୍ବସଂସ୍କୃତିର ଜୀବନ ପରି ଏବଂ ଉତ୍ସବ ବା ସମାରୋହ ହେଉଛି ଏମାନଙ୍କ ଶରୀର ପରି । ଆମ୍ଭେମାନେ ଜୀବକୁ ପୂଜା ନ କରି ଶବକୁ ହିଁ ପୂଜା କରୁଛୁଁ ।

 

ଓଡ଼ିଶାରେ ବହୁକାଳରୁ ପାଲା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଓ ପାଣ୍ଡିତ୍ୟର ପ୍ରଚାର ହୋଇଆସିଛି । ଏହା ଜନସାଧାରଣଙ୍କୁ ଆମୋଦ ଓ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟଚର୍ଚ୍ଚାର ସହାୟକ ହୋଇଥାଏ; ମାତ୍ର ପାଲାରେ ଯେଉଁ ପାଣ୍ଡିତ୍ୟ ପ୍ରଦର୍ଶିତ ହୁଏ, ତାହା ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ପାଣ୍ଡିତ୍ୟ ନୁହେଁ । ଭଞ୍ଜକବିତାର ଗୋଟିଏ ପଦକୁ ସାତପ୍ରକାର ଅର୍ଥ କରି ଗାୟକରତ୍ନ ଟିକିଏ ହସନ୍ତି, ଟିକିଏ କାଶନ୍ତି, ନିତମ୍ୱର ରମ୍ୟଚାଳନା କରି ଟିକିଏ ଘୂରିପଡ଼ନ୍ତି ଏବଂ ତା’ପରେ ବିପକ୍ଷ ଗାୟକ ଆଡ଼କୁ ଚଅଁର ବେଣ୍ଟଟିକୁ ଦେଖାଇ ଦିଅନ୍ତି । ଓଡ଼ିଶାରେ ଉତ୍ସବ ସ୍ତରରେ ଏ ସମସ୍ତ ଉପଭୋଗ୍ୟ ହେଉଥିଲେ ହେଁ, ଆନ୍ତର୍ଜାତିକ ସ୍ତରରେ ଏପରି ପାଣ୍ଡିତ୍ୟର ମୂଲ୍ୟ ନାହିଁ । ବିଂଶଶତାବ୍ଦୀର ଶେଷ ଭାଗରେ ଜ୍ଞାନ-ବିଜ୍ଞାନର ଆଲୋକରେ ଉଦ୍ଭାସିତ ପୃଥିବୀର ଓଡ଼ିଶା ନାମକ ଅଖ୍ୟାତ ଅଞ୍ଚଳରେ ଏ ଶ୍ରେଣୀର ପାଣ୍ଡିତ୍ୟର ପୁନଃପ୍ରତିଷ୍ଠା ପାଇଁ ପ୍ରବଳ ଉଦ୍ୟମ ଚାଲିଛି ।

 

ଓଡ଼ିଶାରେ ୩୩ବର୍ଷ ଧରି ଭଞ୍ଜଜୟନ୍ତୀ ଚାଲିଥିଲେ ହେଁ ପ୍ରଧାନ ପୁରୋଧାମାନଙ୍କ ମଧ୍ୟରୁ କେହି ସୁଦ୍ଧା ଭଞ୍ଜସାହିତ୍ୟ ସମ୍ବନ୍ଧରେ ଗବେଷଣାତ୍ମକ ପ୍ରବନ୍ଧଟିଏ କିମ୍ୱା ପୁସ୍ତକଟିଏ ଲେଖିନାହାନ୍ତି । ଉପେନ୍ଦ୍ରଭଞ୍ଜ କିଏ ଥିଲେ, ଏ କଥା ଭାରତ ବା ପୃଥିବୀ ଜାଣେ ନାହିଁ, ଅଥଚ ଭଞ୍ଜଭକ୍ତମାନେ ତାଙ୍କୁ କବିସମ୍ରାଟ ଓ ବିଶ୍ୱକବି ଉପାଧି ଦେଉଛନ୍ତି । ଦିଲ୍ଲୀର କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଯେଉଁ Makers of Indian Literature ନାମକ ଗ୍ରନ୍ଥମାଳା ପ୍ରକାଶିତ ହେଉଛି, ସେଥିରେ ମୋ ଦ୍ୱାରା ଇଂରାଜୀରେ ଲିଖିତ Sarala Dasa ନାମକ ଗ୍ରନ୍ଥଟି ଓଡ଼ିଶା ତରଫରୁ ଏକମାତ୍ର ଗ୍ରନ୍ଥ ହୋଇ ରହିଛି, ଅଥଚ ଏ ଗ୍ରନ୍ଥମାଳାରେ ବଙ୍ଗୀୟ ସାହିତ୍ୟ ସମ୍ବନ୍ଧୀୟ ଚଉଦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । କୌଣସି ଭଞ୍ଜପ୍ରେମୀ ଇଞ୍ଜସମ୍ୱନ୍ଧରେ ଇଂରାଜୀରେ ଗ୍ରନ୍ଥଟିଏ ଲେଖି ଏହି ଗ୍ରନ୍ଥମାଳା ମଧ୍ୟରେ ସନ୍ନିବେଶ କରୁନାହାନ୍ତି କାହିଁକି ? ଭଞ୍ଜଜୟନ୍ତୀ ଭଞ୍ଜପାଲାରେ ପରିଣତ ହୋଇସାରିଲାଣି, କିନ୍ତୁ ଆନ୍ତର୍ଜାତିକ କ୍ଷେତ୍ରରେ ଭଞ୍ଜ ଯେଉଁ ତିମିରରେ ଥିଲେ, ସେହି ତିମିରରେ ଅଛନ୍ତି । ଭଞ୍ଜପ୍ରେମୀମାନେ ଓଡ଼ିଶାକୁ ପୃଥିବୀ ବୋଲି ଧରିନେଇ ନିଜେ ବିଭ୍ରାନ୍ତ ହେଉଛନ୍ତି ଏବଂ ଓଡ଼ିଶାର ଜନତାକୁ ମଧ୍ୟ ବିଭ୍ରାନ୍ତ କରୁଛନ୍ତି । ଭଞ୍ଜଜୟନ୍ତୀ ଆରମ୍ଭର ଏକାଧିକ କାରଣ ରହିଛି । ରାଧାନାଥ ସାହିତ୍ୟଯୁଗରେ କେତେକ ଭଞ୍ଜବିରୋଧୀ ଭଞ୍ଜସାହିତ୍ୟକୁ ଅଶ୍ଲୀଳ ବୋଲି କହି ତୀବ୍ର ସମାଲୋଚନା କଲେ । ଏହା ଭଞ୍ଜଭକ୍ତମାନଙ୍କୁ ବଡ଼ ବାଧିଥିଲା । ଦ୍ୱିତୀୟରେ, କଲିକତା ବିଶ୍ୱବିଦ୍ୟାଳୟର ଏମ୍. ଏ. ଶ୍ରେଣୀର ପାଠ୍ୟପୁସ୍ତକରେ ଅଧ୍ୟାପକ ବିଜୟଚନ୍ଦ୍ର ମଜୁମଦାର ଭଞ୍ଜସାହିତ୍ୟ ସମ୍ବନ୍ଧରେ କେତେକ ପ୍ରତିକୂଳ ମନ୍ତବ୍ୟ ପ୍ରକାଶ କଲେ । ଏହା ମଧ୍ୟ ଭଞ୍ଜପ୍ରେମୀମାନଙ୍କୁ ଉତ୍ତ୍ୟକ୍ତ କରିଥିଲା । ତୃତୀୟତଃ, ଆଜକୁ ପ୍ରାୟ ତେତିଶ ବର୍ଷ ପୂର୍ବେ ଓଡ଼ିଶାର ସୁପରିଚିତ ନେତା ଶ୍ରୀଯୁକ୍ତ ଭୈରବଚନ୍ଦ୍ର ମହାନ୍ତି ଓଡ଼ିଶାରେ ରବିନ୍ଦ୍ର ଜୟନ୍ତୀ ଆରମ୍ଭ କଲେ । ଏ ସମସ୍ତର ପ୍ରତିକ୍ରିୟା ସ୍ୱରୂପ ଭଞ୍ଜଜୟନ୍ତୀର ଆରମ୍ଭ ହୋଇଥିଲା-। ଏହାର ମୂଳଭିତ୍ତି ସତ୍ୟାନୁସନ୍ଧାନ ଉପରେ ପ୍ରତିଷ୍ଠିତ ନ ହୋଇ କ୍ରୋଧ ଉପରେ ହିଁ ପ୍ରତିଷ୍ଠିତ ହୋଇଥିଲା । ଭଞ୍ଜପ୍ରେମୀମାନେ ଭଞ୍ଜସାହିତ୍ୟକୁ ସର୍ବୋକୃଷ୍ଟ ବୋଲି ପ୍ରଚାର କରୁଛନ୍ତି, ମାତ୍ର ଏ ସାହିତ୍ୟରୁ ଯୁବଶକ୍ତିକୁ କେଉଁ ପ୍ରେରଣା ମିଳିବ, ତାହା କହୁନାହାନ୍ତି । ସମଗ୍ର ଭଞ୍ଜସାହିତ୍ୟରେ ଓଡ଼ିଶାର ନଦନଦୀ, ଗିରିବନ, ଇତିହାସ କିମ୍ୱଦନ୍ତୀ, ଅତୀତର ବୀରଗାଥା ବା ସମର ଚିତ୍ରର ଆଭାସ ସୁଦ୍ଧା ନାହିଁ; ମାତ୍ର ଏଥିରେ ନରନାରୀଙ୍କୁ ରତି-ସମର ସୁନିପୁଣ ଭାବରେ ଚିତ୍ରିତ କରାହୋଇଛି । ଉପେନ୍ଦ୍ରଭଞ୍ଜ ଦେଶକାଳର ରସିକ ଓ ରସାଳ କବି ଥିଲେ । ତାଙ୍କୁ ସନ୍ଥରୂପେ ବା ଏକପତ୍ନୀବ୍ରତୀ ରୂପେ ଚିତ୍ରିତ କରିବା, କିମ୍ବା ତାଙ୍କ ରଚନାବଳୀରେ ଥିବା ପ୍ରେମକୁ ଅନାବିଳ ଓ ଅନାସକ୍ତ ବୋଲି ପ୍ରଚାର କରିବା, ସତ୍ୟର ଘୋର ଅପଳାପ ।

 

‘‘ଆଗକୁ ଚାଲ’’ ଏହା ହିଁ ଆଧୁନିକ ଓଡ଼ିଶାର ଧ୍ୱନି ହେବା ଉଚିତ, କିନ୍ତୁ ଓଡ଼ିଶାର ସାଂସ୍କୃତିକ ନେତାମାନେ କହୁଛନ୍ତି ପଛକୁ ଚାଲ । ଶିଳ୍ପ, ବାଣିଜ୍ୟ ଓ କୃଷିକ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଅଗ୍ରସର ହୋଇଚାଲିଛି । ମୋର ଦୃଢ଼ବିଶ୍ୱାସ ଯେ ଅଦୂର ଭବିଷ୍ୟତରେ ଓଡ଼ିଶାରୁ ବହୁ ପରିମାଣରେ ଦାରିଦ୍ର୍ୟ ଦୂର ହୋଇପାରିବ, କିନ୍ତୁ ସାଂସ୍କୃତିକ କ୍ଷେତ୍ରରେ ଏହାର ଦାରିଦ୍ର୍ୟ ଦୂର ହୋଇପାରିବ କି ନା, ଏ ବିଷୟରେ ଘୋର ସନ୍ଦେହ ହେଉଛି । ସର୍ବକ୍ଷେତ୍ରରୁ ଦୁର୍ନୀତି ଦୂର କରିବା ପାଇଁ ପ୍ରବଳ ଊଦ୍ୟମ ଚାଲିଛି; ମାତ୍ର ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରୁ ଦୁର୍ନୀତି ଦୂର କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ଥିବା କଥା ମୁଁ ଜାଣେ ନାହିଁ । ସ୍ଵାଧୀନତା ପରେ ଆମ୍ଭେମାନେ ପ୍ରଗତିପଥରେ ଯେତିକି ଅଗ୍ରସର ହେଉଛୁ, ଆମ୍ଭମାନଙ୍କ ସାଂସ୍କୃତିକ ସଂହତି ସେତିକି ବେଶି କ୍ଷୂର୍ଣ୍ଣ ହେଉଛି । ଯେତେବେଳେ ଭାରତରେ ରାଜନୀତିକ ସଂହତି ନ ଥିଲା, ସେତେବେଳେ ଏ ଦେଶରେ ସାଂସ୍କୃତିକ ସଂହତି ରହିଥିଲା । ଏ ଦେଶର ପୂର୍ବ ସୂରୀମାନେ ଏକ ସାଂସ୍କୃତିକ ସଂହତିକୁ ସୁଦୃଢ଼ କରିଥିଲେ । ସେମାନେ କେଉଁ ଅଞ୍ଚଳର ବ୍ୟକ୍ତି, ଏ ବିଷୟରେ ସେମାନେ ଜାଣି ଜାଣି କୌଣସି ପ୍ରମାଣ ରଖିନାହାନ୍ତି । ଭାରତୀୟ ସଂସ୍କୃତିକୁ ଦାନ କରବା ହିଁ ସେମାନଙ୍କ ଉଦ୍ଦେଶ୍ୟ ଓ ଆନନ୍ଦ ଥିଲା । ଆଜି ସେହି ସୂରୀମାନଙ୍କୁ ଆଞ୍ଚଳିକ ବିବାଦ ଭିତରକୁ ଟାଣି ଅଣାଯାଉଛି, ପୌରାଣିକ ବ୍ୟକ୍ତି ଓ ଭୌଗୋଳିକ ନାମ ମଧ୍ୟ ଆଞ୍ଚଳିକ ବିବାଦର ବିଷୟବସ୍ତୁ ହେଉଛି, ମାତ୍ର ଏହା ମାନିବାକୁ ହେବ ଯେ ଓଡ଼ିଶା ଏ ବିଷୟରେ ଅଗ୍ରଣୀ ନୁହେଁ । ଭାରତର ଅଗ୍ରସର ରାଜ୍ୟମାନଙ୍କରୁ ହିଁ ଏହି ବିବାଦ ପ୍ରଥମେ ବାହାରିଛି ଏବଂ ଓଡ଼ିଆମାନେ ପଛେ ଏଥିରେ ଯୋଗ ଦେଉଛନ୍ତି । ଏପରି ବିବାଦ ଦ୍ଵାରା ଭାରତୀୟ ଏକତା କ୍ଷୁର୍ଣ୍ଣ ହେଉଛି, ମାତ୍ର ଏହାର ନିରାକରଣ ପାଇଁ ସର୍ବଭାରତୀୟ ସ୍ତରରେ କୌଣସି ଉଦ୍ୟମ ହେଉନାହିଁ ।

 

ମୁଁ ଦୀର୍ଘକାଳ ଧରି ଅଧ୍ୟାପନା କରୁଥିବାବେଳେ ଅନୁଭବ କରିଛି ଯେ ଓଡ଼ିଶାର ଯୁବଶକ୍ତିଠାରେ ମେଧା ବା ପ୍ରତିଭାର ଅଭାବ ନାହିଁ । ଆମର ଯୁବକଯୁବତୀମାନେ ଓଡ଼ିଶାର ଓ ଓଡ଼ିଶା ବାହାରର ବିଶ୍ୱବିଦ୍ୟାଳୟମାନଙ୍କରେ ଉଲ୍ଲେଖଯୋଗ୍ୟ କୃତିତ୍ୱ ହାସଲ କରୁଛନ୍ତି । ଜନସଂଖ୍ୟା ଅନୁପାତରେ ସର୍ବଭାରତୀୟ ଚାକିରି ମଧ୍ୟରୁ ଓଡ଼ିଶା ଭାଗରେ ଯେତୋଟି ପଡ଼ିବାର କଥା, ଓଡ଼ିଆପିଲାମାନେ ତା’ଠାରୁ ଅଧିକ ସଂଖ୍ୟକ ଏହି ଶ୍ରେଣୀୟ ଚାକିରି ପାଇପାରୁଛନ୍ତି । ଏଥିରୁ ପ୍ରମାଣିତ ହୃଏ ଯେ ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ମାତ୍ର ଏହି ପ୍ରତିଭାର ପରବର୍ତ୍ତୀ ବିକାଶ ଘଟୁନାହିଁ । ଶ୍ରମ, ନିଷ୍ଠା, ସାଧନା, ସତ୍ୟାଶ୍ରୟିତା, ସର୍ବସଂସ୍କୃତିର ମୂଳଭିତ୍ତି । ଏ ସମସ୍ତ ସାହାଯ୍ୟରେ ହିଁ ଭାରତର ଅନ୍ୟ ରାଜ୍ୟମାନଙ୍କରେ ସଂସ୍କୃତିର ଉନ୍ନତି ଘଟୁଛି, ମାତ୍ର ଓଡ଼ିଶାର ବୟୋଜ୍ୟେଷ୍ଠମାନେ ଏ ସମସ୍ତକୁ ପରିତ୍ୟାଗ କରି ପରିପ୍ରଚାରକୁ ହିଁ ମୁଳଭିତ୍ତି କରୁଛନ୍ତି । ଫଳରେ ତରୁଣମାନଙ୍କ ଆଗରେ ମହତ ଆଦର୍ଶ ରହୁନାହିଁ ।

 

ମୋର ବହୁ ମେଧାଛାତ୍ରଙ୍କ ଶିକ୍ଷା ପରବର୍ତ୍ତୀ ଜୀବନକୁ ଅନୁସରଣ କରି ମୁଁ ଦେଖୁଛି ଯେ ସେମାନଙ୍କ ମଧ୍ୟରୁ କେତେକ ଉଞ୍ଜଜୟନ୍ତୀରେ ଭଞ୍ଜକବିତାର ଆଧ୍ୟାତ୍ମିକ ବ୍ୟାଖ୍ୟା କରୁଛନ୍ତି, କେତେକ ମାଇଚିଆମାନଙ୍କ ପରି “ଜୀବନବନ୍ଧୁ ମାଗୁଣି ମାଗୁଛିରେ ଏତିକି’’ ଇତ୍ୟାଦି ଗାଇ ତାହାର ଆଧ୍ୟାତ୍ମିକତା ପ୍ରତିପାଦନ କରୁଛନ୍ତି, କେତେକ ବାବାଜୀମାନଙ୍କ ଚେଲା ହୋଇଛନ୍ତି, କେତେକ ଭଣ୍ଡଜ୍ୟୋତିଷମାନଙ୍କ ପାଲରେ ପଡ଼ି ସେମାନଙ୍କ ସମସ୍ତ ବିଫଳତା ପାଇଁ ଦୈବ ଓ ଦଶା ଉପରେ ଦୋଷ ଲଦୁଛନ୍ତି । କେତେକ ନିଶା କବଳରେ ପଡ଼ିଛନ୍ତି ଓ କେତେକ ଭଲ ଚାକିରି ପାଇ ସୁଖରେ ଅଛନ୍ତି । ଏମାନଙ୍କ ସ୍ୱାଧିନ ଚିନ୍ତା ଓ ଅନୁସଦ୍ଧିତ୍ସା ଲୋପପାଇଛି । ଏମାନେ ଆଧୁନିକ ଯୁଗର ଆହ୍ୱାନ ଶୁଣୁନାହାନ୍ତି, କିମ୍ୱା ଓଡ଼ିଶା ଯେ ଭାରତର ଅଂଶବିଶେଷ ଓ ଏହାର ଭାଗ୍ୟ ଭାରତ ସହିତ ଯେ ଜଡ଼ିତ ହୋଇଛି, ଏକଥା ଅନୁଭବ କରୁନାହାନ୍ତି ଏମାନେ ଏମାନଙ୍କ ସମସ୍ତ ବିଫଳତା ପାଇଁ ଭାଗ୍ୟ, ଦଶା, ସରକାର ଓ ପ୍ରତିବେଶୀମାନଙ୍କୁ ଦାୟୀ କରୁଛନ୍ତି । କେତେକ ନିଜ ସମ୍ପ୍ରଦାୟର ପ୍ରାଧାନ୍ୟ ପ୍ରତିପାଦନ କରିବାକୁ ଯାଇ କହୁଛନ୍ତି ଯେ ସେଥିରେ ଏକାଧିକ ଶ୍ୱେତାଙ୍ଗ ରହିଲେଣି, କିନ୍ତୁ ସେମାନେ ବୁଝୁନାହାନ୍ତି ଯେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥିବା ବ୍ୟକ୍ତିର ଏବଂ ଐଶ୍ଚର୍ଯ୍ୟର ସୀମାରେଖା ଉପରେ ରହିଥିବା ବ୍ୟକ୍ତିର ମାନସିକ ଭାରସାମ୍ୟ ରହେ ନାହିଁ । ‘ଅତି ସମ୍ପଦ ବାବୁ ମହାବିଷମ’ । ଏଥିପାଇଁ କେତେକ ଶ୍ୱେତାଙ୍ଗ ଗଞ୍ଜାଇ ଟାଣି ଧୂମରସ ପାନ କରୁଛନ୍ତି ଓ କେତେକ ମୃଦଙ୍ଗ ପିଟି ଭକ୍ତିରସ ପାନକରୁଛନ୍ତି । ଏମାନଙ୍କ ଦ୍ୱାରା ଭାରତୀୟ ସଂସ୍କୃତି ଉନ୍ନତ ବା କୃତାର୍ଥ ହେଉଛି ବୋଲି ଭାବିବା ଗୌଣ ମନୋଭାବର ପରିଚାୟକ । ମୁଁ ଏ ସମସ୍ତ ଅନୁଶୀଳନ ଓ ବିଶ୍ଳେଷଣ କରି ଓଡ଼ିଶାର ଆଧୁନିକ ସଂସ୍କୃତି ପାଇଁ ବ୍ୟଥିତ ହୁଏ ଏବଂ ସେଥିପାଇଁ ଏ ସମ୍ବନ୍ଧରେ ଲେଖେ । ଅନ୍ୟଥା ମୁଁ ‘‘ଜ୍ଞାନଦର୍ପରେ ଜ୍ଞାନଦାତାର ଆସନ’’ ନେଉ ନାହିଁ । ମୁଁ ଜଣେ ଅକିଞ୍ଚନ, ଅନୁଶୀଳନ ଓ ବିଶ୍ଳେଷଣରୁ ଯାହା ପାଏ, ତାହାରି ସାହାଯ୍ୟରେ ହରି ପକାଏଁ । ଏହା ମୋର “ଜ୍ଞାନଗୁମାନ ଚାତୁରୀ’’ ନୁହେଁ ।

Image

 

Unknown

ଏକାଦଶ ପରିଚ୍ଛେଦ

ମୋ ସମୟର ଓଡ଼ିଶାରେ ଇତିହାସର ଧାରା

 

ଭାରତର ସଂସ୍କୃତି ଓ ପାଲିସାହିତ୍ୟ ପୃଥିବୀର ଅଦ୍ୱିତୀୟ ସାହିତ୍ୟ । ଏମାନଙ୍କ ସଂଖ୍ୟାତ୍ମକ ଓ ଗୁଣାତ୍ମକ ବିଭବ ଏତେ ବେଶି ଯେ ପୃଥିବୀର ଅନ୍ୟ କୌଣସି ପ୍ରାଚୀନ ସାହିତ୍ୟ ଏମାନଙ୍କ ସମକକ୍ଷ ହୋଇପାରନ୍ତି ନାହିଁ; ମାତ୍ର ଏହି ବିଶାଳ ପ୍ରାଚୀନ ଭାରତୀୟ ସାହିତ୍ୟରେ ଇତିହାସର ସ୍ଥାନ ନାହିଁ । ବେଦ, ବେଦାନ୍ତ, ଉପନିଷଦ, ସ୍ମୃତି ଇତ୍ୟାଦି ଅତି ମହାନ୍‍ ହେଲେ ହେଁ ଏ ସମସ୍ତ ଧାର୍ମିକ ଓ ଦାର୍ଶନିକ ସାହିତ୍ୟ, ଏବଂ ଏମାନଙ୍କ ଇତିହାସ ସହିତ ସମ୍ବନ୍ଧ ନାହିଁ । ରାମାୟଣ-ମହାଭାରତ ପୃଥିବୀର ଶ୍ରେଷ୍ଠତମ ଅନବଦ୍ୟ ମହାକାବ୍ୟ ହେଲେ ହେଁ ଏଗୁଡ଼ିକ ଇତିହାସ ନୁହନ୍ତି । ଅଷ୍ଟାଦଶ ପୁରାଣ ବିବିଧ ଧାର୍ମିକ ଓ ସାହିତ୍ୟିକ ବିଭବରେ ବର୍ଣ୍ଣୋଜ୍ଜ୍ୱଳ ହୋଇଥିଲେ ହେଁ ଏଗୁଡ଼ିକ ଇତିହାସ ନୁହନ୍ତି । କୌଣସି କୌଣସି ସ୍ଥଳରେ ପୁରାଣମାନଙ୍କୁ ‘‘ଇତିହାସଂ ପୁରାତନଂ’’ ବୋଲି ଆଖ୍ୟାତ କରାହୋଇଥିଲେ ହେଁ, ଏ ଗୁଡ଼ିକର କଳ୍ପନା-ବିଳାସ ଓ ଅତିଭୌତିକତା ମଧ୍ୟରେ ଇତିହାସ ଏପରି ବିକଳାଙ୍ଗ ହୋଇପଡ଼ିଛି ଯେ, ବୈଜ୍ଞାନିକ ଜ୍ଞାନାଲୋକରେ ସୁଦ୍ଧା ତାହାର ସତ୍ତା ଖୋଜି ବାହାର କରିବା ସମ୍ଭବପର ହୁଏ ନାହିଁ । ବିଶାଳ ବୌଦ୍ଧ ପାଲି ସାହିତ୍ୟରୁ ମଧ୍ୟ ଅନୁରୂପ ରୀତିରେ ଇତିହାସର ସତ୍ତା ଲୋପପାଇଛି । ମଧ୍ୟଯୁଗର କେବଳ ଦୁଇଟି ସଂସ୍କୃତ ଗ୍ରନ୍ଥକୁ ଇତିହାସ ଶ୍ରେଣୀଭୁକ୍ତ କରାଯାଇଥାଏ । ଏଗୁଡ଼ିକ ହେଉଛି ସପ୍ତମ ଶତାବ୍ଦୀରେ ଲିଖିତ ବାଣଭଟ୍ଟଙ୍କ ହର୍ଷଚରିତ ଓ ଦ୍ଵାଦଶ ଶତାବ୍ଦୀରେ ଲିଖିତ କଲ୍‍ହନ୍‍ଙ୍କ ରାଜତରଙ୍ଗିଣୀ । ଏଥିମଧ୍ୟରୁ ହର୍ଷଚରିତ ହେଉଛି ଇତିହାସ ଓ ଉପନ୍ୟାସର ସମ୍ମିଶ୍ରଣ, ମାତ୍ର ରାଜତରଙ୍ଗିଣୀ ସମ୍ପୂର୍ଣ୍ଣ ଇତିହାସ ଶ୍ରେଣୀଭୁକ୍ତ ।

 

ଭାରତର ବିଶାଳ ପ୍ରାଚୀନ ସାହିତ୍ୟରେ ଇତିହାସ ଖୋଜିବାକୁ ଗଲେ ଏହିପରି ନିରାଶ ହେବାକୁ ପଡ଼େ । କିନ୍ତୁ ଇଉରୋପ, ପଶ୍ଚିମ-ଏସିଆ ଓ ପୂର୍ବ-ଏସିଆର ପ୍ରାଚୀନ ସହିତ୍ୟ ଏପରି ଇତିହାସଶୂନ୍ୟ ନୁହେଁ । ପୃଥିବୀର ବୈଜ୍ଞାନିକ ସଭ୍ୟତାର ଜନ୍ମଦାତା ଗ୍ରୀକ୍‍ମାନେ ହିଁ ଧର୍ମ ଓ ଅତିଭୌତିକତା ନିଗଡ଼ରୁ ମୁକ୍ତ ଏବଂ ବାସ୍ତବତାଶ୍ରୟୀ ଓ ସତ୍ୟାଶ୍ରୟୀ ଇତିହାସର ପ୍ରଥମ ସୃଷ୍ଟିକର୍ତ୍ତା-। ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରେ ହୋମରଙ୍କ ଦ୍ୱାରା ଲିଖିତ ଋମାୟଣ ମହାଭାରତ ପରି ଓଡ଼ିସି ଓ ଇଲିୟଡ଼ ନାମକ ମହାକାବ୍ୟ ତ ଏମାନଙ୍କର ଥିଲା; ତା ଛଡ଼ା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ହେରୋଡ଼ଟାସ୍‍ଙ୍କ ସମୟଠାରୁ ଏମାନଙ୍କ ସତ୍ୟାଶ୍ରିତ ଓ ବାସ୍ତବତାଶ୍ରିତ ଧର୍ମନିରପେକ୍ଷ ଇତିହାସ ସୃଷ୍ଟିର ଆରମ୍ଭ ହୋଇଯାଇଥିଲା । ବସ୍ତୁତଃ ହେରୋଡ଼ଟାସ ହେଉଛନ୍ତି ପୃଥିବୀରେ ବୈଜ୍ଞାନିକରୀତିରେ ଲିଖିତ ଇତିହାସର ପ୍ରତିଷ୍ଠାତା । ଇତିହାସଲିଖନ ପ୍ରଣାଳୀରେ ଗ୍ରୀସୀୟ ପ୍ରଭାବ ପରବର୍ତ୍ତୀ କାଳରେ ପୁରାତନ ଜଗତର ସର୍ବାଞ୍ଚଳରେ ବ୍ୟାପିଯାଇ ଇଉରୋପ ଓ ଏସିଆ ଦେଶମାନଙ୍କୁ ସଂପ୍ରସାରିତ ହୋଇଥିଲା । ପ୍ରତ୍ୟେକ ପାଶ୍ଚାତ୍ୟ ଦେଶର ଅଳ୍ପାଧିକ ଲିଖିତ ଇତିହାସ ରହିଛି ଏବଂ ଐତିହାସିକ ଉପାଦାନମାନ ମଧ୍ୟ ରହିଛି । ଆଧୁନିକ ଯୁଗରେ ସେଇଥିରୁ ହିଁ ସେମାନଙ୍କ ଇତିହାସ ଗବେଷଣା ଦ୍ଵାରା ଗୁନର୍ଗଠିତ ହୋଇ ଋଦ୍ଧିମନ୍ତ ହୋଇଛି । ପ୍ରାଚୀନ ଚୀନ୍‍ଦେଶର ସମ୍ରାଟଙ୍କ ଦରବାରରେ ପ୍ରତ୍ୟହ ଯାହା ଘଟୁଥିଲା, ତାହା ଲିପିବଦ୍ଧ ହେଉଥିଲା । ଏଣୁ ଏ ଦେଶର ଇତିହାସ ଲେଖିବା ପାଇଁ ବିଶେଷ କଷ୍ଟସ୍ୱୀକାର କରିବାକୁ ପଡ଼େ ନାହିଁ । ପଶ୍ଚିମପ୍ରାଚ୍ୟର ଆରବଦେଶମାନଙ୍କରେ, ପାରସ୍ୟରେ, ମିଶରରେ ଓ ଆଫଗାନିସ୍ଥାନରେ ମଧ୍ୟ ଲିଖିତ ଇତିହାସ ରହଛି । ଇସଲାମ୍ ଧର୍ମର ପ୍ରଚାର ଓ ପ୍ରସାର ଏବଂ ତତ୍‍ସମ୍ୱନ୍ଧୀୟ ଘଟନାବଳୀର ଲିପିବଦ୍ଧ ବିବରଣୀ ପ୍ରାଚୀନକାଳରୁ ରହିଆସିଛି । ଅତି ପ୍ରାଚୀନ ସଭ୍ୟତାର ଅଧିକାରୀ କେବଳ ଭାରତର ହଁ ଲିଖିତ ଇତିହାସ ନାହିଁ ।

 

ମୁସଲମାନମାନେ ଯେତେବେଳେ ଭାରତ ଆକ୍ରମଣ କଲେ ଏବଂ ପରେ ଯେତେବେଳେ ଏ ଦେଶରେ ସାମ୍ରାଜ୍ୟ ସ୍ଥାପନ କଲେ, ସେତେବେଳେ ସେମାନେ ଭାରତୀୟମାନଙ୍କ ସହିତ ସେମାନଙ୍କ ଯୁଦ୍ଧବିଗ୍ରହାଦିର ସମସ୍ତ ଘଟନା ଲିପିବଦ୍ଧ କଲେ । ଭାରତରେ ମୁସଲମାନ ଆଧିପତ୍ୟ ପ୍ରାୟ ଛଅଶହବର୍ଷ ରହିଲା, ମାତ୍ର ମୁସଲମାନମାନେ ଇତିହାସ ଲିଖନର ଆଦର୍ଶ ହିନ୍ଦୁମାନଙ୍କ ଆଗରେ ଉପସ୍ଥାପିତ କରିଥିଲେ ହେଁ, ହିନ୍ଦୁମାନେ ସେ ଆଦର୍ଶରୁ ଶିକ୍ଷାଲାଭ କଲେ ନାହିଁ । ଫଳରେ ଏ ସମୟରେ ମୁସଲମାନ ଐତିହାସିକମାନେ ଯାହା ଲେଖିଗଲେ, ତାହା ହିଁ ହେଲା ମୁସଲମାନ ରାଜତ୍ୱକାଳର ଭାରତର ଇତିହାସ । ପରେ ଇଂରେଜମାନେ ଭାରତରେ ସାମ୍ରାଜ୍ୟସ୍ଥାପନ କଲାବେଳେ ସେମାନେ ସୁଦ୍ଧା ଭାରତୀୟମାନଙ୍କ ସହିତ ସେମାନଙ୍କ ସମସ୍ତ ଯୁଦ୍ଧବିଗ୍ରହାଦିର ଘଟନାବଳୀ ଲିପିବଦ୍ଧ କଲେ । ଏଥିରୁ ମଧ୍ୟ ଭାରତୀୟମାନେ କୌଣସି ଶିକ୍ଷାଲାଭ କଲେ ନାହିଁ । ଫଳରେ ମୁସଲମାନ ଓ ବ୍ରିଟିଶ ରାଜତ୍ୱକାଳରୁ ଭାରତର ଇତିହାସ ବିଜେତାମାନଙ୍କ ଦ୍ଵାରା ହଁ ଲିଖିତ ହୋଇଥିଲା । ଏ ଇତିହାସ ପକ୍ଷପାତୀତା ଦୋଷଯୁକ୍ତ ହୋଇଛି, କିନ୍ତୁ ଏଥିପାଇଁ ବିଜେତାମାନଙ୍କୁ ଦାୟୀ କରିବା ଅପେକ୍ଷା ଭାରତୀୟମାନଙ୍କୁ ଦାୟୀ କରିବା ହିଁ ବେଶି ସମୀଚୀନ । ସ୍ୱ-ଶକ୍ତି ଓ ସ୍ୱ-ବିଜୟକୁ ଅତିରଞ୍ଜିତ କରିବା ହିଁ ମାନବ ମନର ସ୍ୱାଭାବିକ ଧର୍ମ । ଏହି ଦୀର୍ଘ ସମୟରେ ହିନ୍ଦୁମାନେ ପାରମ୍ପରିକ ରୀତିରେ ବହୁ ଗ୍ରନ୍ଥ ଲେଖିଯାଇଛନ୍ତି; କିନ୍ତୁ ସେଥିମଧ୍ୟରେ ଇତିହାସ-ଗ୍ରନ୍ଥ ନାହିଁ । କେହି କେହି କହନ୍ତି ଯେ ହିନ୍ଦୁମାନେ ଅତ୍ୟନ୍ତ ଧାର୍ମିକ ଥିବାରୁ ଜାଗତିକ ଘଟନାବଳୀ ପ୍ରତି ଗୁରୁତ୍ୱ ଆରୋପ କରୁ ନ ଥିଲେ । ଏପରି ଉକ୍ତି ସତ୍ୟରେ ପ୍ରତିଷ୍ଠିତ ନୁହେଁ । ହିନ୍ଦୁମାନେ କେବଳ ଧର୍ମ ବିଷୟରେ ଲେଖିନାହାନ୍ତି, ଇତିହାସ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ମଧ୍ୟ ବହୁ ଗ୍ରନ୍ଥ ଲେଖିଛନ୍ତି । ସେମାନେ ଖାଲି ରମଣୀର ମୁଖ ସମ୍ବନ୍ଧରେ ଯାହା ଲେଖିଯାଇଛନ୍ତି ତାକୁ ସଂଗ୍ରହ କଲେ ଗୋଟିଏ ବହୁସହସ୍ର ପୃଷ୍ଠାବିଶିଷ୍ଟ ପୁସ୍ତକ ହେବ । ଖାଲି ଧର୍ମହେତୁ ଯେ ସେମାନେ ଇତିହାସ ଲେଖୁ ନ ଥିଲେ, ଏପରି କହିବା ସମୀଚୀନ ହେବ ନାହିଁ । ବାସ୍ତବତାକୁ ଛାଡ଼ି କଳ୍ପନାର ଡେଣାରେ ଉଡ଼ିବୁଲିବା ଏବଂ ସଭ୍ୟତାକୁ ଛାଡ଼ି ଅଭୌତିକତାକୁ ଆଶ୍ରୟ କରିବା ହିନ୍ଦୁ ସଂସ୍କୃତିର ପ୍ରଧାନ ଲକ୍ଷଣ ।

 

ଇଂରେଜମାନେ ଭାରତ ଅଧିକାର କଲାପରେ ଦେଖିଲେ ଯେ ଭାରତର ପ୍ରାଚୀନ ଗନ୍ତାଘରେ ଇତିହାସ ଛଡ଼ା ସମସ୍ତ ଉପାଦାନ ରହିଛି । ସେମାନେ ଏତେବଡ଼ ପ୍ରାଚୀନ ସଭ୍ୟଦେଶକୁ ପରାଧୀନ କରି ତାକୁ ଶାସନ କଲାବେଳେ ଏହାର ଅତୀତ ଇତିହାସ ଓ ସଂସ୍କୃତିକୁ ହୃଦୟଙ୍ଗମ କରିବା ଏକାନ୍ତ ଆବଶ୍ୟକ ବୋଲି ମନେ କରିଥିଲେ । ଏହି ଆବଶ୍ୟକତାବୋଧରୁ ହିଁ ଆରମ୍ଭ ହେଲା ଭାରତର ପ୍ରାଚୀନ ଇତିହାସକୁ ପୁନର୍ଗଠନ କରିବାର ପ୍ରଚେଷ୍ଠା । ଭାରତର ମୁସଲମାନ ରାଜତ୍ୱ କାଳର ଲିପିବଦ୍ଧ ଇତିହାସ ବିଦ୍ୟମାନ ଥିଲା । ଏଣୁ ଏ ଯୁଗର ଇତିହାସ ଜାଣିବାକୁ ଓ ଲେଖିବାକୁ ସେମାନଙ୍କୁ ବେଶି କଷ୍ଟସ୍ୱୀକାର କରିବାକୁ ପଡ଼ି ନ ଥିଲା । କିନ୍ତୁ ମୁସଲମାନ ରାଜତ୍ୱ ପୂର୍ବରୁ ଭାରତର ଇତିହାସ ସମ୍ପୂର୍ଣ୍ଣ ତିମିରାଚ୍ଛନ୍ନ ଥିଲା । ଏହି ତମିରକୁ ଭେଦ କରିବା ପାଇଁ ସେମାନେ ବୈଜ୍ଞାନିକ ଜ୍ଞାନାଲୋକର ଆଶ୍ରୟ ନେଇଥିଲେ ଏବଂ ସେଇଥିରୁ ହିଁ ଜାତ ହୋଇଥିଲା ପ୍ରତ୍ନତତ୍ତ୍ୱବିଜ୍ଞାନ । ଭାରତୀୟ ପ୍ରାଚୀନ ସାହିତ୍ୟର ବୈଜ୍ଞାନିକ ଆଲୋଚନା, ପ୍ରାଚୀନ ଶିଳାଲେଖ, ତାମ୍ରଲେଖ, ମୁଦ୍ରାଦିର କଷ୍ଟସାଧ୍ୟ ପଠନ ଓ ଅନୁଶୀଳନ, ପ୍ରାଚୀନ ଭାରତରେ ବୈଦେଶିକ ଭ୍ରମଣକାରୀମାନଙ୍କ ଭ୍ରମଣକାହାଣୀର ଅନୁଶୀଳନ, ପ୍ରାଚୀନ କଳା ଓ ସ୍ଥାପତ୍ୟର ଅନୁସନ୍ଧାନ ଓ ସଂରକ୍ଷଣ ଇତ୍ୟାଦି ବିବିଧ ବ୍ୟବସ୍ଥା ଦ୍ୱରା ସେମାନେ ଭlରତର ଅତି ଅତୀତ ତିମିରାଚ୍ଛନ୍ନ ଇତିହାସରେ ଆଲୋକପାତ କରିଥିଲେ । ଭାରତ ଇତିହାସର ଏ ଯେଉଁ ନବୋନ୍ନେଷ ଘଟିଲା, ସେଥିରେ କେବଳ ଇଂରେଜମାନେ ଭାଗ ନେଇ ନ ଥିଲେ; ଜର୍ମାନ୍, ଫରାସୀ, ଓଲନ୍ଦାଜ, ସୁଇଡ଼େନ୍‍ବାସୀ, ରୁଷୀୟ, ଆମେରିକୀୟ ଗବେଷକମାନେ ମଧ୍ୟ ଏହି ନବୋନ୍ନେଷର ଅଗ୍ରଦୂତମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ଭାରତର ଯେଉଁ ଅଞ୍ଚଳମାନଙ୍କରେ ପାଶ୍ଚାତ୍ୟ ଜ୍ଞାନବିଜ୍ଞାନ ପ୍ରଥମେ ଅନୁପ୍ରବେଶ କରିଥିଲା, ସେହି ଅଞ୍ଚଳମାନଙ୍କର ଭାରତୀୟ ପଣ୍ଡିତ ମଧ୍ୟ ଏହି ନବ ଅନୁସନ୍ଧାନରେ ଅଂଶଗ୍ରହଣ କରିଥିଲେ।

 

ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀ ମଧ୍ୟରେ ଭାରତର ପ୍ରାଚୀନ ଇତିହାସ ଏହିପରି ଭାବରେ ପୁର୍ନଗଠିତ ହୋଇ ନୂତନ ଆକାର ଧାରଣ କରିଥିଲା । ଅତୀତର ଅନ୍ଧତମସାକୁ ଭେଦକରି ଭାରତୀୟମାନେ ପ୍ରଥମଥର ପାଇଁ ଦେଖିଲେ ଅତୀତ ଇତିହାସର ଅତୁଳନୀୟ ବିଭବ । ଯେଉଁ ଦେଶ ଏତେବଡ଼ ଅତୀତ ବିଭବର ଅଧୀଶ୍ୱର ଥିଲା, ସେ କଅଣ ମୁଷ୍ଟିମେୟ ବୈଦେଶିକମାନଙ୍କ ପଦାନତ ହୋଇ ଚିରକାଳ ରହିବ ? ଏହି ପ୍ରଶ୍ନ ସେମାନଙ୍କ ମନକୁ ଆଲୋଡ଼ନ କଲା । ଫଳତଃ ଊନବିଂଶ ଶତାବ୍ଦୀରେ ଭାରତର ନବଜାତ ସାସ୍କୃତିକ ଜାଗରଣ ଭାରତୀୟ ଜାତୀୟ ଜାଗରଣର ମୁଖ୍ୟ କାରଣ ହୋଇଥିଲା । ପଣ୍ଡିତମାନଙ୍କ କଷ୍ଟସାଧ୍ୟ ଗବେଷଣାର ଫଳ ରାଜନୀତିକ ନେତାମାନଙ୍କ ପ୍ରେରଣାର ଉତ୍ସ ହୋଇଥିଲା ।

 

ଗବେଷଣା ଦ୍ଵାରା ଇତିହାସ ସଂକଳନ କରିବାର ଧାରା କ୍ରମଶଃ ଭାରତର ସର୍ବତ୍ର ଅବଲମ୍ବିତ ହେଲା । ପ୍ରତ୍ୟେକ ଅଞ୍ଚଳ ଏହି ନବପଦ୍ଧତି ଅବଲମ୍ବନ କରି ଆଞ୍ଚଳିକ ଇତିହାସ ସଂକଳନ କଲେ, ମାତ୍ର ଏ ବିଷୟରେ ଓଡ଼ିଶା ସବା ପଛରେ ପଡ଼ିଗଲା । ନବଯୁଗ ନବପଦ୍ଧତି ଘେନି ଓଡ଼ିଶାର ଦ୍ୱାରଦେଶରେ କରାଘାତ କଲା, ମାତ୍ର ଦ୍ୱାରଦେଶର ରୁଦ୍ଧ ପାଷାଣକପାଟ ଫିଟିଲା ନାହିଁ । ବିଚ୍ଛିନ୍ନ, ବିକ୍ଷିପ୍ତ, ଅର୍ଦ୍ଧସୁପ୍ତ, ଅଶିକ୍ଷିତ, ଦାରିଦ୍ର୍ୟର ଅତଳ ଗହ୍ୱରରେ ପତିତ, ନ୍ୟୁନମନ୍ୟତାବ୍ୟାଧିଗ୍ରସ୍ତ ଓଡ଼ିଆମାନେ ନବଆହ୍ୱାନର ପ୍ରତ୍ୟୁତ୍ତର ଦେଇପାରି ନ ଥିଲେ । ଏହି ସମୟରେ ଯେଉଁ ସାମାନ୍ୟ କେତେଜଣ ଓଡ଼ିଆ ପାରିପାର୍ଶ୍ୱିକ ଅବସ୍ଥାର ଊର୍ଦ୍ଧ୍ୱକୁ ଉଠି ନବଆହ୍ୱାନକୁ କାନଡେରି ଶୁଣିଥିଲେ ସେମାନଙ୍କ ମଧ୍ୟରେ ସ୍ୱର୍ଗତ ପ୍ୟାରୀମୋହନ ଆଚାର୍ଯ୍ୟ ଥିଲେ ଅଗ୍ରଗଣ୍ୟ । ତରୁଣ ବୟସରେ ତାଙ୍କ ଓଡ଼ିଶା ଇତିହାସରେ ସେ ଯେଉଁ ଆଦର୍ଶ ଦେଖାଇଥିଲେ, ତାହା ପରେ ଅନୁସୂତ ହୋଇଥିଲେ, ଓଡ଼ିଶାରେ ଇତିହାସ ସଂକଳନର ଧାରା ଭିନ୍ନରୂପ ଧାରଣ କରିଥାନ୍ତା । ସମାଜ ଓ ସରକାରଙ୍କ ଦ୍ୱାରା ବିତାଡ଼ିତ ଏହି ବିଦ୍ରୋହୀ ଯୁବକ ୧୮୭୫ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ତାଙ୍କ ଓଡ଼ିଶାର ଇତିହାସରେ ଯେଉଁ ଶ୍ରମ, ଚିନ୍ତା, ମନୀଷା ଓ ଅନୁସନ୍ଧିତ୍ସାର ଚିହ୍ନ ରଖିଯାଇଛନ୍ତି, ତାହା ସର୍ବଥା ପ୍ରଶଂସନୀୟ । ତାଙ୍କ ସମୟବେଳକୁ ଖୁବ୍ କମ୍‍ ଐତିହାସିକ ସାମଗ୍ରୀ ଆବିଷ୍କୃତ ହୋଇଥିଲା, ତଥାପି ସେ ଯାହା ପାଇଥିଲେ, ତାକୁ ବୈଜ୍ଞାନିକ ଦୃଷ୍ଟିରୁ ବିଶ୍ଳେଷଣ ଓ ଅନୁଶୀଳନ କରି ତାହାର ସତ୍ୟାସତ୍ୟ ନିର୍ଦ୍ଧାରଣ କରିଥିଲେ । ସେ ସମସ୍ତ ଉପାଦାନକୁ ନିର୍ବିଚାରରେ ଐତିହାସିକ ସତ୍ୟ ବୋଲି ସେ ଗ୍ରହଣ କରି ନ ଥିଲେ । ସେ ମାଦଳାପାଞ୍ଜିକୁ ଐତିହାସିକ ଉପାଦାନ ରୂପେ ଗ୍ରହଣ କରିଥିଲେ ସୁଦ୍ଧା, ତାହାର ଅସତ୍ୟ ଓ ଅଭୌତିକତାକୁ ଏକାଧିକ ଥର ତୀବ୍ର ସମାଲୋଚନା କରିଥିଲେ ।

 

ସମାଲୋଚକ ଓ ଅନୁସନ୍ଧିତ୍ସୁର ଏହି ଦୃଷ୍ଟିଭଙ୍ଗୀ ଓଡ଼ିଆ ଲେଖନୀରୁ ପ୍ରସ୍ତୁତ ପରବର୍ତ୍ତୀ ଓଡ଼ିଶା ଇତିହାସମାନଙ୍କରେ ରହିଲା ନାହିଁ । ସତ୍ୟବାଦୀ ବନବିଦ୍ୟାଳୟର ସାଧକ ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ସ୍ୱର୍ଗତ ଜଗବନ୍ଧୁ ସିଂହଙ୍କ ଲେଖାମାନଙ୍କରେ ଏହି ଦୃଷ୍ଟିଭଙ୍ଗୀ ନାହିଁ । ଏମାନଙ୍କ ଲେଖାରେ ଭାବପ୍ରବଣତା, ନିରପେକ୍ଷତା ଓ ସତ୍ୟତାର ମହତ୍ୱକୁ କ୍ଷୂର୍ଣ୍ଣ କରିଛି । ଏମାନେ ମାଦଳାପାଞ୍ଜିକୁ ଏପରି ନିରାଟ ଓ ଅକାଟ୍ୟ ଐତିହାସିକ ଗ୍ରନ୍ଥ ବୋଲି ଧରି ନେଇଛନ୍ତି ଯେ ତାମ୍ରଶିଳାଲେଖାଦିଠାରୁ ମଧ୍ୟ ଏହାକୁ ଅଧିକ ମୁଲ୍ୟବାନ ଓ ବିଶ୍ୱାସଯୋଗ୍ୟ ବୋଲି ମନେକରିଛନ୍ତି । ଅଥଚ ଏହି ବହୁରୂପୀ ଗ୍ରନ୍ଥର ସ୍ୱରୁପ ନିର୍ଦ୍ଧାରଣ କରିବା ପାଇଁ ସୁଦ୍ଧା ଚେଷ୍ଟା କରିନାହାନ୍ତି । ଶିଶୁସୁଲଭ ବିଶ୍ୱାସପରାୟଣତା ଐତିହାସିକର ସୁଲକ୍ଷଣ ନୁହେଁ: ଐତିହାସିକ ଗୁଇନ୍ଦା ବିଭାଗୀୟ ବିଚକ୍ଷଣ ବୁଦ୍ଧିଜୀବୀ ପରି ଜଣେ ତାର୍କିକ ଜୀବ । ତଥାପି ପଣ୍ଡିତ କୃପାସିନ୍ଧୁ ଓ ସ୍ୱର୍ଗତ ଜଗବନ୍ଧୁଙ୍କ ଐତିହାସିକ ଲେଖ। ଓଡ଼ିଶାର ନବଜାଗରଣରେ ଯଥେଷ୍ଟ ସହାୟକ ହୋଇଥିଲା । ସେମାନେ ଯେତେବେଳେ ଲେଖୁଥଲେ, ସେତେବେଳେ ଓଡ଼ିଶାର ଦୁର୍ଦ୍ଦିନ ଥିଲା, ଏବଂ ଅଜ୍ଞାନତମସା ସମଗ୍ର ରାଜ୍ୟଟିକୁ ଆବୃତ କରି ରଖିଥିଲା । ନବପ୍ରାଣର ସଞ୍ଚାର ପାଇଁ ସେମାନେ ଯାହା କରିଥିଲେ, ସେଥିପାଇଁ ସେମାନେ ନମସ୍ୟ-। ପୂର୍ବପୁରୁଷମାନେ ଯାହା କରିଥାନ୍ତି, ତାକୁ ଅକାଟ୍ୟ, ଅଲଙ୍ଘ୍ୟ ଓ ଅପରିବର୍ତ୍ତନୀୟ ବୋଲି ଯେଉଁ ଜାତି ଭାବେ ଓ ଯୁକ୍ତି କରେ, ସେ ଜାତିର ପଙ୍ଗୁତ୍ୱ ଯାଏ ନାହିଁ । ପୂର୍ବପୁରୁଷମାନେ ଯାହା କରିଯାଇଥାନ୍ତି, ତାହାର କ୍ରମୋନ୍ନିତ ନ ଘଟାଇ ଯେଉଁ ଜାତି ଭୂତସର୍ବସ୍ୱ ହୋଇ ସେମାନଙ୍କ ପ୍ରତି ଖାଲି ପ୍ରଶଂସାମୁଖର ହୁଏ, ସେ ଜାତି ପୂର୍ବପୁରୁଷମାନଙ୍କର ସୁକଲ୍ୟାଣ ପାଏ ନାହିଁ । ପ୍ରଗତିର ରଥଚକ୍ର ଗତିକରି ଚାଲେ । ଯେଉଁ ଜାତି ପୂର୍ବମନୀଷୀମାନଙ୍କୁ “ଗୋରୁମୁଣ୍ଡ’’ ପରି ଥୋଇଦେଇ ଏହି ଗତିକୁ ସ୍ତିମିତ, ବ୍ୟାହତ ବା ଅବରୁଦ୍ଧ କରେ, ସେ ଜାତିର ପ୍ରଗତି ଘଟେ ନାହିଁ । ଓଡ଼ିଶାର ଐତିହାସିକକ୍ଷେତ୍ରର ପୂର୍ବସୂରୀମାନେ ସମସ୍ତେ ନମସ୍ୟ, ମାତ୍ର ଇତିହାସବିଜ୍ଞାନୀ ପ୍ୟାରୀମୋହନଙ୍କ ବିଶ୍ଳେଷଣାତ୍ମକ ମନୀଷୀ ସର୍ବଥା ଅନୁସରଣୀୟ ।

 

ଯେଉଁଦିଗରୁ ବିଚାର କଲେ ଜଣାଯାଏ ଯେ ଓଡ଼ିଶାର ଇତିହାସ ଓ ପ୍ରତ୍ନତତ୍ତ୍ୱ ଗବେଷଣାର ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଭାଗ ନେଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଥିଲେ ଅଣଓଡ଼ିଆ । ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମଧ୍ୟରେ ଥିଲେ ପ୍ରିନ୍‍ସେପ, କିଟୋ, କାନିଂହାମ, ବେଗ୍‌ଲାର୍, ବିମସ୍, ଉଇଲ୍‌ସନ୍‌, ଷ୍ଟୁଆର୍ଟ, ଷ୍ଟାଲିଂ, ଟୟନ୍‍ବି, ହଣ୍ଟର, ବୁହ୍ଲାର, ଷ୍ଟେନ୍‍କନୋ, ହୁଲ୍‍ସ, ଫ୍ଲିଟ, ସେନାର୍ଟ, ସିଲଭାନ ଲେଭି, ଭି.ଏ. ସ୍ମିଥ୍‍ ଫାର୍ଗୁସନ୍‍, ହାବେଲ୍‍, କ୍ୱାଡ଼ିଙ୍ଗଟନ୍‍ ଇତ୍ୟାଦି, ଏବଂ ଭାରତୀୟ ପଣ୍ଡିତମାନଙ୍କ ମଧ୍ୟରେ ଥିଲେ ରାଜେନ୍ଦ୍ରଲାଲ ମିତ୍ର, ହରପ୍ରସାଦ ଶାସ୍ତ୍ରୀ, ମନମୋହନ ଚକ୍ରବର୍ତ୍ତୀ, ମନମୋହନ ଗାଙ୍ଗୁଲୀ, ଗଙ୍ଗାମୋହନ ଲସକର, ନଗେନ୍ଦ୍ର ନାଥ ବସୁ, ରାଖାଲ ଦାସ ବେନାର୍ଜୀ, ବିଜୟ ଚନ୍ଦ୍ର ମଜୁମଦାର, ରମାପ୍ରସାଦ ଚନ୍ଦ, ବେନିମାଧବ ବଡ଼ୁଆ, କେ.ପି. ଜୟସ୍ୱାଲ, ବିସନ୍‍ସ୍ୱରୁପ, ହୀରାଲାଲ ଶାସ୍ତ୍ରୀ, ଡି.ଆର୍. ଭଣ୍ଡାରକର, ଭଗବାନଲାଲ୍‍ ଇନ୍ଦ୍ରଜୀ, ଏସ୍.କେ. ଆୟଙ୍ଗାର ଇତ୍ୟାଦି । ଓଡ଼ିଶା ଇତିହାସର ପୁନର୍ଗଠନର ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଅଣଓଡ଼ିଆମାନଙ୍କ ସଂଖ୍ୟା ସର୍ବୋଚ୍ଚ । ବିନାୟକ ମିଶ୍ର, ପରମାନନ୍ଦ ଆଚାର୍ଯ୍ୟ, ସୁଧାକର ପଟ୍ଟନାୟକ, ନାରାୟଣ ତ୍ରିପାଠୀ, ହରେକୃଷ୍ଣ ମହତାବ, ସତ୍ୟନାରାୟଣ ରାଜଗୁରୁ, ସୂର୍ଯ୍ୟନାରାୟଣ ଦାସ, ପ୍ରଭାତ କୁମାର ମୁଖାର୍ଜୀ, ସୂଶୀଲଚନ୍ଦ୍ର ଦେ, ମନ୍ମଥନାଥ ଦାସ, ଭବାନୀ ଚରଣ ରାୟ, ନବୀନ କୁମାର ସାହୁ ପ୍ରମୁଖ ଓଡ଼ିଆ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକମାନେ ଏଥିରେ ଅଂଶଗ୍ରହଣ କରିଥିଲେ ହେଁ ଷ୍ଟେଲା କେମ୍ଭ୍ରିସ; ପାଶବ୍ରାଉନୁ, ବାସାମ୍‍, ବୋଲଟନ୍ ଓ ଫେବ୍ରୀ ପ୍ରଭୃତି ବୈଦେଶିକ ପଣ୍ଡିତମାନଙ୍କର ଏବଂ ଯଦୁନାଥ ସରକାର, ରମେଶଚନ୍ଦ୍ର ମଜୁମଦାର, ନିର୍ମଳ କୁମାର ବୋଷ, ସୁନୀତି କୁମାର ଚାଟାର୍ଜୀ, ଅନନ୍ତ ପ୍ରସାଦ ବେନାର୍ଜୀ ଶାସ୍ତ୍ରୀ, ଦିନେଶ ସରକାର, ସରସୀ କୁମାର ସରସ୍ୱତୀ, ଓ. ସି. ଗାଙ୍ଗୁଲୀ, ନିହାରରଞ୍ଜନ ରାୟ, ଅମଳାନନ୍ଦ ଘୋଷ, ଦେବଳା ମିତ୍ର, ନୀଳକଣ୍ଠ ଶାସ୍ତ୍ରୀ, ବାହାଦୂର ଚାନ୍ଦ ଛାବ୍ରା, ବି. ବି. ଲାଲ୍‍, ଟି. ଏନ୍ ରାମଚନ୍ଦ୍ରନ୍‌, ସୁବ୍‍ବା ରାଓ, ରାମନୟା ସୁବ୍ରମଣ୍ୟମ୍, ରାମଦାସ, ଭି.ଭି. ମିରାସି, ଏଲ୍. ପି. ପାଣ୍ଡେ ଇତ୍ୟାଦି ଦେଶୀ ପଣ୍ଡିତମାନଙ୍କର ମଧ୍ୟ ଏଥିରେ କମ୍ ଭାଗ ନାହିଁ ।

 

ଯେଉଁ ପଣ୍ଡିତମାନଙ୍କ ଶ୍ରମ ଓ ସାଧନା ଫଳରେ ଓଡ଼ିଶା ଇତିହାସ ସଂକଳନର ପଥ ସୁଗମ ହୋଇଛି, ସେମାନେ ସର୍ବଥା ନମସ୍ୟ । ଏମାନଙ୍କ ମଧ୍ୟରୁ କେହି କେହି ଯଦି ଆଞ୍ଚଳିକତା ଦୋଷରେ ଦୋଷୀ ହୋଇଥାନ୍ତି, ତେବେ ସେହି ଦୋଷକୁ ସେହି ସେହି ବ୍ୟକ୍ତି ମାନଙ୍କଠାରେ ହିଁ ଆରୋପ କରିବା ଉଚିତ । କେତେଜଣଙ୍କ ଦୋଷ ପାଇଁ ସମସ୍ତଙ୍କୁ ଦୋଷୀ କରିବା ସୁସ୍ଥ ମାନସିକ ଲକ୍ଷଣ ନୁହେଁ । ଆମର ଅଧିକାଂଶ ପ୍ରତିବେଶୀ ସାଧକ, ଗବେଷକ ଓ ଐତିହାସିକଙ୍କୁ ଓଡ଼ିଶାର ସ୍ଵାର୍ଥଦ୍ୱେଷୀ ବୋଲି ନିର୍ବିଚାରରେ ପ୍ରଚାର କରିବା ଦ୍ୱାରା ଓଡ଼ିଶା ଇତିହାସର ପୁନର୍ଗଠନଧାର ସ୍ତିମିତ ହୋଇପଡ଼ିଛି । ଆଗେ ଆମର ପ୍ରତିବେଶୀ ପଣ୍ଡିତମାନେ ଆମ ଐତିହାସିକ ସାମଗ୍ରୀର ବିଶ୍ଳେଷଣ କରି ଯେପରି ପୁସ୍ତକ ଓ ପ୍ରବନ୍ଧାଦି ପ୍ରକାଶ କରୁଥିଲେ, ବର୍ତ୍ତମାନ ଆଉ ସେପରି କରୁନାହାନ୍ତି । ଭାରତରେ ବ୍ରିଟିଶ୍‍ ସାମ୍ରାଜ୍ୟର ଅବସାନ ଘଟିବା ପରେ ପାଶ୍ଚାତ୍ୟ ପଣ୍ଡିତମାନେ ମଧ୍ୟ ଭାରତ ତଥା ଓଡ଼ିଶା ଇତିହାସର ପୁନର୍ଗଠନ ଦିଗରେ ଆଉ ବେଶି ଉତ୍ସାହୀ ହେଉନାହାନ୍ତି ।

 

ଫଳରେ ଓଡ଼ିଶା ଇତିହାସର ପୁନର୍ଗଠନର ଦାୟିତ୍ୱ ମୁଖ୍ୟତଃ ଓଡ଼ିଆମାନଙ୍କ ଉପରେ ହିଁ ପଡ଼ିଛି । ଏହି ଦାୟିତ୍ୱକୁ ଆମ୍ଭେମାନେ କିପରି ତୁଲାଇଛୁ, ତାହା ବର୍ତ୍ତମାନ ଚିନ୍ତା କରିବାର କଥା । ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ତିରିଶ ବର୍ଷରୁ ଅଧିକ ହେବ ଯେଉଁ ପ୍ରୟାସ କରି ଆସିଛନ୍ତି, ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହି ପ୍ରୟାସ ଫଳସ୍ଵରୁପ ପୂର୍ଣ୍ଣାଙ୍ଗ ଇତିହାସର ଯେଉଁ ପ୍ରଥମ ଓ ଷଷ୍ଠଖଣ୍ଡ ବାହାରିଛି, ତାହା ଆନ୍ତର୍ଜାତିକ ସ୍ତରରେ ଗ୍ରହଣଯୋଗ୍ୟ ହୋଇପାରି ନାହିଁ । ଏଥିମଧ୍ୟରୁ ପ୍ରଥମ ଖଣ୍ଡଟିରେ ଓଡ଼ିଶାର ଅତିପ୍ରାଚୀନ ଇତିହାସକୁ ପରିବେଷଣ କରିବା ପାଇଁ ଚେଷ୍ଟା କରାଯାଇଛି । ଗ୍ରନ୍ଥଟି ଏପରି ଭାବରେ ଲେଖି ବୃହଦବୟବ କରାଯାଇଛି ଯେ ଏହା ଭିତରୁ ଇତିହାସ ଖୋଜି ବାହାର କରିବା ବିଶେଷଜ୍ଞମାନଙ୍କ ପକ୍ଷରେ ମଧ୍ୟ ସମ୍ଭବପର ହୁଏ ନାହିଁ । ଲେଖକ ଡକ୍‍ଟର ନବୀନ କୁମାର ସାହୁ ଜାଣିଛନ୍ତି, ଯାହା ଭାବିଛନ୍ତି ଓ ଯାହା ପାଇଛନ୍ତି, ସେ ସମସ୍ତକୁ ସନ୍ନିବେଶ କରି ପୁସ୍ତକର କଳେବର ବୃଦ୍ଧି କରିଛନ୍ତି । କିନ୍ତୁ କେମ୍ୱ୍ରିଜ, ଅକ୍‍ସଫୋର୍ଡ ଓ ଭାରତୀୟ ବିଦ୍ୟାଭବନରୁ ବାହାରିଥିବା ଭାରତ-ଇତିହାସ ପରି ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସକୁ ମଧ୍ୟ ସରଳ ଓ ସହଜ କରି ବିଶେଷଜ୍ଞ ତଥା ସାଧାରଣ ପାଠକଙ୍କୁ ପରିବେଷଣ କରିବା ଓଡ଼ିଶା ଇତିହାସ ସଙ୍କଳନର ମୁଳ ଉଦ୍ଦେଶ୍ୟ ଥିଲା । ଡକ୍‍ଟର ସାହୁ ଏ ଗ୍ରନ୍ଥ ଲେଖିବାବେଳେ ପୃଥିବୀର କୌଣସି ଧାରାବାହିକ ଇତିହାସର ଆଦର୍ଶ ଗ୍ରହଣ କରିନାହାନ୍ତି କିମ୍ବା ପୃଥିବୀ ଯେ ଓଡ଼ିଶାଠାରୁ ବଡ଼, ଏ ଧାରଣା ସେ ମନରୁ ଆଣିନାହାନ୍ତି । ପ୍ରକାଶକମାନେ ମଧ୍ୟ ଏ ଇତିହାସ ପ୍ରତି ପୃଥିବୀର ପ୍ରତିକ୍ରିୟାକୁ କଳନା କରିବା ପାଇଁ ଚେଷ୍ଟା କରିନାହାନ୍ତି । ଡକ୍‍ଟର ସାହୁଙ୍କ ଓଡ଼ିଶାର ଇତିହାସ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତବ୍ଦୀରେ ଶେଷ ହୋଇଥିବାରୁ ଓଡ଼ିଶାର ସମଗ୍ର ଇତିହାସ ଲେଖିବା ବର୍ତ୍ତମାନ ସୁଦ୍ଧା ବାକି ଅଛି ।

 

ଏଣୁ ପ୍ରାଚୀନପନ୍ଥୀମାନେ ବର୍ତ୍ତମାନ ସୁଦ୍ଧା “କେଶରୀମାନଙ୍କ’’ ସାହାଯ୍ୟରେ ଓଡ଼ିଶା ଇତିହାସର ବ୍ୟାଖ୍ୟା କରୁଛନ୍ତି । ଓଡ଼ିଶାରୁ ମାଦଳାପାଞ୍ଜିର ଯୁଗ ଯାଇ ନାହିଁ । ମାଦଳାପାଞ୍ଜିର ଯେ ସ୍ଵରୁପ କଅଣ, ତାହା କେହି ନିର୍ଦ୍ଧାରଣ କାରନ୍ତି ନାହିଁ । ପୁରୀରେ ଏପରି ଲୋକ ଅଛନ୍ତି, ଯେଉଁମାନେ କି ପଇସା ପାଇଲେ ପୃଥିବୀର ଇତିହାସ ମଧ୍ୟ ତାଳପତ୍ର ପୋଥିରେ ଲେଖିଦେଇ ପାରିବେ । ମାଦଳାପାଞ୍ଜି ସେମାନଙ୍କ ଲେଖନୀରୁ ପ୍ରସ୍ତୁତ । ଏହି ନାମରେ ଯେତେଖଣ୍ଡ ପୋଥି ମିଳିଛି, ସେଗୁଡିକ ମଧ୍ୟରୁ କାହାରି ସହିତ କାହାରି ମେଳ ନାହିଁ । ଷ୍ଟାର୍ଲିଂ, ହଣ୍ଟର, କୃପାସିନ୍ଧୁ ମିଶ୍ର, ଜଗବନ୍ଧୁ ସିଂହ, ରମାପ୍ରସାଦ ଚନ୍ଦ୍ର, ଅର୍ତ୍ତବଲ୍ଲଭ ମହାନ୍ତି ଏବଂ ଏଲିସ୍‍, ବୋନାର, ସଦାଶିବ ରଥଶର୍ମା ଓ ରାଜେନ୍ଦ୍ରପ୍ରସାଦ ଦାସଙ୍କ ଦ୍ଵାରା ବ୍ୟବହୃତ ହୋଇଥିବା ପୋଥିମାନଙ୍କ ମଧ୍ୟରୁ କାହାରି ସହିତ କାହାରି ମେଳ ନାହିଁ । ଏଥିମଧ୍ୟରୁ କେତୋଟି ଉଦାହରଣ ଦେଇ ମୋର ବକ୍ତବ୍ୟକୁ ସ୍ପଷ୍ଟ କରୁଛି । ଷ୍ଟାର୍ଲିଂଙ୍କ ମାଦଳାପାଞ୍ଜିରେ କେଶରୀବଂଶର ରଜା ସଂଖ୍ୟା ଥିଲା ୩୬; ହଣ୍ଟରଙ୍କ ପାଞ୍ଜିରେ ଏମାନଙ୍କ ସଂଖ୍ୟା ହେଲା ୪୪, କୃପାସିନ୍ଧୁ ମିଶ୍ର ଓ ଜଗବନ୍ଧୁ ସିଂହଙ୍କ ଦ୍ୱାରା ବ୍ୟବହୃତ ଏହି ଗ୍ରନ୍ଥରେ କେଶରୀମାନଙ୍କ ସଂଖ୍ୟା ଆହୁରି ବଢ଼ିଗଲା ଏବଂ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସଂକଳିତ ଓ ପ୍ରକାଶିତ ମାଦଳାପାଞ୍ଜିରେ ଏମାନଙ୍କ ସଂଖ୍ୟା ହେଲା ୬୫ । ଆର୍ତ୍ତବଲ୍ଲଭଙ୍କ ଦ୍ୱାରା ପ୍ରକାଶିତ ପାଞ୍ଜିର କେଶରୀମାନଙ୍କ ମଧ୍ୟରୁ ଅନେକ କେଶରୀରାଜାଙ୍କ ନାମ ପୂର୍ବୋକ୍ତ ପଣ୍ଡିତମାନଙ୍କ ଦ୍ୱାରା ବ୍ୟବହୃତ ପାଞ୍ଜିରେ ନାହିଁ ଏବଂ ପୂର୍ବୋକ୍ତ ପଣ୍ଡିତମାନଙ୍କ ପାଞ୍ଜିର କେତେକ କେଶରୀ ରାଜା ଆର୍ତ୍ତବଲ୍ଲଭଙ୍କ ପାଞ୍ଜିରେ ନାହିଁ । ଏଣୁ ସ୍ଥୂଳଭାବରେ ବିଚାର କଲେ ଦେଖାଯାଏ ଯେ, ୧୮୨୨ ମସିହାରେ ପ୍ରକାଶିତ ଷ୍ଟାର୍ଲିଂଙ୍କ ପୁସ୍ତକର ୩୬ଟି କେଶରୀ ରାଜା ୧୯୪୦ ବେଳକୁ ବଢ଼ି ବଢ଼ି ୬୫ରେ ପହଞ୍ଚିଛି । ମାଦଳାପାଞ୍ଜି ଅନେକଙ୍କର କଳ୍ପତରୁ ବା କୁହକପେଡ଼ି ହୋଇଛି । ଯେତେବେଳେ ଯେ ଯାହା ଚାହିଁଲା, ସେତେବେଳେ ସେ ସେଇଥିରୁ ହିଁ ତାହା ପାଇଛି ।

 

ସ୍ୱର୍ଗତ କୃପାସିନ୍ଧୁ ମିଶ୍ର କୋଣାର୍କ ପୁସ୍ତକ ଲେଖିଲେ । ଅତଏବ କୋଣାର୍କ ସମ୍ବନ୍ଧୀୟ ବହୁ ଉପାଦାନ ତାଙ୍କୁ ମାଦଳାପାଞ୍ଜିରୁ ହଁ ମିଳିଗଲା । କୋଣାର୍କ ମନ୍ଦିରର ସୂର୍ଯ୍ୟଦେବତାଙ୍କ ପୂଜାପ୍ରକରଣରେ ପ୍ରତିଦିନ ଯାହା ଖର୍ଚ୍ଚ ହେଉଥିଲା, ପଣ୍ଡିତ ମିଶ୍ର ତାହାର ଟିକିନିଖି ହିସାବ ତାଙ୍କ କୋଣାର୍କ ପୁସ୍ତକରେ ପ୍ରକାଶ କରିଛନ୍ତି, ଏଥଚ ଅବଧିପ୍ରାପ୍ତ ମାଦଳାପାଞ୍ଜିର ଅନ୍ୟ କୌଣସି ତାଳପତ୍ର ପୋଥିରେ ଏପରି ହିସାବର ଆଭାସ ସୁଦ୍ଧା ନାହିଁ । ଡକ୍‍ଟର ଏଲିସ୍‍, ବୋନର, ପଣ୍ଡିତ ସଦାଶିବ ରଥଶର୍ମା ଓ ଅଧ୍ୟାପକ ରାଜେନ୍ଦ୍ର ପ୍ରସାଦ ଦାସ ସେମାନଙ୍କ ଦ୍ୱାରା ଇଂରାଜୀରେ ଲିଖିତ ବିଶାଳ କୋଣାର୍କ ପୁସ୍ତକରେ କେତେକ ନୂତନ ତଥ୍ୟ ପରିବେଷଣ କରିବାର ଆବଶ୍ୟକତା ଅନୁଭବ କଲେ । ଏଣୁ ଏହି ଆବଶ୍ୟକତା ଅନୁସାରେ ମାଦଳାପାଞ୍ଜିରୁ ରାମଚନ୍ଦ୍ରଦେବଙ୍କ ଅମଳର କୋଣାର୍କ ସମ୍ୱନ୍ଧୀୟ ଦସ୍ତଖତଯୁକ୍ତ ରିପୋର୍ଟଟି ପାଇଗଲେ; ଅଥଚ ଅବଧିପ୍ରାପ୍ତ ମାଦଳାପାଞ୍ଜିର ଅନ୍ୟ କୌଣସି ତାଳପତ୍ର ପୋଥିରେ ଏପରି ରିପୋର୍ଟର ଆଭାସ ସୁଦ୍ଧା ନାହିଁ । ମାଦଳାପାଞ୍ଜି ନାମକ ନିଶ୍ଚୟ କୌଣସି ଗ୍ରନ୍ଥ ଥିଲା; ମାତ୍ର ଯୋଗବିୟୋଗ ଦ୍ଵାରା ତାହାର ଅଙ୍ଗବୃଦ୍ଧି ବା ଅଙ୍ଗଛେଦ ଏପରି ଭାବରେ କରାଯାଇଛି ଯେ ତାହାର ମୌଳିକତା ସମ୍ପୂର୍ଣ୍ଣରୂପେ ଧ୍ୱଂସପାଇଛି । ଆମର ପୂର୍ବପୁରୁଷମାନେ ଯାହା ଲେଖିଥିଲେ, ପରବର୍ତ୍ତୀ ପୁରୁଷମାନେ ପଣ୍ଡିତ ବୋଲାଇବା ପାଇଁ ତାକୁ ଧ୍ୱଂସ କରିଛନ୍ତି ।

 

କୌଣସି ତାଳପତ୍ର ପୋଥିର ରୂପ ଦେଖି ତାକୁ ପ୍ରାଚୀନ ଓ ମୌଳିକ ବୋଲି କହିବା ବା ଭାବିବା ନିତାନ୍ତ ଅଯୌକ୍ତିକ । ଏକାଧିକ ଉପାୟରେ ତଥାକଥିତ ପ୍ରାଚୀନ ପୋଥି ସୃଷ୍ଟି କରାଯାଇପାରେ । ଏଥିମଧ୍ୟରୁ ସହଜ ଉପାୟ ହେଉଛି ପ୍ରାଚୀନ ପୋଥିମାନଙ୍କରେ ଥିବା ଅଲେଖା ତାଳପତ୍ର ସଂଗ୍ରହ କରି ଓ ସେମାନଙ୍କ ଉପରେ ଯାହା ଇଚ୍ଛା ତାହା ଲେଖି, ତାକୁ ପ୍ରାଚୀନ ଗ୍ରନ୍ଥ ବୋଲି ପ୍ରଚାର କରିବା । ଦ୍ୱିତୀୟ ଉପାୟଟି ଏହି ଯେ ନୂତନ ତାଳପତ୍ରମାନଙ୍କରେ ଯାହା ଇଚ୍ଛା ତାହା ଲେଖି ଦେଇ ସେଗୁଡ଼ିକୁ ଗୋବରଗଦାରେ ପୋତିଦେଲେ ସେଗୁଡ଼ିକ ପୁରାତନ ଆକାର ଧାରଣ କରେ । ଅତି ପ୍ରାଚୀନ ବୋଲି ପ୍ରମାଣ କରିବାକୁ ଇଚ୍ଛା କଲେ, ନୂତନ ତାଳପତ୍ରମାନଙ୍କ କଡ଼ଗୁଡ଼ିକୁ ନିଆଁ ସାହାଯ୍ୟରେ ଅର୍ଦ୍ଧଦଗ୍‍ଧ କରାଯାଏ । ତୃତୀୟ ଉପାୟ ହେଉଛି ନୂତନ ତାଳପତ୍ରଗୁଡ଼ିକୁ ଚୁଲୀମୁଣ୍ଡରେ ଟାଙ୍ଗିଦେବା । ଏହି ଉପାୟରେ ମଧ୍ୟ ନୂତନ ପୋଥିକୁ ପୁରାତନ ରୂପ ଦିଆଯାଇପାରେ । ନୂତନ ତାଳପତ୍ର ଲେଖାକୁ କଞ୍ଚାନଡ଼ିଆ ଚୋପା ଓ ଆମ୍ୱଛାଲିର ପାଣିରେ କିଛଦିନ ବୁଡ଼ାଇ ରଖିଲେ ତାହା ମଧ୍ୟ ପୁରାତନରୂପ ଧାରଣ କରେ । ଅତଏବ ଜାଲ୍‍ ପ୍ରାଚୀନପୋଥି ପ୍ରସ୍ତୁତ କରିବା ଗୋଟିଏ କଷ୍ଟସାଧ୍ୟ ବ୍ୟାପାର ନୁହେଁ । ଏଣୁ କୌଣସି ପୋଥି ବା ଅଭିଲେଖର ରୂପ ଦେଖି ତାକୁ ପ୍ରାଚୀନ ବୋଲି କୁହାଯାଏ ନାହିଁ । ଐତିହାସିକ ଉପାଦାନମାନଙ୍କ ଅନ୍ତର୍ନିହିତ ବିଷୟବସ୍ତୁକୁ ବିଶ୍ଳେଷଣ କରିବା ପରେ ହିଁ ସେଗୁଡ଼ିକୁ ପ୍ରାଚୀନ ବା ଅର୍ବାଚୀନ ବୋଲି ନିଦ୍ଧାରଣ କରାଯାଏ । ଡକ୍‍ଟର ବୋନାର, ପଣ୍ଡିତ ରଥଶର୍ମା ଓ ଅଧ୍ୟାପକ ଦାସଙ୍କ ଦ୍ଵାରା ଇଂରାଜୀରେ ଲିଖିତ ଉଲ୍ଲିଖିତ କୋଣାର୍କ ପୁସ୍ତକରେ ବ୍ୟବହୃତ ହୋଇଥିବା ତାଳପତ୍ର ପୋଥିଗୁଡ଼ିକୁ ଡକ୍‍ଟର କରୁଣା ସାଗର ବେହେରା ଅର୍ବାଚୀନ ବୋଲି କିପରି ପ୍ରମାଣ କରିଛନ୍ତି, ସେଥିରୁ କେତୋଟିର ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା ।

 

ତଥାକଥିତ ‘‘ବୟଚକଡ଼ା”ରେ ଲାଙ୍ଗୁଳା ନରସିଂହଦେବଙ୍କ (ପ୍ରଥମ ନରସିଂହ ଦେବଙ୍କ) ଯେଉଁ ଉପାଧି ଓ ରାଜତ୍ୱକାଳ ଦିଆଯାଇଛି, ତାହା ଇତିହାସ ସହିତ ମେଳ ଖାଏ ନାହିଁ । ନରସିଂହଦେବଙ୍କ ବହୁବର୍ଷ ପରେ କପିଳେନ୍ଦ୍ରଦେବ ଗୁଲବର୍ଗ ଆକ୍ରମଣ କରି କଳବର୍ଗେଶ୍ୱର ଉପାଧି ଧାରଣ କରିଥିଲେ; ମାତ୍ର ଉଲ୍ଲିଖିତ ତାଳପତ୍ର ପୋଥି ବୟଚକଡ଼ାରେ ପ୍ରଥମ ନରସିଂହଦେବଙ୍କୁ କଳବର୍ଗେଶ୍ୱର ଉପାଧି ଦିଆଯାଇଛି । ଲାଙ୍ଗୁଳା ନରସିଂହଦେବଙ୍କ ରାଜତ୍ୱକାଳରେ ବାହମନି ରାଜ୍ୟ ଓ ତାହାର ପ୍ରଥମ ରାଜଧାନୀ ଗୁଲବର୍ଗର ଅବସ୍ଥିତି ସୁଦ୍ଧା ନ ଥିଲା । ବୟଚକଡ଼ା ପୋଥି ପୂର୍ବେ କୌଣସିଠାରେ ଆବିଷ୍କୃତ ହୋଇ ନ ଥିଲା । ଏଥିରେ କେତେକ ମୁସଲମାନୀ ଶବ୍ଦ ବ୍ୟବହୃତ ହୋଇଛି, ଯାହା କି ଲାଙ୍ଗୁଳା ନରସିଂହଙ୍କ ସମୟରେ ଓଡ଼ିଶାରେ ବ୍ୟବହୃତ ହୋଇଥିବା ସମ୍ଭବପର ନୁହେଁ । ଏ ପୋଥିରେ କୁହାଯାଇଛି ଯେ କୋଣାର୍କ ମନ୍ଦିରରେ ବ୍ୟବହୃତ ହୋଇଥିବା ଲୁହାକଡ଼ିମାନଙ୍କରେ ସୀମା ମିଶ୍ରିତ ହୋଇଥିଲା, ମାତ୍ର ଲେବ୍ରେଟରୀରେ ଏହି କଡ଼ିମାନଙ୍କ ଅଂଶବିଶେଷକୁ ତିନିଥର ପରୀକ୍ଷାକରି ତିନିଜଣ ବିଶେଷଜ୍ଞ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ ଜଣାଯାଏ ଯେ କୋଣାର୍କର ଲୁହାକଡ଼ିମାନଙ୍କରେ ସୀସାର ଆଭାସ ପର୍ଯ୍ୟନ୍ତ ନାହଁ । ଏ ପୋଥିରେ ବିଡ଼ାଣସୀ, ମୟୁରଭଞ୍ଜ, ଖିଚିଙ୍ଗ, ପାହାଡ଼ପୁର ଇତ୍ୟାଦି ନାମର ଉଲ୍ଲେଖ ରହିଛି: ମାତ୍ର ଲାଙ୍ଗୁଳା ନରସିଂହଙ୍କ ସମୟରେ ଏ ସମସ୍ତର ନାମ ଭିନ୍ନପ୍ରକାର ଥିଲା । ବିଡ଼ାଣସୀ, ମୟୁରଭଞ୍ଜ, ଖିଚିଙ୍ଗ ଓ ପାହାଡ଼ପୁରର ପ୍ରାଚୀନ ନାମ ଯଥାକ୍ରମେ ବାରାଣସୀ, ଭଞ୍ଜଭୂମି, ଖିଚିଙ୍ଗ ଓ ସୋମପୁର ଥିଲା । ଏହି ପୋଥିରେ ଯେଉଁ ଶକାବ୍ଦ ଦିଆଯାଇଛି, ତାକୁ ଗ୍ରହଣ କରାଗଲେ ପ୍ରଥମ ନରସିଂହଦେବଙ୍କ ରାଜତ୍ୱ ୧୨୪୩ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ବୋଲି ମାନବାକୁ ପଡ଼ିବ । ମାତ୍ର ତାମ୍ରଶିଳାଲେଖରୁ ନିଶ୍ଚିତ ଭାବରେ ଜଣାଯାଇଛି ଯେ ଲଙ୍ଗୁଳାନରସିଂହଙ୍କ ରାଜତ୍ୱ ୧୨୩୪ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା । ଏ ପୋଥିରେ ଦିଲ୍ଲୀଶ୍ୱରାବ୍ଦ ବା ସାଲ ବ୍ୟବହୃତ ହୋଇଛି; ମାତ୍ର ଓଡ଼ିଶାରେ ସାଲର ବ୍ୟବହାର ବହୁ ପରବର୍ତ୍ତୀ ଘଟନା । ଏହିସବୁ କାରଣରୁ ଏ ପୋଥି ନିଶ୍ଚିତ ଭାବରେ ଅର୍ବାଚୀନ ।

ଉଲ୍ଲିଖିତ ପଣ୍ଡିତମାନଙ୍କ କୋଣାର୍କ ପୁସ୍ତକରେ ବ୍ୟବହୃତ ହୋଇଥିବା କୋଣାର୍କର ସ୍ଥାପତ୍ୟ ସମ୍ବନ୍ଧୀୟ ପୋଥି ମଧ୍ୟ ଅନୁରୂପ କାରଣରୁ ଅର୍ବାଚୀନ । ଏ ପୋଥିର ତାଳପତ୍ରଗୁଡ଼ିକ ଏକ ସାଇଜ୍‍ର ନୁହେଁ । ଏଥିରୁ ଜଣାଯାଏ ଯେ ତାଳପତ୍ରଗୁଡ଼ିକ ବିଭିନ୍ନ ପ୍ରାଚୀନ ତାଳପତ୍ର ପୋଥିରୁ ସଂଗୃହୀତ ହୋଇଛି । ଏଥରେ କୋଣାର୍କ ମନ୍ଦିରର ବିଭିନ୍ନ ଅଂଶର ଯେଉଁ ନକ୍‍ସା ଦିଆଯାଇଛି, ସେହି ନକ୍‍ସାଗୁଡ଼ିକୁ ପ୍ରାଚୀନ ନ ବୋଲି ଧରାଯାଇ ନ ପାରେ । କୋଣାର୍କର ପ୍ରକାଣ୍ଡ ଗଜସିଂହ ବର୍ତ୍ତମାନ ଯେଉଁଠାରେ ଅଛି, ପୂର୍ବେ ତାହା ସେଠାରେ ନ ଥିଲା; ବ୍ରିଟିଶ ରାଜତ୍ୱରେ ହିଁ ତାକୁ ସ୍ଥାନଚ୍ୟୁତ କରାଯାଇଥିଲା । ଅଥଚ ଏ ପୋଥିର ନକ୍‍ସାରେ ତାକୁ ବର୍ତ୍ତମାନ ସ୍ଥାନରେ ଅବସ୍ଥାପିତ କରାଯାଇଛି । କୋଣାର୍କର ବିଦ୍ୟମାନ ଜଗମୋହନ ବେଦି ଓ ଆମଲକ ଶିଳା ମଧ୍ୟରେ ଯେଉଁ ନୂତନ ପ୍ରସ୍ତରଖଣ୍ଡମାନ ଦିଆଯାଇଛି, ସେଗୁଡ଼ିକ ମଧ୍ୟ ଏ ପୋଥିର ନକ୍‍ସାରେ ଦିଆଯାଇଛି । ଆମଳକ ଶିଳାକୁ ଧ୍ୱସଂ ମୁଖରୁ ରକ୍ଷାକରିବା ପାଇଁ ଏହି ନୂତନ ପ୍ରସ୍ତରଖଣ୍ଡମାନଙ୍କୁ ୧୯୦୩ ଖ୍ରୀଷ୍ଟାବ୍ଦରେ ଏଠାରେ ଖଞ୍ଜି ଦିଆଯାଇଥିଲା, ଅଥଚ ୧୯୦୩ ଖ୍ରୀଷ୍ଟାବ୍ଦର ଏହି ପ୍ରସ୍ତରଖଣ୍ଡମାନଙ୍କୁ ତଥାକଥିତ ଅତି ପ୍ରାଚୀନ ପୋଥିର ନକ୍‍ସାରେ ପ୍ରଦର୍ଶିତ ହୋଇଛି । ଏସବୁ ଯୁକ୍ତି ଦେଇ ଡକ୍‍ଟର କରୁଣା ସାଗର ବେହେରା ୧୯୭୪ର Oriental Conference ଏବଂ Indian History Congressରେ ଦୁଇଟି ପ୍ରବନ୍ଧ ପାଠ କରିଥିଲେ; ମାତ୍ର ଲକ୍ଷ୍ୟ କରିବାର ବିଷୟ ଏହି ଯେ କୋଣାର୍କ ପୁସ୍ତକର ରଚୟିତାମାନଙ୍କ ମଧ୍ୟରୁ କେହି ସୁଦ୍ଧା ଏହି ପ୍ରବନ୍ଧଗୁଡ଼ିକର ପ୍ରତିବାଦ କରି ନାହାନ୍ତି । ପ୍ରତିବାଦ କରିବା ପାଇଁ ସେମାନଙ୍କର ବୋଧହୁଏ ସାହସ ନାହିଁ । ରଚୟିତାମାନଙ୍କ ମଧ୍ୟରୁ ଜଣେ ମୋତେ ଥରେ କହିଲେ ଯେ ଆନ୍ତର୍ଜାତିକ-ଖ୍ୟାତିସମ୍ପନ୍ନ ଡକ୍‍ଟର ଷ୍ଟେଲା କେମ୍ୱ୍ରିସ୍ ଏହି କୋଣାର୍କ ପୁସ୍ତକର ଉଚ୍ଚପ୍ରଶଂସା କରିଛନ୍ତି । ଡକ୍ଟର କେମ୍ୱ୍ରିସ୍‍ ଏହି ପୁସ୍ତକର ଭିତିରି କଥା ଜାଣନ୍ତି ନାହିଁ, ଏଣୁ ଏହାର ଉଚ୍ଚପ୍ରଶଂସା କରିବା ତାଙ୍କ ପକ୍ଷରେ ସ୍ୱାଭାବିକ ହୋଇଛି । ଗ୍ରନ୍ଥଟିର ଭାଷା ଓ ମୁଦ୍ରଣ ପରିପାଟି ଯେ ଅତି ଉଚ୍ଚକୋଟୀର ହୋଇଛି, ଏହା କେହି ଅସ୍ୱୀକାର କରିପାରିବେ ନାହିଁ । ଏହି ଗ୍ରନ୍ଥରେ ବ୍ୟବହୃତ ହୋଇଥିବା ତାଳପତ୍ର ପୋଥିଗୁଡ଼ିକୁ କିଏ ଜାଲ କରିଛି ତାହା ନିଶ୍ଚିତଭାବରେ କହିବା ସମ୍ଭବପର ନୁହେଁ । କିନ୍ତୁ ଉଲ୍ଲିଖିତ କାରଣମାନଙ୍କରୁ ଏଗୁଡ଼ିକୁ ପ୍ରାଚୀନ ବୋଲି କହିବା ମଧ୍ୟ ସମ୍ଭବପର ନୁହେଁ ।

 

ଐତିହାସିକ ଉପାଦାନଗୁଡ଼ିକୁ ପରୀକ୍ଷା କରି ସେଗୁଡିକୁ ପ୍ରାଚୀନ ବା ଅର୍ବାଚୀନ ବୋଲି ସ୍ଥିର କରାଯାଏ । ଓଡ଼ିଶାରେ ଏପରି ପରୀକ୍ଷା ଆଦୌ ହୁଏ ନାହିଁ । ଫଳରେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶାର ନାମ ନିନ୍ଦିତ ହୁଏ । ପଣ୍ଡିତ ସଦାଶିବ ରଥଶର୍ମାଙ୍କଠାରୁ ପ୍ରାପ୍ତ ଚାଖି ଖୁଣ୍ଟିଆଙ୍କ ପାଖକୁ ପଠାଇଥିବା ଝାନ୍‍ସୀ ରାଣୀ ଲକ୍ଷ୍ମୀବାଈଙ୍କ କଥାକଥିତ ଚିଠି ମଧ୍ୟ ଓଡ଼ିଶାର ନାମକୁ ନିନ୍ଦିତ କରିଛି । ଏ ଚିଠିକୁ ଜାଲ୍‍ ବୋଲି ଘୋଷଣା କରି ଡକ୍ଟର ଏସ୍‍. ଏନ୍‍. ସେନ୍‍ ତାଙ୍କ Eighteen Fifty Seven ନାମକ ପୁସ୍ତକରେ ଲେଖିଛନ୍ତି–

 

"Next comes an alleged letter of Rani Lakshmi Bai of Jhansi, recently brought to light at Puri. This purports to have been addressed to her family priest at that holy place of pilgrim age. The letter is in Hindi and is dated March 1856. If this document was genuine, then the Rani must have been engaged in organising a revolt full one year before the Meerut rising. But the language and script seen to be modern. In her Kharita to Sir Robert Hamilton the Muslim style of dating is followed but this letter, addressed to a Brahman is dated in the English style. The Rani, contrary to the Indian practice of those times, addressed her priest as "Respected Panditji (Mananiya Panditji) and subscribes herself as "Yours Lakshmi Bai” (apka Lakshmi Bai, which again is incorrect Hindi). The seal is different from that used in authentic letters, and lastly it refers to greased catrige. The catrige did not come to India before November, 1956 and the sepoys do not seem to have heard of it until the following January. The letter was apparently written from Meerut, but there is no evidence that the Rani had been to that place in March 1856 or at any other time. The document is obviously a clumsy fabrication and the writer, whoever he or she may be, is accustomed to correspond in English". Eighteen Fifty-seven, Publication Division, Govt. of India, 1957, pp. 401-402.

 

ଏହି ଯୁକ୍ତିମାନଙ୍କ ମଧ୍ୟରୁ କୌଣସିଟିକୁ ଖଣ୍ଡନ ନ କରି କେତେକ ଓଡ଼ିଆ ସାଂସ୍କୃତିକ ନେତା ପୁରୀରେ ଗୋଟିଏ ସଭା କରି ଘୋଷଣା କଲେ ଯେ ଏ ଚିଠି ଜାଲ୍‍ ନୁହେଁ । ଉଲ୍ଲିଖିତ ପୁସ୍ତକଟି ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ । ଅତଏବ ତାଙ୍କଠାରେ ହିଁ ଏ ବିଷୟଟିକୁ ଉପସ୍ଥାପନ କରିବା କଥା । ଏହା ନ କରି, ଓଡ଼ିଶା ମଧ୍ୟରେ ହିଁ ଏହି ଆଲୋଚନାକୁ ସୀମାବଦ୍ଧ କରି ଓଡ଼ିଆ ସାଂସ୍କୃତିକ ନେତାମାନେ ଗୋଟିଏ ଭ୍ରାନ୍ତଧାରଣା ସୃଷ୍ଟି କରୁଛନ୍ତି ଏବଂ ଜାଲ୍‍କାରୀମାନଙ୍କୁ ଉତ୍ସାହିତ କରୁଛନ୍ତି । ଏ ଚିଠି ଯେ ଜାଲ୍‍, ଏ କଥା କେବଳ ଡକ୍ଟର ସେନ୍‍ ନୁହନ୍ତି, ଭାରତର ଇତିହାସ ଓ ସଂସ୍କୃତି ସମ୍ୱନ୍ଧରେ ଯେଉଁମାନଙ୍କ ଜ୍ଞାନ ଅଛି, ସେମାନେ ମଧ୍ୟ ସ୍ୱୀକାର କରିବେ । ଡକ୍ଟର ସେନ୍‍ଙ୍କ ଉଲ୍ଲିଖିତ ଯୁକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଅକାଟ୍ୟ । ଏଣୁ ବାହାରର ପଣ୍ଡିତମାନେ ଓଡ଼ିଶାର ବଦ୍‍ନାମ କରୁଛନ୍ତି ବୋଲି ନ ଭାବି ବା ନ କହି, ଆମ ରାଜ୍ୟର ତଥାକଥିତ ପଣ୍ଡିତମାନେ ହିଁ ଓଡ଼ିଶାର ବଦ୍‍ନାମ କରୁଛନ୍ତି ବୋଲି ଭାବିବାକୁ ଓ କହିବାକୁ ହେବ ।

 

ଗତ ପଚିଶବର୍ଷ ମଧ୍ୟରେ ଓଡ଼ିଶାରେ ଯେଉଁ ଐତିହାସିକ ଉପାଦାନଗୁଡ଼ିକୁ ଜାଲ୍‍ କରାଯାଇଛି, ମୁଁ ସେଗୁଡ଼ିକର ତାଲିକା ଏକାଧିକ ଥର ପ୍ରକାଶ କରିଛି, କିନ୍ତୁ କେହି ମୋ ଲେଖାର ପ୍ରତିବାଦ କରିନାହାନ୍ତି । ମୁଁ ଏକାଧିକ ଥର ଲେଖିଛି ଯେ ଯେଉଁ ଐତିହାସିକ ଉପାଦାନଗୁଡ଼ିକ ଜାଲ୍‍ ବୋଲି ସନ୍ଦେହ କରଯାଉଛି, ସେଗୁଡ଼ିକୁ ବିଧିବଦ୍ଧଭାବରେ ପରୀକ୍ଷା କରାଯାଉ; କିନ୍ତୁ କେହି ଏପରି ପରୀକ୍ଷାର ସମ୍ମୁଖୀନ ହେବାକୁ ରାଜି ହୋଇନାହାନ୍ତି । ସତ୍ୟ ପ୍ରକାଶ କରିଥିବାରୁ ମୋ ପ୍ରତି କେବଳ ଗୁପ୍ତ କ୍ରୋଧ ବୃଦ୍ଧି ପାଇଛି । ସୁବିଖ୍ୟାତ ଔପନ୍ୟାସିକ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ପଣ୍ଡିତ ସଦାଶିବ ରଥଶର୍ମାଙ୍କଠାରୁ ପ୍ରାପ୍ତ ମାଧବ-ମାହାତ୍ମ୍ୟ ନାମକ ଖଣ୍ଡିଏ ଜାଲ୍ ପୋଥି ସାହାଯ୍ୟରେ ପ୍ରମାଣ କରିବାକୁ ପ୍ରୟାସ କଲେ ଯେ ସାରଳା ଦାସ ଦଶମ ଶତାବ୍ଦୀର କବି ଥିଲେ । ମୋ ମନରେ ଏହି ପ୍ରୟାସର ପ୍ରତିକ୍ରିୟା ଏତେ ବେଶି ହୋଇଥିଲା ଯେ ଏହାର ପ୍ରତିବାଦସ୍ୱରୂପ ମୁଁ “ସାରଳା ସାହିତ୍ୟର ଐତିହାସିକ ଚିତ୍ର’’ ନାମକ ଦୀର୍ଘ ଆଲୋଚନା ଝଙ୍କାରରେ ପ୍ରକାଶ କରି ବହୁବର୍ଷ ମଧ୍ୟରେ ଶେଷ କରିଥିଲି ।

 

ପ୍ରତ୍ୟେକ ବିଷୟରେ ଏକାଧିକ ପୁସ୍ତକ ପ୍ରଣୀତ ହେବା ହଁ ସାଂସ୍କୃତିକ ପ୍ରଗତିର ସୁସ୍ଥ ଲକ୍ଷଣ । ମୁଁ “ସାରଳା ସାହିତ୍ୟର ଐତିହାସିକ ଚିତ୍ର’’ ଲେଖିବାବେଳେ ଯେଉଁ ହିଂସା ଓ ଦ୍ୱେଷର ସମ୍ମୁଖୀନ ହୋଇଥଲି, ତାହା ଜୀବନରେ ଭୁଲିପାରିବି ନାହିଁ । ସାରଳା-ସାହିତ୍ୟ ସମ୍ବନ୍ଧରେ ଅନ୍ୟ ପଣ୍ଡିତମାନେ ଯାହା ଲେଖୁଥିଲେ, ତାହା ମୋ ପକ୍ଷରେ ସ୍ୱାଗତଯୋଗ୍ୟ ଥିଲା; କିନ୍ତୁ କୂଟଯୁକ୍ତି ଓ କୃତ୍ରିମ ଉପାଦାନ ସାହାଯ୍ୟରେ ଯେଉଁମାନେ ଏ ସାହିତ୍ୟର ଆଲୋଚନାକୁ କଳୁଷିତ କରୁଥିଲେ, ସେମାନଙ୍କ ବିରୁଦ୍ଧରେ ମୁଁ ବଦ୍ଧପରିକର ହୋଇଥିଲି । କେତେକ ପଣ୍ଡିତଙ୍କ ମତରେ ଅବଧି ପ୍ରକାଶିତ ସାରଳା ମହାଭାରତର ସମସ୍ତ ପୁସ୍ତକ ଏକାବେଳକେ ଅଶୁଦ୍ଧ ଏବଂ ସେମାନଙ୍କୁ ସାହାଯ୍ୟରେ ହୋଇଥିବା ସମସ୍ତ ଆଲେଚନା ମଧ୍ୟ ଅଶୁଦ୍ଧ । ମୁଁ ଏପରି ମତକୁ ମାନିନେବା ପାଇଁ ପ୍ରସ୍ତୁତ ନ ଥିଲି । ଅସୂୟାପରବଶରେ ମୋର ସାରଳା ସାହିତ୍ୟର ଆଲୋଚନାକୁ ବନ୍ଦ କରିବା ପାଇଁ ଏହା ଏକ ଆଳ ବୋଲି ମୁଁ ମନେ କରିଥିଲି । ମୁଁ ଏହି ଆଲୋଚନା ଆରମ୍ଭ କରିବାର ପ୍ରାୟ ପନ୍ଦର ବର୍ଷ ପରେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ସାରଳା ମହାଭାରତର ତଥାକଥିତ ‘‘ଶୁଦ୍ଧ ସଂସ୍କରଣ’’ ପ୍ରକାଶିତ ହେଲା । ବିରୁଦ୍ଧବାଦୀମାନଙ୍କ ମତ ଗ୍ରହଣ କରିଥିଲେ ମୋତେ ପନ୍ଦର ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାନ୍ତା । ଅଧ୍ୟାପକ ମହାନ୍ତିଙ୍କ ସାରଳା ମହାଭାରତ ଯେଉଁ ଆକାରରେ ପ୍ରକାଶିତ ହୋଇଛି, ତାକୁ ଶୁଦ୍ଧସଂସ୍କରଣ ବୋଲି କହିବାର କୌଣସି କାରଣ ନାହିଁ । ମୁଁ ଏହି ତଥାକଥିତ ଶୁଦ୍ଧସଂସ୍କରଣ ସମ୍ବନ୍ଧରେ ଏକାଧିକ ପ୍ରବନ୍ଧ ଲେଖି ମୋର ମତପ୍ରକାଶ କରିଛି । ଏଠାରେ ପୁନରାବୃତ୍ତି ଅନାବଶ୍ୟକ ।

 

ସାରଳା ମହାଭାରତର ଯେଉଁ ଯେଉଁ ଅଂଶ ଉପରେ ବେଶି ଭାବରେ ନିର୍ଭର କରି ମୁଁ ଏ ଗ୍ରନ୍ଥର ଐତିହାସିକ ଚିତ୍ର ଆଲୋଚନା କରିଛି, କୂଟକପଟ ପ୍ରୟୋଗ ଦ୍ୱାରା ତଥାକଥିତ ଶୁଦ୍ଧ ସଂସ୍କରଣରୁ ସେହି ସେହି ଅଂଶରୁ କେତେକ ବାଦ କରିଦିଆଯାଇଛି; ମାତ୍ର ଅଙ୍ଗଚ୍ଛେଦର ନିଶ୍ଚିତ ପ୍ରମାଣ ସେଥିରେ ରହିଛି । ଈର୍ଷାଦ୍ୱେଷପରବଶ ହୋଇ କୌଣସି ପ୍ରାଚୀନ ଗ୍ରନ୍ଥର ଅଙ୍ଗଚ୍ଛେଦ କରିବାର ଏପରି ଉଦାହରଣ ପୃଥିବୀରେ ବିରଳ । ହାୟରେ ମୋର ଜନ୍ମଭୂମି । ଏ ଭୂମିରେ କୌଣସି ସତ୍ ଆଲୋଚନା କଲାବେଳେ ଅଭିମନ୍ୟୁକୁ ସପ୍ତରଥୀ ବେଢ଼ି ହତ୍ୟା କଲା ପରି ଆଲୋଚକ ତଥା ଆଲୋଚ୍ୟ ବିଷୟକୁ ସମସ୍ତେ ବେଢ଼ି ହତ୍ୟାକରନ୍ତି । ଅହମିକାଦୃପ୍ତ ଈର୍ଷାଳୁମାନଙ୍କ ସମସ୍ତ ବାଧା ସତ୍ତ୍ୱେ ମୁଁ ‘‘ସାରଳା ସାହିତ୍ୟର ଐତିହାସିକ ଚିତ୍ର’’ ନାମକ ଯେଉଁ ଗ୍ରନ୍ଥ ଲେଖିଛି, ସେଥିରେ ମୋର ଶ୍ରମ, ସାଧନା, ସତ୍ୟାଶ୍ରୟତା ଓ ଅନୁସନ୍ଧିତ୍ସାର ଚିହ୍ନ ସବୁଦିନେ ବିଦ୍ୟମାନ ରହିଥିବ । ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ଅଧ୍ୟାପକ ଡକ୍ଟର ବୋଲ୍‍ଟନ ସାରଳା ମହାଭାରତର ତଥାକଥିତ ଶୁଦ୍ଧସଂସ୍କରଣ ସମ୍ବନ୍ଧରେ ଯେଉଁ ମତପ୍ରକାଶ କରିଛନ୍ତି, ସେଥିରୁ କିୟଦଂଶ ନିମ୍ନରେ ପ୍ରଦତ୍ତ ହେଲା–

 

‘‘ଦେଶ, କାଳ, ପାତ୍ର ସବୁକିଛି ବଦଳାଇ ଦେଇପାରେ । ଯେପରି ଭିନ୍ନ ଭିନ୍ନ ଚରିତ୍ର ବିଷୟରେ ଭିନ୍ନ ଭିନ୍ନ ଅଭିନେତାର ଧାରଣା ଭିନ୍ନ ଭିନ୍ନ ଭୂମିକା ବଦଳାଇ ଦିଏ, ଠିକ୍ ସେହିପରି ଅଲଗା ଅଲଗା ଶ୍ରୋତାମାନଙ୍କର ଅଲଗା ଅଲଗା ପ୍ରତିକ୍ରିୟାରେ ନାଟକ କ୍ରମେ କ୍ରମେ ବଦଳିଯାଏ-। ସାରଳାଦାସଙ୍କ ମହାଭାରତ ଉପରେ ଭିନ୍ନ ଭିନ୍ନ ଆବୃତ୍ତିକାରୀ ଓ ଭିନ୍ନ ଭିନ୍ନ ଶ୍ରେତାମାନଙ୍କ ପ୍ରଭାବ ବିଷୟରେ ଏହି କଥା ଖାଟିବ । ଏ ପରିସ୍ଥିତିରେ ଆଧୁନିକ ସମାଲୋଚକମାନଙ୍କ ପକ୍ଷରେ ସାରଳାଦାସଙ୍କ ମହାକାବ୍ୟ ସମ୍ପାଦନା କରିବାର ଚେଷ୍ଟା ଦୁଃସାହସ ଛଡ଼ା ଆଉ କଅଣ ହୋଇପାରେ ? ସେ ମହାକାବ୍ୟର ଗୋଟିଏ ମାତ୍ର ସର୍ବସମ୍ମତ ସଂସ୍କରଣ ଆଉ ସମ୍ଭବ ନୁହେଁ । ଦୁର୍ଭାଗ୍ୟକ୍ରମେ ଆମ ଦେଶ ପରି ଏ ଦେଶରେ ବି ସମାଲୋଚକମାନଙ୍କ ମନୋଯୋଗ କେବଳ ପାଠ ଉପରେ ସୀମାବଦ୍ଧ । ଇଂଲଣ୍ଡରେ ପ୍ରତିବର୍ଷରେ ନୂଆ ନୂଆ ନିର୍ଦ୍ଦେଶକ, ନୂଆ ନୂଆ ଅଭିନେତା, ନୂଆ ନୂଆ ଶ୍ରୋତା Shekespeareଙ୍କୁ ନୂଆ କରି ସୃଷ୍ଟି କରନ୍ତି । ବର୍ତ୍ତମାନ Shekespeareଙ୍କ ସର୍ବସମ୍ମତ ସଂସ୍କରଣ ବାହାର କରିବାକୁ ନିଜେ Shekespeareଙ୍କ ଦୁଃସାହସ ହେବ କି ନା ସନ୍ଦେହ ।’’ (ଝଙ୍କାର, ୧୯୭୫ ମଇ ସଂଖ୍ୟା, ପୃ. ୧୭, ୧୭୯) । ବର୍ତ୍ତମାନ ନିଜେ ସାରଳାଦାସ ଯଦି ଜୀବିତ ହୋଇ ଆସନ୍ତି, ତେବେ ସେ ମଧ୍ୟ ତାଙ୍କ ମହାଭାରତର ମୌଳିକ ଲେଖାକୁ ଉଦ୍ଧାର କରିପାରିବେ ନାହିଁ । କେତେକ ଗୁଣଗର୍ବୀ ଆଧୁନିକ ପଣ୍ଡିତଙ୍କ ହସ୍ତର ସ୍ୱର୍ଣ୍ଣସ୍ପର୍ଶ ବାଜିଗଲେ କଅଣ ଏହି ମହାଭାରତ ତାହାର ମୌଳିକତା ଫେରିପାଇବ ? ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ସାରଳା ମହାଭାରତ ଏ ଗ୍ରନ୍ଥର ବହୁ ସଂସ୍କରଣ ମଧ୍ୟରୁ ଅନ୍ୟତମ ହୋଇ ରହିବ; କିନ୍ତୁ ଏହାକୁ ଶୁଦ୍ଧ ସଂସ୍କରଣ ବୋଲି କହିବାର ଦୁଃସାହସ କାହାରି ହେବା ଉଚିତ ନୁହେଁ । ସରକାରଙ୍କ ଦ୍ୱାରା ପ୍ରକାଶିତ ଏହି ସଂସ୍କରଣର ବିଶେଷତ୍ୱ ଏହି ଯେ ଈର୍ଷାପ୍ରଣୋଦିତ ଗୁଣଗର୍ବୀମାନଙ୍କ କୂଟକପଟ ପ୍ରୟୋଗ ଦ୍ୱାରା ଏଥିରେ ସାରଳାଦାସଙ୍କ ମୌଳିକ ଲେଖାର କେତେକାଂଶକୁ ଜାଣି ଜାଣି ଛେଦ କରାଯାଇଛି ।

 

ଓଡ଼ିଶାର ସବୁ ବିଷୟକୁ ଅତି ପ୍ରାଚୀନ ବୋଲି ପ୍ରମାଣ କରିବାର ପ୍ରଚେଷ୍ଟା ହିଁ ମୋ ସମୟ ଓଡ଼ିଶାର ଗବେଷଣା ଧାରାକୁ କଳୁଷିତ କରିଛି । ସମସ୍ତ ପ୍ରାଚୀନବସ୍ତୁ ବା ବିଷୟକୁ ଅତି ପ୍ରାଚୀନ ବୋଲି ପ୍ରମାଣ କରିବାର ପ୍ରଚେଷ୍ଟା ହେଉଛି ଏକ ପୌରଣିକ ମନୋବୃତ୍ତି । ଆମ ରାଜ୍ୟର ପଣ୍ଡିତମାନଙ୍କ ଏହି ପୌରଣିକ ମନୋବୃତ୍ତି ହେତୁ ହିଁ ଆମ ଇତିହାସ ଓ ପ୍ରତ୍ନତତ୍ତ୍ୱର ଭ୍ରମାତ୍ମକ ବିଶ୍ଳେଷଣ କରାଯାଉଛି । ଏହି ପୌରଣିକ ମନୋବୃତ୍ତି ହେତୁ ଏକାଧିକ ତୁଙ୍ଗ ପଣ୍ଡିତ ମତପ୍ରକାଶ କରିଛନ୍ତି ଯେ ଓଡ଼ିଆ ଗଦ୍ୟସାହିତ୍ୟ ଦ୍ଵାଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଏମାନଙ୍କ ମତରେ ମାଦଳାପାଞ୍ଜି ଦ୍ଵାଦଶ ଶତାବ୍ଦୀରେ ଚୋଡ଼ଗଙ୍ଗଙ୍କ ସମୟରୁ ଲେଖାହୋଇଥିଲା । ଚୋଡ଼ଗଙ୍ଗଙ୍କ ସମ୍ବନ୍ଧରେ ମାଦଳାପାଞ୍ଜିରେ ଯାହା ଅଛି, ପାଠକମାନଙ୍କ କୌତୁକ ନିବାରଣ ପାଇଁ ସେଥିରୁ କିୟଦଂଶ ଉଦ୍ଧାର କରୁଛି–

 

‘‘ଶ୍ରୀ ସିଦ୍ଧେସର କଳ୍ପରାଜା ବ୍ରାହ୍ମଣ ବାସୁଦେବ ରଥଠାରୁ ଥରେ ଟଙ୍କିନେଇ ଆଉ ଥରେ ପଠାଣ ଜଣକୁ ଲେଖିଦେଲାକୁ ଏ ବାସୁଦେବ ରଥ ରାଜାଙ୍କୁ କହିଲେ–‘‘ମୁଁ ଟଙ୍କି କଉଡ଼ି ଦେଇଅଛି । ଏବେ ପଠାଣ ଜଣେ ଉଲ୍ଲର ଲଗାଉଛି ।” ରାଜା କହିଲେ ତୁ ବାସୁ ସେ ପଠାଣ ଜାଣେ ।’’ ଏମନ୍ତ ଶୁଣି ସେ ବ୍ରାହ୍ମଣ ବାସୁଦେବ ରଥ ଭୁବନେସରଙ୍କୁ ସେବା କଲେ । ଭୁବନେସରଦେବ ପ୍ରସନ୍ନ ହୋଇଲେ । ଏ ବାସୁଦେବ ରଥେ ଜଣାଇଲେ କେସରୀ ରାଜତ୍ୱ ନ କରିବେ । ଏଥକୁ ଭୁବନେସରଦେବଙ୍କ ଆଗ୍ୟାଁ ହୋଇଲା । ତୁ ଦକ୍ଷିଣ ଯାଇ ଗୋକର୍ଣ୍ଣେସର ବୀର୍ଯ୍ୟରୁ ଯେ ରାଣ୍ଡିପୁଅ ଚୋରଗଙ୍ଗା ଅଛି ତାକୁ ଆମ୍ଭ ଆଗ୍ୟାଁରେ ଆଣି ଓଡ଼ିଶାରେ ରାଜତ୍ୱ କରାଇବୁ । ଏମନ୍ତକୁ ସେ ବ୍ରାହ୍ମଣ ଦକ୍ଷିଣ ଯାଇ ଦେଖିଲା ରାଣ୍ଡିପୁଅ ଚୋରଗଙ୍ଗା ଟୋକାଙ୍କ ସାଙ୍ଗରେ ଖେଳରେ ରାଜା ହୋଇଅଛି । ପାଖକୁ ସେ ଟୋକାଙ୍କ ବାହାରେ ଅନ୍ୟଲୋକ ଯିବାର ନାହିଁ । ସେ ବ୍ରାହ୍ମଣ ଟୋକାଙ୍କ ଆଗରେ କହିଲା ଓଡ଼ିଶାରୁ ବ୍ରାହ୍ମଣ ଜଣେ ଆସିଅଛି । ସେ ଟୋକା ଚୋରଗଙ୍ଗାକୁ କହିଲାକୁ ଖପରାରେ ଖପରା ଖଣ୍ଡିଏ ଲେଖି ସେ ଟୋକାମୂଳେ ଦେଲା । କହିଲା ଅବକାସ ନାହିଁ । ଖର୍ଚ୍ଚ ନେଇ ରହ । ଏ ରୂପେ ଦିନ ପନ୍ଦର ଉତ୍ତାରୁ ଯେଉଁ ଗୁଡ଼ିଆଠାକୁ ଲେଖିଥିଲା ସେ ଗୁଡ଼ିଆପୁଅ କହିଲା ଚୋରଗଙ୍ଗା ଠାରେ କେତେ କଉଡ଼ି ଦେଇଅଛୁ । ତାକୁ କହିଲା ମୋ କଉଡ଼ି ବ୍ରାହ୍ମଣ ଖାଉ । ଆଚ୍ଛା ଦିନ ପନ୍ଦର ଗଲା ଉତ୍ତାରୁ ବ୍ରାହ୍ମଣ ପଚାରିଲା, ସେ ବ୍ରାହ୍ମଣ କହିଲା ‘‘ଭୁବନେସରଦେବ ଆଗ୍ୟାଁ ଦେଇଅଛନ୍ତି ତୁମ୍ଭୋ ଓଡ଼ିଶାରେ ରାଜା ହେବ’’ ଏମନ୍ତ ଶୁଣି ସନମତ କଲା । ମା’କୁ କହିନୀ, ମା’ କହିଲା ମୋ ସଙ୍ଗାତ ନେତାଇ ଧୋବଣୀ ସାଙ୍ଗେ ଭେଟ ହୋଇଯିବୁ । ଏଥକୁ ସେ ନେତାଇ ଧୋବଣୀକୁ ଦେଖିଲା ଭାତ ରାନ୍ଧ ଅଛି । ଗୋଡ଼ ଗୋଟିଏ ଜାଳୁଅଛି । ଏହା ଡାକ ଶୁଣି କୋଡ଼ପୁଅକୁ ଚୁଲିରେ ଦେଇ ଏହାକୁ କଥା କହିଲା । ଏ ଚୋରଗଙ୍ଗା କହିଲା ମୋତେ ମା’ କହିଲା ମାଉସୀ ସାଙ୍ଗରେ ଭେଟ ହୋଇ ଯିବାକୁ । ତାକୁ ପଚାରିଲା କି ଖାଇଅଛୁ । ଏ କହିଲା କିଛି ଖାଇ ନାହିଁ । ଏ କହିଲା ବାରିରେ କଦଳୀ ଅଛି ଖାଆ । ସେ କଦଳୀ ଖାଉଥିଲା ଧୋବଣୀ ପଚାରିଲା କେତେ ଖାଇଲୁ । ସେ କହିଲା ଗୋ୧୮ଟି ଖାଇଲି । ଧୋବଣୀ କହିଲା ‘‘ଏତିକି ହଉ’’ । ତା’ଠାରୁ ମନ୍ତ୍ର ସିଦ୍ଧ କରି ଆସି ବାଟରେ ସିଅଳ ଚିହ୍ନିଲାକୁ ଏ ସିଅଳକୁ ବର ଦେଇ ହାଣି ପକାଇଲେ । ଗୋକର୍ଣ୍ଣସର ବୀର୍ଯ୍ୟ ଗଙ୍ଗାଦେବୀ ଗର୍ଭୁ ସମ୍ଭୂତ । ଗଙ୍ଗବଂଶରୁ ଜାତ ଆଦି ପାଟ ଚୁଡ଼ଗଙ୍ଗଦେବ । ଏ ଚୁଡ଼ଗଙ୍ଗଦେବ ବେତାଳ ସାଧ୍ୟ । ନିତାଇମା ନଗ୍ରଦେବୀ କିଳତା ମହାପଶୁ ମନିନ୍ତ (ଷ) କେସରୀବଂଶ ରାଜା ସିନ୍ଧକଳ୍ପ କେସରୀ ରାଜାଙ୍କୁ ଉଚ୍ଛନ୍ନ କରାଇ ରାଜା କଲା । କନ୍ୟା ୧୩ ଦିନ କୃଷ୍ଣ ତ୍ରୟୋଦସୀ ଗୁରୁବାର ଦିନ ନାଟବେଶରେ ଆସି କଟକ ମାଡ଼ିବସି ରାଜା ହୋଇଲା ।

 

(ମାଦଳାପାଞ୍ଜି, ପ୍ରାଚୀ ସମିତି, ୧୯୪୦, ପୃ. ୨୧, ୨ ୨) ।

 

ଚୋଡ଼ଗଙ୍ଗ ପ୍ରବଳପ୍ରତାପ ଗଙ୍ଗରାଜା ଦେବେନ୍ଦ୍ର ବର୍ମ୍ମନ୍ ରାଜରାଜଙ୍କ ଓ ଚୋଳବଂଶୀୟା ରାଜକନ୍ୟା ରାଜସୂନ୍ଦରୀଙ୍କ ପୁତ୍ର ଥିଲେ, ଅଥଚ ତାଙ୍କୁ ରାଣ୍ଡି ପୁଅ ବୋଲି ବର୍ଣ୍ଣନା କରାଯାଇଛି । ତାଙ୍କ ମାଉସୀ ନେତାଇ ଧୋବଣୀର ଅତିମାନୁଷିକ ଶକ୍ତି ସମ୍ବନ୍ଧରେ ଯାହା ଲେଖାଅଛି, ତାହା ଏକ ଡାଆଁଣୀର କାହାଣୀ । କୌଣସି ବ୍ୟକ୍ତିଙ୍କ ପ୍ରଜ୍ଞା ଅତ୍ୟନ୍ତ ସଂକୁଚିତ ଓ ଖବୀଭୁକ୍ତ ହୋଇ ନ ଥିଲେ ମାଦଳାପାଞ୍ଜିର ଏହି ଅତିଭୌତିକ ଗଳ୍ପକୁ ବିଶ୍ୱାସ କରିପାରିବେ ନାହିଁ । ଅଥଚ ଆମର ପ୍ରାଜ୍ଞ ପଣ୍ଡିତମାନେ କହୁଛନ୍ତି ଯେ ମାଦଳାପାଞ୍ଜି ଚୋଡ଼ଗଙ୍ଗଙ୍କ ସମୟର ଲେଖା । ଚୋଡ଼ଗଙ୍ଗଙ୍କ ଏକାଧିକ ନାମ ଥିଲା ଏବଂ ସେଥିମଧ୍ୟରୁ ଗଙ୍ଗେଶ୍ୱର ଅନ୍ୟତମ । ଅଥଚ ମାଦଳାପାଞ୍ଜିରେ ଗଙ୍ଗେଶ୍ୱରଙ୍କୁ ଜଣେ ଭିନ୍ନ ରାଜା ରୂପେ ବର୍ଣ୍ଣନା କରାଯାଇ ତାଙ୍କ ନିଜ କନ୍ୟା କୌଶଲ୍ୟାଙ୍କ ସହିତ ତାଙ୍କର ପାପପ୍ରଣୟ ଥିଲା ବୋଲି ଗୋଟିଏ କିମ୍ଭୂତକିମାକାର କିମ୍ବଦନ୍ତୀ ଲେଖାଅଛି । ଯେଉଁ ପ୍ରବଳପ୍ରତାପ କପିଳେନ୍ଦ୍ରଦେବ ଗଙ୍ଗବଂଶ ଧ୍ୱଂସକରି ଓଡ଼ିଶାରେ ସୂର୍ଯ୍ୟବଂଶ ସ୍ଥାପନ କରିଥିଲେ ଓ ବାହୁବଳରେ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ଜୟକରି ବିଶାଳ ସାମ୍ରାଜ୍ୟ ସ୍ଥାପନ କରିଥିଲେ, ସେଠୁ କପିଳେନ୍ଦ୍ରଙ୍କ ସମ୍ବନ୍ଧରେ ମଧ୍ୟ ମାଦଳାପାଞ୍ଜିରେ ଗୁଡ଼ାଏ କିମ୍ଭୂତକିମାକାର କିମ୍ବଦନ୍ତୀ ଲେଖାଅଛି । ଏହି ପାଞ୍ଜିରେ ଲେଖାଅଛି–

 

‘‘ଏ ଉତ୍ତାରୁ ମତ୍ତଭାନୁଦେବ ରାଜା ହେଲେ । ମତ୍ତଭୋଳ ହୋଇ ରାଜା ଦିନ ନେଲେ । ସେ ରାଜା ଭୋଗ କଲେ ବ ୧୩୬। ମାସ । ମତ୍ତଭାଣୁବେ ଦିନେ ପ୍ରମେଶ୍ୱରଙ୍କୁ ଜଣାଇଲେ ମୋହ ଉତ୍ତାରୁ କାହାକୁ କରିଅଛ ଗୋସାଇଁ । ଏଥିକୁ ସପନେ ଆଜ୍ଞା ହୋଇଲେ କାଲି ଦରଶନ ବେଳେ ବିମ୍ବଳାଈଙ୍କ ଆଗେ ଖପରା ଖଣ୍ଡେ କୋରୁଥିବ, ତତେ ଦେଖି ପଳାଇଯିବ, ସେହି ତାକୁ କରିଅଛୁ । ଏମନ୍ତକୁ ସୂର୍ଯ୍ୟବଂଶୀ ରାଉତ କପିଳ ବ୍ରାହ୍ମଣ ଘରେ ବାଛୁରୀ ରଖିଥାନ୍ତି । ଏକ ଦିନକରେ ବ୍ରାହ୍ମଣ ଦେଖିଲା ବାଛୁରୀ ଚରୁଅଛନ୍ତି । କପିଳ ଗଛ ମୂଳରେ ଶୋଇଅଛନ୍ତି । ମୁହଁରେ ଖରା ପଡ଼ିଲାରୁ ନାଗସାପ ଫେଣ ଟେକି ଅଛି । ଏମନ୍ତ ଦେଖି କପିଳିକି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ (ବାଦ ନାହିଁ) ।

 

ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ଼ ସୁଖ କରିଥାଇ । ପୁଣି ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରଟିଆଙ୍କ ସାଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରୀ ହୋଇ ଶ୍ରୀପୁରୁଷୋତ୍ତମକ୍ଷେତ୍ରେ ମାଗିଖାଆନ୍ତି । ଏମନ୍ତରେ ରାଜା ବିମ୍ୱଳାଈଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳି କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳି ରାଉତ ଚାକର ରହିଲେ-। ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳି ରାଉତକୁ ରାଜା କରି ଶାଢ଼ି ଆଗ୍ୟାଂ ଦେଲେ । ଏଥକୁ ବେଢ଼ା କାଳିକା ଜଣାଇଲେ ମହାପ୍ରଭୁ ବାଇ କି ରାଜାପଣ ଆଗ୍ୟାଂ ହୋଇଲେ । ଏଥକୁ ବିମ୍ବଳକ୍ଷୀ ଜଣାଇ ସପନେ ଶାଢ଼ି ପ୍ରସାଦ କପିଳି ରାଉତକୁ ଦେଇ ବେଢ଼ା କାଳିକାଙ୍କ କଥା କହିଲେ-।”

 

ଉଲ୍ଲିଖିତ ବିବରଣୀ ଇତିହାସ କିମ୍ବା ଗାଳଗଳ୍ପ ତାହା ସୂଧୀ ପାଠକମାନେ ବିଚାର କରନ୍ତୁ । ଯେଉଁମାନେ ମାଦଳାପାଞ୍ଜିକୁ ଅକାଟ୍ୟ ଐତିହାସିକ ଗ୍ରନ୍ଥ ବୋଲି ଭାବନ୍ତି ବା କହନ୍ତି, ସେମାନେ ଯେ ମାଦଳାପାଞ୍ଜିକୁ ପଢ଼ନ୍ତି, ଏହାର ପ୍ରମାଣ ସେମାନଙ୍କ ଲେଖାରୁ ମିଳେ ନାହିଁ । ମାଦଳାପାଞ୍ଜିରେ ଅଛି ବୋଲି ଖାଲି ଲେଖିଦିଅନ୍ତି ବା କହିଦିଅନ୍ତି । ଗଜପତି ପ୍ରତାପରୁଦ୍ରଦେବ କଟକଠାରେ ଶ୍ରୀଚୈତନ୍ୟଙ୍କୁ ଭେଟିବାର ବିବରଣୀ ମାଦଳାପାଞ୍ଜିର ଅବଧିପ୍ରାପ୍ତ କୌଣସି ପୋଥିରେ ନାହିଁ । ଅଥଚ ଏହି ଗଜପତି ଶ୍ରୀଚୈତନ୍ୟଙ୍କୁ ମହାନଦୀର ଗଡ଼ଗଡ଼ିଆ ଘାଟରେ ଭେଟି, ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି, ତାଙ୍କ ପଦଧୂଳି ମାଖି, ଏହିଠାରେ ଗଡ଼ାଗଡ଼ି ଯାଇଥିଲେ ବୋଲି ଅଳ୍ପଦିନ ହେଲା ଗୋଟିଏ ମିଥ୍ୟାଗଳ୍ପ ସୃଷ୍ଟି ହୋଇସାରିଛି, ଏବଂ କୁହାଯାଉଛି ଯେ ଏହି ଗଳ୍ପ ମାଦଳାପାଞ୍ଜିରେ ଅଛି । ଆଧୁନିକ ଓଡ଼ିଶାର ଇତିହାସ ଆଲୋଚନା ଏହିପରି ଗୋଟିଏ ମିଥ୍ୟାପୂର୍ଣ୍ଣ ଶସ୍ତା ବ୍ୟାପାରରେ ପରିଣତ ହୋଇଛି । ମାଦଳାପାଞ୍ଜିର କୁତ୍ସିତ କିମ୍ବଦନ୍ତୀ ଓଡ଼ିଶାର ପ୍ରାଚୀନ ପ୍ରଖ୍ୟାତ ନରପତିମାନଙ୍କ ଚରିତ୍ର ସଂହାର କରିଛି; ଅଥଚ କେତେକ ଓଡିଆ ପଣ୍ଡିତଙ୍କ ମତରେ ମାଦଳାପାଞ୍ଜି ଏକ ଜାତୀୟ ଇତିହାସ । ପବିତ୍ର ପୁରୀରୁ ପ୍ରାପ୍ତ ପବିତ୍ର ତାଳପତ୍ର ପୋଥିରେ କୌଣସି ବିଷୟ ଲେଖାହୋଇଗଲେ, ତାହା ମଧ୍ୟ ପବିତ୍ର ହୋଇଯାଏ । ତାହାର ପଠନ, ପରୀକ୍ଷା, ଅନୁଶୀଳନ ଓ ବିଷ୍ଳେଷଣର କୌଣସି ଆବଶ୍ୟକତା ରହେ ନାହିଁ । ଓଡ଼ିଆଭାଷା ସାହିତ୍ୟ ଓ ଇତିହାସର ଆରମ୍ଭ ଅତି ପ୍ରାଚୀନ ବୋଲି ପ୍ରମାଣ କରିଦେଲେ ହିଁ ଓଡିଶାର ଟେକ ଭାରତରେ ବଢ଼ିଯିବ ବୋଲି ଅନେକଙ୍କ ଧାରଣା । ଏ ଭ୍ରାନ୍ତ ଓଡ଼ିଶା ପ୍ରୀତି ଓଡ଼ିଶାର ଗବେଷଣାକୁ କଳୁଷିତ କରୁଛି । ଓଡ଼ିଶାର ଭାଷା, ସାହିତ୍ୟ ଓ ଇତିହାସର ସମସ୍ତ ବିଷୟକୁ ଯଦି କେହି ପ୍ରଗୈତିହାସିକ ଯୁଗର ବୋଲି ପ୍ରମାଣ କରିଦିଅନ୍ତି, ତେବେ ଅନେକ ଓଡ଼ିଆ ପଣ୍ଡିତ ଆନନ୍ଦରେ ନାଚିଉଠିବେ । ଏହା ଏକ ପୌରାଣିକ ମନୋବୃତ୍ତି ଓ ନ୍ୟୁନମନ୍ୟତା ରୋଗର ଏକ ଲକ୍ଷଣ । ଓଡ଼ିଶାର ଭାଷା, ସାହିତ୍ୟ ଓ ଇତିହାସକୁ ପ୍ରବାହମାନ କାଳର ଯଥାସ୍ଥାନରେ ଥୋଇଲେ ହିଁ ସେଥିରୁ ପ୍ରେରଣା ମିଳିପାରିବ, ଅନ୍ୟଥା ଏ ସମସ୍ତ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟିକରି ଭଣ୍ଡ ଓ ଓଡ଼ିଶାପ୍ରେମିକତା ଜାଗ୍ରତ କରିବେ । ସାରଳାସାହିତ୍ୟର ଲେଖାକୁ ଦଶମ ଶତାବ୍ଦୀର ଓ ମାଦଳାପାଞ୍ଜିର ଲେଖାକୁ ଦ୍ୱାଦଶ ଶ୍ରତାବ୍ଦୀର ଲେଖା ବୋଲି ନାନା ଅସାଧୁ ଉପାୟରେ ପ୍ରମାଣ କରି ଏହିପରି ବିଭ୍ରାନ୍ତିକର ପରସ୍ଥିତି ସୃଷ୍ଟି କରାଯାଉଛି ।

 

ଗବେଷଣାଟା ଗୋଟାଏ ସାର୍ବଜନୀନ ବ୍ୟାପାର ହୋଇଉଠିଛି । ଏଥିପାଇଁ ଯେ ସ୍ୱତନ୍ତ୍ର ସାଧନର ଆବଶ୍ୟକତା ଅଛି ଏହା କେହି ଉପଲବ୍‍ଧି କରୁନାହାନ୍ତି । ଲକ୍ଷ୍ୟ କଲେ ଜଣାଯାଏ ଯେ ଓଡ଼ିଶାର ବହୁ ଲବ୍‍ଧପ୍ରତିଷ୍ଠ ବ୍ୟକ୍ତି ହେଉଛନ୍ତି ଗବେଷକ । ଏମାନଙ୍କ ମଧ୍ୟରୁ ଅନେକ ଗବେଷଣା ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ସାଧନା କରିନାହାନ୍ତି । ସମାଜରେ ଏମାନେ ଯେଉଁ ପ୍ରତିଷ୍ଠା ଲାଭ କରିଛନ୍ତି - କେବଳ ସେହି ପ୍ରତିଷ୍ଠା ବଳରେ ହିଁ ଏମାନେ ଗବେଷକ ପାଲଟି ଯାଇଛନ୍ତି । ଓଡ଼ିଶାର ସାହିତ୍ୟ ଓ ଇତିହାସର ଗବେଷଣା ନଗରକୀର୍ତ୍ତନ ପରି ଗୋଟିଏ ସାର୍ବଜନୀନ ବ୍ୟାପାର ହୋଇପଡ଼ିଛି, ଏବଂ ଯେ ପାରିଲା ସେ ଏହା ଭିତରେ ପ୍ରବେଶ କରି ମୁଣ୍ଡହଲାଇ ଗୀତ ଗାଉଛି । ବହୁବର୍ଷ ଧରି ଯେଉଁ ଓଡ଼ିଆ ପଣ୍ଡିତମାନେ ଗବେଷଣାରେ ଲିପ୍ତ ଅଛନ୍ତି, ସେମାନେ ସୁଦ୍ଧା ଭଲ ଇଂରାଜୀରେ ବା ଭଲ ଓଡ଼ିଆରେ ପୁସ୍ତକଟିଏ ବା ପ୍ରବନ୍ଧଟିଏ ଲେଖିବାର କ୍ଷମତା ଅର୍ଜନ କରିନାହାନ୍ତି । ଏମାନଙ୍କ ଭାଷା ଓ ଯୁକ୍ତି ଏପରି ନିମ୍ନସ୍ତରୀୟ ହୋଇଛି ଯେ ତାହା ଓଡ଼ିଶା ଛଡ଼ା ଅନ୍ୟତ୍ର ଗୃହୀତ ଓ ଆଦୃତ ହୋଇପାରିବ ନାହଁ ।

 

ଓଡ଼ିଶାର ଗବେଷଣାକ୍ଷେତ୍ରରେ ଏହି ଅଶୋଭନୀୟ ପରସ୍ଥିତି ପାଇଁ ଓଡ଼ିଶାର ଖବରକାଗଜମାନ ମଧ୍ୟ କେତେକାଂଶରେ ଦାୟୀ । ଏପରି କୌଣସି ବିଷୟ ନାହିଁ, ଯାହା କି ଗବେଷଣା ନାମରେ ଓଡ଼ିଶାର ଖବରକାଗଜ ଓ ପତ୍ରିକାମାନଙ୍କରେ ପ୍ରକାଶ କରାଯାଇ ନ ପାରେ । ଅନେକଙ୍କର ଧାରଣା ଯେ ଏ ସମସ୍ତରେ ନାମ ଓ ଲେଖା ବାହାରିଲେ ଯଶୋଗିରି ଭାଲରେ ଅମରାକ୍ଷରରେ ନାମ ଲେଖା ହୋଇଯାଏ ଏବଂ ତାହା ଯାବତ୍‍ଚଦ୍ରାର୍କେ ଲିଭେ ନାହିଁ । ଏପରି ଧାରଣା କେବଳ ତରୁଣମାନଙ୍କଠାରେ ଦେଖାଗଲେ, ତାହା ମାର୍ଜନୀୟ ହୁଅନ୍ତା; କିନ୍ତୁ ଓଡ଼ିଶାରେ ଏପରି ଧାରଣା ଲୋଳିତଚର୍ମା ଶ୍ମଶାନମାର୍ଗୀମାନଙ୍କଠାରେ ମଧ୍ୟ ବହୁଳ ଭାବରେ ଦେଖାଯାଏ, ଏବଂ ସେହିମାନେ ହିଁ ତରୁଣମାନଙ୍କୁ ଏହି ଆଦର୍ଶ ଓ ଧାରଣା ଦେଇଥାନ୍ତି । ଖବରକାଗଜ ଜରିଆରେ ଅମର ହେବାର ଆଶା ଛାଡ଼ି ତରୁଣମାନେ ଯଦି ସତ୍ୟସନ୍ଧାନରେ ଲାଗନ୍ତେ, ତେବେ ଓଡ଼ିଶାର ଗବେଷଣାର ଧାରା ବଦଳି ଯାଆନ୍ତା ।

 

ଯାହା ଘଟିଯାଉଛି, ତାକୁ ଲିପିବଦ୍ଧ କରିବା ଖବରକାଗଜମାନଙ୍କ ସ୍ୱାଧିକାର; ମାତ୍ର ପ୍ରବାହମାନ ଘଟନାବଳୀ ସମ୍ବନ୍ଧରେ ଟୀକା-ଟିପ୍‍ପଣୀ ଲେଖିବା କିମ୍ୱା ଅଗ୍ରଲେଖାମାନ ଲେଖିବା ମଧ୍ୟ ଖବରକାଗଜମାନଙ୍କ ସ୍ୱାଧିକାରର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଭଣ୍ଡପାଣ୍ଡିତ୍ୟ ଓ ଭଣ୍ଡ ଧାର୍ମିକତ୍ୱ ବଢ଼ିଚାଲିଛି, ଏସକୁ ଖବରକାଗଜ ଜରିଆରେ ବହୁଳ ଭାବରେ ପ୍ରଚାରିତ ହେଉଛି, ଅଥଚ କୌଣସି ଖବରକାଗଜ ଏସବୁ ସମ୍ୱନ୍ଧରେ ଅଗ୍ରଲେଖା ବା ଟୀକା ଟିପ୍‍ପଣୀ ପ୍ରକାଶ କରୁନାହାନ୍ତି । ଏହା ଫଳରେ ଭଣ୍ଡତାକୁ ପ୍ରଭୂତଭାବରେ ପ୍ରଶ୍ରୟ ଦିଆଯାଉଛି । ମୋ ଜୀବନକାଳରେ ମୁଁ ଅନୁଭବ କରିଛି ଯେ କୌଣସି ବିଷୟରେ ଭଣ୍ଡତା ନ ମିଶିଲେ ଓଡ଼ିଶାରେ ତାହା ଆଦୃତ ହୁଏ ନାହିଁ । ସ୍ଫୀତବକ୍ଷ ଓଡ଼ିଆମାନେ କହନ୍ତି-ଆମର ଦେଉଳ ବଡ଼, ଦିଅଁ ବଡ଼ ଓ ଦାଣ୍ଡ ବଡ଼, କିନ୍ତୁ ତାହା ସଙ୍ଗେ ସଙ୍ଗେ ସ୍ୱୀକାର କରନ୍ତି ନାହିଁ ଯେ ଆଜିକାଲି ଆମର ଭଣ୍ଡତା ମଧ୍ୟ ସବୁଠାରୁ ବଡ଼ । ଓଡ଼ିଶାର ଜନସଂଖ୍ୟା ଭାରତର ଜନସଂଖ୍ୟାର ପ୍ରାୟ ପଚିଶ ଭାଗରୁ ଭାଗେ, ଅଥଚ ଖାଦ୍ୟ ଓ ଖଦ୍ୟୋତର ଜିନିଷର ଅପମିଶ୍ରଣରେ, ସ୍ୱାଧୀନତା ସଂଗ୍ରାମୀ ରୂପେ ଜାଲ୍‌ ସାର୍ଟିଫିକେଟ୍‍ ଦାଖଲ କରିବାରେ, ମୂର୍ତ୍ତି ଚୋରିରେ, ଜାଲ୍‍, ଐତିହାସିକ ଉପାଦାନ ସୃଷ୍ଟି କରିବାରେ ଭାରତରେ ଓଡ଼ିଶାର ଭାଗ ସବୁଠାରୁ ବଡ଼ । ବହୁବର୍ଷ ପୂର୍ବେ ୨୦/୧୦/୫୨ ତାରିଖର ସମାଜରେ ପ୍ରକାଶିତ ‘‘ଓଡ଼ିଶାର ଇତିହାସ ଓ ଐତିହାସିକ ଉପାଦାନ’’ ଶୀର୍ଷକ ପ୍ରବନ୍ଧରେ ମୁଁ ସର୍ବପ୍ରଥମେ ଓଡ଼ିଶାର ଜାଲ ଐତିହାସିକ ଉପାଦାନମାନଙ୍କ ପ୍ରତି ସର୍ବସାଧରଣଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । କେଉଁ କେଉଁ ଐତିହାସିକ ଉପାଦାନ ଜାଲ୍ କରାଯାଇଛି, ମୁଁ ତାହା ଏହି ପ୍ରବନ୍ଧରେ ନିର୍ଦ୍ଦିଷ୍ଟ ଭାବରେ ଲେଖିଥିଲି । ୧୯୫୨ ମସିହା ପରେ ଯେଉଁ ଐତିହାସିକ ଉପାଦାନଗୁଡ଼ିକୁ ଜାଲ୍‍ କରାଗଲା, ସେଥିପ୍ରତି ମଧ୍ୟ ମୁଁ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ଏ ଉପାଦାନଗୁଡ଼ିକ ଯେ ଜାଲ୍‍ ନୁହେଁ, ଏ ବିଷୟରେ କେହି ସୁଦ୍ଧା ପ୍ରତିବାଦ କରି ନ ଥିଲେ; ମାତ୍ର ଏହା ଫଳରେ ମୋ ପ୍ରତି ଅନେକଙ୍କର ଗୁପ୍ତକ୍ରୋଧ ବୃଦ୍ଧି ପାଇଥିଲ ଏବଂ ତବ୍ଦ୍ୱାରା ମୋର ଚାକିରିରେ ବହୁ ବାଧା ପହଞ୍ଚିଥିଲା । ସେଥପ୍ରତି ଭ୍ରୂକ୍ଷେପ ନ କରି ମୁଁ ଆଜି ପର୍ଯ୍ୟନ୍ତ ବହୁ ପ୍ରବନ୍ଧରେ ଓ ବହୁ ବକୃତାରେ ଏହି ଜାଲ୍‍, ଐତିହାସିକ ଉପାଦାନମାନଙ୍କ କୁତ୍ସିତ ରୂପକୁ ବିଶ୍ଳେଷଣ କରିଆସିଛି; ଅଥଚ ପ୍ରତିବାଦସ୍ୱରୁପ କେହି ପଦେ ସୁଦ୍ଧା ଲେଖିନାହାନ୍ତି ବା କହିନାହାନ୍ତି । ମୁଁ ବ୍ୟାସସରୋବର କୂଳରେ ଭୀମରଡ଼ି ଦେଇଛି, ଅଥଚ ଜାଲକାରୀମାନେ ଓ ଜାଲ୍‍ ଉପାଦାନମାନ ବ୍ୟବହାର କରିଥିବା ବ୍ୟକ୍ତିମାନେ ଲକ୍ଷ୍ମୀଙ୍କ ଘଣ୍ଟତଳେ ଶୋଇଛନ୍ତି । ସେମାନେ ଯଦି ବାହାରି ଥାଆନ୍ତେ, ତେବେ ସେମାନଙ୍କ ନିଶ୍ଚୟ ଊରୁଭଙ୍ଗ ଘଟିଥାନ୍ତା-

 

ମୁଁ ମୋର ଏହି ଗ୍ରନ୍ଥରେ ରାଜନୀତିକ ଘଟଣାବଳୀର କୌଣସି ଆଲୋଚନା କରି ନାହିଁ; ମାତ୍ର ଓଡ଼ିଆମାନଙ୍କ ଜାଲ୍‍, କରିବା ପ୍ରବୃତ୍ତି କିପରି ରାଜନୀତିରେ ମଧ୍ୟ ପ୍ରବେଶ କରିଛି, ତାହାର ଗୋଟିଏ ପ୍ରକୃଷ୍ଟ ଉଦାହରଣ ଏଠାରେ ଉଲ୍ଲେଖ ନ କରି ରହିପାରୁ ନାହିଁ । ଗୋଟିଏ ନିର୍ବାଚନମଣ୍ଡଳିରେ ଯେତେବେଳେ ଜଣେ ତୁଙ୍ଗନେତା ଜଣେ ତୁଙ୍ଗ ନାରୀନେତ୍ରୀଙ୍କ ମଧ୍ୟରେ ନିର୍ବାଚନ ପ୍ରତିଦ୍ୱନ୍ଦିତା ଚାଲିଥିଲା, ସେତେବେଳେ ନାନାପ୍ରକାର ପ୍ରଚାରରେ ନିର୍ବାଚନମଣ୍ଡଳିଟି ଭରପୂର ହୋଇଥିଲା । ଦୁଇଜଣ ବିଶିଷ୍ଟ ନେତାଙ୍କ ମଧ୍ୟରେ ନିର୍ବାଚନ ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ ଉଭୟ ପକ୍ଷ ଯେ ପ୍ରବଳ ପ୍ରଚାର ଚଳାଇବେ, ଏଥିରେ ଆଶ୍ଚର୍ଯ୍ୟାନ୍ୱିତ ହେବାର କାରଣ ନ ଥିଲା । ମାତ୍ର ନେତାଙ୍କ ପ୍ରଚାରପତ୍ରମାନଙ୍କ ମଧ୍ୟରେ ଗୋଟିଏ ଯେଉଁ ଜାଲ୍‍ ଫଟୋଗ୍ରାଫ୍‍ ଥିଲା, ତାହା ମୋତେ ଅତ୍ୟନ୍ତ ବିଚଳିତ କରିଥିଲା । ଜାଲ୍‍ ଫଟୋଗ୍ରାଫ୍‍ଟି ବିତରିତ ହେବାବେଳେ ମୋର ବଡ଼ପୁଅ ବରେଣ୍ୟ ହାତରେ ସେଥିରୁ ଗୋଟିଏ ପଡ଼ିଥଲା ଓ ତାକୁ ଆଣି ମୋତେ ଦେଇଥିଲା । ତାକୁ ଦେଖିବା ପରେ ମୁଁ କିଛିକ୍ଷଣ ସ୍ତମ୍ଭିତ ହୋଇଗଲି ଏବଂ ତା ପରେ ତାକୁ ଟିକି ଟିକି କରି ଛିଣ୍ଡାଇ ବାଡ଼ିପଟଙ୍କୁ ଫିଙ୍ଗିଦେଲି । ନାରୀନେତ୍ରୀଙ୍କ ଚରିତ୍ର ସଂହାର କରିବା ପାଇଁ ଏହି ଫଟୋଟିକୁ ଜାଲ୍‍ କରାଯାଇଥିଲା । ଫଟୋଗ୍ରାଫ୍‍ଟି ଯେ ନିଶ୍ଚିତ ଭାବରେ ଜାଲ୍‍ ତାହା ମୁଁ ଦେଖିବା ମାତ୍ରେ ଜାଣିପାରିଥିଲି; କିନ୍ତୁ ତରୁଣ ଓ ଅନଭିଜ୍ଞମାନଙ୍କ ମନରେ ଏହି ଫଟୋଗ୍ରାଫ୍‍, ନାରୀନେତ୍ରୀଙ୍କ ଚରିତ୍ର ସମ୍ବନ୍ଧରେ ନିଶ୍ଚୟ ଭ୍ରାନ୍ତି ସୃଷ୍ଟି କରିଥିବ ।

 

ଏପରି ଜାଲ୍‍ ଫଟୋଗ୍ରାଫ୍‍ଟି ଅନ୍ୟ କୌଣସି ରାଜ୍ୟରେ ପ୍ରଚାରିତ ହେବାବେଳେ ଘୋର ଗଣ୍ଡଗୋଳ ସୃଷ୍ଟି ହୋଇ ରକ୍ତପାତ ଘଟିଥାନ୍ତା, ମାତ୍ର ଓଡ଼ିଶାର ବହୁ ଗୁଣୀ, ଜ୍ଞାନୀ, ନୀତିବାଦୀ ଶୁକ୍ଳକେଶ ବୃଦ୍ଧବୃଦ୍ଧା, ନାରୀନେତ୍ରୀଙ୍କ ସମର୍ଥକ-ସମର୍ଥିକାମାନଙ୍କ ମଧ୍ୟରୁ କାହାରି ତୁଣ୍ଡରେ ବା ଲେଖନୀରେ ଏ ଅନୀତି ବିରୁଦ୍ଧରେ ପଦେ ସୁଦ୍ଧା ପ୍ରତିବାଦ ବାହାରି ନ ଥିଲା । ମୋ ମନରେ ଏହାର ପ୍ରତିକ୍ରିୟା ଏତେ ବେଶି ହୋଇଥିଲା ଯେ ମୁଁ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଲଜ୍ଜିତ ହେଲି । ବସ୍ତୁତଃ ସେହିଦିନଠାରୁ ମୁଁ ଅନେକ ସମୟରେ ନିଜକୁ ଆଦିବାସୀ ବୋଲି ପରିଚୟ ଦିଏ । ବଙ୍ଗାଳୀମାନେ ଅନନ୍ତବାସୁଦେବ ମନ୍ଦିର ଓ ଜୟଦେବଙ୍କୁ ମାରିନେଲେ ବୋଲି ଓଡ଼ିଆମାନେ ଭାବପ୍ରବଣ ହୋଇ ବେପଥୁ ପୁଲକରେ ଫୁଲିଉଠନ୍ତି, ଅଥଚ ଜଣେ ଓଡ଼ିଆ କୁଳକନ୍ୟାଙ୍କ ବିରୁଦ୍ଧରେ ମିଥ୍ୟାବଳରେ କୁତ୍ସିତ ପ୍ରଚାର ଚାଲିଥିବାବେଳେ କେହି ପାଟି ଫିଟାନ୍ତି ନାହିଁ । ଏହି ଜାଲ୍ ଫଟୋଗ୍ରାଫ୍‍ ପ୍ରଚାରିତ ହେବାର କିଛିଦିନ ପରେ ଉତ୍କଳ ସାହିତ୍ୟ ସମାଜରେ ଜାତୀୟକବି ବୀରକଶୋର ଦାସଙ୍କ ପ୍ରତିକୃତି ଉନ୍ନୋଚନ ଉତ୍ସବରେ ଏହି କୁତ୍ସିତ ଫଟୋଗ୍ରାଫ୍‍ର ଉଲ୍ଲେଖ କରି ମୁଁ ସଭାରେ ଏକପ୍ରକାର କାନ୍ଦି ପକାଇଥିଲି । ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଶ୍ରୀ ମୁରାରି ମୋହନ ଜେନା ସଭାଭଙ୍ଗ ପରେ କହିଲେ ଯେ ସେ ମୋତେ ଏପରି ଭାବପ୍ରବଣ ହେବାର କେବେ ଦେଖି ନ ଥିଲେ । ଦୁଇକୋଟି ଛବିଶଲକ୍ଷ ଓଡ଼ିଶାବାସୀ ମଧ୍ୟରୁ କେବଳ ଜଣେ ଓଡ଼ିଆ ଏହି ଦୂର୍ନିତି ବିରୁଦ୍ଧରେ କଛି କହିଲା; କିନ୍ତୁ ଆଉ କେହି ପାଟିଫିଟାଇଲେ ନାହିଁ । କିମାଶ୍ଚର୍ଯ୍ୟମତଃ ପରମ୍ ! ଓଡ଼ିଆମାନେ ବୀର ଜାତି ନା ଆଉ କଅଣ ? ଜାଲ୍ କରିବାଟା ବହୁ ଓଡ଼ିଆଙ୍କ ଭୂଷଣ; ଏଣୁ ରାଜନୀତି ନାମରେ, ସଂସ୍କୃତି ନାମରେ, ଧର୍ମ ନାମରେ ବା ଓଡ଼ିଆ ଜାତି ନାମରେ କେହି ଜାଲ୍‍ କଲେ ଓଡ଼ିଶାରେ ତାହା ଧର୍ତ୍ତବ୍ୟ ଅପରାଧ ରୂପେ ପରିଗଣିତ ହୁଏ ନାହିଁ । ଏ ରାଜ୍ୟରେ ନାରୀର ଅବମାନନାକୁ ମଧ୍ୟ ଗୋଟାଏ ବଡ଼ ଦୋଷ ବୋଲି ମନେକରାଯାଏ ନାହିଁ । ଏ ରାଜ୍ୟରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନାକ ଟେକାମାଡ଼ରେ ଫାଟିଥିଲା ଓ ଏହି ରାଜ୍ୟରେ ହିଁ ଜାଲ୍‍ ଫଟୋଗ୍ରାଫ, ସାହାଯ୍ୟରେ ଜଣେ ତୁଙ୍ଗ ନାରୀନେତ୍ରୀଙ୍କ ଚରିତ୍ର-ସଂହାର କରାଯାଇଥିଲା । ଅଥଚ ଓଡ଼ିଆମାନେ ଗର୍ବ କରନ୍ତି ଯେ ସେମାନେ ଜଗନ୍ନାଥଧର୍ମୀ ଓ ଗାନ୍ଧୀବାଦୀ !

 

ମୋର ରାଜନୀତି ସହିତ କୌଣସି ସମ୍ପର୍କ ନ ଥାଏ ମାତ୍ର କେତେକ ସମୟରେ ରାଜନୀତିକ ଘଟଣାବଳୀ ସମ୍ବନ୍ଧରେ ମତପ୍ରକାଶ କରିବାକୁ ମୋତେ ଏକପ୍ରକାର ବାଧ୍ୟ କରାଯାଇଥାଏ । ଯେତେବେଳେ ଶ୍ରୀ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିହାରର ବିଧାନସଭା ସଦସ୍ୟମାନଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଥାଏ, ସେତେବେଳେ ତାଙ୍କର ଏହି କର୍ମକୁ ସମର୍ଥନ କରିବା ପାଇଁ କଟକ ଟାଉନହଲରେ ଶ୍ରୀ ଶ୍ୟାମସୁନ୍ଦର ମିଶ୍ରଙ୍କ ସଭାପତିତ୍ୱରେ କଟକର ବୁଦ୍ଧିଜୀବୀମାନଙ୍କ ଗୋଟିଏ ବଡ଼ଧରଣର ସଭା ବସିଥିଲା । ମୋର ଜଣେ ଓକିଲ ଛାତ୍ର ମୋତେ ଏହି ସଭାକୁ ଡାକି ନେଇଥିଲେ । ବକ୍ତାସଂଖ୍ୟା ଏତେ ବେଶି ହୋଇଥିଲା ଯେ କହିବା ପାଇଁ ସଭାପତି ପ୍ରତ୍ୟେକଙ୍କୁ ପାଞ୍ଚ ମିନିଟରୁ ଅଧିକ ସମୟ ଦେଇ ନ ଥିଲେ । ସମସ୍ତ ବକ୍ତା ଏକସ୍ୱରରେ ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ କରିଥିଲେ; ମାତ୍ର ମଧୁସୂଦନ ଆଇନ କଲେଜର ପ୍ରିନ୍‍ସିପାଲ ଡକ୍ଟର ଘୋଷ ଓ ମୁଁ ଏହି ସର୍ବସମ୍ମତ ମତର ବିରୁଦ୍ଧାଚରଣ କରିଥିଲୁ । ମୋର ବକ୍ତବ୍ୟ ଏହା ହିଁ ଥିଲା ଯେ ଜୟପ୍ରକାଶ ନାରାୟଣଙ୍କ ପନ୍ଥା ଅରାଜକତା ସୃଷ୍ଟି କରିବ । କଂଗ୍ରେସ ସରକାରଙ୍କ ଦୀର୍ଘକାଳ ଶାସନ ଯଦି ଅବାଞ୍ଛନୀୟ ହୋଇପଡ଼ିଛି; ତେବେ କଂଗ୍ରେସକୁ ଭୋଟ ଲଢ଼େଇରେ ପରାସ୍ତ କରି ବିତାଡ଼ନ କରିବା ହିଁ ଏକମାତ୍ର ଗଣତାନ୍ତ୍ରିକ ପନ୍ଥା ।

 

ଚଳନ୍ତି ରାଜନୀତି ସମ୍ବନ୍ଧରେ ମୋର ଏପରି ନିର୍ଦ୍ଦିଷ୍ଟ ମତ ଥିବା ସତ୍ତ୍ୱେ ମୋତେ ରାଜନୀତି ସହିତ ସମ୍ପୃକ୍ତ କରିବା ପାଇଁ କେତେକ ବ୍ୟକ୍ତି ଅପଚେଷ୍ଟା କରିଥାନ୍ତି । ଏମାନଙ୍କ ଭ୍ରାନ୍ତ ଧାରଣା ଏହି ଯେ ମୁଁ ଡକ୍ଟର ମହତାବଙ୍କ ଜଣେ ଗୋଡ଼ାଣିଆ ଲୋକ; ମାତ୍ର ମୋର ଅତୀତର ଇତିହାସ ଲକ୍ଷ୍ୟ କଲେ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ପ୍ରତିପାଦିତ ହେବ । ଯେତେବଳେ ଡକ୍ଟର ମହତାବ ସର୍ବୋଚ୍ଚ କ୍ଷମତାରେ ସମାସୀନ, ସେତେବେଳେ ମୁଁ ସଂସ୍କୃତିର ନିର୍ମଳତା ପାଇଁ ତାଙ୍କର ତୀବ୍ର ବିରୋଧ କରିଥିଲି । ସେ ଯେଉଁ ଓଡ଼ିଶାର ଇତିହାସ ଲେଖିଥିଲେ, ତାହା ମୋ ପକ୍ଷରେ ସ୍ଵାଗତଯୋଗ୍ୟ ଥିଲା; ମାତ୍ର ସେଥିରେ ଥିବା ‘‘କେଶରୀ ବଂଶ’’କୁ ଗ୍ରହଣ କରିବା ପାଇଁ ମୁଁ କୌଣସିମତେ ପ୍ରସ୍ତୁତ ନ ଥିଲି । ଏହି ତଥାକଥିତ କେଶରୀବଂଶରେ ଯେ ବହୁ ଜାଲ ନାମ ରହିଛି, ତାହା ମୁଁ ଏକାଧିକ ପ୍ରବନ୍ଧରେ ଦର୍ଶାଇ ଥିଲି । ବସ୍ତୁତଃ ମାଦଳାପାଞ୍ଜିର ସ୍ୱରୁପ ବିଶ୍ଳେଷଣ କରି ମୁଁ ଯେଉଁ କେତୋଟି ପ୍ରବନ୍ଧ ଲେଖିଥିଲି, ସେଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ମୋର ‘‘ଇତିହାସ ଓ କିମ୍ବଦନ୍ତୀ’’ ନାମକ ପୁସ୍ତକର କଳେବର ପୁଷ୍ଟ କରିଛି । ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ‘‘ବୋର୍ଡ଼ ଅଫ୍ ଷ୍ଟାଡ଼ିଜ୍‍’’ର ମେମ୍ବର ରୂପେ ଓ କଲେଜ କ୍ଲାସମାନଙ୍କରେ ଅଧ୍ୟାପକ ରୂପେ ମାଦଳାପାଞ୍ଜିର ଅସତ୍ୟ ତଥା ତାହାରି ସାହାଯ୍ୟରେ ଲିଖିତ ପୁସ୍ତକମାନଙ୍କୁ ବିଶ୍ଲେଷଣ କରି ତୀବ୍ର ସମାଲୋଚନା କରିଥିଲି । ଏହା ଫଳରେ ମୋର ଚାକିରି ଜୀବନର ଗତି ବଦଳି ଯାଇଥିଲା ଓ ମୁଁ ଦୁର୍ଗତ ହୋଇ ପଡ଼ିଥିଲି । ଆଜିକାଲି ଯେଉଁମାନେ ମହତାବ-ବିରୋଧୀ, ସେତେବେଳେ ସେମାନେ ତାଙ୍କର ପୂର୍ଣ୍ଣ ସମର୍ଥକ ଥିଲେ ଏବଂ ମୋର ଦୁର୍ଗତିରୁ ଫାଇଦା ଉଠାଇଥିଲେ ।

 

ତଥାପି ଡକ୍ଟର ମହତାବ୍‍ ଯେତେବେଳେ ମାଦଳାପାଞ୍ଜିର ଅସତ୍ୟକୁ ପରିହାର କରି ତାଙ୍କ ଓଡ଼ିଶା ଇତିହାସର ନୂତନ ସଂସ୍କରଣରେ ‘‘କେଶରୀବଂଶକୁ’’ ବାଦ୍ ଦେଲେ, ସେତେବେଳେ ମୁଁ ମୋର ସମସ୍ତ ଦୁଃଖ ଓ ଲାଞ୍ଚନା ଭୁଲିଯାଇ ତାଙ୍କ ସହିତ ସାଂସ୍କୃତିକ ସହଯୋଗ କଲି । ମୋର ସ୍ଵର୍ଗତ ପିତା ସତ୍ୟ ପାଇଁ ଅସୀମ ଦୁଃଖ ପାଇଥିଲେ; ମୁଁ ମଧ୍ୟ ସେହି ସତ୍ୟ ପାଇଁ ଅସୀମ ଦୁଃଖ ପାଇଛି ଓ ବର୍ତ୍ତମାନ ମଧ୍ୟ ପାଇବା ପାଇଁ ପ୍ରସ୍ତୁତ ଅଛି । ଜଣେ ତୁଙ୍ଗ ନେତା ଯେ ସାଂସ୍କୃତିକ କ୍ଷେତ୍ରରେ ଚାଲିଥିବା ଭଣ୍ଡତାକୁ ହୃଦୟଙ୍ଗମ କରି ତାକୁ ପରିହାର କଲେ, ଏହା ହିଁ ମୋ ପକ୍ଷରେ ଯଥେଷ୍ଟ ଥିଲା । ଏହାପରେ ଜାଲ୍ ପୋଥି ସାହାଯ୍ୟରେ ସାରଳା ଦାସଙ୍କୁ ଦଶମ ଶତାବ୍ଦୀର କବି ବୋଲି ପ୍ରମାଣ କରିବା ପାଇଁ ପ୍ରୟାସ କଲାବେଳେ, ଜାଲ୍ ଶିଳାଲେଖ ସାହାଯ୍ୟରେ ଭୁବନେଶ୍ୱରର କପିଲେଶ୍ୱରକୁ ବୁଦ୍ଧଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣ କରୁଥିବାବେଳେ, ଜାଲ୍‍ ଶିଳାଲେଖ ସୃଷ୍ଟି କରି ଜୟଦେବଙ୍କୁ ଓଡ଼ିଶାର ଅଧିବାସୀ ବୋଲି ପ୍ରମାଣ କରୁଥିବାବେଳେ, ଡକ୍ଟର ମହତାବ୍ ଏସବୁ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ମୁଁ ଅଯାଚିତ ଭାବରେ ତାଙ୍କୁ ସହଯୋଗ କରିଥିଲି । ଡକ୍ଟର ମହତାବ୍ ତାଙ୍କ ରାଜନୀତିକ ମତକୁ ଗ୍ରହଣ କରିବା ପାଇଁ ମୋତେ କେବେ କହି ନାହାନ୍ତି, କିମ୍ୱା ମୁଁ ମଧ୍ୟ ତାଙ୍କ ରାଜନୀତିକ ମତକୁ କେବେ ଗ୍ରହଣ କରି ନାହିଁ । କଟକ ଟାଉନ୍ ହଲରେ ଅନୁଷ୍ଠିତ ଉଲ୍ଲିଖିତ ସଭାରେ ମୋର ସ୍ଵାଧୀନ ମତପ୍ରକାଶ ଏହାର ଜ୍ଵଳନ୍ତ ପ୍ରମାଣ । ୧୯୪୭ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ସାଂସ୍କୃତିକ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସିଛି । ଏହା ଭିତରେ ବହୁ ରାଜନୀତିକ ପଟ୍ଟ ପରିବର୍ତ୍ତନ ଘଟିଛି, କିନ୍ତୁ ମୁଁ ଯେଉଁଠି ଠିଆ ହୋଇଥିଲି, ସେହିଠାରେ ହିଁ ଠିଆହୋଇଛି । ମୋର ସାଂସ୍କୃତିକ ମତ ଅନ୍ୟମାନଙ୍କ ସାଂସ୍କୃତିକ ମତ ପରି ରାଜନୀତିକ ବାତରେ ବୁରୁଝାଞ୍ଜି ପରି ଏପଟ ସେପଟ ହୋଇ ନାହିଁ । ବିଶ୍ୱନାଥ ଦାସ ମନ୍ତ୍ରୀ ମଣ୍ଡଳଠାରୁ ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ ପର୍ଯ୍ୟନ୍ତ ଯେତେ ମନ୍ତ୍ରିମଣ୍ଡଳ ଗଢ଼ାଯାଇଛି, ସେମାନଙ୍କ ମଧ୍ୟରୁ କୌଣସି ମନ୍ତ୍ରିମଣ୍ଡଳର କୌଣସି ମନ୍ତ୍ରୀଙ୍କ ପାଖକୁ ମୁଁ ସ୍ଵାର୍ଥସିଦ୍ଧି ପାଇଁ ଯାଇ ନାହିଁ । ମୁଁ ମୋର ପ୍ରାପ୍ୟ ଦାବିରୁ ବଞ୍ଚିତ ହୋଇ ଘୋର ଦୁଃଖରେ ଜୀବନଯାପନ କରିଛି, କିନ୍ତୁ ଦୁଃଖ ଦୂରକରିବା ପାଇଁ କୌଣସି ମନ୍ତ୍ରୀଙ୍କ ପାଖକୁ ଯାଇ ନାହିଁ । ଏହା ସତ୍ତ୍ୱେ ରାଜନୀତି ସହିତ ମୋତେ ସଂଶ୍ଲିଷ୍ଟ କରିବା ପାଇଁ ଅପଚେଷ୍ଟା କରାଗଲେ ମୁଁ ଟିକିଏ ବିଚଳିତ ହୋଇଯାଏ ।

 

ଓଡ଼ିଶାର ଅତୀତ ଓ ବର୍ତ୍ତମାନକୁ ସମନ୍ୱୟରେ ବିଚାର କଲାବେଳେ ମୋ ମନରେ ଯେଉଁ ପ୍ରତିକ୍ରିୟା ଜାତ ହୁଏ, ତାହା ହିଁ ମୁଁ ପ୍ରକାଶ କରିଥାଏ । ଓଡ଼ିଶାର ସମସ୍ତ ଅତୀତଟା ଯେ ସୁନ୍ଦର ଓ ମହାନ୍ ଥିଲା, ଏପରି କହିବା ବା ଭାବିବା ସତ୍ୟର ଘୋର ଅପଳାପ । ଓଡ଼ିଶାର ଅତି ଅତୀତର ଇତିହାସ ଗୌରବମୟ ହୋଇଥିଲେ ହେ, ଏହାର ନିକଟ ଅତୀତର ଇତିହାସ ଅତ୍ୟନ୍ତ ଦୁଃଖପ୍ରଦ ଓ ବିଷାଦମୟ । ବସ୍ତୁତଃ ଓଡ଼ିଶାର ନିକଟ ଅତୀତର ଘନଛାୟା ଓଡ଼ିଶାକୁ ଅବଧି ଆବୃତ କରି ରଖିଛି । ଓଡ଼ିଶା କେବେ ସିନା ଶୌର୍ଯ୍ୟବୀର୍ଯ୍ୟରେ ବଡ଼ ଥିଲା; କିନ୍ତୁ ୧୫୪୦ ଖ୍ରୀଷ୍ଟାବ୍ଦରେ ଏହା ଶେଷ ପ୍ରଖ୍ୟାତ ନରପତି ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ ପରେ ଧୀରେ ଧୀରେ ଅନ୍ଧକାରରେ ଆବୃତ ହୋଇ ପଡ଼ିଥିଲା । ପରବର୍ତ୍ତୀ ଚାରୀ ଶତାବ୍ଦୀ ମଧ୍ୟରେ ଉତ୍କଳରେ ଏପରି କୌଣସି ପ୍ରଖ୍ୟାତ ପୁରୁଷ ଜନ୍ମହୋଇ ନ ଥିଲେ କିମ୍ବା ଏପରି କୌଣସି ଗୌରବମୟ ଘଟଣା ଘଟି ନ ଥିଲା, ଯାହା କି ଉତ୍କଳୀୟମାନଙ୍କ ପ୍ରାଣରେ ନବ ପ୍ରେରଣା ଆଣିପାରିଥିଲା । ପ୍ରତାପରୁଦ୍ରଙ୍କ ପରେ ଗୃହଯୁଦ୍ଧ, ଗୁପ୍ତହତ୍ୟା, ହତ୍ୟା, ଦେଶପ୍ରେରଣା କଳଙ୍କମୟ ଅଧ୍ୟାୟ ଶେଷ ହୋଇ ୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଯେତେବେଳେ ସ୍ୱାଧୀନତା ହରାଇଲା, ସେତେବେଳେ ଉତ୍କଳୀୟମାନଙ୍କ ନୈତିକ, ଶାରୀରିକ ଓ ମାନସିକ ଅଧୋଗତି ଘଟିସାରିଥିଲା । ପରବର୍ତ୍ତୀ ପଠାଣ, ମୋଗଲ୍, ମରହଟ୍ଟା ଓ ବ୍ରିଟିଶ ଶାସନ କାଳରେ ଓଡ଼ିଆମାନଙ୍କ ଏପରି ଅଧଃପତନ ଘଟିସାରିଥିଲା ଯେ ଏହି ଦୀର୍ଘ ସମୟ ମଧ୍ୟରେ ଓଡ଼ିଆମାନଙ୍କର ସାହିତ୍ୟ ବ୍ୟତୀତ ଅନ୍ୟ କୌଣସି କୃତିର ଚିହ୍ନ ବା ପ୍ରମାଣ ମିଳେ ନାହିଁ ।

 

ଏ ସମୟରେ ଯେଉଁ ସାହିତ୍ୟ ରଚିତ ହୋଇଥିଲା, ସେଥିରେ କେବଳ ପ୍ରେମ ଓ ଧର୍ମ ଛଡ଼ା ଅନ୍ୟ କୌଣସି ପ୍ରେରଣାଦାୟକ ଉପାଦାନ ନ ଥିଲା । ଏ ସମୟର ସାହିତ୍ୟରେ ଧର୍ମ କେବଳ ନିମିତ୍ତ ମାତ୍ର, ମାତ୍ର ପ୍ରେମ ହିଁ ମୁଖ୍ୟବସ୍ତୁ ହୋଇଛି । ରାମ ନାମ ମିଥିଳାନାରୀମାନଙ୍କ ମୁଖରେ କାମ ହୋଇଯାଇଛି । କୃଷ୍ଣ ମଧ୍ୟ କେବଳ କାମର ଅବତାର ହୋଇଛନ୍ତି । କବିଗୁରୁ, ଧର୍ମଗୁରୁ, ପ୍ରେମଗୁରୁ ଜୟଦେବ ଯେଉଁ ପଥ ଦେଖାଇଥିଲେ, ସେହି ପଥରେ ଓଡ଼ିଆ ସାହିତ୍ୟ ଗଡ଼ାଡାଳିକା ପ୍ରବାହରେ ଗତି କରି ଚାଲିଥିଲା । ଏ ସାହିତ୍ୟରେ ଓଡ଼ିଆ ଭାଷା ଛଡ଼ା ଓଡ଼ିଶାର ଅନ୍ୟ କୌଣସି ବିଷୟ ପ୍ରତିଫଳିତ ହୋଇ ନାହିଁ । ଓଡ଼ିଶାର ଶୋଭାମୟୀ ପ୍ରକୃତି, ଏହାର ଅତୀତର ଅପରିସୀମ ଶୌର୍ଯ୍ୟବୀର୍ଯ୍ୟ, ଜୟଗାଥା, ବୀରଗାଥା ଇତ୍ୟାଦିର ଲେଶ ମାସ ସୁଦ୍ଧା ଏହି ରୀତିସାହିତ୍ୟରେ ସ୍ଥାନ ପାଇ ନାହିଁ । ବଚ୍ଛିନ୍ନ, ବିକ୍ଷିପ୍ତ, ଅର୍ଦ୍ଧସୁପ୍ତ, ନୀତିଭ୍ରଷ୍ଟ, ଦାରିଦ୍ର୍ୟର ଅତଳଗହ୍ୱରରେ ପତିତ, ସ୍ୱଗୌରବମୟ ଇତିହାସ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଚେତନ ଏ ସମୟର ଭଗ୍ନଜାନୁ ଓଡ଼ିଆମାନଙ୍କ ସାହିତ୍ୟରୁ ଉତ୍କଟ ପ୍ରେମ ଛଡ଼ା ଅନ୍ୟ କୌଣସି ଜିନିଷ ମିଳେ ନାହିଁ । ଅଥଚ ଏ ରୀତିସାହିତ୍ୟକୁ ହିଁ ଓଡ଼ିଶାର ସର୍ବଶ୍ରେଷ୍ଠ ସାହିତ୍ୟ ବୋଲି ମୋ ସମୟରେ ଯେଉଁ ପ୍ରବଳ ଉଦ୍ୟମ ଚାଲିଥିଲା ଓ ଅବଧି ଯେଉଁ ପ୍ରବଳ ଉଦ୍ୟମ ଚାଲିଛି, ତାହା ମୋତେ ଅନେକ ସମୟରେ ବ୍ୟଥିତ ଓ ବିବ୍ରତ କରିଛି । ଏହି ପ୍ରବଳ ଉଦ୍ୟମର ମୂଳଉତ୍ସ ହେଉଛି ବଙ୍ଗବିଦ୍ୱେଷ । କବିବର ରାଧାନାଥ ରାୟ ଓ ତଦୀୟ ସମର୍ଥକମାନେ ଭଞ୍ଜସାହିତ୍ୟର ଶ୍ରେଷ୍ଠତ୍ୱ ସ୍ୱୀକାର କଲେ ନାହିଁ । ପରବର୍ତ୍ତୀ କାଳରେ ବିଜୟ ଚନ୍ଦ୍ର ମଜୁମ୍‍ଦାର ମଧ୍ୟ ଏ ସାହିତ୍ୟ ସମ୍ବନ୍ଧରେ ପ୍ରତିକୂଳ ମତ ପ୍ରକାଶ କଲେ । ଆଜକୁ ୩୩ ବର୍ଷ ପୂର୍ବେ କଟକରେ ପ୍ରଥମେ ରବୀନ୍ଦ୍ର ଜୟନ୍ତୀ ପାଳିତ ହେଲା । ଏଇଥିରୁ ହିଁ ଆରମ୍ଭ ହେଲା ଭଞ୍ଜସାହିତ୍ୟର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାର ପ୍ରବଳ ପ୍ରଚେଷ୍ଟା । ଗବେଷଣାତ୍ମକ ଲେଖା ମାଧ୍ୟମର ଯଦି ଏହି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାର ଚେଷ୍ଟା ହୋଇଥାନ୍ତା, ତେବେ ତାହା ବିରୁଦ୍ଧରେ କାହାରି କିଛି କହିବାର ନ ଥାନ୍ତା; କିନ୍ତୁ ଆଦୋଳନଟା କେବଳ ପାଲାଗାଆଣ ବା ନଗରକୀର୍ତ୍ତନର ଆକାର ଧାରଣ କଲା । ମୃଦଙ୍ଗପିଟା ଓ ଚଅଁର ହଲାରେ ଯେ ଓଡ଼ିଆମାନଙ୍କ ସାଂସ୍କୃତିକ ଚେତନାର ଅଭିବୃଦ୍ଧି ଘଟିବ ନାହିଁ, ଏ ବିଷୟରେ ମୋର ଦୃଢ଼ମତ ଥିବାରୁ ମୁଁ ଏ ଆନ୍ଦୋଳନରେ କେବେ ଯୋଗ ଦେଇ ନାହିଁ ।

 

ବଙ୍ଗାଳୀମାନେ ଓଡ଼ିଶାରେ ଅପ୍ରିୟ ହେବାର ବହୁ କାରଣ ରହିଛି । ଏମାନେ ଓଡ଼ିଶାର ଅଧିକାଂଶ ଜମିଦାରୀକୁ ଓ ରାଜକର୍ମଚାରୀ ପଦକୁ କଳେବଳେକୌଶଳେ ଅଧିକାର କରିଥିଲେ । ଏମାନେ ବ୍ୟକ୍ତିଗତ ବ୍ୟବହାରରେ, ଖବରକାଗଜ ମାଧ୍ୟମରେ, ବଙ୍ଗଳା ସାହିତ୍ୟରେ, ନାଟକ ଓ ସିନେମା ମାଧ୍ୟମରେ ଓଡ଼ିଆମାନଙ୍କ ପ୍ରତି ତୁଚ୍ଛତାଚ୍ଛଲ୍ୟ ପ୍ରକାଶ କରି ଓଡ଼ିଆମାନଙ୍କ ମନରେ ନ୍ୟୁନମନ୍ୟତା ବୃଦ୍ଧି କରିଥିଲେ । ମୁଁ ବ୍ୟକ୍ତିଗତଭାବରେ ଏହି ତୁଚ୍ଛତାଚ୍ଛଲ୍ୟର ଶରବ୍ୟ ହୋଇ ବହୁବାର କ୍ଷତବିକ୍ଷତ ହୋଇଛି; କିନ୍ତୁ ବ୍ୟକ୍ତିବିଶେଷଙ୍କ ଦୋଷ ପାଇଁ ମୁଁ ସମଗ୍ର ବଙ୍ଗାଳୀଜାତିକୁ ଦାୟୀ କରି ନାହିଁ । ପ୍ରାଚ୍ୟ-ପାଶ୍ଚାତ୍ୟ ସଭ୍ୟତାର ସଂଘାତରେ ସଂଜାତ ନବଜ୍ଞାନାଲୋକରେ ଯେତେବେଳେ ବଙ୍ଗଦେଶ ଉଭାସିତ ହୋଇଥିଲା, ସେତେବେଳେ ଓଡ଼ିଶା ତିମିରାଚ୍ଛନ୍ନ ହୋଇ କେବଳ ଗୋଟିଏ ଭୌଗୋଳିକ ନାମ ରୁପେ ତିଷ୍ଠି ରହିଥିଲା । ବଙ୍ଗଦେଶରେ ରଜା ରାମମୋହନ ରାୟ, ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକନନ୍ଦ, ରବିନ୍ଦ୍ରନାଥ ଠାକୁର, ଶ୍ରୀ ଅରବିନ୍ଦ, ଆଶୁତୋଷ ମୁଖାର୍ଜୀ ପ୍ରମୁଖ ତୁଙ୍ଗ ବ୍ୟକ୍ତିମାନେ ବଙ୍ଗାଳୀମାନଙ୍କ ମାନ, ମର୍ଯ୍ୟାଦା ଓ ମାନସିକ ଉନ୍ନତିକୁ ଯେତେବେଳେ ଉଚ୍ଚତମ ଶିଖରକୁ ଘେନି ଯାଇଥିଲେ, ସେତେବେଳେ ଓଡ଼ିଆମାନେ ଅଜ୍ଞାନ, ଦାରିଦ୍ର୍ୟ ଓ ହୀନମନ୍ୟତା ମଧ୍ୟରେ ସଢ଼ୁଥିଲେ । ଏହି ସମୟରେ ବଙ୍ଗାଳୀମାନେ ପ୍ରତିବେଶୀ ଓଡ଼ିଆମାନଙ୍କ ପ୍ରତି ଯେଉଁ ସଦ୍‍ବ୍ୟବହାର କରିବାର କଥା, ସେମାନେ ତାହା କରି ନ ଥିଲେ । ଏଣୁ ବଙ୍ଗାଳୀ ଓ ଓଡ଼ିଆମାନଙ୍କ ସମ୍ବନ୍ଧ ତିକ୍ତ ହେଢ଼ା ସ୍ଵାଭାବିକ ।

 

ଓଡ଼ିଆ ଓ ବଙ୍ଗାଳୀମାନଙ୍କ ମଧ୍ୟରେ ତିକ୍ତତା ସବୁଦିନେ ରହି ଆସିଥିଲେ ହେଁ ଓଡ଼ିଆମାନଙ୍କ ପରି ବଙ୍ଗାଳୀମାନଙ୍କ ଅନୁଗତ ଜାତି ଭାରତରେ ଅନ୍ୟତ୍ର ନାହାନ୍ତି । ଓଡ଼ିଆମାନଙ୍କ ଶତକରା ନବେ ଧର୍ମଗୁରୁ ହେଉଛନ୍ତି ବଙ୍ଗାଳୀ । ଧର୍ମର ଅହିଫେନ ଟିକିଏ ପାଇଲେ ଓଡ଼ିଆମାନେ ଧାଡ଼ିବାନ୍ଧି ଧର୍ମଗୁରୁ ପଛରେ ଚାଲନ୍ତି । ଧର୍ମଗୁରୁ ଭଲ କି ଭେଲ, ସେମାନେ ଏହା ବିଚାରକୁ ମଧ୍ୟ ଆଣନ୍ତି ନାହିଁ । ବଙ୍ଗସାହିତ୍ୟରେ ଯେତେବେଳେ କୌଣସି ପରିବର୍ତ୍ତନ ଘଟେ, ଓଡ଼ିଆସାହିତ୍ୟରେ ମଧ୍ୟ ଅନୁରୂପ ପରିବର୍ତ୍ତନ ଘଟେ । ବଙ୍ଗର ପର୍ବପର୍ବାଣିରେ ଯେତେବେଳେ ପରିବର୍ତ୍ତନ ଘଟେ, ଓଡ଼ିଆ ପର୍ବପର୍ବାଣିରେ ମଧ୍ୟ ସେତେବେଳେ ଅନୁରୂପ ପରିବର୍ତ୍ତନ ଘଟେ । ପର୍ବପର୍ବାଣିରେ ଜୋରଜବରଦସ୍ତି ଚାନ୍ଦାଆଦାୟ କରିବା, ଆଡ଼ମ୍ବରପୂର୍ଣ୍ଣ ମେଢ଼ ଶୋଭାଯାତ୍ରା ଓ ଭୋଜିରେ ବହୁବ୍ୟୟ କରିବା, ସାମାନ୍ୟ କଥାରେ ଧାର୍ମିକ ଶୋଭାଯାତ୍ରାମାନଙ୍କରେ ତୁମୁଳ ସଂଗ୍ରାମ ସୃଷ୍ଟିକରି ସାତ୍ୱିକତାର ସତ୍ତାକୁ ଲୋପ କରିବା ଇତ୍ୟାଦି ଓଡ଼ିଆ ପର୍ବପର୍ବାଣିର ପରମ୍ପରା ନ ଥିଲା । ଏ ସମସ୍ତ ବଙ୍ଗରୁ ଆମଦାନୀ ହୋଇ ଓଡ଼ିଶାକୁ ଆସିଛି । କ୍ଷଣିୟ-କରଣ ପ୍ରଭୃତି କେତେକ ଜାତିକୁ ବାଦ ଦେଲେ ଅନ୍ୟ ଓଡ଼ିଆ ଜାତିମାନଙ୍କ ମଧ୍ୟରେ ଯୌତୁକ ପ୍ରଥାର ଉତ୍କକଟା, ବିବାହର ଆଡ଼ମ୍ୱରପୂର୍ଣ୍ଣ ଶୋଭାଯାତ୍ରା, ବ୍ୟୟବହୁଳ ଭୋଜି, ବରଯାତ୍ରୀ ଦଳର ସାହୁକାର ବା ସରକାରୀ କର୍ମଚାରୀମାନଙ୍କ ପରି ମନୋବୃତ୍ତି ଇତ୍ୟାଦି ଓଡ଼ିଶାରେ ପଚାଶବର୍ଷ ପୂର୍ବେ ନ ଥିଲା । ଏସବୁ ମଧ୍ୟ ବଙ୍ଗରୁ ଆମଦାନୀ ହୋଇ ଆସିଛି । ପିନ୍ଧାପୋଷାକରେ ଓ ଚାଲିଚଳନରେ ମଧ୍ୟ ଓଡ଼ିଶା ବଙ୍ଗଦେଶକୁ ଅନୁକରଣ କରି ଚାଲିଛି । ବଙ୍ଗୀୟମାନଙ୍କ ସୁପ୍ରଥାଗୁଡ଼ିକୁ ଓଡ଼ିଆମାନେ ଅନୁକରଣ କରନ୍ତି ନାହିଁ । ବଙ୍ଗାଳୀମାନଙ୍କ ମଧ୍ୟରୁ କେହି ମରିଗଲେ, ସମସ୍ତ ବଙ୍ଗାଳୀ ମିଶି ମୃତବ୍ୟକ୍ତିର ପରିବାରକୁ ଅର୍ଥ ସାହାଯ୍ୟ ଦିଅନ୍ତି । ଓଡ଼ିଆମାନେ ଏହି ସୁପ୍ରଥାକୁ ଅନୁସରଣ କରନ୍ତି ନାହିଁ । ଓଡ଼ିଆ ଭାଷାରେ ଓ ଓଡ଼ିଆ ନାମକରଣରେ ଓଡ଼ିଆ ଧ୍ୱନିତତ୍ତ୍ୱର ଯେଉଁ ବୈଶିଷ୍ଟ୍ୟ ଥିଲା, ତାହା ମଧ୍ୟ ବଙ୍ଗାନୁକୃତିରେ ଲୋପ ପାଇବାକୁ ବସିଛି । ଯତୀନ୍, ଧୀରେନ୍ , ରବିନ୍‍, ଯୋଗେନ୍, ନଗେନ୍, ସୁରେନ୍‍, ଶୈଲେନ୍‍, ସୁନୀଲ୍‍, ସୁଧୀନ, ଅତୁଲ୍, ନନୀଗୋପାଲ୍‍, ରାଖାଲ୍‍, ଫନି ଇତ୍ୟାଦି ଓଡିଆ ନାମମାନଙ୍କରୁ ଜଣାଯାଏ ଯେ ବଙ୍ଗପ୍ରଭାବରେ ଓଡ଼ିଆଭାଷାର ଉଚ୍ଚାରଣ-କ୍ରମ ଓ ଧ୍ୱନିତତ୍ତ୍ୱର, ବୈଶିଷ୍ଟ୍ୟ ମଧ୍ୟ ଲୋପହେବାକୁ ବସିଛି ।

 

ଓଡ଼ିଆମାନେ ବଙ୍ଗାଳୀମାନଙ୍କୁ ଏହିପରି ନିର୍ବିଚାରରେ ଅନୁକରଣ କରୁଥିଲେ ହେଁ ଅନେକ ସମୟରେ ସେମାନେ ନିର୍ବିଚାରରେ ସମଗ୍ର ବଙ୍ଗାଳୀଜାତି ପ୍ରତି ବିଦ୍ୱେଷୀ ହୋଇ ପଡ଼ନ୍ତି । ବଙ୍ଗାଳୀମାନଙ୍କ ଯେଉଁ ସୁଗୁଣ ଅଛି, ସେଥିରୁ ସେମାନେ ଶିକ୍ଷାଲାଭ କରନ୍ତି ନାହିଁ । ତୁଙ୍ଗ ବଙ୍ଗାଳୀମାନଙ୍କ ଧୀମତ୍ତା, ସତ୍ୟାଶ୍ରୟିତା, ଶ୍ରମ, ସାଧନା, ସ୍ୱଜାତିବତ୍ସଳତା, ବିଦ୍ୟୋତ୍ସାହିତା ଇତ୍ୟାଦିରୁ ଓଡ଼ିଆମାନେ ଶିକ୍ଷାଲାଭ ନ କରି, ନିମ୍ନଶ୍ରେଣୀୟ ବଙ୍ଗାଳୀମାନଙ୍କ ଦୁର୍ଗୁଣକୁ ହିଁ ବେଶି ଭାବରେ ଅନୁକରଣ କରିଥାନ୍ତି । ବଙ୍ଗାଳୀମାନେ ଅତୀତରେ ଓଡ଼ିଆମାନଙ୍କ ପ୍ରତି ସୁବ୍ୟବହାର କରି ନ ଥିଲେ ହେଁ, ଓଡ଼ିଆ ଜାତୀୟତାର ନବୋନ୍ନେଷ ପାଇଁ ବଙ୍ଗାଳୀ ତଥା ଓଡ଼ିଶାର ଅଧିବାସୀ ବଙ୍ଗାଳୀମାନେ ପ୍ରଭୁତ ଭାବରେ ସାହାଯ୍ୟ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠାର ସ୍ଵପ୍ନ ସର୍ବପ୍ରଥମେ ରାଜା ବୈକୁଣ୍ଠନାଥ ଦେଙ୍କ ମନରେ ହିଁ ପ୍ରବେଶ କରି ଥିଲା । ଗୌରୀଶଙ୍କର ରାୟ ଉତ୍କଳ ଦୀପିକା ମାଧ୍ୟମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଦାବିକୁ ବହୁ ଭାବରେ ଦୃଢ଼ୀଭୂତ କରିଥିଲେ ଏବଂ ତାଙ୍କ ପତ୍ରିକା ଉତ୍କଳ ଦୀପିକା ଓଡ଼ିଶାର ଗୌରବ ଓ ସ୍ଵାର୍ଥସଂରକ୍ଷଣ ପାଇଁ ସର୍ବଦା ତତ୍ପର ଥିଲା । କାନ୍ତି ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ପ୍ରମୁଖ କେତେକ ମୁଷ୍ଟିମେୟ ବଙ୍ଗାଳୀ ‘‘ଉଡ଼ିଆ ଏକ୍‍ଟା ସ୍ଵତନ୍ତ୍ର ଭାଷା ନୟ’’ ବୋଲି ପ୍ରଚାର କରୁଥିବାବେଳେ ରାଜା ବୈକୁଣ୍ଠନାଥ ଦେ ଓ ମନୀଷୀ ଭୂଦେବ ମୁଖୋପାଧ୍ୟାୟ କବିବର ରାଧାନାଥ ରାୟଙ୍କୁ ବଙ୍ଗଭାଷା ଛାଡ଼ ଓଡ଼ିଆ ଭାଷାରେ ହିଁ କବିତା ରଚନା କରିବା ପାଇଁ ପ୍ରବର୍ତ୍ତାଇ ଓଡ଼ିଆ ସାହିତ୍ୟର ନବଯୁଗ ସୃଷ୍ଟି କରିଥିଲେ । ରଙ୍ଗଲାଲ ବନ୍ଦୋପାଧ୍ୟାୟ ଓ ଭୂଦେବ ମୁଖୋପାଧ୍ୟାୟ କାନ୍ତି ଚନ୍ଦ୍ର ପ୍ରମୁଖଙ୍କୁ ଓଡ଼ିଆବିରୋଧୀ ମତକୁ ତୀବ୍ର ସମାଲୋଚନା କରି ଓଡ଼ିଆଭାଷାର ସ୍ୱାତନ୍ତ୍ର ଏବଂ ଓଡ଼ିଆସାହିତ୍ୟର ପ୍ରାଚୀନତ୍ୱ ସ୍ଵୀକାର କରିଥିଲେ । ମନମୋହନ ଚକ୍ରବର୍ତ୍ତୀ ଓଡ଼ିଆ ସାହିତ୍ୟର ସ୍ୱାତନ୍ତ୍ର ଓ ବିଭବକୁ ସ୍ୱୀକାର କରି ଏ ସାହିତ୍ୟ ସମ୍ବନ୍ଧରେ ସର୍ବପ୍ରଥମ ଗବେଷଣାତ୍ମକ ପ୍ରବନ୍ଧ ଲେଖିଥିଲେ । ଯେତେବେଳେ ଓଡ଼ିଆ ସାହିତ୍ୟ ଉଚ୍ଚପଦସ୍ଥ ଓଡ଼ିଆ ମାନଙ୍କର ବ୍ୟଙ୍ଗବିଦ୍ରୁପର ବସ୍ତୁ ଥିଲା, ସେତେବେଳେ ବଙ୍ଗମନୀଷୀ ଗୁଣଗ୍ରାହୀ ସାର୍‍ ଆଶୁତୋଷ ମୁଖାର୍ଜୀ ଓଡ଼ିଆଭାଷାର ସ୍ୱାତନ୍ତ୍ର୍ୟ ସ୍ୱୀକାର କରି ଏହାର ସାହିତ୍ୟକୁ ସର୍ବପ୍ରଥମେ କଲିକତା ବିଶ୍ୱବିଦ୍ୟାଳୟର ଏମ.ଏ. କ୍ଲାସରେ ସ୍ଥାନ ଦେଇଥିଲେ । ରାଧାନାଥ ରାୟ, ଶଶିଭୂଷଣ ରାୟ, ବିପିନ ବିହାରୀ ରାୟ, ଗିରିଜାଶଙ୍କର ରାୟ, ଅନ୍ନଦା ଶଙ୍କର ରାୟ, ନାରାୟଣ ମୋହନ ଦେ, ବାମାଚରଣ ମିତ୍ର ପ୍ରଭୃତିଙ୍କ ଓଡ଼ିଆସାହିତ୍ୟ ପ୍ରତି ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ । ରାମଶଙ୍କର ରାୟ, ଅଶ୍ୱିନୀକୁମାର ଘୋଷ, କୃଷ୍ଣପ୍ରସାଦ ବସୁ, ମୋହନ ସୁନ୍ଦର ଦେବଗୋସ୍ୱାମୀ, କାର୍ତ୍ତିକ ଚନ୍ଦ୍ର ଘୋଷ ପ୍ରଭୃତି ନାଟ୍ୟକାରମାନେ ଓଡ଼ିଶାର ରଙ୍ଗମଞ୍ଚର ପ୍ରଭୂତ ଉନ୍ନତି କରିଥିଲେ । ମୋହନ ସୁନ୍ଦର ଦେବଗୋସ୍ଵାମୀ ସର୍ବପ୍ରଥମ ଓଡ଼ିଆ ଚଳଚିତ୍ରର ନିର୍ମାତା ଥିଲେ । ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ସର୍ବପ୍ରଥମେ ମହାମନୀଷୀ ଚନ୍ଦ୍ରଶେଖର ସାମନ୍ତ ସିଂହଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିଥିଲେ ଏବଂ କବିବର ରାଧାନାଥ ରାୟ ସାମନ୍ତସିଂହଙ୍କ ପ୍ରଶସ୍ତି ଅନବଦ୍ୟ କବିତାରେ ପ୍ରକାଶ କରି ତାଙ୍କ ନାମ ଓ କୃତିକୁ ଓଡ଼ିଶାର ପୁରପଲ୍ଲୀରେ ପ୍ରଚାର କରିଥିଲେ । ଓଡ଼ିଶାର ପ୍ରଚୁର ପ୍ରତ୍ନତତ୍ତ୍ୱ ସମ୍ପଦକୁ ବେଶ୍ ଭାବରେ ବଙ୍ଗାଳୀମାନେ ହିଁ ଲୋକଲୋଚନକୁ ଆଣିଥିଲେ ଏବଂ ବୈଜ୍ଞାନିକ ରୀତିରେ ଲିଖିତ ଓଡ଼ିଶାର ସର୍ବପ୍ରଥମ ବୃହତ୍ ଇତିହାସର ଲେଖକ ଥିଲେ ରାଖାଲ ଦାସ ବେନାର୍ଜୀ । ଓଡ଼ିଶା ସହିତ ଷଢ଼େଇକଳା-ଖରସୁଆଁ ସମ୍ମିଶ୍ରଣ ପାଇଁ ଓଡ଼ିଶାରେ ଯେଉଁ ତୀବ୍ର ଆନ୍ଦୋଳନ ହୋଇଥିଲା, ସେଥିରେ ସୁନୀଲ ଦେ ପ୍ରାଣଦାନ କରିଥିଲେ । ମୁଁ କହୁ ନାହିଁ ଯେ ଓଡ଼ିଶାର ନବଜାଗରଣରେ ଓଡ଼ିଆମାନଙ୍କ କୌଣସି ଭାଗ ନ ଥିଲା । ଏହି ଜାଗରଣରେ ବଙ୍ଗାଳୀ ଓ ଅଧିବାସୀବଙ୍ଗାଳୀମାନଙ୍କ ଭୂମିକାର ସାମାନ୍ୟ ସୂଚନା ହିଁ ଏଠାରେ ଦେଉଛି ।

 

ଓଡ଼ିଶାରୁ ଜମିଦାରୀ ଲୋପପାଇବା ସଙ୍ଗେ ସଙ୍ଗେ ଓଡ଼ିଶାରୁ ବଙ୍ଗାଳୀ ଜମିଦାରମାନଙ୍କ ପ୍ରଭାବ ମଧ୍ୟ ଲୋପ ପାଇଛି । ୧୯୩୬ ମସିହାରୁ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ଏବଂ ୧୯୪୭ରୁ ଓଡ଼ିଶା ଭାରତର ଗୋଟିଏ ବଡ଼ରାଜ୍ୟ ରୂପେ ପରିଗଣିତ ହେବା ପରେ, ବଙ୍ଗାଳୀମାନେ, ତେଲେଙ୍ଗାମାନେ ବା ଅନ୍ୟ କୌଣସି ଅଣଓଡ଼ିଆମାନେ ଆମର ଉନ୍ନତିପଥକୁ ରୁଦ୍ଧ କରୁଛନ୍ତି ବୋଲି ଭାବିବା ବା କହିବାରେ ଯୌକ୍ତିକତା ନାହିଁ । ପ୍ରଗତିର ଦୌଡ଼ରେ ଓଡ଼ିଆମାନେ କାହିଁକି ପଛରେ ପଡ଼ୁଛନ୍ତି, ତାହା ସ୍ଥିର କରିବା ପାଇଁ ଆତ୍ମବିଶ୍ଳେଷଣର ବିଶେଷ ଆବଶ୍ୟକତା ରହିଛି । ଆମ୍ଭମାନଙ୍କ ମନକୁ ବଙ୍ଗାଳୀଭୂତ ସବୁବେଳେ ଆଚ୍ଛନ୍ନ କରି ରଖିଲେ ଏବଂ ଆମର ଅନଗ୍ରସରତା ପାଇଁ ଆମ୍ଭେମାନେ ସବୁବେଳେ ଅଣଓଡ଼ିଆମାନଙ୍କୁ ଦାୟୀ କଲେ, ଓଡ଼ିଶାର ଅଗ୍ରଗତି ସମ୍ଭବପର ହୋଇପାରିବ ନାହିଁ । ଆମ୍ଭେମନେ କର୍ମପ୍ରବଣ ନ ହୋଇ ଖାଲି ବାକ୍ୟବୀର ଓ ବିଦ୍ୱେଷୀ ହେଲେ ବଙ୍ଗାଳୀମାନେ ବଙ୍ଗୋପସାଗରରେ ବୁଡ଼ିମରିବେନାହିଁ, କିମ୍ୱା ତେଲେଙ୍ଗାମାନେ ତେଲିଙ୍ଗନା ଛାଡ଼ି ପଳାଇଯିବେ ନାହିଁ । ଯୁଗ ଯୁଗ ଧରି ପ୍ରତିବେଶୀ ଅଞ୍ଚଳମାନ ଓଡ଼ିଶା ସହିତ ଯେପରି ଲାଗି ରହିଛି, ଚିରକାଳ ସେହିପରି ଲଗିରହିଥିବ । ‘‘ଜୋର ଯାହାର ମୁଲକ ତାହାର’’–ଏ ନୀତି ସୃଷ୍ଟିର ଆବହମାନ କାଳରୁ ଚାଲିଆସିଛି । ଯେଉଁମାନଙ୍କୁ ଆମର ଅନଗ୍ରସରତା ପାଇଁ ଆମ୍ଭେମାନେ ଦାୟୀ କରୁଛୁ, ସେମାନଙ୍କ ଶ୍ରମ, ନିଷ୍ଠା, ସାଧନା, ସତ୍ୟାଶ୍ରୟିତା ଇତ୍ୟାଦି ଯେ ଅମ୍ଭମାନଙ୍କ ପାଖରେ ନାହିଁ, ଏ କଥା ଆତ୍ମବିଶ୍ଳେଷଣ ଦ୍ଵାରା ସ୍ଵୀକାର କଲେ ହିଁ ଆମର ଅଗ୍ରଗତିର ପଥ ସୁଗମ ଓ ନିର୍ମଳ ହେବ । ନିକଟ-ଅତୀତରେ ସିନା ବଙ୍ଗାଳୀ ଓ ତେଲେଙ୍ଗାମାନେ ଓଡ଼ିଶାରେ ପ୍ରଭାବ ବିସ୍ତାର କରିଥିଲେ, ମାତ୍ର ଦୂରଅତୀତରେ ଓଡ଼ିଆମାନେ ମଧ୍ୟ ଏମାନଙ୍କ ଉପରେ ପ୍ରଭାବ ବିସ୍ତାର କରି ଅନେକ ସମୟରେ ଗୋଦାବରୀ ଠାରୁ ଗଙ୍ଗା ପର୍ଯ୍ୟନ୍ତ ଅଞ୍ଚଳର ଅଧୀଶ୍ୱର ହୋଇ ରହିଥିଲେ । ବଙ୍ଗାଳୀମାନେ ବା ତେଲେଙ୍ଗାମାନେ ସେହି ଅତୀତ କଥାକୁ ଧରି ବସିନାହାନ୍ତି । ଓଡ଼ିଆମାନେ ମଧ ଅତୀତକୁ ଆଉ ଆଙ୍କଡ଼ି ଧରିବା ପାଇଁ ଚେଷ୍ଟା ନ କରି ନିଜ ପ୍ରଗତିପଥରେ ଅଗ୍ରସର ହେବା ଉଚିତ ।

 

ମୋ ସମୟର ଇତିହାସ ଧାରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଓଡ଼ିଶାର ଅଗ୍ରଗତି ଅନେକ ସମୟରେ ଓଡ଼ିଆମାନଙ୍କ ଦ୍ୱାରା ହିଁ ବ୍ୟାହତ ହୋଇଛି । ମୋ ସମୟର ଓଡ଼ିଶାରେ ଓଡ଼ିଆ ନେତୃବୃନ୍ଦ ମଧ୍ୟରେ ସ୍ୱାର୍ଥତ୍ୟାଗର ମହତ୍ ଉଦାହରଣ ମୁଁ ଦେଖି ନାହିଁ । ଓଡ଼ିଆଭାଷୀ ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ମିଶାଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବାର ଚେଷ୍ଟା ଚାଲିଥିବାବେଳେ ଓଡ଼ିଶାର କୌଣସି ନେତା ସ୍ୱାର୍ଥତ୍ୟାଗର ମହତ୍‍ ଆଦର୍ଶ ଦେଖାଇ ନ ଥିଲେ । ମେଦିନୀପୁରର ବୀରେନ୍ ସାସମଲ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହେବାକୁ ଚାହିଁଥିଲେ, କିନ୍ତୁ ଓଡ଼ିଆନେତାମାନେ ତାଙ୍କୁ ଏ ଆସନ ଦେବା ପାଇଁ ରାଜି ହୋଇ ନ ଥିଲେ । ବୀରେନ୍‍ ସାସମଲ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହୋଇଥିଲେ ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ଏକତ୍ରୀକରଣ କରିବାର ପ୍ରଚେଷ୍ଟା ଭିନ୍ନ ଆକାର ଧାରଣ କରିଥାନ୍ତା । ଷଢ଼େଇକଳା-ଖରସୂଆ ଓଡ଼ିଶାରେ ମିଶିଯାଇଥିଲା, ମାତ୍ର ବିହାରୀମାନଙ୍କ ସହିତ ଓଡ଼ିଆମାନଙ୍କ ଗୁପ୍ତ ସନ୍ଧି ଓ ସହଯୋଗ ହେତୁ ହିଁ ଏହି ଅଞ୍ଚଳଦ୍ୱୟ ଚିରକାଳ ପାଇଁ ଓଡ଼ିଶାରୁ ଚାଲିଗଲା । ସୀମା କମିଶନ୍‍ଙ୍କ ନିର୍ଦ୍ଧାରଣ ଅନୁସାରେ ଯେତେବେଳେ ଓଡ଼ିଶାର ଷଢ଼େଇକଲା-ଖରସୁଆଁ ଦାବୀକୁ ଅଗ୍ରାହ୍ୟ କରାଗଲା, ସେତେବେଳେ ଓଡ଼ିଶାର ଜନତା ଉତ୍‌କ୍ଷିପ୍ତ ହୋଇ ଉଠିଥିଲା । କଟକରେ ସୁନୀଲ ଦେ ଓ ପୁରୀରେ ବେଙ୍ଗପାଣିଆ ପୁଲିସ୍‍ର ଗୁଳିମାଡ଼ରେ ମଲେ । ଏପରି ଅବସ୍ଥାରେ କ୍ଷମତାସୀନ ଓଡ଼ିଆମନ୍ତ୍ରୀମାନେ ମନ୍ତ୍ରୀପଦରୁ ଇସ୍ତାଫା ଦେବାର କଥା, କିନ୍ତୁ ଓଡ଼ିଶା ସରକାର ବା ଭାରତ ସରକାରଙ୍କ କୌଣସି ଓଡ଼ିଆମନ୍ତ୍ରୀ ମନ୍ତ୍ରୀପଦ ତ୍ୟାଗ କରି ନ ଥିଲେ । ମନ୍ତ୍ରୀତ୍ୱ ଯେ ଚାକିରି ନୁହେଁ ଏବଂ ନୀତିଗତ କାରଣରୁ ସେ ମନ୍ତ୍ରୀତ୍ୱକୁ ତ୍ୟାଗକରାଯାଏ, ମୋ ସମୟର ଓଡ଼ିଆ ନେତାମାନେ ଏ ଆଦର୍ଶ ଦେଖାଇ ନାହାନ୍ତି । ଅଥଚ ଓଡ଼ିଆନେତା ମଧୁସୂଦନ ଦାସ ଏ ଆଦର୍ଶ ଭାରତରେ ସର୍ବପ୍ରଥମେ ଦେଖାଇଥିଲେ । ସେ ନୀତିଗତ କାରଣରୁ ମନ୍ତ୍ରୀପଦ ସହିତ ତତ୍‍କାଳୀନ ଚାରିସହସ୍ର ଟଙ୍କାର ମାସିକ ବେତନ ପରିତ୍ୟାଗ କରି ସ୍ଵାର୍ଥତ୍ୟାଗର ଅପୂର୍ବ ନିଦର୍ଶନ ଦେଖାଇଥିଲେ । ଆମର ପ୍ରତିବେଶୀ ଅଞ୍ଚଳମାନଙ୍କର ନେତାମାନେ ମଧ ମୋ ସମୟରେ ଏହିପରି ଆଦର୍ଶ ଦେଖାଇଛନ୍ତି । ବଙ୍ଗଦେଶର ସ୍ୱାର୍ଥ ଓ ମର୍ଯ୍ୟାଦାରେ ଆଞ୍ଚ ଆସିବାବେଳେ ବହୁ ବଙ୍ଗାଳୀମନ୍ତ୍ରୀ ମନ୍ତ୍ରୀପଦ ତ୍ୟାଗ କରିଥିଲେ । ତେଲିଙ୍ଗାନାକୁ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ ଆନ୍ଦୋଳନ ଚାଲିଥିବାବେଲେ ବହୁ ତେଲେଙ୍ଗାମନ୍ତ୍ରୀ ଓ ନିର୍ବାଚିତ ସଦସ୍ୟ ସେମାନଙ୍କ ପଦତ୍ୟାଗ କରିଥିଲେ । ଆମ୍ଭେମାନେ ପ୍ରତିବେଶୀମାନଙ୍କୁ ଖାଲି ନିନ୍ଦା ଓ ହିଂସା କରିବାକୁ ଶିଖିଛୁ, କିନ୍ତୁ ସେମାନଙ୍କ ସ୍ୱଦେଶ- ପ୍ରେମିକତା ଓ ସ୍ଵାର୍ଥତ୍ୟାଗରୁ କିଛି ଶିଖି ନାହୁଁ ।

 

ମୋ ସମୟର ଓଡ଼ିଶାର ରାଜନୀତିକ୍ଷେତ୍ରରେ ସ୍ୱାର୍ଥତ୍ୟାଗର ଯେପରି ସୁମହତ୍‍ ଆଦର୍ଶ ନାହିଁ, ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସେହିପରି ସ୍ଵାର୍ଥତ୍ୟାଗ ବା ସାଧନାର ସୁମହତ୍‍ ଆଦର୍ଶ ନାହିଁ । ଆମର ପ୍ରତିବେଶୀ ଅଞ୍ଚଳମାନଙ୍କରେ ବହୁ ଗୁଣୀ, ଜ୍ଞାନୀ, ସାହିତ୍ୟିକ, ଐତିହାସିକ, ବୈଜ୍ଞାନିକ ଧ୍ୟାନମଗ୍ନ ବୁଦ୍ଧ ପରି ସ୍ୱ-ସ୍ୱ ସାଧନାରେ ନିମଗ୍ନ ଅଛନ୍ତି । ଓଡ଼ିଶାରେ ଏପରି ସାଧନାର ସୁମହତ୍ ଆଦର୍ଶ ଦେଖିବାକୁ ମିଳେ ନାହିଁ । ପ୍ରତିବେଶୀ ଅଞ୍ଚଳମାନଙ୍କରେ ବୃଦ୍ଧଗୁଣୀଜ୍ଞାନୀମାନେ ତରୁଣମାନଙ୍କୁ ସାହାଯ୍ୟ ଓ ଉତ୍ସାହ ଦେଇ ସାଂସ୍କୃତିକ ପଥରେ ଅଗ୍ରସର କରାଇଥାନ୍ତି । ଓଡ଼ିଶାରେ ଏପରି ଆଦର୍ଶ କ୍ୱଚିତ୍‍ ଦେଖାଯାଏ । ମୋ ସାଧନାକ୍ଷେତ୍ରରେ ମୁଁ ଲକ୍ଷ୍ୟ କରିଛି ଯେ ବୟୋବୃଦ୍ଧମାନେ ଉଦୀୟମାନ ତରୁଣମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ, ସେମାନଙ୍କୁ ପଛରେ ପକାଇଦେଇ ନିଜ ସ୍ଵାର୍ଥସିଦ୍ଧି କରିଥାନ୍ତି । ଇତିହାସ ଓ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ବହୁ ତରୁଣ ଓଡ଼ିଆ ଉଲ୍ଲେଖଯୋଗ୍ୟ ସଫଳତା ଲାଭକଲେଣି, କିନ୍ତୁ ସେମାନେ ଲୋକଲୋଚନକୁ ଆସିପାରୁ ନାହାନ୍ତି । ବୃଦ୍ଧମାନେ ଅହମିକାର ମେରୁ ପରି ବସି ରହି ସେମାନଙ୍କୁ ପଥଛାଡ଼ି ଦେଉନାହାନ୍ତି । ଓଡ଼ିଶାର ସଂସ୍କୃତିରେ ଏହା ଏକ ଗୁରୁତର ସମସ୍ୟା; କିନ୍ତୁ ଏ ସମସ୍ୟାକୁ ସମାଜ ବା ସରକାର ଲକ୍ଷ୍ୟ କରନ୍ତି ନାହଁ କିମ୍ୱା ପ୍ରତିକାର କରନ୍ତି ନାହିଁ ।

Image

 

Unknown

ଦ୍ଵାଦଶ ପରିଚ୍ଛେଦ

ଶେଷକ୍ରୋଶ

 

ଷାଠିଏ ବର୍ଷକୁ ବହୁଦିନ ହେଲା ଯାହାରି ଆସିବା ପରେ ମୋର ମନେହେଉଛି ଯେ ମୁଁ ଜୀବନର ଶେଷକ୍ରୋଶରେ ଆସି ପହଞ୍ଚିଛି । ଏହି ଶେଷକ୍ରୋଶ ଅତ୍ୟନ୍ତ କ୍ଲାନ୍ତିକର । କର୍ମ କରିବାର ଶକ୍ତି ଆଉ ବେଶି ନାହଁ, ଅଥଚ ରାସ୍ତା ଶେଷ ହେଉ ନାହିଁ କିମ୍ୱା ତୃଷ୍ଣାର ବିଳୟ ଘଟୁ ନାହିଁ । କର୍ମ ବିନା ଜରାଜୀର୍ଣ୍ଣ ହୋଇ ବଞ୍ଚିରହିବା ନିରର୍ଥକ । ଯେ ମୋତେ ଅନ୍ଧକାରରୁ ଆଲୋକକୁ ଟାଣିଆଣିଛନ୍ତି, ଦାରିଦ୍ର୍ୟର ଅତଳଗହ୍ୱରରୁ ମୋତେ ଉଠାଇଛନ୍ତି, ସେ ଅଦୃଶ୍ୟ କର୍ଣ୍ଣଧାର ହିଁ ମୋତେ ରାସ୍ତା ଶେଷରେ ପହଞ୍ଚାଇଦେବେ । ମୁଁ ବ୍ୟବସାୟଭିତ୍ତିକ ଧର୍ମରେ ବିଶ୍ୱାସ କରେ ନାହିଁ, କିନ୍ତୁ ଏ ବିଶ୍ୱଜଗତକୁ ଯେ କୌଣସି ଅଦୃଶ୍ୟ ଶକ୍ତି ନିୟନ୍ତ୍ରଣ କରୁଛନ୍ତି, ଏ ବିଷୟରେ ମୋର ଦୃଢ଼ବିଶ୍ୱାସ ରହିଛି । ଏହି ଶକ୍ତିର ଇଙ୍ଗିତରେ ହିଁ ଅଗଣିତ କୋଟି ସୂର୍ଯ୍ୟ- ନକ୍ଷତ୍ର-ଗ୍ରହ-ଉପଗ୍ରହ ମହାଶୂନ୍ୟରେ ହଲ୍ଲୀଷକରେ ରତ ରହିଛନ୍ତି, ଅଥଚ କେହି କାହାରି ସୀମା ଉଲ୍ଲଙ୍ଘନ କରୁନାହାନ୍ତି । ଏହି ଅପରିସୀମ ବିଶ୍ୱଜଗତରେ ଘୁର୍ଣ୍ଣାୟମାନ ମହାପଣ୍ଡିତମାନଙ୍କ ସଙ୍ଗରେ କ୍ଷୂଦ୍ରାତିକ୍ଷୁଦ୍ର ଓ ଅଣୁ ରୂପେ ମୁଁ ମଧ୍ୟ ଘୂରି ବୁଲୁଛି । ଘୂର୍ଣ୍ଣନ ବନ୍ଦ ହୋଇଗଲେ ମୋର ଯାତ୍ରା ଶେଷ ହୋଇଯିବ । ଏ ମହାଶକ୍ତି ଦିନରାତି ଓ ଷଡ଼ଋତୁ ମଧ୍ୟରେ ଆତ୍ମପ୍ରକାଶ କରନ୍ତି । ନିଦାଘର ନିଶାନ୍ତ-ସମୀର, ବର୍ଷାର ବାରିବାହ, ଶରତର ଶୁଭ୍ରମେଘ, ହେମନ୍ତର ହିମବିନ୍ଦୁ, ଶିଶିରର ଶୈତ୍ୟ ଓ ବସନ୍ତର ପୁଷ୍ପପଲ୍ଲବ ବୈଭବରେ ଏହି ମହାଶକ୍ତି ଆତ୍ମପ୍ରକାଶ କରନ୍ତି । ଯାତ୍ରା ଶେଷ ହେଲେ ଏ ଶକ୍ତିର ମହାବିଭବକୁ ଆଉ ଦେଖିପାରିବି ନାହଁ ।

 

ଭାଗ୍ୟବଶରେ ଭୂଭାରତର ବହୁସ୍ଥାନ ଭ୍ରମି ଭ୍ରମି ଶେଷରେ କଟକ ସହରର ସାଆନ୍ତ ସାହିରେ କୁଟୀର ନିର୍ମାଣ କରି ଏହିଠାରେ ଶେଷ-ଜୀବନ ଯାପନ କରୁଛି । ମୟୁରଭଞ୍ଜର ବଡ଼ସାହି ନିକଟସ୍ଥ ଛେଲିଆ ଗ୍ରାମର ସ୍ୱର୍ଗତ ଭରତ ଚନ୍ଦ୍ର ପଣ୍ଡାଙ୍କ କନ୍ୟା ମୋର ପତ୍ନୀ ତାରାମଣି ଦେବୀ ମୋ ପାଶରେ ଅଛନ୍ତି । ମୁଁ ଆଜୀବନ ଗୃହକର୍ମ ପ୍ରତି ଉଦାସୀନ । ମୋର ପତ୍ନୀ ହିଁ ଆମର ସମସ୍ତ ଗୃହକର୍ମକୁ ସୁନିପୁଣ ଭାବରେ ଓ ଅକାତରେ କରିଆସିଛନ୍ତି । ପୁତ୍ରକନ୍ୟାମାନଙ୍କ ଲାଳନପାଳନ ସଙ୍ଗେ ସଙ୍ଗେ ସେ ଗୃହର ସମସ୍ତ ଭାର ବହନ କରିଥିବା ହେତୁ ହିଁ ମୁଁ ଇତିହାସ, ପ୍ରତ୍ନତତ୍ତ୍ୱ ଓ ସାହିତ୍ୟଚର୍ଚ୍ଚାରେ ନିଜକୁ ନିୟୋଜିତ କରି ପାରିଛି । ଆମର କଟକର ପକ୍‍କା ଗୃହଟିର ନିର୍ମାଣଭାର ସେ ହିଁ ବହନ କରିଥିଲେ ଓ ଏହାର ନିର୍ମାଣ ପାଇଁ ଅସୀମ ଦୁଃଖ ସହିଥିଲେ । ଓଡ଼ିଆରେ ଚିଠିପତ୍ର ଖଣ୍ଡେ ଲେଖିପାରିବା ଓ ସରଳଭାଷାରେ ଲେଖା ଓଡ଼ିଆ ବହି ପଢ଼ିପାରିବା ଭଳି ତାଙ୍କର ସାମାନ୍ୟ ବିଦ୍ୟା ଥିଲେ ହେଁ ତାଙ୍କର କାର୍ଯ୍ୟଦକ୍ଷତା ଉଚ୍ଚକୋଟୀର । ଜୀବନସାରା ସେ ଗୃହର ସମସ୍ତ ଭାର ବହିଥିଲେ ମଧ୍ୟ ଆମର ଦାମ୍ପତ୍ୟଜୀବନରେ କୌଣସି ପ୍ରକାର ତିକ୍ତତା ଆସି ନାହିଁ ! ଜୀବନର କୌଣସି ସମୟରେ ତାଙ୍କ ସହିତ ମୋର ମନୋମାଳିନ୍ୟ ଘଟି ନାହିଁ ।

 

ମୋର ଦୁଇଟି ପୁତ୍ର ମଧ୍ୟରୁ ବଡ଼ ବରେଣ୍ୟକୁମାର ବମ୍ବେ ଆଇ, ଆଇ. ଟି.ରୁ ଇଲେକ୍‍ଟ୍ରିକାଲ ଇଞ୍ଜିନିୟରିଂରେ ଅନର୍ସ ସହ ପାଶ୍ କରି ବର୍ତ୍ତମାନ କଟକର ବଜ୍ରକବାଟି ରୋଡରେ ରେଡ଼ିଓ ରିପେୟାରିଂ ସେଣ୍ଟର ନାମକ ଦୋକାନ କରି ସର୍ବବିଧ ଇଲେକ୍‍ଟ୍ରିକାଲ ମରାମତି କରିବା ସଙ୍ଗେ ସଙ୍ଗେ Intercome ଓ Twilight Switch ନାମକ ଦୁଇ ଯନ୍ତ୍ର ଏବଂ ଆଉ କେତେକ ଯନ୍ତ୍ର ନିର୍ମାଣ କରେ । ଗୋଟିଏ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ସେ ଉଦ୍ୟମ ଚଳାଇଛି । ସାନପୁଅ ହିରଣ୍ୟକୁମାର ମାନ୍ଦ୍ରାଜ ଆଇ.ଆଇ.ଟି.ରୁ ମେଟାଲର୍ଜିକାଲ (Metallurgical) ଇଞ୍ଜିନିୟରିଂରେ ଅନର୍ସ ସହ ପାଶ୍ କରି ରାଉରକେଲା ଇସ୍ପାତ କାରଖାନାରେ ସୁନାମ ସହିତ ଆସିଷ୍ଟାଣ୍ଟ ଇଞ୍ଜିନିୟର ରୂପେ କାର୍ଯ୍ୟ କରେ । ବଡ଼ଝିଅ କଳ୍ପନାର ସିଂହଭୂମର ବିଖ୍ୟାତ ଓଡ଼ିଆନେତା ସ୍ୱର୍ଗତ ତାରାପଦ ଷଡ଼ଙ୍ଗୀଙ୍କ ସୁଯୋଗ୍ୟ ପୁତ୍ର (ବର୍ତ୍ତମାନ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜର ଇତିହାସ ରିଡ଼ର) ଅଧ୍ୟାପକ ଦୀପକ କୁମାର ଷଡ଼ଙ୍ଗୀଙ୍କ ସହିତ ବହୁଦିନ ହେଲା ବିବାହ ହୋଇ ଯାଇଛି । ସାନ ଝିଅ ଶୋଭନା ସୁନାମ ସହିତ ଇତିହାସ ଅନର୍ସରେ ପ୍ରଥମ ଶ୍ରେଣୀରେ ପାସ୍ କରି ବାଣୀବିହାରରେ ଇତିହାସର ଷଷ୍ଠବାର୍ଷିକ ଶ୍ରେଣୀରେ ପଢ଼ୁଛି । ସିଂହଭୂମର ଅନ୍ୟତମ ଓଡ଼ିଆନେତା ସ୍ୱର୍ଗତ ସୁରେଶ ଷଡ଼ଙ୍ଗୀଙ୍କ କନ୍ୟା ଶାନ୍ତିଙ୍କ ସହିତ ବଡ଼ପୁଅର ଏବଂ ଶ୍ରୀ ଅବନୀନ୍ଦ୍ରନାଥ ମହାପାଙ୍କ କନ୍ୟା ମୂର୍ଚ୍ଛନା ସହିତ ସାନପୁଅର ବିବାହ ହୋଇଯାଇଛି । ବଡ଼ପୁଅର ଦୁଇଟି ପୁତ୍ର ଏବଂ ବଡ଼ଝିଅର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ଜାତ ହୋଇ ସାରିଛନ୍ତି । ଭଗବାନଙ୍କ ଦୟାରୁ ମୋର ପାରିବାରିକ ଜୀବନ ଶାନ୍ତିରେ ହିଁ ଚାଲିଛି ।

 

ମୋର ପିତାମାତାଙ୍କ ଛଅଟି ପୁଅ ଓ ଦୁଇଟି କନ୍ୟାଙ୍କ ମଧ୍ୟରେ ମୋର ସ୍ଥାନ ସପ୍ତମ । ସମସ୍ତେ ଇହଜଗତରୁ ବିଦାୟ ନେଲେଣି, କେବଳ ମୁଁ ବଞ୍ଚିରହିଛି । ମୋର ସମସ୍ତ ଭାଇଙ୍କ ନିର୍ଦ୍ଦିଷ୍ଟ ସାହିତ୍ୟିକ ପ୍ରତିଭା ଥିଲା, ମାତ୍ର ଦୈନ୍ୟ ମଧ୍ୟରେ ତାହାର ବିକାଶ ଘଟି ପାରିଲା ନାହିଁ । ଅଦୃଶ୍ୟ କର୍ଣ୍ଣଧାର ମୋତେ କିପରି ଅସୀମ ଦୈନ୍ୟ ମଧ୍ୟରୁ ଟାଣିଆଣିଥିଲେ, ତାହା ଆଗରୁ କହିସାରିଛି । ମାତ୍ର ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ ସୁଯୋଗ ପାଇଥିଲେ ମୋ ଭାଇମାନଙ୍କ ମଧ୍ୟରୁ ସମସ୍ତେ ମୋ ଠାରୁ ବେଶି ବଡ଼ କାମ କରିପାରିଥାନ୍ତେ । ମୋର ଭାଇମାନଙ୍କ ମଧ୍ୟରୁ ମୋ ଠାରୁ ବଡ଼ ହରିହର ନନା ଓ ମୋ ଠାରୁ ସାନ ଗିରୀଶ ସେମାନଙ୍କ ସାହିତ୍ୟିକ କୃତିର ଚିହ୍ନ ରଖିଯାଇଛନ୍ତି । ସାନ ଗିରୀଶ ତାହାର ସାହିତ୍ୟ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀରୁ ଟ୩୦୦ ପୁରସ୍କାର ପାଇଥିଲା । ମୋର ବାଳ୍ୟକାଳର ଓଡ଼ିଶାରେ ପ୍ରତିଭା ବିକାଶ ପାଇଁ ସୁଯୋଗ ଅତ୍ୟନ୍ତ ସଙ୍କୁଚିତ ଥିଲା । ଆଜି ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି ହୋଇଥିବାରୁ ମୋର ପୁତୁରାମାନଙ୍କ ମଧ୍ୟରୁ କେତେ ଜଣ ଯୋଗ୍ୟ ହୋଇ ରାଜକାର୍ଯ୍ୟରେ ନିଯୁକ୍ତ ପାଇଛନ୍ତି । ପୁତୁରାମାନଙ୍କ ମଧ୍ୟରୁ ଶ୍ରୀମାନ୍ ବାରିଜଲୋଚନ ଜଣେ ଶିକ୍ଷକ ରୂପେ, ଶ୍ରୀମାନ ଶ୍ୟାମସୁନ୍ଦର ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ରୂପେ ଓ ଶ୍ରୀମାନ୍ ପ୍ରଫୁଲ କୁମାର ଜଣେ O.F.S ଅଫିସର ରୂପେ ଓଡ଼ିଶା ସରକାରଙ୍କ ଫାଇନାନ୍‍ସ ବିଭାଗରେ କାମ କରନ୍ତି । ପ୍ରଫୁଲ୍ଲର ସାନଭାଇ ରୁଚିର ବାଣୀବିହାରରେ ଏ ବର୍ଷ ଦର୍ଶନରେ ପ୍ରଥମ ଶ୍ରେଣୀରେ ଏମ, ଏ. ପାଶ୍‍, କରିଛି । ମୋର ଏକମାତ୍ର ଭଣଜା ଭାଗୀରଥୀ କର ହାଇସ୍କୁଲରେ ଶିକ୍ଷକତା କରେ । ଭବିଷ୍ୟତ୍ ବଂଶଧରମାନଙ୍କ ପାଇଁ ମୁଁ ଆଶାବାଦୀ ହେଉଛି । ମୋ ପରି ଆଉ କେହି ଦାରିଦ୍ର୍ୟର ଅତଳ ଗହ୍ୱରରେ ପଡ଼ିବେ ନାହଁ ।

 

ଶେଷକ୍ରୋଶରେ ଯେତିକି ଅଗ୍ରସର ହେଉଛି, ସେତିକି ବେଶି ଦେଖୁଛି ଯେ ସଂଯାତ୍ରିକମାନେ ମୋତେ ଛାଡ଼ି ଚାଲିଯାଉଛନ୍ତି । ନିମ୍ନ ପ୍ରାଥମିକଠାରୁ ଏମ. ଏ. ପର୍ଯ୍ୟନ୍ତ ମୋର ସହପାଠୀମାନଙ୍କ କଥା ମନେପକାଇ ଆଜି ଦେଖୁଛି ଯେ ସେମାନଙ୍କ ମଧ୍ୟରୁ ଅନେକେ ଆଉ ଇହଧାମରେ ନାହାନ୍ତି । ମୋର ନିଜ ଗ୍ରାମ ଖିଚିଙ୍ଗକୁ ଗଲେ ମୋର ସହପାଠୀ ଓ ସମସାମୟିକମାନଙ୍କ ମଧ୍ୟରୁ କେବଳ କେତେଜଣକୁ ମାତ୍ର ଦେଖିଥାଏଁ । ସମବୟସୀମାନଙ୍କ ମଧ୍ୟରେ ସହକର୍ମ, ସହଯୋଗ ଓ ସଂଘର୍ଷ ମାଧ୍ୟମରେ ଯେଉଁ ବନ୍ଧୁତା ବଢ଼ିଉଠେ, ତାହା ଜୀବନର ପ୍ରିୟତମ ହୁଏ । ମୋର ଏପରି ପ୍ରିୟତମ ବନ୍ଧୁଙ୍କ ସଂଖ୍ୟା କମଶଃ କମିଯାଉଛି । ଯେଉଁମାନେ ବୟସରେ ସାନ, ସେମାନେ ବୃଦ୍ଧମାନଙ୍କୁ ଭୟ ଓ ଭକ୍ତି ସିନା କରିଥାନ୍ତି, କିନ୍ତୁ ସେମାନଙ୍କଠାରୁ ବନ୍ଧୁତ୍ୱ ମିଳେ ନାହିଁ, କିମ୍ବା ସେମାନଙ୍କ ପାଖରେ ପ୍ରାଣଖୋଲି ହସିବାର ସୁଯୋଗ ମିଳେ ନାହିଁ । ମୋର ସମସ୍ତ ଭାଇଭଉଣୀ ଇହଜଗତରୁ ବିଦାୟ ନେଲେଣି, ପ୍ରିୟତମ ବନ୍ଧୁମାନଙ୍କ ମଧ୍ୟରୁ ଅନେକେ ଚାଲିଗଲେଣି । ଏଣୁ ଜୀବନର ଶେଷକ୍ରୋଶରେ ମୁଁ କ୍ରମଶଃ ନିଃସଙ୍ଗ ହୋଇ ପଡ଼ୁଛି । ଯାତ୍ରା ଶେଷ ହେଉନାହିଁ, ବାସନାର ଅବସାନ ଘଟୁ ନାହିଁ; ମାତ୍ର ନିଃସଙ୍ଗତା ବଢ଼ିଚାଲିଛି ।

 

ମୁଁ ଜୀବନରେ ବହୁ ପାପ କରିଛି, କିନ୍ତୁ ପରସ୍ୱହରଣ, ରାଜସ୍ୱହରଣ, ମଦ୍ୟପାନ ପରି ପାପ ମୁଁ କରିନାହିଁ । ମୁଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଉଚ୍ଚ ରାଜକର୍ମଚାରୀରୂପେ କାର୍ଯ୍ୟ କରୁଥିବାବେଳେ ରାଜସ୍ୱହରଣ କରିବାର ବହୁ ସୁଯୋଗ ପାଇଥିଲି, ମାତ୍ର ମୋର ଜ୍ଞାତସାରରେ ମୁଁ କେବେ ରାଜସ୍ୱକୁ ସ୍ପର୍ଶ କରି ନ ଥିଲି । ବସ୍ତୁତଃ ମୋର ଭାରତ ସରକାରଙ୍କ ଚାକିରି ଛାଡ଼ିବାର ଅନେକ କାରଣ ମଧ୍ୟରୁ ମୋର କର୍ତ୍ତବ୍ୟନିଷ୍ଠା ଓ ଦୁର୍ନୀତି ସହିତ ସମ୍ପୂର୍ଣ୍ଣ ଅସହଯୋଗ ଅନ୍ୟତମ କାରଣ ହୋଇଥିଲା । ମୋର ସହକର୍ମୀ ଓ ଅଧସ୍ତନ କର୍ମଚାରୀମାନଙ୍କ ଦୁର୍ନୀତି ସହିତ ମୁଁ ସହଯୋଗ କରିପାରି ନ ଥିଲି । ଏଣୁ ସମସ୍ତଙ୍କ ଅପ୍ରୀତିଭାଜନ ହୋଇ ପଡ଼ିଥିଲି । ସର୍ବଦା କେବଳ ମୋର ଦରମା ଉପରେ ନିର୍ଭରଶୀଳ ହୋଇଥିବାରୁ ମୁଁ କେବେ ରାଜକର୍ମଚାରୀମାନଙ୍କ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ସମର୍ଥ ହୋଇ ନ ଥିଲି । ମୋର ସହଧର୍ମିଣୀ ମଧ୍ୟ ଗୃହର ସମସ୍ତ କାର୍ଯ୍ୟ ଅକାତରରେ କରୁଥିଲେ । ଆମର ନିରାଡ଼ମ୍ବର ଜୀବନଯାପନ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଥିଲା । ଆମେ ଉଭୟେ ଅତ୍ୟନ୍ତ ମିତବ୍ୟୟୀ ଥିବାରୁ ପୁତ୍ରକନ୍ୟାମାନଙ୍କୁ ଯୋଗ୍ୟକରିବା ଆମ୍ଭମାନଙ୍କ ପକ୍ଷରେ ସମ୍ଭବପର ହୋଇଥିଲା । ମୋର ଦୀର୍ଘ ଅଧ୍ୟାପକ ଜୀବନ ମଧ୍ୟରେ ମୁଁ ମୋର ସହକର୍ମୀମାନଙ୍କ ପରି ବହୁ ପାଠ୍ୟପୁସ୍ତକ ଲେଖିପାରିଥାନ୍ତି, କିନ୍ତୁ ମୁଁ ପାଠ୍ୟପୁସ୍ତକ ଲେଖି ନାହିଁ କିମ୍ୱା ଲେଖିବି ନାହିଁ । ପାଠ୍ୟପୁସ୍ତକ ଲେଖିଥିଲେ ମୁଁ ସହସ୍ର ସହସ୍ର ଟଙ୍କା ରୋଜଗାର କରିପାରିଥାନ୍ତି । କେବଳ ଓଡ଼ିଶା ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ମୋତେ ପାଠ୍ୟପୁସ୍ତକ ପ୍ରଣୟନ ପାଇଁ ଯେଉଁ ସୁଯୋଗ ଦେଇଥିଲେ, ସେହି ସୁଯୋଗକୁ ଗ୍ରହଣ କରିଥିଲେ, ମୁଁ ଦଶହଜାର ଟଙ୍କା ପାଇଥାନ୍ତି । କିନ୍ତୁ ପାଠ୍ୟପୁସ୍ତକ ଲେଖିବାକୁ ମୋର ମନ ବଳେ ନାହିଁ । ସମୟ ପାଇଲେ କୌଣସି ସୃଜନଶୀଳ କାର୍ଯ୍ୟରେ ନିଜକୁ ଲିପ୍ତ କରେ । ମୁଁ ବହୁ ବର୍ଷ ଧରି ପ୍ରତ୍ନତାତ୍ତ୍ୱିକ ବସ୍ତୁ ସଂଗ୍ରହ କରିଛି ଓ ସେମାନଙ୍କ ସଂସ୍ପର୍ଶରେ ଆସିଛି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ନିଜସ୍ୱ କରିନାହିଁ କିମ୍ବା ସେଥିରେ ବ୍ୟବସାୟ ଚଳାଇ ନାହିଁ ।

 

ଜୀବନଯୁଦ୍ଧବେଳେ ମୁଁ ବହୁ କ୍ଷତ ପାଇଛି, ସେଥିମଧ୍ୟରୁ ଅନେକ ଲିଭି ଆସିଲାଣି, କିନ୍ତୁ ସାଂସ୍କୃତିକ ଯୁଦ୍ଧରେ ଲିପ୍ତ ଥିବାବେଳେ ମୁଁ ଯେଉଁ କ୍ଷତମାନ ପାଇଛି, ତାହା ଲିଭୁ ନାହିଁ । ଏହି କ୍ଷତମାନଙ୍କୁ ବହନ କରି ହିଁ ମୁଁ ଇହଜଗତ ତ୍ୟାଗକରିବି । ଓଡ଼ିଶା ପରି ଦେଶ ପୃଥବୀରେ ଆଉ ନାହଁ । ଏଠାରେ ସାଂସ୍କୃତିକ କ୍ଷେତ୍ରରେ କେହି ସାଧୁ ଉଦ୍ୟମ କଲେ, ତାକୁ ସମସ୍ତେ ବେଢ଼ି ପଣ୍ଡ କରିବାର ପ୍ରବଳ ଉଦ୍ୟମ କରନ୍ତି । ଏଠାରେ ସଂସ୍କୃତି ସହିତ ଭଣ୍ଡତା ନ ମିଶିଲେ ତାହା ଆଦୃତ ହୁଏ ନାହିଁ । ଦାର୍ଘ ଅଠର ବର୍ଷ ମଧ୍ୟରେ ସାରଳା ମହାଭାରତର ସ୍ୱରୂପ ଉଦ୍‍ଘାଟନ କରିବାବେଳେ ସାଂସ୍କୃତିକକ୍ଷେତ୍ରରେ ସୁପ୍ରତିଷ୍ଠିତ ଓଡ଼ିଆମାନଙ୍କଠାରୁ ମୁଁ ଯେଉଁ ଆଘାତ ପାଇଛି, ସେସବୁ ଆଘାତ ଆଉ ଲିଭିବ ନାହିଁ । ଯେଉଁମାନେ ମୋର ଆଲୋଚନା ସହିତ ଏକମତ ହୋଇପାରୁ ନ ଥଲେ, ସେମାନେ ସ୍ୱତନ୍ତ୍ର ଭାବରେ ସେମାନଙ୍କ ଆଲୋଚନା ପ୍ରକାଶ କରିପାରିଥାନ୍ତେ; କିନ୍ତୁ ତାହା ନ କରି କେବଳ ମୋର ଆଲୋଚନାକୁ ବନ୍ଦ କରିବାକୁ ହିଁ ପ୍ରବଳ ଉଦ୍ୟମ କଲେ । ମୋର ପୁଜ୍ୟଗୁରୁ ଅଧ୍ୟାପକ ଆର୍ତ୍ତବଜ୍ଞଭ ମହାନ୍ତି କପିଳ ନରସିଂହ ନାମଧେୟ ଜଣେ କପୋଳକଳ୍ପିତ ଗଙ୍ଗରାଜାଙ୍କ ନାମ ସାହାଯ୍ୟରେ ପ୍ରମାଣ କରିବାକୁ ଚେଷ୍ଟାକଲେ ଯେ, ସାରଳା ଦାସ ଦ୍ଵାଦଶ ଶତାବ୍ଦୀର କବି ଥିଲେ । କପିଳ ନରସିଂହ ନାମକ ଗଙ୍ଗରାଜାଙ୍କ ନାମ ତାମ୍ର - ଶିଳାଲେଖରୁ, ମାଦଳାପାଞ୍ଜିରୁ କିମ୍ବା ଅନ୍ୟ କୌଣସି ଉପାଦାନରୁ ମିଳେ ନାହିଁ । ଏଣୁ ଏ ନାମଟି ଯେ ସମ୍ପୂର୍ଣ୍ଣ ରୂପେ କପୋଳକଳ୍ପିତ, ଏଥିରେ ସନ୍ଦେହର ଅବକାଶ ରହେ ନାହିଁ । ଏହାପରେ ମୋର ଛାତ୍ରଜୀବନର ସମସାମୟିକ ଜ୍ଞାନପୀଠ ପୁରସ୍କାରବିଜେତା ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ଗୋପୀନାଥ ମହାନ୍ତି ପଣ୍ଡିତ ସଦାଶିବ ରଥଶର୍ମାଙ୍କଠାରୁ ପ୍ରାପ୍ତ ମାଧବ ମହାତ୍ମ୍ୟ ନାମକ ଖଣ୍ଡିଏ ଜାଲ୍‍ ତାଳପତ୍ର ପୋଥି ସାହାଯ୍ୟରେ ପ୍ରମାଣ କରିବାକୁ ଚେଷ୍ଟାକଲେ ଯେ, ସାରଳାଦାସ ଦଶମ ଶତାବ୍ଦୀର କବି ଥିଲେ । ମୁଁ ‘ଝଙ୍କାର'ରେ ଏ ପୋଥିଟିକୁ ଜାଲ ବୋଲି ଘୋଷଣା କଲା ପରେ ତାହା କେଉଁଆଡ଼େ ଉଭେଇଗଲା । ଡକ୍‍ଟର ମହାନ୍ତି ତାକୁ ଲୋକଲୋଚନକୁ ଆଣିବା ପାଇଁ ସାହସ କଲେ ନାହିଁ । ଏହାପରେ ମୋର ଛାତ୍ର ସ୍ଥାନୀୟ ଶ୍ରୀଯୁକ୍ତ ଦେବୀପ୍ରସନ୍ନ ପଟ୍ଟନାୟକ ସାରଳାଦାସଙ୍କ ସମୟ ସମ୍ବନ୍ଧରେ ଦୁଇଟି ଗ୍ରନ୍ଥରେ ଯେଉଁ ମତପ୍ରକାଶ କଲେ, ତାହା ନିମ୍ନରେ ପ୍ରଦତ୍ତ ହେଲା–

 

‘‘ଏହା ବ୍ୟତୀତ ଆଉ ଗୋଟିଏ ଦିଗପ୍ରତି ଏଠାରେ ସାମାନ୍ୟ ଇଙ୍ଗିତ ଦିଆ ଯାଇପାରେ-। ସାରଳା ମହାଭାରତରେ ‘‘ପ୍ରଣମିତେ ଖଟଇ....ରାଜା’’ ଉଦ୍ଧୃତିକୁ ଧରି ତାହାର କାଳ ୧୫ଶ ଶତକ ବୋଲି ଧରାଯାଉଛି । ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପରି ପ୍ରବୀଣ ଐତିହାସିକ ଏଇ ମହାଭରତ ପୁରାଣରୁ ସେ କାଳର ଇତିହାସ ଘଟଣାମାନଙ୍କର ଉଦାହରଣ ବାହାର କରୁଛନ୍ତି । ମାତ୍ର ଭାଷାଦୃଷ୍ଟିରୁ ଯେ ଏହାର ଆଲୋଚନା ଏକାନ୍ତ ଆବଶ୍ୟକ, ଏ କଥା ପ୍ରତି ଅଧିକାଂଶ ଆଲୋଚକ ଆଖିବୁଜି ଦେଲା ପରି ମନେହୁଏ । କେତେକ ପୋଥିରେ ‘ନିଜ’ ସ୍ଥାନରେ ‘ଣିଅ’ ବ୍ୟବହାର ଏବଂ ଚର୍ଯ୍ୟାର ଭାଷା ସହ ଅନେକତ୍ର ଏହାର ଭାଷାସାମ୍ୟ ଦେଖିଲେ ଏଇ ଆବଶ୍ୟକତାର ଗୁରୁତ୍ୱ ଅଧିକ ଅନୁଭୂତ ହୁଏ । ଏ ଦିଗରେ ଆମ ପଣ୍ଡିତମାନେ ଧ୍ୟାନ ଦେଲେ ଆଲୋଚନା ପୂର୍ଣ୍ଣାଙ୍ଗ ହେବ ।

 

[ଝଙ୍କାର (୧୯୫୭) ୯ ବର୍ଷ ବିଷୁବସଂଖ୍ୟା ପୃ୧୬୮]

 

ପୁନଶ୍ଚ ‘‘ଏହା ବ୍ୟତୀତ ଆଉ ଗୋଟିଏ ଦିଗ ପ୍ରତି ଏଠାରେ ସାମାନ୍ୟ ଇଙ୍ଗିତ ଦିଆଯାଇପାରେ । ସାରଳା ମହାଭରତରେ ‘‘ପ୍ରଣମିତେ ଖଟଇ……ରାଜା’’ ଉଦ୍ଧୃତିକୁ ଧରି ଏହାର ରଚନାକାଳ ୧୫ଶ ଶତକ ବୋଲି ଧରାଯାଉଛି । ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପରି ପ୍ରବୀଣ ଐତହାସିକ ମଧ୍ୟ ଏହି ମହାଭାରତ ପୁରାଣରୁ ସେ କାଳର ଇତିହାସ ଘଟଣାମାନଙ୍କର ଉଦାହରଣ ବାହାର କରୁଛନ୍ତି । ମାତ୍ର ଭାଷାଦୃଷ୍ଟିରୁ ଯେ ଏହାର ଆଲୋଚନା ଏକାନ୍ତ ଆବଶ୍ୟକ, ଏ କଥା ପ୍ରତି ଅଧିକାଂଶ ଆଲୋଚକ ଆଖି ବୁଜି ଦେଲାପରି ମନେହୁଏ । କେତେକ ପୋଥିରେ ‘ବୀଜ (ନିଜ) ସ୍ଥାନରେ ‘ଣିଅ’ର ବ୍ୟବହାର ଏବଂ ଚର୍ଯ୍ୟାର ଭାଷା ସହ ଏହାର ଭାଷାର ଆଶ୍ଚର୍ଯ୍ୟଜନକ ସାମ୍ୟ ଏବଂ ଅନ୍ୟଦିଗରେ ୧୫ଶ ଶତାବ୍ଦୀ ମତବାଦୀମାନଙ୍କ ଯୁକ୍ତି ଦେଖିଲେ ଭାଷାତାତ୍ତ୍ୱିକ ଆଲୋଚନାର ଆବଶ୍ୟକତାର ଗୁରୁତ୍ୱ ଅଧିକ ଅନୁଭୂତ ହୁଏ ।”

 

–(ଭାରତର ଭାଷା ସମସ୍ୟା ଓ ଓଡ଼ିଆଭାଷା, ବିରଜା ବକ୍ତୃତାମାଳା : ୨, ୧୯୭୫ ପୃ. ୫୫)

 

ଉଦ୍ଧୃତାଂଶମାନଙ୍କରୁ, ଦେଖାଯିବ ଯେ ଶ୍ରୀଯୁକ୍ତ ପଟ୍ଟନାୟକ ସାରଳା ମହାଭାରତର ରଚନାକାଳ ସମ୍ବନ୍ଧରେ ୧୯୫୭ରେ ଯେଉଁ ଭାଷାରେ ଯାହା କହିଥିଲେ, ୧୯୭୫ରେ ମଧ୍ୟ ସେ ସେହି ଭାଷାରେ ପ୍ରାୟ ସେହି କଥା କହିଛନ୍ତି । ମଝିରେ ଦୀର୍ଘ ଅଠରବର୍ଷ ବିତିଯାଇଛି; କିନ୍ତୁ ଶ୍ରୀଯୁକ୍ତ ପଟ୍ଟନାୟକ ଭାଷାତତ୍ତ୍ୱ ଦୃଷ୍ଟିରୁ ସାରଳା ମହାଭାରତ ସମ୍ବନ୍ଧରେ ପ୍ରବନ୍ଧଟିଏ ମଧ୍ୟ ଲେଖିନାହାନ୍ତି । ସେ ତ ନିଜେ ଜଣେ ଭାଷାତତ୍ତ୍ୱଜ୍ଞ । ଓଡ଼ିଶାରେ କେତେଜଣ ଭାଷାତତ୍ତ୍ୱଜ୍ଞ ଅଛନ୍ତି ଯେ ସେ ସେମାନଙ୍କ ଉପରେ ଭାଷାଦୃଷ୍ଟିରୁ ଏ ସାହିତ୍ୟର ଆଲୋଚନାର ମୂଳଭିତ୍ତି ଭାର ଅର୍ପଣ କରୁଛନ୍ତି ? ସେ ନିଜେ ତାହା କରୁନାହାନ୍ତି କାହିଁକି ? ସମସ୍ତ ଆଲୋଚନାର ମୂଳଭିତ୍ତି ହେଉଛି ତଥ୍ୟ । ସେଥିରେ ଭାବପ୍ରବଣତା ପ୍ରବେଶ କଲେ ସତ୍ୟଙ୍କୁ ପାଇବା ସମ୍ଭବପର ହୁଏ ନାହିଁ । ପୂର୍ବବର୍ତ୍ତୀ ଭାଷାର କେତେକ ଶବ୍ଦ ପରବର୍ତ୍ତୀ ସାହିତ୍ୟରେ ପ୍ରବେଶ କରିବା ଆଶ୍ଚର୍ଯ୍ୟଜନକ ନୁହେଁ, ବରଞ୍ଚ ସ୍ୱାଭାବିକ । ବ୍ରଟିଶ ରାଜତ୍ୱରେ ନିର୍ମିତ କୌଣସି ଗୃହରେ କୁଶାନ ରାଜତ୍ୱକାଳର କେତେକ ମୁଦ୍ରା ପାଇ କେହି ଯଦି ତାକୁ କୁଶାଣ ରାଜତ୍ୱକାଳର ଗୃହ ବୋଲି ସିଦ୍ଧାନ୍ତ କରନ୍ତି, ତେବେ ସେ ସିଦ୍ଧାନ୍ତ ଯେପରି ଭ୍ରମାତ୍ମକ ହେବ, ସାରଳା ମହାଭାରତର ‘‘କେତେକ ପୋଥିରେ’’ କେତେକ ପ୍ରାଚୀନତର ଶବ୍ଦ ପାଇ ଏ ସାହିତ୍ୟକୁ ଅତି ପ୍ରାଚୀନ ବୋଲି ସିଦ୍ଧାନ୍ତ କରିବା ସେହିପରି ଭ୍ରମାତ୍ମକ ହେବ । ସାରଳାଦାସ ଯେଉଁ ସାହିତ୍ୟସୃଷ୍ଟି କଲେ, ତାହା ଗୋଟିଏ ଶାଶ୍ୱତ ଝର ପରି । ସେହିଠାରୁ ହିଁ ଓଡ଼ିଆ ସାହିତ୍ୟ ନଦୀରୁପେ ପ୍ରବାହିତ ହେଲା । ସାରଳା ଦାସଙ୍କ ପରେ ଓଡ଼ିଆ ସାହିତ୍ୟର ଠିକ୍ ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଷୋଡ଼ଶ ଶତାବ୍ଦୀରେ ରଚିତ ପଞ୍ଚସଖା ସାହିତ୍ୟ । ଯଦି ସାରଳା ଦାସଙ୍କୁ ଉଲ୍ଲିଖିତ ପଣ୍ଡିତମାନଙ୍କ ମତାନୁସାରେ ନବମ, ଦଶମ ବା ଦ୍ୱାଦଶ ଶତାବ୍ଦୀରେ ସ୍ଥାନ ଦିଆଯାଏ, ତେବେ ସାରଳା ଦାସ ଓ ଷୋଡ଼ଶ ଶତାବ୍ଦୀର ପଞ୍ଚସଖାଙ୍କ ମଧ୍ୟରେ ଶତ ଶତ ବର୍ଷ ବ୍ୟବଧାନ ରହିଯିବ, ଏବଂ କଳ୍ପନା କରିବାକୁ ହେବ ଯେ ଏହି ଶତ ଶତ ବର୍ଷ ମଧ୍ୟରେ କୌଣସି ପ୍ରକାର ଓଡ଼ିଆ ସାହିତ୍ୟ ରଚିତ ହୋଇ ନ ଥିଲା । ଏପରି କଳ୍ପନା ନିତାନ୍ତ ଅବାସ୍ତବ ହେବ । ଯେଉଁମାନେ ଭାଷା ଦୃଷ୍ଟିରୁ ସାରଳା ସାହିତ୍ୟକୁ ଅତି ପ୍ରାଚୀନ ବୋଲି କହୁଛନ୍ତି, ସେମାନେ ସାରଳା ଦାସ ଓ ପଞ୍ଚସଖା ମଧ୍ୟରେ ସେମାନଙ୍କ କଳ୍ପିତ ସଦୀର୍ଘ ବ୍ୟବଧାନ ମଧ୍ୟରେ ଓଡ଼ିଶାର ସମ୍ପୂର୍ଣ୍ଣ ସାହିତ୍ୟ-ଶୂନ୍ୟତାର ସମସ୍ୟା ପ୍ରଥମେ ସମାଧାନ କରନ୍ତୁ । ଏ ସମସ୍ୟା ଯେ କେହି ସମାଧାନ କରିବେ, ମୁଁ ଏପରି ଆଶା କରିପାରୁ ନାହିଁ । ଆଧୁନିକ ଓଡ଼ିଆମାନଙ୍କ ମଧ୍ୟରୁ ଅନେକେ ‘ନେତି’ ‘ନେତି’ କହି ପ୍ରସିଦ୍ଧି ଲାଭ କରିବାରେ ସୁଚତୁର । ସେମାନେ ସେହି ‘ନେତି’ ‘ନେତି’ ହିଁ କହୁଛନ୍ତି ଏବଂ ତାହା ଶୁଣି ଶୁଣି ହିଁ ମୁଁ ଇହଧାମ ତ୍ୟାଗ କରିବି ।

 

ମୋର ଶେଷ କ୍ରୋଶରେ ମୁଁ ଖାଲି ଏହି ଆଶାକରୁଛି ଯେ ଓଡ଼ିଶାର ସମସ୍ତ ଆଲୋଚନା ତଥ୍ୟମୂଳକ ଓ ସତ୍ୟମୂଳକ ହେଉ । ଏହା ହେଲେ ସତ୍ୟର ପ୍ରଭା ପ୍ରକାଶିତ ହେବ ଓ ଉତ୍କଳର ଘନାନ୍ଧକାର ଘୁଞ୍ଚିଯିବ । ସତ୍ୟର କଣିକାଟିଏ ପାଇବା ପାଇଁ ହିଁ ମୁଁ ଜୀବନରେ ପରିଶ୍ରମ କରିଆସିଛି, ଆଉ କୌଣସି ପାଇଁ ନୁହେଁ । ବିଦେଶକୁ ଯାଇ ଡିଗ୍ରୀ ହାସଲ କରିବାର ସୁଯୋଗ ପାଇ ନାହିଁ, କିମ୍ୱା ସେପରି ସୁଯୋଗ ପାଇଁ କେବେ ଚେଷ୍ଟା କରିନାହିଁ । ମୁଁ ସବୁବେଳେ ମୋର ମତରେ ଦୃଢ଼ ରହିଛି ଯେ ଭାରତର ପ୍ରତ୍ନତତ୍ତ୍ୱ ଓ ଇତିହାସର ଗବେଷଣା ପାଇଁ ଭାରତଭୂମି ହଁ ପ୍ରକୃତ ପ୍ରଶସ୍ତ କ୍ଷେତ୍ର, ବିଦେଶଭୂମି ନୁହେଁ । ବିଦେଶରେ ଗବେଷଣା ପାଇଁ ଉନ୍ନତର ସୁଯୋଗ ଯେ ରହିଛୁ, ଏହା ସତ୍ୟ; କିନ୍ତୁ ବିଦେଶରେ ଭାରତର ମୂର୍ତ୍ତିମନ୍ଦିର ଇତ୍ୟାଦି ମୌଳିକ ଉପାଦାନ ନାହିଁ । କୌଣସି ଗବେଷଣାତ୍ମକ ଗ୍ରନ୍ଥ କେବଳ ପୁସ୍ତକ ଉପରେ ପ୍ରତିଷ୍ଠିତ ନ ହୋଇ ମୋଳିକ ଉପାଦାନ ଉପରେ ପ୍ରତିଷ୍ଠିତ ହେଲେ ହିଁ ତାହା ବେଶି ମୌଳିକ ଓ ଉପାଦେୟ ହୋଇଥାଏ । ଏହି ଧାରଣାର ବଶବର୍ତ୍ତୀ ହୋଇ ମୁଁ ଭୁବନେଶ୍ୱରର ମୂର୍ତ୍ତି, ମନ୍ଦିର ଇତ୍ୟାଦି ଉପରେ Archaeological Remains at Bhubaneswar ନାମକ ପୁସ୍ତକ ଲେଖିଲି । ଏଥିପାଇଁ ମୁଁ ଚାରିବର୍ଷକାଳ ଭୁବନେଶ୍ୱର ପ୍ରତ୍ନତତ୍ତ୍ୱ ସମ୍ପଦକୁ ବହୁଭାବରେ ଅନୁଶୀଳନ କରିଥିଲି । ଡକ୍‍ଟର ଉପାଧିଟିଏ ନ ପାଇଲେ ଚାକିରିରେ ଉନ୍ନୀତ ହେବା ସହଜ ହେବ ନାହିଁ । ସେଥପାଇଁ ମୁଁ D. Litt ପାଇଁ ଏ ପୁସ୍ତକକୁ କଲିକତା ବିଶ୍ୱବିଦ୍ୟାଳୟରେ ଦାଖଲ କଲି । ଏହାର ପରୀକ୍ଷକ ଥିଲେ ସୁବିଖ୍ୟାତ ଐତିହାସିକ ଡକ୍ଟର ରମେଶଚନ୍ଦ୍ର ମଜୁମଦାର, ଭାରତର ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଡାଇରେକ୍ଟର ଜେନେରାଲ ଡକ୍‍ଟର ନିରଞ୍ଜନ ପ୍ରସାଦ ଚକ୍ରବର୍ତ୍ତୀ ଓ ଦକ୍ଷିଣର ସୁବିଖ୍ୟାତ ଐତିହାସିକ ପ୍ରଫେସର ଏନ୍. ନୀଳକଣ୍ଠ ଶାସ୍ତ୍ରୀ । ଏମାନଙ୍କ ମଧ୍ୟରୁ ସମସ୍ତେ ମତଦେଲେ ଯେ ଏହା ଡି. ଫଲ ପାଇଁ ଯୋଗ୍ୟ, ଦୁଇଜଣ ମତ ଦେଲେ ଯେ ଏହା ଡି, ଲିଟ, ପାଇଁ ଯୋଗ୍ୟ, ମାତ୍ର ଜଣେ ମତଦେଲେ ଯେ ଏହା ଡି. ଲିଟ. ପାଇଁ ଯୋଗ୍ୟ ନୁହେଁ । ଏଣୁ ଶେଷରେ ୧୯୫୪ରେ ଏହା କେବଳ ଡି. ଫିଲ. ପାଇଁ ଗୃହୀତ ହେଲା । ଏଥିରେ ମୋର ଆନନ୍ଦ ବା ନିରାନନ୍ଦ ହୋଇ ନ ଥିଲା । ଚାକିରିରେ ସୁବିଧା ପାଇଁ ଗୋଟିଏ ଡକ୍‍ଟରେଟ୍‍ ଡିଗ୍ରୀର ଆବଶ୍ୟକତା ଥିଲା, ତାହା ମୋତେ ମିଳିଲା । ଏ ଡିଗ୍ରୀ ପାଇଲେ ଯେ କେହି ପଣ୍ଡିତ ହୋଇଯାଏ, ମୋର ଏପରି ଧାରଣା ସେତେବେଳେ ନ ଥିଲା କିମ୍ବା ବର୍ତ୍ତମାନ ମଧ୍ୟ ନାହିଁ । ବର୍ତ୍ତମାନ ଓଡ଼ିଶାର ବହୁବ୍ୟକ୍ତି ପ୍ରତିବର୍ଷ ଦେଶବିଦେଶରୁ ବହୁ ଡାକ ଡକ୍‍ଟରେଟ୍‍ରେ ପାଉଛନ୍ତି, ମାତ୍ର ସେମାନଙ୍କ ଥିସିସ୍ ବା ନିବନ୍ଧ କେଉଁଆଡ଼େ ଯାଉଛି, ତାହା କେହି ସ୍ଥିର କରି ପାରନ୍ତି ନାହିଁ । ପ୍ରାୟ ସମସ୍ତ ଅପ୍ରକାଶିତ ରହୁଛି ।

 

ମୋର Archaeological Remains at Bhubaneswar ପୁସ୍ତକଟିର ଉପାଦେୟତା ପ୍ରକାଶକମାନେ ଉପଲବ୍‍ଧି କରିଥିଲେ । କଲିକତାର ପ୍ରସିଦ୍ଧ Orient Longmans ଏହାକୁ ପ୍ରକାଶ କରିବା ପାଇଁ ଓଡ଼ିଶା ସରକାରଙ୍କ ସାହାଯ୍ୟ ଲୋଡ଼ିଲେ ଏବଂ ପ୍ରକାଶନ ପାଇଁ ଟ୧୧୩୦୦ଙ୍କାର ଅଟକଳ ଦେଲେ । ଓଡ଼ିଶା ସରକାର ଏଥିରେ ରାଜି ହେଲେ, କିନ୍ତୁ ୧୯୫୭ରେ ସରକାର ବଦଳି ଯିବାରୁ ଅବସ୍ଥା ମଧ୍ୟ ବଦଳିଗଲା । ଡ଼ି. ପି. ଆଇ.ଙ୍କ ଜରିଆରେ ପୁସ୍ତକ ପ୍ରକାଶନ ପାଇଁ ଟଙ୍କା ପାଇବାର କଥା ଥିବାରୁ ମୁଁ ଡ଼ି. ପି. ଆଇ.ଙ୍କୁ ହିଁ ଏହି ଟଙ୍କା ପାଇଁ ବାରମ୍ୱାର ଲେଖୁଥିଲି ଏବଂ ମୋର ଦରଖାସ୍ତର କପି ସବୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ପାଖକୁ ପଠାଉଥିଲି । ଶିକ୍ଷାମନ୍ତ୍ରୀଙ୍କ ପାଖରୁ ଯେଉଁ ଉତ୍ତର ପାଉଥିଲି, ତାହା ମୋ ପ୍ରତି ଅନୁକୂଳ ହେଉଥିଲା, କିନ୍ତୁ ଡି. ପି. ଆଇ. ଙ୍କ ପାଖରୁ ଯେଉଁ ଉତ୍ତର ପାଉଥିଲି, ତାହା ପ୍ରତିକୂଳ ହେଉଥିଲା । ତିନି ଚାରିବର୍ଷ ମଧ୍ୟରେ ମୋର ଏବଂ ଓରିଏଣ୍ଟ ଲଙ୍ଗମେନସ୍ କମ୍ପାନୀର ଚିଠିରେ ଓଡ଼ିଶା ସରକାରଙ୍କ ଫାଇଲ୍‍ ଭର୍ତ୍ତି ହୋଇଗଲା, କିନ୍ତୁ ‘ହଁ’ କିମ୍ୱା ‘ନା’ ର ଦ୍ରୁତ ଉତ୍ତର ମିଳିଲା ନାହିଁ । ଡି. ପି. ଆଇ.ଙ୍କୁ ଏଥିପାଇଁ ସାକ୍ଷାତ କରିବା ଲାଗି ଥରେ ମୁଁ ଦିଲ୍ଲୀରୁ କଟକକୁ ଆସିଲି । ତତ୍‍କାଳୀନ ଶିକ୍ଷାବିଭାଗର ଡେପୁଟି ଡିରେକ୍ଟର ମୋର ପୁର୍ବତନ ସହକର୍ମୀ ଅଧ୍ୟାପକକୁ ଇନ୍ଦୁଭୂଷଣ ଦାସଗୁପ୍ତଙ୍କ ଅଫିସରେ ବସି ଡି. ପି. ଆଇ.ଙ୍କ ସାକ୍ଷାତ ପାଇଁ ଖବର ପଠାଇଲି, କିନ୍ତୁ ଘଣ୍ଟା ଘଣ୍ଟା ବିତିଗଲା ଏବଂ ତା ମଧ୍ୟରେ ଆଉ ଦୁଇ ତିନିଥର ପ୍ରାର୍ଥନା କଲେ ମଧ୍ୟ ତାଙ୍କ ସହିତ ସାକ୍ଷାତ କରିବାର ଅନୁମତି ମିଳିଲା ନାହିଁ । ମୁଁ ସାଢ଼େ ଦଶଟାରେ ଯାଇ ତାଙ୍କ ଅଫିସରେ ବସିଥିଲି ଏବଂ ଖବର ମଧ୍ୟ ପଠାଇଥିଲି ଯେ ମୁଁ ଦିଲ୍ଲୀରୁ ଆସିଥିଲି ଏବଂ ସେହିଦିନ ହିଁ ମୋତେ ଦିଲ୍ଲୀକୁ ଫେରିଯିବାକୁ ପଡ଼ିବ, କିନ୍ତୁ ଗୋଟାଏ ବାଜିବାକୁ ବସିଲା, ଡି. ପି. ଆଇ.ଙ୍କ ସାକ୍ଷାତ ମିଳିଲା ନାହିଁ । ଗୋଟାଏ ବେଳକୁ ତାଙ୍କର ପାର୍ସନାଲ ଏସିଷ୍ଟାଣ୍ଟ ମୋର ପୂର୍ବତନ ସହକର୍ମୀ ଅଧ୍ୟାପକ ଜାନକୀ ବଲ୍ଲଭ ମହାନ୍ତି (ଗୋରା) ଅଫିସରୁ ବାହରି ଆସି ମୋତେ କହିଲେ, ‘‘ଡି.ପି.ଆଇ. ବର୍ତ୍ତମାନ ଲାଞ୍ଚ ଖାଇବାକୁ ଯିବେ, ସେ ବାରଣ୍ଡାରେ ଗଲାବେଳେ ତାଙ୍କୁ ଉଇଶ୍‍ କରିବେ (ଜୁହାର କରିବେ), ସେ ଯଦି ରାଜି ହୁଅନ୍ତି, ତେବେ ଆପଣଙ୍କ ଯାହା କହିବାର ଅଛି, ତାହା କହିବେ ।” ମୋର ଆଉ ଧୈର୍ଯ୍ୟ ନ ଥିଲା । ଏଣୁ ତତ୍‍କ୍ଷଣାତ୍‍ ହୋଟେଲକୁ ଫେରିଆସି ସେହିଦିନ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କଲି । ମୁଁ ଜୀବନରେ ବହୁ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିଥିଲି, କିନ୍ତୁ କାହାରିଠାରୁ ଏପରି ଲାଞ୍ଛନା ପାଇ ନ ଥିଲି । ସେ ଦିନର ଘଟଣା ସ୍ମରଣ କଲେ ଆଜି ମଧ୍ୟ ମୋର ଚକ୍ଷୁ ଅଶ୍ରୁଳ ହୋଇଉଠେ । ଅବଶେଷରେ ଓଡ଼ିଶା ସରକାର ଉଲ୍ଲିଖିତ ଟ ୧୧୩୦୦ଙ୍କା ମଞ୍ଜୁର କଲେ ଏବଂ ମୋର ବନ୍ଧୁ, ଇନ୍ଦୁବାବୁଙ୍କ ତତ୍ପରତା ହେତୁ ହିଁ ଓଡ଼ିଶା ସରକାରଙ୍କୁ ରେଜେଷ୍ଟ୍ରି-ଦଲିଲ ଲେଖିଦେବା ପରେ ମାର୍ଚ୍ଚ ମାସର ଠିକ୍ ଶେଷବେଳକୁ ତାହା, ଋଣ ସ୍ଵରୁପ ପାଇପାରିଲି । ସେ ଟଙ୍କା ଓରିଏଣ୍ଟ ଲଙ୍ଗମେନ୍‍ସ୍ ପାଖକୁ ପଠାଗଲା ଏବଂ ବହି ଛାପାହେଲା । ଦଲିଲ୍‍ର ସର୍ତ୍ତ ଅନୁସାରେ ଓଡ଼ିଶା ସରକାର ଋଣ ଟଙ୍କା ବାବଦକୁ Archaeological Remains at Bhubaneswarର ୪୬୬ ଖଣ୍ଡ ବହି ନେଇ ତାକୁ ଓଡ଼ିଶା ମିଉଜିୟମ୍‍ରେ ବିକ୍ରୀ କଲେ । ଏ ପୁସ୍ତକର ପ୍ରକାଶିତ ୧୦୦୦ କପି କମ୍ପାନୀ ତଥା ଓଡ଼ିଶା ସରକାରଙ୍କ ଦ୍ୱାରା ବିକ୍ରିତ ହୋଇ ନିଃଶେଷିତ ହୋଇଛି । କିଣିବା ପାଇଁ ଏ ବହିର କପି କୌଣସିଠାରେ ମିଳୁ ନାହିଁ । ଏ ପୁସ୍ତକ ପଇଁ ଓଡ଼ିଶା ସରକାର ସାହାଯ୍ୟ ସ୍ୱରୁପ ମୋତେ ଗୋଟିଏ ଟଙ୍କା ମଧ୍ୟ ଦେଇ ନାହାନ୍ତି, କିମ୍ବା ତାଙ୍କର ଗୋଟିଏ ଟଙ୍କା ସୁଦ୍ଧା କ୍ଷତି ହୋଇନାହିଁ-। ତଥାପି ସୁଦ୍ଧା ମୁଁ ପୁସ୍ତକର ମୁଖବନ୍ଧରେ ଓଡ଼ିଶା ସରକାରଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛି । ଏ ପୃସ୍ତକ ପୃଥିବୀର ସର୍ବତ୍ର ପ୍ରଚାରିତ ହୋଇଛି ଏବଂ ଲଣ୍ଡନ, ପ୍ୟାରିସ, ଫ୍ରାଙ୍କ୍‍ଫାଟ, ବମ୍ବେ, ଲକ୍ଷ୍ମୌ, କଲିକତା ଇତ୍ୟାଦିରୁ ଏହାର ପ୍ରଶଂସାର ବାର୍ତ୍ତା ପାଇଛି । ମୁଁ ଏସବୁ ପ୍ରଶଂସା ପତ୍ର ସାଇତି ରଖି ନାହିଁ, କିମ୍ୱା ସେଗୁଡ଼ିକ ସମ୍ବନ୍ଧରେ କିଛି କହିବାକୁ ଚାହୁଁନାହିଁ ।

 

ଇଂରାଜୀରେ ଗୋଟିଏ ବଡ଼ ବହି ପ୍ରକାଶ କରିବାକୁ ଯାଇ ଯେଉଁ ଅଭିଜ୍ଞତା ଲାଭ କଲି, ସେଥିରୁ ମନେହେଲା ଯେ ଇଂରାଜୀରେ ବଡ଼ ବହି ଲେଖି ପ୍ରକାଶ କରିବା ମୋ ପକ୍ଷରେ ସମ୍ଭବପର ନୁହେଁ । ଏଣୁ ପ୍ରତ୍ନତତ୍ତ୍ୱ ସମ୍ବନ୍ଧରେ ଇଂରାଜୀରେ ବହୁ ପ୍ରବନ୍ଧ, Chronology of the Bhauma-Kuras and Somavamsis of Orissa Sarala Dasa ନାମକ ଆଉ ଦୁଇଖଣ୍ଡ ପୁସ୍ତକ ଇଂରାଜୀରେ ଲେଖିସାରିବା ପରେ ଇଂରାଜୀରେ ଲେଖା ଲେଖା ପ୍ରାୟ ଛାଡ଼ିଥିଲି । କିନ୍ତୁ ଏହି ସମୟରେ ଓଡ଼ିଶାର କଳା ଓ ସ୍ଥାପତ୍ୟ ସମ୍ବନ୍ଧରେ ଗୋଟିଏ ବଡ଼ଧରଣର ବହି ଇଂରାଜୀରେ ଲେଖିବା ପାଇଁ ମୋତେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉତ୍ସାହ ଓ ସାହାଯ୍ୟ ଦେଲେ । ଏ ପୁସ୍ତକର ପ୍ରାୟ ଦୁଇତୃତୀୟାଂଶ ଶେଷ କଲିଣି । ଭଗବାନଙ୍କ ଦୟା ଥିଲେ ଏହା ଶେଷ ହୋଇ ପ୍ରକାଶିତ ହେବ । ବହୁ ବାଧାବିଘ୍ନ ସତ୍ତ୍ୱେ ଜୀବନରେ ନିମ୍ନଲିଖିତ ଗ୍ରନ୍ଥମାନ ଲେଖିଛି–

 

ଇଂରାଜୀ

 

1.

Archaeological Remains at Bhubaneswar, Orient Longmans, Calcutta 1961.

2.

Chronology of Bhauma-Karas and Somavamsis of Orissa, Madras Law Journal Press, Madras, 1961.

3.

Sarala Dasa (Makers of Indian Literature Series), Sahitya Akademi, New Delhi. 1976.

4.

History of Orissan Art and Architecture (in progress).

 

ଓଡ଼ିଆ

 

୧.

ଇତିହାସ ଓ କିମ୍ବଦନ୍ତୀ, ଉତ୍କଳ ବିଶ୍ୱବିଦ୍ୟାଲୟ, ୧୯୬୪

୨.

ଭରତୀୟ ପ୍ରତ୍ନତତ୍ତ୍ୱ (ଅନୁବାଦ), ଡି. ପି. ଆଇ. ଓଡ଼ିଶା, ୧୯୬୦

୩.

ପ୍ରବନ୍ଧ ମାନସ, କିତାବ ମହଲ, କଟକ-୩, ୧୯୭୨

୪.

ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର, ବିରଜା ବକୃତାମାଳା-୧ (୧୯୭୩)

 

ନରସିଂହ ଚଉଧୁରୀ ମହାବିଦ୍ୟାଳୟ, ଯାଜପୁର ।

୫.

ସାରଳା ସାହିତ୍ୟର ଐତିହାସିକ ଚିତ୍ର, ପ୍ରଜାତନ୍ତ୍ର ପ୍ରେସ, କଟକ (୧୯୭୬)

୬.

ମୋ ସମୟର ଓଡ଼ିଶା, କିତାବ ମହଲ, କଟକ-୩ (୧୯୭୭)

 

ଏହାଛଡ଼ା Journal of Asiatic Society, Calcutta; Indian Historical Quarterly, Calcutta; Journal of Bihar Research Society, Patna; Journal of Historical Research, Ranchi; Ancient India, New Delhi; Epigraphia Indica, Ootacamund; Journal of Indian History, Tribendrum; Journal of Oriental Studies, Madras; Journal of Andhra Historical Research Society, Rajah- mundry; Orissa Historical Research Journal, Bhubaneswar of Arts asiatiques, Paris ମୋର ବହୁ ପ୍ରବନ୍ଧ ପ୍ରକାଶିତ ହୋଇଛି | Modern Review, Amrit Bazar Patrika, Hindusthan Times, Search Light, Deccan Harold, Bombay Chronicle, proceedings of the Indian History Congress, Proceedings of the International Seminar on Buddhism and Jainism (Cuttack, 1976), Orissa Review Orissa Monuments Special (1949) ଏବଂ ବହୁ ସ୍ଥାନୀୟ Souvenirରେ ମୋର ପ୍ରବନ୍ଧମାନ ପ୍ରକାଶିତ ହୋଇଛି । ମୋର ଇଂରାଜୀ ପ୍ରବନ୍ଧ ପ୍ରାୟ ୭୦ ହେବ । ଓଡ଼ିଶାର ବିଭିନ୍ନ ଓଡ଼ିଆ ପତ୍ରିକାରେ ମୋର ଯେଉଁ ବହୁ ପ୍ରବନ୍ଧ ପ୍ରକାଶ ପାଇଛି, ସେଥିମଧ୍ୟରୁ ପଚିଶଟିକୁ ବାଛି ପ୍ରବନ୍ଧ ମାନସ ପୁସ୍ତକଟି ପ୍ରକାଶ କରିଛି ଏବଂ ଏହାର ଦ୍ୱିତୀୟଭାଗ ପ୍ରକାଶ କରିବାର ବାସନା ରଖିଛି ।

 

ମୋର ଜୀବନ ମଧ୍ୟରେ ଯାହା ଲେଖିଛି, ତାହା ଅନ୍ୟଦେଶୀୟ ପଣ୍ଡିତମାନଙ୍କ କୃତିତ୍ୱ ତୁଳନାରେ ନଗଣ୍ୟ ହେବ, କିନ୍ତୁ ଏ ରାଜ୍ୟର ପଣ୍ଡିତମାନଙ୍କ କୃତିତ୍ୱ ତୁଳନାରେ ତାହା ନଗଣ୍ୟ ହେବ ନାହିଁ । ମୋ ଲେଖାରେ ଯଦି ଗୁଣାତ୍ମକ ମୂଲ୍ୟ ଥାଏ; ତେବେ ତାହା ପ୍ରବାହମାନ କାଳବକ୍ଷରେ କିଛି ସମୟ ତିଷ୍ଠି ରହିବ, ନଚେତ୍ ତାହା ଅଚିରେ ଲୋପ ପାଇବ । ମୁଁ ଆଜି ଅନୁଭବ କରୁଛି ଯେ, ସୁବିଧା ସୁଯୋଗ ପାଇଥିଲେ ଆଉ କିଛି ବେଶି କାମ କରିପାରିଥାନ୍ତି । ମୁଁ ବାଲ୍ୟକାଳରୁ ପ୍ରତ୍ନତତ୍ତ୍ୱ ପ୍ରତି ହିଁ ଆକୃଷ୍ଟ ହୋଇଥିଲି ଏବଂ ତାହାରି ପାଇଁ ଜୀବନରେ ଦୀର୍ଘ ସାଧନା କରିଥିଲି, କିନ୍ତୁ ଆଜୀବନ ପ୍ରତ୍ନତତ୍ତ୍ୱ ସେବାରେ ନିଜକୁ ନିୟୋଜିତ କରିପାରଲି ନାହିଁ । ପ୍ରତ୍ନତତ୍ତ୍ୱରୁ ବିଚ୍ୟୁତ ହେବାର କାରଣମାନ ଆଗରୁ କହିଛି । ପ୍ରତ୍ନତତ୍ତ୍ୱ ଚର୍ଚ୍ଚାଦ୍ଵାରା ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ସତ୍ୟାଶ୍ରୟୀ ଓ ବାସ୍ତବତାଶ୍ରୟୀ କରିବାର ସମୟ ହୁଏ ତ ଓଡ଼ିଶାରେ ଆସି ନାହିଁ । ଯେଉଁ କେତେଖଣ୍ଡି ପୁସ୍ତକ ପ୍ରକାଶ କରିଛି, ତାହା ବହୁ ବାଧାବିଘ୍ନ ମଧ୍ୟରେ ପ୍ରକାଶ କରିଛି । Archaeolo gical Remains at Bhubaneswarକୁ ପ୍ରକାଶ କରିବାବେଳେ ଯେଉଁ ଲାଞ୍ଚନା ଓ ବାଧା ପାଇଥିଲି ତାହା ଆଗରୁ ବର୍ଣ୍ଣନା କରିଛି । Chronology of the Bhauma Karas and Somavamsis of Orissaକୁ, ପ୍ରକାଶ କଲାବେଳେ ମଧ୍ୟ ତୀବ୍ର ପରୋକ୍ଷ ବିରୋଧର ସମ୍ମୁଖୀନ ହୋଇଥିଲି । ଏଥିରେ ଏପରି ଅନେକ କଥା ଅଛି, ଯାହା କି ଭାରତର ନ୍ୟସ୍ତସ୍ୱାର୍ଥ ଐତିହାସିକମାନଙ୍କ ବିରୁଦ୍ଧରେ ଯାଉଛି । ଏ ଗ୍ରନ୍ଥ ଭୋପାଳରେ ଲେଖିସାରିବା ପରେ ପରେ ମୋତେ ମୋ ଚାକିରିରେ ଅତିଷ୍ଠ କରିବାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ୧୯୬୦-୬୧ ମଧ୍ୟରେ ଏ ଗ୍ରନ୍ଥ ଲେଖିସାରିବା ପରେ ଏବଂ ଏହି ସମୟ ମଧ୍ୟରେ ଆଉ କେତୋଟି ଗବେଷଣାତ୍ମକ ପ୍ରବନ୍ଧ ଲେଖିସାରିବା ପରେ ହିଁ ପ୍ରଚାର କରାଗଲା ଯେ ମୋର ମଥା ଠିକ୍ ରହୁ ନାହିଁ । ଏ ପୁସ୍ତକଟି ତ ଅଛି; ବର୍ତ୍ତମାନ ସମସ୍ତେ ପରୀକ୍ଷା କରି ଦେଖନ୍ତୁ ଏହା ମଥାପାଗଳିଆର ଲେଖା କି ନା । ଏ ପୁସ୍ତକଟି ନିଜେ ପ୍ରକାଶ କରିଥିବାରୁ ଏହାର ବିକ୍ରୟର ସୁବିଧା କରିପାରିଲି ନାହିଁ, ଏଣୁ ଏହାର ବହୁ କପି ଅବଧି ମୋ ପାଖରେ ପଡ଼ିରହିଛି । ‘‘ସାରଳା ସାହିତ୍ୟର ଐତିହାସିକ ଚିତ୍ର’’ କୁ ଲେଖିବାବେଳେ ମୁଁ ଯେଉଁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲି, ତାହା ଆଗରୁ ବର୍ଣ୍ଣିତ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ଞାନବିଜ୍ଞାନ ପରିଷଦ-ଆନୁକୂଲ୍ୟରେ ମୋର ଯେଉଁ ଇତିହାସ ଓ କିମ୍ବଦନ୍ତୀ ନାମକ ପୁସ୍ତକଟି ପ୍ରକାଶ ପାଇଛି, ତାହାର ମଧ୍ୟ ଇତିହାସ ଅଛି । ଏ ପୁସ୍ତକ ଲେଖିବା ପାଇଁ ମୁଁ ଜ୍ଞାନବିଜ୍ଞାନ ପରିଷଦରୁ ସାହାଯ୍ୟ ସ୍ୱରୂପ ଟ ୬୦୦ ଙ୍କା ପାଇଥିଲି । ଏହା ପାଇଁ ସାମଗ୍ରୀ ସଂଗ୍ରହ କରିସାରିବା ପରେ ୧୯୫୪ରେ ମୁଁ ଭାରତ ସରକାରଙ୍କ ଅଧୀନରେ ଚାକିରି କରିବାକୁ ଗଲି । ଅନେକେ ଭାବିଲେ ଯେ ମୁଁ ଟଙ୍କା ଖାଇ ଚାଲିଗଲି, କିନ୍ତୁ ମୁଁ ତାହା କଲି ନାହିଁ । ପାଟନାରେ ବସି ଏହି ଇତିହାସ ଓ କିମ୍ୱଦନ୍ତୀ ବହିଟି ଲେଖିଲି ଏବଂ ଚାଳିଶଟି ଫଟୋଗ୍ରାଫ୍‍ ସହିତ ସେହି ବର୍ଷ ତାହା ଉତ୍କଳ ବିଶ୍ୱବିଦ୍ୟାଳୟରେ ଦାଖଲ କଲି । ଏହା ସେଠାରେ ପଡ଼ି ରହି ଦଶବର୍ଷ ପରେ ପ୍ରକାଶିତ ହେଲା । ଜ୍ଞାନବିଜ୍ଞାନ ପରିଷଦରୁ ପଣ୍ଡିତମାନଙ୍କୁ ସହସ୍ର ସହସ୍ର ମୁଦ୍ରା ସାହାଯ୍ୟ ମିଳିଥିଲା; କିନ୍ତୁ କେହି ଗବେଷଣାର ନିଦର୍ଶନ ସ୍ୱରୁପ ପୁସ୍ତକଟିଏ ପ୍ରକାଶ କରି ନ ଥିଲେ । ମୁଁ ଯେତେଦୂର ଜାଣେ, ଜ୍ଞାନବିଜ୍ଞନ ପରିଷଦର ଆନୁକୂଲ୍ୟରେ ପ୍ରକାଶିତ ମୋର ଉଲ୍ଲିଖିତ ପୁସ୍ତକଟି ହିଁ ଏକମାତ୍ର ପୁସ୍ତକ । କେବଳ ମୋର ପ୍ରବନ୍ଧ ମାନସ ପୁସ୍ତକଟି ପ୍ରକାଶ କଲାବେଳେ ମୁଁ କୌଣସି ବାଧାବିରୋଧର ସମ୍ମୁଖୀନ ହୋଇ ନ ଥିଲି । ଏଥିରେ ମୋର କେତେଗୁଡ଼ିଏ ପ୍ରବନ୍ଧ ପ୍ରକାଶ ପାଇଛି; ଏଣୁ ବିରୋଧ କରିବାକୁ କାହାରିକୁ ସୁଯୋଗ ମିଳି ନାହିଁ ।

 

ସମୟ ଗଡ଼ି ଚାଲିଛି, ଶେଷକ୍ରୋଶ ଶେଷ ହେଉ ନାହିଁ । ଆଜି ମୁଁ ଯେ ଜଣେ ଲେଖକ ରୂପେ ବଞ୍ଚିରହିଛି, ତାହାର ପ୍ରମାଣ ମୁଁ କେବଳ ଗୋଟିଏ ଦିଗରୁ ପାଉଛି । ଯେତେ ମେଗାଜିନ୍ ଓ ସୋଭେନିର ପ୍ରକାଶିତ ହଉଛି, ସେଗୁଡ଼ିକୁ ଗୋଟିଏ ଗୋଟିଏ ପ୍ରବନ୍ଧ ଦେବା ପାଇଁ ମୋ ପାଖକୁ ସବୁବେଳେ ଅନୁରୋଧ ଆସୁଛି । ଶକ୍ତି ସୀମିତ ହୋଇଗଲାଣି, ତଥାପି ଯଥାସାଧ୍ୟ ଅନେକଙ୍କର ଅନୁରୋଧ ରକ୍ଷାକରୁଛି । ପ୍ରତ୍ନତତ୍ତ୍ୱ ବା ଇତିହାସ ସମ୍ବନ୍ଧରେ ଲେଖିବାକୁ ଗଲେ ଉପାଦାନ ସଂଗ୍ରହ ପାଇଁ ଐତିହାସିକ ସ୍ଥାନମାନଙ୍କୁ ଯିବାକୁ ପଡ଼େ, ଫଟୋ ସଂଗ୍ରହ କରିବାକୁ ପଡ଼େ ଏବଂ ଲାଇବ୍ରେରୀକୁ ଯାଇ ଘଣ୍ଟା ଘଣ୍ଟା ଧରି ଅଧ୍ୟୟନ ଓ ଅନୁଶୀଳନ କରିବାକୁ ପଡ଼େ । ଏସବୁ ପାଇଁ ମୋର ଶକ୍ତି ନାହିଁ । ଯାହା ଲେଖୁଛି, ତାକୁ ଉତାରିବା ପାଇଁ ମଧ୍ୟ ମୋର ଧୈର୍ଯ୍ୟ ବା ଶକ୍ତି ମଧ୍ୟ ନାହିଁ-। ଏଣୁ ଏ ଜୀବନରେ ଆଉ ଅଧିକ କାମ କରିପାରିବି ବୋଲି ଆଶା କରିପାରୁ ନାହିଁ ।

 

ମୋର ମରିବା ପରେ ମୋ ସମ୍ବନ୍ଧରେ କେତେକ ବିଭ୍ରାନ୍ତିକର କଥା ପ୍ରଚାରିତ ହୋଇପାରେ । ଏଣୁ ବଞ୍ଚି ଥାଉଁ ଥାଉଁ ମୋ ଜୀବନର କେତେକ ଘଟନାର ସତ୍ୟାଶ୍ରିତ କାହାଣୀ ପ୍ରକାଶ କରିବା ସମୀଚୀନ ମନେକରୁଛି । ଅନେକଙ୍କର ଧାରଣା ଯେ ମୁଁ ୧୯୬୧ରେ ଭାରତ ସରକାରଙ୍କ ଚାକିରିରୁ ବିତାଡ଼ିତ ହୋଇ ଆସିବା ପରେ ପାଗଳ ହୋଇଯାଇଥିଲି । ଏ କଥା ସତ୍ୟ ନୁହେଁ । ମୁଁ କୌଣସି ସମୟରେ ପାଗଳ ହୋଇ ନ ଥିଲି । ମିଥ୍ୟାପବାଦ ଓ ଅପମାନଭୋଗର ଚରମ ସୀମାରେ ପହଞ୍ଚିବା ପରେ ମୋର ମାନସିକ ଭାରସାମ୍ୟ ଟିକିଏ ଗଣ୍ଡଗୋଳ ହୋଇଯାଇଥିଲା । ୧୯୬୦ ରୁ ୧୯୬୧ ମଧ୍ୟରେ ମୁଁ ଯେଉଁ ପୁସ୍ତକ ଓ ପ୍ରବନ୍ଧମାନ ଲେଖିଛି, ମୋ ମତରେ ସେଗୁଡ଼ିକ ମୋର ଉତ୍କୃଷ୍ଟତମ ଲେଖା । ଅଥଚ ଏହି ସମୟରେ ମୋର ମସ୍ତିଷ୍କବିକୃତି ଘଟୁଛି ବୋଲି ପ୍ରଚାର କରାଗଲା ଏବଂ ମୁଁ ଯେତେଦୂର ଜାଣେ, ମୋର ଗୁପ୍ତ ରିପୋର୍ଟ (Confidential Report)ରେ ମଧ ସେହିପରି ଲେଖିଦିଆଗଲା । ୧୯୬୧ ମଇ ଜୁନ୍‍ରେ ଜବଲପୁର ସାର୍କିଟ ହାଉସରେ ମୋତେ ମିଥ୍ୟାପବାଦ ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର ହୋଇଥଲା, ମୁଁ ତାହାର ତୀବ୍ର ପ୍ରତିବାଦ କରି ସେ ସମୟରେ ସେହି ସାର୍କିଟ ହାଉସ୍‌ରେ ଅବସ୍ଥାନ କରୁଥିବା ଭାରତର ବଶିଷ୍ଠ ନାରୀନେତ୍ରୀ ଶ୍ରୀମତୀ ସୁଭଦ୍ରା ଯୋଷୀଙ୍କୁ ସମସ୍ତ କଥା କହିଥିଲି ଓ ସମସ୍ତ ପ୍ରମାଣ ଦେଖାଇଥିଲି । ମୋର ମନେହୁଏ ଯେ ସେହି ସାର୍କିଟ ହାଉସରେ ମୋର ଖାଦ୍ୟରେ କୌଣସି ଜିନିଷ ମିଶାଇ ଦିଆଯାଇଥିଲା, ଯାହା ଫଳରେ କି ମୋର ଭୟଙ୍କର ଭାବରେ ପେଟ ଖରାପ ହୋଇଥିଲା । ଏହା ପୂର୍ବରୁ କିମ୍ୱା ଏହା ପରେ ଏପରି ପେଟ ଗୋଳମାଳ କେବେ ହୋଇ ନ ଥିଲା । ମୋର ଏ ବୟସରେ ମଧ୍ୟ ଖାଦ୍ୟ ଉପରେ ମୋର କୌଣସି ନିୟନ୍ତ୍ରଣ ନାହିଁ, ମୁଁ ସମସ୍ତ ପ୍ରକାର ଖାଦ୍ୟ ଖାଏ ।

 

ବସ୍ତୁତଃ ଏହି ଘଟନା ପରେ ହିଁ ମୁଁ ସରକାରୀ ଚାକିରି ଛାଡ଼ିବା ପାଇଁ ବଦ୍ଧପରିକର ହୋଇଥିଲି । ମୁଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଶ୍ରୀ ଅମଳାନନ୍ଦ ଘୋଷଙ୍କୁ ଏକାଧିକ ଚିଠିରେ ଲେଖିଥିଲି ଯେ ମୋର କ୍ଷୁଦ୍ର ସରକାରୀ ଚାକିରିଟା ରାଜ୍ୟ-ରାଜ୍ୟ, ସରକାର-ସରକାର ଓ ଧର୍ମ-ଧର୍ମ ମଧ୍ୟରେ ବିବାଦ ସୃଷ୍ଟି କରୁଛି, ଏଣୁ ମୁଁ ତାକୁ ତ୍ୟାଗ କରିବାକୁ ଚାହେଁ । ଏହି ଅନୁସାରେ ମୁଁ ମୋର ଭାରତ ସରକାର ଚାକିରି ଏବଂ ମୋର ଓଡ଼ିଶା ସରକାରଙ୍କ ଚାକିରିରୁ ଏକ ସମୟରେ ଇସ୍ତଫା ଦେଲି । ଭାରତ ସରକାର ମୋର ଇସ୍ତଫା ଗ୍ରହଣ କରିନେଲେ, କିନ୍ତୁ ଓଡ଼ିଶା ସରକାର ମୋର ଇସ୍ତଫାକୁ ଗ୍ରହଣ ନ କରି ମୋତେ ଅପମାନଜନକ ଅବସ୍ଥାରେ ରେଭେନ୍‌ସା କଲେଜରେ ପୋଷ୍ଟିଂ କଲେ । ଓଡ଼ିଶା ସରକାର ମୋର ଇସ୍ତଫା ଗ୍ରହଣ କରି ନେଇଥିଲେ ମୋର କୌଣସି ପ୍ରତିକ୍ରିୟା ହୋଇ ନ ଥାନ୍ତା । ନୂତନ ଚାକିରିଟିଏ ପାଇଁ ମୋତେ ସମଗ୍ର ଭାରତ ଉନ୍ତୁକ୍ତ ଥିଲା । ରେଭେନ୍‍ସା କଲେଜରେ ମୁଁ କ୍ରମେ ଈର୍ଷାଳୁମାନଙ୍କର ବ୍ୟଙ୍ଗବିଦ୍ରୁପର ପାତ୍ର ହୋଇ ପଡ଼ିଥିଲି-। ଏଣୁ ମୋର ମସ୍ତିଷ୍କ କ୍ରମେ ବେଶି ଉତ୍ତେଜିତ ହୋଇ ପଡ଼ିଲା । ମୁଁ ଆଦିବାସୀମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରି ସେମାନଙ୍କ ମଧ୍ୟରେ ବଢ଼ିଥିଲି, ଏଣୁ ମୋ ଠାରେ ଆଦିବାସୀ ସ୍ୱଭାବଟା ପୂର୍ଣ୍ଣମାତ୍ରାରେ ଅଛି । ମୁଁ ସେମାନଙ୍କ ନୀତି ହିଁ ଧରିଲି–‘‘ପ୍ରହାରେଣ ଧନଞ୍ଜୟ ।” ଯେଉଁମାନେ ମୋତେ ବ୍ୟଙ୍ଗ-ବିଦ୍ରୂପ କରୁଥିଲେ, ପରିଣାମ ନ ବିଚାରି ସେମାନଙ୍କୁ ପ୍ରହାର ଦେଉଥିଲି କିମ୍ୱା ତୀବ୍ର ଭର୍ତ୍ସନା କରୁଥିଲି । ଏହି ପରିସ୍ଥିତିରେ ମୋର ସ୍ତ୍ରୀ ଓ ପୁତ୍ରକନ୍ୟାମାନଙ୍କର ମଧ୍ୟ ଧାରଣା ହେଲା ଯେ ମୋର ମସ୍ତିଷ୍କ ବିକୃତି ଘଟିଛି । ମୋର ସ୍ତ୍ରୀ ମୋତେ ଡାକ୍ତର ପାର୍ଥ ରାଓଙ୍କ ପାଖକୁ ନେଇଯାଉଥାନ୍ତି ଓ ସେ ମୋତେ କିଛି କିଛି Tranquillizers ଦେଉଥାନ୍ତି, କିନ୍ତୁ ରୋଗର ମୂଳ କାରଣ ଭିନ୍ନ ପ୍ରକାର ଥିବାରୁ ତାହା ଭଲ ହେଉ ନ ଥାଏ । ଏ ଅବସ୍ଥାରୁ ସଂପୂର୍ଣ୍ଣ ରୂପେ ଭଲ ହେବା ପାଇଁ ମୋତେ ପ୍ରାୟ ପାଞ୍ଚବର୍ଷ ଲାଗିଥିଲା ।

 

ମୟୂରଭଞ୍ଜ ମହାରାଜାଙ୍କଠାରୁ ମୋର ଜମିପ୍ରାପ୍ତି ସମ୍ବନ୍ଧରେ ମଧ୍ୟ ଅନେକେ କିମ୍ଭୂତକିମାକାର ଧାରଣ କରନ୍ତି । ଅନେକଙ୍କର ଧାରଣା ଯେ ମୁଁ Political Status of the Feudatory States of Orissa and Chhatisgarh ନାମକ ପୁସ୍ତକ ଲେଖିଥିବାରୁ ମହାରଜା ମୋତେ ଏହି ଜମି ଦେଇଥିଲେ । ଏ ଧାରଣା ସମ୍ପୂର୍ଣ୍ଣ ଭିତ୍ତିହୀନ । ବହୁ ବଡ଼ ବଡ଼ ବ୍ୟକ୍ତି ବହୁ ଚେଷ୍ଟା କରି ସୁଦ୍ଧା ସ୍ୱର୍ଗତ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ରାଜନୀତି ଭିତରକୁ ଦୂରେ ଥାଉ, ରାଜନୀତି ପାଖକୁ ମଧ୍ୟ ନେଇପାରି ନ ଥିଲେ । ତାଙ୍କର ଦୂରଦୃଷ୍ଟି ଅସାମାନ୍ୟ ଥିଲା । ସେ ବହୁ ଆଗରୁ କହୁଥିଲେ ଯେ ଏ ଯେଉଁ ଯୁଗ ଆସିଲାଣି, ସେଥରେ ରାଜ୍ୟ, ରାଜା, ମହାରାଜା କେହି ରହିବେ ନାହିଁ । ଯେତେବେଳେ ରାଜାମହାରାଜାମାନଙ୍କୁ ଭତ୍ତା ଦିଆଗଲା, ସେତେବେଳେ ମଧ୍ୟ ସେ କହିଥିଲେ ଯେ ଏସବୁ ଭତ୍ତା ସବୁଦିନ ପାଇଁ ରହିବ ନାହିଁ । ଏଥିପାଇଁ ସେ କୌଣସି ରାଜନୀତିକ ଆନ୍ଦୋଳନରେ ଯୋଗଦେଉ ନ ଥିଲେ । Eastern States Union ଗଢ଼ିବା ପାଇଁ ଯେଉଁ ଆନ୍ଦୋଳନ ଚାଲିଥିଲା, ସେଥିରେ ସେ ଯୋଗଦେଇ ନ ଥିଲେ, କିମ୍ବା ସେଥିପ୍ରତି ତାଙ୍କର ସହାନୁଭୂତି ନ ଥିଲା । ମହାରାଜା ଯେତେବେଳେ ଶୁଣିଲେ ଯେ ମୁଁ ଉଲ୍ଲିଖିତ ପୁସ୍ତକଟି ଲେଖିଛି, ସେତେବେଳେ ଦିନେ ସେ ମୋ ପ୍ରତି ଅତ୍ୟନ୍ତ ବିରକ୍ତ ହେଲେ । ମୁଁ ବୋକାଟି ପରି ତାଙ୍କୁ କହିଲି ଯେ ଶ୍ରୀଯୁକ୍ତ କେ.ସି ନିୟୋଗୀ ମୋତେ ତାହା ଲେଖିବାକୁ କହିବାରୁ ମୁଁ ତାହା ଲେଖିଲି । ମହାରାଜା ନୀରବ ହେଲେ । କେଉଁ ଘଟଣାଚକ୍ରରେ ମହାରାଜା ମୋତେ ଶାସନ ଭାଗଟିଏ ଦେଇଥିଲେ, ତାହା ମୁଁ ଆଗରୁ ଲେଖିଛି । ମୋର ରାଜନୀତି ପାଇଁ ନୁହେଁ, ମୋର ଗବେଷଣା ପାଇଁ ହିଁ ମୋତେ ମିଳିଥିଲା । ମହାରାଜାଙ୍କ ତତ୍‍କାଳୀନ ଚିଫ୍‍ ରେଭେନ୍ୟୁ ଅଫିସର ବାରିପଦାର ଶ୍ରୀ ରାଧାଗୋବିନ୍ଦ ଦାସ (ଅବସରପ୍ରାପ୍ତ ଆଇ. ଏ. ଏସ୍.) ଏ ସମ୍ବନ୍ଧରେ ସତ୍ୟାସତ୍ୟ ପ୍ରକାଶ କରିପାରିବେ ।

 

ମୋର ପ୍ରଫେସର ହେବାର ମଧ୍ୟ ଗୋଟିଏ ଦୁଃଖମୟ ଇତିହାସ ରହଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ହେବାର ସୁଯୋଗ ତ ମୁଁ ୧୯୬୧ରୁ ହରାଇଥିଲି । ତା ଛଡ଼ା ୧୯୬୮ରେ ମୋର ସରକାରୀ ଚାକିରିରୁ ଅବସର ନେବାର ତିନିବର୍ଷ ପୂର୍ବରୁ ସମ୍ବଲପୁର ଜି. ଏମ୍. କଲେଜରେ ଯେଉଁ ଇତିହାସ ପ୍ରଫେସର ପୋଷ୍ଟଟି ଖାଲି ହେଲା, ତାହା ମଧ୍ୟ ମୋତେ ଯଥାସମୟରେ ଦିଆଯାଇ ନ ଥିଲା । ଯେତେବେଳେ ମୁଁ ତାହା ପାଇଲି, ସେତେବେଳେ ଅବସର ନେବାକୁ ମୋର ଆଉ ଦଶଦିନ ମାତ୍ର ବାକି ଥିଲା । ସେକ୍ରେଟରୀଏଟ୍‍ର ଶିକ୍ଷାବିଭାଗର ହେଡ଼ ଏସିଷ୍ଟାଣ୍ଟ ଥରେ ରେଭେନ୍‍ସା କଲେଜକୁ ଆସିଥଲେ; ତାଙ୍କୁ ବିଳମ୍ବର କାରଣ ପଚାରିବାରୁ ସେ କହିଲେ-‘‘ଦେଖନ୍ତୁ, ସରକାର ହେଉଛନ୍ତି ମା ପରି ଓ ସରକାରୀ କର୍ମଚାରୀମାନେ ହେଉଛନ୍ତି ତାଙ୍କ ପିଲା ପରି । ମାଙ୍କ ପାଖରେ ନ କାନ୍ଦିଲେ ଭାଗ ମିଳେ ନାହିଁ ।” ମୁଁ କହିଲି-“ମୋର ଧାରଣା କିନ୍ତୁ ଭିନ୍ନ ପ୍ରକାର । ସରକାର ହେଉଛନ୍ତି ଗୋଟିଏ ଧାର୍ମିକ ଓ ନୈତିକ ଅନୁଷ୍ଠାନ । ତାଙ୍କଠାରୁ ଯାହାର ଯାହା ପ୍ରାପ୍ୟ ତାଙ୍କୁ ତାହା ଯଥାସମୟରେ ମିଳେ । ସରକାରଙ୍କ ପାଖରେ ଘନ ଘନ କାନ୍ଦିଲେ କାନ୍ଦିବା ପିଲା ହିଁ ବଡ଼ଭାଗ ପାଇଯାଏ ଏବଂ ଏହି ହେତୁରୁ ସରକାରୀ କଳରେ ଭ୍ରଷ୍ଟାଚାର ପ୍ରବେଶକରେ । ତା ଛଡ଼ା ମୁଁ କେଉଁଠାରେ କାନ୍ଦିବି ? ମନ୍ତ୍ରୀଙ୍କ ପାଖରେ, ସେକ୍ରେଟରୀଏଟର ଶିକ୍ଷାବିଭାଗରେ ଓ ପଲଟିକାଲ ଏଣ୍ଡ ସର୍ଭିସେସ୍‍ ବିଭାଗରେ, ଡି. ପି. ଆଇ. ଅଫିସରେ ଏବଂ ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନଙ୍କ ଅଫିସରେ ମୋର ଫାଇଲ ଘୂରୁଥିବ । ମୁଁ ଏସବୁ ସ୍ଥାନକୁ ଗଲେ ମୋତେ ଖାଲି ଚକାଚକା ଭଉଁରୀ ଖେଳିବାକୁ ପଡ଼ିବ । ମୁଁ ଏହା କରିପାରିବି ନାହିଁ ।’’ ଶେଷରେ ଆଠଦଶଦିନ ପାଇଁ ସରକାରୀ ପ୍ରଫେସର ହେଲି । ଅବଶ୍ୟ ଏହାପରେ ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗରେ ପ୍ରାୟ ଚାରିବର୍ଷ ପ୍ରଫେସର ହେଲି; କିନ୍ତୁ ଏ ପ୍ରଫେସର କାମର ଇତିହାସ ନାହିଁ ।

 

ଜୀବନର ଶେଷକ୍ରୋଶରେ ଆଜି ମୁଁ ମୋର ସବୁଠାରୁ ବଡ଼ ଆନନ୍ଦର ଓ ସବୁଠାରୁ ବଡ଼ ନିରାନନ୍ଦର ଦିନ କଥା ସ୍ମରଣ କରୁଛି । ମୁଁ ୧୯୪୩ରେ ପ୍ରାଚୀନ ଭାରତୀୟ ମୃତ୍‍ପାତ୍ର ଉପରେ ଗବେଷଣା କରି ଓ ନିବନ୍ଧ ଲେଖି ଭାରତର ପ୍ରତ୍ନତତ୍ତ୍ୱ ବିଭାଗର ତତ୍‍କାଳୀନ ଡାଇରେକ୍‍ଟର ଜେନେରାଲ ରାୟବାହାଦୂର କାଶୀନାଥ ନାରାୟଣ ଦୀକ୍ଷିତଙ୍କ ପାଖରୁ ଯେଉଁଦିନ ଉଚ୍ଚପ୍ରଶଂସା ପାଇଥିଲି, ସେ ଦିନଟି ମୋର ମହାଆନନ୍ଦର ଦିନ ଥିଲା । ମୟୁରଭଞ୍ଜର ମହାରଜା ଏହି ଉଚ୍ଚ ପ୍ରଶଂସାର ପ୍ରମାଣ ପାଇ ମୋତେ ଯେଉଁ ଦିନ ଶାସନଭାଗ ଦେଲେ, ସେ ଦିନଟି ମଧ୍ୟ ମୋର ଆନନ୍ଦର ଦିନ ଥିଲା । ସ୍ୱର୍ଗତ ଡି.ପି. ଆଇ.ଏସ୍‍. ରାୟ । (ସଚ୍ଚିଦାନନ୍ଦ ରାୟ) ଓଡ଼ିଶା ମିଉଜିୟମ୍‍ରେ ମୋର କାର୍ଯ୍ୟ ପରିଦର୍ଶନ କରି ଯେଉଁଦିନ ମୋତେ କହିଲେ ଯେ ମୁଁ ଜଣେ ଭାରତର ଉଦୀୟମାନ ପ୍ରତ୍ନତାତ୍ତ୍ୱିକ ଏବଂ ମୋର ଆନ୍ତରିକ ଚେଷ୍ଟାରେ ତାଙ୍କର ପୂର୍ଣ୍ଣବିଶ୍ୱାସ ରହିଛି, ସେ ଦିନଟି ମଧ୍ୟ ମୋର ମହାଆନନ୍ଦର ଦିନ ଥିଲା । ସେହିଦିନଠାରୁ ମୁଁ ଦ୍ୱିଗୁଣ ଉତ୍ସାହରେ ଓଡ଼ିଶା ମିଉଜିୟମ୍‍ର ଅଭିବୃଦ୍ଧି ଓ ଗବେଷଣା କାର୍ଯ୍ୟରେ ଲାଗିଯାଇଥିଲି । ଥରେ ଓଡ଼ିଶାର ଜଣେ ଶିକ୍ଷାମନ୍ତ୍ରୀଙ୍କ ପାଖକୁ ଯାଇ ତାଙ୍କଠାରୁ ଯେଉଁ ବ୍ୟବହାର ପାଇଥିଲି, ତାହା ଥିଲା ମୋର ଗୋଟିଏ ନିରାନନ୍ଦର ଦିନ । ମୁଁ ମୋର କେତେକ ଲେଖା ଭେଟି ଦେବା ପାଇଁ ମନ୍ତ୍ରୀ ମହୋଦୟଙ୍କ ପାଖକୁ ଯାଇଥିଲି; କିନ୍ତୁ ସେ ମୋର ଲେଖାମାନ ମୋ ହାତରୁ ଗ୍ରହଣ ନ କରି ଅଫିସରେ ଦେଇଯିବା ପାଇଁ କହିଲେ । ମୁଁ ଦିଲ୍ଲୀରୁ ଆସି କଟକରେ ଡି.ପି.ଆଇ.ଙ୍କ ସହିତ ସାକ୍ଷାତ କରିବା ପାଇଁ ଯେଉଁଦିନ ବିଫଳ ହୋଇଥିଲି, ସେଦିନ ମଧ୍ୟ ମୋର ଗୋଟିଏ ମହାନିରାନନ୍ଦର ଦିନ ଥିଲା । ଯେଉଁଦିନ ଓଡ଼ିଶା ସରକାର ମୋ ଚାକିରିର ଇସ୍ତଫା ଗ୍ରହଣ ନ କରି ଅପମାନଜନକ ଅବସ୍ଥାରେ ମୋତେ ରେଭେନ୍‍ସା କଲେଜରେ ପୋଷ୍ଟିଂ କଲେ, ସେ ଦିନଟି ଥିଲା ମୋର ମହାନିରାନନ୍ଦର ଦିନ । ମୋତେ ରେଭେନ୍‍ସା କଲେଜରେ ପୋଷ୍ଟିଂ ନ କରିବା ପାଇଁ ତତ୍‌କାଳୀନ ମୂଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନା କରି ମୋର ସ୍ତ୍ରୀ ଯେଉଁଦିନ ବିଫଳ ହୋଇ ଫେରିଥିଲେ, ସେ ଦିନ ମଧ୍ୟ ମୋର ଗୋଟିଏ ମହାନିରାନନ୍ଦର ଦିନ ଥିଲା । ମୋର ସ୍ତ୍ରୀ ବୀରବିକ୍ରମରେ ମୋତେ ଭୋପାଳରୁ ଆଣି ଓଡ଼ିଶାରେ ପହଞ୍ଚାଇଥିଲେ ଏବଂ ବାଟଯାକ କହିହେଉଥିଲେ ଯେ ଓଡ଼ିଶାରେ ପହୁଞ୍ଚିଲେ ଆମର ସମସ୍ତ ଦୁଃଖ ଚାଲିଯିବ । ସେ ଦିନ ତାଙ୍କର ଓଡ଼ିଆଣୀ ଗର୍ବ ଭାଙ୍ଗିଯିବାରୁ ମୋର ଦୁଃଖଦିନରେ ସୁଦ୍ଧା ତାଙ୍କ ପ୍ରତି ଗୋଟିଏ ତାଚ୍ଛଲ୍ୟର ହସ ବାହାରି ପଡ଼ିଥିଲା । ପରେ ମୋତେ ମିଉଜିୟମ୍‍ରେ ସ୍ଥାନ ଦେବା ପାଇଁ ଶିକ୍ଷାମନ୍ତ୍ରୀଙ୍କ ପାଖକୁ ମୁଁ ଯେଉଁ ଦରଖାସ୍ତ କଲି, ତାହାର ଉତ୍ତର ଆସିଲା Rejected । ସେ ଦିନ ମଧ୍ୟ ମୋର ଗୋଟିଏ ମହାଦୁଃଖର ଦିନ ।

 

ମୁଁ ୧୯୬୫ ଓଡ଼ିଶା ସାହିତ୍ୟ ଏକାଡେମୀରୁ ମାନପତ୍ର ପାଇଲି ଏବଂ ୧୯୭୬ରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଉପାଧି ପାଇଲି । ମୁଁ ଜଣେ ସୁଶୃଙ୍ଖଳିତ ନାଗରିକ ରୂପେ ଉଭୟକୁ ଗ୍ରହଣ କଲି ଏବଂ ଏହି ସମ୍ମାନ ଦାନ ପାଇଁ ଓଡ଼ିଶା ସରକାର ତଥା ଭାରତ ସରକାରଙ୍କଠାରେ ମୁଁ କୃତଜ୍ଞ ଅଛି । ୧୯୭୨ର ବିଷୁବମିଳନରେ ମୁଁ ପ୍ରଜାତନ୍ତ୍ର ପ୍ରଚାର ସମିତିଙ୍କଠାରୁ ଟ୧୦୦୦ ଙ୍କା ପୁରସ୍କାର ପାଇଲି । ଏଥିପାଇଁ ମଧ୍ୟ ମୁଁ ସମିତିଠାରେ କୃତଜ୍ଞ ।

 

ସମୟ ଗଡ଼ି ଚାଲିଛି; କିନ୍ତୁ ଶେଷକ୍ରୋଶ ଶେଷ ହେଉ ନାହିଁ । ବାଲ୍ୟକାଳରୁ ମୋର ପିତାମାତା ଇହଧାମ ଛିଡ଼ି ଚାଲିଯାଇଥିଲେ । ମୋର ସାରାଜୀବନରେ ଓଡ଼ିଶା ହିଁ ମୋର ମା’ର ସ୍ଥାନ ଅଧିକାର କରିଛି । ମୁଁ ତାକୁ ନିବିଡ଼ ଭାବରେ ଭଲପାଇଛି ଏବଂ ତାହାର ଅତୀତ ଓ ବର୍ତ୍ତମାନକୁ ଗଭୀର ଭାବରେ ଅନୁଧ୍ୟାନ ଓ ଅନୁଶୀଳନ କରିଛି । ସମସ୍ତ ଓଡ଼ିଆ କହନ୍ତି ଯେ ଓଡ଼ିଶା ଖୁବ୍ ବଡ଼ ଥିଲା, କିନ୍ତୁ କେହି ଭାବନ୍ତି ନାହିଁ ଯେ ଓଡ଼ିଶା କାହିଁକି ଏଡ଼େ ସାନ ଓ ହୀନ ହୋଇଗଲା । ଏହାର ଦୁର୍ଦଶାର କାରଣ ନିର୍ଦ୍ଧାରଣ କରିବାକୁ ଯାଇ ଅନେକେ ପ୍ରତିବେଶୀମାନଙ୍କ ଉପରେ ହିଁ ଦୋଷ ଲଦନ୍ତି, ମୁଁ କିନ୍ତୁ ଏପରି କାରଣକୁ ଗ୍ରହଣ କରେ ନାହିଁ । ନିଜ ଘରକୁ ନିଜେ ସମ୍ଭାଳିବାର ଶକ୍ତି ଥିଲେ ତାହା ଭିତରେ ପ୍ରତିବେଶୀମାନେ ପ୍ରବେଶ କରିପାରନ୍ତି ନାହିଁ । ଓଡ଼ିଆମାନଙ୍କ ଧାର୍ମିକ ଓ ନୈତିକ ଅଧୋଗତି ଆସି ଯାଇଥିଲା, ଏଣୁ ଅନ୍ୟମାନେ ଯେଉଁ ଦିଗରୁ ଇଚ୍ଛା ସେହି ଦିଗରୁ ଓଡ଼ିଶାରେ ପ୍ରବେଶ କରିଥିଲେ । ଏ ଅନୁପ୍ରବେଶ ବ୍ରିଟିଶ ରାଜତ୍ୱର ବହୁ ପୂର୍ବରୁ ଘଟିଥିଲା । ୧୫୬୮ରୁ ୧୮୦୩ ପର୍ଯ୍ୟନ୍ତ ପଠାଣ, ମୋଗଲ ଓ ମରହଟ୍ଟାମାନେ ଓଡ଼ିଶାରେ ପ୍ରବେଶ କରି ରାଜତ୍ୱ କରିଗଲେ; କିନ୍ତୁ ଏହି ଦୀର୍ଘ ସମୟ ମଧ୍ୟରେ କୌଣସି ତୁଙ୍ଗ ଓଡ଼ିଆମାନଙ୍କ ନାମୋଲ୍ଲେଖ ପର୍ଯ୍ୟନ୍ତ ମିଳେ ନାହିଁ । ଏହି ସମୟର ଓଡ଼ିଆମାନଙ୍କ ସାହିତ୍ୟ ଅଛି, କିନ୍ତୁ ଇତିହାସ ନାହିଁ । ବ୍ରିଟିଶ ରାଜତ୍ୱ କାଳରେ ମଧ୍ୟ ଏହାର ପୁନରାବୃତ୍ତି ଘଟିଲା ।

 

ସ୍ଵାଧୀନ ଓଡ଼ିଆମାନଙ୍କ ଧାର୍ମିକ ଓ ନୈତିକଶକ୍ତି ଏବଂ ଭୌଗୋଳିକ ଜ୍ଞାନ ହିଁ ସେମାନଙ୍କୁ ବଡ଼ କରିଥିଲା । ୧୧୯୪ ଖ୍ରୀଷ୍ଟାବ୍ଦରେ ଉତ୍ତରପାଶ୍ୱବର୍ତ୍ତୀ ବଙ୍ଗ ଏବଂ ୧୩୦୯ ଖ୍ରୀଷ୍ଟାବ୍ଦରେ ଦକ୍ଷିଣପାଶ୍ୱବର୍ତ୍ତୀ ଆନ୍ଧ୍ର ଅଞ୍ଚଳ ମୁସଲମାନମାନଙ୍କ ଦ୍ଵାରା ଅଧିକୃତ ହେବା ପରେ ଓଡ଼ିଶା ମୁସଲମାନ ଅଧିକୃତ ଅଞ୍ଚଳମାନଙ୍କ ମଧ୍ୟରେ ଗୋଟିଏ ଦ୍ୱୀପ ପରି ରହି ୧୫୬୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିଜର ସ୍ଵାଧୀନତା ବଜାୟ ରଖିଥିଲା । ଏହି ଦୀର୍ଘ ଶତ ଶତ ବର୍ଷ ବ୍ୟବଧାନ ମଧ୍ୟରେ ଓଡ଼ିଆମାନେ ଉଭୟ ଦିଗରୁ ମୁସଲମାନ ଆକ୍ରମଣକୁ ଖାଲି ପ୍ରତିହତ ନ କରି ମୁସଲମାନ ଅଧିକୃତ ଅଞ୍ଚଳର ବହୁ ଅଂଶ ମଧ୍ୟ ଅଧିକାର କରି ବସିଥିଲେ । ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳଟା କେବେ ଓଡ଼ିଆଭାଷୀ ଅଞ୍ଚଳ ନ ଥିଲା କିମ୍ୱା ବର୍ତ୍ତମାନ ମଧ୍ୟ ନାହିଁ; କିନ୍ତୁ ଓଡ଼ିଶାର ଜନନାୟକମାନେ ଓଡ଼ିଶାର ସୀମା ଯେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ, ଏ ଧରଣା ଜନତା ମନରେ ପ୍ରବେଶ କରାଇଥିଲେ । ସେମାନେ ଅନୁଭବ କରିଥିଲେ ଯେ ଓଡ଼ିଆଭାଷୀ ଅଞ୍ଚଳକୁ ରକ୍ଷା କରିବାକୁ ହେଲେ ଉତ୍ତର ଓ ଦକ୍ଷିଣରୁ କେତେକ ଅଣଓଡ଼ିଆଭାଷୀ ଅଞ୍ଚଳକୁ ମଧ୍ୟ ଓଡ଼ିଶାର ଅଧୀନରେ ରଖିବାକୁ ହେବ । ଏହି ହେତୁ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ବୋଲି ଅଦ୍ୟାପି ଜନଶ୍ରୁତି ପ୍ରଚଳିତ ଅଛି । କପିଳେନ୍ଦ୍ରଙ୍କ ରାଜତ୍ୱ କାଳରେ ଏହି ସୀମା ଆହୁରି ବେଶି ବୃଦ୍ଧିପାଇ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଏ ଗଜପତିଙ୍କ ସମସାମୟିକ କବି ସାରଳାଦାସଙ୍କ ଭୌଗୋଳିକ ଜ୍ଞାନ ଅନୁଧ୍ୟାନ କଲେ ସ୍ତମ୍ଭିତ ହେବାକୁ ପଡ଼େ । ତଥାକଥିତ ପଣ୍ଡିତମାନେ ଅହମିକାଦୃପ୍ତ ହୋଇ ଓ ଈର୍ଷାପରବଶ ହୋଇ ସାରଳା ଦାସଙ୍କ କେତେକ ଭୌଗୋଳିକ ବିବରଣୀକୁ ବାଦ୍ କରିଦେଇ ସାରଳା ମହାଭାରତର ଯେଉଁ ‘‘ଶୁଦ୍ଧ’’ ସଂସ୍କରଣ ପ୍ରକାଶ କରିଛନ୍ତି, ସେଥିରେ ସୁଦ୍ଧା ଆଦିକବିଙ୍କ ଭୌଗୋଳିକ ଜ୍ଞାନର ଯାହା ଅବଶିଷ୍ଟ ଅଛି, ତାହା ମଧ୍ୟ ଭାରତକୁ ଚମତ୍କୃତ କରିବ ।

 

ଏଥିରୁ ଜଣାଯାଏ ଯେ ଅତୀତରେ ଓଡ଼ିଆମାନଙ୍କ ଭୌଗୋଳିକ ଦୃଷ୍ଟି ସୁହୂରପ୍ରସାରୀ ଥିଲା; କିନ୍ତୁ ଓଡ଼ିଶା ପରପଦାନତ ହେବା ପରେ ତାହା କ୍ରମେ ସଂଙ୍କୁଚିତ ହୋଇ ପଡ଼ିଲା । ଓଡ଼ିଆ କରଦରାଜା ଓ ଜମିଦାରମାନଙ୍କ ରାଜ୍ୟ ବା ଜମିଦାରୀଗୁଡ଼ିକ ଗୋଟିଏ ଗୋଟିଏ ପୃଥିବୀ ବୋଲି ବିବେଚିତ ହେଲା । ବ୍ରିଟିଶ୍‍, ରାଜତ୍ୱର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଶିକ୍ଷାୟତମାନଙ୍କ ଅଭାବ ଥିଲେ ହେଁ, ପ୍ରତିବେଶୀ ବଙ୍ଗ ଓ ମାନ୍ଦ୍ରାଜରେ ଏଗୁଡ଼ିକର ଅଭାବ ନ ଥିଲା; କିନ୍ତୁ କେତେଜଣ ଓଡ଼ିଆ ରାଜା ବା ଜମିଦାର ସୁଶିକ୍ଷିତ ହୋଇପାରିଥିଲେ ? ଓଡ଼ିଆ ପ୍ରଜାମାନେ ସିନା ଦରିଦ୍ର ହୋଇ ପଡ଼ିଲେ, ମାତ୍ର ସୁଶିକ୍ଷିତ ହୋଇ ଓଡ଼ିଶାର ନେତୃତ୍ୱ ନେବା ପାଇଁ ଓଡ଼ିଆରାଜା ଜମିଦାରମାନଙ୍କ ଅର୍ଥର ଅଭାବ ନ ଥିଲା । ଓଡ଼ିଆ ରାଜାପ୍ରଜା ସମସ୍ତେ ଅତୀତକୁ ଧରି ରହିଲେ । ନବଯୁଗର ନବ ଆହ୍ୱାନକୁ ଶୁଣିଲେ ନାହିଁ କିମ୍ବା ତାହାର ସୁଯୋଗ ଗ୍ରହଣ କଲେ ନାହିଁ । ପ୍ରତିବେଶୀ ଅଞ୍ଚଳମାନଙ୍କରେ ରାଜନ୍ୟବର୍ଗ ହିଁ ଧର୍ମ, ଶିକ୍ଷା, ସଂସ୍କୃତିର ନେତୃତ୍ୱ ନେଇଥିଲେ; କିନ୍ତୁ ଓଡ଼ିଶାରେ ଏପରି ନେତୃତ୍ୱର ଘୋର ଅଭାବ ଥିଲା । ଫଳରେ ଏହି ଅଜ୍ଞ ଜମିଦାରମାନଙ୍କ ଜମିଦାରୀଗୁଡ଼ିକୁ ଅଣଓଡ଼ିଆମାନେ କଳେବଳେକୌଶଳେ ଅଧିକାର କରି ନେଇଥିଲେ । ଓଡ଼ିଆ କରଦରାଜ୍ୟଗୁଡ଼ିକୁ ବ୍ରିଟିଶମାନେ ଘଣ୍ଡଘୋଡ଼ାଇ ରଖିବାରୁ ସେମାନେ ବଞ୍ଚିଗଲେ, ନଚେତ୍ ସେଗୁଡ଼ିକ ମଧ୍ୟ ଅଣଓଡ଼ିଆମାନଙ୍କ ଦ୍ଵାରା ଅଧିକୃତ ହୋଇଥାନ୍ତା ।

 

ଓଡ଼ିଶାର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଓଡ଼ିଆମାନେ କେବେ ମନୁଷ୍ୟକୁ ଦେବତା ରୁପରେ ପୂଜା କରୁଥିଲେ । ସେମାନେ କାଷ୍ଠପାଷାଣକୁ ହିଁ ଦେବତା ରୂପେ ପୁଜା କରୁଥିଲେ । ମାତ୍ର ଷୋଡ଼ଶ ଶତାବ୍ଦୀଠାରୁ ସେମାନେ ନରଦେବତାମାନଙ୍କ ପୂଜକ ହୋଇ ଉଠିଲେ-। ମନୁଷ୍ୟକୁ ଦେବତା ରୂପେ ପୂଜା କରିବାର ପ୍ରଥା ପ୍ରାଚୀନ ଭାରତରେ ମଧ୍ୟ ପ୍ରଚଳିତ ନ ଥିଲା । ମୁନିଋଷୀମାନେ ସମସ୍ତଙ୍କ ସମ୍ମାନର ପାତ୍ର ଥିଲେ, ମାତ୍ର ସେମାନେ ଦେବତା ରୂପେ ପୂଜିତ ହେଉ ନ ଥିଲେ । ମଧ୍ୟଯୁଗୀୟ ଶଙ୍କର, ରାମାନୁଜ, ରାମାନନ୍ଦ, ବଲ୍ଲଭାଚାର୍ଯ୍ୟ, କବୀର, ନାନକ, ଚୈତନ୍ୟ ମଧ୍ୟ ମନୁଷ୍ୟ ଥିଲେ ଏବଂ ଜୀବିତାବସ୍ଥାରେ ସେମାନେ କଦାପି ନିଜ ନିଜକୁ ଦେବତା ବୋଲି ଘୋଷଣା କରି ନ ଥିଲେ । ସେମାନେ ଆଚାର୍ଯ୍ୟ ବା ଗୁରୁ ଉପାଧିରେ ହିଁ ସନ୍ତୁଷ୍ଟ ହୋଇଥିଲେ; କିନ୍ତୁ ପରେ ଏହି ସନ୍ଥମାନଙ୍କ ମଧ୍ୟରୁ ଅନେକଙ୍କ ଶିଷ୍ୟପ୍ରଶିଷ୍ୟମାନେ ସେମାନଙ୍କ ଠାରେ ଦେବତ୍ୱ ଆରୋପ କଲେ ଓ ସେମାନଙ୍କ ସମ୍ବନ୍ଧରେ ବହୁ ଅତିଭୌତିକ ଗାଳଗଳ୍ପ ସୃଷ୍ଟି କଲେ । ଗ୍ରାମ୍ୟ ସ୍ତ୍ରୀମାନେ ବହୁଭୂଷଣରେ ଭାରାକ୍ରାନ୍ତ ହେବା ପରି ଏହି ଶିଷ୍ୟପ୍ରଶିଷ୍ୟମାନେ ବହୁ ଉପାଧିରେ ଭୂଷିତ ହେଲେ ଓ ବର୍ତ୍ତମାନ ମଧ୍ୟ ହେଉଛନ୍ତି । ସେମାନେ ଦେଖିପାରୁ ନାହାନ୍ତି ଯେ ଭାରତୀୟ ରଜାମହାରଜାମାନଙ୍କ ସହସ୍ର ସହସ୍ର ବର୍ଷର ପଦପଦବୀ ଘଣ୍ଟାକ ଭିତରେ ଚାଲିଗଲା । ଓଡ଼ିଶାର ଅତ୍ୟାଧୁନିକ ଯୁଗକୁ ନରଦେବତାମାନଙ୍କ ପୂଜାର ଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଫଟୋ ପୂଜା ଏହାର ପ୍ରଧାନ ବୈଶିଷ୍ଟ୍ୟ ।

 

ଅନୁଧ୍ୟାନ କଲେ ଜଣାଯାଏ ଯେ ରାଜା ରାମମୋହନ ରାୟ ହିଁ ଏକମାତ୍ର ସନ୍ଥ ଯେ କି ଦେବତ୍ୱକୁ ଉନ୍ନୀତ ହୋଇ ନାହାନ୍ତି । ସାଧୁ, ସନ୍ଥ, ଗୁରୁ, ଆଚାର୍ଯ୍ୟ, ପୁରୁଷୋତ୍ତମ ବା ଅବତାର ରୁପେ ସେ ନିଜକୁ ପ୍ରଚାର କରି ନ ଥିଲେ କିମ୍ବା ତାଙ୍କ ଶିଷ୍ୟମାନେ ମଧ୍ୟ ତାଙ୍କୁ ସେପରି ଭାବରେ ପ୍ରଚାର କରି ନ ଥିଲେ । ତାଙ୍କ ସମ୍ବନ୍ଧରେ କୌଣସି ଅତିଭୌତିକ ଗାଲଗଳ୍ପ ସୃଷ୍ଟି ହୋଇ ନାହିଁ । ଅଥଚ ରାମମୋହନଙ୍କ ଅସୀମ ପ୍ରଭାବ ଭାରତକୁ ମଧ୍ୟଯୁଗର ଅନ୍ଧକାରରୁ ଆଧୁନିକ ଯୁଗର ଆଲୋକକୁ ଟାଣିଆଣିଥିଲା । ସେ ଥିଲେ ପ୍ରାତ୍ୟ ଓ ପାଶ୍ଚାତ୍ୟ ଭାବଧାରାର ମଧ୍ୟବର୍ତ୍ତୀ ସେତୁ ଏବଂ ପ୍ରାଚୀନତା ଓ ଆଧୁନିକତାର ସୀମାରେଖା । ସେ ନୈଷ୍ଠିକତାର ନିଗଡ଼ ଉପରେ ନିଷ୍ଠୁର ଭାବରେ ଆଘାତ ଦେଇଥିଲେ । ଫଳରେ ତାହା ସଂପୂର୍ଣ୍ଣ ଛିନ୍ନ ହୋଇ ନ ଥିଲା, ମାତ୍ର ତାହା ଶିଥିଳ ହୋଇ ପରେ ଆପେ ଆପେ ଫିଟିଥିଲା ଏବଂ ବର୍ତ୍ତମାନ ସୁଦ୍ଧା ତାହା ଫିଟୁଛି । ରାମମୋହନ ଯେଉଁ ସମାଜସଂସ୍କାରଗୁଡ଼ିକର ପକ୍ଷପାତୀ ଥିଲେ, ହିନ୍ଦୁଧର୍ମ ସେଗୁଡ଼ିକ ମଧ୍ୟରୁ ସମସ୍ତକୁ ଗ୍ରହଣ କରିନେଇଛି । ସେ ଯେଉଁ ଏକେଶ୍ୱରବାଦ ପ୍ରଚାର କରିଥିଲେ, ତାହା ଦ୍ୱାରା କୋଟି କୋଟି ହିନ୍ଦୁ ପ୍ରଭାବିତ ହୋଇଛନ୍ତି । ତାଙ୍କର ପାବନସ୍ପର୍ଶ ବଙ୍ଗର ବହୁ ବ୍ୟକ୍ତିଙ୍କୁ ମହାମନୀଷୀ କରଛି । ଏମାନଙ୍କ ମଧ୍ୟରେ ବିଶ୍ୱକବି ରବୀନ୍ଦ୍ର ନାଥ ସର୍ବଶ୍ରେଷ୍ଠ । ଓଡ଼ିଶାରେ ତାଙ୍କ ଚିନ୍ତାଧାରାର ସ୍ପର୍ଶ ଯେଉଁମାନଙ୍କ ଉପରେ ବାଜିଥିଲା, ସେମାନେ ଓଡ଼ିଶାର ଚିନ୍ତାରାଜ୍ୟରେ ଅଗ୍ରଣୀ ହୋଇଥିଲେ । ପ୍ୟାରୀମୋହନ ଆଚାର୍ଯ୍ୟ, ମହାରାଜା ଶ୍ରୀରମଚନ୍ଦ୍ର ଭଞ୍ଜଦେଓ, ମଧୁସୂଦନ ରାଓ, ବିଶ୍ୱନାଥ କର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରଭୃତି ବ୍ରାହ୍ମଧର୍ମୀ ଥିଲେ । ଏମାନଙ୍କ ଛଡ଼ା ଏହି ସମୟରେ ଫକୀରମୋହନ ସେନାପତି, ରାଧାନାଥ ରାୟ, ଜଳନ୍ଧର ଦେବ ପ୍ରଭୃତି ଯେଉଁମାନେ ସ୍ୱାଧୀନଚିନ୍ତା ଓ ସମାଜସଂସ୍କାରର ପକ୍ଷପାତୀ ଥିଲେ, ସେମାନେ ବ୍ରାହ୍ମଭାବାପନ୍ନ ହୋଇଥିଲେ । ଓଡ଼ିଶାରେ ନୂତନଯୁଗ ସୃଷ୍ଟି କରିବାରେ ବ୍ରାହ୍ମମାନଙ୍କ ଭାଗ କମ୍ ନୁହେଁ । ଭାରତରେ ବ୍ରାହ୍ମମାନଙ୍କ ସଂଖ୍ୟା ବର୍ତ୍ତମାନ ମୁଷ୍ଟିମେୟ; ମାତ୍ର ଭାରତର ପ୍ରାୟ ସମସ୍ତ ଉଚ୍ଚଶିକ୍ଷିତ ହିନ୍ଦୁ ବ୍ରାହ୍ମଭାବାପନ୍ନ ହୋଇଛନ୍ତି । ମନୁଷ୍ୟ ରାମମୋହନ ରାୟଙ୍କ ପ୍ରଭାବ ଏହିପରି ସୁଦୂରପ୍ରସାରୀ ହୋଇଛି । କଲିକତା ମହାନଗରୀର ଅଭ୍ୟୁଦୟ ଓ ରାଜା ରାମମୋହନ ରାୟଙ୍କ ଆବିର୍ଭାବ ବଙ୍ଗର ଇତିହାସକୁ ବଦଳାଇ ଦେଇଛି ।

 

ଆଜି ଓଡ଼ିଶାରେ ଯେଉଁ ନବ ଧର୍ମସଂପ୍ରଦାୟମାନଙ୍କ ପ୍ରବଳ ପ୍ରଚାର ଚାଲିଛି, ସେମାନଙ୍କଠାରୁ ନବାଲୋକ ପାଇ ଓଡ଼ିଶାର କୌଣସି ବ୍ୟକ୍ତି ଚିନ୍ତାରାଜ୍ୟରେ ଅଗ୍ରଣୀ ହୋଇଥିବା ଦୃଷ୍ଟାନ୍ତ ମୁଁ ଜାଣେ ନାହିଁ । ଅନୁଗାମୀଦଳ ସମ୍ପ୍ରଦାୟମାନଙ୍କ ମଧ୍ୟରେ ହିଁ ହାତ ଗୋଡ଼ ବାନ୍ଧି ରହିଛନ୍ତି-। ଏମାନଙ୍କ ସଂଖ୍ୟାତ୍ମକ ଦିଗଟା ସମସ୍ତଙ୍କ ଦୃଷ୍ଟିରେ ପଡ଼େ, କିନ୍ତୁ ଗୁଣାତ୍ମକ ଦିଗର ସନ୍ଧାନ ମିଳେ ନାହିଁ । ଅନୁଗାମୀମାନଙ୍କ ସଂଖ୍ୟା ବୃଦ୍ଧି ଓ ଆନୁଷ୍ଠାନିକ ଶୃଙ୍ଖଳାରକ୍ଷା ହିଁ ନବସଂପ୍ରଦାୟମାନଙ୍କ ପ୍ରଧାନ ଲକ୍ଷ୍ୟ ହୋଇଛି । ଏମାନେ ଓଡ଼ିଆମାନଙ୍କୁ ଅଗ୍ରଗାମୀ କରିନାହାନ୍ତି କିମ୍ବା କରୁନାହାନ୍ତି । ଓଡ଼ିଆମାନେ ଅତିଭୌତିକତାର ବିଶ୍ୱାସୀ ହୋଇ ଏମାନଙ୍କ ଦ୍ୱାରା ବରଞ୍ଚ ପଛକୁ ଚାଲୁଛନ୍ତି । ଏଣେ ଓଡ଼ିଶାର ପ୍ରଧାନ ଧର୍ମକ୍ଷେତ୍ର ଜଗନ୍ନାଥଧାମର ବିଶେଷତ୍ୱ କାଳ ହରଣ କରି ନେଇ ସାରିଲାଣି । ଜଗନ୍ନାଥ ଥିଲେ ଓଡ଼ିଆମାନଙ୍କ ରାଜା ଏବଂ ରାଜଶକ୍ତି ତାଙ୍କରି ହାତରେ ହିଁ ଥିଲା । ଗଜପତିମାନେ ଥିଲେ ଜଗନ୍ନାଥଙ୍କ ପ୍ରତିନିଧି । ଓଡ଼ିଶାର ସେନା ଥିଲା ଜଗନ୍ନାଥଙ୍କ ସେନା । ଜଗନ୍ନାଥଙ୍କ ଜୟଗାନ କରି ହିଁ ଓଡ଼ିଶାର ସେନା ଦୂର୍ଜୟ ହୋଇଥିଲା ଏବଂ ପ୍ରତିବେଶୀ ବଙ୍ଗ ୧୧୯୪ ଖ୍ରୀଷ୍ଟାବ୍ଦରେ ମୁସଲମାନମାନଙ୍କ ଦ୍ଵାରା ଅଧିକୃତ ହେବା ପରେ ୩୭୪ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ସ୍ୱାଧୀନତା ରକ୍ଷା କରିଥିଲା । ଆଜି ଜଗନ୍ନାଥ ଓଡ଼ିଶାର ରାଜା ନୁହନ୍ତି କିମ୍ୱା ତାଙ୍କର ସେନା ନାହିଁ । ଏଣୁ ତାଙ୍କର ପ୍ରଧାନ କାମର ପରିସମାପ୍ତି ଘଟିଛି । ଜଗନ୍ନାଥଧାମର ଯେଉଁ ଉଦାରତା ଥିଲା, ତାହା ମଧ୍ୟ କାଳ ହରଣ କରି ନେଇ ସାରିଲାଣି । ଶ୍ରୀମନ୍ଦିର ବେଢ଼ାରେ ସମସ୍ତେ ଜାତି ଏକ ସଙ୍ଗରେ ବସି ଅନ୍ନପ୍ରସାଦ ଭୋଜନ କରନ୍ତି । ଯେତେବେଳେ ଜାତିଭେଦ ଅତି ଉତ୍କଟ ଥିଲା, ସେତେବେଳେ ଏହି ଉଦାରତା ବୋଲି ବିବେଚିତ ହେଉଥିଲେ ହେଁ, ବର୍ତ୍ତମାନର ପରିପ୍ରେକ୍ଷୀରେ ଏହା ଉଦାରତା ହୋଇ ରହିନାହିଁ । ଆଜି ଟ୍ରେନ୍‍, ବସ୍, ଏରୋପ୍ଲେନ, ହୋଟେଲ, ଏପରିକି ସହରଗ୍ରାମମାନଙ୍କର ବିବାହାଦି ଉତ୍ସବରେ ସୁଦ୍ଧା ସମସ୍ତ ଜାତି ଏକ ସଙ୍ଗରେ ଭୋଜନ କରୁଛନ୍ତି । ଏଣୁ ଜଗନ୍ନାଥ ମନ୍ଦିରରେ ସର୍ବଜାତିର ଏକତ୍ର ଭୋଜନରେ ଆଜି କୌଣସି ଅଭିନବତ୍ୱ ବା ବିଶେଷତ୍ୱ ନାହିଁ ।

 

ଜଗନ୍ନାଥଧାମରେ ଅଭିନବତ୍ୱ ଓ ବିଶେଷତ୍ୱ ସୃଷ୍ଟ କରିବାର ସୁଯୋଗ ଏ ଧର୍ମ କ୍ଷେତ୍ରରେ ସଂରକ୍ଷକମାନେ ଛାଡ଼ିଛନ୍ତି ଓ ବର୍ତ୍ତମାନ ସୁଦ୍ଧା ଛାଡ଼ୁଛନ୍ତି । ଶ୍ରୀଜଗନ୍ନାଥଙ୍କୁ ପତିତପାବନ ବୋଲି କୁହାଯାଏ, କିନ୍ତୁ ତାଙ୍କ ମନ୍ଦିରରେ ଆଦିବାସୀ ଓ ହରିଜନମାନଙ୍କ ପ୍ରବେଶର ଅଧିକାର ନାହଁ-। ସେମାନଙ୍କୁ ଜଗନ୍ନାଥଧର୍ମର ପରିଧିକୁ ଟାଣି ଆଣିଥିଲେ ଜଗନ୍ନାଥଧାମର ପ୍ରକୃତ ଉଦାରତା ଜଣାଯାଇଥାନ୍ତା ଏବଂ ଶ୍ରୀଜଗନ୍ନାଥ ପ୍ରକୃତ ପତିତପାବନ ହୋଇଥାନ୍ତେ । କିନ୍ତୁ ରକ୍ଷଣଶୀଳମାନେ ତାହା କରିବାକୁ ଦେଉ ନାହାନ୍ତି । ଭାରତର ଅନ୍ୟ ମନ୍ଦିରମାନଙ୍କରେ ଯାହା ନ ଥିଲା, ଜଗନ୍ନାଥ ମନ୍ଦିରରେ ତାହା ଥିଲା । ଏହି ହେତୁ ହିଁ ତାହା ଭାରତର ପ୍ରଧାନ ଧର୍ମକ୍ଷେତ୍ର ହୋଇଥିଲା । ବର୍ତ୍ତମାନ ଭାରତର ଅନ୍ୟ ମନ୍ଦିରମାନଙ୍କରେ ଯାହା ନାହିଁ, ତାହା ଜଗନ୍ନାଥମନ୍ଦିରରେ ପ୍ରଚଳନ କଲେ ହିଁ ଏ ଧାମର ମହାତ୍ମ୍ୟ ବଢ଼ିବ । ଶ୍ରୀମନ୍ଦିରକୁ କାଳୋଚିତ କରିବା ପାଇଁ ସମୟ ଓ ସୁଯୋଗ ଆସିଛି ଓ ଆସୁଛି, ଏମାନଙ୍କୁ ଗ୍ରହଣ ନ କଲେ, ଶ୍ରୀମନ୍ଦିର ବିଶେଷତ୍ୱ ହରାଇ ବସିବ ।

 

ସବୁ ଯାଇ ସୁଦ୍ଧା ଓଡ଼ିଶାର ଧର୍ମଧାରଣାର ଯେଉଁ ବିଶେଷତ୍ୱ ଅଛି, ତାକୁ ବଜାୟ ରଖିବାର ସମୟ ଆସିଛି । ଓଡ଼ିଶାରେ ଜାତିଭେଦ ଥିଲା; କିନ୍ତୁ ଜାତି-ବିବାଦ ନ ଥିଲା । ଏ ରାଜ୍ୟର ବ୍ରାହ୍ମଣ ଠାକୁର ବା ଦେବତା ନୁହନ୍ତି; ସେ ହେଉଛିନ୍ତି ‘ନନା’ ବା ଗୋସାଇଁ । ଉଭୟ ଶବ୍ଦ ସମ୍ମାନସୂଚକ ସମ୍ବୋଧନ; କିନ୍ତୁ ଦେବତ୍ୱର ପରିଚାୟକ ନୁହେଁ । ଓଡ଼ିଆ ବ୍ରାହ୍ମଣ କେବେ ନିଜକୁ ଦେବତା ବୋଲି ମନେକରୁ ନ ଥିଲେ କିମ୍ବା ଅନ୍ୟ ଜାତିମାନଙ୍କ ପ୍ରଭୁ ନ ଥିଲେ । ସେ ଥିଲେ ସର୍ବଜାତିର ଶୁଭେଚ୍ଛୁ । ଜାତି-ଜାତି ମଧରେ ଅବା ସୌହାର୍ଦ୍ଦ୍ୟ ହେତୁ ଓ ଜଗନ୍ନାଥଧର୍ମର ଉଦାର ପ୍ରଭାବ ହେତୁ ହିଁ ଏ ରାଜ୍ୟରେ ମୁସଲମାନ ସଂଖ୍ୟା ବୃଦ୍ଧି ପାଇ ନ ଥିଲା । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଏ ରାଜ୍ୟର ମୁସଲମାନ ସଂଖ୍ୟା ସର୍ବନିମ୍ନ ହୋଇ ରହିଛି । ଏ ରାଜ୍ୟରେ ଅନ୍ୟ ଧର୍ମୀମାନଙ୍କୁ ଘୃଣା କରାଯାଉ ନ ଥିଲା । ହିନ୍ଦୁ ଓ ଅନ୍ୟ ଧର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଓଡ଼ିଶାର ପ୍ରାଚୀନ ଓ ଆଧୁନିକ ଇତିହାସରେ ବିରଳ । ପ୍ରତିବେଶୀ ବଙ୍ଗରେ ପ୍ରଚଳିତ କୁଳୀନ ପ୍ରଥା ଅନୁସାରେ ଜଣେ କୁଳୀନ ବ୍ରାହ୍ମଣ ଅତି ବୃଦ୍ଧକାଳ ପର୍ଯ୍ୟନ୍ତ ଶତ ଶତ କନ୍ୟାକୁ ବିବାହ କରି ସେମାନଙ୍କୁ ସେମାନଙ୍କ ପିତୃଗୃହରେ ହିଁ ରଖୁଥିଲେ । ବଙ୍ଗୀୟ କାୟସ୍ଥମାନଙ୍କ ମଧ୍ୟରେ ମଧ୍ୟ କୁଳୀନ ପ୍ରଥା ପ୍ରଚଳିତ ଥିଲା । ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କୁ ରୂପାନ୍ତର କରାଯାଇ କୁଳୀନ ମତାନୁଯାୟୀ ତାଙ୍କୁ ସହସ୍ର ସହସ୍ର ଯୁବତୀର ପ୍ରେମିକ କରାଯାଇଥିଲା । ଓଡ଼ିଶାରେ କୁଳୀନପ୍ରଥା ପରି କୁପ୍ରଥା କୌଣସିକାଳେ ପ୍ରଚଳିତ ନ ଥିଲା । ଓଡ଼ିଆ ବ୍ରାହ୍ମଣ ମନୁଷ୍ୟ; ଏଣୁ ସେ ଦେବତାର ଆସନ ଗ୍ରହଣ କରି ଶତ ଶତ ଯୁବତୀଙ୍କ ଜୀବନ ନଷ୍ଟ କରୁ ନ ଥିଲେ ।

 

ଓଡ଼ିଶାରେ ଦେବପୁଜା ଅନେକାଂଶରେ ନିଷ୍କାମ ଥିଲା । ଜଗନ୍ନାଥ ମନ୍ଦିରରେ ଏହି ନିଷ୍କାମ ପୂଜା ହିଁ ପ୍ରଚଳିତ ଥିଲା । ସେବକମାନଙ୍କୁ ଧରି ଜଗନ୍ନାଥଙ୍କୁ କେହି କିଛି ମାଗିବା ବା ‘‘ମାନସିକ’’ କରିବାର ପ୍ରଥା ଏ ମନ୍ଦିରରେ ପୂର୍ବେ ନ ଥିଲା କିମ୍ୱା ବର୍ତ୍ତମାନ ମଧ୍ୟ ନାହିଁ । ସେ ହେଉଛନ୍ତି ଜଗତର ନାଥ, ତାଙ୍କ ଲୋମକୂପରେ ମାଳ ମାଳ ହୋଇ ବ୍ରହ୍ମାଣ୍ଡମାନ ରହିଛି, ତାଙ୍କୁ ମନୁଷ୍ୟର ପୂଜା କରିବାର କଥା; ଏଣୁ ତାଙ୍କୁ ପୂଜା କରାଯାଏ । ଭକ୍ତ ତାଙ୍କୁ କିଛି ମାଗେ ନାହିଁ ଏବଂ ସେଥିପାଇଁ ଗାଏ–

 

‘‘ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ,

ଧନ ମାଗୁ ନାହଁ, ଜନ ମାଗୁ ନାହଁ, ମାଗୁଛି ଶରଧାବାଲିରୁ ହାତେ ।”

 

ଓଡ଼ିଶାର ଏହି ଉଚ୍ଚ ଧର୍ମଧାରଣା ବଦଳି ଯାଉଛି । ଉଚ୍ଚଶିକ୍ଷିତ ଓଡ଼ିଆମାନେ ସୁଦ୍ଧା ! “ଧନଂ ଦେହି, ଯଶୋଦେହି’ ପୁତ୍ରଂଦେହି’’ କହି ମାନବଦେବତାମାନଙ୍କ ଶରଣାପନ୍ନ ହେଉଛନ୍ତି । କାକତାଳିକରୀତିରେ ସେମାନଙ୍କ ମଧ୍ୟରୁ କାହାରି କାହାରି କାମନାସିଦ୍ଧି ହେଉଛି ଏବଂ ମାନବଦେବତାମାନଙ୍କ ମହାତ୍ମ୍ୟ ବଢ଼ିଚାଲିଛି । ଦୁଃଖୀମାନବମାନଙ୍କ ଦୁଃଖକୁ ଧର୍ମ ସହିତ ସଂଶ୍ଲିଷ୍ଟ କରିବା ସତ୍‍ଧର୍ମର ଲକ୍ଷଣ ନୁହେଁ । ଯେଉଁ ମନୁଷ୍ୟମାନେ ନିଜକୁ ଦେବତା ମନେ କରି ଦେବତାରୂପେ ମନୁଷ୍ୟର ପୂଜାକୁ ନିର୍ବିକାରରେ ଗ୍ରହଣ କରିପାରନ୍ତି, କିମ୍ୱା ଯେଉଁମାନଙ୍କ ଶିଷ୍ୟପ୍ରଶିଷ୍ୟମାନେ ସେମାନଙ୍କ ସମ୍ବନ୍ଧରେ ଅତିଭୌତିକ ଗଳ୍ପମାନ ସୃଷ୍ଟି କରିପାରନ୍ତି, ସେମାନେ ହିଁ କାଳକ୍ରମେ ନରଦେବତା ପାଲଟି ଯାଆନ୍ତି । ଅନ୍ୟଥା ପୃଥିବୀଟା କେବଳ ମାନବମାନଙ୍କର ହିଁ ବାସଭୂମି । ଜଗନ୍ନାଥ ମାନବ-ଦେବତା ନୁହନ୍ତି । ସେ ଖଣ୍ଡଏ କାଷ୍ଠ, ଗୋଟିଏ ସଙ୍କେତ ଏବଂ ନର ଓ ଦେବତା ମଧ୍ୟରେ ସଂଯୋଗର ଗୋଟିଏ ମାଧ୍ୟମ । ତାଙ୍କୁ ଏକ ବା ବହୁ ଦେବତା ଭାବରେ ଧ୍ୟାନ କରାଯାଇପାରେ । ସେ ନିରଞ୍ଜନ ଓ ପୁରୁଷୋତ୍ତମ, କୌଣସି ମନୁଷ୍ୟ ନିରଞ୍ଜନ ବା ପୁରୁଷୋତ୍ତମ ହୋଇ ନ ପାରନ୍ତି । ପୃଥିବୀର ସମସ୍ତ ଧର୍ମ ଯଦି କେବେ ଲୋପ ପାଏ, ତେବେ ସୁଦ୍ଧା ଜଗନ୍ନାଥ ରହିଥିବେ । ଏହି ବିଶ୍ୱବ୍ରହ୍ମାଣ୍ଡର ଅଗଣିତ କୋଟି ସୂର୍ଯ୍ୟଚନ୍ଦ୍ରଗ୍ରହତାରାର ଗତିପଥର କେହି ତ ନିୟାମକ ହୋଇ ରହିବେ, ସେହି ‘‘କେହି’’ ହିଁ ଶ୍ରୀ ଜଗନ୍ନାଥ ।

 

ସମୟ ଗଡ଼ିଚାଲିଛି, ଶେଷକ୍ରୋଶ ଶେଷ ହେଉ ନାହିଁ, କିନ୍ତୁ ମୁଁ ଯେ ଉତ୍କଳୀୟ ମହାନ୍ ଧର୍ମଧାରାର ଜଣେ ଦାୟାଦ, ଏ କଥା ମୁଁ କେବେ ଭୁଲି ନାହିଁ । ଭୂଭାରତ ଭ୍ରମି ଭ୍ରମି ଆସିଛି; ମାତ୍ର ଭାରତ ଦେଖିଥିଲେ ହେଁ ବେଶ ପ୍ରକୃତ ଭାରତୀୟକୁ ଦେଖି ନାହିଁ । ଓଡ଼ିଶା ବାହାରେ ଚଉଦ ବର୍ଷ ରହଣିକାଳରେ ଦେଖିଲି ଯେ ଏ ପୂଣ୍ୟଭୁମିର ଦାୟାଦମାନେ ଭାଷା ଓ ଧର୍ମଭେଦରେ ଦଳବଦ୍ଧ ହୋଇ ସାରିଛନ୍ତି । ସରକାରୀ କର୍ମରେ ଏହି ଭେଦରେ ମଲ୍ଲୀ ଠାରୁ କିରାନୀ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ଦଳରେ ପରିଣତ ହୋଇ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ମୋର ଦଳ ନ ଥିଲା କିମ୍ୱା ମୋର ଧର୍ମଧାରଣା ଓ ସ୍ୱାଧୀନଚିନ୍ତା ମୋତେ କୌଣସି ଦଳ ଭିତରେ ବାନ୍ଧି ରଖିପାରି ନ ଥିଲା । ମୋର ଯେଉଁ ଶତ ଶତ ସହକର୍ମୀ ଜୀବିତ ଅଛନ୍ତି, ସେମାନେ ସାକ୍ଷ୍ୟଦେବେ ଯେ ମୁଁ ଜାତି ଧର୍ମ ଓ ଭାଷାର ଉର୍ଦ୍ଧ୍ୱରେ ଜଣେ ଭାରତୀୟ ଭାବରେ ମୋର ରାଜକାର୍ଯ୍ୟ ସମ୍ପାଦନ କରୁଥିଲି । ବୋଧହୁଏ ଏହି ହେତୁ ମୁଁ ଭାରତସରକାରଙ୍କ ଚାକିରିରେ ରହିପାରିଲି ନାହିଁ । ପୂର୍ବେ ଓଡ଼ିଶା ଦେଇପାରୁଥିବାରୁ ବଡ଼ ହୋଇ ପାରିଥିଲା, ବର୍ତ୍ତମାନ କେବଳ ଆଣୁଥିବାରୁ ଛୋଟ ହୋଇଯାଉଛି । ସଂସ୍କୃତି ଆଦାନ ପ୍ରଦାନ ଭିତ୍ତିରେ ହିଁ ଗଢ଼ିଉଠେ । କେବଳ ଆଦାନଭିତ୍ତିକ ସଂସ୍କୃତ ଭିକ୍ଷୁକର ସଂସ୍କୃତି; ଏଥିରେ ଆତ୍ମସମ୍ମାନର ସ୍ଥାନ ନ ଥାଏ । ଏପରି ସଂସ୍କୃତ କୌଣସି ଜାତି ବା ଦେଶକୁ ବଡ଼ କରିପାରେ ନାହଁ । ଧର୍ମ ଓ ଜ୍ଞାନ ପରି ସମସ୍ତ ବଡ଼ ବଡ଼ କ୍ଷେତ୍ରରେ ଉତ୍କଳର ଆଧୁନିକ ସଂସ୍କୃତି କେବଳ ଆଦାନଭିତ୍ତିକ ହୋଇଛି | ଏହା ଅନୁଧ୍ୟାନ କରି ମୁଁ ଗଭୀର ଭାବରେ ବ୍ୟଥିତ ହୁଏ । ମୁଁ ମରିଗଲାବେଳେ ହୁଏ ତ ମନେ ମନେ ଗାଇ ଗାଇ ମରିବି

 

ଚତୁର୍ବଗ ଯାହାର, ଚରଣେ ପରିଚାର, ଚଞ୍ଚଳା ଯାର ଆଜ୍ଞକାରୀ,

ଚାହିଁ ଯାହା ଶ୍ରୀମୁଖ, ଚ୍ୟୁତ ଦୁରିତ ଦୁଃଖ, ସେ ପ୍ରଭୁ ଭୃତ୍ୟ ହିଁ ଭିକାରୀ,

ହେ ମହାପ୍ରଭୁ ।

ଚତୁର୍ଦ୍ଦଶ ଭୁବନ ପ୍ରାଣୀ, ଚକିତ ହେବେ ଏହା ଶୁଣି ।

ଚିତ୍ର ନୁହେ କି ଏହୁ, କଥା ହେ ମହାବାହୁ,

ନୀଳଶଇଳ ଚୂଡ଼ାମଣି ।

Image

 

Unknown

ପରିଶିଷ୍ଟ

 

ଏ ଗ୍ରନ୍ଥଟି ଲେଖିବାର ଉଦ୍ଦେଶ୍ୟ ମୂଳରେ କୁହାଯାଇଛି ଏବଂ ସେହି ଉଦ୍ଦେଶ୍ୟ ସର୍ବତ୍ର ଅନୁସୃତ ହୋଇଛି । ଏ ପୁସ୍ତକର ଯେଉଁ କେତୋଟି ପରିଚ୍ଛେଦ ଝଙ୍କାରରେ ପ୍ରକାଶିତ ହୋଇଥିଲା, ସେଥିରୁ ଯେଉଁପ୍ରକାର ପ୍ରତିକ୍ରିୟା ବାହାରିଲା, ତାହା ଲକ୍ଷ୍ୟ କରିବାର ସୁଯୋଗ ମୋତେ ମିଳିଥିଲା । ଓଡ଼ିଶାର ସର୍ବାଞ୍ଚଳର ବହୁ ବିଶିଷ୍ଟ କୃତବିଦ୍ୟ ବୁଦ୍ଧିଜୀବୀ ମୋତେ ସମର୍ଥନ କରି ଓ ଅଭିନନ୍ଦନ ଜଣାଇ ମୋ ପାଖରୁ ପତ୍ର ପଠାଇଥିଲେ । ପ୍ରତ୍ରସଂଖ୍ୟା ଏତେ ବେଶି ହେଲା ଯେ, ସମସ୍ତର ଉତ୍ତର ଦେବା ସମ୍ଭବପର ହେଲା ନାହିଁ । କେବଳ ପାରଳାଖେମୁଣ୍ଡିରୁ ଗୋଟିଏ ପତ୍ର ପାଇଥିଲି , ଯେଉଁଥିରେ କି ମୋ ପ୍ରତି ସମର୍ଥନ ନ ଥିଲା; କିନ୍ତୁ ଏହା ଏକ ଭାବପ୍ରବଣ ଲେଖା । ମୋ ଲେଖାଗୁଡ଼ିକ ତଥ୍ୟସମ୍ୱଳିତ ହୋଇଥାଏ । ସେଥିରେ ଯଦି କୌଣସି କୌଣସି ସ୍ଥାନରେ ମୋର ମତ ଥାଏ, ତେବେ ତାହା ଅତି ସାମାନ୍ୟ ଭାବରେ ଥାଏ । ମୋର ତଥ୍ୟଗୁଡ଼ିକ ପ୍ରତି ସମର୍ଥନ ମିଳୁଥିବାରୁ ମୋର ଲେଖାର ସାର୍ଥକତା ଅଛି ବୋଲି ମୁଁ ଅନୁଭବ କରେ ।

 

ମୁଁ କୌଣସି ସ୍ଵାର୍ଥସାଧନ ପାଇଁ ଏ ପୁସ୍ତକ ଲେଖି ନାହିଁ କିମ୍ବା ଅନ୍ୟ କୌଣସି ପୁସ୍ତକ ବା ପ୍ରବନ୍ଧ ଲେଖି ନାହିଁ । ମୁଁ ବିଶାଳ ପରିବେଶ ମଧ୍ୟରେ ଗୋଟିଏ କ୍ଷୁଦ୍ର ଜୀବ । ପରିବେଶର ପ୍ରତିକ୍ରିୟା ସ୍ୱରୁପ ମୋ ହୃଦୟରେ ଯେଉଁ ଭାବ ଜାତ ହୁଏ, ତାହାକୁ ହିଁ ମୁଁ ମୋର ପୁସ୍ତକପ୍ରବନ୍ଧାଦିରେ ପ୍ରକାଶ କରିଥାଏ । ମୁଁ ଭାରତମାତା ତଥା ଉତ୍କଳମାତାର ଜଣେ ଦୀନ ସନ୍ତାନ । ପୁତ୍ର ଦୀନ ହେଲେ ହେଁ ମାତାଙ୍କ ପ୍ରତି ଯେ ତାହାର କର୍ତ୍ତବ୍ୟ ଅଛି, ଏ କଥା ମୁଁ ଅନୁଭବ କରେ ଏବଂ ସେଥିପାଇଁ ଲେଖେ । ମୁଁ ମୋର ସଂସ୍କୃତି-ପ୍ରୀତିକୁ ପଣ୍ୟ କରି ସେଥିରୁ କୌଣସି ସମୟରେ ଲାଭ ମାରିନେଇ ନାହିଁ । ଏହା ମୁହଁର କଥା ବୋଲି ଅନେକେ ଉପହାସ କରିବେ, ଏଣୁ କେତୋଟି ଉଦାହରଣ ଦେଉଛି ।

 

ମୋର Archaeological Remains at Bhubaneswar ନାମକ ପୁସ୍ତକ ପ୍ରକାଶ କରିବାକୁ ମୁଁ ଓଡ଼ିଶା ସରକାରଙ୍କ ଠାରୁ ଏଗାର ହଜାର, ତିନଶହ, ତିନି ଟଙ୍କା କରଜ ନେଇ ବଣ୍ଡ୍‍ ଲେଖି ଦେଇଥିଲି । ପୁପ୍ତକ ଛାପା ହେବା ସଙ୍ଗେ ସଙ୍ଗେ ମୁଁ ଏ ଟଙ୍କା ବାବିଦ୍‍, ୪୬୬ ଖଣ୍ଡ ବହି ସରକାରଙ୍କୁ ଦେଲି । ସରକାର ସେଗୁଡ଼ିକୁ ଓଡ଼ିଶା ମିଉଜିୟମ୍‍ରେ ରଖି ବିକ୍ରୀ କଲେ । ପୁସ୍ତକଗୁଡ଼ିକ ନିଃଶେଷ ହେଲା ଏବଂ ସରକାର ସମସ୍ତ ଟଙ୍କା ପରିଶୋଧ ପାଇଲେ । ମୁଁ ତାଙ୍କଠାରୁ ସାହାଯ୍ୟ ସ୍ୱରୂପ ଟଙ୍କାଟିଏ ସୁଦ୍ଧା ପାଇ ନାହିଁ । ବାକି ଯେଉଁ ପ୍ରାୟ ପାଞ୍ଚଶ କପି ରହିଲା, ସେଥିରୁ ଶତକରା ଟ୧୫ଙ୍କା ହାରରେ ରୟେଲ୍‍ଟି ପାଇଲି, କିନ୍ତୁ ପୁସ୍ତକଟିର ଫଟୋ ଇତ୍ୟାଦି ସଂଗ୍ରହ କରିବା ପାଇଁ ମୋତେ ବହୁ ବ୍ୟୟ କରିବାକୁ ପଡ଼ିଥିଲା । ଅତଏବ ମୋର ମୋଟ ଆୟ ଅତି ସାମାନ୍ୟ ହେଲା । ଓଡ଼ିଶା ସରକାରଙ୍କ ଠାରୁ ଟଙ୍କା ନେଇ ଯେଉଁମନେ ପୁସ୍ତକ ପ୍ରକାଶ କରିଛନ୍ତି, ସେମାନେ କିପରି ଲାଭବାନ୍ ହୋଇଛନ୍ତି, ତାହା ସମସ୍ତେ ଅନୁସନ୍ଧାନ କରି ଦେଖନ୍ତୁ ।

 

ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ଞାନ-ବିଜ୍ଞାନ ପରିଷଦରୁ ମୁଁ ଟ୬୦୦ଙ୍କା ସାହାଯ୍ୟ ପାଇଥିଲି ଏବଂ ଟଙ୍କା ବଦଳରେ ପରିଷଦକୁ “ଇତିହାସ ଓ କିମ୍ବଦନ୍ତୀ” ନାମକ ପୁସ୍ତକ ଦେଇଥିଲି । ଏଥିରେ ଯେଉଁ ଚାଳିଶ ଖଣ୍ଡ ଫଟୋ ରହିଛି, ସେଥିପାଇଁ ଏବଂ ବିଭିନ୍ନ ସ୍ଥାନକୁ ଯିବା ଆସିବାରେ ମୋର ଖର୍ଚ୍ଚ ପାଇଁ ମୁଁ ଏହି ଟଙ୍କା ବ୍ୟୟ କରିଥିଲି । ମୁଁ ଏ ପୁସ୍ତକରେ ଯେଉଁ ପ୍ରବନ୍ଧମାନ ପ୍ରକାଶ କରିଛି, ଗବେଷଣାର ପ୍ରତିଷ୍ଠିତ ନୀତି ଅନୁସାରେ ସେଗୁଡ଼ିକୁ ପ୍ରଥମେ ପତ୍ରପତ୍ରିକାରେ ପ୍ରକାଶ କରିଥିଲି । ସେଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରତିକୂଳ ଆଲୋଚନା ନ ହେବାରୁ ମୁଁ ସେଗୁଡ଼ିକୁ ଅବିକଳ ଏ ପୁସ୍ତକରେ ସ୍ଥାନ ଦେଇଛି । ଏ ପୁସ୍ତକଟି ଛପା ହୋଇ ବିକ୍ରୀତ ହେଉଛି ଏବଂ ଏହାର ବର୍ତ୍ତମାନ ମୂଲ୍ୟ ଟ୭.୫୦ ହୋଇଛି । ସମସ୍ତ ପୁସ୍ତକ ବିକ୍ରି ହୋଇସାରିଲେ ବିଶ୍ୱବିଦ୍ୟାଳୟ ପାଞ୍ଚ ଛଅ ହଜାର ଟଙ୍କା ପାଇବେ । ମୁଁ ଏ ବ୍ୟବସାୟରୁ କେତେ ଟଙ୍କା ମାରିନେଇଛି ? ଯେଉଁମାନେ ଜ୍ଞାନ-ବିଜ୍ଞାନ ପରିଷଦରୁ ସହସ୍ର ସହସ୍ର ଟଙ୍କା ନେଇଥିଲେ, ସେମାନେ ପ୍ରତିବଦଳରେ କଅଣ ଦେଇଛନ୍ତି, ତାହା କେହି ଅନୁସନ୍ଧାନ କରି ଦେଖିବେ କି ?

 

ବହୁ ବାଦ ବିବାଦ ଓ ବହୁ ବିଳମ୍ବ ପରେ ମୋର “ସାରଳା ସାହିତ୍ୟର ଐତିହାସିକ ଚିତ୍ର’’କୁ ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରକାଶ କଲେ । ପ୍ରାୟ ୩୦୦ ପୃଷ୍ଠାବଶିଷ୍ଟ ଏ ପୁସ୍ତକର ମୂଲ୍ୟ ଏ ଯୁଗରେ ସୁଦ୍ଧା ମାତ୍ର ଦଶଟଙ୍କା ହୋଇଛି । ଏଥିରୁ ଖଣ୍ଡିଏ ବହି ବିକ୍ରୀ ହେଲେ ମୁଁ ଦେଢ଼ଟଙ୍କା ପାଇବି-। ଏ ବ୍ୟବସାୟରୁ ମୁଁ କେତେ ଟଙ୍କା ମାରିନେବି, ତାହା ସମସ୍ତେ ବିଚାର କରନ୍ତୁ । ମୋର ଅନ୍ୟାନ୍ୟ ପ୍ରକାଶନମାନଙ୍କ ସମ୍ବନ୍ଧରେ ମଧ୍ୟ ଗୋଟି ଗୋଟି ହିସାବ ଦେଇ ଦେଖାଇ ଦେଇପାରିବି ଯେ ମୋର ସଂସ୍କୃତି ପ୍ରୀତିକୁ ପଣ୍ୟ କରି ମୁଁ ବ୍ୟବସାୟ ଫାନ୍ଦି ନାହିଁ । ଅନ୍ୟମାନେ କିପରି ସଂସ୍କୃତିରେ ବ୍ୟବସାୟ ଫାନ୍ଦିଛନ୍ତି, ତାହାର ଗୋଟିଏ ଯୋଡ଼ିଏ ଉଦାହରଣ ଦେଉଛି ।

 

ଡକ୍ଟର ନବୀନ କୁମାର ସାହୁଙ୍କ ଦ୍ୱାରା ସଂକଳିତ History of Orissa, Vol.I ଉତ୍କଳ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ପୁସ୍ତକଟି ୫୩୧ ପୃଷ୍ଠାରେ ଶେଷ ହୋଇଛି; କିନ୍ତୁ ଚିତ୍ର, ଚିତ୍ରପରିଚୟ, ବର୍ଣ୍ଣାନୁକ୍ରମିକ, ସୂଚୀ (Index) ଇତ୍ୟାଦିକୁ ମିଶାଇଦେଲେ ପୁସ୍ତକଟିର ପୃଷ୍ଠାସଂଖ୍ୟା ପ୍ରାୟ ୬୦୦ ହେବ । ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀ ପୂର୍ବରୁ ଓଡ଼ିଶାର ଧାରାବାହିକ ଇତିହାସ ମିଳେ ନାହିଁ, ଅଥଚ ଓଡ଼ିଶା ଇତିହାସର ଏହି ଅଂଶ ପାଇଁ ୬୦୦ ପୃଷ୍ଠାର ପୁସ୍ତକ ଲେଖାହୋଇଛି । ଅକ୍‍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ, କେମ୍ରିଜ୍‍ ବିଶ୍ୱବିଦ୍ୟାଳୟ, ଭାରତୀୟ ବିଦ୍ୟାଭବନ ଇତ୍ୟାଦିରୁ ପ୍ରକାଶିତ ଭାରତୀୟ ଇତିହାସମାଳାରେ (Indian History Series) ଇତିହାସ ଲେଖାର ଯେଉଁ ଆଦର୍ଶ ରହିଛି, ଡକ୍ଟର ସାହୁ ତାହା ଗ୍ରହଣ କରିନାହାନ୍ତି, ବସ୍ତୁତଃ ସେ ପୃଥିବାର କୌଣସି ଇତିହାସର ଲିଖନ ପ୍ରଣାଳୀ ଗ୍ରହଣ କରିନାହାନ୍ତି । ଡକ୍ଟର ରମେଶଚନ୍ଦ୍ର ମଜୁମଦାରଙ୍କ ସମ୍ପାଦନାରେ ଢାକା ବିଶ୍ୱବିଦ୍ୟାଳୟରୁ ପ୍ରକାଶିତ History of Bengal, Vol. I ରେ ପ୍ରାଗୈତିହାସିକ ଯୁଗଠାରୁ ହିନ୍ଦୁ ଯୁଗର ଶେଷ ପର୍ଯ୍ୟନ୍ତ ବଙ୍ଗର ଇତିହାସ ରହିଛି, ଅଥଚ ଛୋଟ ସାଇଜ୍‍ର ଏହି ପୁସ୍ତକଟି ୭୨୭ ପୃଷ୍ଠାରେ ଶେଷ ହୋଇଛି । ଡକ୍ଟର ସାହୁ ଯେଉଁ ରୀତିରେ ଓଡ଼ିଶା ଇତିହାସ ଲେଖା ଆରମ୍ଭ କରିଛନ୍ତି, ସେହି ରୀତିରେ ଯଦି ଲେଖା ଚାଲେ, ତେବେ ଓଡ଼ିଶାର କେବଳ ହିନ୍ଦୁ ଇତିହାସ କେତେ ହଜାର ପୃଷ୍ଠା ହେବ, ତାହା ସମସ୍ତେ ଅନୁମାନ କରନ୍ତୁ | ଓଡ଼ିଶାର ଇତିହାସ ଲେଖା କାହିଁକି ଏପରି ଅସ୍ୱାଭାବିକ ଆକାର ଧାରଣ କରୁଛି ? ଏହାର ଉତ୍ତରରେ ମୁଁ କହିବି ଯେ ଏଥିରେ ଯଶୋଲିପ୍‍ସା, ଅର୍ଥ-ଲିପ୍‍ସା ଓ ଅହମିକା–ଏହି ତିନି ଭୟଙ୍କରୀ ଭଗ୍ନୀ ପ୍ରବେଶ କରିଛନ୍ତି ।

 

ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ଓଡ଼ିଶା ସାହିତ୍ୟ ଏକାଡ଼େମୀଙ୍କ ସାହାଯ୍ୟରେ ଯେଉଁ ଭଞ୍ଜଗ୍ରନ୍ଥାବଳୀର ସମ୍ପାଦନା ଆରମ୍ଭ କରିଛନ୍ତି, ସେଥିମଧ୍ୟରୁ କେବଳ ବୈଦେହିଶବିଳାସର ପ୍ରଥମଖଣ୍ଡ ପ୍ରକାଶିତ ହୋଇଛି, ଏବଂ ତାହାର ମୂଲ୍ୟ ହୋଇଛି ଟ ୯୨ ଙ୍କା । ଏହିପରି ଟୀକା ସହିତ ଯଦି ସମଗ୍ର ଭଞ୍ଜଗ୍ରନ୍ଥାବଳୀ ପ୍ରକାଶ କରାଯାଏ, ତେବେ ତାହାର ମୂଲ୍ୟ ଅନ୍ୟୁନ ଏକ ହଜାର ଟଙ୍କା ହେବ । ଭଞ୍ଜ କବିତାର ଗୋଟିଏ ପଦକୁ ବିଭିନ୍ନ ପଣ୍ଡିତ ବିଭିନ୍ନ ବ୍ୟାଖ୍ୟା କରି ସେଥିରୁ ବିଭିନ୍ନ ଅର୍ଥ ବାହାର କରିଥାନ୍ତି । ଅତଏବ ଏ ସମ୍ବନ୍ଧରେ କୌଣସି ପଣ୍ଡିତଙ୍କର ଟୀକା ମଧ୍ୟ ଅକାଟ୍ୟ ବା ଶେଷ ମୀମାଂସା ନୁହେଁ; ଏଣୁ ଅଧ୍ୟାପକ ବ୍ରହ୍ମାଙ୍କ ଟୀକ ମଧ୍ୟ ଅକାଟ୍ୟ ବା ଶେଷ ମୀମାଂସା ନୁହେଁ । ଟୀକାକୁ ସଂକ୍ଷିପ୍ତ କରି ପାଠକବର୍ଗଙ୍କୁ କିପରି ସାହାଯ୍ୟ କରାଯାଏ, ତାହାର ଆଦର୍ଶ ଆମ ଦେଶର ପୂର୍ବସୂରି ଶାୟାନ, ମିଛ ମଲ୍ଲିନାଥ ପ୍ରଭୃତି ଦେଖାଇ ଯାଇଛନ୍ତି । ଅଧ୍ୟାପକ ବ୍ରହ୍ମା ସେହି ଆଦର୍ଶ ଗ୍ରହଣ କରୁନାହାନ୍ତି କାହଁକି ? ଭଞ୍ଜଗନ୍ଥାବଳୀର ମୂଲ୍ୟ ଏକ ହଜାର ଟଙ୍କା ହେଲେ ତାକୁ କିଣିବ କିଏ ? ଶେଷରେ ସରକାର ଏକାଧାରରେ ପ୍ରକାଶକ, ବିକ୍ରେତା ଓ କ୍ରେତାର ଭୁମିକା ଗ୍ରହଣ କରି ସେଗୁଡ଼ିକୁ ସ୍ଵକୀୟ ଶିକ୍ଷାୟତମାନଙ୍କୁ ପଠାଇ ଦେବେ । ଭଞ୍ଜକବିତାର ସମସ୍ତ ଅଂଶ କଅଣ କୋମଳମତି ଛାତ୍ରଛାତ୍ରୀମାନଙ୍କ ପଠନୀୟ ? ଭଞ୍ଜଗ୍ରନ୍ଥାବଳୀର ସମ୍ପାଦନା କାହିଁକି ଏପରି ଅସ୍ୱାଭାବିକ ଆକାର ଧାରଣ କରୁଛି ? ଓଡ଼ିଶାର ସହସ୍ର ସହସ୍ର ଲୋକ ଭଞ୍ଜପ୍ରେମୀ ବୋଲି ପ୍ରଚାର ଚଳାଇଛନ୍ତି; ଏଣୁ ସେମାନଙ୍କଠାରେ ଭଞ୍ଜଗ୍ରନ୍ଥାବଳୀକୁ ବ୍ୟବସାୟ ସୂତ୍ରରେ ସହଜଲଭ୍ୟ କରାଯାଉ ନାହିଁ କାହିଁକି ? ଏ ସମସ୍ତ ପ୍ରଶ୍ନର ଉତ୍ତରରେ ମୁଁ କହିବି ଯେ ଏଥିରେ ମଧ୍ୟ ଯଶୋଲିପ୍‍ସା, ଅର୍ଥଲିପ୍‍ସା ଓ ଅହମିକା–ଏହି ତିନି ଭୟଙ୍କରୀ ଭଗ୍ନୀ ପ୍ରବେଶ କରିଛନ୍ତି ।

 

ମୁଁ ଚାକିରି କରିଥିଲି, କିନ୍ତୁ ମୁଁ ମୋର ଚାକିରିକୁ କେବଳ ବ୍ୟବସାୟ ଦୃଷ୍ଟିରୁ ଦେଖି ନାହିଁ-। ମୋର ଚାକିରିଟା ରାଜ୍ୟ-ରାଜ୍ୟ, ଭାଷା-ଭାଷା, ଜାତି-ଜାତି ଓ ଧର୍ମ-ଧର୍ମ ମଧ୍ୟରେ ବିବାଦ ଓ ବିଦ୍ୱେଷ ସୃଷ୍ଟି କରୁଥିବାର ଅନୁଭବ କରି ମୁଁ ମୋର ଭାରତ ସରକାରଙ୍କ ଚାକିରି ଓ ମୋର ଓଡ଼ିଶା ସରକାରଙ୍କ ଚାକିରିରୁ ଏକ ସମୟରେ ଇସ୍ତଫା ଦେଇଥିଲି । ଏଥିରୁ ସୂଚିତ ହେବ ଯେ ମୁଁ ମୋର ଚାକିରିଟାକୁ ମଧ୍ୟ କେବଳ ବ୍ୟବସାୟ ଦୃଷ୍ଟିରୁ ଦେଖେ ନାହିଁ । ଭାରତ ସରକାର ମୋର ଇସ୍ତଫା ଗ୍ରହଣ କରି ନେଲେ କିନ୍ତୁ ଓଡ଼ିଶା ସରକାର ମୋ ଇସ୍ତଫା ଗ୍ରହଣ କଲେ ନାହିଁ । ମୋର ଭାରତ ସରକାରଙ୍କ ଚାକିରି ଦରମାହାର ଥିଲା ଟ୭୦୦ ରୁ ଟ ୧୧୫୦; କିନ୍ତୁ ଓଡ଼ିଶା ସରକାର ମୋତେ ଯେଉଁ ଚାକିରିରେ ରଖିଲେ, ତାହାର ଦରମାହାର ଥିଲା ୩୦୦ ରୁ ଟ ୮୫୦ | ମୋତେ କାହିଁକି ଏପରି ଦଣ୍ଡ ଦିଆଗଲା ତାହାର କୌଣସି କାରଣ କୁହାଗଲା ନାହିଁ । ମୁଁ ମୋର ଇସ୍ତଫା ପ୍ରତ୍ୟାହାର କରିନାହିଁ କିମ୍ୱା ମୋତେ କେହି ଇସ୍ତଫା ପ୍ରତ୍ୟାହାର କରିବାକୁ କହିନାହାନ୍ତି । ଏପରି ଅବସ୍ଥାରେ ଯେତେବେଳେ ଭୋପାଳରୁ କଟକ ପର୍ଯ୍ୟନ୍ତ ସପରିବାରର ବଦଳି ଟି. ଏ. ବିଲ୍‍ ଦାଖଲ କରିବାକୁ ମୋତେ ଟି. ଏ. ଫର୍ମ ଦିଆଗଲା, ମୁଁ ତାକୁ ଚିରି ଫିଙ୍ଗି ଦେଲି । ମୋତେ ଦଶଦିନ ପାଇଁ ସମ୍ବଲପୁର କଲେଜରେ ପ୍ରଫେସର୍ କରାଗଲା । ମୁଁ ଏପରି ହାସ୍ୟାସ୍ପଦ ପ୍ରଫେସର ପଦରେ ବଦଳି ପାଇଁ କୌଣସି ଟି. ଏ. ବିଲ୍ ଦାଖଲ କଲି ନାହିଁ । ମୋର ପ୍ରୋଭିଡ଼େଣ୍ଟ ଫଣ୍ଡରୁ ପ୍ରାୟ ଟ୮୦୦ଙ୍କା ଗୋଳମାଳିଆ ଭାବରେ କଟିଗଲା, କିନ୍ତୁ ମୁଁ ସେଥିପାଇଁ ଆଉ ଲେଖାଲେଖି କରି ନ ଥିଲି । ଚାକିରିରେ ଥିବା ବେଳେ ମୁଁ ଅନେକେ ସମୟରେ ଏହିପରି ଦାନ ଦେଇ ଦକ୍ଷିଣା ମଧ୍ୟ ଦେଇଛି ।

 

ମୋର ଧର୍ମ ମଧ୍ୟ ବ୍ୟବସାୟର ସାମଗ୍ରୀ ନୁହେ । ଧର୍ମ କେବଳ ମନୁଷ୍ୟ ମନରେ ଥାଏ ଏବଂ ଶୀଳରେ ତାହା ପ୍ରକାଶ ପାଏ । ବ୍ୟବସାୟଭିତ୍ତିରେ ଯେଉଁଠାରେ ଧର୍ମର କାରବାର ଚାଲିଛି, ମୁଁ ସେଠାକୁ ଯାଏ ନାହିଁ, କିନ୍ତୁ ମୁଁ ନାସ୍ତିକ ବା ନିନ୍ଦୁକ ନୁହେଁ । ମୋର ଶୀଳରେ ଧର୍ମ ପ୍ରକାଶ ପାଇଛି କି ନାହିଁ, ତାହା ମୁଁ କହିପାରିବ ନାହିଁ । ମୁଁ ଜଣେ ସାମାନ୍ୟ ମନୁଷ୍ୟ; ଛୋଟ ମୁହଁରେ ବଡ଼କଥା କହିବି କିପରି ? ମୁଁ ପିଲକାଳରେ କାମନାପୂରଣ ପାଇଁ ଦେବଦେବୀଙ୍କୁ ପୂଜା କରୁଥିଲି, କିନ୍ତୁ ପରବର୍ତ୍ତୀ ଜୀବନରେ ଦେବଦେବୀ ବା ଭଗବାନଙ୍କ ପାଖରେ କାମନାପୂରଣ ପାଇଁ କେବେ ପ୍ରାର୍ଥନା କରେ ନାହିଁ । ମୁଁ ଜଣେ ମୂଢ଼ ଲୋକ; ଏଣୁ ପ୍ରାର୍ଥନା କରିସାରି କହେ- “ତୁମରି ଇଚ୍ଛା ପୂର୍ଣ୍ଣ ହେଉ’’।

 

ମୋର ଜୀବନର ଆଖ୍ୟାୟିକା ପଢ଼ି ଅନେକେ ଜାଣିପାରିବେ ଯେ, ୧୯୪୪ ରୁ ୧୯୬୮ ପର୍ଯ୍ୟନ୍ତ ମୋର ଚାକିରିକାଳରେ ଏବଂ ପରେ ମଧ୍ୟ ମୁଁ ବହୁ ଅପମାନ, ନିର୍ଯ୍ୟାତନା ଅର୍ଥହାନି ସହିଛି ଏବଂ ବହୁ ଷଡ଼ଯନ୍ତ୍ରର ଶିକାର ହୋଇଛି । କିନ୍ତୁ ମୋର ଦୋଷଟା କଅଣ, ଏ କଥା କେହି ସ୍ପଷ୍ଟଭାବରେ କହିନାହାନ୍ତି । ମଣିଷ ମାରିଲେ କୋଡ଼ିଏ ବର୍ଷ ଜେଲ ଦଣ୍ଡ ଭୋଗ କରି ହତ୍ୟାକାରୀ ପୁଣି ସ୍ୱାଧୀନ ନାଗରିକ ହୋଇପାରେ, କିନ୍ତୁ ୩୩ ବର୍ଷ ପରେ ମଧ୍ୟ ମୋ ଭାଗ୍ୟରେ ତାହା ଜୁଟି ନାହିଁ । ମୋର ଯଦି କୌଣସି ଦୋଷ ଥିଲା, ତେବେ ତାକୁ ସହସ୍ରଗୁଣରେ ବୃଦ୍ଧିକରି ସମସ୍ତେ ତାକୁ ଟିକିଏ ଟିକିଏ ନିଜ କାର୍ଯ୍ୟରେ ଲଗାଇ ଦେଇଛନ୍ତି । ମୋର କଳ୍ପିତ ଦୋଷମାନ ସେମାନଙ୍କ ପଶାଖେଳର କାଠି ବା ଗୁଟି ରୂପେ ବ୍ୟବହୃତ ହୋଇଛି । ମୋର ଦୁଇଟି ଚାକିରିକୁ ଏକସମୟରେ ଇସ୍ତଫା ଦେବା ପରେ ମଧ୍ୟ ଏ ପଶାଖେଳର ଅବସାନ ଘଟି ନାହିଁ । ବର୍ତ୍ତମାନ ସୁଦ୍ଧା ମୁଁ ସମସ୍ତଙ୍କୁ ଆହ୍ୱାନ କରି କହୁଛି ଯେ ମୁଁ ଯଦି କୌଣସି ଦୋଷ କରିଥିଲି, ତେବେ ତାହାର ବିଚାର କରାଯାଉ ଏବଂ ଦୋଷୀ ବୋଲି ସାବ୍ୟସ୍ତ ହେଲେ ମୋତେ ଦଣ୍ଡ ଦିଆଯାଉ ।

 

ମୋର ଏପରି ଦୁର୍ଗତିର କାରଣମାନ ମୁଁ ନିଜେ ଅନୁଧ୍ୟାନ କରିଛି ଏବଂ ପ୍ରଧାନ କାରଣକୁ ନିର୍ଦ୍ଧାରଣ କରି ଜାଣିଛି ଯେ ମୁଁ କୌଣସି ଜାତି, ଗୋଷ୍ଠୀ, ରାଜନୀତି, ସୁବିଧାବାଦିତା, ବ୍ୟକ୍ତିବିଶେଷ, ଧର୍ମବିଶେଷ, ପ୍ରଚଳିତ ଭାବପ୍ରବଣତା, ଭ୍ରାନ୍ତ ଦେଶଭକ୍ତି, ଆଞ୍ଚଳିକତା, ଧର୍ମ୍ମାନ୍ଧତା ଇତ୍ୟାଦିର ଏକାନ୍ତ ଅନୁଗତ ହୋଇ ରହିପାରେ ନାହିଁ । ଭଲକୁ ଭଲ କହେ ଏବଂ ମନ୍ଦକୁ ମନ୍ଦ କହେ; କିନ୍ତୁ ମୋର ବକ୍ତବ୍ୟ କୌଣସି ଜାତି ବା ଗୋଷ୍ଠୀ ପ୍ରତି ଉଦ୍ଦିଷ୍ଟ ହୋଇ ନ ଥିଲେ ହେଁ, ତାହା ଜାତି ବା ଗୋଷ୍ଠୀ ପ୍ରତି ଉର୍ଦ୍ଦିଷ୍ଟ ବୋଲି ଧରି ନେଇ ଅନେକେ ମୋ ପ୍ରତି କ୍ରୁଦ୍ଧ ହୋଇ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରନ୍ତି ଏବଂ ସେଥିରୁ ଲାଭ ଉଠାଇ ନିଅନ୍ତି ।

 

ମୋର କଥା ଓ ଲେଖାରେ ଯଦି ତିକ୍ତତାର ସ୍ୱର ଥାଏ, ତେବେ ସୁଧୀ ପାଠକବର୍ଗ ବିଚାର କରିବେ ଯେ ମୋ ପରି ଜଣେ ନିର୍ଯ୍ୟାତିତ ବ୍ୟକ୍ତିଠାରେ ଏପରି ସ୍ଵର ସ୍ୱାଭାବିକ ହୋଇଛି । ମୁଁ ଗତ ୩୩ ବର୍ଷ ଧରି ସ୍ଵାର୍ଥନ୍ୱେଷୀମାନଙ୍କ ପଶାଖେଳର କାଠି ବା ଗୁଟି ହୋଇଆସିଛି । ଏଥିରେ ମୁଁ ପାଗଳ ହୋଇଯିବାର କଥା, କିନ୍ତୁ ମୁଁ ପାଗଳ ହୋଇ ନାହିଁ । ଏ ପୁସ୍ତକରେ ହୁଏ ତ କୌଣସି କୌଣସିଠାରେ ତିକ୍ତତାର ସ୍ଵର ଅଛି, କିନ୍ତୁ ମୁଁ କୌଣସିଠାରେ ଅସତ୍ୟ ଓ ଅତିରଞ୍ଜନର ଆଶ୍ରୟ ନେଇ ନାହିଁ । ମୋର ସ୍ପଷ୍ଟବାଦିତା ପାଇଁ ମୋର ପିତା ଓ ମୋର ବାଲ୍ୟପରିବେଶ ମଧ୍ୟ ଅନେକାଂଶରେ ଦାୟୀ । ମୋର ପିତା ସ୍ପଷ୍ଟବାଦୀ ଥିଲେ ଏବଂ ଫଳାଫଳକୁ ବିଚାର ନ କରି ସତ୍ୟକଥା କହିଯାଉଥିଲେ । ଏହା କିପରି ତାଙ୍କର ଦୁଃଖର କାରଣ ହୋଇଥିଲା, ତାହା ଆଗରୁ ବର୍ଣ୍ଣନା କରାଯାଇଛି । ଆଦିବାସୀମାନେ ଫଳାଫଳ ବିଚାର ନ କରି ଯାହା କହିବାର କଥା, ତାହା ସ୍ପଷ୍ଟ କହିଯାନ୍ତି । ମୁଁ ଆଦିବାସୀମାନଙ୍କ ମଧ୍ୟରେ ବଢ଼ିଥିଲି ।

 

ମୁଁ ମୋର ସମସ୍ତ ଦୁଃଖକୁ ଏକାକୀ ଭୋଗ କରୁଥିବା ହେତୁ ମଧ୍ୟ ମୋ ମନର ତିକ୍ତତା ବଢ଼ିଯାଏ । ମୁଁ ଯେତେବେଳେ ବହୁ ଲୋମହର୍ଷଣ ଘଟନାବଳୀ ଓ ଦୁଃଖାବଳୀ ମଧ୍ୟରେ ଗତି କରୁଥିଲି, ସେତେବେଳେ ମୋର ପୁତ୍ରକନ୍ୟାମାନେ ବାଳକ-ବାଳିକା ଥିଲେ । ସେମାନେ ତ ଏସବୁ ଘଟନା ବୁଝୁ ନ ଥିଲେ ବା ଜାଣୁ ନ ଥିଲେ; ତା’ଛଡ଼ା ମୁଁ ମୋର ସ୍ତ୍ରୀଙ୍କୁ ମଧ୍ୟ ଏସବୁ ଘଟନାର କୌଣସି ଅଂଶ ପ୍ରକାଶ କରୁ ନ ଥିଲି । ଏ ସମସ୍ତ ଘଟନା ଶୁଣିଥିଲେ ହୁଏ ତ ତାଙ୍କର ପ୍ରାଣ ରହି ନ ଥାନ୍ତା । ସେ କୌଣସିମତେ ଯେତିକି ଜାଣି ପାରିଥିଲେ, ସେତିକିରେ ତାଙ୍କର ଉଚ୍ଚ ରକ୍ତଚାପ ରୋଗ ହେଲା । ବର୍ତ୍ତମାନ ସେ ପ୍ରତିଦିନ ଗୋଟିଏ ଲେଖାଏ Adelphane ବଟିକା ଖାଇ ବଞ୍ଚିଛନ୍ତି । ମୋର ସ୍ତ୍ରୀ କିପରି ଅନୁରକ୍ତା, ତାହା ନିମ୍ନୋକ୍ତ ଘଟନାରୁ ପାଠକବର୍ଗ ଅନୁମାନ କରିବେ ।

 

୧୯୬୧ ମସିହାର ଗ୍ରୀଷ୍ମକାଳରେ ମୁଁ ଭୋପାଳରୁ ସପରିବାରରେ ଆସି ପୁରୁଣା ଭୁବନେଶ୍ୱରରେ ହଜୁରୀ କୋଠିରେ ରହିଥାଏ । ଡି. ପି. ଆଇ. ମୋତେ ପୋଷ୍ଟିଂ ଅର୍ଡ଼ର ଦେଉ ନ ଥାନ୍ତି, କିମ୍ବା ମୁଁ ଡି. ପି. ଆଇ.ଙ୍କ ପାଖକୁ ପ୍ରାର୍ଥନା କରିବା ପାଇଁ ଯାଉ ନ ଥାଏ । ଏ ଅବସ୍ଥାରେ ସବୁଦିନ ପରି ସେତେବେଳେ ମଧ୍ୟ ମୋର ମୋଟା ବେତ ବାଡ଼ିଟି ହାତରେ ଧରି କେତେବେଳେ ସସ୍ତ୍ରୀକ ଓ କେତେବେଳେ ବା ଏକାକୀ ଭୁବନେଶ୍ୱରରେ ଘୂରି ବୁଲୁଥାଏ । ଦିନେ ଲିଙ୍ଗରାଜ ମନ୍ଦିର ପୂର୍ବଦ୍ୱାରର ଅତି ନିକଟରେ ଥିବା ଶ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ସସ୍ତ୍ରୀକ ପହଞ୍ଚିଲି । ତାଙ୍କ ଘରେ ଦୁଇଟି ବଡ଼ ବଡ଼ ବିଲାତୀକୁକୁର ଚେନ୍‍ରେ ବନ୍ଧା ହୋଇଥାନ୍ତି । ଏହି ସମୟରେ ଜଣେ କିଏ କହିଲେ–‘‘କୁକୁର ଦୁଇଟାକୁ ଛାଡ଼ି ଦେଲେ କଅଣ କରିବେ ?’’ ମୁଁ କୁକୁର ଦୁଇଟି ଆଡ଼କୁ ବାଡ଼ି ଦେଖାଇ କହିଲି- “ଏଇଥିରେ ପିଟି ତଡ଼ିଦେବି ।’’ ଏହାପରେ କୁକୁର ଦୁଇଟା ମୋ ଆଡ଼କୁ କୁଦି ପଡ଼ି ଆହୁରି ବେଶି ଜୋରରେ ଭୁକି ଉଠିଲେ । ଏତିକିରେ ମୋର ସ୍ତ୍ରୀ ଏତେ ଭୟବିହ୍ୱଳ ହୋଇପଡ଼ିଲେ ଯେ ସେ ସେଠାରୁ ପଳାଇ ଆସି ସେଠାରୁ ଅଳ୍ପ ଦୂରରେ ଥିବା ହଜୁରୀ - କୋଠିକୁ ଗଲେ ନାହିଁ । ତାଙ୍କୁ ଭୁଆଁ ବୁଲାଇଲା । ସେଠାରୁ ଆସି ଅନନ୍ତବାସୁଦେବ ମନ୍ଦିର କଡ଼ ଦେଇ ଗୌରୀକୁଣ୍ଡରେ ପହଞ୍ଚିଲେ ଏବଂ ସେଠାରେ ପାଣି ପିଇ ଓ ମୁଣ୍ଡ ବୁଡ଼ାଇ ପୁରୀ ରାସ୍ତାରେ ଚାଲି ଚାଲି ହଜୁରୀକୋଠିରେ ପହୁଞ୍ଚିଲେ । ଏତିକିବେଳକୁ ତାଙ୍କ ସାନଭାଇ ଶ୍ରୀ ଅଭିରାମ ପଣ୍ଡା (ବର୍ତ୍ତମାନ ବିଦ୍ୟୁତ୍ ବିଭାଗର ସୁପରିଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର୍) କାରରେ ବସି ହଜୁରୀକୋଠିରେ ପହଞ୍ଚିଲେ । ତାଙ୍କୁ ଦେଖିବା ମାତ୍ରେ ତାଙ୍କ ଭଉଣୀ ଭୋ କରି କାନ୍ଦି ଉଠି କହିଲେ-‘‘ଆଜି ତୋର ଗଇଁଙ୍କୁ କୁକୁର କାମୁଡ଼ି ପକାଉଥିଲେ ରେ ବନ !” ମୁଁ କହିଲି ନାହିଁ ମ ! କୁକୁର ଦୁଇଟା ଚେନ୍‌ରେ ବନ୍ଧା ହୋଇଥିଲେ । ମୁଁ ବାଘଭାଲୁ ହାବୁଡ଼ରୁ ନିଜକୁ ରକ୍ଷା କରିପାରିଛି, ଛାର କୁକୁର ଦୁଇଟା ମୋତେ କାମୁଡ଼ି ପକାଇବେ ?” ମୋର ସ୍ତ୍ରୀ ଏହିପରି ଜଣେ ମହିଳା । ଭଲ ଥାଏ ବା ନ ଥାଏ, ସବୁବେଳେ ତାଙ୍କୁ କହେ ଯେ ମୁଁ ଖୁବ୍ ଭଲ ଅଛି । ଏତିକି ଶୁଣିଲେ ସେ ସକାଳ ଛଟାରୁ ରାତି ଏଗାରଟା ପର୍ଯ୍ୟନ୍ତ ଘରବାହାରର ସମସ୍ତ କାର୍ଯ୍ୟ କରନ୍ତି । ମୋର ଦେହ ବା ମନ ଭଲ ନାହିଁ ବୋଲି ଶୁଣିଲେ ସେ ବେକ ଭାଙ୍ଗି ପଡ଼ିଯାଆନ୍ତି ।

 

ଗତ କଥା ଗଲାଣି, ମୁଁ ତାକୁ ଜାବୋଡ଼ି ଧରି ବସି ନାହିଁ । ମଲା ଘୋଡ଼ାକୁ ବଞ୍ଚାଇ ଓ ତା’ପିଠିରେ ଚଢ଼ି ମୁଁ ଦିଗ୍‍ବିଜୟ ପରିକଳ୍ପନା କରୁ ନାହିଁ । ମୋ ସମୟର ଓଡ଼ିଶାର ସାଂସ୍କୃତିକ ଚିତ୍ରଟିଏ ଦେବା ପାଇଁ ହିଁ ମୁଁ ଏ ପୁସ୍ତକ ଲେଖିଛି । ଯେଉଁମାନେ କେବଳ ସ୍ୱାର୍ଥ ପାଇଁ ଲେଖନ୍ତି, ସେମାନେ ଭାବନ୍ତି ଯେ ସମସ୍ତେ କେବଳ ସ୍ୱାର୍ଥ ପାଇଁ ଲେଖୁଛନ୍ତି । କେହି କେହି ମୋତେ ପଚାରୁଛନ୍ତି- ‘‘ତୁମେ କାହଁକି ଲେଖୁଛ ?” ଏ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ଏମାନଙ୍କୁ ପଚାରୁଛି- ‘‘ମୁଁ କାହିଁକି ଲେଖୁଛି ବୋଲି ଆପଣମାନେ କାହିଁକ ପଚାରୁଛନ୍ତି ?” କାହିଁକି ରାତିଅଧରେ ଏଡ଼େ ପାଟିରେ ବୋବାଉ ବୋଲି ଯଦି କେହି ବିଲୁଆକୁ ପଚାରନ୍ତି, ତେବେ ସେ କହିବ-‘‘ମୁଁ ମଧ୍ୟ ଥରେ ଥରେ ନିଜକୁ ଏହି ପ୍ରଶ୍ନ ପଚାରେ । ମୁଁ ଖାଇପିଇ ଚୁପଚାପ୍‍ ଗାତ ଭିତରେ ଶୋଇପଡ଼ିଲେ ଭଲ ହୁଅନ୍ତା । ତବ୍ଦ୍ୱାରା ମୋତେ କୁକୁରଦାଉରୁ ମଧ୍ୟ ରକ୍ଷା ମିଳନ୍ତା । ଅନ୍ୟ ପ୍ରାଣୀମାନେ ବୋବାଇଲେ କୁକୁରମାନେ ପାଟି ଫିଟାନ୍ତି ନାହିଁ; କିନ୍ତୁ ମୁଁ ଟିକିଏ ବୋବାଇଦେଲେ ମୋତେ କାମୁଡ଼ିବା ପାଇଁ ଏମାନେ ଚାରିଆଡ଼ୁ ଦୌଡ଼ି ଆସନ୍ତି । ତଥାପି ମୁଁ ମୋର ପ୍ରକୃତି ଛାଡ଼ିପାରେ ନାହିଁ । ମୁଁ ଯେ ବିଶ୍ୱବ୍ରହ୍ମାଣ୍ଡର ଗୋଟିଏ ଜୀବ ଏବଂ ପୃଥିବୀରେ ଯେ ମୋର ଅବସ୍ଥିତି ଅଛି, ଏ କଥାଟା ତାର ସ୍ଵରରେ ଘୋଷଣା କରିବାପାଇଁ ମୁଁ ରାତିଅଧରେ ବଡ଼ପାଟିରେ ବୋବାଏ ।’’ ଯେଉଁମାନେ ମୋତେ କାହଁକି ଲେଖୁଛି ବୋଲି ପଚାରୁଛନ୍ତି, ସେମାନଙ୍କୁ ମଧ୍ୟ ମୋର ଠିକ୍ ଏହି ଉତ୍ତର । ଅର୍ଦ୍ଧଶତାବ୍ଦୀରୁ ଅଧିକ ହେଲା ମୁଁ ଲେଖିଆସୁଛି । ଛୟାଳିଶ ବର୍ଷ ପୂର୍ବେ ମୋର ପ୍ରଥମ ଲେଖା ‘‘ସହକାର’’ରେ ପ୍ରକାଶ ପାଇଥିଲା । ମୁଁ ବେଶିଭାଗ ଇଂରାଜୀରେ ଲେଖିଛି । ଇଂରାଜୀରେ ଲେଖିବାକୁ ଗଲେ ଯେଉଁସବୁ ଉପକରଣ ଓ ସୁବିଧା ଆବଶ୍ୟକ, ବର୍ତ୍ତମାନ ସେ ସବୁ ମୋ ପାଖରେ ନାହିଁ । ଅତଏବ ଓଡ଼ିଆରେ ହିଁ ବେଶି ଭାଗ ଲେଖୁଛି ।

 

ମୁଁ କାହାରିକୁ ଟେକୁ ନାହିଁ କିମ୍ୱା କାହାରିକୁ ନିନ୍ଦା କରୁ ନାହିଁ । ଏ ପୁସ୍ତକରେ ଯେଉଁମାନଙ୍କ କଥା ଲେଖିଛି, ସେମାନେ ଯେ ମୋର ଦୁଃଖ ପାଇଁ ଦାୟୀ, ଏ କଥା ମଧ୍ୟ ମୁଁ କହୁ ନାହିଁ । ସେମାନେ ଯେଉଁ ଘଟନାଚକ୍ରରେ ମୋ ପ୍ରତି ସଦୟ ହୋଇପାରିଲେ ନାହଁ, କିମ୍ୱା ମୋ ପ୍ରତି ନ୍ୟାୟବିଚାର କରିପାରିଲେ ନାହିଁ ସେ ଘଟଣାଚକ୍ର ମୋତେ ଜଣା ନାହିଁ । ଅତଏବ ମୋ ଦୁଃଖ ପାଇଁ ମୁଁ ସେମାନଙ୍କୁ ଦାୟୀ କରୁ ନାହିଁ । ଜୀବନରେ ଯାହା ଘଟି ଯାଇଛି, ତାହା ହିଁ ଲେଖୁଛି ।

 

ମୋର ସ୍ତ୍ରୀ ମୋ ପ୍ରତି କିପରି ଅନୁରକ୍ତା, ତାହାର ଗୋଟିଏ ଉଦାହରଣ ଆଗରୁ ଦେଇଛି-। ମୁଁ ତାଙ୍କୁ ମୋର ଦୁଃଖର କାରଣମାନ କହେ ନାହିଁ, ଏଣୁ ମୋର ଗତିବିଧି ତାଙ୍କୁ ଦୁର୍ବୋଧ୍ୟ ହେଉଥିଲା । ମୋର ଦୁଃଖ ସମୟରେ ତାଙ୍କ ଭୂମିକାର ଅନେକ କଥା ରହଛି । ସେ ମୋତେ ଆଣି ନ ଥିଲେ ମୁଁ ଭୋପାଳରୁ ଓଡ଼ିଶାକୁ ଆସି ନ ଥାନ୍ତି । ମୁଁ ଦୁଇଟିଯାକ ଚାକିରି କାହିଁକି ଇସ୍ତଫା ଦେଲି, ଏହାର କାରଣ ମୁଁ ତାଙ୍କୁ ଜଣାଇ ନ ଥିଲି । ଏଣୁ ସେ ଭାବିଲେ ଯେ ମୋର ମୁଣ୍ଡ ଖରାପ ହୋଇଯାଇଥିଲା; ମୁଁ ଜବଲପୁରରୁ ଫେରି ଭୟଙ୍କର ଭାବରେ ପେଟରୋଗରେ ଆକ୍ରାନ୍ତ ହୋଇଯାଇଥିଲି; କିନ୍ତୁ ଏହାର କାରଣ ମୁଁ ତାଙ୍କୁ କହି ନ ଥିଲି । ମୁଁ ଜବଲପୁରରୁ ଫେରିବା ପରେ ଆଉ କାହିଁକି ଗସ୍ତ କରିବାକୁ ଗଲି ନାହିଁ, ଏହାର କାରଣ ମଧ୍ୟ ତାଙ୍କୁ ଅଜଣା ରହିଥିଲା । ସେ ମୋତେ ଜିପ୍‍ରେ ବସାଇ ଆମ ଭୋପାଳ ବାସଭବନରୁ ଯେତେବେଳେ ଭେପାଳ ଷ୍ଟେସନକୁ ଘେନିଆସିଲେ, ସେତେବେଲେ ମୋ କଣ୍ଠରେ ସବୁବେଲେ ଲାଗି ରହିଥିଲା–

 

ସଂକଟ ପୂରିତ ଘୋର ଭବସିନ୍ଧୁ ଜଳେ,

ଏକମାତ୍ର କର୍ଣ୍ଣଧାର ତାରୁ ତୁ ସକଳେ,

ତୋର ମଙ୍ଗଳ ବିଧାନ,

କରିଅଛି ମରଣକୁ ଅମୃତ-ସୋପାନ ।

 

ମୋର ସ୍ତ୍ରୀ ଭାବିଥିଲେ ଯେ ଆମେ ଓଡ଼ିଶାରେ ପହଞ୍ଚିବା ପରେ ଆମର ସବୁ ଦୁଃଖ ଚାଲିଯିବ, କିନ୍ତୁ ଆମର ଦୁଃଖ ଆହୁରି ବେଶି ଘନାଇ ଆସିଥିଲା । ମୋର ଭାରତ ସରକାରଙ୍କ ଚାକିରିର ଦରମାହାର ଥିଲା ଟ ୭୦୦ ରୁ ଟ ୧୧୫୦; କିନ୍ତୁ ଓଡ଼ିଶା ସରକାର ମୋତେ ଟ ୩୦୦ ରୁ ଟ ୮୫୦ ଦରମାହାରର ଚାକିରିରେ ଅପମାନଜନକ ଅବସ୍ଥାରେ ରଖିଲେ । ମୋର ମସ୍ତିଷ୍କର ଭାରସାମ୍ୟ କିଛିଦିନ ପାଇଁ ଗୋଳମାଳ ହୋଇଗଲା । ଏତିକିବେଳେ ମୋର ସ୍ତ୍ରୀ ମୋତେ ଯାହା କହୁଥିଲେ, ମୁଁ ତାହା କରୁଥିଲି । ସେ ମୋତେ ଡାକ୍ତର ପାର୍ଥ ରାଓଙ୍କ ପାଖକୁ ଘେନି ଯାଉଥିଲେ, ମୁଁ ତାଙ୍କ କଥା ମାନି ଡାକ୍ତର ପାଖକୁ ଯାଉଥିଲି । ସେ ଔଷଧ ଦେଲେ ମୁଁ ତାହା ଖାଉଥିଲି । ସେ ଘରେ ବସି ରହିବାକୁ କହିଲେ ମୁଁ ଘରେ ବସି ରହୁଥିଲି । ତଥାପି ମୋର ପୁରୁଷପ୍ରକୃତି ବେଳେ ବେଳେ ବାହାରି ପଡ଼ୁଥିଲା । ଘରୁ ବାହାରି ଟିକଏ ବୁଲିବାବେଳେ ମୋତେ ଯେଉଁମାନେ ବ୍ୟଙ୍ଗବିଦ୍ରୂପ କରୁଥିଲେ, ସେମାନଙ୍କୁ ମୁଁ ଅଜସ୍ର ଗାଳି ଦେଉଥିଲି କିମ୍ୱା ପ୍ରହାର କରୁଥିଲି । ଜଣଙ୍କର ଚାକିରି ଚାଲିଯିବା ହେଉଛି ତା ପ୍ରତି ସର୍ବୋଚ୍ଚ ଦଣ୍ଡ । ମୁଁ ଏହି ସର୍ବୋଚ୍ଚ ଦଣ୍ଡକୁ ନିଜେ ବରଣ କରି ନେଇଥିଲି । ଏହାପରେ ମୋର କଳ୍ପିତ ଦୋଷ ପାଇଁ ମୋର ଆଉ ଅଧିକ କଅଣ କରିବାର ଥିଲା ? ମୁଁ ମହାତ୍ମା ଗାନ୍ଧୀ ବା ରାମକୃଷ୍ଣ ପରମହଂସ ନୁହେ ଯେ ସବୁ ଅପମାନ ନୀରବରେ ସହ୍ୟ କରିପାରିଥାନ୍ତି । ଏଣୁ ଯେଉଁମାନେ ମୋତେ ବ୍ୟଙ୍ଗବିଦ୍ରୂପ କରୁଥିଲେ, ସେମାନଙ୍କୁ ମୁଁ କ୍ଷମା ଦେଇପାରୁ ନ ଥିଲି । ମୋର ପୌରୁଷ ପ୍ରତି ଅପମାନ ସହି ନ ପାରି ମୁଁ ବେଳେ ବେଳେ ପ୍ରହାର କରୁଥିଲି । ମୁଁ ସେତେବେଳେ ଭାବୁଥିଲି ଯେ ଯଦି କେହି ମୋତେ ମାରି ଦିଅନ୍ତି, ତେବେ ଭଲ ହେବ । ଏପରି ଅପମାନଜନକ ଅବସ୍ଥାରେ ବଞ୍ଚିରହିବା ମୋ ପକ୍ଷରେ ଶ୍ରେୟସ୍କର ନ ଥିଲା ।

 

ମୋର ମସ୍ତିଷ୍କର ଭାରସାମ୍ୟ ଫେରାଇ ଆଣିବା ପାଇଁ ମୁଁ ଭକ୍ତକବି ମଧୁସୂଦନ ରାଓଙ୍କ ‘‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ’’ କବିତାକୁ ମନ ମଧ୍ୟରେ କିମ୍ବା ଉଚ୍ଚ ବା ଅନୁଚ୍ଚ ସ୍ୱରରେ ସବୁବେଳେ ଗାଉଥାଏ । ବସ୍ତୁତଃ ଏହି କବିତା ହିଁ ମୋର ମସ୍ତିଷ୍କର ଭାରସାମ୍ୟକୁ ମୋତେ ଫେରାଇ ଦେଇଥିଲା । ଏଣୁ ଭକ୍ତକବି ହିଁ ମୋତେ ଭଲ କରିଥିଲେ; ତାଙ୍କ ନାତି ଡାକ୍ତର ପାର୍ଥ ରାଓ ମୋତେ ଖାଲି ଔଷଧ ଦେଇଥିଲେ ମାତ୍ର ।

 

ମୁଁ ମସ୍ତିଷ୍କର ଭାରସାମ୍ୟ ଫେରିପାଇଲି ଏବଂ ପୂର୍ବପରି ସବୁ କାମ କରିପାରିଲି । ମୁଁ ସମସ୍ତଙ୍କୁ ବାରମ୍ବାର କହୁଥାଏ ଯେ ମୋର ମସ୍ତିଷ୍କର ଭାରସାମ୍ୟ ଅଛି କି ନା, ତାହା ଡାକ୍ତରମାନଙ୍କ ଦ୍ୱାରା କମ୍‌ ହାଇକୋର୍ଟରେ ଜଜ୍‍ମାନଙ୍କ ଦ୍ଵାରା ପରୀକ୍ଷା କରାଯାଉ । କିନ୍ତୁ ଏ କଥାକୁ କେହି କର୍ଣ୍ଣପାତ କରି ନ ଥିଲେ । ପ୍ରଫେସର ପଦ ଖାଲି ପଡ଼ିଥାଏ, ଅଥଚ ତାକୁ ମୋତେ ଦିଆଯାଉ ନ ଥାଏ । ଏହି ସମୟରେ ମୁଁ ବିଶେଷଜ୍ଞ ଭାବରେ ଇତିହାସରେ ଲେକ୍‍ଚାରର୍ ପୋଷ୍ଟ ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଶ୍ନ ପଚାରିବା ଲାଗି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ୍‍ଙ୍କ ଦ୍ୱାରା ଏକାଧିକ ଥର ଆହୁତ ହୋଇଥିଲି । ମୁଁ ପ୍ରଶ୍ନ ପଚାରିବା ପାଇଁ ସଙ୍ଗରେ କୌଣସି ପ୍ରଶ୍ନ ନେଇଯାଉ ନ ଥିଲି କିମ୍ବା ସେହି ପ୍ରଶ୍ନକୁ ବହୁ ବା ଏକାଧିକ ପ୍ରାର୍ଥୀଙ୍କୁ ପଚାରୁ ନ ଥିଲି । ନଅଦିନ କାଳ ପ୍ରାୟ ୧୦୦ ଜଣ ପ୍ରାର୍ଥୀଙ୍କୁ ପ୍ରଶ୍ନ ପଚାରି ସାରିବା ପରେ ଥରେ କମିସନରମାନଙ୍କୁ କିଛି କହିବା ସମୀଚୀନ ମନେକଲି-। ସେଦିନ ମେମ୍ବର ପ୍ରଫେସର ବାମାଚରଣ ଦାସ ଛୁଟିରେ ଅନୁପସ୍ଥିତ ଥାଆନ୍ତି । ଏଣୁ ଚେୟାରମେନ୍ ଶ୍ରୀଯୁକ୍ତ ମୋତିଲାଲ ପଣ୍ଡିତ ଓ ଅନ୍ୟତମ ମେମ୍ବର ଶ୍ରୀଯୁକ୍ତ ଉପେନ୍ଦ୍ର ଚନ୍ଦ୍ର ଦାସଙ୍କୁ ମୁଁ କହିଲି-“ଆପଣମାନେ ପନ୍ଦର ମିନିଟ୍‍ ଭିତରେ ଜଣଙ୍କର ମସ୍ତିଷ୍କର ଭାରସାମ୍ୟ ଅଛି କି ନା, ତାହା ଜାଣିପାରନ୍ତି । ମୁଁ ନଅ ଦିନ ହେଲା ଆପଣମାନଙ୍କ ସଙ୍ଗରେ ବସି କାର୍ଯ୍ୟ କଲି; ମୋର ମସ୍ତିଷ୍କରେ ଭାରସାମ୍ୟର କୌଣସି ଗୋଳମାଳ ଦେଖିଲେ କି ? ମୁଁ ଶୁଣୁଛି ଯେ ମୋର ପ୍ରଫେସର ହେବାର କେସ୍ ଆପଣମାନଙ୍କ ପାଖରେ ଅଛି । ଆପଣମାନେ ତାହାର ନିଷ୍ପତ୍ତି କରୁ ନାହାନ୍ତି କାହିଁକି ?” ସେମାନେ ଖାଲି ହସିଲେ, କିନ୍ତୁ କୌଣସି ଜବାବ ଦେଲେ ନାହିଁ ।

 

ମୁଁ ଏ ପୁସ୍ତକରେ କୌଣସି ଜାତି, ଗୋଷ୍ଠୀ ଭାଷାଭାଷୀ, କବି, ସନ୍ଥ, ଧର୍ମ ବା ସଂସ୍କୃତିକୁ ନିନ୍ଦା କରି ନାହିଁ, କିନ୍ତୁ ମୋ ସମୟରେ ଏମାନଙ୍କୁ ନେଇ ଯେଉଁ ବ୍ୟବସାୟ ଚାଲିଛି, ତାହାରି ସ୍ୱରୂପ ଉଦ୍‌ଘାଟନ କରିବା ପାଇଁ ମୁଁ ଚେଷ୍ଟା କରିଛି । କିପରି ସବୁଥିରେ ବ୍ୟବସାୟ ଚାଲିଛି, ତାହା କେତେକାଂଶରେ ଆଗରୁ ଆଲୋଚନା କରାଯାଇଛି । ଏଠାରେ କେବଳ ଏ ସମସ୍ତର ସମୟସାମୀ ସମ୍ବନ୍ଧରେ କେତୋଟି କଥା ଲେଖୁଛି । ୧୮୯୨ ମସିହା ବେଳକୁ ଉପେନ୍ଦ୍ରଭଞ୍ଜ ସମ୍ୱନ୍ଧୀୟ ବିବାଦ ‘‘ଇନ୍ଦ୍ରଧନୁ-ବିଜୁଳି’’ରେ ଆରମ୍ଭ ହୋଇ ଯାଇଥିଲା, ବର୍ତ୍ତମାନ ୧୯୭୭ । ଏହି ଦୀର୍ଘ ୮୫ ବର୍ଷ ମଧ୍ୟରେ ଭଞ୍ଜଙ୍କ ଗ୍ରନ୍ଥାବଳୀ ପ୍ରକାଶ ପାଇ ନାହଁ, କିମ୍ୱା ତାଙ୍କ କବିତାର ମହତ୍ତ୍ୱ ପ୍ରତିପାଦନ କରିବା ପାଇଁ ଇଂରାଜୀରେ ଗ୍ରନ୍ଥଟିଏ ବା ପ୍ରବନ୍ଧଟିଏ ପ୍ରକାଶ ପାଇ ନାହିଁ । ଅଧ୍ୟାପକ ବିଜୟଚନ୍ଦ୍ର ମଜୁମ୍‍ଦାର ଓ ଡକ୍ଟର ମାୟାଧର ମାନସିଂହ ଇଂରାଜୀରେ ଭଞ୍ଜକବିତା ସମ୍ବନ୍ଧରେ ଯେଉଁ ମତପ୍ରକାଶ କରିଛନ୍ତି, ତାହା ଏ କବିତାର ପ୍ରତିକୂଳ ହୋଇଛି; କିନ୍ତୁ ଏହି ପ୍ରତିକୂଳ ମତକୁ ସେହି ଇଂରାଜୀଭାଷାରେ ଖଣ୍ଡନ କରି କେହି ପ୍ରବନ୍ଧଟିଏ ସୁଦ୍ଧା ଲେଖି ନାହାନ୍ତି । ଅଥଚ ବହୁ ଓଡ଼ିଆ ଭଞ୍ଜଭକ୍ତ ବୋଲାଇ, ତାଙ୍କୁ କବିସମ୍ରାଟ, ବିଶ୍ୱକବି, କବିସାର୍ବଭୌମ ଇତ୍ୟାଦି କହି ଏବଂ ସେ ସେକ୍‍ସପିଅର୍ ଓ ରବୀନ୍ଦ୍ରନାଥଙ୍କଠାରୁ କୌଣସି ଗୁଣରେ ନ୍ୟୁନ ନୁହନ୍ତି ବୋଲି କହି, ନିଜନିଜର ଆତ୍ମପ୍ରଚାର କରିବା ସଙ୍ଗେ ସଙ୍ଗେ ଓଡ଼ିଆମାନଙ୍କ ସ୍ୱାର୍ଥ-ସଂରକ୍ଷକର ଭୂମିକା ଗ୍ରହଣ କରିଛନ୍ତି ।

 

ମୁଁ ଏହି ବ୍ୟବସାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ, ଅନ୍ୟଥା ମୁଁ ମଧ୍ୟ ଜଣେ ଭଞ୍ଜଭକ୍ତ । ୩୩ ବର୍ଷ ପୂର୍ବେ ‘‘ଶଙ୍ଖ’’ରେ ଆଧୁନିକ ଓଡ଼ିଆ ସାହିତ୍ୟର ବାଣିଜ୍ୟ ମୂଲ୍ୟ ନାମକ ଯେଉଁ ପ୍ରବନ୍ଧ ଲେଖିଥିଲି, ସେଥିରେ ମୁଁ କାରଣ ସହିତ ଭଞ୍ଜକବିତାର ଉଚ୍ଚପ୍ରଶଂସା କରିଛି । ଏ ପ୍ରବନ୍ଧ ମୋର ପ୍ରବନ୍ଧମାନସ ନାମକ ପୁସ୍ତକରେ ମଧ୍ୟ ପ୍ରକାଶିତ ହୋଇଛି । ବର୍ତ୍ତମାନ ଭଞ୍ଜଗ୍ରନ୍ଥାବଳୀ ପ୍ରକାଶ ପାଇଁ ଯେଉଁ ଉଦ୍ୟମ ଚାଲିଛି, ତାହା ଯେପରି ଆକାର ଧାରଣ କରୁଛି, ତାହାର ସୂଚନା ଆଗରୁ ଦିଆଯାଇଛି ।

 

୧୮୯୭ ଖ୍ରୀଷ୍ଟାବ୍ଦରେ ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତଦର୍ପଣ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧିଙ୍କ ଦ୍ଵାରା ପ୍ରଥମେ ପ୍ରକାଶିତ ହୋଇଥିଲା । ଅଶୀ ବର୍ଷ ଅତୀତ ହେବା ପରେ ମଧ୍ୟ ଏ ଗ୍ରନ୍ଥର ଦ୍ୱିତୀୟ ସଂସ୍କରଣ ହୋଇପାରିଲା ନାହିଁ । ଅଥଚ ବହୁ ଓଡ଼ିଆ ସାମନ୍ତ ଚନ୍ଦ୍ରଶେଖରଙ୍କ ନାମରେ ବ୍ୟବସାୟ ଚଳାଇଛନ୍ତି । ଅଧ୍ୟାପକ ରାୟ ଓ କବିବର ରାଧାନାଥ ରାୟ ନ ଥିଲେ ସାମନ୍ତ ଚନ୍ଦ୍ରଶେଖର ଲୋକଲୋଚନକୁ ଆସିପାରି ନ ଥାନ୍ତେ ବୋଲି ମୁଁ ଯେଉଁ ମତପ୍ରକାଶ କରିଛି, ତାହା ବିରୁଦ୍ଧରେ ଏକାଧିକ ବ୍ୟକ୍ତି ମୋଠାରେ ମୌଖିକ ପ୍ରତିବାଦ ଜଣାଇଛନ୍ତି, କିନ୍ତୁ କେବଳ ଏହି ଦୀର୍ଘ ଅଶୀବର୍ଷ ଦୃଷ୍ଟିରୁ ହିଁ ସେମାନଙ୍କ ପ୍ରତିବାଦ କେବଳ ଦ୍ୱେଷମୂଳକ ଓ ଭାବପ୍ରବଣତାମୂଳକ ବୋଲି ପ୍ରମାଣିତ ହେଉଛି ।

 

ଷାଠିଏ ବର୍ଷରୁ ଅଧିକ ହେଲା ଜୟଦେବ–ବିବାଦରେ ବ୍ୟବସାୟ ଚଳାଇ ବହୁ ବ୍ୟକ୍ତି ଫାଇଦା ଉଠାଇଛନ୍ତି, କିନ୍ତୁ ଜୟଦେବଙ୍କ ଓଡ଼ିଶା-ଅଧିବାସୀତ୍ୱ ସମ୍ବନ୍ଧରେ ଯେଉଁ ତଥ୍ୟ ଅଛି, ତାକୁ ଯଥାଯଥ ଭାବରେ ବିଶ୍ୱପଣ୍ଡିତମଣ୍ଡଳି ଆଗରେ ଉପସ୍ଥାପନ କରିବା ପାଇଁ କେହି ଇଂରାଜୀରେ ପ୍ରବନ୍ଧଟିଏ ବା ପୁସ୍ତକଟିଏ ଲେଖି ନାହାନ୍ତି । ବରଞ୍ଚ ଏ ସମ୍ବନ୍ଧରେ ମିଥ୍ୟା ରେକର୍ଡ଼ ସୃଷ୍ଟି କରାହୋଇ ଏହି ତଥ୍ୟକୁ ଦୁର୍ବଳ କରାହୋଇଛି । ଜୟଦେବ ସମ୍ବନ୍ଧରେ ଇଂରାଜୀରେ ଯେଉଁ ସୋଭେନିର୍‍ ବା ସ୍ମାରକଗ୍ରନ୍ଥ ପ୍ରକାଶ କରାଗଲା, ତାହା ବାହାରି ନ ଥିଲେ ଭଲ ହୋଇଥାନ୍ତା । ଏହାର କାରଣମାନ ମୁଁ ଆଗରୁ କହିଛି । ଏପରି ଅବସ୍ଥାରେ କେତେକ କଣ୍ଠଶିଳ୍ପୀ “ଉତ୍କଳକବି ଜୟଦେବ’’ ବୋଲି ଯେତେବେଳେ ଗୀତ ଗାଆନ୍ତି, ସେତେବେଳେ ତାହା ହାସ୍ୟୋବ୍ଦୀପକ ହୁଏ ।

 

ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖିବା ପାଇଁ ୧୯୪୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗୋଟିଏ କମିଟି ବସାଇଥିଲେ । ଏହାର ପ୍ରାୟ ୧୦ ବର୍ଷ ପୂର୍ବେ କଳିଙ୍ଗ ରିସର୍ଚ୍ଚ ସୋସାଇଟି ତରଫରୁ ଏ ସମ୍ବନ୍ଧରେ ଅନୁରୂପ ଉଦ୍ୟମ ହୋଇଥିଲା । ଅତଏବ ଚାଳିଶବର୍ଷରୁ ଅଧିକ ହେବ ଓଡ଼ିଶାର ଇତିହାସ ଲେଖିବା ପାଇଁ ଉଦ୍ୟମ ହୋଇ ଆସିଛି; କିନ୍ତୁ ସଫଳ ହୋଇନାହିଁ । ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଡକ୍ଟର ନବୀନ କୁମାର ସାହୁଙ୍କ ଓଡ଼ିଶା ଇତିହାସର ପ୍ରଥମ ଖଣ୍ଡର ସ୍ୱରୂପ ଏହି ପରିଶିଷ୍ଟର ପ୍ରଥମାଂଶରେ ବିଶ୍ଳେଷଣ କରାଯାଇଛି; ଏଣୁ ଏ ସମ୍ବନ୍ଧରେ ଅଧିକ କହିବା ଅନାବଶ୍ୟକ ।

 

୧୯୪୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆନୁକୂଲ୍ୟରେ ଓଡ଼ିଆରେ ଜ୍ଞାନକୋଷ ସଂକଳନର ଉଦ୍ୟମ ଆରମ୍ଭ ହୋଇଥିଲା । ୩୪ ବର୍ଷ ଚେଷ୍ଟାର ଫଳରେ କେବଳ ୨/୪ ଖଣ୍ଡ ପୁସ୍ତକ ବାହାରିଛି । ବସ୍ତୁତଃ ଏ ପ୍ରଚେଷ୍ଟା ପଣ୍ଡ ହୋଇଯାଇଛି ।

 

ଆଜକୁ ପ୍ରାୟ ୩୦ ବର୍ଷ ପୂର୍ବେ ଏହି ବିଶ୍ୱବିଦ୍ୟାଳୟର ଆନୁକୁଲ୍ୟରେ ‘‘ଜ୍ଞାନବିଜ୍ଞାନ ପରିଷଦ’’ ସ୍ଥାପିତ ହୋଇଥିଲା । ମୋର ମନେହୁଏ, ଏହା ବର୍ତ୍ତମାନ ମୃତ ।

 

ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଅଦମ୍ୟ ଚେଷ୍ଟା ଓ ପରିଶ୍ରମ ଫଳରେ ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ତରଫରୁ ତାଙ୍କ ମୃତ୍ୟୁର ପ୍ରାୟ ୧୦ ବର୍ଷ ପରେ ସାରଳା ମହାଭାରତର ଗୋଟିଏ ନୂତନ ସଂସ୍କରଣ ବାହାରିଲା । କିନ୍ତୁ ସ୍ୱର୍ଗତ ମହାନ୍ତି ଯେଉଁ ପାଣ୍ଡୁଲିପି ତିଆରି କରିଥିଲେ, ତାହା ଅବିକଳ ଭାବରେ ଛାପାହୋଇଛି ବୋଲି ମନେ ହେଉ ନାହିଁ । ଏହାର କେତେକ ଗୁରୁତ୍ୱପୂର୍ଣ୍ଣ ଅଂଶ କାଟି ବାଦ୍‍ କରିଦିଆଯାଇଛି ଏବଂ ଏହାର କେତେକ ଅଂଶ ଏପରି ଖାପ୍‍ଛଡ଼ା ହୋଇଛି ଯେ ସେଗୁଡ଼ିକ ସ୍ୱର୍ଗତ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ହୋଇଥିବ ବୋଲି ମନେହେଉ ନାହିଁ । କଣେ କର୍ମନିଷ୍ଠ ମହାନ୍ ପଣ୍ଡିତ ମୃତ୍ୟୁ ପର୍ଯ୍ୟନ୍ତ ଚେଷ୍ଟାକରି ବହୁ ପଣ୍ଡିତ ଓ ବହୁ ପୋଥି ସାହାଯ୍ୟରେ ସାରଳା ମହାଭାରତର ଯେଉଁ ପାଣ୍ଡୁଲିପି ତିଆରି କରିଥିଲେ, ତାହାକୁ ନ ଛପାଇ, ମନୋମୁଖୀ ପାଣ୍ଡୁଲିପି ତିଆରି, ତାହାକୁ ହିଁ ଛପାଇ ଦିଆଯାଇଛି । ଏହା ଓଡ଼ିଆ ଜାତି ପ୍ରତି କମ୍ ଅପରାଧ ନୁହେଁ ।

 

ବହୁବର୍ଷର ଚେଷ୍ଟା ଫଳରେ ଓ ବହୁ ବାଧାବିଘ୍ନ ମଧ୍ୟରେ ମୁଁ ଯେଉଁ ‘‘ସାରଳା ସାହିତ୍ୟର ଐତିହାସିକ ଚିତ୍ର’’ ନାମକ ପୁସ୍ତକ ଲେଖିଲି ଏବଂ ପ୍ରଜାତନ୍ତ୍ର ପ୍ରଚାର ସମିତି ଯାହାକୁ ପ୍ରକାଶ କଲେ, ବର୍ତ୍ତମାନ ସେଥିପ୍ରତି କେତେକ ପଣ୍ଡିତ ପ୍ରତ୍ୟକ୍ଷ ଓ ପରୋକ୍ଷ କଟାକ୍ଷ କରୁଛନ୍ତି । ମୁଁ ଏ ପୁସ୍ତକରେ ଯେଉଁ ଭୌଗୋଳିକ ବିବରଣୀ ଦେଇଛି, ସେଥିପାଇଁ ମୁଁ କେତେକ ପ୍ରାଚୀନ ଭୁଗୋଳ ପୁସ୍ତକର ସାହାଯ୍ୟ ନେଇଥିଲେ ମଧ୍ୟ, ଏ ପୁସ୍ତକରେ ଆଲୋଚିତ ଅଧିକାଂଶ ଭୌଗୋଳିକ ସ୍ଥାନକୁ ମୁଁ ସ୍ଵଚକ୍ଷୁରେ ଦେଖିଛି । ତଥାପି ଏହାର ତ୍ରୁଟିବିଚ୍ୟୁତି ସୁଧାରି ଦେଇ ଅନ୍ୟ କେହି ଅନ୍ୟ ପୁସ୍ତକ ଲେଖିଲେ ମୁଁ ଆନନ୍ଦିତ ହେବି । ମୁଁ ଏ ପୁସ୍ତକର ‘‘ନିବେଦନରେ’’ରେ ଲେଖିଛି– ‘‘ଓଡ଼ିଶାରେ ବହୁ ସୁଯୋଗ୍ୟ ସନ୍ତାନ ଜନ୍ମଗ୍ରହଣ କରିଛନ୍ତି ଓ କରିବେ । ମୁଁ ଆଶା କରୁଛି ଯେ ସେମାନେ ଅଦୁର ବା ଦୁରଭବିଷ୍ୟତରେ ସାରଳାସାହିତ୍ୟକୁ ବିଭିନ୍ନ ଦିଗରୁ ଆଲୋଚନା କରି ବହୁ ପୁସ୍ତକ ଲେଖିପାରିବେ-। ସେତେବେଳେ ମୋର ଏହି ପୁସ୍ତକଟି ଗୋଟିଏ ପ୍ରାରମ୍ଭିକ ଚେଷ୍ଟାର ଫଳ ବୋଲି ହୁଏତ ବିବେଚିତ ହେବ ।’’ ମୋର ଏହିପରି ସ୍ପଷ୍ଟୋକ୍ତି ଥିବା ସତ୍ତ୍ୱେ ସାରଳାସାହିତ୍ୟ ସମ୍ବନ୍ଧରେ ନିଜ ନିଜ ପୁସ୍ତକ ନ ଲେଖି କେତେକ ପଣ୍ଡିତ କାହିଁକି ମୋ ଆଡ଼କୁ ଚଅଁର ବେଣ୍ଟ ଦେଖାଉଛନ୍ତି ?

 

ସାମନ୍ତ ଚନ୍ଦ୍ରଶେଖରଙ୍କ ସ୍ମାରକ ଗ୍ରନ୍ଥଟିଏ ପ୍ରକାଶ କରିବା ପାଇଁ ଦଶବର୍ଷ ହେଲା ଚେଷ୍ଟା ଚାଲିଛି; କିନ୍ତୁ ତାହା ତାହା ପ୍ରକାଶ ପାଇ ନାହିଁ । ଏହିପରି ସବୁଦିଗକୁ ଆଖି ପକାଇ ଦେଖିଲେ ଜଣାଯାଏ ଯେ ଯେଉଁ ସବୁ ସାଂସ୍କୃତିକ, କାର୍ଯ୍ୟକ୍ରମ ୫ ବର୍ଷରୁ ୧୦ ବର୍ଷ ଧରି ଚାଲି ଆସିଛି, ତାହା ଅଦ୍ୟାପି ଶେଷ ହୋଇ ନାହିଁ । ଏହା ମଧ୍ୟରେ ବହୁ ବ୍ୟକ୍ତି ପଣ୍ଡିତ ବୋଲାଇ ଏବଂ ଓଡ଼ିଶା- ଭକ୍ତି ଓ ଓଡ଼ିଆ ସଂସ୍କୃତିରେ ବ୍ୟବସାୟ ଚଳାଇ ଯଶ ଓ ଅର୍ଥ ମାରି ନେଇଛନ୍ତି । ଲକ୍ଷ ଲକ୍ଷ ମୁଦ୍ରା ବ୍ୟୟ କରାଯାଇଛି, କିନ୍ତୁ କୌଣସିଠାରେ ସଫଳତା ହାସଲ କରାହୋଇ ନାହିଁ । ଉପରେ ଯେଉଁସବୁ ସାସ୍କୃତିକ ବିଫଳତା ସମ୍ବନ୍ଧରେ ଲେଖିଲି, ସେଥିରେ କେଉଁଠାରେ ଅସତ୍ୟ ବା ଅତିରଞ୍ଜନ ଅଛି, ତାହା କେହି ଦେଖାଇ ଦେବେ କି ? ମୋ ପରି ଜଣେ ଅକିଞ୍ଚନ ଓଡ଼ିଶାର ଏହି ସାଂସ୍କୃତିକ ଭଣ୍ଡତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବାରୁ ସେ ବ୍ୟବସାୟୀମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛି ।

 

ମୁଁ ପଚିଶି ବର୍ଷ ପୂର୍ବେ ୨୫।୧୦।୫୭ ତାରିଖର ସମାଜରେ ‘‘ଓଡ଼ିଶାର ଇତିହାସ ଓ ଐତିହାସିକ ଉପାଦାନ’’ ଶୀର୍ଷକ ଯେଉଁ ପ୍ରବନ୍ଧ ଲେଖିଥିଲି, ତାହା ମୋର ‘ପ୍ରବନ୍ଧ ମାନସ’ ପୁସ୍ତକରେ ପ୍ରକାଶ ପାଇଛି (ପୃ ୨୧୧-୨୨୧) । ଯେ କେହି ଅନୁସନ୍ଧିତ୍ସୁ, ସେହି ପ୍ରବନ୍ଧକୁ ପଢ଼ନ୍ତୁ ଏବଂ ୧।୧୧।୫୨ ତାରିଖରେ ଓ ୯।୧୧।୫୦ ତାରିଖରେ ସେହି ସମାଜରେ ପ୍ରକାଶିତ ଯଥାକ୍ରମେ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଓ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ପ୍ରବନ୍ଧମାନ ପଢ଼ନ୍ତୁ, ଏବଂ ଉଭୟଙ୍କୁ ପଚାରିବା ପରେ କହନ୍ତୁ ଯେ ୨୫ବର୍ଷ ପରେ ମୋ ପ୍ରବନ୍ଧର କେଉଁ ଅଂଶ ଅସତ୍ୟରେ ପରିଣତ ହୋଇଛି । ଏ ପ୍ରବନ୍ଧ ଲେଖିବା ପରେ ମୁଁ ଓଡ଼ିଆଦ୍ୱେଷୀ ଓଡ଼ିଶା-ଦ୍ୱେଷୀ ଓ ବଙ୍ଗାଳୀହିତୈଷୀ ହୋଇପଡ଼ିଥିଲି !

 

ମୁଁ କବିସୂର୍ଯ୍ୟ, ଗୋପାଳକୃଷ୍ଣ, ବନମାଳୀ ପ୍ରଭୃତିଙ୍କ ଗୀତକବିତାର ମୂଲ୍ୟକୁ ହ୍ରାସ କରିବା ପାଇଁ ଲେଖେ ନାହିଁ; କିନ୍ତୁ ଯେଉଁମାନେ ଏମାନଙ୍କୁ ଅତିଭକ୍ତି ଦେଖାଇ ଏମାନଙ୍କ କବିତାର ମୂଲ୍ୟ ହ୍ରାସ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ହିଁ ସ୍ୱର ଉତ୍ତୋଳନ କରେ । ଏ ସମ୍ବନ୍ଧରେ କେତୋଟି ଉଦାହରଣ ଦେଲେ ବିଷୟଟି ସ୍ପଷ୍ଟ ହେବ ।

 

କବିସୂର୍ଯ୍ୟଙ୍କ ଚମ୍ପୁର ‘‘କି ହେଲା ରେ କହି ତ ନୁହଇ ଭାରତୀ ରେ’’ ଗୀତଟି ଗୋଟିଏ ଉଚ୍ଚକୋଟିର କବିତା; କିନ୍ତୁ ଏଥିରେ ଥିବା ଗୋଟିଏ ପଦାଂଶ ହେଉଛି “ମଜ୍ଜିଯିବି କି ଉଭା ରତିରେ”-। ଗୋପାଳକୃଷ୍ଣଙ୍କ “କି ନାଦରେ ପ୍ରାଣସଜନି ଶୁଭୁଛି କଦମ୍ୱବନେ’’ ଗୀତଟି ମଧ୍ୟ ଗୋଟିଏ ଖୁବ୍ ଉଚ୍ଚକୋଟୀର କବିତା; କିନ୍ତୁ ଏହାର ଗୋଟିଏ ପଦାଂଶ ହେଉଛି “କୁଳବଧୂ ନୀତିଗ୍ରନ୍ଥି ଫିଟାଉଛି ସଯତନେ’’ । ସେହିପରି ବନମାଳୀଙ୍କ ‘‘ବାଟ ଛାଡ଼ ସୁଘଟ ନାଗର’’ ଇତ୍ୟାଦି ଗୀତଟି ମଧ୍ୟ ଗୋଟିଏ ସୁନ୍ଦର ସଙ୍ଗୀତ; କିନ୍ତୁ ଏଥିରେ ଅଛି ‘‘ଘରେ ମୋ ନଣନ୍ଦ, ଅଟେ ବଡ଼ ମନ୍ଦ, ଶାଶୁ ମୋ ଅଟଇ ସପତଣୀ କି’’ ଉଲ୍ଲିଖିତ ପଦାଶଂଗୁଡ଼ିକୁ ବାଦ କରିଦେଇ ଏହି ଗୀତଗୁଡ଼ିକୁ ରେଡ଼ିଓ ପରି ଗଣପ୍ରଚାର ମାଧ୍ୟମରେ ପ୍ରଚାର କରାଗଲେ, ଏହି କବିମାନଙ୍କ କବିତାର ମୂଲ୍ୟ ହ୍ରାସ ହୁଅନ୍ତା ନାହିଁ-। କିନ୍ତୁ କଟକ ରେଡ଼ିଓର ପରିଚାଳକମାନେ ତାହା ନ କରି ଏ କବିମାନଙ୍କୁ ଯେଉଁ ଅନ୍ଧଭକ୍ତି ଦେଖାଉଛନ୍ତି ତାହାରି ବିରୁଦ୍ଧରେ ହିଁ ମୁଁ ସ୍ୱର ଉତ୍ତୋଳନ କରେ ୨୭/୧୦/୭୭ (କିମ୍ୱା ୨୮/୧୦/୭୭)ରେ କଟକ ରେଡ଼ିଓରୁ ଓଡ଼ିଶାର ବୈଷ୍ଣବ କବିମାନଙ୍କ ସମ୍ବନ୍ଧରେ ଗୋଟିଏ ସଙ୍ଗୀତ ରୂପକ ପ୍ରଚାରିତ ହୋଇଥିଲା ଏବଂ ଏହା ଖୁବ୍ ଉପଭୋଗ୍ୟ ହୋଇଥିଲା, କିନ୍ତୁ ଏହାରି ଶେଷରେ ଥିଲା “ଶଙ୍କର ଶତ୍ରୁ ନିଃଶଙ୍କରେ ଦହୁଛି, ଅଙ୍କ- ପର୍ଯ୍ୟଙ୍କ ମୋ ମଣ୍ଡୁକିନା’’-ଏଇଟା କ’ଣ ଓଡ଼ିଶୀ ସଂସ୍କୃତିର ସର୍ବଶ୍ରେଷ୍ଠ ନିଦର୍ଶନ ? ଓଡ଼ିଶାର ଇତିହାସକୁ ସପ୍ତଦଶ ଶତାବ୍ଦୀରୁ ଆରମ୍ଭ କରି ଓଡ଼ିଆ ସଂସ୍କୃତି ଓ ଧର୍ମର ଜ୍ଞାନକୁ ପାଲାଗାଣିଆ ଓ ଲୀଳାନାଟୁଆ ସ୍ତରକୁ ଘେନିଆସିଲେ ଏସବୁ ପବିତ୍ର ବୋଲି ମନେ ହୋଇପାରେ, କିନ୍ତୁ ଏ ସବୁକୁ ମାନବଧର୍ମ ସମର୍ଥନ କରେ ନାହିଁ । ଯହା ମାନବଧର୍ମ ବିରୁଦ୍ଧରେ ଯାଏ, ତାହା ସିନେମା, ରେଡ଼ିଓ, ପାଠ୍ୟପୁସ୍ତକ ଇତ୍ୟାଦିରୁ ବାଦ୍‍ କରିଦିଆଯାଏ । କିନ୍ତୁ କଟକ ରେଡ଼ିଓ ଏସବୁକୁ ବାଦ୍‍ କରେ ନାହିଁ, ବରଞ୍ଚ ଏମାନଙ୍କ ସଂଖ୍ୟାକୁ ବୃଦ୍ଧି କରେ । ଉତ୍କଳର ମା-ଭଉଣୀମାନେ ତଥା ଗାୟକ ଓ ପରିଚାଳକମାନଙ୍କ ମା-ଭଉଣୀମାନେ ଏସବୁ ଗୀତ ଶୁଣି ଆପ୍ୟାୟିତା ହେଉଛନ୍ତି ତ ! ଆଜିକାଲି ଓଡ଼ିଆ ମା- ଭଉଣୀମାନେ ଶିକ୍ଷିତା ହେଲେଣି, ଏଣୁ ଏସବୁ ଗୀତର ଅର୍ଥ ବୁଝିବା ପାଇଁ ସେମାନଙ୍କୁ କଷ୍ଟକର ହେଉ ନ ଥିବ ।

 

ମୁଁ ଝଙ୍କାରରେ (ଜାନୁୟାରୀ, ୧୯୭୭) ‘‘ଅତୀତ ଓଡିଶାର ନାରୀ’’ ଶୀର୍ଷକ ଯେଉଁ ପ୍ରବନ୍ଧ ପ୍ରକାଶ କରିଥିଲି, ସେଥିରେ ଉପେନ୍ଦ୍ର ଭଞ୍ଜଙ୍କ କବିତାର ନାରୀ ସମ୍ବନ୍ଧରେ କେତେକ ପ୍ରତିକୂଳ କଥା ଥିଲା । ଏ ବିଷୟରେ ଯଦି କାହାର କିଛି କହିବାର ଥିଲା, ତେବେ ସେମାନେ ପତ୍ରପତ୍ରିକାରେ ସେମାନଙ୍କ ବକ୍ତବ୍ୟ ପ୍ରକାଶ କରିପାରିଥାନ୍ତେ । କିନ୍ତୁ ଏମାନେ ତାହା ନ କରି କଟକ ରେଡ଼ିଓର ଆଶ୍ରୟ ନେଇଥିଲେ । କଟକରେ ଅନୁଷ୍ଠିତ ଏ ବର୍ଷର (୧୯୭୭ର) ସାତଦିନିଆ ଭଞ୍ଜଜୟନ୍ତୀ ଭିନ୍ନ ଆକାର ଧାରଣ କରିଥିଲା ଏବଂ କଟକ ରେଡ଼ିଓ ଏହାର ବିଶେଷ ପ୍ରଚାରର ମାଧ୍ୟମ ହୋଇଥିଲା । ଏହି ସମୟରେ ପରିଡ଼ା ପଦବୀଧାରୀ ଜଣେ ପଣ୍ଡିତ କଟକ ରେଡ଼ିଓରେ ଉପେନ୍ଦ୍ର ଭଞ୍ଜଙ୍କ ସମ୍ବନ୍ଧରେ ଯେଉଁ ଟକ୍‍ ବା ଭାଷଣ ଦେଇଥିଲେ, ସେପରି ଭାଷଣ ପୃଥିବୀର କୌଣସି ରେଡ଼ିଓରୁ ପ୍ରଚାରିତ ହୋଇପାରେ ବୋଲି ମୋର ବିଶ୍ୱାସ ହେଉ ନାହିଁ, ଅତୀତର ଅତିଭକ୍ତ ଓଡ଼ିଆମାନେ ସତ୍ୟର ସମ୍ମୁଖୀନ ହୋଇପାରନ୍ତି ନାହିଁ, କିନ୍ତୁ ଅସତ୍ୟକୁ ଏହିପରି ଭାବରେ ସ୍ଥାୟୀରୂପ ଦେବା ପାଇଁ ସର୍ବପ୍ରକାର ପ୍ରଚ୍ଛନ୍ନ ପନ୍ଥା ଅବଲମ୍ବନ କରନ୍ତି ।

 

ମୁଁ କୌଣସି ସନ୍ଥକୁ ନିନ୍ଦା କରେ ନାହିଁ । ଯେଉଁ ସନ୍ଥମାନେ ସମାଧି-ସମୁଦ୍ରରେ ବୁଡ଼ି ସତ୍ୟରତ୍ନ ଆହରଣ କରିଥିଲେ, ଯେଉଁମାନଙ୍କ ସାଧନାର ଲକ୍ଷ୍ୟ ଥିଲା ଅସତ୍ୟ ଓ ଅସମତା ଲୋପ କରି ଧରଣୀର ଦୁଃଖ ଦୂର କରିବା, ସେହି ମହାମାନବଙ୍କ ପାଦପଦ୍ମକୁ ମୁଁ ଦୁଃଖ ବେଳେ ଧ୍ୟାନ କରେ । କିନ୍ତୁ ସନ୍ଥମାନଙ୍କ ନେଇ ଯେଉଁ ବ୍ୟବସାୟ ଚାଲିଛି, ତାକୁ ମୁଁ ନିନ୍ଦା କରେ । ସନ୍ଥମାନଙ୍କ କଥା ଭାବିଲାବେଳେ ଆମ୍ଭମାନଙ୍କ ଦୃଷ୍ଟି ପାର୍ଶ୍ୱବର୍ତ୍ତୀ ବଙ୍ଗ ଉପରେ ହଁ ବେଶି ଭାବରେ ପଡ଼ିଥାଏ । ଆଧୁନିକ ଯୁଗରେ ବଙ୍ଗ ତୁଙ୍ଗସନ୍ଥପ୍ରସବିନୀ ହୋଇଛି । ରାଜା ରାମମୋହନ ରାୟ, ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ନିଗମାନନ୍ଦ ସରସ୍ୱତୀ, ଶ୍ରୀଶ୍ରୀ ଅନୁକୂଳ ଠାକୁର ପ୍ରଭୃତି ମହାନ୍ ସନ୍ଥମାନେ ଏହି ଭୂମିରେ ଜନ୍ମଗ୍ରହଣ କରିଥିଲେ । ଏମାନଙ୍କ ଦ୍ଵାରା ଧର୍ମକ୍ଷେତ୍ରରେ ବିଭିନ୍ନ ମାର୍ଗ ପ୍ରଦର୍ଶିତ ହୋଇଥିଲେ ହେ ସମସ୍ତଙ୍କ ମୂଳଲକ୍ଷ୍ୟ ଥିଲା ମାନବାତ୍ମାକୁ ଉନ୍ନତ କରିବା, ଅସତ୍ୟ ଓ ଅସମତାକୁ ଦୂର କରିବା, ପରିବାର ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବା, ପ୍ରତବେଶୀମାନଙ୍କୁ ସ୍ନେହ ଓ ସାହାଯ୍ୟ କରିବା ଏବଂ ସର୍ବୋପରି ସନାତନ ମହାନ୍ ହିନ୍ଦୁଧର୍ମରେ ଯେଉଁ ସତ୍ୟରତ୍ନ ହିଂସା, ଦ୍ୱେଷ, କୁସଂସ୍କାର, ଅନ୍ଧବିଶ୍ୱାସ ଇତ୍ୟାଦି ମଧ୍ୟରେ ମଳିନ ହୋଇଯାଇଛି, ତାକୁ ହିନ୍ଦୁମାନଙ୍କ ସମ୍ମୁଖରେ ସମୁଜ୍ଜଳ କରି ଦେଖାଇବା । କିନ୍ତୁ ପରବର୍ତ୍ତୀ କାଳରେ ଏମାନଙ୍କ ଧର୍ମବାଣୀ ବାକ୍ୟତଃ ଅନୁସୃତ ହୋଇଥିଲେ ହେଁ କାର୍ଯ୍ୟତଃ ଅନୁସୃତ ହୋଇ ନାହିଁ । ପରିବାର ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହୋଇପାରି ନାହିଁ, ପ୍ରତିବେଶୀମାନେ ଘୃଣା ଓ ତୁଚ୍ଛତାଚ୍ଛଲ୍ୟର ଶରବ୍ୟ ହେଉଥିବାରୁ ସେମାନଙ୍କ ମଧ୍ୟରେ ବିଦ୍ୱେଷ ବଢ଼ି ଚାଲିଛି ।

 

ଏହି ସନ୍ଥମାନଙ୍କ ଅନୁଗାମୀମାନଙ୍କ ମଧ୍ୟରୁ ଅନେକେ ନିଜ ସମ୍ପ୍ରଦାୟର ସାହିତ୍ୟ ଓ ଦୌଲତ ଦେଖାଇ ନିଜ ନିଜ ସଂସ୍ଥାର ବଡ଼ାଇ କରିଥାନ୍ତି, କିନ୍ତୁ ଏ ସମସ୍ତ ତୁଚ୍ଛ ପଦାର୍ଥ । ବୁଦ୍ଧଙ୍କ ପରେ ବହୁ ବୌଦ୍ଧମଠ ବିପୁଳ ଧନଶାଳୀ ହୋଇ ଉଠିଥିଲା, ପୋପ୍‍ ଖ୍ରୀଷ୍ଟଜଗତର ସମ୍ରାଟ ଥିଲେ, ଖାଲିଫ୍ ଇସଲମ୍ ଜଗତର ଅଧୀଶ୍ୱର ଥିଲେ । ଏମାନଙ୍କର କଅଣ ଦୌଲତର ଅଭାବ ଥିଲା ? କେହି କେହି ଏହି ସନ୍ଥମାନଙ୍କ ଧର୍ମବାଣୀ ‘‘ସାହେବମାନେ’’ ଗ୍ରହଣ କରିବାର ଦୃଷ୍ଟାନ୍ତ ଦେଖାଇ ସ୍ଵ ସ୍ୱ ସଂପ୍ରଦାୟର ପ୍ରାଧାନ୍ୟ ପ୍ରତିପାଦନ କରିବାକୁ ଚେଷ୍ଟା କରନ୍ତି । ଯେଉଁ ଧର୍ମବାଣୀ ପରିବାର ଓ ପ୍ରତିବେଶୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସୃଷ୍ଟି କରିପାରିଲା ନାହିଁ, ସେହି ଧର୍ମବାଣୀ ଦୂରଦେଶରେ ଥିବା ସାହେବମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ କଅଣ ସଫଳତା ଲାଭ କରିବ ? ସାହେବମାନଙ୍କ ମଧ୍ୟରୁ କେତେକ ନୂତନତାର ମୋହରେ ଗୋଟିଏ ନୂତନ ଭେକ ଧାରଣ କରିବା ପାଇଁ ଆଗ୍ରହୀ ହୋଇଥାନ୍ତି । ମୋ ପରି ଜଣେ ଅକିଞ୍ଚନ ଆଜି ଏ ମହାନ୍ ଧର୍ମସମ୍ପ୍ରଦାୟଗୁଡ଼ିକର ଅନୁଗାମୀବର୍ଗଙ୍କୁ କରଯୋଡ଼ି ପଚାରୁଛି –‘‘ଆଧୁନିକ ଆଧ୍ୟାତ୍ମିକତାର ଜନ୍ମଭୂମି ବଙ୍ଗର ଜନତା ମାର୍କସବାଦୀ ଶାସନକୁ ବରଣକଲା କାହିଁକି ?’’ ଯେଉଁ ଧର୍ମବାଣୀ ତାହାର ଜନ୍ମଭୂମିରେ ଫଳପ୍ରଦ ହୋଇପାରିଲା ନାହିଁ, ତାହା ଭାରତର ଅନ୍ୟତ୍ର ବା ଦୂର ଦେଶରେ ଫଳପ୍ରଦ ହେବ କିପରି ? ଅନୁଗାମୀବର୍ଗ ଅନ୍ୟକୁ ଯୁକ୍ତିଜାଲରେ ବିଭ୍ରାନ୍ତ ନ କରି ନିଜ ନିଜ ହୃଦୟରେ ଏହି ପ୍ରଶ୍ନମାନଙ୍କ ଉତ୍ତର ଖୋଜନ୍ତୁ । ପେଟରେ ଅସୀମ ଅସମତା ରଖି ମୁହଁରେ ସମତା ପ୍ରଚାର କଲେ ତାହା ଫଳପ୍ରଦ ହୁଏ ନାହିଁ । “ଯାହା ନ ଖାଇଲା ଝିଅ, ତାହା ଜୋଇଁ ପତରରେ ଦିଅ’’ ନୀତିରେ କାର୍ଯ୍ୟ କରୁଥିବା ଏହି ଧର୍ମସଂସ୍ଥାମାନ ଓଡ଼ିଶାର ଧାର୍ମିକ ଓ ନୈତିକ ଜୀବନକୁ ଉନ୍ନତ କରିପାରିବେ ନାହିଁ ।

 

ମୁଁ ନିନ୍ଦୁକ ବା ନାସ୍ତିକ ନୁହେଁ । ମୁଁ କାହାରିକୁ ନିନ୍ଦା କରେ ନାହିଁ । ତେବେ ମୁଁ ମୋ ଦୃଷ୍ଟିକୋଣରୁ ଓଡ଼ିଶାର ଧର୍ମ, ସଂସ୍କୃତି ଓ ସାହିତ୍ୟ ସମ୍ବନ୍ଧରେ ଯେଉଁ କଥା କହେ ବା ଲେଖେ, ସେଥିରେ ଅନେକେ ବିଚଳିତ ହୁଅନ୍ତି କାହିଁକି ? ଏହାର କାରଣ ଏହି ଯେ ଏ ସମସ୍ତରେ ଯେଉଁମାନେ ବ୍ୟବସାୟ ଚଳାଇଛନ୍ତି, ସେମାନଙ୍କ ବ୍ୟବସାୟରେ ବାଧା ଆସେ । ଜୟଦେବବିବାଦକୁ ଯେଉଁ ବ୍ୟବସାୟ କରାଗଲା, ସେଥିରୁ ତ ଓଡ଼ିଶାର କୌଣସି ଲାଭହେଲା ନାହିଁ; କିନ୍ତୁ ବ୍ୟବସାୟୀମାନେ ବେଶ୍‍ ଲାଭ ଉଠାଇନେଲେ । ଓଡ଼ିଶାର ଷାଠିଏ ବର୍ଷର ଜୟଦେବ ଆନ୍ଦୋଳନ ଫଳରେ ଜୟଦେବ କେବଳ ଓଡ଼ିଶାରେ ଓଡ଼ିଶାର କବି ବୋଲି ପରିଚିତ ହୋଇ ରହିଛନ୍ତି, କିନ୍ତୁ ଭାରତର ବାକି ସମସ୍ତ ଅଞ୍ଚଳରେ ଓ ପୃଥିବୀର ସର୍ବତ୍ର ସେ ବଙ୍ଗର କବି ବୋଲି ସୁପରିଚିତ ହୋଇଛନ୍ତି । ଏତିକିରେ କଅଣ ଓଡ଼ିଆମାନେ ସନ୍ତୁଷ୍ଟ ? ତେବେ ଓଡ଼ିଶାଟା କଅଣ ପୃଥିବୀ ? ବହୁ ବର୍ଷର ଆନ୍ଦୋଳନ ପରେ ଓଡ଼ିଶାରେ ଜୟଦେବ ସମ୍ବନ୍ଧୀୟ ଇଂରାଜୀରେ ଯେଉଁ ସୋଭେନୀର ବା ସାରକଗ୍ରନ୍ଥ ବାହାରିଲା, ତାହାର ସ୍ୱରୂପ ବିଶ୍ଲେଷଣ କଲେ ବିସ୍ମିତ ହେବାକୁ ପଡ଼େ-। ଏ ଗ୍ରନ୍ଥରେ ପୁରୀଜିଲ୍ଲାର ଯେଉଁ କେନ୍ଦୁଳିଗ୍ରାମକୁ ଜୟଦେବଙ୍କ ବାସସ୍ଥାନ ବୋଲି ବିସ୍ତୃତ ଆଲେଚନା କରାଗଲା, ତାହାର ଅବସ୍ଥିତି ପୁରୀ ଜିଲ୍ଲାର ରେଭେନ୍ୟୁ ମେପ୍‍ରେ ନାହିଁ । ଲିଙ୍ଗରାଜ ମନ୍ଦିରରେ ଗଙ୍ଗରାଜା ରାଘବଙ୍କ ସମୟର ଯେଉଁ ଶିଳାଲେଖ ଅଛି, ସେଥିରେ ଥିବା ‘‘ସାଧ ପ୍ରଧାନ ଜୟଦେବ’’ ଯେ ଗୀତଗୋବିନ୍ଦର କବି ଜୟଦେବ, ଏହା ପ୍ରମାଣିତ ହେଉ ନାହିଁ । ସମସ୍ତ ପଣ୍ଡିତ ଏହି “ସାଧୁପ୍ରଧାନ’’ଙ୍କୁ ବଣିକପ୍ରଧାନ ବୋଲି ଅର୍ଥ କରିବେ । ଯଦି ଟାଣିଓଟାରି ଏହାକୁ ସନ୍ଥପ୍ରଧାନ ବୋଲି ଅର୍ଥ କରଯାଏ, ତଥାପି ସୁଦ୍ଧା ପ୍ରମାଣିତ ହେଉ ନାହଁ ଯେ ଏହି ସନ୍ଥ ପ୍ରଧାନ ଜୟଦେବ ଗୀତଗୋବିନ୍ଦର ରଚୟିତା ସନ୍ଥ ଜୟଦେବ । ଗୀତଗୋବିନ୍ଦର କବି ଜୟଦେବଙ୍କ ଜନ୍ମ ମୃତ୍ୟୁର ସମୟ ସ୍ଥିର କରିବା ସମ୍ଭବପର ହୋଇନାହିଁ, ଏଣୁ ତାଙ୍କୁ ମୋଟାମୋଟିଭାବରେ ଦ୍ଵାଦଶ ଶତାବ୍ଦୀର କବି ବୋଲି ଧରାଯାଇଛି । ଓଡ଼ିଶାର ଗଙ୍ଗରାଜା ରାଘବ ୧୧୫୭ ରୁ ୧୧୭୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଏହି ସମୟ ମଧ୍ୟରେ ଗୀତଗୋବିନ୍ଦର କବି ଯେ ଜୀବିତ ଥିଲେ, ତାହାର କୌଣସି ପ୍ରମାଣ ନାହିଁ ।

 

ଅଥଚ ଲିଙ୍ଗରାଜ ମନ୍ଦିରର ଏହି ଶିଳାଲେଖକୁ ସୋଭେନୀର୍‍ରେ ଜୟଦେବଙ୍କ ଓଡ଼ିଶା ଅଧିବାସୀତ୍ୱ ସମ୍ୱନ୍ଧରେ ଗୋଟିଏ ବଡ଼ପ୍ରମାଣ ବୋଲି ଧରାଯାଇଛି । ଏହି ଆଲୋଚନା ଚାଲିଥିବାବେଳେ ଦୁଇଟି ଶିଳାଲେଖ ଜାଲ୍‍ କରାଯାଇଥିଲା । ଦୁଇଜଣ ମନ୍ତ୍ରୀଙ୍କ ନିଷ୍ପତ୍ତିମୂଳକ ଅଭିମତ ନେଇ ଏହି ସୋଭେନୀରରେ ସନ୍ନିବେଶ କରାଯାଇଥିଲା । ଏହି ସମୟରେ ବଲାଙ୍ଗିର- ପାଟନାର "ଚୌହାନ’’ ରାଜବଂଶ ସମ୍ବନ୍ଧରେ ଜୋର୍‍ସୋର୍‍ରେ ଗବେଷଣା ଚାଲିଥିଲା । ଏ ସମସ୍ତ ଗବେଷଣାର ଫଳରୁ ମନ୍ତ୍ରୀମାନେ କେତେ ଭାଗ ପାଇଲେ, ଓଡ଼ିଆମାନେ କେତେ ଭାଗ ପାଇଲେ ଏବଂ ସମ୍ପାଦକ, ଲେଖକ ଓ ଉଦ୍ୟୋକ୍ତାମାନେ କେତେ ଭାଗ ପାଇଲେ, ଏ ସମସ୍ତ ଅନ୍ୟ ଅନୁସନ୍ଧିତ୍ସୁମାନେ ସ୍ଥିର କରନ୍ତୁ । ମୁଁ ଏ ଫଳରୁ ଓଡ଼ିଆମାନଙ୍କ ଭାଗରେ କୌଣସି ଅଂଶ ପଡ଼ିଥିବାର ପ୍ରମାଣ ପାଉ ନାହିଁ ।

 

ଆମ୍ଭେମାନେ ବ୍ୟକ୍ତିଗତ ଦୋଷକୁ ଜାତିଗତ ଦୋଷ ବୋଲି ଧରିନେଇ ବିଦ୍ୱେଷର ବହ୍ନି ଜାଳିଦେଉ । ନିକଟରେ କଲିକତାର Hindusthan Standardରେ ପ୍ରକାଶିତ ଗୋଟିଏ ଟିପ୍‍ପଣୀକୁ କେନ୍ଦ୍ର କରି ଯେଉଁ ବିଦ୍ୱେଷର ବହ୍ନି ଜାଳି ଦିଆଯାଇଥିଲା । ତାହା ଏ ଉକ୍ତିର ଜ୍ୱଳନ୍ତ ଉଦାହରଣ । ଏହି ଇଂରାଜୀ ପତ୍ରିକାର ଜଣେ ସହକାରୀଙ୍କ ସମ୍ପାଦକ ସମ୍ପାଦକୀୟ ପୃଷ୍ଠାରେ ପଶ୍ଚିମବଙ୍ଗରେ ଶହେଜଣ ଓଡ଼ିଆ ଡାକ୍ତରଙ୍କ ନିଯୁକ୍ତି ସମ୍ବନ୍ଧୀୟ ସମ୍ୱାଦ ଉପରେ ବ୍ୟଙ୍ଗମନ୍ତବ୍ୟ ପ୍ରକାଶ କରି ଲେଖିଲେ ଯେ ଆଗେ ଓଡ଼ିଆମାନେ ବଙ୍ଗାଳୀ-- ମାନଙ୍କ ପେଟର ଭାର ନେବାକୁ ଆସୁଥିଲେ ! କିନ୍ତୁ ଏବେ ସେମାନେ ବଙ୍ଗାଳୀମାନଙ୍କ ଦେହର ଭାର ନେବାକୁ ଆସିଲେଣି ! ଏପରି ମନ୍ତବ୍ୟର ପ୍ରତିମନ୍ତବ୍ୟ ନିମ୍ନୋକ୍ତମତେ ଓଡ଼ିଆ ଖବରକାଗଜରେ ପ୍ରକାଶ କରାଯାଇଥିଲେ ବିଦ୍ୱେଷର ବହ୍ନି ଜଳି ନ ଥାନ୍ତା ।

 

‘‘କଲିକତାର ବିଖ୍ୟାତ Hindusthan Standard ପତ୍ରିକାର ଜଣେ ସହକାରୀ ସମ୍ପାଦକ ପଶ୍ଚିମବଙ୍ଗରେ ଶହେ ଜଣ ଓଡ଼ିଆ ଡାକ୍ତରଙ୍କ ନିଯୁକ୍ତି ସମ୍ବନ୍ଧରେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ଆଗେ ଓଡ଼ିଆମାନେ ବଙ୍ଗଳୀମାନଙ୍କ ପେଟର ଭାର ନେବାକୁ ବଙ୍ଗକୁ ଆସୁଥିଲେ, କିନ୍ତୁ ଏବେ ସେମାନେ ବଙ୍ଗାଳୀମାନଙ୍କ ଦେହର ଭାର ନେବାକୁ ଆସିଲେଣି ଏହି ସମ୍ପାଦକଙ୍କ ପରି ଆଉ କେତେକ ବଙ୍ଗାଳୀ ମଧ୍ୟ ଅଛନ୍ତି ଯେଉଁମାନେ କି ଅଦ୍ୟାପି ବ୍ରିଟିଶ ରାଜତ୍ୱର ପ୍ରାରମ୍ଭରେ ଥିଲା ପରି ମନେହୁଏ । ଏହା ମଧ୍ୟରେ ଭାରତର ଶିକ୍ଷାକ୍ଷେତ୍ରରେ ଯେଉଁ ବିପୁଳ ପରିବର୍ତ୍ତନ ଘଟିଯାଇଛି, ଏମାନେ ତାହା ଜାଣନ୍ତି ନାହିଁ । ଏମାନେ ଏହିପରି ଅବସ୍ଥାରେ ସବୁଦିନେ ରହିଲେ, ଅଦୂରଭବିଷ୍ୟତ୍‍ରେ ଓଡ଼ିଆମାନେ ଏମାନଙ୍କ ମସ୍ତିସ୍କର ଭାର ନେବା ପାଇଁ ପଶ୍ଚିମବଙ୍ଗକୁ ଯିବେ ।’’

 

କିନ୍ତୁ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ରେ ପ୍ରକାଶିତ ଏହି ମନ୍ତବ୍ୟ ଓଡ଼ିଶାର ପ୍ରେସ୍‍ରେ ଯେଉଁପରି ଭାବରେ ଅଲୋଚିତ ହେଲା, ସେଥିରେ ଓଡ଼ିଶାର ଯୁବଜନତା ଉତ୍‌କ୍ଷିପ୍ତ ହୋଇ ଉଠିଲା । ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ର ସମ୍ପାଦକ ତଥା କଲିକତାର ସାମ୍ବାଦିକ ସଂଘ ଉଲ୍ଲିଖିତ ମନ୍ତବ୍ୟକୁ ନାପସନ୍ଦ କରି ଲେଖାମାନ ପ୍ରକାଶ କରିବା ପରେ ମଧ୍ୟ ଓଡ଼ିଶାର ଯୁବଜନତା ଶାନ୍ତ ହୋଇ ନ ଥିଲା । ଫଳରେ କେତେକ ଦିନ ଧରି ଟ୍ରେନ୍‍ରେ ଓଡ଼ିଆ-ବଙ୍ଗାଳୀ ମଧ୍ୟରେ ଯେଉଁ ଖଣ୍ଡଯୁଦ୍ଧ ଚାଲିଥିଲା, ସେ ସମ୍ବନ୍ଧରେ ଓଡ଼ିଶାର ଭବିଷ୍ୟତ ଇତିହାସ ଦୁଃଖର ସହିତ ଲିପିବଦ୍ଧ କରିବ ।

 

ବଙ୍ଗାଳୀ-ଓଡ଼ିଆମାନଙ୍କ ଏ ଖଣ୍ଡଯୁଦ୍ଧ ଫଳରେ ଉଭୟ ଭାଷାଭାଷୀଙ୍କ ମଧ୍ୟରେ ବିଦ୍ୱେଷ ବୃଦ୍ଧି ପାଇଥିଲା । ଉଭୟ ଦଳର ବହୁ ବ୍ୟକ୍ତି ଖଣ୍ଡିଆଖାବରା ହୋଇଥିଲେ; ମାତ୍ର ଓଡ଼ିଆମାନେ ବେଶି ଖଣ୍ଡିଆଖାବରା ହୋଇଥିଲେ । ଉଭୟ ପକ୍ଷରୁ ବହୁ ଧନହାନି ଘଟିଥିଲା, ମାତ୍ର ଓଡ଼ିଆମାନଙ୍କ ବେଶି ଧନ-ହାନି ହୋଇଥିଲା । ଦୁଇଜଣ ଓଡ଼ିଆ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଗୁଳିମାଡ଼ରେ ନିହତ ହୋଇଥିଲେ, କିନ୍ତୁ କୌଣସି ବଙ୍ଗାଳୀ ନିହତ ହୋଇ ନ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ବାଧ୍ୟ ହୋଇ ଶହେକଣ ଓଡ଼ିଆ ଡାକ୍ତରଙ୍କ ନିଯୁକ୍ତିକୁ ବାତିଲ୍‍ କରିଦେଇଥିଲେ । ଫଳରେ ଶହେଜଣ ଓଡ଼ିଆ ଡାକ୍ତର କର୍ମ-ନଯୁକ୍ତିରୁ ବଞ୍ଚିତ ହୋଇଥିଲେ । ଏଣୁ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ର ସହକାରୀ ସମ୍ପାଦକଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ ସଫଳ ହୋଇଥିଲା । ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ ।

 

ମୁଁ ଛାତ୍ରାବସ୍ଥାରେ କଲିକତାର ମେଟ୍ରୋ ସିନାମାରେ ଜୀଅଁନ୍ତା କୁମ୍ଭୀର କିପରି ଧରା ହୁଅନ୍ତି, ତାହାର ଏକ ଦୃଶ୍ୟ ଦେଖିଥିଲି । କୁମ୍ଭୀର ଖରାରେ ଶୋଇଥିବାବେଳେ ଜଣେ ଆସି ତାହାର ଲଞ୍ଜଟାକୁ ଗୋଟିଏ ଲମ୍ବା ବାଡ଼ିରେ ଟିକିଏ ଖେଞ୍ଚିଦିଅନ୍ତି । ଜନ୍ତୁଟି ସଙ୍ଗେ ସଙ୍ଗେ ପାଟିଟାକୁ ଆଁ କରିଦିଏ । ଏତିକିବେଳେ ଦୁଇଜଣ ଲୋକ ଗୋଟିଏ ଲମ୍ବା ଦଣ୍ଡା ତାହାର ପାଟିରେ ଆଡ଼ ଭାବରେ ପୂରାଇ ଦେଇ ଦଣ୍ଡାର ଦୁଇମୁଣ୍ଡରେ ମାଡ଼ି ବସନ୍ତି । ଏତିକିରେ କୁମ୍ଭୀର ଜବଦ୍ ହୋଇଯାଏ । ଏହାପରେ ଦଳେ ଲୋକ ତା ପାଟିକୁ ଦଉଡ଼ିରେ ବାନ୍ଧି ଦେଇ ଓ ଦଣ୍ଡାଟିକୁ ତା ପାଟିରୁ କାଢ଼ିନେଇ ତାକୁ ଜୀଅନ୍ତା ଘେନି ଯା’ନ୍ତି । ମନୁଷ୍ୟ କୁମ୍ଭୀର ନୁହେଁ । ସେ କେବଳ କ୍ରୋଧ ଓ ଭାବପ୍ରବଣତା ଦ୍ୱାରା ପରିଚାଳିତ ନ ହୋଇ ଜ୍ଞାନ ଓ ବୁଦ୍ଧି ଦ୍ୱାରା ପରିଚାଳିତ ହୁଏ । ମନୁଷ୍ୟସମାଜର ତରୁଣମାନେ କ୍ରୋଧ ଓ ଭାବପ୍ରବଣତା ଦ୍ଵାରା ପରିଚାଳିତ ହେବା ସ୍ୱାଭାବିକ; କିନ୍ତୁ ଓଡ଼ିଶାରେ ବୃଦ୍ଧମାନଙ୍କଠାରେ ମଧ୍ୟ ଏହି ସବୁ ଦୋଷ ଦେଖାଯାଏ । କେହି ଆମ୍ଭମାନଙ୍କୁ କୁଲି ଓ ପାଚକର ଜାତି ବୋଲି କହିଦେଲେ ଆମ୍ଭେମାନେ ଏତେ ଉତ୍ତ୍ୟକ୍ତ ହୋଇଯାଉ କାହିଁକି ? ଏହା କଅଣ ସତ୍ୟ ନୁହେଁ ? ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଶତକରା ୮୦ ଭାଗ ଲୋକ ଦାରିଦ୍ରର ସୀମାରେଖା ତଳେ ଅଛନ୍ତି ଏବଂ ସହସ୍ର ସହସ୍ର ଓଡ଼ିଆ କୁଲି ଓ ପାଚକ ରୂପେ ଓଡ଼ିଶା ବାହାରକୁ ଯାଉଛନ୍ତି । ଗଣକବି ବୈଷ୍ଣବ ପାଣି ଆଧୁନିକ ଓଡ଼ିଆମାନଙ୍କ ଗୋଟିଏ ବାସ୍ତବ ଚିତ୍ର ଆଙ୍କି ଯାଇଛନ୍ତି :

 

ଆସ କିଏ ଯିବ ରେ କଲିକତାକୁ ଚାଲ

ଟିକଟ କାଟିବା ରେଳରେ ବସିବା ଦେଖିବା ହାବୋଡ଼ା ପୋଲ ରେ,

ଝୋଟ ମୁଣ୍ଡାଇବା ମୁଣ୍ଡରେ ଝୋଟ ପଶିଯିବ ତୁଣ୍ଡରେ ।

ପେଟ ପାଇଁ ଯଦି ଖଣ୍ଟପଣ କଲ ଜିହଲରେ ଘଣା ପେଲରେ ।

 

ପେଟ ସାଇଁ ଖଣ୍ଟପଣ ନ କଲେ କେହି ଜିହଲରେ ଘଣା ପେଲେ ନାହିଁ । କୁଲି, ପାଚକ ଇତ୍ୟାଦିର କର୍ମ ନୀଚକର୍ମ ନୁହେଁ । ଏ ସମସ୍ତ କର୍ମ ମନୁଷ୍ୟ ସୃଷ୍ଟିର ପ୍ରାରମ୍ଭରୁ ରହିଛି ଏବଂ ଚିରକାଳ ରହିବ । ସାମ୍ରାଜ୍ୟବାଦୀ ଇଂରେଜମାନେ ସାମ୍ରାଜ୍ୟବାଦିତାର ଆଡ଼ମ୍ୱର ରକ୍ଷାକରିବା ପାଇଁ ଭାରତରେ ବାବୁ ଓ କୁଲିମାନଙ୍କ ମଧ୍ୟରେ ଦୀର୍ଘ ବ୍ୟବଧାନ ରଖିଥିଲେ । ଏପରି ବ୍ୟବଧାନ ସେମାନଙ୍କ ମଧ୍ୟରେ ନ ଥିଲା କିମ୍ୱା ପାଶ୍ଚାତ୍ୟଜଗତରେ ନ ଥିଲା । କ୍ରମେ ଭାରତରେ ମଧ୍ୟ ଏହି ଦୀର୍ଘ ବ୍ୟବଧାନ ସଙ୍କୁଚିତ ହୋଇ ଆସୁଛି ଏବଂ ଅଳ୍ପକାଳ ମଧ୍ୟରେ ଏ ବ୍ୟବଧାନ ଆଉ ରହିବ ନାହିଁ । ସେତେବେଳେ ବାବୁ ବେଶି ସୁଖୀ କିମ୍ବା କୁଲି ବେଶି ସୁଖୀ ତାହା ସ୍ଥିର କରିହେବ ନାହିଁ । ପାଶ୍ଚାତ୍ୟ ଜଗତରେ ଜଣେ ପାଚକର ମୂଲ୍ୟ ଓ ମର୍ଯ୍ୟାଦା ଯେ କେତେ ବଡ଼, ତାହା ଦିଲ୍ଲୀର ଅଶୋକା ହୋଟେଲର ଚିଫ୍‍ କୁକଙ୍କ ଦରମା ଓ ମର୍ଯ୍ୟାଦାରୁ ଜଣାପଡ଼େ । ଏହି ଚିଫ୍‍ କୁକ୍‍ଙ୍କର ଯୋଗ୍ୟତା ପରି ଯୋଗ୍ୟତା ଥିଲେ, ଭାରତର ଚିଫ୍ ସେକ୍ରେଟାରୀମାନେ ମଧ୍ୟ ଏହି ପୋଷ୍ଟ ପାଇଁ ଦରଖାସ୍ତ କରିଥାନ୍ତେ । ଏ ହୋଟେଲର ଚିଫ୍‍ କୁକ୍ ଯେଉଁ ଦିବ୍ୟଭୋଜନ କରନ୍ତି, ତାହା ଉଚ୍ଚ ରାଜକର୍ମଚାରୀମାନେ ମଧ୍ୟ ଆଖିରେ ଦେଖି ନ ଥିବେ । ଆମ୍ଭମାନଙ୍କୁ କେହି ଚାକର ପାଚକ ଇତ୍ୟାଦି କହିଦେଲେ ଆମ୍ଭେମାନେ କୁମ୍ଭୀର ପରି ପାଟିଟାକୁ ଆଁ କରିଦେଉ କାହିଁକି ? ଏହାର କାରଣ ଏହି ଯେ ସତ୍ୟ ଓ ବାସ୍ତବତାର ସମ୍ମୁଖୀନ ହେବା ପାଇଁ ଆମ୍ଭମାନଙ୍କର ସାହସ ନାହିଁ ।

 

ଓଡ଼ିଆମାନଙ୍କ ଭାବପ୍ରବଣତା ବଢ଼ିବା ସଙ୍ଗେ ସଙ୍ଗେ ଜାତିଢ଼ମ ବଢ଼ିଚାଲିଛି । ମୋର ପୂର୍ବପୁରୁଷମାନେ ସାମନ୍ତ, ଶାସନୀ, ବାଟକାଟିଆ, ଓଡ଼ିଆ, ଝାଡ଼ୁଆ, ଚକୁଳିଆ, କାଠମାଳିଆ, ତୁଳାଟିଆ, ସାରୁଆ, ହଳୁଆ, ଋକ୍‍ବେଦୀ, ଯଜୁର୍ବେଦୀ, ସାମବେଦୀ ବା ଅଥର୍ବବେଦୀ ଥିଲେ; ତାହାର ଇତିହାସ ମୋତେ ଜଣା ନାହିଁ । ମୟୁରଭଞ୍ଜ ମହାରାଜାଙ୍କ ଠାରୁ ଶାସନଭାଗଟିଏ ପାଇବା ପରେ ମୁଁ ଶାସନୀ ହୋଇଯାଇଛି । ବସ୍ତୁତଃ ନିଜ ଜାତିର ଯେଉଁମାନେ ବଡ଼ାଇ କରନ୍ତି ସେମାନେ ନିଜ ପରିବାରର ଦୁଇତିନି ପୁରୁଷର ଇତିହାସ ମଧ୍ୟ କହିପାରିବେ ନାହିଁ । ଆମ ଗାଁ ପାଖର ଗୋଟିଏ ଶାସନର ବ୍ରାହ୍ମଣମାନଙ୍କୁ ଜୟା ବ୍ରାହ୍ମଣ କୁହାଯାଏ । କିମ୍ବଦନ୍ତୀ ଅଛି ଯେ ଏମାନେ ଯୁଦ୍ଧରେ ଜୟ କରିଥିବାରୁ ରାଜା ଏମାନଙ୍କୁ ଶାସନ ଦାନ କରିଥିଲେ । ଏମାନେ ମୂଳତଃ କେଉଁ ଜାତି ଥିଲେ, ତାହା ଜଣା ନାହିଁ । ଓଡ଼ିଶାର କ୍ଷତ୍ରିୟମାନଙ୍କ ଇତିହାସ ଖୋଜି ବସିଲେ ଏହିପରି ବହୁ ଅପ୍ରୀତିକର କଥା ବାହାରି ପଡ଼ିବ । ବହୁ କ୍ଷତ୍ରିୟ ରାଜାମହାରାଜା ମୂଳତଃ ଆଦିବାସୀ କିମ୍ୱା ଦସ୍ୟୁସର୍ଦ୍ଦାର ଥିଲେ । ଏବେ ଓଡ଼ିଶାର ଏହି ରଜାମହାରାଜାମାନଙ୍କ ବଂଶଧରମାନେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ଚୌହାନ ବଂଶୀ ଇତ୍ୟାଦି ହୋଇଯାଇଛନ୍ତି । ବହୁ ବ୍ୟକ୍ତି ଓ ବଂଶ ଲେଖୁ ଲେଖୁ କରଣ ହୋଇ ଯାଇଛନ୍ତି । ଏମାନଙ୍କ ମଧ୍ୟରୁ କେତେକ କ୍ଷମତା ଓ ଧନ ପାଇ ଶ୍ରୀକରଣ ବୋଲାଇଛନ୍ତି । ଯୁଦ୍ଧରେ ଯେଉଁମାନେ ଖଣ୍ଡା ଧରିପାରୁଥିଲେ, ସେମାନେ ଖଣ୍ଡାୟତ ହୋଇଯାଇଛନ୍ତି । ମୂଷିକବୃଦ୍ଧି ବା ଗଜକ୍ଷୟ ନ୍ୟାୟରେ ଏହି ଜାତିମାନଙ୍କ ଉତ୍‍ଥାନ-ପତନ ଘଟିଛି । ଧନ ଓ କ୍ଷମତା ପାଇଥବା ହେତୁ ଯେଉଁମାନେ ମୂଷିକରୁ ଗଜ ହୋଇପାରିଥିଲେ, ସେମାନେ ଏସବୁ ହରାଇବା ପରେ ପୁଣି ମୂଷିକ ହୋଇଯାଇଛନ୍ତି । ଏଣୁ ଇତିହାସ ଜାତି-ବଡ଼ିମାକୁ ଉପହାସ କରେ ଏବଂ ତା ସଙ୍ଗରେ ମୁଁ ମଧ୍ୟ ଉପହାସ କରେ । ଓଡ଼ିଆମାନେ ଯେ ଜାତି ପ୍ରଥାରେ ଖୁବ୍ ବିଶ୍ୱାସ କରନ୍ତି, ଏହା ସତ୍ୟ ନୁହେଁ-। ସ୍ୱାର୍ଥସାଧନ ପାଇଁ ଏମାନେ ଗୋଟିଏ ଜାତିର ଲାଞ୍ଜ ଧରି ବହୁ ସମୟରେ ତପ୍ତ ବାଲୁକା-ବୈତରଣୀ ପାର ହେବାକୁ ଚେଷ୍ଟାକରନ୍ତି ।

 

ମୋ ସମୟର ଓଡ଼ିଶାରେ ଡକ୍ଟରେଟ୍‍ରୁ ଅନ୍ୟ ଏକପ୍ରକାର ଢମ ବାହାରୁଛି । ଏହା ହେଉଛି ପାଣ୍ଡିତ୍ୟର ଢମ । ମୋ ଜୀବନକାଳରେ ମୁଁ ଦେଖିଛି ଯେ ଯେଉଁମାନେ ଥିସିସ୍‍ ବା ସନ୍ଦର୍ଭ ଲେଖିପାରନ୍ତି, ସେମାନେ ବଡ଼ ବା ସାନ ଡକ୍ଟରେଟଟିଏ ପାଇ ପାରି ଯାଆନ୍ତି । ମୋ ଜାଣିବାରେ କେବଳ ଜଣେ ବ୍ୟକ୍ତି ଥିସିସ୍ ଦାଖଲ କରି ଡକ୍ଟରେଟ୍ ପାଇ ପାରିଛନ୍ତି । ବାକି ସମସ୍ତେ ଥିସିସ୍ ଦାଖଲ କରି ଦେଶୀ ବା ବିଦେଶୀ ଡକ୍ଟରେଟ୍ ପାଇ ପାରିଛନ୍ତି । ଏଥିରେ ପୁଣି ବହୁ କାରସାଦି ଓ ହାତସଫେଇ ଚାଲିଛି । ଯେଉଁମାନେ ଏମ୍.ଏ. ବା ଏମ୍. ଏସ୍‍ସି. ପରୀକ୍ଷା ଦିଅନ୍ତି, ସେମାନଙ୍କ ମଧ୍ୟରୁ କେତେକ ଥାର୍ଡ଼କ୍ଳାସ ପାଆନ୍ତି କିମ୍ୱା ଫେଲ୍‍ ହୋଇଯାନ୍ତି । କିନ୍ତୁ ଯେଉଁମାନେ ଅଫିସ୍‍ ଲେଖନ୍ତି, ସେମାନଙ୍କର ଫେଲ୍‍ ହୋଇଯିବାର ବା ଥାର୍ଡ଼କ୍ଲାସ ପାଇବାର ସମ୍ଭାବନା ନ ଥାଏ । ଏଥିରୁ ଜଣାଯିବ ଯେ ଡକ୍ଟରେଟ୍‍ ପାଇବା ଗୋଟିଏ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ । ଓଡ଼ିଶା ସରକାର ଡକ୍ଟରେଟ୍‍ ସହିତ ଗୋଟିଏ ପଚାଶଟଙ୍କାର ଥଳି ଝୁଲାଇ ଦେଇଛନ୍ତି; ଏଣୁ ଡକ୍ଟରେଟ୍‍ ସଂଖ୍ୟା ବଢ଼ି ଚାଲିଛି । ମୋ ଭାଗ୍ୟରେ ସାନ ଡକ୍ଟରେଟ୍‍ଟିଏ ପଡ଼ିଥଲା । ସେହି ପଚାଶଟଙ୍କାର ସୁବିଧା ପାଇବା ପାଇଁ ମୁଁ ପାଟନାରୁ ଓଡ଼ିଶା ସରକାରଙ୍କୁ ଆବେଦନ କରିଥିଲି । ଓଡ଼ିଶା ସରକାର ଏହି ଟଙ୍କା ମଞ୍ଜୁର କରିଥିଲେ ମୋର ଦରମା ଟିକିଏ ବଢ଼ି ଯାଇଥାନ୍ତା; ଅଥଚ ଓଡ଼ିଶା ସରକାରଙ୍କୁ ତାହା ଦେବାକୁ ପଡ଼ି ନ ଥାନ୍ତା । ମୁଁ ସେତେବେଲେ ଭାରତ ସରକାରଙ୍କ ଅଧୀନରେ ଥିବାରୁ ଭାରତ ସରକାର ହିଁ ମୋତେ ତାହା ଦେଇଥାନ୍ତେ । ଓଡ଼ିଶା ସରକାରଙ୍କ ପାଖକୁ ପଠାଇଥିବା ମୋର ଏ ସମ୍ବନ୍ଧୀୟ ଆବେଦନର କେବଳ ଗୋଟିଏ ଶବ୍ଦରେ ଉତ୍ତର ଯାଇଥିଲା–Rejected ଉତ୍ତର ପାଇ ଭାବିଲି ଡକ୍ଟରେଟ୍‍ରୁ କିଛି ପାଇଲି ନାହିଁ -‘‘ଧନ୍ୟ ଭଗବାନ, ବାସନାବିହୀନ କରି କଲ ପରିତ୍ରାଣ ।’’ ମୋର ସଂସ୍କୃତିପ୍ରୀତି ସେ ବ୍ୟବସାୟଭିତ୍ତିକ ନୁହେ, ଭଗବାନ୍ ଏହା ଦେଖାଇଦେଲେ ।

 

କିନ୍ତୁ ଏ କଥା ସ୍ଵୀକାର କରିବାକୁ ହେବ ଯେ ଡକ୍ଟରେଟ୍ ପାଇଁ ଦାଖଲ କରାହୋଇଥିବା ଥିସିସ୍‍ମାନଙ୍କ ମଧ୍ୟରୁ ଅନେକ ମାମୁଲି ହୋଇଥିଲେ ହେଁ, ସେମାନଙ୍କ ମଧ୍ୟରୁ କେତେକରେ ଅତି ଉତ୍କୃଷ୍ଟ ଧରଣର ଅଦଦାନ ମଧ୍ୟ ରହିଥାଏ । ସର୍ବ ବିଷୟରୁ ଏହି ଉତ୍କୃଷ୍ଟ ଧରଣର ଥିସିସ୍‍ମାନଙ୍କୁ ବାଛି ଯଦି ସରକାର ବା ବିଶ୍ୱବିଦ୍ୟାଳୟମାନଙ୍କ ଦ୍ୱାରା ସେଗୁଡ଼ିକୁ ପ୍ରକାଶ କରାଯାଆନ୍ତା, ତେବେ ଓଡ଼ିଶାର ସାଂସ୍କୃତିକ ଦାରିଦ୍ର୍ୟ ଅନେକ ପରିମାଣରେ କମି ଯାଆନ୍ତା । ପରୀକ୍ଷା ଦ୍ୱାରା ଜଣାଗଲାଣି ଯେ ଓଡ଼ିଶାରେ ସମବେତ ଚେଷ୍ଟା ଦ୍ୱାରା କୌଣସି ସାଂସ୍କୃତିକ ପ୍ରଗତି ଘଟୁନାହିଁ । ଏଣୁ ସମବେତ ଚେଷ୍ଟାକୁ ଉତ୍ସାହିତ ନ କରି ବ୍ୟକ୍ତିଗତ ଚେଷ୍ଟାରୁ ପ୍ରସୂତ ଉତ୍କୃଷ୍ଟ ଥିସିସ୍‍ମାନଙ୍କ ପ୍ରକାଶନ ପାଇଁ ସର୍ବସାହାଯ୍ୟ ଦେବା ବିଧେୟ ବୋଲି ମନେହେଉଛି ।

 

ମୋ ସମୟର ଓଡ଼ିଶାରେ ଆଉ ଅନ୍ୟ ଏକପ୍ରକାର ଢମ ଚାଲିଛି । ଏହା ହେଉଛି ଉପାଧି ଢମ । ଉପାଧିମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କଠାରୁ ମିଳୁଥିବା ପଦ୍ମଶ୍ରୀ ଇତ୍ୟାଦିକୁ ମୂଲ୍ୟବାନ୍‍ ବୋଲି ମନେକରାଯାଉଥିଲା । କୌଣସି ଓଡ଼ିଆ ଭାରତରତ୍ନ ବା ପଦ୍ମବିଭୂଷଣ ହୋଇ ନ ଥିଲେ । ସାମାନ୍ୟ କେତେ ଜଣ ପଦ୍ମଭୂଷଣ ଓ ଅପକ୍ଷାକୃତ ବେଶି ଜଣ ପଦ୍ମଶ୍ରୀ ପାଇଥିଲେ । ଏଣୁ ପଦ୍ମଶ୍ରୀ ମୋ ଭାଗରେ ପଡ଼ିଥିଲା । ଏହି ଉପାଧି ପାଇବା ପରେ ପରେ ଓଡ଼ିଶାରୁ ଓ ଓଡ଼ିଶା ବାହାରୁ ବହୁ ବ୍ୟକ୍ତି ମୋତେ ଅଭିନନ୍ଦନ ଜଣାଇଥିଲେ । କେତେକ ଏହା ଜରିଆରେ ସ୍ୱାର୍ଥସାଧନର ଚେଷ୍ଟା କରିଥିଲେ । ସ୍ୱାର୍ଥନ୍ୱେଷୀମାନଙ୍କ ମଧ୍ୟରୁ କେତେକଙ୍କ ସହିତ ମୋର ଯେଉଁପରି କଥୋପକଥନ ହେଉଥିଲା, ତାହାର ନମୁନା ନିମ୍ନରେ ଦେଉଛି ।

 

ପ୍ରଶ୍ନକର୍ତ୍ତା

ପଦ୍ମଶ୍ରୀ ପାଇଗଲେ ?

ମୁଁ

ହଁ ବାବୁ (କିମ୍ବା ଆଜ୍ଞା) ପାଇଗଲି ।

ପ୍ରଶ୍ନକର୍ତ୍ତା

ଏ ଉପାଧି କିପରି ପାଇଲେ ଜାଣନ୍ତି କି ?

ମୁଁ

ନାହିଁ, ବାବୁ (କିମ୍ୱା ଆଜ୍ଞା), ଜାଣେ ନାହିଁ । ମୁଁ ତ ଏ ଉପାଧି ପାଇଁ କାହାରି ପାଖକୁ ଯାଇ ନ ଥିଲି । ପ୍ରଶ୍ନକର୍ତ୍ତା-ତେବେ ଜାଣି ରଖନ୍ତୁ, ଆମର ସାହେବ (କିମ୍ୱା ନେତା) ଆପଣଙ୍କ ସମ୍ବନ୍ଧରେ ଏତେ ବେଶି ସୁପାରିଶ୍‍ କଲେ ଯେ ଆପଣଙ୍କୁ ପଦ୍ମଶ୍ରୀ ମିଳିଗଲା ।

ମୁଁ

ହେଉ, ହେଲା, ତାଙ୍କୁ କହିଦେବ ଯେ ମୁଁ ତାଙ୍କଠାରେ କୃତଜ୍ଞ ।

ପ୍ରଶ୍ନକର୍ତ୍ତା

ନାହିଁ ! ତାଙ୍କ ସଙ୍ଗରେ ଦେଖାହେଲେ ଆପଣ କହିବେ Thank you.

ମୁଁ

ହେଉ, ତାଙ୍କ ସଙ୍ଗରେ ଦେଖାହେଲେ ମୁଁ କହିବି Thank you.

 

ଏ ଖେଳରେ ମୋର ପୂର୍ବତନ ଛାତ୍ରମାନେ ମଧ୍ୟ ଯୋଗଦେଲେ । ସେମାନେ ଭାବିଲେ ଯେ ସାର୍ ଗୋଟିଏ ଗଧ, କିନ୍ତୁ କେହି ମୋର ଆତ୍ମାର କ୍ରନ୍ଦନ ଶୁଣିଲେ ନାହିଁ । ଏ ଉପାଧିଟି ଚାଲିଯିବାରୁ ମୁଁ ଶାନ୍ତି ପାଇଲି ।

 

ଓଡ଼ିଶାର ବୀରଗାଥାରୁ କେବଳ ଢମ, ଧର୍ମ ଓ ପ୍ରେମ ବାହାରୁଛି । ଏଥି ମଧ୍ୟରୁ ପ୍ରେମ ହିଁ ପ୍ରାଧାନ୍ୟ ପାଉଛି । ଓଡ଼ିଶା ଇତିହାସରେ ବହୁ ବୀରଗାଥା ଅଛି; କିନ୍ତୁ ଏତେ ପରିଶ୍ରମ କରି ଖୋଜୁଛି କିଏ ? ଯାହା ହାତ ପାଖରେ ମିଲିଗଲା ଏବଂ ଯେଉଁଥିରେ ପ୍ରେମ ଲାଗି ରହିଛି, ସେଇଟାକୁ ଧରିପକାଇ ଓଡ଼ିଆ ବୀରଗାଥାର ନାଟକ, ଉପନ୍ୟାସ ବା ସଂଗୀତରୂପକ ଲେଖାଯାଉଛି । ଓଡ଼ିଆମାନଙ୍କ କାଞ୍ଚିବିଜୟ ଏହିପରି ଗୋଟିଏ ବୀରଗାଥା ଏବଂ ଏହା ସ୍ୱର୍ଗତ ରାମଶଙ୍କର ରାୟଙ୍କ ଅମଳରୁ ଚାଲିଆସିଛି । ଏହାକୁ ଧରିପକାଇ ବର୍ତ୍ତମାନ ସୁଦ୍ଧା ବୀରଗାଥାର ଗୀତ ଚାଲିଛି- ‘‘ଟପ୍‍, ଟପ୍‍ ଘୋଡ଼ା ଚାଲେ ।’’ ଯୁଦ୍ଧର ପରିଣାମରେ ଓଡ଼ିଶା ରାଜା ପୁରୁଷୋତ୍ତମଦେବ ରୋମାଞ୍ଚକର ଘଟନାବଳୀ ମଧ୍ୟରେ ଅପୂର୍ବସୁନ୍ଦରୀ କାଞ୍ଚି ରାଜଜେମା ପଦ୍ମାବତୀକୁ ବିବାହ କରିଥିଲେ । ବାଣ ଫୁଟିଥିଲା, ରଜାଘରଖାନାରେ ଖଣ୍ଡ ଖଣ୍ଡ ବସାଦହି ମୁଣ୍ଡା ମୁଣ୍ଡା ଛେନା ମିଳିଥିଲା । ଏଥିପାଇଁ ଏହା ଓଡ଼ିଆମାନଙ୍କ ବୀରଗାଥା ହୋଇ ରହିଛି । ସାକ୍ଷୀଗୋପାଳଙ୍କ ସମ୍ବନ୍ଧୀୟ କିମ୍ବଦନ୍ତୀଟି ମଧ୍ୟ ଏହି ପ୍ରେମ ପାଇଁ ଲୋକପ୍ରିୟ ହୋଇ ରହିଛି । ଏଥିରେ ଶେଷରେ ଜଣେ ବ୍ରାହ୍ମଣ ଯୁବକ ଜଣେ ସୁନ୍ଦରୀ ବ୍ରାହ୍ମଣ କନ୍ୟାକୁ ବାହା ହୁଅନ୍ତି । ସେଥିପାଇଁ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କିନ୍ତୁ ସାକ୍ଷୀଗୋପାଳଙ୍କ ପାଖରେ କିଏ ରାଧାମୂର୍ତ୍ତିକୁ ବସାଇଲା ଏବଂ ସାକ୍ଷୀଗୋପାଳ କିପରି ବ୍ରାହ୍ମଣକୁମାରୀ ଲକ୍ଷ୍ମୀକୁ ଗର୍ଭବତୀ କଲେ, ଏ ସମସ୍ତ ବିଷୟର କେହି ଅନୁସନ୍ଧାନ କରନ୍ତି ନାହିଁ । ପ୍ରେମ ଓ ଭାକ୍ତିକ ମିଥ୍ୟା ଓଡ଼ିଆମାନଙ୍କ ସୁପ୍ତ ବୀରତ୍ୱ ଜାଗ୍ରତ କରାଇପାରିବ ନାହିଁ । ସତ୍ୟାଶ୍ରୟୀ ଇତିହାସ ହିଁ ଏ ସମ୍ବନ୍ଧରେ ଆଲେକ ଆଣିପାରିବ ।

 

ଆଗରୁ କୁହାଯାଇଛି ଯେ ମାଦଳା ପାଞ୍ଜି ଓଡ଼ିଶାର ବୀରପୁରୁଷମାନଙ୍କ ଚରିତ୍ର ସଂହାର କରିଛି । ଏହି ପାଞ୍ଜି ଓଡ଼ିଶାର ଇତିହାସକୁ ଯେପରି ବିକୃତ ଓ ବିଭ୍ରାନ୍ତ କରିଛି, ଓଡ଼ିଶା ଇତିହାସର ଆଦ୍ୟ ଲେଖକ ଷ୍ଟାର୍ଲିଂ ଓ ହଣ୍ଟର ମଧ୍ୟ ଓଡ଼ିଆମାନଙ୍କ ଚରିତ୍ରସଂହାର କରି ଓଡ଼ିଶାର ଇତିହାସକୁ ସେହିପରି ବିକୃତ ଓ ବିଭ୍ରାନ୍ତ କରି ଓଡ଼ିଆମାନଙ୍କ ହୀନମନ୍ୟତା ବୃଦ୍ଧି କରିଛନ୍ତି । ଷ୍ଟାର୍ଲିଂ ଲେଖିଛନ୍ତି ଯେ ଓଡ଼ିଆମାନେ ମାଇଚିଆ ଏବଂ ନିମ୍ନସ୍ତରର ଚାଲାକି ଓ ଅବାନ୍ତର ଯୁକ୍ତିରେ (Low cunning and subtler fuge) ଧୁରନ୍ଧର । ହଣ୍ଟର ସାହେବ ତ ଓଡ଼ିଶା ଇତିହାସରେ କୌଣସି ବୀରପୁରୁଷ ନାହାନ୍ତି ବୋଲି ସ୍ପଷ୍ଟ ଲେଖିଯାଇଛନ୍ତି । ତା ଛଡ଼ା ହଣ୍ଟର୍‍ ଓଡ଼ିଶାର ଗଙ୍ଗରାଜାମାନେ ବଙ୍ଗରୁ ଆସିଥିଲେ ଏବଂ ଏହି ବଙ୍ଗାଳୀ ଗଙ୍ଗମାନେ ହିଁ କୋଣାର୍କ ମନ୍ଦିର ପରି ଓଡ଼ିଶାର ବଡ଼ ବଡ଼ ମନ୍ଦିର ନିର୍ମାଣ କରିଥିଲେ ବୋଲି ଲେଖି ଯାଇଛନ୍ତି । ଏ ସମ୍ବନ୍ଧରେ ଏଠାରେ ଅଧିକ ଆଲୋଚନା କରିବା ସମ୍ଭବପର ନୁହେଁ । ଯେଉଁମାନେ ଅନୁସନ୍ଧିତ୍ସୁ, ସେମାନେ ଅନ୍ତତଃ ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ “ହଣ୍ଟର୍‌ଙ୍କ ଲାଗି ଓଡ଼ିଶା ଇତିହାସର ଦୁର୍ଗତି” ନାମକ ପ୍ରବନ୍ଧ ପଢ଼ନ୍ତୁ (ଓଡ଼ିଶା ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ, ୧ମ ଭାଗ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ପୃ. ୩୬୨) । ହଣ୍ଟର ଯାହା ଲେଖିଗଲେ, ତାହାକୁ ହିଁ ଭିର୍ତ୍ତି କରି ପରେ ବହୁ ବଙ୍ଗାଳୀ ଓଡ଼ିଶାର ମନ୍ଦିରାଦି ସେମାନଙ୍କ ପୂର୍ବପୁରୁଷମାନଙ୍କ କୀର୍ତ୍ତି ବୋଲି ଦାବୀ କରିଥିଲେ । ଓଡ଼ିଆମାନଙ୍କ ତରଫରୁ କେବଳ ସ୍ୱର୍ଗତ ପ୍ୟାରୀମୋହନ ଆଚାର୍ଯ୍ୟ ହଣ୍ଟରଙ୍କ ମତକୁ ପ୍ରତ୍ୟାଖ୍ୟାନ କରି ଏହି ଦାବୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ; ମାତ୍ର ତାଙ୍କର ‘‘ଓଡ଼ିଶାର ଇତିହାସ’’ ଏତେ କ୍ଷୁଦ୍ର ଯେ ସେଥିରେ ସେ ସମସ୍ତ ବିଷୟଟିକୁ ଆଲୋଚନା କରିପାରି ନ ଥିଲେ । ଉତ୍କଳଜନନୀର କ୍ଷୂର୍ଣ୍ଣ ଅଭିମାନର ଅଗ୍ନିକଣା ପ୍ୟାରୀମୋହନ ୩୨ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ଏତିକି ବୟସରେ ସେ ଆଉ କଅଣ କରିପାରିଥାନ୍ତେ ?

 

ବ୍ରିଟିଶ ଶାସନର ପ୍ରଥମ ଭାଗରେ ଇଂରେଜମାନେ ସମସ୍ତ ଭାରତୀୟଙ୍କୁ ହେୟ ଦୃଷ୍ଟିରେ ଦେଖୁଥିଲେ । ଲର୍ଡ଼ ମାକ୍‍ଲେ ବଙ୍ଗାଳୀମାନଙ୍କ ଚରିତ୍ର ଚିତ୍ରଣ କରିବାକୁ ଯାଇ ଆରମ୍ଭ କରିଥିଲେ ‘‘Large in promises but small in excuses." ଇତ୍ୟାଦି । ଅର୍ଥାତ୍ ବଙ୍ଗାଳୀମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପ୍ରତିଶ୍ରୁତି ନ ରଖି ଛୋଟ କାରଣଟିଏ ଦେଖାଇ ଦିଅନ୍ତି । ବଙ୍ଗାଳୀମାନେ ଏହି ଉକ୍ତିର ଠିକଣା ଜବାବ ଦେଇଛନ୍ତି; କିନ୍ତୁ ଓଡ଼ିଆମାନେ ଇଂରେଜମାନଙ୍କ ଉକ୍ତିର ଜବାବ ଦେଇପାରି ନାହାନ୍ତି ଏହାର କାରଣ ବଙ୍ଗାଳୀମାନେ ଆଗକୁ ବଢ଼ି ଚାଲନ୍ତି, କିନ୍ତୁ ଓଡ଼ିଆମାନେ ପଛକୁ ପାଦ ପକାନ୍ତି ।

 

ପୂର୍ବକଥା ଗଲାଣି; ବର୍ତ୍ତମାନ ଏପରି କୌଣସି ବିଶିଷ୍ଟ ବଙ୍ଗାଳୀ ପଣ୍ଡିତ ନାହାନ୍ତି ଯେ କି ଓଡ଼ିଶାର ମନ୍ଦିରମାନଙ୍କୁ ତାଙ୍କ ପୂର୍ବପୁରୁଷମାନଙ୍କ କୀର୍ତ୍ତି ବୋଲି ମତପ୍ରକାଶ କରନ୍ତି । ମୁଁ ବଙ୍ଗର ଇତିହାସ ଭଲଭାବରେ ପଢ଼େ; କିନ୍ତୁ କୌଣସି ବିଶିଷ୍ଟ ବଙ୍ଗାଳୀ ଐତିହାସିକ ପୂର୍ବ ଉଦ୍ଭଟ ମତକୁ ଗ୍ରହଣ କରିଥିବାର ଉଦାହରଣ ପାଏ ନାହିଁ । କେତେକ ବଙ୍ଗାଳୀ ପଣ୍ଡିତ ଭୁବନେଶ୍ୱରରେ ଅନନ୍ତ ବାସୁଦେବ ମନ୍ଦିରକୁ ସେମାନଙ୍କ ପୂର୍ବପୁରୁଷର କୀର୍ତ୍ତି ବୋଲି ଦାବୀ କରିଥିଲେ । ବଙ୍ଗର ଭଟ୍ଟ ଭବଦେବଙ୍କ ଶିଳାଲେଖଟିକୁ ଭ୍ରମବଶତଃ ହେଉ କିମ୍ବା କୌଣସି ପଣ୍ଡିତଙ୍କ ଦୁଷ୍କୃତିବଶତଃ ହେଉ, ୧୮୩୭ ଖ୍ରୀଷ୍ଟାବ୍ଦରେ ଅନନ୍ତବାସୁଦେବ ମନ୍ଦିର ଗାତ୍ରରେ ଲଗାଇ ଦିଆଯାଇଥିଲା । ଏହି ହେତୁ ବଙ୍ଗାଳୀମାନେ ଏ ମନ୍ଦିରକୁ ସେମାନଙ୍କ କୀର୍ତ୍ତି ବୋଲି ଦାବୀ କରିଥିଲେ; ମାତ୍ର ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ Journal of Royal Asiatic Society of Bengal ରେ ଗୋଟିଏ ପ୍ରବନ୍ଧ ଲେଖି ଯେତେବେଳେ ଦେଖାଇଦେଲେ ସେ ଭଟ୍ଟ ଭବଦେବଙ୍କ ଶିଳାଲେଖଟି ଓଡ଼ିଶାର ନୁହେଁ, ସେତେବେଳେ ସମସ୍ତ ବଙ୍ଗାଳୀ ଐତିହାସିକ ପୂର୍ବ ଦାବୀକୁ ଛାଡ଼ି ସତ୍ୟକୁ ଗ୍ରହଣ କରି ନେଇଥଲେ-। History of Bengal, Dacca University, Vol. I (p. 203, Reprinted 1971) ରେ ଲେଖା ହେଲା–

 

To

Mr. P. Acharya belongs the credit of removing the century old mis-apprehension about the original situation of the stone inscription. He has shown by cogent arguments the erroneous character of the belief that the stone slab containing the inscription was ever fixed on any temple at Bhubaneswar. He has also shown the unreliable character of the literary evidence cited by Mr. N. Basu in favour of the supposition that Bhavadeva erected temples and did other pious works in Orissa.

 

ଏହାପରେ ମୁଁ Archaeological Remain at Bhubaneswarରେ ଲେଖିଲି :

 

These conclusions have been accepted by all scholars, and there is now hardly any necessity for dilating upon the details of the unfortunate miscarriage of this epigraph to Bhubaneswar and the subsequent misapprehensions that it created, leading to the wrong dating of the Ananta-Vasudeva temple by all early writers (Orient Longmans. 1961. P. 42)

 

ଅନନ୍ତ-ବାସୁଦେବ ମନ୍ଦିର ଯେ ବଙ୍ଗଳୀମାନଙ୍କ କୀର୍ତ୍ତି ନୁହେଁ ଏ କଥା ସମସ୍ତ ବଙ୍ଗାଳୀ ୧୯୪୩ରେ ମାନି ନେଇଥିବା ସତ୍ତ୍ୱେ ୩୪ ବର୍ଷ ପରେ ଏ ପୁରୁଣା କଥାକୁ କାହିଁକି ଆଲୋଡ଼ନ କରାଯାଉଛି ? ଏହାର ଉତ୍ତର ଏହି ଯେ ଅନନ୍ତ-ବାସୁଦେବ ମନ୍ଦିର ବିବାଦଟା କେତେକ ଓଡ଼ିଆ ପଣ୍ଡିତଙ୍କ ବ୍ୟବସାୟର ପଣ୍ୟ ।

 

ବର୍ତ୍ତମାନ ଆମ୍ଭେମାନେ ହିଁ ଆମ୍ଭମାନଙ୍କ ଇତିହାସକୁ ମିଥ୍ୟାମୟ କରୁଛୁ । ୧୯୪୭ କିମ୍ବା ୧୯୪୮ ରେ ମୁଁ ସ୍ଵର୍ଗତ ଅଧ୍ୟାପକ ଅର୍ତ୍ତବଲ୍ଲଭ ମହାନ୍ତିଙ୍କ ସଙ୍ଗରେ ପୁରୀ ଯାଇ ସେଠାରେ ଡୁଡ଼୍‍ୱାଲ ଧର୍ମଶାଳାର ଗୋଟିଏ କୋଠରୀରେ ତାଙ୍କ ସହିତ ଏକତ୍ର ରହିଥିଲି । ସେଠାରେ ଗୋଟିଏ ଇତିହାସ ଆଲୋଚନା ସଭାରେ ଯୋଗଦେବା ଆମ୍ଭମାନଙ୍କ ଅଭିପ୍ରାୟ ଥିଲା । ତା’ଛଡ଼ା ମିଉଜିୟମ୍ ପାଇଁ କିଛି ପଦାର୍ଥ ସଂଗ୍ରହ କରିବା ମୋର ଅନ୍ୟ ଅଭିପ୍ରାୟ ଥିଲା । ସ୍ୱର୍ଗତ ମହାନ୍ତି ସଭାରେ ସଭାପତି ହେଲେ ଏବଂ ସେହି ସଭାରେ ଜଣେ ଗବେଷକ ପଣ୍ଡିତ ୩୫ ପୃଷ୍ଠାର ଗୋଟିଏ ଦୀର୍ଘ ପ୍ରବନ୍ଧ ପାଠକଲେ । ପ୍ରବନ୍ଧରେ ପ୍ରମାଣ କରିବାର ଚେଷ୍ଟା କରାଗଲା ଯେ ନବାବିଷ୍କୃତ କୁଟିଳାକ୍ଷରରେ ଲେଖା ପ୍ରାଚୀନ ତାଳପତ୍ର ପୋଥି “ଭଣ୍ଡାରପାଞ୍ଜି’’ ର ‘‘ଇନ୍ଦ୍ରବଳ’’ ହେଉଛନ୍ତି ପ୍ରଥମ ଜଗନ୍ନାଥ ମନ୍ଦିରର ନିର୍ମାତା ଇନ୍ଦ୍ରଦ୍ୟୁମ୍ନ । ପ୍ରବନ୍ଧ ପାଠ ପରେ ମୁଁ ଏହି ପ୍ରବନ୍ଧର ତୀବ୍ର ଆଲୋଚନା ଆରମ୍ଭ କରଦେଲି; ମାତ୍ର ଦୂଇତିନି ମିନିଟ୍‍ କହିବା ପରେ ସ୍ୱର୍ଗତ ମହାନ୍ତି ମୋତେ ପଛଆଡ଼ୁ ଟାଣିଦେଇ କହିଲେ–‘‘ବସ୍” । ମୁଁ ବସି ପଡ଼ିଲି, କିନ୍ତୁ ଖୁବ୍‍ ରାଗିଗଲି । ସଭାଶେଷରେ ଧର୍ମଶାଳାକୁ ଫେରିଲୁ ସ୍ୱର୍ଗତ ମହାନ୍ତି ଥିଲେ ମୋର ଗୁରୁଦେବ । ସେ ମୋର ରାଗ-କଥା ଜାଣିପାରି କହିଲେ–‘‘ବୁଝିଲୁ ରେ ବାୟା, ସେ ଆମକୁ ଏତେ ଭଲ ଜିନିଷ ଖାଇବାକୁ ଦେଲା, ତୁ ତାକୁ ସଭାଟାରେ ଅପଦସ୍ଥ କରୁଥିଲୁ ନା ?’’ ମୁଁ କହିଲି–ମୁଁ ତାଙ୍କୁ ଆଉ କେଉଁଠାରେ ଅପଦସ୍ଥ କରିଥାନ୍ତି-? ମୁଁ ଭଲଜିନିଷ ପାଇବାରୁ ତାହା ଖାଇଦେଲି, ନଚେତ୍ ମୁଁ ଦୁଇଟଙ୍କା ବାରଅଣା କରି ଯେଉଁ ଦୈନିକ ଉତ୍ତା ପାଉଛି, ସେଇଥିରୁ ହୋଟଲରେ ଖାଇଥାନ୍ତି ।” ସ୍ୱର୍ଗତ ମହାନ୍ତି କହିଲେ–‘‘ତୁ ଇମିତି ତେଢ଼ା ହେଲେ ଚଳିବ ନା ?’’

 

ଏହି ସମୟରୁ ନାମମାନଙ୍କ ସମୀକରଣ ଦ୍ୱାରା ଓଡ଼ିଶା ଇତିହାସର ଗବେଷଣା ଚାଲିଛି-। “ଭଣ୍ଡାରପାଞ୍ଜି’’ର ଇନ୍ଦ୍ରବଳ ପୁରାଣର ଇନ୍ଦ୍ରଦ୍ୟୁମ୍ନ ହୋଇପାରିଛନ୍ତି କି ନା ତାହା ପଣ୍ଡିତମାନେ ସ୍ଥିର କରନ୍ତୁ । ‘‘ମାଧବ ମାହାତ୍ମ୍ୟ’’ର କପିଳ ସିଂହ କପିଳେଶ୍ୱର ହୋଇଯିବା ଫଳରେ ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ସାରଳା ମହାଭାରତର ନୂତନ ସଂସ୍କରଣରେ ନିୟୋଜିତ ସମସ୍ତ ଶ୍ରମ ଓ ସମସ୍ତ ଅର୍ଥ ପଣ୍ଡ ହୋଇ ଯାଇଛି । କପିଳାବାସ୍ତୁକୁ କପିଳେଶ୍ୱର କରିବା ଫଳରେ ବୌଦ୍ଧମାନେ ଧାଡ଼ି ବାନ୍ଧି ଭୁବନେଶ୍ୱର ପାଖ କପିଳେଶ୍ୱର ଗ୍ରାମକୁ ଆସୁନାହାନ୍ତି । ଲିଙ୍ଗରାଜମନ୍ଦିର-ଶିଳାଲେଖର “ସାଧୁପ୍ରଧାନ ଜୟଦେବ’’ ଗୀତଗୋବିନ୍ଦର ରଚୟିତା କବି ଜୟଦେବ ହୋଇପାରି ନାହାନ୍ତି । ଗଡ଼ଗଡ଼ିଆ ଘାଟକୁ ଗଡ଼ଗଡ଼ ସହିତ ସମୀକରଣ କରିବା ଫଳରେ ଶ୍ରୀ ଚୈତନ୍ୟ ବା ଗଜପତି ପ୍ରତାପରୁଦ୍ରଦେବଙ୍କ ମର୍ଯ୍ୟାଦା ବଢ଼ିଯାଇ ନାହିଁ । ଶ୍ରୀ ଚୈତନ୍ୟ ଗଡ଼ଗଡ଼ିଆ ଘାଟଠାରେ ମହାନଦୀ ପାରି ହୋଇ ପୁରୀ ଯାଇଥିବାର କିମ୍ବଦନ୍ତୀ ସତ୍ୟମୂଳକ ହୋଇପାରେ, କିନ୍ତୁ ସୂର୍ଯ୍ୟବଂଶର ଶେଷ ସମ୍ରାଟ ପ୍ରତାପରୁଦ୍ର ଯେ ଜଣେ ଅପରିଚିତ ସନ୍ଥଙ୍କ ପ୍ରଥମ ଦର୍ଶନରେ ତାଙ୍କ ପାଦତଳରେ ଗଡ଼ଗଡ଼ ହୋଇ ଗଡ଼ିଯାଇଥିଲେ, ଏ କଳ୍ପନା ନିତାନ୍ତ କିମ୍ଭୁତକିମାକାର । ଏ କଥାଟା ଆଜିକାଲିର ଓଡ଼ିଆମାନଙ୍କର ଏବଂ ଆଜିକାଲିର ବାବାଜୀମାନଙ୍କର ଆଚରଣରୁ ସମ୍ଭୁତ ହୋଇଛି । କୃଷ୍ଣଦାସ କବିରାଜଙ୍କ ଲେଖାରୁ ଜଣାଯାଏ ଯେ ଶ୍ରୀ ଚୈତନ୍ୟ ଗଜପତିଙ୍କ ସହ ସାକ୍ଷାତ କରିବାକୁ କୁଣ୍ଠାବୋଧ କରୁଥିଲେ । (P. Mukherji Gajapati Kings of Orissa, p. 105). ଏପରିସ୍ଥଳେ ଗଡ଼ଗଡ଼ିଆ ସହିତ ଗଡ଼ଗଡ଼ର ସମୀକରଣ ଏହି ମହାନ୍‍ ସନ୍ଥ ଓ ଏହି ମହାନ୍‍ ଓଡ଼ିଶାର ଗଜପତିଙ୍କ ପ୍ରତି, କିପରି ସମ୍ମାନ ଆଣୁଛି କିମ୍ୱା କି ପ୍ରକାର ସତ୍ୟର ଉଦ୍‍ଘାଟନ କରୁଛି, ତାହା ସମସ୍ତେ ବିଚାର କରନ୍ତୁ । ଓଡ଼ିଆମାନେ ପୂର୍ବେ ଯେ ନୌବାଣିଜ୍ୟରେ ରତ ଥିଲେ, ଏ କଥାଟା କେହି ଅସ୍ୱୀକାର କରୁ ନାହିଁ । ଏ ସମ୍ବନ୍ଧୀୟ କେତେକ ତଥ୍ୟ ମୁଁ ମଧ୍ୟ ଇଂରାଜୀ ଓ ଓଡ଼ିଆରେ ଲେଖିଛି; ମାତ୍ର ବାଲିଯାତ୍ରା ସହିତ ବଳୀ (ବାଲି) ଦ୍ୱୀପର ଯାତ୍ରାର ସମୀକରଣକୁ କୌଣସି ବୁଦ୍ଧିଜ୍ଞାନସମ୍ପନ୍ନ ପଣ୍ଡିତ ମାନିବେ ନାହିଁ । ଓଡ଼ିଶାର ଏକାଧିକ ଯାତ୍ରା ବାଲିଯାତ୍ରା ନାମରେ ଖ୍ୟାତ । କାରଣ ସେଗୁଡ଼ିକ ବାଲିରେ ଅନୁଷ୍ଠିତ ହୁଏ । ଆନିକଟ ତିଆରି ହେବା ପୁର୍ବରୁ କଟକର ବର୍ତ୍ତମାନ ଯେଉଁଠାରେ ବାଲିଯାତ୍ରା ହେଉଛି, ସେ ସ୍ଥାନଟା ମଧ୍ୟ ବାଲି ଥିଲା । ଏହିହେତୁ ଏ ଯାତ୍ରାର ନାମ ବାଲିଯାତ୍ରା ହୋଇଛି । ମହାନଦୀର ଅଗଭୀର ଜଳରେ କିପରି ସମୁଦ୍ର- ବାହୀ ଜାହାଜ ପ୍ରଥମ-ଯାତ୍ରା ଆରମ୍ଭ କରୁଥିଲା, ତାହା ମଧ୍ୟ କଳ୍ପନାତୀତ ।

 

ସଦାଶିବ କହିଲେ ସଦାନନ୍ଦ, ଗୋପୀନାଥ କହିଲେ ଗୋପେଶ୍ୱର, ଚକ୍ରଧର କହିଲେ ଚକ୍ରେଶ୍ୱର ବା ସତ୍ୟନାରୟଣ କହିଲେ ସତ୍ୟସୁନ୍ଦରଙ୍କୁ ବୁଝାଏ ନାହିଁ । ଏହିପରି ସମୀକରଣ ଦ୍ୱାରା ଓଡ଼ିଶାର ମାନମହତ୍ତ୍ୱ କ୍ଷୂର୍ଣ୍ଣ କରାହେଉଛି, ଓଡ଼ିଆମାନଙ୍କ ପ୍ରଜ୍ଞା ପ୍ରତି ଉପହାସ କରାହେଉଛି ଏବଂ ଓଡ଼ିଶାର ଇତିହାସକୁ ମିଥ୍ୟାମୟ କରାହେଉଛି । ଏଥିପାଇଁ ମୁଁ “ତେଢ଼ା’’ ହୁଏ । ମୁଁ ତ ସବୁଦିନେ ତେଢ଼ା ଥିଲି, ବର୍ତ୍ତମାନ ମଧ୍ୟ ଅଛି ଏବଂ ମରିବା ପର୍ଯ୍ୟନ୍ତ ସେହିପରି ରହିବି । ଯେଉଁମାନେ ସିଧା, ସେମାନେ ଏ ରାଜ୍ୟର ପ୍ରଗତିର ପ୍ରୋତ୍‍ଥିତ ରଥଚକ୍ରକୁ ଉଠାଉ ନାହାନ୍ତି କାହିଁକି ? ଯେତେବେଳେ ଅସତ୍ୟକୁ ସତ୍ୟ କରାଗଲା, ଅପଣ୍ଡିତକୁ ପଣ୍ଡିତ କରାଗଲା, ଅଧାର୍ମିକକୁ ଧର୍ମସଭାରେ ବଡ଼ପଣ୍ଡା କରାଗଲା, ନାରୀର ଯେତେବେଳେ ଅବମାନନା କରାଗଲା, ସେ ଯେତେବେଳେ ‘‘କରଜନାରାଚରେ?” ପୁରୁଷକୁ ଚିରିଦେଲା କିମ୍ବା ଘୋଟକୀ ପରି କାମୁଡିଲା; ସେ ଯେତେବେଳେ ଶାଢ଼ୀପଣତକୁ କାମୋଡ଼ି ଧରଣୀରେ ନଖରେ ଗାର କାଟିଲା କିମ୍ୱା ଚାଟୁପଟୁ ପୁରୁଷର ଚାଟୁରେ ନିତମ୍ୱ ଧୀରେ ଧୀରେ ଚଳାଇଲା; ସେ ଯେତେବେଳେ କେବଳ ରସବତୀ, ରସରଙ୍ଗିନୀ, ରସାତୁରୀ, ରସାଳସା, ମଦାଳସା, କେଳିକୁଶଳା, କେଳି-କଉତୁକୀ, କାମିନୀ, ମନମୋହିନୀ, ନିତମ୍ୱିନୀ, ହଂସଗମନା, ଗଜଗମନା, ଚନ୍ଦ୍ରାନନା ଇତ୍ୟାଦି ରୂପେ ଚିତ୍ରିତା ହେଲା; ଏବଂ ଏ ସମସ୍ତକୁ ଯେତେବେଳେ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଚକ୍ରବର୍ତ୍ତୀମାନେ ଓଡ଼ିଆମାନଙ୍କ ଆଦର୍ଶର ଶ୍ରେଷ୍ଠ ସମ୍ପତ୍ତି ବୋଲି ଧରିନେଲେ ଓ ପ୍ରଚାର କଲେ, ସେତେବେଳେ ପ୍ରଗତିର ରଥଚକ୍ର ଘୂରି ଘୂରି ଏ ଜାତିର ପାପପଙ୍କରେ ପୋତିହୋଇ ପଡ଼ିଲା !

 

ଭୁତସର୍ବସ୍ୱ ଓଡ଼ିଆମାନେ ଅତୀତରୁ ଯେଉଁ ସାପ-କୋଚିଆ ପାଇଲେ ସେଗୁଡ଼ିକୁ ମଧ୍ୟ ସମସ୍ତଙ୍କୁ ଦେଖାଇ କହିଲେ–“ଆହାହା ଅମୂଲ୍ୟ-ରତ୍ନ” | ଏ ଜାତିର ନୈତିକ ମେରୁଦଣ୍ଡ ଭାଙ୍ଗିପଡ଼ିଲା । ଏହାପରେ ଟହଟହ ହସି, ଗାଲତୁରୀ ମାରି, ଖେମଟା ନାଚଖଣ୍ଡି ନାଚି, ହସ୍ତୀଅଶ୍ଵଗହଣରେ ସେନାପତି, ଦୁର୍ଗପାଳ, ରାଜ୍ୟପାଳ ଇତ୍ୟାଦିଙ୍କ ସଙ୍ଗରେ ଆମ ପୂର୍ବପୁରୁଷମାନେ ଯେଉଁ ଅଞ୍ଚଳରେ ପ୍ରବେଶ କରୁଥିଲେ, ତିନିଶବର୍ଷ ପରେ ଭଗ୍ନଜାନୁ ଓଡ଼ିଆମାନେ କୁଲି, ପାଚକ ଇତ୍ୟାଦି ବେଶରେ ‘ଚେତୀ ଚତୁରୀ ଚାହିଁଲା ପୁଂସ ନାହିଁ ପାଶେ” ଇତ୍ୟାଦି ଗାଇ ଗାଇ ସେହି ଅଞ୍ଚଳରେ ପ୍ରବେଶ କଲେ ।

 

ପ୍ରତିବେଶୀମାନେ କୌଣସିକାଳରେ ଓଡ଼ିଆମାନଙ୍କୁ ପ୍ରେମ କରି ନ ଥିଲେ । ଯେଉଁମାନେ ଇତିହାସର ଏହି ମୂଳସତ୍ୟ ନ ଜାଣନ୍ତି, ସେମାନଙ୍କ ଚରମ ଦିଗ୍‍ଭ୍ରାନ୍ତି ଘଟିଥାଏ । ହିଂସା, ଦ୍ୱେଷ, ପ୍ରତାରଣା, ପ୍ରତିହିଂସା, ବାଦବିବାଦ, ଯୁଦ୍ଧବିଗ୍ରହ ଇତ୍ୟାଦି ମଧ୍ୟରେ ହିଁ ଆମର ପୂର୍ବପୁରୁଷମାନେ ଓଡିଶାର ସମ୍ମାନ ଓ ପ୍ରତିଷ୍ଠା ରକ୍ଷା କରିଥିଲେ । ସେମାନେ ଫୁଲଧନୁ ବଳରେ ନୁହେଁ, ବାଂଶଧନୁ ବଳରେ ହିଁ ଜୟୀ ହୋଇଥିଲେ । ଓଡ଼ିଶାର ଆଧୁନିକ ସାଂସ୍କୃତିକ ନେତାମାନେ ଆମର ପିଲମାନଙ୍କୁ ଫୁଲଧନୁ ଧରାଇ ଦେଉଛନ୍ତି । ଓଡ଼ିଶାର ମୁକ୍ତି ଓ ପ୍ରଗତି ସଂଗ୍ରାମଶୀଳତାରେ ହିଁ ଅଛି । ପ୍ରତିବେଶୀ ବିଦ୍ୱେଷକୁ ସମ୍ବଳ କରି କୌଣସି ଜାତି ବଡ଼ ହୋଇପାରେ ନାହିଁ । ବାଳୁଙ୍ଗାବୀଜରୁ ଧାନ ଫଳେ ନାହିଁ । ଅଥଚ ଓଡ଼ିଶାର ସମସ୍ତ ସାଂସ୍କୃତିକ ପ୍ରଚେଷ୍ଟାରେ ଏହି ପ୍ରତିବେଶୀ ବିଦ୍ୱେଷ ବୀଜ ପରି ରହିଛି ଏବଂ ଏହାକୁ ବୃଦ୍ଧି କରାଯାଉଛି । ପ୍ରତିବେଶୀ-ବିଦ୍ୱେଷକୁ ବୃଦ୍ଧି କରିପାରିଲେ ଅପଣ୍ଡିତ ପଣ୍ଡିତ ହେଉଛନ୍ତି, ଅଧାର୍ମିକ ଧାର୍ମିକ ହେଉଛନ୍ତି; ଅସତ୍ୟ ସତ୍ୟ ହେଉଛି ଏବଂ ଦୁଷ୍କୃତି ସଂସ୍କୃତି ହେଉଛି ।

ମୋ ସମୟର ଓଡ଼ିଶାର ସାମ୍ୱାଦିକତା ସମ୍ବନ୍ଧରେ ମୁଁ କିଛି ଲେଖି ନାହିଁ; କିନ୍ତୁ ମୁଁ ଏ ସମ୍ବନ୍ଧରେ ବହୁ ତଥ୍ୟ ସଂଗ୍ରହ କରିଛି । ସାମ୍ବାଦିକତା ସମ୍ବନ୍ଧରେ ସ୍ୱାଧୀନ ମତବ୍ୟକ୍ତ କରିବା ପାଇଁ ଓଡ଼ିଶାରେ ଅନୁକୂଳ ପରିସ୍ଥିତି ନାହିଁ । କିଛି ମାସ ପୂର୍ବେ ଯେଉଁଠାକୁ ଗଲି, ସେଠାରେ ଶୁଣିଲି ଯେ ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ଵାରା ପ୍ରତିଷ୍ଠିତ ‘ସମାଜ’ରେ ଆତ୍ମମ୍ଭରିତା ଓ ଆତ୍ମପ୍ରଚାର ଦିବାଲୋକ ପରି ଫୁଟିଉଠୁଛି । କିନ୍ତୁ ଏହା ବିରୁଦ୍ଧରେ କେହି କିଛି କରୁ ନାହାନ୍ତି, କହୁ ନାହାନ୍ତି କିମ୍ବା ଲେଖୁ ନାହାନ୍ତି । ମୁଁ ତ ଓଡ଼ିଶା-ଦ୍ୱେଷୀର ବାନା ବାନ୍ଧି ବୁଲୁଛି । ଏଣୁ ୯/୧୦/୭୭ ତାରିଖରେ କଲେଜଛକରେ ଅନୁଷ୍ଠିତ ଗୋଟିଏ ଗୋପବନ୍ଧୁ ଶତବାର୍ଷିକୀ ସ୍ମୃତିସଭାରେ ସଭାପତିତ୍ୱ କରିବାର ସୁବିଧା ପାଇ ମୁଁ ଏ ସମ୍ବନ୍ଧରେ ସାମାନ୍ୟ ସୂଚନା ଦେଇଥିଲି । ମୁଁ କହିଥିଲି ଯେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସମାଜ କାଗଜରେ ତାଙ୍କ ସାମ୍ୱାତିକତାର ଆଦର୍ଶ ଅନୁସୃତ ହେଉନାହିଁ । ଏହାପରେ ୧୨/୧୦/୭୭ ତାରିଖର ସମାଜରେ (ପୃ.୫) ପ୍ରକାଶ ପାଇଲା–ସଭାପତି ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ “ଗୋପବନ୍ଧୁଙ୍କୁ ଏକ ବିଶିଷ୍ଟ ଐତହାସିକରୂପେ ବର୍ଣ୍ଣନା କରିଥିଲେ ।’’ ଜନତା ସରକାର କାହାକୁ ବାକ୍-ସ୍ୱାଧୀନତା ଫେରାଇ ଦେଇଛନ୍ତି–ପ୍ରେସ ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନା ସାଧାରଣ ନାଗରିକମାନଙ୍କୁ ? ଜଣେ ନାଗରିକ ତାର ବାକ୍‍ ସ୍ୱାଧୀନତା ବ୍ୟବହାର କଲେ ତାହାର ଦଶା କଅଣ ହୁଏ, ଜନତା ସରକାର ମୋର ଦୟନୀୟ ଅବସ୍ଥାରୁ ତାହା ବୁଝନ୍ତୁ ।

ବଙ୍ଗାଳୀମାନେ ଅନନ୍ତବାସୁଦେବମନ୍ଦିରକୁ କାଗଜରେ ମାରି ନେଇଥିଲେ ଏବଂ ପରେ କାଗଜରେ ତାହା ଫେରାଇଦେଲେ । ଏ ମନ୍ଦିର ଯେଉଁଠାରେ ଥିଲା, ସେହିଠାରେ ସବୁଦିନେ ଅଛି । କିନ୍ତୁ ଓଡ଼ିଶାର ଅସଂଖ୍ୟ ମୂର୍ତ୍ତି ଓ ସ୍ଥାପତ୍ୟାଂଶ ଯେ ସ୍ଥାନାନ୍ତରିତ ହେଲା ବା ଚୋରି ହୋଇଗଲା, ସେସବୁ ଆଉ ଓଡ଼ିଶାକୁ ଫେରିଆସିବ କି ? ବ୍ରିଟିଶ୍‍ ମିଉଜିୟମ୍ ଲଣ୍ଡନ, ମିଉସିଗାମୁଟ୍‍ ପେରିସ୍, ନେସନେଲ ମିଉଜିୟମ୍ ନୂଆଦିଲ୍ଲୀ, ପାଟନା ମିଉଜିୟମ୍‍ ପାଟନା, ଇଣ୍ଡିଆନ୍ ମିଉଜିୟମ୍‍ କଲିକତା, ଆଶୁତୋଷ ମିଉଜିୟମ୍ କଲିକତା ଇତ୍ୟାଦିରେ ଓଡ଼ିଶାର ଯେଉଁସବୁ ମୂର୍ତ୍ତି ଓ ପ୍ରାଚୀନବସ୍ତୁ ରହିଲା, ସେ ସବୁକୁ ଆମ ପିଲାମାନେ ଦେଖିବାର ବା ଗବେଷଣା କରିବାର ଆଉ ସହଜ ସୁଯୋଗ ପାଇବେ କି ? ଓଡ଼ିଶାର ବହୁ ମନ୍ଦିରରୁ ସ୍ମେରାନନା, ପୀନସ୍ତନା, ଶାଳଭଞ୍ଜିକା, ତୋରଣଶାଳଭଞ୍ଜିକା, ଅଶୋକଦୋହଦଭଞ୍ଜିକା, ମୁକୁରହସ୍ତା, ଲୀଳାକମଳହସ୍ତା, ଅଭିସାରିକା, ଦୟିତା, ଖଣ୍ଡିତା ଇତ୍ୟାଦି ଅଳସକନ୍ୟାମାନେ ଅନ୍ତର୍ହିତା ହୋଇଗଲେଣି । ବହୁ ମନ୍ଦିରର ପାର୍ଶ୍ୱଦେବତାମାନ ଚୋରିଯିବା ଫଳରେ ପାର୍ଶ୍ୱ ଠଣା (niches) ଖାଲି ପଡ଼ିଛି । ଭାରତ ତଥା ପୃଥିବୀର ଅଦ୍ୱିତୀୟ ଓ ଅଲଭ୍ୟ ଚଣ୍ଡେଶ୍ୱର ମନ୍ଦିରର କାମଦେବମୂର୍ତ୍ତି ଚୋରି ଯାଇଛି । ଏ ସମସ୍ତ ଚୋରିରେ ଓ ସ୍ଥାନାନ୍ତରରେ ଓଡ଼ିଆମାନଙ୍କ କଅଣ ହାତ ନାହିଁ ? ଓଡ଼ିଆମାନଙ୍କ ବିନା ସହାୟତାରେ ବାହାରର ଲୋକେ ଏ ସବୁକୁ ନେଇପାରି ନ ଥାନ୍ତେ ।

ବିଶ୍ୱବିଦ୍ୟାଳୟମାନଙ୍କ ପରି ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ଓଡ଼ିଆ ସଂସ୍କୃତିର ଗୋଟିଏ ପ୍ରାଣକେନ୍ଦ୍ର । ମୁଁ ୧୯୪୭ରେ ଯେଉଁ ମିଉଜିୟମ୍‍ରେ ପ୍ରଥମ କ୍ୟୁରେଟର ଥିଲି, ବର୍ତ୍ତମାନ ତାହା ବହୁ ବିଭାଗବିଶିଷ୍ଟ ପ୍ରକାଣ୍ଡ ମିଉଜିୟମ୍‍ ହୋଇଛି । ମୁଁ ଯେଉଁ Encouragement and Improvement of Oriya Literature ନାମକ ସଂସ୍ଥାର ପ୍ରଥମ ସେକ୍ରେଟେରୀ ଥିଲି, ତାହା ବର୍ତ୍ତମାନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ହୋଇଛି । ମୁଁ ମିଉଜିୟମ୍ ପାଇଁ ଯେଉଁ ଆଧୁନିକ କଳାର (Modern art) ସାମଗ୍ରୀ କିଣୁଥିଲି, ସେଇଥିରୁ ଲଳିତକଳା ଏକାଡ଼େମୀର ବିକାଶ ଘଟିଛି । ସଙ୍ଗୀତ ନାଟକ ଏକାଡ଼େମୀର ବିକାଶ ସହିତ ମୁଁ ଜଡ଼ିତ ନ ଥିଲି । ଯେଉଁ ସାଂସ୍କୃତିକ ବ୍ୟାପାର ବିଭାଗର ଆରମ୍ଭ ସହିତ ମୁଁ ଏହିପରି ସଂପୃକ୍ତ, ତାହା ପ୍ରତି ମୋର ପ୍ରୀତି ସ୍ଵାଭାବିକ; କିନ୍ତୁ ମୁଁ ଏହା ସମ୍ବନ୍ଧରେ କିଛି କହିଲେ ବା ଲେଖିଲେ ଅନେକେ ଭାବନ୍ତି–‘‘ବୁଢ଼ାଚାକିରି ପାଇଁ ଚକ୍ରାନ୍ତ କରୁଛି ।’’ ସାଂସ୍କୃତିକ ବ୍ୟାପାର ବିଭାଗ ଗୋଟିଏ ପ୍ରକାଣ୍ଡ ବିଭାଗ ଗୋଟିଏ ପ୍ରକାଣ୍ଡ ବିଭାଗ ହୋଇଗଲାଣି, ଏଣୁ ଏହା ପାଇଁ ସ୍ଵତନ୍ତ୍ରବ୍ୟବସ୍ଥା ଆବଶ୍ୟକ । ଏହାକୁ ଲୋକସଂପର୍କ ବିଭାଗ ସହିତ ଯୋଡ଼ିରଖିଲେ ଏଥିରୁ ସୁଫଳ ମିଳିବ ନାହିଁ । ଏହାକୁ ବେଳେ ବେଳେ ପରିଦର୍ଶନ କଲେ ଚଳିବ ନାହିଁ । ଏହାକୁ ସବୁ ସମୟରେ ପରିଦର୍ଶନ କଲେ ହିଁ ଏହା ଠିକ୍ ଚାଲିବ । ଗୋଟିଏ ଅନୁଷ୍ଠାନକୁ ବେଳେ ବେଳେ ପରିଦର୍ଶନ କଲେ, ତାହାର କିପରି ଦୁର୍ଦ୍ଦଶା ଘଟେ; ଏ ସମ୍ବନ୍ଧରେ ମୋର ଗୋଟିଏ ନିଜ ଅଭିଜ୍ଞତା ବର୍ଣ୍ଣନା କରୁଛି ।

ଆମ ଗାଁ ପାଖରେ ଗୋଟିଏ ନିମ୍ନପ୍ରାଇମେରୀ ସ୍କୁଲରେ ସେହି ଗ୍ରାମର ଜଣେ ବ୍ୟକ୍ତି ଶିକ୍ଷକ ଥିଲେ । ସେ ଘରକାମ ଓ ବିଲକାମରେ ବ୍ୟସ୍ତ ରହୁଥିଲେ । ଯେତେବେଳେ ଟିକିଏ ଅବସର ପାଉଥିଲେ, ସେତେବେଳେ ସେ ବେତଖଣ୍ଡିଏ ଧରି ସ୍କୁଲଭିତରକୁ ପଶିଯାଉଥିଲେ ଏବଂ ପିଲାମାନଙ୍କୁ କିଛି ନ ପଚାରି ସମସ୍ତଙ୍କୁ ପାହାରେ ଲେଖାଏ ଚଢ଼ାଇ ଦେଉଥିଲେ । ଫଳରେ ପିଲାମାନେ ଠିକ୍ ହେଉ ବା ଭୁଲ ହେଉ ବଡ଼ ପାଟି କରି ଫଳା ପଣକିଆ ଡାକୁଥିଲେ ଏବଂ ବଡ଼ପାଟିରେ ବହି ପଢ଼ୁଥିଲେ । ଶିକ୍ଷକ ଦଣ୍ଡେ ରହି ସ୍କୁଲରୁ ବାହାରିଯିବା ଆଗରୁ ପିଲାମାନଙ୍କୁ କହୁଥିଲେ–‘‘ତୁମେମାନେ ପାଠ ପଢ଼ୁଛି କି ନା ମୁଁ ଏହି ପାଖରେ ରହି ଶୁଣୁଛି ଯେ ! ପାଟି ବନ୍ଦ କଲେ ପୁଣି ବେତ ଧରି ପହଞ୍ଚିଯିବି ।’’ ଏହାପରେ ପିଲାମାନେ ପାଠ ପଢ଼ୁ ନ ଥିଲେ କିମ୍ବା ପାଟି ବନ୍ଦ କରୁ ନ ଥିଲେ । ଶିକ୍ଷକ ଚାଲିଗଲା ପରେ ମାର୍‍ପିଟ୍‍ କଳିଗୋଳ ଭିତରେ ସ୍କୁଲଟିକୁ ଚହଳ କରି ରଖୁଥିଲେ । ଗ୍ରାମବାସୀମାନେ ଭାବୁଥିଲେ ଯେ ପିଲାମାନେ ଖୁବ୍ ପାଠ ପଢ଼ୁଛନ୍ତି ।

ସାଂସ୍କୃତିକ ବ୍ୟାପାର ବିଭାଗଟିକୁ ଏହି ସ୍କୁଲ ପରି ଚଳାଇଲେ ସେଥିରୁ ବେଶି ସୁଫଳ ମିଳିବ ନାହିଁ । ଏ ବିଭାଗର କର୍ମଚାରୀମାନଙ୍କ ଦରମା ପଦୋନ୍ନତି ବିଷୟ ମଧ୍ୟ ବିଚାର କରିବା ବାଞ୍ଛନୀୟ । ସବୁ ବିଭାଗର କର୍ମଚାରୀମାନଙ୍କ ମଧ୍ୟରୁ ଶତକରା ୨୫ ରୁ ୨୦ ଜଣ ଉପର ପାହ୍ୟାକୁ ଯାଉଛନ୍ତି; କିନ୍ତୁ ସାଂସ୍କୃତିକ ବ୍ୟାପାର ବିଭାଗରେ ଏ ବ୍ୟବସ୍ଥା ନାହିଁ । ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ ଜାଣେ ଯେ ମିଉଜମ କାମ କଲେଜ କାମଠାରୁ କଠିନ । ମୁଁ ଯେତେବେଳେ ମିଉଜିଅମ୍ କାମ ଛାଡ଼ି ପୁଣି କଲେଜ କାମରେ ଯୋଗଦେଲି, ସେତେବେଳେ ପ୍ରଫେସର ବିଧୁଭୂଷଣ ଦାସ (ବର୍ତ୍ତମାନ ଡି. ପି. ଆଇ) ମୋତେ ପଚାରିଲେ–‘‘ଉଭୟ କାମ ମଧ୍ୟରେ କି ତଫାତ୍‍ ଦେଖିଲେ ?” ମୁଁ କହିଲି–‘‘ମିଉଜିଅମ୍ କାମଟା ହେଉଛି ପାଲା, ଆଉ କଲେଜ କାମଟା ହେଉଛି କୀର୍ତ୍ତନ । ପାଲାରେ ଜଣେ ଭଲ ଗାଇ ନ ପାରିଲେ ଧରାପଡ଼ିଯାଏ, କିନ୍ତୁ କୀର୍ତ୍ତନରେ ଧରାପଡ଼େ ନାହିଁ ?

କୌଣସି କୌଣସି ବନ୍ଧୁ ମୋତେ କହନ୍ତି ସେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଅପକର୍ମ ଅଛି, କିନ୍ତୁ ମୁଁ କାହିଁକି କେବଳ ଆମ ରଜ୍ୟର ଅପକର୍ମର ତୀବ୍ର ସମାଲୋଚନା କରୁଛି । ସେମାନେ ଲକ୍ଷ୍ୟ କରୁ ନାହାନ୍ତି ଯେ ଓଡ଼ିଶାର ଜନସଂଖ୍ୟା ଭାରତର ଜନସଂଖ୍ୟାର ପଚିଶ ଭାଗରୁ ଭାଗେ ହେଲେ ମଧ୍ୟ ଓଡ଼ିଶା ସମସ୍ତ ଅପକର୍ମରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଉଛି, କିନ୍ତୁ ସତ୍‍କର୍ମରେ ପାଶ୍‍ ନମ୍ବର ସୁଦ୍ଧା ରଖିପାରୁ ନାହିଁ । ଏହା ହିଁ ମୋର ତୀବ୍ର ସମାଲୋଚନାର କାରଣ । ଅଶ୍ଲୀଳତା ସମସ୍ତ ରାଜ୍ୟରେ ଅଛି, କିନ୍ତୁ କେହି ଏହାକୁ ଗଣପ୍ରଚାର ମାଧ୍ୟମରେ ଜାତୀୟ ସଂସ୍କୃତି ରୂପେ ପ୍ରଚାର କରୁ ନାହିଁ । ମୁଁ ଶୁଣିଛି ଯେ ପେରିସ୍ ନଗରୀରେ ନଗ୍ନଚିତ୍ରର ସିନେମା ରହିଛି, କିନ୍ତୁ ଏହା ‘‘କେତେକ ବ୍ୟକ୍ତିଙ୍କ’’ ପାଇଁ ଉର୍ଦ୍ଦିଷ୍ଟ । ଗଣପ୍ରଚାର ମାଧ୍ୟମରେ ଯାହା ପ୍ରଚାର କରାଯାଏ, ତାହା ‘‘ସମସ୍ତ ବ୍ୟକ୍ତିଙ୍କ’’ ପାଇଁ ଉର୍ଦ୍ଦିଷ୍ଟ । ଯବନିକାର ଅନ୍ତରାଳରେ ବହୁ ଅଶ୍ଲୀଳତା ଘଟିଯାଉଛି, କିନ୍ତୁ କୌଣସି ଜାତି ଜାତୀୟ ସ୍ତରରେ ଏହାକୁ ଜାତୀୟ ସଂସ୍କୃତି ବୋଲି ପ୍ରଚାର କରୁନାହିଁ । ଓଡ଼ିଶାରେ ଜାତୀୟସ୍ତରରେ ନାରୀକୁ ଅଶ୍ଲୀଳତା ମଧ୍ୟକୁ ଟାଣି ଅଣାଯାଉଛି । କିନ୍ତୁ କେତେକାଂଶରେ ପ୍ରତିବେଶୀବିଦ୍ୱେଷ ପରବଶରେ ଓ କେତେକାଂଶରେ କବିମାନଙ୍କ ପ୍ରତି ଅନ୍ଧଭକ୍ତିରେ ବା ଭ୍ରାନ୍ତ ଧର୍ମଧାରଣାରେ କେତେକ ସଂସ୍କୃତି ବ୍ୟବସାୟୀ ଓଡ଼ିଆ ଏହାକୁ ଜାତୀୟ ସଂସ୍କୃତି ବୋଲି ପ୍ରଚାର କରିଛନ୍ତି ଓ କରୁଛନ୍ତି । ଏ ପ୍ରଚାରକୁ ରାଜ୍ୟଶକ୍ତି ସାହାଯ୍ୟ କରିଛି । ନାରୀ ଯବନିକାର ଅନ୍ତରାଳରେ ଥିଲେ ମଧ୍ୟ ଯୁଗେ ଯୁଗେ ସୃଷ୍ଟି ଓ ସଂହାରିଣୀ ଶକ୍ତିରୂପେ କାର୍ଯ୍ୟ କରିଛି । ଓଡ଼ିଶାର ବ୍ୟାସ ଆଦିକବି ସାରଳା ଦାସ ଏହା ବୁଝିଥିଲେ । ତାଙ୍କର ତିନୋଟି କାବ୍ୟରେ ସୀତା, ଦୁର୍ଗା ଓ ଦୌପଦୀକୁ ସୃଷ୍ଟି ଓ ସଂହାରିଣୀ ଶକ୍ତିରୂପେ ଚିତ୍ରିତ କରି ଯାଇଛନ୍ତି । ଓଡ଼ିଶାର ପରବର୍ତ୍ତୀ ଯୁଗରେ ନାରୀକୁ ଯବନିକାର ଅନ୍ତରାଳରୁ କାଢ଼ି ଆଣି ତାହାର ଗହନମନର ଗୋପନୀୟ ରତିକ୍ରିୟାକୁ କୁତ୍ସିତ ଭାବରେ ଚିତ୍ରିତ କରାଯାଉଛି । ଐତିହାସିକ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଯେ ନାରୀ ହଁ ଓଡ଼ିଆମାନଙ୍କ ଅଧଃପତନର କାରଣ ହୋଇଛି । ନାରୀ ଗୋଟିଏ ଜାତିକୁ ଉପରକୁ ଉଠାଇଦିଏ କିମ୍ବା ତଳକୁ ଖସାଇଦିଏ ।

ମୋର ଏ ଲେଖାର ଯେଉଁ ପ୍ରତିକ୍ରିୟା ହେବ, ତାହା କଅଣ ମୁଁ ନିଜେ ଅନୁମାନ କରିପାରୁନାହିଁ ? ୨୫/୧୦/୫୨ ତାରଖର ‘ସମାଜ’ରେ ପ୍ରକାଶିତ ମୋର ‘‘ଓଡ଼ିଶାର ଇତିହାସ ଓ ଐତିହାସିକ ଉପାଦାନ’’ ଶୀର୍ଷକ ପ୍ରବନ୍ଧ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଥିଲା, ତାହା କଅଣ ମୁଁ ଭୁଲିଯାଇଛି ? ସମସ୍ତ ଜାଣି ମୁଁ ଏ ଗ୍ରନ୍ଥ ଲେଖିଛି । କଳନା କରି ଦେଖିଛି ଯେ ପଚିଶ ବର୍ଷ ପରେ ବର୍ତ୍ତମାନ ଓଡ଼ିଶାର ବହୁ ବୁଦ୍ଧିଜୀବୀ ଓ ବହୁ ତରୁଣ ତରୁଣୀ ମୋ ଲେଖାର ସତ୍ୟତା ଉପଲବ୍‍ଧି କରୁଛନ୍ତି । ଏହାହିଁ ମୋ ଲେଖାର ଯଥାଲାଭ । ତାହା ନ ହେଲେ ମୁଁ ୧୯୪୪ରୁ ଓଡ଼ିଶାକୁ ଭଲଭାବରେ ଚିହ୍ନିଛି । ଏହିବର୍ଷ Political Status of the feudatory States of Orissa and Chhatisgarh ନାମକ ପୁସ୍ତକ ଲେଖିବା ପରଠାରୁ ମୁଁ ଯେଉଁ ଦୟନୀୟ ଅବସ୍ଥାରେ ଏ ପର୍ଯ୍ୟନ୍ତ ଚାଲିଆସିଛି, ତାହାର କରୁଣ କାହାଣୀ ଏ ପୁସ୍ତକରେ ଲେଖିଛି । ୧୯୪୭ରୁ ଭାରତରେ ସ୍ଵାଧୀନତା ଆସିଥିଲେ ହେଁ ସାଧାରଣ ନରନାରୀର ଉପଭୋଗ୍ୟ ବିଚାରସମତା ଓ ଦଣ୍ଡସମତା ମୋ ପ୍ରତି ପ୍ରଯୁଜ୍ୟ ହୋଇ ନାହିଁ । ମୋତେ ହାତରେ ନମାରି ଭାତରେ ମରାହୋଇଛି । ମୋ ବିରୁଦ୍ଧରେ ନାନା ମିଥ୍ୟାପବାଦ ପ୍ରଚାର କରାହୋଇ ମୋ ମୁହଁକୁ ପୋଡ଼ି ଦିଆଯାଇଛି । ଲେଖକ ହିସାବରେ ମୋର ସୃଜନୀଶକ୍ତିକୁ ବିକଶିତ ହେବାକୁ ଦିଆଯାଇ ନାହିଁ । ମୋର ଦୋଷଟା ଯେ କଅଣ, ମୋତେ ନିର୍ଦ୍ଦିଷ୍ଟଭାବରେ କେହି କହି ନାହାନ୍ତି । ଘୋର ନୈରାଶ୍ୟ, ଦୁଃଖ ଓ ଅପମାନ ମଧ୍ୟରେ ମୁଁ ଖାଲି କାନ୍ଦି କାନ୍ଦି ଗାଇଛି–

ସବୁ ବେଦନାର ନିନାଦ ସଙ୍ଗତେ ତବ ଆରାଧନା କରୁଛି ହେ

ଠୁଳ କରି ଯେତେ ନୟନଲୋତକ ତବ ପଦତଳେ ଦଳୁଛି ହେ

ମାନ ଅଭିମାନ କରିଦେଲ ଚୂନା,

ଚିନା ଖୋଜି ଯାଇ ପାଇଲି ମୁଁ ସୁନା

କିନ୍ତୁ ମୁଁ ମୋର ଆତ୍ମସମ୍ମାନ ଛାଡ଼ି ନାହିଁ । ସୁଧୀପାଠକମାନେ ମୋ ଜୀବନର ଆଖ୍ୟାୟିକା ପଢ଼ି ଜାଣିବେ ଯେ ବାଳ୍ୟକାଳର ଦୁର୍ଦ୍ଦିନରେ ମଧ୍ୟ ମୁଁ ଆତ୍ମସମ୍ମାନ ପ୍ରତି ସଚେତନ ଥିଲି-। ମୁଁ ବିଶ୍ୱାସ କରେ ଯେ ଏହି ହେତୁ ଅଦୃଶ୍ୟ କର୍ଣ୍ଣଧାର ମୋତେ ଅନ୍ଧକାରରୁ ଆଲୋକକୁ ଟାଣି ଆଣିଥିଲେ । ଗୁଣ୍ଟୁର ଜିଲାର କୋଣ୍ଡବିଡ଼ୁ ଦୁର୍ଗରେ ଅବରୁଦ୍ଧ ଓଡ଼ିଆ ସୈନ୍ୟମାନେ ଜଳାଭାବରେ ଓ ଖାଦ୍ୟାଭାବରେ ପ୍ରାଣତ୍ୟାଗ କରିଥିଲେ, ମାତ୍ର ଆତ୍ମସମର୍ପଣ କରି ନ ଥିଲେ । କୃଷ୍ଣଦେବ ରାୟଙ୍କ ସେନାପତି ସାଲୁବ ତିମ୍ମ ଓ ତାଙ୍କ ସୈନ୍ୟମାନେ ଦୁର୍ଗ ଦ୍ୱାର ଭାଙ୍ଗି ଓଡ଼ିଆ ସୈନ୍ୟମାନଙ୍କ ଶବ ଓ କେତେକ ଜୀବିତ ସାମନ୍ତଙ୍କୁ ହିଁ ପାଇଥିଲେ ମୁଁ ଏହି ମହାନ୍‍ ଐତିହ୍ୟର ଜଣେ ଦାୟାଦ ।

ମୁଁ ସାଂସ୍କୃତିକ କ୍ଷେତ୍ରରେ ନିଷ୍ଠାସହକାରେ ଚାଳିଶ ବର୍ଷ କାର୍ଯ୍ୟକରି ବର୍ତ୍ତମାନ ଜୀବନର ଏପରି ଏକ ଅବସ୍ଥାରେ ଆସି ପହଞ୍ଚିଛି, ଯେତେବେଳେ ମୋର କର୍ମଶକ୍ତି ନିତାନ୍ତ ସଙ୍କୁଚିତ ହୋଇପଡ଼ିଛି । ପରଲୋକଗତ ମୋର ସମସ୍ତ ଭାଇଭଉଣୀ ମଧ୍ୟରୁ କେହି ୭୦ବର୍ଷରୁ ଅଧିକ ବଞ୍ଚି ନ ଥିଲେ । ଏଣୁ ମୁଁ ଦୀର୍ଘଯୋଜନା କରି ଅର୍ଥ ଓ ସମ୍ମାନ ପାଇଁ ଆଶାୟୀ ହେଉ ନାହଁ । ମୋତେ ଯଥେଷ୍ଟ ମିଥ୍ୟାପବାଦ ଓ ଅପମାନ ଦିଆହୋଇଛି; ଆଉ ଅଧିକ ଦିଆ ନ ହେଉ । ମୁଁ ଜଣେ ନିତାନ୍ତ ନିର୍ବୋଧ ଓ ଏକଜିଦିଆ ଲୋକ । ଜୀବନରେ ଅନ୍ତତଃ ଦଶଥର ମୋର ପକେଟ୍‍ମାର ହୋଇଛି, ଦୁଇଟି ଘଡ଼ି ଓ ବହୁ ଫାଉଣ୍ଟେନ୍‍ ପେନ୍‍ ମୋ ଦେହରୁ ହରଣଚାଳ ହୋଇଯାଇଛି । ମୁଁ କଅଣ ଏଡ଼େ ଚାଲାକ୍ ଯେ ସମସ୍ତଙ୍କୁ ଠକି ଦେଇ ପାରିଛି ? ମୁଁ ମୋର ଆଦର୍ଶରୁ ବିଚ୍ୟୁତ ହୁଏ ନାହିଁ । ଏଣୁ ଦୁଃଖ ପାଏ । ମୁଁ କେବଳ ମୋର ସମସ୍ତ ବିପର୍ଯ୍ୟୟ ପାଇଁ ଦାୟୀ । ମୁଁ ମୋର ବିପର୍ଯ୍ୟୟ ପାଇଁ କାହାରିକୁ ଦୋଷୀ କରୁ ନାହିଁ । ମୋର ପ୍ରାପ୍ୟ ମଜୁରିରୁ ଯାହା ଚାଲିଗଲା, ସେଥିପାଇଁ ମଧ୍ୟ ମୋର ଶୋଚନା ନାଇଁ । ଯେତେବେଳେ ଯେଉଁଆଡ଼ ପବନ ବହିଲା, ସେହିଆଡ଼େ ଯଦି ଛତା ଧରିଥାନ୍ତି, ତେବେ ମୋର କୌଣସି ବିପର୍ଯ୍ୟୟ ଘଟି ନ ଥାନ୍ତା; କିନ୍ତୁ ମୁଁ ତାହା କରି ନାହିଁ କିମ୍ୱା କରିପାରିବି ନାହିଁ । ମୋତେ ପଶାଖେଳର କାଠି ବା ଗୁଟି ରୂପେ ଆଉ କେହି ବ୍ୟବହାର ନ କରନ୍ତୁ, ଏହା ହିଁ ମୋର ସମସ୍ତଙ୍କ ପାଖରେ ଯୋଡ଼କରରେ ପ୍ରାର୍ଥନା ।

ସମସ୍ତ ବିପର୍ଯ୍ୟସ୍ତ ପରେ ଯାହା ପାଇଛି, ସେତିକିରେ ମୁଁ ସନ୍ତୁଷ୍ଟ । ବାଳ୍ୟକାଳରେ ମାସିକ ଦୁଇଟଙ୍କା ଦରମାର ଚାକିରି ପାଇ ନ ପାରି ମୁଁ ନିରାଶରେ ଫେରିଥିଲି । ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ହେବା ମୋର ଜୀବନର ଉଚ୍ଚତମ ଲକ୍ଷ୍ୟ ଥିଲା । ବର୍ତ୍ତମାନ ମୋର ଆର୍ଥିକ ଓ ମାନସିକ ଅବସ୍ଥାରେ ବିପୁଳ ପରିବର୍ତ୍ତନ ଘଟିଛି । ମୋର ପୁଅ ଅଛନ୍ତି, ପେନ୍‌ସନ ଅଛି ଓ ଖଣ୍ଡିଏ ଘର ଅଛି । ଏଣୁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଗାଇବି–

ଜୀବନପାତ୍ର ମୋ ଭରିଛ କେତେମତେ

ନ ଦେଲ କିଛି ବୋଲି କହିବି କି ହେ ଆଉ ?

ଜୀବନ ପ୍ରିୟତମ ହରିଛ ମୋ ଭରମ

ତରଣୀ ମୋର ତବ ସାଗରେ ବହିଯାଉ ।

କୂଳର ଜନପ୍ରାଣୀ କେତେ ମିଳାଅ ଆଣି

ନୟନ ପଲକରେ ଲୁଚାଅ ଜାଣି ଜାଣି,

ବୃଥା ମୁଁ ଅଭିମାନୀ ହୃଦେ ଧରଇ ଟାଣି

ମରତ ପ୍ରବାସୀ ମୁଁ ନ ଜାଣି ଆଣେ ଦାଉ ।୧।

 

ମାନସହଂସ ମୁଁ ମାନସେ ଯିବି ଉଡ଼ି

ମୋ ଦୋଷେ ପଥ ହୁଡ଼ି ଭରମେ ଅବିରତ,

ଅଲପ ତୃଷା କ୍ଷୁଧା ଲଭି ତୁମରି ସୁଧା ।

ତୃପତ ହେଲା, ତେବେ ଲୋଡ଼ଇ ଏ ମରତ !

ନିଜ ବାସନା-ଜାଲେ ବିକଳ ବିଧତ ।

ତିମିର ଅଜ୍ଞାନେ ମିଳେ କି ଅମୃତ ?

ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି

ଲଙ୍ଘି ହିମଗିରି ଯିବି ଗୋ ବେଳ ଥାଉଁ ।୨।

Image